କର୍ତାରପୁର କରିଡ଼ର ଉଦ୍ଘାଟିତ
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି (ନଭେମ୍ବର ୯ ତାରିଖ) ଅପରାହ୍ନରେ ପଂଜାବ ଗୁରୁଦାସପୁର ଡ଼େରା ବାବା ନାନକ ଠାରେ ପତାକା ଦେଖାଇ କର୍ତାରପୁର କରିଡ଼ର ଇଂଟିଗ୍ରେଟେଡ୍ ଚେକପୋଷ୍ଟ୍ ଉଦ୍ଘାଟନ କରିଛନ୍ତି । ପ୍ରଥମ ଦଫାରେ ଏହି କରିଡ଼ର ଦେଇ ୫୦୦ ଭାରତୀୟ ତୀର୍ଥଯାତ୍ରୀ ଅକାଲ ତାଖତର ଜାଥେଦାର ଜ୍ଞାନୀ ହରପ୍ରୀତ ସିଂହଙ୍କ ନେତୃତ୍ୱରେ ପାକିସ୍ତାନ ପଂଜାବ ପ୍ରଦେଶର ନରୋୱାଲ ଜିଲ୍ଲାରେ ଥିବା ଗୁରୁଦ୍ୱାର ଦରବାର ସାହିବକୁ ଯାଇଛନ୍ତି । ଶିଖ୍ ସଂପ୍ରଦାୟର ପ୍ରମୁଖ ଗୁରୁ ନାନକ ଦେବଙ୍କ ୫୫୦ତମ ଜନ୍ମ ବାର୍ଷିକୀ ୧୨ ନଭେମ୍ବରରେ ପାଳନ ହେଉଥିବାରୁ ଭାରତ ଓ ପାକିସ୍ତାନ ମଧ୍ୟରେ ହୋଇଥିବା ଏକ ଏମଓୟୁ ଭିତ୍ତିରେ ଭାରତ ପଟୁ ଏହି କରିଡ଼ର ନିର୍ମାଣ କରାଯାଇଛି । ଭାରତୀୟ ତୀର୍ଥଯାତ୍ରୀମାନେ କର୍ତାରପୁର କରିଡ଼ର ଦେଇ ପାକିସ୍ତାନରେ ଥିବା ଗୁରୁଦ୍ୱାର ଦରବାର ସାହେବରେ ପହଂଚିବାର ବ୍ୟବସ୍ଥା ହୋଇଛି । ପ୍ରଧାନମନ୍ତ୍ରୀ ମୋଦୀ ଅପରାହ୍ନରେ ଭାରତ ପଟେ ଥିବା କରିଡ଼ରରେ ଏକ ପାସେଂଜର ଟର୍ମିନାଲ ବିଲଡିଂ ଉଦ୍ଘାଟନ କରିଥିଲେ । ଏହି ଟର୍ମିନାଲ କୋଠା, ଯାହାକି ଇଂଟିଗ୍ରେଟେଡ ଚେକପୋଷ୍ଟ୍ ଭାବେ କାମ କରିବ, ସେଠାରେ ଭାରତରୁ ପାକିସ୍ତାନର ଗୁରୁଦ୍ୱାର ଡ଼େରା ସାହିବକୁ ଯାଉଥିବା ତୀର୍ଥଯାତ୍ରୀଙ୍କ ଆଇନଗତ କାଗଜପତ୍ର ଯାଂଚ ବ୍ୟବସ୍ଥା ହୋଇଛି । ସାଢ଼େ ଚାରି କିମି ଲମ୍ବା ଏହି କରିଡ଼ର ନୂଆ କରି ତିଆରି ହୋଇଛି । ପ୍ରଥମ ବ୍ୟାଚ୍ ତୀର୍ଥଯାତ୍ରୀଙ୍କ ମଧ୍ୟରେ ପଂଜାବ ମୁଖ୍ୟମନ୍ତ୍ରୀ କ୍ୟାପଟେନ୍ ଅମରିନ୍ଦର ସିଂହ, ପୂର୍ବତନ ମୁଖ୍ୟମନ୍ତ୍ରୀ ପ୍ରକାଶ ସିଂହ ବାଦଲ, ସୁଖବୀର ସିଂହ ବାଦଲ, ପୂର୍ବତନ ପଂଜାବ ମନ୍ତ୍ରୀ ନବଜୋତ ସିଂହ ସିଦ୍ଧୁ ପ୍ରମୁଖ ଅଛନ୍ତି । କର୍ତାରପୁର କରିଡ଼ର ଉଦ୍ଘାଟନ ଉତ୍ସବରେ ପୂର୍ବତନ ପ୍ରଧାନମନ୍ତ୍ରୀ ଡ. ମନମୋହନ ସିଂହ ମଧ୍ୟ ଯୋଗ ଦେଇଥିଲେ । ସେଠାରେ ପ୍ରଧାନମନ୍ତ୍ରୀ ମୋଦୀଙ୍କ ସହ ତାଙ୍କ ଭେଟ ହୋଇଥିବା ଜଣାପଡ଼ିଛି ।
Share this:
LETTER FROM THE EDITOR: A SPECIAL THANKS TO OUR READERS
LETTER FROM THE EDITOR: A SPECIAL THANKS TO OUR READERS