ପୂର୍ବତନ କ୍ରିକେଟରମାନେ ବିସିସିଆଇ ପ୍ରତି ବିମୁଖ ?
ପ୍ରସାଦ ରାଓ
୧୨ ଡ଼ିସେମ୍ବର
ବିସିସିଆଇ ସମ୍ବିଧାନରେ ଯୋଡା ଯାଇଥିବା ୩୮ତମ ଧାରା ପୂର୍ବତନ କ୍ରିକେଟରଙ୍କୁ ଏହି ସଂସ୍ଥାଠାରୁ ଦୂରେଇ ରଖିଛି ବୋଲି ନିକଟରେ ବିସିସିଆଇ ସଭାପତି ସୌରଭ ଗାଂଗୁଲି ସ୍ୱୀକାର କରିଛନ୍ତି । ସେ କହିବା ଅନୁସାରେ, ବିସିସିଆଇର ପରିଚାଳନା ପାଇଁ ସୁପ୍ରିମ କୋର୍ଟ ଯେଉଁ ପ୍ରଶାସନିକ ସମିତିକୁ ନିଯୁକ୍ତି ଦେଇଥିଲେ ସେହି ସମିତି ସମ୍ବିଧାନରେ ଏହି ଧାରାକୁ ଯୋଡି ପୂର୍ବତନ ଖେଳାଳୀଙ୍କୁ ବିସିସିଆଇ ଠାରୁ ଦୂରେଇ ଦେଇଛନ୍ତି । ଏହି ୩୮ତମ ଧାରାରେ କୁହାଯାଇଛି, ପୂର୍ବ-କ୍ରିକେଟରମାନେ ବିସିସିଆଇର ବିଭିନ୍ନ ପଦପଦବୀରେ କେବଳ ଅନରାରୀ ଭିତ୍ତିରେ କାର୍ଯ୍ୟ କରିବେ । ତେଣୁ, ବିନା ପାରିଶ୍ରମିକରେ ବିସିସିଆଇ ସହ କାମ କରିବାକୁ କୌଣସି ପୂର୍ବତନ ଖେଳାଳୀ ଆଗ୍ରହୀ ହେଉ ନାହାନ୍ତି । ଗାଂଗୁଲିଙ୍କ କହିବା ମୁତାବକ, ସୁପ୍ରିମ କୋର୍ଟରେ ବିସିସିଆଇକୁ ନେଇ ୨୦୧୫-୧୬ରେ ଯେତେବେଳେ ମାମଲାର ଶୁଣାଣୀ ଆରମ୍ଭ ହୋଇଥିଲା ସେତେବେଳେ ସ୍ପଷ୍ଟ କରାଯାଇଥିଲା ଯେ ପୂର୍ବତନ କ୍ରିକେଟରମାନେ ବିସିସିଆଇ ପ୍ରଶାସନର ଅଂଶ ନୁହନ୍ତି । କିନ୍ତୁ, ସୁପ୍ରିମ କୋର୍ଟ ଦ୍ୱାରା ନିଯୁକ୍ତ ବିସିସିଆଇ ପ୍ରଶାସନିକ ସମିତି ପରବର୍ତୀ ସମୟରେ ସମ୍ବିଧାନରେ ଏହି ଧାରା ୩୮କୁ ଯୋଡି ‘ଦ୍ୱୈତ ଦାୟିତ୍ୱ’ କଥା କହି ପୂର୍ବତନ କ୍ରିକେଟରମାନେ ଯେକୌଣସି ଭାବେ ନିଯୁକ୍ତି ପାଇଲେ ଅନରାରୀ ଭିତ୍ତିରେ କାମ କରିବାକୁ ବାଧ୍ୟ ବୋଲି କରିଛନ୍ତି । ତେଣୁ, ଏହି ସର୍ତ୍ତରେ କୌଣସି ପୂର୍ବ କ୍ରିକେଟର୍ ବିସିସିଆଇ ସହ ଯୋଡି ହେବାକୁ ଚାହୁଁ ନାହାନ୍ତି । ଏହାଦ୍ୱାରା ବିସିସିଆଇ ତାହାର