ଜାତୀୟ ପ୍ରେସ୍ ଦିବସ ଓ ‘ବିକାଉ’ ମିଡ଼ିଆ
ପ୍ରସାଦ ରାଓ – ୧୬ ନଭେମ୍ବର
ପୂର୍ବ ବର୍ଷମାନଙ୍କ ଭଳି ଆଜି ମଧ୍ୟ ନଭେମ୍ବର ୧୬ ତାରିଖ ସମଗ୍ର ଦେଶରେ ‘ଜାତୀୟ ପ୍ରେସ୍ ଦିବସ’ ପାଳନ କରାଯାଇଛି । ସାମ୍ବାଦିକମାନେ ସଭାସମିତି ଓ ଆଲୋଚନାଚକ୍ର ମାଧ୍ୟମରେ ଏହି ଦିବସ ପାଳନ କରିଛନ୍ତି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ସଗର୍ବରେ ଟ୍ୱିଟ୍ କରି ତାଙ୍କ ସରକାର ‘ପ୍ରେସ୍ ସ୍ୱାଧୀନତା’ର ସୁରକ୍ଷା ପାଇଁ ଅଂଗୀକାରବଦ୍ଧ ବୋଲି କହିଛନ୍ତି । ତେବେ, ଏହା କଣ ବାସ୍ତବରେ ସତ୍ୟ ! ଭାରତୀୟ ସାମ୍ବାଦିକମାନେ ନିଜକୁ ଯେତେ ସ୍ୱାଧୀନ ଦାବି କରୁଛନ୍ତି ସତରେ କଣ ସେତେ ସ୍ୱାଧୀନ !! ଆମେ ମରିଚିକା ପଛରେ ଧାଉଁନାହୁଁ ତ ? ସାମ୍ବାଦିକତା କ୍ଷେତ୍ରରେ ଦୀର୍ଘ ୩୦ ବର୍ଷରୁ ଅଧିକ କାମ କଲା ପରେ ଏଭଳି ଅନେକ ପ୍ରଶ୍ନ ମନକୁ ଆସୁଛି । ଯେତେବେଳ ସାମାଜିକ ଗଣମାଧ୍ୟମରେ ଓ ନେତାମାନଙ୍କ ଭାଷଣରେ ‘ବିକାଉ ମିଡ଼ିଆ’ ଭଳି ଆକ୍ଷେପ ହେଉଛି, ସେତେବେଳେ ଏହି କ୍ଷେତ୍ରରେ ନିଷ୍ଠାର ସହ କାର୍ଯ୍ୟ କରି ଆସୁଥିବା ସାମ୍ବାଦିକମାନଙ୍କ ମୁଣ୍ଡ ଲଜ୍ୟାରେ ନଇଁ ଯାଉଛି । ତେବେ, ସଂଖ୍ୟାଗରିଷ୍ଠ ଗଣମାଧ୍ୟମ ଓ ସାମ୍ବାଦିକ ପ୍ରତିକ୍ରିୟାଶୂନ୍ୟ । ଏଠି ପ୍ରଶ୍ନ ଉଠୁଛି, ‘ବିକାଉ’ ଅକ୍ଷେପର ଜନ୍ମ ମାତ୍ରାଧିକ ‘ପ୍ରେସ୍ ସ୍ୱାଧୀନତା’ରୁ ନା ଏହାର ଦୂରୁପଯୋଗ ଯୋଗୁ ? ଏସଂପର୍କରେ ଅଧିକ ଆଲୋଚନା ଅପେକ୍ଷା ରଖୁଛି ।
ପ୍ରଥମେ ଆମେ ଯିବା ‘ଜାତୀୟ ପ୍ରେସ୍ ଦିବସ’ର ବାସ୍ତବିକତା ଭିତରକୁ । ଭାରତରେ ଗଣମାଧ୍ୟମର ସ୍ୱାଧୀନତା ଅକ୍ଷୁର୍ଣ୍ଣ ରଖିବା, ସ୍ୱାଧୀନ ମତବ୍ୟକ୍ତ କରିବାର ଅଧିକାରକୁ ସୁରକ୍ଷା ଦେବା ଏବଂ ସାମ୍ବାଦିକତାର ଗୁଣାତ୍ମକମାନ ବଜାଏ ରଖିବା ଉଦେ୍ଦଶ୍ୟରେ ୧୯୫୬ ମସିହାରେ ପ୍ରଥମ ପ୍ରେସ୍ କମିଶନ୍ ‘ପ୍ରେସ୍ କାଉନସିଲ୍’ ଗଠନ ପାଇଁ ପ୍ରସ୍ତାବ ରଖିଥିଲେ, ଯାହାକି ୪ ଜୁଲାଇ ୧୯୬୬ରେ ପ୍ରତିଷ୍ଠା ହୋଇ ସେହି ବର୍ଷ ନଭେମ୍ବର ୧୬ରୁ ବିଧିବଦ୍ଧ ଭାବେ କାର୍ଯ୍ୟକାରୀ କରାଯାଇଥିଲା । କେନ୍ଦ୍ର ସରକାର ପ୍ରତିଷ୍ଠା କରିଥିବା ‘ଭାରତୀୟ ପ୍ରେସ୍ କାଉନସିଲ୍’ ବା ‘ପ୍ରେସ୍ କଉନସିଲ୍ ଅଫ୍ ଇଣ୍ଡିଆ’ ଏକ କ୍ୱାସି-ଜୁଡ଼ିସିଆଲ୍ ସଂସ୍ଥା । ଗଣମାଧ୍ୟମ ଓ ସେଥିରେ କାର୍ଯ୍ୟରତ ସାମ୍ବାଦିକଙ୍କ ସୁରକ୍ଷା ଓ ସ୍ୱାଧୀନତାର ଉତ୍ତରଦାୟିତ୍ୱ ଏହି ସଂସ୍ଥା ଉପରେ ନ୍ୟସ୍ତ ରହିଛି । ଆଜିର ଦିନରେ ଭାରତ ସମେତ ଅନ୍ୟୁନ ୫୦ଟି ଦେଶରେ ଏଭଳି ସଂସ୍ଥା ‘ପ୍ରେସ୍ କାଉସିଲ୍’ ବା ‘ମିଡ଼ିଆ କାଉନସିଲ୍’ ନାମରେ କାମ କରୁଛି । ଯେହେତୁ ୧୯୬୬ ନଭେମ୍ବର ୧୬ ତାରିଖ ଦିନ ଦେଶରେ ‘ପ୍ରେସ୍ କାଉନସିଲ୍ ଅଫ୍ ଇଣ୍ଡିଆ’ କାର୍ଯ୍ୟକ୍ଷମ ହୋଇଥିଲା ଏବଂ ସାମ୍ବାଦିକମାନଙ୍କୁ ନିର୍ଭୀକ ଓ ସ୍ୱାଧୀନ ଭାବେ ମତବ୍ୟକ୍ତ କରିବା ଅଧିକାରର ସୁରକ୍ଷା ସହ ସାମ୍ବାଦିକତାର ଗୁଣାତ୍ମକତା ରକ୍ଷାର ଉତ୍ତରଦାୟିତ୍ୱ ଏହି ସଂସ୍ଥା ଉପରେ ନ୍ୟସ୍ତ ହୋଇଥିଲା,୫୩ ବର୍ଷ ଧରି ଆମେ ଏହି ଦିନଟିକୁ ‘ଜାତୀୟ ପ୍ରେସ୍ ଦିବସ’ ବା ନ୍ୟାସନାଲ୍ ପ୍ରେସ୍ ଡ଼େ’ ଭାବରେ ପାଳନ କରି ଆସୁଛେ ।
ଏବେ ଆମେ ବାସ୍ତବ ଦୁନିଆକୁ ଯିବା । ଭାରତୀୟ ପ୍ରେସ୍ କାଉନସିଲ୍ ପ୍ରତିଷ୍ଠା ହେବା ଦିନଠାରୁ ଗଣମାଧ୍ୟମ ଓ ସାମ୍ବାଦିକତାର ସୁରକ୍ଷାକବଜ ଭାବେ କାର୍ଯ୍ୟ କରି ଆସୁଛି । ସାମ୍ବାଦିକମାନେ ନିର୍ଭୀକ ଭାବେ ନିଜ ମତପ୍ରକାଶ କରିବାର ଅଧିକାର ରଖିଛନ୍ତି । ଯଦିବା କେତେବେଳେ ପ୍ରେସ୍ ସ୍ୱାଧୀନତା ଉପରେ ଆକ୍ରମଣ ହୋଇଛି ପୀଡିତ ପକ୍ଷ ପ୍ରେସ୍ କଉନସିଲ୍ ର ଦ୍ୱାରସ୍ଥ ହୋଇଛନ୍ତି ଏବଂ ପ୍ରେସ୍ କାଉନସିଲ୍ ମଧ୍ୟ ଉଭୟ ପକ୍ଷର ଦଲିଲ୍ କୁ ଯାଂଚ କରିବା ପରେ ତାହାର ରାୟ ଦେଇଛି । ଏଇଥି ପାଇଁ ଗଣମାଧ୍ୟମରେ କିଛି ଆକ୍ରେଶମୂଳକ ଖବର ବା ଲେଖା ପ୍ରକାଶ ପାଇଲେ ପୀଡିତ ବ୍ୟକ୍ତି ବା ପକ୍ଷ ବିଚାର ବିଭାଗର କବାଟ ବାଡେଇବା ସହ ପ୍ରେସ୍ କଉନସିଲ୍ କୁ ଯିବାକୁ ମଧ୍ୟ ବିଚାର କରିଥା’ନ୍ତି । ଗଣମାଧ୍ୟମର ସ୍ୱାଧୀନତା ଉପରେ କିଛି ଆଂଚ ଆସିଲେ ସଂପୃକ୍ତ ଗଣମାଧ୍ୟମ ମଧ୍ୟ ପ୍ରେସ୍ କାଉନସିଲ୍ ର ଦ୍ୱାରସ୍ଥ ହୋଇ ନ୍ୟାୟର ଆଶା ରଖିଥାଏ । ସୁପ୍ରିମ କୋର୍ଟ ବିଚାରପତିସ୍ତରର ଜଣେ ଅଭିଜ୍ଞ ବିଚାରପତି ଏହି କ୍ୱାସି-ଜୁଡ଼ିସିଆଲ ସଂସ୍ଥାର ଅଧ୍ୟକ୍ଷ ରହୁ ଆସୁ ଥିବାରୁ ଉଚିତ ନ୍ୟାୟ ମିଳିବା ନେଇ ସବୁ ପକ୍ଷଙ୍କ ବିଶ୍ୱାସ ରହିଥାଏ । ଆଜି ମଧ୍ୟ ତାହା ବଳବତ୍ତର ରହିଛି ।
ତେବେ, ଭାରତରେ ରାଜନୀତି ସହ ସାମ୍ବାଦିକତାର ସଂପର୍କ ନିବିଡ଼ ଥିବା ଯୋଗୁ କ୍ଷମତାରେ ଥିବା ରାଜନୈତିକ ଦଳମାନେ ଗଣମାଧ୍ୟମକୁ ନିଜ ଆୟତ୍ତରେ ରଖିବାକୁ ସର୍ବଦା ପ୍ରୟାସ କରିଥା’ନ୍ତି । ଗଣମାଧ୍ୟମର ମାଲିକ ଓ ପ୍ରତିନିଧିମାନେ ମଧ୍ୟ ସରକାରୀ ଅନୁଗ୍ରହ ଓ ବିଭିନ୍ନ ସୁବିଧା ସୁଯୋଗ ପାଇଁ ସରକାରଙ୍କ ଗୋଡାଣିଆ ହେବାକୁ ପଛାନ୍ତି ନାହିଁ । ଦେଶରେ ପ୍ରସାରିତ ହେଉଥିବା ସବୁ ଗଣମାଧ୍ୟମ ଯେ ଏକାଭଳି, ତାହା କହିବା ଠିକ୍ ନୁହେଁ । ଅନେକ ସଂସ୍ଥା ଓ ବ୍ୟକ୍ତିବିଶେଷ ନିଜର ନିର୍ଭୀକତା ଓ ସାହସିକତା ପାଇଁ ମିଶାଲ ହୋଇଛନ୍ତି । ତେବେ, ସଂଖ୍ୟାଧିକ ଗଣମାଧ୍ୟମ ସରକାରଙ୍କ ଗୋଡାଣିଆ ହେବା ବୁଦ୍ଧିମତ୍ତାର ପରିଚୟ ଭାବି ନିଜର ପ୍ରକୃତ ଦାୟିତ୍ୱ ଭୁଲି ଯାଉଛନ୍ତି । ଜନଗଣଙ୍କ ସ୍ୱର ନିର୍ଭୀକ ଭାବେ ସରକାର ବା ସରକାରୀ କର୍ତୃପକ୍ଷଙ୍କ ନିକଟରେ ପହଂଚାଇବା କଥାକୁ ପଛରେ ପକାଇ ସରକାରୀ ସୁବିଧା ସୁଯୋଗ ପାଇ ଆରାମରେ ଦିନ କଟିବାକୁ ପ୍ରାଥମିକତା ଦେଇ ସେମାନେ ଗଣମାଧ୍ୟମର ସଂଜ୍ଞା ବଦଳାଇ ଦେଇଛନ୍ତି ।
ମୋର ମନେ ଅଛି, ଅଶି ଦଶକରେ ଆମେ ଯେତେବେଳେ ସାମ୍ବାଦିକତାରେ ନୂଆ କରି ପାଦ ଦେଇ ଥିଲୁ ଓଡ଼ିଶାରେ ମୁଖ୍ୟମନ୍ତ୍ରୀ ଜାନକୀ ବଲ୍ଲଭ ପଟ୍ଟନାୟକଙ୍କ ସରକାର ଥାଏ । ରାଜ୍ୟର କିଛି କର୍ଯ୍ୟରତ ବରିଷ୍ଠ ସାମ୍ବାଦିକ ସରକାରୀ କ୍ୱାଟର୍ ଓ ଅନ୍ୟାନ୍ୟ ସୁବିଧା ସୁଯୋଗ ପାଇ ସରକାରଙ୍କ ପକ୍ଷ ନେବାକୁ ପଛାଉ ନ ଥିବା ବେଳେ କିଛି ସାମ୍ବାଦିକ ସରକାରୀ ସୁବିଧା ସୁଯୋଗକୁ ପ୍ରତ୍ୟାଖାନ କରି ନିର୍ଭୀକ ଭାବେ ଖବର ଛାପିବାକୁ ଗୁରୁତ୍ୱ ଦେଇ ସରକାରୀ ଆକ୍ରେଶର ଶିକାର ହେଉଥିଲେ । ଏଭଳି ନିର୍ଭୀକତା ଦେଖାଉଥିବା ସାମ୍ବାଦିକଙ୍କୁ ସେତେବେଳେ ‘ସରକାର ବିରୋଧୀ’ ଭାବ ଚିତ୍ରଣ କରାଯାଉଥିଲା । ସେହି ସମୟରେ ବିହାରର ଭାଗଲପୁର ଜେଲରେ କଏଦୀମାନଙ୍କୁ ଅନ୍ଧ କରି ଦିଆଯାଇଥିବାର ଏକ ଖବର ଛାପି ଦେଶରେ ହଇଚଇ ସୃଷ୍ଟି କରି ଥିବା ସାମ୍ବାଦିକ ଅରୁଣ ସିହ୍ନା ଏକ ଜାତୀୟ ଇଂରାଜୀ ଦୈନିକ ସମ୍ବାଦପତ୍ରର ଭୁବନେଶ୍ୱର ପ୍ରତିନିଧି ଭାବେ ଆସି ଏଠାରେ ଯୋଗ ଦେଇଥିଲେ । ସେ କାର୍ଯ୍ୟରେ ଯୋଗ ଦେବା ଦିନ ହିଁ ମୁଖ୍ୟମନ୍ତ୍ରୀଙ୍କୁ ସୌଜନ୍ୟମୂଳକ ସାକ୍ଷାତ କରିଥିଲେ । ଏହି ଅବସରରେ ତାଙ୍କୁ ସହରର ପ୍ରମୁଖ ଅଂଚଳରେ ସରକାରୀ କ୍ୱାଟର୍ ଓ ଅନ୍ୟାନ୍ୟ ସୁବିଧା ଯୋଗାଇ ଦେବାକୁ ସରକାର ଲାଳସା ଦେଇ ନିଜ ପକ୍ଷରେ ରଖିବା ଉଦ୍ୟମ କରିଥିଲେ । ସେହି ସମୟରେ ଓଡ଼ିଶାର ଜଗତସିଂହପୁର ବିଲୁଆଖାଇ ନଦୀପଠାରେ ଛବିରାଣୀ ନାମ୍ନୀ ଜଣେ ବିବାହିତା ମହିଳାଙ୍କୁ ଗଣଦୁଷ୍କର୍ମ ଓ ହତ୍ୟା କରାଯିବା ଘଟଣାରେ ରାଜ୍ୟ ଓ ଜାତୀୟ ମିଡ଼ିଆରେ ମୁଖ୍ୟ ଶିରୋନାମା ରହିଥାଏ । ସାମ୍ବାଦିକ ଅରୁଣ ସିହ୍ନା ତୁରନ୍ତ ସରକାର ଏହି ଅଫର୍ କୁ ପ୍ରତ୍ୟାଖାନ କରି ରାଜ୍ୟରେ ‘ସରକାର ବିରୋଧୀ ସାମ୍ବାଦିକ’ ଭାବେ ପରିଚିତ କିଛି ବରିଷ୍ଠ ସାମ୍ବାଦିକଙ୍କ ସହ ଛବିରାଣୀ ଦୁଷ୍କର୍ମ ଓ ହତ୍ୟା ଘଟଣାର ନିରପେକ୍ଷ ବିବରଣୀ ସଂଗ୍ରହ ପାଇଁ ଘଟଣାସ୍ଥଳକୁ ଯାଇଥିଲେ । ନିଜ ପକ୍ଷକୁ ନେବାକୁ ଉଦ୍ୟମ କରିବାର ଉଦେ୍ଦଶ୍ୟ କଣ, ତାହା ପାଠକ ନିଶ୍ଚିତ ଅନୁମାନ କରୁଥିବେ । ଛବିରାଣୀଙ୍କ ସାମ୍ବାଦିକ ପତିଙ୍କୁ ଭେଟି ତଥ୍ୟ ସଂଗ୍ରହ କରି ତାହା ମଧ୍ୟ ପ୍ରକାଶ କରିଥିଲେ । ବ୍ଲକ୍ ପ୍ରଶାସନ ବିରୋଧରେ ଖବର ଛାପିବାରୁ ସାମ୍ବାଦିକ ପତ୍ନୀ ଏଭଳି ଦଷ୍କର୍ମ ଓ ହତ୍ୟାର ଶିକାର ହୋଇଥିବା ଖବର ସରକାରଙ୍କୁ ଅଡୁଆରେ ପକାଇ ଥିଲା ।
ଓଡ଼ିଶାରେ ରାଜ୍ୟ ସରକାରଙ୍କୁ ନିର୍ଭୀକ ଭାବେ ସମାଲୋଚନା କରି ଆସୁଥିବା ସାମ୍ବାଦିକମାନେ ରାଜ୍ୟ ବାହାରୁ ଆସୁଥିବା ଅରୁଣ ସିହ୍ନାଙ୍କ ଭଳି ବହୁ ସାମ୍ବାଦିକମାନଙ୍କୁ ରାଜ୍ୟ ଶାସନର ବାସ୍ତବତା ସଂପର୍କରେ ପରିଚିତ କରାଇବା ନିଜର ଦାୟିତ୍ୱ ବୋଲି ଭାବୁ ଥିଲେ । ସ୍ୱରୂପ ଜେନା ନାମକ ଓଡ଼ିଶାର ଜଣେ ବରିଷ୍ଠ ସାମ୍ବାଦିକ (ବିଭିନ୍ନ ଇଂରାଜୀ ସମ୍ବାଦପତ୍ର ଓ ପତ୍ରପତ୍ରିକା ପାଇଁ ଲେଖୁ ଥିଲେ) ସରକାରଙ୍କୁ ସମାଲୋଚନା ଯୋଗୁଁ ଚକ୍ଷୁଶୂଳ ହୋଇ ପିଏମଜି ଛକରେ ଏକ ଆନ୍ଦୋଳନାତ୍ମକ କାର୍ଯ୍ୟକ୍ରମ ଅବସରରେ ପୁଲିସ ଓ ନିରାପତ୍ତା ବଳଙ୍କ ଦ୍ୱାରା ନିସ୍ତୁକ ମାଡ଼ ଖାଇ ରକ୍ତାକ୍ତ ଅବସ୍ଥାରେ ଅଚେତ ହୋଇପଡି ଥିଲେ । ପୁଲିସ ମଧ୍ୟାହ୍ନରୁ ସନ୍ଧ୍ୟା ପର୍ଯ୍ୟନ୍ତ ତାଙ୍କ ଚିକିତ୍ସା ବ୍ୟବସ୍ଥା ନ କରି ପୁଲିସ ଭ୍ୟାନରେ ପକାଇ ରଖିବା ପରେ ବିଳମ୍ବିତ ସନ୍ଧ୍ୟାରେ କ୍ୟାପିଟାଲ ହସପିଟାଲରେ ପହଂଚାଇବାର ପ୍ରତ୍ୟକ୍ଷଦର୍ଶୀ ଥିଲୁ ଆମେ । ପରବର୍ତୀ ସମୟରେ ବିଷର୍ଣ୍ଣ ଅବସ୍ଥାରେ ଜେନାଙ୍କ ମୃତ୍ୟୁ ଘଟିଲା । ଆଜି ଯାଏଁ ସେହି ଦିନର ଚିତ୍ର ଆଖି ସାମନାରେ ରହିଛି ।
ନବେ ଦର୍ଶକରେ ମଧ୍ୟ ସ୍ଥିତି ବିଶେଷ ବଦଳି ନ ଥିଲା । ‘କିଣା ଖବର’ର ଯୁଗ ଆରମ୍ଭ ହୋଇ ସାରିଥିଲା । କିନ୍ତୁ, ‘ବିକାଉ ସାମ୍ବାଦିକତା’ ଭଳି ଅପବାଦ ସାମ୍ବାଦିକତା ସହ ଯୋଡି ହୋଇ ନ ଥିଲା । ସାମ୍ବାଦିକତା ପେଶା ଚ୍ୟାଲେଂଜିଂ ଥିଲା ଏବଂ ସରକାର ସପକ୍ଷବାଦୀ ଓ ବିରୋଧୀ ଗଣମାଧ୍ୟମଗୁଡିକ ବାରି ହେଉଥିଲେ । ରାଜ୍ୟ ସରକାର ମଧ୍ୟ ବିଜ୍ଞାପନ ଓ ଅନ୍ୟାନ୍ୟ ସୁବିଧା ସୁଯୋଗ ଦେବାରେ ସରକାରଙ୍କ ପ୍ରତି ଆନୁଗତ୍ୟକୁ ମାପକାଠି ଭାବେ ଧରୁ ଥିଲେ । ବିଭିନ୍ନ ନିର୍ବାଚନ ସମୟରେ ‘କିଣା ଖବର’ କଥା ଉଠୁ ଥିଲା । ନିର୍ବାଚନ କମିସନ୍ ଓ ସରକାରୀ କଳ ଏହା ଉପରେ ନଜର ରଖୁଥିଲେ । ପ୍ରେସ୍ କାଉନସିଲ୍ ମଧ୍ୟ ଏହାକୁ ନାପସନ୍ଦ କରି ବିଭିନ୍ନ ରାଜନୈତିକ ଦଳର କ୍ୟାଂପେନ୍ ଉପରେ ନଜର ରଖିବା ପାଇଁ ବିଶେଷଜ୍ଞମାନଙ୍କୁ ନିଯୁକ୍ତି ଦେଉଥିଲେ । ଅଭିବ୍ୟକ୍ତିର ସ୍ୱାଧୀନତା