ଓଡ଼ିଶା ରାଜନୀତି : ଚାପରେ ମୁଖ୍ୟମନ୍ତ୍ରୀ
ାା ପ୍ରସାଦ ରାଓ ।ା
ପରିବର୍ତୀତ ରାଜନୈତିକ ପରିସ୍ଥିତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ପ୍ରତିରକ୍ଷାତ୍ମକ ହେବାକୁ ବାଧ୍ୟ କରିଛି । ଗୋଟିଏ ପଟେ ଭୋଟରଙ୍କ ମଧ୍ୟରେ ବିଜେପି ପ୍ରତି ଆକର୍ଷଣ ବୃଦ୍ଧି ଏବଂ ଅନ୍ୟପଟେ ଦଳ ଓ ସରକାରଙ୍କୁ କିଛି ବିଜେଡ଼ି ନେତାଙ୍କ ପରୋକ୍ଷ ଆକ୍ରମଣ ନବୀନଙ୍କ ପାଇଁ ଚିନ୍ତାର କାରଣ ହୋଇଥିବା ଲକ୍ଷ୍ୟ କରାଯାଉଛି । ପୂର୍ବରୁ କେବଳ ଦଳର ବରିଷ୍ଠ ମନ୍ତ୍ରୀ ଦାମୋଦର ରାଉତ, ବିଷ୍ଣୁ ଦାସ ବା ପ୍ରଦୀପ ମହାରଥୀଙ୍କ ଭଳି କିଛି ବଡ଼ପାଟିଆ ନେତାଙ୍କ କଟାକ୍ଷ ନବୀନଙ୍କୁ ଅଡ଼ୁଆରେ ପକାଉ ଥିଲା । ଏବେ, ନରେନ୍ଦ୍ର ସ୍ୱାଇଁଙ୍କ ପରି କିଛି ଏକାନ୍ତ ଅନୁଗତ ନେତା ବି ଦଳ ଓ ନେତୃତ୍ୱର କାର୍ଯ୍ୟଶୈଳୀକୁ ସମାଲୋଚନା କରିବାକୁ ସାହସ ଜୁଟାଇଲେଣି । ଅହରହ ମିଡ଼ିଆ ନଜରରେ ରହିବା ପାଇଁ ଆଗ୍ରହୀ ଦଳୀୟ ନେତାଙ୍କ ପାଇଁ ନବୀନ ଏବେ “ସଫ୍ଟ୍ ଟାର୍ଗେଟ୍” ହୋଇଥିବା ରାଜନୈତିକ ମହଲରେ ଚର୍ଚ୍ଚା ହେଉଛି । ନିକଟରେ ମୁଖ୍ୟମନ୍ତ୍ରୀ ପଟ୍ଟନାୟକ ନୂଆଦିଲ୍ଲୀ ଗସ୍ତରେ ଯାଇ ଥିବା ବରିଷ୍ଠ ବିଜେପି ନେତା ତଥା ପୂର୍ବତନ ପ୍ରଧାନମନ୍ତ୍ରୀ ଅଟଳ ବିହାରୀ ବାଜପେୟୀଙ୍କୁ ତାଙ୍କ ବାସଭବନରେ ଭେଟି ଥିଲେ । ସମସ୍ତେ ଜାଣନ୍ତି ପୂର୍ବତନ ପ୍ରଧାନମନ୍ତ୍ରୀ ବାଜପେୟୀ ବାର୍ଦ୍ଧକ୍ୟଜନିତ ଅସୁସ୍ଥତା ଯୋଗୁ କିଛି ବର୍ଷ ହେଲା ପ୍ରତ୍ୟକ୍ଷ ରାଜନୀତି ଠାରୁ ବହୁ ଦୂରରେ ଅଛନ୍ତି । ନରେନ୍ଦ୍ର ମୋଦୀ ଦେଶର ପ୍ରଧାନମନ୍ତ୍ରୀ ଓ ଅମିତ ଶାହା ବିଜେପି ଜାତୀୟ ସଭାପତି ହେବା ପରେ ବାଜପେୟୀଙ୍କୁ ଏକପ୍ରକାର କୋଣଠେସା କରି