କ୍ରିକେଟ୍ ପରାମର୍ଶଦାତା କମିଟି (ସିଏସି) ଗଠନ କରିବାରେ ଅସୁବିଧାର ସମ୍ମୁଖୀନ ହେଉଛି ବୋଲି ଗାଂଗୁଲି କହିଛନ୍ତି । ଗାଂଗୁଲି କହିଛନ୍ତି, ବର୍ତମାନ ବିସିସିଆଇ ସମ୍ବିଧାନ ଅନୁଯାୟୀ ସିଏସିର କାର୍ଯ୍ୟ ହୋଇଛି କେବଳ ସିଲେକ୍ଟର ଓ କୋଚ୍ ନିଯୁକ୍ତ କରିବା । ଖେଳାଳୀ ଚୟନ ପାଇଁ ଚୟନ କମିଟି (କାର୍ଯ୍ୟକାଳ ୪ ବର୍ଷ) ଓ ଖେଳାଳୀଙ୍କୁ ତାଲିମ୍ ଦେବା ପାଇଁ କୋଚ୍ (କାର୍ଯ୍ୟକାଳ ୩ ବର୍ଷ) ନିଯୁକ୍ତି ପରେ ସିଏସିର ଅଧିକ କିଛି ଭୂମିକା ରହୁ ନାହିଁ । ତେଣୁ, ପୂର୍ଣ୍ଣକାଳୀନ ସିଏସି ନିଯୁକ୍ତିର କୌଣସି ଆବଶ୍ୟକତା ଥିବା ସେ ଅନୁଭବ କରୁ ନାହାନ୍ତି । ପୂର୍ବତନ ଭାରତୀୟ କ୍ରିକେଟ୍ ଅଧିନାୟକ ଗାଂଗୁଲି ଗତ ଅକ୍ଟୋବର ୨୩ରେ ବିସିସିଆଇର ନୂଆ ସଭାପତି ଭାବେ ଦାୟିତ୍ୱ ନେବା ପରେ ପୂର୍ବ ପ୍ରଶାସନିକ ସମିତି ଦ୍ୱାରା ବିସିସିଆଇ ସମ୍ବିଧାନରେ ହୋଇଥିବା ବହୁ ଗୁରୁତ୍ୱପୂର୍ଣ୍ଣ ସଂଶୋଧନକୁ ନେଇ କ୍ଷୋଭ ପ୍ରକାଶ କରୁଥିବା ଦେଖିବାକୁ ମିଳିଛି । ସୁପ୍ରିମ କୋର୍ଟ ଲୋଧା କମିସନଂକ ସୁପାରିଶ ସବୁ କାର୍ଯ୍ୟକାରୀ କରିବା ସକାଶେ ଏହି ପ୍ରଶାସନିକ ସମିତିର ନୁଯୁକ୍ତି ଦେଇଥିଲେ । ପ୍ରଶାସନିକ ସମିତି ତାହାର ୩୩ ମାସ କାର୍ଯ୍ୟକାଳ ମଧ୍ୟରେ ବିସିସିଆଇ ସମ୍ବିଧାନରେ ଯାହା ସବୁ ପରିବର୍ତନ କରିଛନ୍ତି ସେଥିରେ ସୁଧାର ଆଣିବାକୁ ସେ ପଦକ୍ଷେପ ନେଉଛନ୍ତି ବୋଲି ଗାଂଗୁଲି ସୂଚନା ଦେଇଛନ୍ତି । ଏହି ପରିବର୍ତନଗୁଡିକ ମଧ୍ୟରେ ‘କୁଲିଂ ଅଫ୍ ପିରିୟଡ଼’ ଅନ୍ୟତମ । ବିସିସିଆଇର କୌଣସିି କର୍ମକର୍ତା ଲଗାତର ଦୁଇ ଥର ତିନି ବର୍ଷିଆ କାର୍ଯ୍ୟକାଳ ଶେଷ କରିଥିଲେ ତାଙ୍କୁ ୩ ବର୍ଷ ପାଇଁ ‘କୁଲିଂ ଅଫ୍ ପିରିୟଡ଼’ରେ ଯିବାକୁ ପଡିବ, ଏହି ତିନି