ସିଏବି ଗୃହୀତ ପରେ ଟିଭି ଚ୍ୟାନେଲ୍ ଉପରେ ସରକାରୀ କଟକଣା
ପ୍ରସାଦ ରାଓ
୧୨ ଡ଼ିସେମ୍ବର
ନୂଆଦିଲ୍ଲୀ: କେନ୍ଦ୍ର ସରକାର ସଂସଦର ଉଭୟ ଗୃହରେ ବିବଦମାନ ନାଗରିକତା (ସଂଶୋଧନ) ବିଲ୍ ଗୃହୀତ କରାଇ ନେବା ପରେ ଦେଶର ବିଭିନ୍ନ ଅଂଚଳ, ବିଶେଷକରି ଉତ୍ତର-ପୂର୍ବାଚଂଳ ରାଜ୍ୟମାନଙ୍କରେ ଯେଭଳି ହିଂସାତ୍ମକ ବାତାବରଣ ସୃଷ୍ଟି ହୋଇଛି ତାହାକୁ ପ୍ରତିହତ କରିବା ସକାଶେ କେନ୍ଦ୍ର ସରକାର ତତ୍ପର ଦେଖାଇଛନ୍ତି । ବୁଧବାର ଆସାମ ସମେତ ଅନ୍ୟ ଉତ୍ତର-ପୂର୍ବାଂଚଳ ରାଜ୍ୟରେ ଏହି ବିଲ୍ ବିରୋଧରେ ଜଳାପୋଡା ଓ ହିଂସାକାଣ୍ଡ ଘଟି ଯାଇଛି । ରାଜ୍ୟସଭାରେ ନାଗରିକତା ସଂଶୋଧନ ବିଲ୍ (ସିଏବି)କୁ ନେଇ ସରଗରମ ଆଲୋଚନା ଚାଲି ଥିବା ବେଳେ ଆସାମ, ତ୍ରିପୁରା ପ୍ରଭୃତି ରାଜ୍ୟରେ ହିଂସାତ୍ମକ ପ୍ରତିବାଦ ଓ ଜଳାପୋଡା ଚାଲି ଥିଲା। ବିଭିନ୍ନ ଜାତୀୟ ଓ ଆଂଚଳିକ ବୈଦ୍ୟୁତିକ ଗଣମାଧ୍ୟମ ଏହାକୁ ପ୍ରମୁଖ ଖବର ଭାବେ ଗୁରୁତ୍ୱ ସହକାରେ ପ୍ରସାରିତ କରି ଥିବାରୁ ବିଚଳିତ କେନ୍ଦ୍ର ସରକାର ଘରୋଇ ସାଟେଲାଇଟ୍ ଟିଭି ଚ୍ୟାନେଲଙ୍କ ପାଇଁ ଏକ ଆଡଭାଇଜରି ଜାରି କରି ଏଭଳି ଖବର ପ୍ରସାରଣ ନ କରିବାକୁ ଚେତାଇ ଦେଇଛନ୍ତି । କେନ୍ଦ୍ର ସରକାରଙ୍କ ସୂଚନା ଓ ପ୍ରସାରଣ ମନ୍ତ୍ରଣାଳୟ ପକ୍ଷରୁ ଏହି ଆଡଭାଇଜରି ଜାରି ହୋଇଛି । ହିଂସା, ଦେଶ-ବିରୋଧୀ ମନୋଭାବ ଓ ଦେଶର ଅଖଣ୍ଡତାକୁ ନଷ୍ଟ କଲା ଭଳି କୌଣସି ଫୁଟେଜ୍ ଯେଭଳି ଟିଭିରେ ପ୍ରସାରଣ ନ ହେବ ସେଥିପ୍ରତି ସତର୍କତା ଅବଲମ୍ବନ କରିବାକୁ ଏହି ଆଡଭାଇଜରି ମାଧ୍ୟମରେ ଦେଶର ସମସ୍ତ ଘରୋଇ ସାଟେଲାଇଟ୍ ଟିଭି ଚ୍ୟାନେଲଙ୍କୁ ନିର୍ଦେଶ ଦିଆଯାଇଛି ।
କେନ୍ଦ୍ର ଗୃହ ମନ୍ତ୍ରୀ ଅମିତ ଶାହା ବୁଧବାର ଦିନ ରାଜ୍ୟସଭାରେ ନାଗରିକତା ସଂଶୋଧନ ବିଲ୍ (ସିଏବି) ଆଗତ କରିଥିଲେ । ବିଲ୍ ସପକ୍ଷରେ ୧୨୫ ଓ ବିପକ୍ଷରେ ୧୦୫ ଭୋଟରେ ରାଜ୍ୟସଭାରେ ସିଏବି ଗୃହୀତ ହେବା ପରେ କେନ୍ଦ୍ର ସରକାରଙ୍କ ଗୃହ ମନ୍ତ୍ରଣାଳାୟ କିଛି