ସେତେବେଳେ ବି ବିପନ୍ନ ଥିଲା । କିନ୍ତୁ, ଆଜି ଭଳି ଏତେ ମାତ୍ରାରେ ବିପନ୍ନ ନ ଥିଲା । ୨୦୧୪ରେ କେନ୍ଦ୍ରରେ ସରକାର ବଦଳି ଦଣିଣପନ୍ଥୀଙ୍କ ହାତକୁ କ୍ଷମତା ଯିବା ପରେ ‘ପ୍ରେସ୍ ସ୍ୱାଧୀନତା’ ଓ ସାମ୍ବାଦିକତାର ସଂଜ୍ଞା ଦୃତ ଗତିରେ ବଦଳିଛି । ସ୍ୱାଧୀନ ମତବ୍ୟକ୍ତ କରିବାର ଅଧିକାରକୁ ବିଭିନ୍ନ ଆଳରେ କଂଠରୋଧ କରାଯିବା ଦ୍ୱାରା ଦେଶବ୍ୟାପୀ ବୁଦ୍ଧିଜୀବୀ, ସାହିତି୍ୟକ, ଲେଖକ, ସାମ୍ବାଦିକ ଓ ଚଳଚ୍ଚିତ୍ର ନିର୍ମାତା ଅସନ୍ତୋଷ ବ୍ୟକ୍ତ କରି ସରକାରଙ୍କ ବିରୋଧରେ ଜନମତ ସୃଷ୍ଟି କରୁଛନ୍ତି । ତେବେ, ସରକାର ମଧ୍ୟ ନିଜ ସପକ୍ଷରେ ଗୋଟିଏ ଗୋଷ୍ଠୀ ବୁଦ୍ଧିଜୀବୀ, ସାହିତି୍ୟକ, ଲେଖକ, ସାମ୍ବାଦିକ ଓ ଚଳଚ୍ଚିତ୍ର ନିର୍ମାତାଙ୍କୁ ବ୍ୟବହାର କରି ବିରୋଧର ସ୍ୱର ଦବାଇବାର ପ୍ରୟାସ କରିଛନ୍ତି ।
୨୦୧୯ ସାଧାରଣ ନିର୍ବାଚନରେ କେନ୍ଦ୍ରରେ ଶାସକ ବିଜେପିର ବିପୁଳ ବିଜୟ ପଛରେ ଗଣମାଧ୍ୟମର ଏକ ବଳିଷ୍ଠ ଭୂମିକା ରହି ଥିବା କାହାରିକୁ ଅଛପା ନୁହେଁ । ୨୦୧୪ରୁ ୨୦୧୯ ମଧ୍ୟରେ ଦେଶରେ ଡ଼ିଜିଟାଲ୍ ମିଡ଼ିଆ ବା ସାମାଜିକ ଗଣମାଧ୍ୟମର ବ୍ୟାପକ ପ୍ରସାର ଏବଂ ମୁଖ୍ୟସ୍ରୋତରେ ଥିବା ଗଣମାଧ୍ୟମଗୁଡିକ ମଧ୍ୟରୁ ଅଧିକାଂଶ ସରକାରୀ ପ୍ରୋତ୍ସାହନର ଲାଳସା ଏବଂ ସରକାରଙ୍କ ଆକ୍ରୋଶର ଶିକାର ହେବା ଭୟରେ ସରକାରଙ୍କ ସହ ପକ୍ଷଭୁକ୍ତ ହୋଇ ଜନତାର ସ୍ୱରକୁ ପ୍ରଶାସନ ନିକଟରେ ପହଂଚାଇବା ଦାୟିତ୍ୱ ଭୁଲି ଯାଇଛନ୍ତି । କେନ୍ଦ୍ରରେ କ୍ଷମତାସୀନ ସରକାରର ଗୁଣଗାନ କରିବା ଆଜିର ମୁଖ୍ୟସ୍ରୋତ ଗଣମଧ୍ୟମର ମୁଖ୍ୟ ଦାୟିତ୍ବ ହୋଇଛି । ବୈଦ୍ୟୁତିକ ଗଣମାଧ୍ୟମ ଏହି କ୍ଷେତ୍ରରେ ଅଗ୍ରଣୀ ଭୂମିକା ଗ୍ରହଣ କରିଛି । ସରକାରଙ୍କ ଗୁଣ ଗାନ ଓ ଅହରହ ପ୍ରଚାର ଶାସକ ଦଳକୁ ଦେବତାତୁଲ୍ୟ କରି ଦେଇଛି । ୨୦୧୯ ସାଧାରଣ ନିର୍ବାଚନରେ ଶାସକ ଦଳ ପୂର୍ବାପେକ୍ଷା ଅଧିକ ସଂଖ୍ୟାରେ ଲୋକସଭା ଆସନ ଦଖଲ କରି କେନ୍ଦ୍ରରେ ଦ୍ୱିତୀୟ ଥର ପାଇଁ ସରକାର ପ୍ରତିଷ୍ଠା କରିବାରେ ଯେ ପ୍ରମୁଖ ଭୂମିକା ଗ୍ରହଣ କରିଛି, ଏଥିରେ କୌଣସି ସନ୍ଦେହ ନାହିଁ ।