ବର୍ଷ ମଧ୍ୟରେ ସେ ବିସିସିଆଇର କୌଣସି ନିର୍ବାଚନରେ ଭାଗ ନେଇ ପାରିବେ ନାହିଁ ବୋଲି ବିସିସିଆଇର ସଂଶୋଧିତ ସଂବିଧାନରେ ବ୍ୟବସ୍ଥା ରହିଛି । ‘କୁଲିଂ ଅଫ୍ ପିରିୟଡ଼’କୁ ନେଇ ଦେଶର ପ୍ରାୟ ସବୁ କ୍ରିକେଟ୍ ସଂଘ ଅସନ୍ତୁଷ୍ଟ । ତେଣୁ, ରାଜ୍ୟ ସଂଘଗୁଡିକରେ ଥିବା ଅସନ୍ତୋଷକୁ ଦୂର କରିବା ଗାଂଗୁଲି ଚାହୁଁଛନ୍ତି । ଏହାଛଡା, ସେ ନିଜେ ବିଗତ ୫ ବର୍ଷ ଧରି ବେଂଗଲ୍ କ୍ରିକେଟ୍ ସଂଘର ସଭାପତି ରହି ଥିବାରୁ ବିସିସିଆଇ ସଭାପତି ନିର୍ବାଚିତ ହେବା ପରେ ମଧ୍ୟ ତାଙ୍କୁ ମାତ୍ର ୧୦ ମାସ ପରେ ‘କୁଲିଂ ଅଫ୍ ପିରିୟଡ଼’ରେ ଯିବାକୁ ପଡିବ । ବିସିସିଆଇ ସଂବିଧାନରୁ ‘କୁଲିଂ ଅଫ୍ ପିରିୟଡ଼’ ବ୍ୟବସ୍ଥା ହଟା ଗଲେ ସେ ୨୦୨୪ ଯାଏଁ ଏହି ପଦବୀରେ ରହି ପାରିବେ । ଓଡ଼ିଶା କ୍ରିକେଟ୍ ସଂଘର ପୂର୍ବତନ ସଂପାଦକ ଆଶୀର୍ବାଦ ବେହେରାଙ୍କ ଭଳି ଦେଶର ବହୁ କ୍ରିକେଟ୍ ସଂଘ କର୍ମକର୍ତା ‘କୁଲିଂ ଅଫ୍ ପରିୟଡ଼’ର ଶିକାର ହୋଇ ନିର୍ବାଚନରୁ ଦୂରେଇ ରହିବାକୁ ବାଧ୍ୟ ହୋଇଛନ୍ତି । ନିକଟରେ ଅନୁଷ୍ଠିତ ବିସିସିଆଇ ଏଜିଏମ୍ (ଆନୁଆଲ ଜେନେରାଲ୍ ମିଟିଂ)ରେ ସଭାପତି ଗାଂଗୁଲି ଏହି ପ୍ରସଙ୍ଗକୁ ପ୍ରାଥମିକତା ଦେଇ ସମ୍ବିଧାନ ସଂଶୋଧନ ପ୍ରସ୍ତାବ ଗୃହୀତ କରାଇଛନ୍ତି । ତେବେ, ସବୁ କିଛି ନିର୍ଭର କରୁଛି ସୁପ୍ରିମ କୋର୍ଟଙ୍କ ଉପରେ । କୋର୍ଟ ଲୋଧା କମିଶନଙ୍କ ସୁପାରିଶକୁ ଅକ୍ଷତ ଭାବେ କାର୍ଯ୍ୟକାରୀ କରିବା ଉପରେ ଗୁରୁତ୍ୱ ଦେବେ ନା ଗାଂଗୁଲିଙ୍କ ସମ୍ବିଧାନ ସଂଶୋଧନ ଆବେଦନକୁ ଗୁରୁତ୍ୱ ଦେବେ, ତାହା ସମୟ କହିବ ।
LETTER FROM THE EDITOR: A SPECIAL THANKS TO OUR READERS
LETTER FROM THE EDITOR: A SPECIAL THANKS TO OUR READERS