ସିଏଏ ଓଡ଼ିଶାରେ କାର୍ଯ୍ୟକାରୀ ନ ହେଉ- ଦାବି କଲେ ସଂଖ୍ୟାଲଘୁ ସଂପ୍ରଦାୟ
ପ୍ରସାଦ ରାଓ
୧୭ ଡ଼ିସେମ୍ବର
ଭୁବନେଶ୍ୱର: ନିକଟରେ କେନ୍ଦ୍ର ସରକାରଙ୍କ ଦ୍ୱାରା କାର୍ଯ୍ୟକାରୀ ହୋଇଥିବା ନାଗରିକତା ସଂଶୋଧନ ଆଇନ (ସିଏଏ)କୁ ଓଡ଼ିଶାରେ ବିରୋଧ ଆରମ୍ଭ ହୋଇଛି । ଏହି ଆଇନ ସମ୍ବିଧାନର ୧୪ ଧାରାର ଉଲଂଘନ କରୁଥିବାରୁ ଓଡ଼ିଶା ସରକାର ତାହାକୁ ରାଜ୍ୟରେ କାର୍ଯ୍ୟକାରୀ ନ କରିବାକୁ ରାଜ୍ୟର ସଂଖ୍ୟାଲଘୁ ସଂପ୍ରଦାୟ ଦାବି କରି ଆଜି ରାଜଧାନୀରେ ଶୋଭାଯାତ୍ରା କରିଛନ୍ତି । ଓଡ଼ିଶା ସରକାର ଏହି ଆଇନକୁ କାର୍ଯ୍ୟକାରୀ କଲେ ସରକାରଙ୍କ ଧର୍ମନିରପେକ୍ଷତା ଚରିତ୍ର ପ୍ରତି ଥିବା ବିଶ୍ୱାସ (ସଂଖ୍ୟାଲଘୁଙ୍କ ମଧ୍ୟରେ) କ୍ଷୁର୍ଣ୍ଣ ହେବ ବୋଲି ଦର୍ଶାଇ ବର୍ତମାନ ଅନ୍ତତଃ ନବୀନ ସରକାର ଚେତିବାକୁ ସେମାନେ ନିବେଦନ କରିଛନ୍ତି ।
ଆଜି ହଜାର ହଜାର ସଂଖ୍ୟାରେ ବିକ୍ଷୋଭକାରୀ ଏନଏଏ ଓ ଏନଆରସି ବିରୋଧରେ ବିଭିନ୍ନ ସ୍ଲୋଗାନ ଦେଇ ପ୍ଲାକାଡ ଧରି ରାଜଧାନୀର ରାଜରାସ୍ତାରେ ଶୋଭାଯାତ୍ରା କରିଥିଲେ । ନୂଆଦିଲ୍ଲୀର ଜାମିଆ ମିଲିଆ ବିଶ୍ୱବିଦ୍ୟାଳୟରେ ପୁଲିସ ପ୍ରବେଶ କରି ଭଂଗାରୁଜା କରିବା ଏବଂ ନୀରିହ ଛାତ୍ରଛାତ୍ରୀଙ୍କୁ ଆକ୍ରମଣ କରିବା ଘଟଣାକୁ ମଧ୍ୟ ସେମାନେ ଦୃଢ ନିନ୍ଦା କରିଛନ୍ତି । ଶୋଭାଯାତ୍ରାକାରୀମାନେ ଭୁବନେଶ୍ୱର ସତ୍ୟନଗର ମସଜିଦ ଓ କାଳୀ ମନ୍ଦିର ନିକଟରୁ ବାହାରି ସହର ପରିକ୍ରମା କରିବା ପରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓ ଓଡ଼ିଶା ରାଜ୍ୟପାଳ ଗଣେଶୀଲାଲ୍ ଜୀଙ୍କ ଉଦେ୍ଦଶ୍ୟରେ ସ୍ମାରକପତ୍ର ପ୍ରଦାନ କରିଛନ୍ତି । ବହୁ ସଂଖ୍ୟାରେ ସଂଖ୍ୟାଲଘୁ ସଂପ୍ରଦାୟ ଲୋକଙ୍କ ସହ ଛାତ୍ର, କୃଷକ ଓ ଦଳିତ ନେତା ଏବଂ ଦିବ୍ୟାଙ୍ଗ ଏହି ଶୋଭାଯାତ୍ରାରେ ଭାଗ ନେଇଥିଲେ । କେନ୍ଦ୍ର ସରକାର ଲାଗୁ କରି ଥିବା ନାଗରିକତା ସଂଶୋଧନ ଆଇନ (ସିଏଏ) ସଂପୂର୍ଣ୍ଣ ଅଗଣତାନ୍ତ୍ରିକ ଓ ବିଭେଦ ସୃଷ୍ଟିକାରୀ ବୋଲି ସେମାନେ ଅଭିଯୋଗ କରିବା ସହ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ତାଙ୍କ ପିତା ପୂର୍ବତନ ମୁଖ୍ୟମନ୍ତ୍ରୀ ସ୍ୱର୍ଗତ ବିଜୁ ପଟ୍ଟନାୟକଙ୍କ ଧର୍ମନିରପେକ୍ଷ ଚରିତ୍ର ସଂପର୍କରେ ମନେ ପକାଇ ଦେଇଛନ୍ତି । ସଂସଦର ଉଭୟ ଗୃହରେ ଏହି ବିଲ୍ ପାରିତ କରାଇବାରେ ବିଜେଡ଼ି ସହଯୋଗ କରି ରାଜ୍ୟର ସଂଖ୍ୟାଲଘୁ ସଂପ୍ରଦାୟ ବିଶ୍ୱାସ ପ୍ରତି କୁଠାରାଘାତ କରିଛି । ବର୍ତମାନ ଅନ୍ତତଃ ରାଜ୍ୟରେ ସିଏଏ ଓ ଏନଆରସି ଲାଗୁ ନ ହେଉ ବୋଲି ସେମାନେ ନିବେଦନ କରିଛନ୍ତି ।
ଆଜିର ଏହି ଶୋଭାଯାତ୍ରା ଶାନ୍ତିପୂର୍ଣ୍ଣ ଥିଲା । ପ୍ରତିବାଦକାରୀ ସିଏଏ ଓ ଏନଆରସି ବିରୋଧରେ ପ୍ଲାକାର୍ଡ ଧରି, ହାତରେ ବ୍ୟାଜ୍ ବାନ୍ଧି ସିଏଏ ଓ ଏନସିଆର ବିରୋଧରେ ସ୍ଲୋଗାନ ଦେବା ସହ ଶୋଭାଯାତ୍ରାରେ ଯାଉଥିବା ଦେଖିବାକୁ ମିଳି ଥିଲା । ୨୦୦୯ରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସଂଖ୍ୟାଲଘୁ ସଂପ୍ରଦାୟର ବିଶ୍ୱାସ ଜିତିବା ପାଇଁ ତାଙ୍କ ପ୍ରତିଟି ହାଡରେ ଧର୍ମନିରପେକ୍ଷତା ଭରି ରହିଛି ବୋଲି ଯାହା କହିଥିଲେ ତାହାକୁ ଆଜି ବିକ୍ଷୋଭକାରୀମାନେ ତାଙ୍କୁ ମନେ ପକାଇ ଦେଇଛନ୍ତି । ସଂସଦରେ କେନ୍ଦ୍ର ସରକାରଙ୍କ ଦ୍ୱାରା ଆଗତ ନାଗରିକତା ସଂଶୋଧନ ବିଲ୍ କୁ ବିଜେଡ଼ି ଉଭୟ ଗୃହରେ ସମର୍ଥନ ଦେଇ ଆଇନରେ ପରିଣତ କରିବାରେ ସହାୟକ ହେବା ଆମମାନଙ୍କ (ସଂଖ୍ୟାଲଘୁ ସଂପ୍ରଦାୟ) ହୃଦୟକୁ ଭାଂଗି ଦେଇଛି ବୋଲି ସଂଖ୍ୟାଲଘୁ ସଂପ୍ରଦାୟ ନେତାମାନେ ଗଣମାଧ୍ୟମକୁ କହିବା ସହ ବର୍ତମାନ ଅନ୍ତତଃ ସରକାର ରାଜ୍ୟରେ ଏହି ଆଇନକୁ କାର୍ଯ୍ୟକାରୀ ନ କରି ନିଜର ଧର୍ମନିରପେକ୍ଷତା ବଜାୟ ରଖିବାକୁ ସରକାରଙ୍କୁ ଅନୁରୋଧ କରିଛନ୍ତି । ରାଜ୍ୟରେ କେନ୍ଦ୍ର ସରକାରଙ୍କ ଏନଆରସି (ଜାତୀୟ ନାଗରିକତା ପଂଜୀକରଣ) ବ୍ୟବସ୍ଥା ଲାଗୁ ହେବ ନାହିଁ ବୋଲି ନିକଟରେ ମୁଖ୍ୟମନ୍ତ୍ରୀ ପଟ୍ଟନାୟକ ଲୋକସେବା ଭବନରେ ତାଙ୍କୁ ଭେଟି ଥିବା ସଂଖ୍ୟାଲଘୁ ସଂପ୍ରଦାୟ ପ୍ରତିନିଧି ଦଳକୁ ଆଶ୍ୱାସନା ଦେଇଛନ୍ତି । ସେହି ପ୍ରତିଶ୍ରୁତି ମଧ୍ୟ ସେ ରକ୍ଷା କରନ୍ତୁ ବୋଲି ବିକ୍ଷୋଭକାରୀମାନେ ନିବେଦନ କରିଛନ୍ତି ।