୨୦୧୯ରେ ମିଡ଼ିଆ ତାହାର ଏହି ଭୁମିକାକୁ ବଳବତ୍ତର ରହିଛି । ଅର୍ଥନୀତି, ବେକାରୀ, ନାରୀ ନିର୍ଯ୍ୟାତନା, ଚାଷୀଙ୍କ ଦୁର୍ଦ୍ଦଶା ଭଳି ପ୍ରସଂଗ ଖବର ପ୍ରସାରଣ ଓ ବିତର୍କରେ ଉଚିତ ସ୍ଥାନ ପାଉ ନ ଥିବା ବେଳେ ଆତଂକବାଦ, ପାକିସ୍ତାନ, ଦେଶଭକ୍ତି, କଶ୍ମୀରରୁ ୩୭୦ ଧାରା ଉଚ୍ଛେଦ ଭଳି ସରକାରଙ୍କୁ ସୁହାଇଲା ଭଳି ପ୍ରସଙ୍ଗ ଦିନ ରାତି ଗଣମାଧ୍ୟମରେ ଚର୍ଚ୍ଚା ହୋଇ ସରକାରଙ୍କୁ ଗୌରବାନ୍ୱିତ କରାଯାଉଛି । ଏହାଦ୍ୱାରା ଜନତା ବିଭ୍ରାନ୍ତ ହେଉଛନ୍ତି କି ନାହିଁ – ଭିନ୍ନ କଥା । ତେବେ, ଜନସାଧାରଣରେ ଗଣମାଧ୍ୟମର ନୀରପେକ୍ଷତାକୁ ନେଇ ପୂର୍ବରୁ ଥିବା ବିଶ୍ୱାସ ଯେ ତୁଟି ଯାଉଛି, ତାହା ଲକ୍ଷ୍ୟ କରିବାର ବିଷୟ । ମୁଁ ଜାଣିବାରେ ଓଡ଼ିଶାରେ ଗୋଟିଏ ଖବରର ସତ୍ୟାସତ୍ୟ ଜାଣିବା ପାଇଁ ସାଧାରଣ ଲୋକମାନେ ତିନି ଚାରିଟି ଖବର କାଗଜ ପଢନ୍ତି । କିନ୍ତୁ, କୌଣସି ନିଷ୍କର୍ଷରେ ପହଂଚି ପାରନ୍ତି ନାହିଁ । ବୈଦ୍ୟୁତିକ ଚ୍ୟାନେଲଗୁଡ଼ିକ ଅବସ୍ଥା ମଧ୍ୟ ଏକାଭଳି । ଜାତୀୟ ସ୍ତରରେ ଏହି ଏକା ‘ଟ୍ରେଂଡ୍’ ରହି ଥିବା ବିଶ୍ୱାସ କରାଯାଇପାରେ । ଏହା ବି ସତ୍ୟ ଯେ, ସାମାଜିକ ଗଣମାଧ୍ୟମ ସତ ମିଛ ନ ପରଖି ଅନେକ ଖବର ଭାଇରାଲ୍ କରିବା ଦ୍ୱାରା ଅନେକ ସମୟରେ ହିଂସା ଓ ଅସ୍ୱାଭାବି ପରିସ୍ଥିତି ସୃଷ୍ଟି ହେଉଛି । ଏହାକୁ ନେଇ ଦେଶର ସର୍ବୋଚ୍ଚ ନ୍ୟାୟାଳୟ ମଧ୍ୟ ଚିନ୍ତିତ । ସାମାଜିକ ଗଣମାଧ୍ୟମ ଉପରେ ଅଂକୁଶ ଲଗାଇବା ପାଇଁ ଆଇନ ବ୍ୟବସ୍ଥା କରିବାକୁ ସୁପ୍ରିମ କୋର୍ଟ ସରକାରଙ୍କ ଉପରେ ଦାୟିତ୍ୱ ନ୍ୟସ୍ତ କରିଛନ୍ତି । ତେବେ, ସବୁ ମୁଖ୍ୟସ୍ରୋତ ମିଡ଼ିଆ ବା ସାମାଜିକ ଗଣମାଧ୍ୟମ କଳଂକିତ ନୁହନ୍ତି । ‘କିଛି’ଙ୍କ ପାଇଁ ସମସ୍ତଙ୍କୁ ଏଭଳି ଅପବାଦ ଓ କଠୋର ଆଇନର ସାମନା କରିବାକୁ ପଡୁଛି ।