ରାଜ୍ୟରେ ହିଂସାତ୍ମକ ପ୍ରତିବାଦକୁ ଦେଖି ଏଭଳିି ଆଡଭାଇଜରି ଜାରି କରିବାକୁ ବାଧ୍ୟ ହୋଇଛି । ଗତ ସୋମବାର ଦିନ ଏହି ବିଲ୍ ଲୋକସଭାରେ ୩୧୧-୮୦ ଭୋଟରେ ଗୃହୀତ ହୋଇଥିଲା । ଏବେ ରାଷ୍ଟ୍ରପତିଙ୍କ ଅନୁମୋଦନ ପରେ ଦେଶବ୍ୟାପୀ ନାଗରିକତା ସଂଶୋଧନ ବିଲ୍ କାର୍ଯ୍ୟକାରୀ ହେବାକୁ ଯାଉଛି । ବିଲ୍ ଉପରେ ରାଜ୍ୟସଭାରେ ଆଲୋଚନା ବେଳେ ବିରୋଧୀ ସାଂସଦଙ୍କ ଆଡୁ ଯେତେ ସବୁ ସଂଶୋଧନ ପ୍ରସ୍ତାବ ଅଣା ଯାଇ ଥିଲା ତାହା ଉପରେ ଭୋଟିଂ ହୋଇଥିଲା । ସମସ୍ତ ସଂଶୋଧନ ପ୍ରସ୍ତାବ ଭୋଟିଂରେ କାଟ୍ ଖାଇଛି । ଓଡ଼ିଶାର ବିଜୁ ଜନତା ଦଳ ପାକିସ୍ତାନ, ବାଂଲାଦେଶ ଓ ଆଫଗାନିସ୍ତାନ ସହ ଶ୍ରୀଲଙ୍କାରୁ ଆସିଥିବା ଶରଣାର୍ଥୀଙ୍କୁ ମଧ୍ୟ ଭାରତରେ ନାଗରିକତ୍ୱ ସୁବିଧା ମିଳୁ ବୋଲି ସଂଶୋଧନ ପ୍ରସ୍ତାବ ଉପସ୍ଥାପନ କରି ଥିଲା । ସେହିଭଳି, ମହାରାଷ୍ଟ୍ରର ଶିବସେନା ଭାରତରେ ଶରଣ ନେଇଥିବା ପାକିସ୍ତାନୀ, ବଂଲାଦେଶୀ ଓ ଆଫଗାନ ଶରଣାର୍ଥୀଙ୍କୁ ନାଗରିକତ୍ୱ ଦେବାରେ ଆପତ୍ତି ଉଠାଇ ନ ଥିଲେ ମଧ୍ୟ ୨୫ ବର୍ଷ ପର୍ଯ୍ୟନ୍ତ ସେମାନଙ୍କୁ ଭୋଟଦାନ ଅଧିକାରରୁ ଦୂରେଇ ରଖା ଯିବାକୁ ସଂଶୋଧନ ପ୍ରସ୍ତାବ ଆଣି ଥିଲା । ସମସ୍ତ ବିରୋଧୀ ଦଳ ବିଲ ଗୃହୀତ ହେବା ପୂର୍ବରୁ ତାହାକୁ ସିଲେକ୍ଟ୍ କମିଟିକୁ ପଠା ଯିବାକୁ ଗୃହରେ ପ୍ରସ୍ତାବ ରଖି ଥିଲେ । ତେବେ, ବିରୋଧୀଙ୍କ ସମସ୍ତ ସଂଶୋଧନ ପ୍ରସ୍ତାବ କାଟ୍ ଖାଇବା ସହ ମୂଳ ବିଲ୍ ହିଁ ଅନୁମୋଦନ ଲାଭ କରିଛି ।
ସଂସଦର ଉଭୟ ଗୃହରେ ଗୃହିତ ସିଏବି ମୁତାବକ ୨୦୧୫ ସୁଦ୍ଧା ପାକିସ୍ତାନ, ବାଂଲାଦେଶ ଓ ଆଫଗାନିସ୍ତାନରୁ ଆସି ଭାରତରେ ଶରଣ ନେଇ ଥିବା ଅଣ-ମୁସଲମାନ ଶରଣାର୍ଥୀମାନେ ଭାରତରେ ନାଗରିକତ୍ୱ ପାଇବେ । ମୁସଲମାନ ଶରଣାର୍ଥୀଙ୍କୁ ନେଇ ଏହି ବିଲ୍ ନୀରବ ଥିବାରୁ କଂଗ୍ରେସ ସମେତ ଅଧିକାଂଶ ବିରୋଧୀ ଦଳ ତୀବ୍ର ଅସନ୍ତୋଷ ବ୍ୟକ୍ତ କରିଛନ୍ତି । ତେବେ, ଭାରତୀୟ ମୁସଲମାନମାନେ କୌଣସି ପ୍ରକାର ଆତଙ୍କିତ ହେବାର କାରଣ ନାହିଁ ବୋଲି କେନ୍ଦ୍ର ଗୃହ ମନ୍ତ୍ରୀ ଅମିତ ଶାହା ବୁଧବାର ରାଜ୍ୟସଭାରେ ସ୍ପଷ୍ଟ କରିଛନ୍ତି । ଅପରପକ୍ଷରେ, ଦେଶର ଉତ୍ ତର-ପୂର୍ବାଂଚଳ ରାଜ୍ୟର ମୂଳ ଅଧିବାସୀ କେନ୍ଦ୍ର ସରକାରଙ୍କ ଦ୍ୱାରା ଗୃହୀତ ଏହି ବିଲ୍ କୁ ନେଇ ଚିନ୍ତିତ ଥିବା ସେମାନଙ୍କ ହିଂସାତ୍ମକ ପ୍ରତିବାଦରୁ ସ୍ପଷ୍ଟ ହେଉଛି । ନୂଆ ବିଲ୍ କାର୍ଯ୍ୟକାରୀ ହେଲେ ସେସବୁ ରାଜ୍ୟର ମୂଳ ବାସିନ୍ଦାଙ୍କ ଏକକ ପରିଚୟ, ନାଗରିକ ଅଧିକାର, ସେମାନଙ୍କ ସାଂସ୍କୃତିକ ଐତିହ୍ୟ ଲୋପ ପାଇବ ବୋଲି ସେମାନ ଆଶଙ୍କା ବ୍ୟକ୍ତ କରଛନ୍ତି । ଆସାମ, ତ୍ରିପୁରା, ନୂଆଦିଲ୍ଲୀ ସମେତ ଦେଶର କିଛି ଅଂଚଳରେ ଗତକାଲି ହିଂସାତ୍ମକ ବିରୋଧ ହୋଇଥିବା ବେଳେ ଏହି ବିଲ୍ କାର୍ଯ୍ୟକାରୀ ହେଲେ ସେମାନଙ୍କ ଏକକ ପରିଚୟ, ଅଧିକାର ଓ ସାଂସ୍କୃତିକ ଐତିହ୍ୟକୁ ଅପହରଣ ହେବା ଆଶଙ୍କା ଅମୂଳକ ବୋଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ଟ୍ୱିଟ୍ କରି ଆସାମବାସୀଙ୍କୁ ଆଶ୍ୱାସନା ଦେଇଛନ୍ତି । ଉତ୍ତର-ପୂର୍ବାଂଚଳବାସୀ ସିଏବିକୁ ନେଇ ବିବ୍ରତ ହେବାର କୌଣସି କାରଣ ନାହିଁ ବୋଲି ସେ କହିଛନ୍ତି ।
ଏଠାରେ ଉଲ୍ଲେଖନୀୟ ଯେ, ୧୯୮୫ରେ ହୋଇଥିବା ଆସାମ ରାଜିନାମା ଅନୁଯାୟୀ କେନ୍ଦ୍ର ସରକାର ୧୯୭୧ ମାର୍ଚ୍ଚ (ଅନ୍ୟ ରାଜ୍ୟଙ୍କ ପାଇଁ ୧୯୫୧) ପରେ ଆସାମରେ ଅନୁପ୍ରବେଶ କରିଥିବା ବିଦେଶୀ ନାଗରିକଙ୍କୁ ଚିହ୍ନଟ କରି ଦେଶାନ୍ତର କରିବ କଥା । କିନ୍ତୁ, ୨୦୧୯ ନାଗରିକତ୍ୱ ସଂଶୋଧନ ବିଲ୍ (ସିଏବି)ରେ କେନ୍ଦ୍ର ସରକାର ୨୦୧୫ ପର୍ଯ୍ୟନ୍ତ ଦେଶରେ ପ୍ରବେଶ କରିଥିବା ବିଦେଶୀ ନାଗରିକଙ୍କୁ ଭାରତୀୟ ନାଗରିକର ମାନ୍ୟତା ଦେବାକୁ ବ୍ୟବସ୍ଥା କରି ଥିବାରୁ ଆସାମ ଓ ଉତ୍ତର-ପୂର୍ବାଂଚଳ ରାଜ୍ୟର ଜନତା କ୍ଷୁବ୍ଧ । ଏହାଦ୍ୱାରା, ଦେଶରେ, ବିଶେଷକରି ଆସାମ ଉପରେ ଶରଣାର୍ଥୀ ବୋଝ ବଢି ଯିବ ଏବଂ ସବୁ କ୍ଷେତ୍ରରେ ସ୍ଥାନୀୟ ଅଧିବାସୀଙ୍କ ସୁବିଧା ସୁଯୋଗ ଶଂକୁଚିତ ହୋଇଯିବ ବୋଲି