ଏନଏଏ ଓ ଏନସିଆର ବିରୋଧରେ ଶୋଭାଯାତ୍ରା ଆୟୋଜନ କରିଥିବା ସଂଗଠନର ମୁଖ୍ୟ ସାହାନୱାଜ୍ ଏହି ଅବସରରେ ଗଣମାଧ୍ୟମକୁ କହିଛନ୍ତି ଯେ, କେନ୍ଦ୍ର ସରକାର ଦେଶବ୍ୟାପୀ ଲାଗୁ କରିବାକୁ ଯାଉଥିବା ନାଗରିକତା ସଂଶୋଧନ ଆଇନରେ ୨୦୧୫ ପୂର୍ବରୁ କୌଣସି ନା କୌଣସି କାରଣରୁ ଦେଶରେ ଅନୁପ୍ରବେଶ କରିଥିବା ପାକିସ୍ତାନୀ, ବାଂଲାଦେଶୀ ଓ ଆଫଗାନିସ୍ତାନ ଶରଣାର୍ଥୀ; ସେମାନେ ହିନ୍ଦୁ, ଖ୍ରୀଷ୍ଟିଆନ୍, ବୌଦ୍ଧ, ପାର୍ଶି, ଶିଖ୍ ଓ ଜୈନ ଧର୍ମାବଲମ୍ବୀ ହୋଇଥିଲେ, ସେମାନଙ୍କୁ ଭାରତର ନାଗରିକତ୍ୱ ଦେବା ବ୍ୟବସ୍ଥା ରହିଛି । ସେହି ସମୟ ସୀମା ମଧ୍ୟରେ ଭାରତରେ ପ୍ରବେଶ କରିଥିବା ମୁସଲାମାନ ସଂପ୍ରଦାୟ ଶରଣାର୍ଥୀଙ୍କ ସଂପର୍କରେ ଏହି ଆଇନ ସଂପୂଣର୍ଣ ନିରବ । ଭାରତୀୟ ସମ୍ବିଧାନରେ ସବୁ ଧର୍ମକୁ ସମାନ ଅଧିକାର ଓ ସମ୍ମାନ ଦିଆଯିବା କଥା ଉଲ୍ଲେଖ ଥିବା ବେଳେ କେନ୍ଦ୍ର ସରକାର ନାଗରିକତା ସଂଶୋଧନ ଆଇନ (ଏନଏଏ)ରେ ମୁସଲମାନଙ୍କୁ ଏଥିରୁ ବାଦ୍ ଦେଇ ଥିବା ସଂବିଧାନର ୧୪ ଧାରାକୁ ଉଲଂଘନ ଏବଂ ସଂପୂର୍ଣ୍ଣ ଅସାମ୍ବିଧାନିକ । ତେଣୁ, ସେମାନେ ଏନଏଏ ଓ ଏନସିଆର ବିରୋଧରେ ସ୍ୱର ଉତ୍ତୋଳନ କରିଛନ୍ତି । ଓଡ଼ିଶା ସରକାର ନିଜର ର୍ଧନିରପେକ୍ଷ ଚରିତ୍ର ବଜାୟ ରଖିବା ସକାଶେ ଅନ୍ତଃତ ଓଡ଼ିଶାରେ ଏହି ସବୁ କେନ୍ଦ୍ରୀୟ ଆଇନ କାର୍ଯ୍ୟକାରୀ ନ କରୁ ବୋଲି ସେ ନିବେଦନ କରିଛନ୍ତି । ଏଠାରେ ଉଲ୍ଲେଖନୀୟ ଯେ, ଚଳିତ ମାସରେ ସଂସଦର ଉଭୟ ଗୃହରେ ଉପସ୍ଥାପିତ ହୋଇଥିବା ନାଗରିକତା ସଂଶୋଧନ ବିଲ୍ (ଏନଏବି)କୁ ବିଜେଡ଼ି ପୂର୍ଣ୍ଣ ସମର୍ଥନ ଦେଇଥିଲା । ଦଳର ସାଂସଦମାନେ ବିଲ୍ ସପକ୍ଷରେ ଭୋଟ ଦେଇ ତାହାକୁ ଆଇନରେ ପରିଣତ କରିବାରେ କେନ୍ଦ୍ରର ବିଜେପି ସରକାରଙ୍କୁ ସାହାଯ୍ୟ କରିଥିଲେ । ସଂସଦର ଉଭୟ ଗୃହରେ ଏହି ବିଲ୍ ଗୃହୀତ ହେବା ପରେ ରାଷ୍ଟ୍ରପତିଙ୍କ ମୋହର ବାଜି ଆଇନରେ ପରିଣତ ହୋଇଛି ।
LETTER FROM THE EDITOR: A SPECIAL THANKS TO OUR READERS
LETTER FROM THE EDITOR: A SPECIAL THANKS TO OUR READERS