କେନ୍ଦ୍ର ଓ ରାଜ୍ୟ ସରକାରମାନେ ଏହି ପରିସ୍ଥିତିର ସୁଯୋଗ ନେଇ ଉଭୟ ‘ମୁଖ୍ୟସ୍ରୋତ ମିଡ଼ିଆ’ ଓ ସାମାଜିକ ଗଣମାଧ୍ୟମ ଉପରେ ଯେଉଁ କଟକଣା ଲାଗୁ କରିବା ଆରମ୍ଭ କଲେଣି ତାହା ପ୍ରେସ୍ ସ୍ୱାଧୀନତା’ର କଂଠରୋଧ କରିବାକୁ ଯାଉଛି । ନିକଟରେ କେନ୍ଦ୍ର ସରକାର ପ୍ରଣୟନ କରିଥିବା ‘ଦେଶଦ୍ରୋହ ଆଇନ’ ଏହାର ଜ୍ୱଳନ୍ତ ଉଦାହରଣ । ବାକ୍ ସ୍ୱାଧୀନତାର ହନନ ସହ ଦେଶର ମୁହଁଖୋର୍ ସାମ୍ବାଦିକ, ପ୍ରଶାସକ, ରାଜନେତା ଓ ବୁଦ୍ଧିଜୀବୀଙ୍କ ଉପରେ କଡ଼ା ନଜର ରଖିବା ସକାଶେ କେନ୍ଦ୍ର ସରକାର ‘ପେଗାସସ୍’ ନାମକ ଏକ ଇସ୍ରାଏଲୀ ସଫ୍ଟୱେର୍ ର ଗୋପନୀୟ ବ୍ୟବହାର କରି ଥିବା ନେଇ ଏବେ ଦେଶବ୍ୟାପୀ ଚର୍ଚ୍ଚା ଚାଲିଛି । ଏହି ସଫ୍ଟୱେର୍ ମାଧ୍ୟମରେ ବହୁ ବରିଷ୍ଠ ବିରୋଧୀ ରାଜନେତା, ପ୍ରଶାସକ, ବରିଷ୍ଠ ସାମ୍ବାଦିକଙ୍କ ଫୋନ୍ ଟ୍ୟାପିଂ ହୋଇଥିବା ଏବଂ ସେମାନଙ୍କ ଘରୋଇ ବାର୍ତାଳାପକୁ ମଧ୍ୟ ବେଆଇନ ଭାବେ ରେକର୍ଡ କରାଯାଇଥିବା ଅଭିଯୋଗ ବ୍ୟକ୍ତିଗତ ତଥ୍ୟ ଗୋପନୀୟତା ଅଧିକାର ସହ ବାକ୍ ସ୍ୱାଧୀନତା ଅଧିକାରର ଖୋଳା ଉଲଂଘନ । ଏଭଳି ସ୍ଥିତିର ସାମନା କରିବାକୁ ଗଣମାଧ୍ୟମ ଏକାଠି ହେବାର ଆବଶ୍ୟକତା ଥିବା ବେଳେ ଅଧିକାଂଶ ଗଣମାଧ୍ୟମ ସରକାରୀ ତୁଷ୍ଟୀକରଣରେ ବ୍ୟସ୍ତ । ଦେଶରେ ଭିନ୍ନମତକୁ ଚପାଇବା ସକାଶେ ଗୌରୀ ଲଙ୍କେଶ୍ଂକ ଭଳି ନିର୍ଭୀକ ସାମ୍ବାଦିକ ହତ୍ୟାର ଶିକାର ହେଉଛନ୍ତି । ‘ବିକାଉ ମିଡ଼ିଆ’ ଆକ୍ଷେପ ଭାରତୀୟ ସାମ୍ବାଦିକତା ପାଇଁ ଏକ ‘ଲଜ୍ୟାଜନକ’ । ତଥାପି ଆମେ ହସି ହସି ଏଭଳି ମନ୍ତବ୍ୟକୁ ଆହ୍ୱାନ କରୁଛେ । ପ୍ରତି କଥାରେ ସାମାଜିକ ଗଣମାଧ୍ୟକୁ ଦାୟି କରି ତାହାର କଂଠରୋଧ ପାଇଁ କଡ଼ା ଆଇନ ପ୍ରଣୟନ ସକାଶେ ସରକାରଙ୍କୁ ଉସୁକାଉଛେ । ମୁଖ୍ୟସ୍ରୋତ ମିଡ଼ିଆ ବେକରେ ହାଡ ଝୁଲାଇ ମଧ୍ୟ ବୈଷ୍ଣବ । ଏହି ପରିସ୍ଥିତିରେ ‘ଜାତୀୟ ପ୍ରେସ୍ ଦିବସ’ ପାଳନ ଏକ ଔପଚାରିକା ଛଡା ଆଉ କଣ କହିବା ?
LETTER FROM THE EDITOR: A SPECIAL THANKS TO OUR READERS
LETTER FROM THE EDITOR: A SPECIAL THANKS TO OUR READERS