ଉତ୍ତର-ପୂର୍ବାଂଚଳ ରାଜ୍ୟର ଅଧିବାସୀ ଆଶଂକା କରୁଛନ୍ତି । ତେଣୁ, ସେସବୁ ରାଜ୍ୟରେ ହିଂସାତ୍ମକ ବିରୋଧ ଦେଖିବାକୁ ମିଳିଛି । କେନ୍ଦ୍ର ସରକାର ଆସାମ, ତ୍ରିପୁରାରେ ଇଂଟରନେଟ୍ ସେବାକୁ ଅଚଳ କରି ପରିସ୍ଥିତିର ମୁକାବିଲା ପାଇଁ ଉଦ୍ୟମ କରୁଛନ୍ତି । ଫଳରେ, ଜମ୍ମୁ-କଶ୍ମୀରରେ ୩୭୦ ଧାରା ଉଚ୍ଛେଦ କରିବା ପରେ କେନ୍ଦ୍ର ସରକାରଙ୍କ ଯେଭଳି ଦମନଳୀଳା ଚାଲିଛି ତାହା ଆସାମ, ତ୍ରିପୁରାରେ ମଧ୍ୟ ଦେଖିବାକୁ ମିଳିବ ବୋଲି ବିରୋଧୀ ଆଶଙ୍କା କରୁଛନ୍ତି ।
ବୁଧବାର ଦିନ ଆସାମ ଓ ତ୍ରିପୁରାରେ ଚାଲି ଥିବା ଜଳାପୋଡା ଓ ହିଂସାର ଦୃଶ୍ୟ ସିଧାସଳଖ ଟେଲିଭିଜନରେ ପ୍ରସାରିତ ହେବା ପରେ କେନ୍ଦ୍ର ସରକାର ଘରୋଇ ସାଟେଲାଇଟ୍ ଟିଭି ଚ୍ୟାନେଲଙ୍କ କଣ୍ଠରୋଧ ପାଇଁ ତତ୍ପରତା ଦେଖାଇଛନ୍ତି । ଅତୀତରେ ମଧ୍ୟ ବିଭିନ୍ନ ସମୟରେ ଘରୋଇ ସାଟେଲାଇଟ୍ ଟିଭି ଚ୍ୟାନେଲରେ ହେଉଥିବା ପ୍ରସାରଣକୁ ନିୟନ୍ତ୍ରଣ କରିବା ପାଇଁ ଆଡଭାଇଜରି ନାମରେ ଏଭଳି କଟକଣା ଜାରି ହୋଇ ଆସିଛି । କେବୁଲ୍ ଟେଲିଭିଜନ ନେଟ୍ୱାର୍କସ୍ (ରେଗୁଲେସନ୍) ଆକ୍ଟ, ୧୯୯୫ ଓ ପରବର୍ତୀ ସମୟରେ ଲାଗୁ ହୋଇଥିବା ନିୟମାବଳୀ ଉଭୟ ପ୍ରେଗ୍ରାମିଂ ଓ ବିଜ୍ଞାପନ ପ୍ରସାରଣ କ୍ଷେତ୍ରରେ ଯେଭଳି କଡାକଡି ଭାବେ କାର୍ଯ୍ୟକାରୀ ହେବ ତାହା ଉପରେ ତୀକ୍ଷ୍ଣ ଦୃଷ୍ଟି ରଖାଯିବାକୁ ସୂଚନା ଓ ପ୍ରସାରଣ ମନ୍ତ୍ରଣାଳୟରୁ ନିର୍ଦେଶ ଆସିଛି । ଏହା ଏକ ପ୍ରକାର ଗଣମାଧ୍ୟମର କଂଠରୋଧ ଉଦ୍ୟମ କୁହାଯାଇପାରେ । ତେବେ, ଦେଶରେ ହିଂସାକୁ ବ୍ୟାପୃତ କରୁଥିବା, ଦେଶବିରୋଧୀ କାର୍ଯ୍ୟକଳାପକୁ ପ୍ରେତ୍ସାହିତ କରୁଥିବା ଏବଂ ଦେଶର ଅଖଣ୍ଡତାକୁ ବିପନ୍ନ କରୁଥିବା ଭଳି ପ୍ରସାରଣ ଉପରେ ହିଁ ସରକାରଙ୍କ ନଜର ରହିବ ବୋଲି ସୂଚନା ଓ ପ୍ରସାରଣ ମନ୍ତ୍ରଣାଳୟ ସ୍ପଷ୍ଟ କରିଛି ।
LETTER FROM THE EDITOR: A SPECIAL THANKS TO OUR READERS
LETTER FROM THE EDITOR: A SPECIAL THANKS TO OUR READERS