ସୁପ୍ରିମ କୋର୍ଟ ରାୟ, ଅଯୋଧ୍ୟାରେ ରାମ ମନ୍ଦିର ନିଶ୍ଚିତ
– ପ୍ରସାଦ ରାଓ –
ନଭେମ୍ବର ୦୯
ବହୁ ଚର୍ଚ୍ଚିତ ରାମଲାଲା-ବାବରୀ ମସଜିଦ ଜମି ବିବାଦର ଆଜି (ନଭେମ୍ବର ୯ ତାରିଖ) ଶାନ୍ତିପୂର୍ଣ୍ଣ ସମାଧାନ ହୋଇ ଯାଇଛି । ଏହି ସ୍ପର୍ଶକାତର ମାମଲାର ଲଗାତର ୪୦ ଦିନ ଶୁଣାଣୀ ପରେ ସୁପ୍ରିମ କୋର୍ଟର ୫ ଜଣ ବିଚାରପତିଙ୍କୁ ନେଇ ଗଠିତ ଏକ ସାମ୍ବିଧାନିକ ପୀଠ ଅକ୍ଟୋବର ୧୬ ତାରିଖ ରାୟ ସଂରକ୍ଷିତ ରଖି ଥିଲେ । ଏହି ପୀଠରେ ଅଧ୍ୟକ୍ଷତା କରୁଥିବା ସୁପ୍ରିମ କୋର୍ଟ ମୁଖ୍ୟ ବିଚାରପତି ଜଷ୍ଟିସ ରଂଜନ ଗୋଗୋଇ ଆସନ୍ତା ୧୭ରେ ତାଙ୍କ କାର୍ଯ୍ୟକାଳ ଶେଷ ହେବା ପୂର୍ବରୁ ଆଜି ଗୁରୁତ୍ୱପୂର୍ଣ୍ଣ ରାୟ ଦେଇ ଉଭୟ ହିନ୍ଦୁ ଓ ମୁସଲମାନ ସଂପ୍ରଦାୟକୁ ଖୁସି କରିଛନ୍ତି । ବିବାଦୀୟ ଜମି ରାମଲାଲାଙ୍କର ଏବଂ ସେଠାରେ ରାମ ମନ୍ଦିର ପ୍ରତିଷ୍ଠା ହେବ । ମୁସଲମାନ ସଂପ୍ରଦାୟର ଭାବାବେଗକୁ ସମ୍ମାନ ଦେଇ ଖଣ୍ଡପୀଠ ଅଯୋଧ୍ୟାର ଏକ ଅହଂ ଅଂଚଳରେ ମସଜିଦ୍ ଗଠନ ପାଇଁ ସୁନ୍ନି ୱାକଫ୍ ବୋର୍ଡକୁ ୫ ଏକର ଜମି ଓ ଆର୍ଥିକ ସମେତ ସବୁ ପ୍ରକାର ସହାୟତା ଯୋଗାଇ ଦେବାକୁ ମୁଖ୍ୟ ବିଚାରପତି ଜଷ୍ଟିସ ଗୋଗୋଇ ଉଭୟ କେନ୍ଦ୍ର ସରକାର ଓ ୟୁପି ସରକାରଙ୍କୁ ନିର୍ଦେଶ ଦେଇଛନ୍ତି । ଖଣ୍ଡପୀଠର ସମସ୍ତ ପାଂଚ ଜଣ ବିଚାରପତି ସର୍ବସମ୍ମତିରେ ଏହି ରାୟ ପ୍ରକାଶ କରିଥିବା ଜଣାପଡ଼ିଛି ।
ରାୟ ପ୍ରକାଶ ପାଇବା ପୂର୍ବରୁ ଦେଶବ୍ୟାପୀ ସମସ୍ତଙ୍କ ମନରେ ଏକ ଅଜଣା ଆଶଂକା ରହି ଥିଲା । କେନ୍ଦ୍ର ସରକାର ଓ ୟୁପି ସରକାର କୌଣସି ପ୍ରକାର ଅପ୍ରିତିକର ପରିସ୍ଥିତିକୁ ଏଡ଼ାଇବା ପାଇଁ ୟୁପିର ଅଯୋଧ୍ୟା ଜିଲ୍ଲା ସମେତ ରାଜ୍ୟରେ ୨୦ ହଜାର ପୁଲିସ ଓ ସୁରକ୍ଷା ବଳକୁ ମୁତୟନ କରିଥିଲେ । ଇଂଟରନେଟ୍ ଓ ସାମାଜିକ ଗଣମାଧ୍ୟମ ଉପରେ ସରକାରଙ୍କ ପକ୍ଷରୁ କଡ଼ା ନଜର ରଖା ଯାଇଥିଲା । କୌଣସି ପ୍ରକାର ଉତ୍ତେଜନା ସୃଷ୍ଟିକାରୀ ପୋଷ୍ଟିଂ ହେଲେ ଗିରଫ କରାଯିବ ବୋଲି ମଧ୍ୟ ଚେତାବନୀ ଦିଆଯାଇଥିଲା । ଦେଶବ୍ୟାପୀ ସାମାଜିକ ଗଣମାଧ୍ୟମ ଉପରେ ନଜର ରଖିବା ପାଇଁ ସରକାର ବିଶେଷଜ୍ଞମାନଙ୍କୁ ନିଯୁକ୍ତ କରିଥିଲେ । ତେବେ, ଆଜି ପୂର୍ବାହ୍ନରେ ପ୍ରକାଶ ପାଇଥିବା ସୁପ୍ରିମ କୋର୍ଟ ରାୟ ଦେଶରେ କୌଣସି ପ୍ରକାର ଉତ୍ତେଜକ ବାତାବରଣ ସୃଷ୍ଟି କରିବା ଦୂରେ ଥାଏ ସୌହାର୍ଦ୍ଧ୍ୟର ବାତାବରଣ ମଧ୍ୟରେ ଉଭୟ ପକ୍ଷ ତାହାକୁ ଗ୍ରହଣ କରି ନେଇ ଥିବା ଦେଖିବାକୁ ମିଳିଛି । ଏହାଦ୍ୱାରା, ୫୦୦ ବର୍ଷ ପୁରୁଣା ଜମି ବିବାଦର ଶାନ୍ତିପୂର୍ଣ୍ଣ ସମାଧାନ ହୋଇପାରିଛି ।
୧୫୨୮ରେ ଯେତେବେଳେ ମୋଗଲ ଶାସକ ବାବର୍ ଅଯୋଧ୍ୟାର ରାମଲାଲା ମନ୍ଦିରକୁ ଧ୍ୱଂସ କରି ସେହି ସ୍ଥାନରେ ମସଜିଦ ନିର୍ମାଣ କରିଥିଲେ (?) ସେତେବେଳୁ ବିବାଦର ସୂତ୍ରପାତ ହୋଇଛି । ବାବର୍ ଏହି ମସଜିଦ୍ ନିର୍ମାଣ କରିଥିବାରୁ ତାହାର ନାମ ବାବରୀ ମସଜିଦ୍ ହୋଇଥିଲା । ଅଯୋଧ୍ୟାର ହିନ୍ଦୁ ଓ ମୁସଲିମ୍ ପକ୍ଷ ବିବାଦୀୟ ସ୍ଥଳର ମାଲିକାନା ଅଧିକାରକୁ ନେଇ ଆଜି ପର୍ଯ୍ୟନ୍ତ ଲଢ଼େଇ କରି ଆସୁଥିଲେ । ବାବରୀ ମସଜିଦ୍ ବିବାଦକୁ ନେଇ ୧୮୫୩ରେ ପ୍ରଥମେ ସାଂପ୍ରଦାୟିକ ଗଣ୍ଡଗୋଳ ହୋଇଥିଲା । ଭାରତର ଦକ୍ଷିଣପନ୍ଥୀ ଚିନ୍ତାଧାରା ସଂପନ୍ନ ରାଜନେତାମାନେ ଏହି ମନ୍ଦିର-ମସଜିଦ୍ ବିବାଦର ରାଜନୈତିକ ଫାଇଦା ନେବା ସକାଶେ ୧୯୯୨ରେ ଦେଶବ୍ୟାପୀ ରଥଯାତ୍ରା କରିଥିଲେ ଏବଂ ସେହି ବର୍ଷ ଡ଼ିସେମ୍ବର ୬ ତାରିଖରେ ହଜାର ହଜାର ସଂଖ୍ୟାରେ କଟ୍ଟର ହିନ୍ଦୁ ବିବାଦୀୟ ବାବରୀ ମସଜିଦ୍ ଢାଂଚାକୁ ଭାଂଗି ପକାଇ ଥିଲେ । ଫଳରେ, ଏହା ସାଂପ୍ରଦାୟିକ ଦଂଗା ସୃଷ୍ଟି କରିଥିଲା । ସେହି ସମୟରେ ୟୁପିରେ ମୁଖ୍ୟମନ୍ତ୍ରୀ କଲ୍ୟାଣ ସିଂହଙ୍କ ନେତୃତ୍ୱରେ ବିଜେପି ସରକାର ଥିବା ବେଳେ କେନ୍ଦ୍ରରେ ପ୍ରଧାନମନ୍ତ୍ରୀ ପିଭି ନରସିଂହ ରାଓଙ୍କ ନେତୃତ୍ୱରେ କଂଗ୍ରେସ ସରକାର ଥିଲା । ୨୦୦୨ ମାର୍ଚ୍ଚ ୧୩ ତାରିଖରେ ବିବାଦୀୟ ସ୍ଥଳରେ ସ୍ଥିତାବସ୍ଥା କାଏମ ରଖିବାକୁ ଏବଂ ଶିଳାପୂଜନ ନ କରିବାକୁ ସୁପ୍ରିମ କୋର୍ଟ ନିର୍ଦେଶ ଦେଇଥିଲେ । ୨୦୦୩ ମେ’ରେ ସିବିଆଇ ବାବରୀ ମସଜିଦ୍ ଧ୍ୱଂସ ମାମଲାରେ ବିଜେପିର ବରିଷ୍ଠ ନେତା ଲାଲକୃଷ୍ଣ ଆଡଭାନୀଙ୍କ ସମେତ ୮ ଜଣଙ୍କ ବିରୋଧରେ ଅଭିଯୋଗପତ୍ର ଦାଖଲ କରିଥିଲେ । ୨୦୧୦ ମେ’ ୨୦ରେ ଆଡଭାନୀ ଓ ଅନ୍ୟ ନେତାଙ୍କ ବିରୋଧରେ ଅପରାଧିକ ମାମଲା ଚଳାଇବା ପାଇଁ ହୋଇଥିବା ଆବେଦନକୁ ଆଲାହାବାଦ ହାଇକୋର୍ଟ ଖାରଜ କରିଥିଲେ । ବିବାଦୀୟ ସ୍ଥଳକୁ ତିନି ଭାଗରେ ବାଂଟି ଦେଇ ତିନି ଦାବିଦାରକୁ ଦେଇ ଦେବାକୁ ହାଇକୋର୍ଟ ନିର୍ଦେଶ ଦେଇଥିବା ବେଳେ ୨୦୧୧ ମେ’ ୯ରେ ସୁପ୍ରିମ କୋର୍ଟ ଏହା ଉପରେ ରୋକ୍ ଲଗାଇ ଥିଲେ ।
୨୦୧୮ ଜାନୁୟାରୀ ୨୭ ତାରିଖରେ ସୁପ୍ରିମ କୋର୍ଟର ତକ୍ରାଳୀନ ପ୍ରଧାନ ବିଚାରପତି ଜଷ୍ଟିସ ଦୀପକ ମିଶ୍ର ମସଜିଦ୍ ଇସ୍ଲାମର ଅଭିନ୍ନ ଅଂଗ ନୁହେଁ ବୋଲି ରାୟ ଦେଇ ଦେଶବ୍ୟାପୀ ହଇଚଇ ସୃଷ୍ଟି କରିଥିଲେ । ତେବେ, ମୂଳ ଜମି ବିବାଦ ଅସମାଧିତ ରହିଥିଲା । ୨୦୧୯ ମାର୍ଚ୍ଚ ୮ ତାରିଖରେ ସୁପ୍ରିମ କୋର୍ଟ ଶ୍ରୀ ଶ୍ରୀ ରବି ଶଙ୍କର, ଶ୍ରୀରାମ ପଂଚୁ ଓ ଜଷ୍ଟିସ ଏଫ୍ ଏମ୍ କଲିଫୁଲ୍ଲାଙ୍କୁ ଅଯୋଧ୍ୟା ମାମଲାର ମଧ୍ୟସ୍ଥତା ପାଇଁ ନିଯୁକ୍ତ କରିଥିଲେ । ଶେଷରେ, ୨୦୧୯ ଅଗଷ୍ଟ ୬ ତାରିଖରୁ ସୁପ୍ରିମ କୋର୍ଟରେ ଏହି ଅଯୋଧ୍ୟା ଜମି ବିବାଦର ନିୟମିତ ଶୁଣାଣୀ ଆରମ୍ଭ ହୋଇ ୨୦୧୯ ଅକ୍ଟୋବର ୧୬ରେ ସରିଥିଲା ଏବଂ ମୁଖ୍ୟ ବିଚାରପତି ଜଷ୍ଟିସ ରଂଜନ ଗୋଗୋଇ ରାୟ ସଂରକ୍ଷିତ ରଖି ଥିଲେ । ନଭେମ୍ବର ୧୭ରେ ଜଷ୍ଟିସ ଗୋଗୋଇ ଅବସର ଗ୍ରହଣ କରୁଥିବାରୁ ଏବଂ ତାଙ୍କ ସ୍ଥାନରେ ଜଷ୍ଟିସ୍ ଏସ୍ ଏ ବୋବଡେ ମୁଖ୍ୟ ବିଚାରପତି ଭାବେ ନିଯୁକ୍ତିପତ୍ର ପାଇ ସାରି ଥିବାରୁ ଅଯୋଧ୍ୟା ଜମି ବିବାଦର ରାୟ ୧୭ ତାରିଖ ପୂର୍ବରୁ ପ୍ରକାଶ ପାଇବା ନିଶ୍ଚିତ ଥିଲା ।
ସୁପ୍ରିମ କୋର୍ଟ ମୁଖ୍ୟ ବିଚାରପତି ଜଷ୍ଟିସ ଗୋଗୋଇ ୯ ତାରିଖ ସକାଳେ ସାମ୍ବିଧାନିକ ପୀଠର ଅନ୍ୟ ବିଚାରପତିଙ୍କ ସହ କୋର୍ଟରେ ପହଂଚି ଅଯୋଧ୍ୟ ଜମି ବିବାଦର ଫଇସଲା (ରାୟ) ଶୁଣାଇଛନ୍ତି । ମୁଖ୍ୟ ବିଚାରପତିଙ୍କ ସମେତ ଏହି ସାମ୍ବିଧାନିକ ପୀଠର ଅନ୍ୟ ୪ ସଦସ୍ୟ ହେଲେ ଜଷ୍ଟିସ ଅଶୋକ ଭୂଷଣ, ଜଷ୍ଟିସ ଡ଼ି.ୱାଇ. ଚନ୍ଦ୍ରଚୂଡ, ଜଷ୍ଟିସ ଏସ୍ ଏ ବୋବଡେ ଓ ଜଷ୍ଟିସ ଏସ୍ ଏ ନସିର । ସର୍ବସମ୍ମତିରେ ରାୟ ପ୍ରକାଶ ପାଇଛି । ମୁଖ୍ୟ ବିଚାରପତି ଜଷ୍ଟିସ ଗୋଗୋଇ ୧୦୪୫ ପୃଷ୍ଠାର ରାୟ ପ୍ରକାଶ କରିବା ସହ ଏହାର ନିର୍ଯ୍ୟାସ ସୁପ୍ରିମ କୋର୍ଟରେ ପଢ଼ି ଶୁଣାଇ ଥିଲେ । ରାୟରେ ଜମି ମାଲିକାନାକୁ ନେଇ ସୁନ୍ନି ୱାକଫ୍ ବୋର୍ଡ ବିରୋଧରେ ସିଆ ୱାକଫ୍ ବୋର୍ଡର ଆବେଦନକୁ ପ୍ରଥମେ ସୁପ୍ରିମ କୋର୍ଟ ଖାରଜ କରି ଦେଇଛନ୍ତି । ସେହିପରି, ନିର୍ମୋହୀ ଆଖାଡ଼ାର ଆବେଦନ ମଧ୍ୟ କୋର୍ଟ ଦ୍ୱାରା ଖାରଜ ହୋଇଛି । ସୁପ୍ରିମ କୋର୍ଟ ସାମ୍ବିଧାନିକ ପୀଠ ଏହି ରାୟରେ କହିଛନ୍ତି, ବାବରୀ ମସଜିଦ୍ କେବେ ନିର୍ମାଣ ହୋଇଥିଲା ଓ କିଏ ତିଆରି କରିଥିଲା ତାହା ସ୍ପଷ୍ଟ ନୁହେଁ । କୋର୍ଟ ଧର୍ମକୁ ବିଚାରକୁ ନ ନେଇ ଏଏସ୍ଆଇ ଯାଂଚରୁ ମିଳି ଥିବା ପ୍ରମାଣିକ ତଥ୍ୟ ଭିତ୍ତିରେ ନିଷ୍କର୍ଷରେ ପହଂଚିଛନ୍ତି । ଏଏସଆଇ (ଆର୍କୋଲୋଜିକାଲ ସର୍ଭେ ଅଫ୍ ଇଣ୍ଡିଆ) ରିପୋର୍ଟରେ ବିବାଦୀୟ ବାବରୀ ମସଜିଦ୍ ଢ଼ାଂଚାର ଭୂମିତଳୁ ଏକ ହିନ୍ଦୁ ମନ୍ଦିରର ଢ଼ାଂଚା ଓ ଏକାଧିକ ମୂର୍ତୀ ମିଳିଛି, ଯାହାକି ସେଠାରେ ଗୋଟିଏ ହିନ୍ଦୁ ମନ୍ଦିର ଥିବା ସୂଚାଉଛି । ଏଏସଆଇ ଏହାର ପ୍ରମାଣ ମଧ୍ୟ ଦେଇଛି ।
ହିନ୍ଦୁମାନେ ଅଯୋଧ୍ୟାକୁ ପ୍ରଭୁ ରାମଚନ୍ଦ୍ରଙ୍କ ଜନ୍ମସ୍ଥାନ ଭାବେ କେଉଁ ଅନାଦି କାଳରୁ ମାନ ଆସୁଛନ୍ତି । ଏଏସଆଇ ରିପୋର୍ଟରେ କୌଣସି ଏକ ମନ୍ଦିର ଭଂଗାଯାଇ ତାହା ଉପରେ ମସଜିଦ୍ ନିର୍ମାଣ କରାଯାଇଥିବା କହୁ ନ ଥିଲେ ମଧ୍ୟ ମସଜିଦ୍ ମାଟି ତଳୁ ମନ୍ଦିରର ଢ଼ାଂଚା ମିଳିଥିବା କହିଛି । ଖାଲି ଜମି ଉପରେ ମସଜିଦ୍ ନିର୍ମାଣ କରାଯାଇ ନ ଥିଲା ବୋଲି ମଧ୍ୟ ଏଏସଆଇ ରିପୋର୍ଟରୁ ଜଣାପଡ଼ୁଛି । ଉଭୟ ହିନ୍ଦୁ ଓ ମୁସଲମାନମାନେ ଏହି ବିବାଦୀୟ ସ୍ଥଳରେ ପୂଜା ପାଠ କରୁଥିଲେ ବୋଲି ଦୁଇ ପକ୍ଷର ସାକ୍ଷୀମାନେ କୋର୍ଟରେ ସ୍ୱୀକାର କରିଛନ୍ତି । ମସଜିଦ୍ ର ବାହାର ଚଉତରାରେ ମହନ୍ତ ରଘୁବୀର ଦାସ ଚଉତରା କରି ଓ ସେଠାରେ ରାମଲାଲାଙ୍କ ମୂର୍ତୀ ପ୍ରତିଷ୍ଠା କରି ପୂଜାପାଠ କରି ଆସୁଥିଲେ । ସୁ୍ନ୍ନି ୱାକଫ୍ ବୋର୍ଡ କୋର୍ଟରେ ବାହାର ଚଉତରା ଉପରେ ତାହାର ଅଧିକାର ସାବ୍ୟସ୍ତ କରି ପାରି ନାହିଁ । ଏଭଳି ପରିସ୍ଥିତିରେ କୋର୍ଟ ବିବାଦୀୟ ସ୍ଥଳକୁ ହିନ୍ଦୁଙ୍କ ହାତରେ ସମର୍ପି ଥିବା ବେଳେ ରାମଲାଲାଙ୍କୁ ଲିଗାଲ ଏଂଟିଟି ଭାବେ ସ୍ୱୀକୃତି ଦେଇଛନ୍ତି । ସୁନି ୱାକଫ୍ ବୋର୍ଡକୁ କୋର୍ଟ ଅସନ୍ତୁଷ୍ଟ କରି ନାହାନ୍ତି । ଅଯୋଧ୍ୟା ସହରର କୌଣସି ଏକ ମୁଖ୍ୟାଂଚଳରେ ମସଜିଦ୍ ନିର୍ମାଣ ପାଇଁ କେନ୍ଦ୍ର ଓ ରାଜ୍ୟ ସରକାର ବୋର୍ଡକୁ ୫ ଏକର ଜମି ଯୋଗାଇ ଦେବା ସହ ନିର୍ମାଣ ଓ ଅନ୍ୟାନ୍ୟ କାର୍ଯ୍ୟ ପାଇଁ ସହାୟତା ଯୋଗାଇ ଦେବାକୁ ସରକାରଙ୍କୁ ନିର୍ଦେଶ ଦେଇଛନ୍ତି । କୋର୍ଟ ଶାନ୍ତିପୂର୍ଣ୍ଣ ଉପାୟରେ ୫୦୦ ବର୍ଷର ଏହି ପୂରାତନ ଜମି ବିବାଦର ସମାଧାନ କରି ଦେଶବାସୀଙ୍କ ମଧ୍ୟରେ ନୂତନ ଉତ୍ସାହ ସୃଷ୍ଟି କରିଛନ୍ତି ।
“ଭାରତୀୟ ନ୍ୟାୟପାଳିକାର ଏହା ଏକ ଐତିହାସିକ ରାୟ । ସୁପ୍ରିମକୋର୍ଟ ଏହି ରୟ ମାଧ୍ୟମରେ ଧୈର୍ଯ୍ୟ ଏବଂ ଦୃଢ଼ ଇଚ୍ଛାଶକ୍ତିର ପ୍ରଦର୍ଶନ କରିଛ । ସବୁ ବର୍ଗର ଲୋକ ଏହାକୁ ଖୋଲା ମନରେ ସ୍ୱାଗତ କରିଛନ୍ତି” ବୋଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ପ୍ରତିକ୍ରିୟା ବ୍ୟକ୍ତ କରିଛନ୍ତି ।
LETTER FROM THE EDITOR: A SPECIAL THANKS TO OUR READERS
LETTER FROM THE EDITOR: A SPECIAL THANKS TO OUR READERS