ରଖାଯାଇଛି । ନବୀନ ବାଜପେୟୀଙ୍କ ମନ୍ତ୍ରୀ ପରିଷଦରେ କେନ୍ଦ୍ର ମନ୍ତ୍ରୀ ଥିଲେ । ସ୍ୱର୍ଗତଃ ବିଜୁ ପଟ୍ଟନାୟକଙ୍କ ସହ ବାଜେପେୟୀଙ୍କ ସଂପର୍କ ରାଜନୀତିର ବହୁ ଉଦ୍ଧ୍ୱର୍ରେ । ଏଭଳି ପରିସ୍ଥିତିରେ ଅସୁସ୍ଥ ବାଜପେୟୀଙ୍କୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଭେଟିବାରେ ସେମିତି କିଛି ଅସ୍ୱାଭାବିକତା ନାହିଁ । କିନ୍ତୁ, ଆଗାମୀ ରାଷ୍ଟ୍ରପତି ନିର୍ବାଚନକୁ ଦୃଷ୍ଟିରେ ରଖି ଏହି ଭେଟଘାଟକୁ ରାଜନୈତିକ ରଂଗ ଦିଆ ଯାଇ ଥିବାରୁ କିଛି ଦିନ ହେଲା ନବୀନଙ୍କୁ ସଫେଇ ଦେବାକୁ ପଡ଼ୁଛି । ସାକ୍ଷାତ ସୌଜନ୍ୟମୂଳକ ଥିଲା, କିଛି ରାଜନୀତି ନାହିଁ – ଏକଥା ନବୀନ ଗଲା ବୁଧବାର (୨୬ ଏପ୍ରିଲ) ମଧ୍ୟ ଦୋହରାଇଛନ୍ତି । ନବୀନଙ୍କୁ ଚାପରେ ରଖିଥିବା ବିଜେଡ଼ି ନେତାମାନେ କିଏ? ଯେ କେହି ଏ ପ୍ରଶ୍ନ ପଚାରିବ ।
୨୦୧୭ ପଂଚାୟତ ନିର୍ବାଚନ ପୂର୍ବରୁ ଓ ପରେ ଯେଉଁ ବିଜେଡ଼ି ନେତାମାନେ ମିଡ଼ିଆର ଚର୍ଚା ପରିସରରେ ରହିଛନ୍ତି, ସେମାନଙ୍କ ମଧ୍ୟରେ ଦାମ ରାଉତ ଜଣେ । ଦାମଙ୍କ ସମାଲୋଚନା ଚିରାଚରିତ । ସରକାରଙ୍କୁ ପରୋକ୍ଷ ସମାଲୋଚନାର ‘ବାଇଟ୍’ ପାଇଁ ବୁମ୍ ଧରିଥିବା ସାମ୍ବାଦିକମାନେ ପ୍ରଥମେ ପହଂଚି ଯାଆନ୍ତି ତାଙ୍କ ପାଖରେ । ନିଆରା ସମାଲୋଚକଙ୍କ ମଧ୍ୟରେ ନିଆଯାଇ ପାରେ ବିଜେଡ଼ି ଏମପି ତଥାଗତ ସତପଥୀ, ବିଶିଷ୍ଟ ଶିଳ୍ପପତି ଓ ସ୍ତମ୍ଭକାର ଏମପି ବୈଜୟନ୍ତ ପଣ୍ଡା ଓ ଲୋକସଭାରେ ବିଜେଡ଼ି ଏମପିଙ୍କ ନେତୃତ୍ୱ ନେଉ ଥିବା ଭର୍ତୃହରି ମହାତାବଙ୍କୁ । ତଥାଗତ ଓ ଭର୍ତୃହରି ଓଡ଼ିଶାରେ ଖବର କାଗଜ ସଂପାଦକ ଭାବେ ଜଣାଶୁଣା । ବୈଜୟନ୍ତ ବାବୁ ଜାତୀୟ ଓ ଆଂଚଳିକ କବରକାଗଜରେ ଅଗ୍ରଲେଖା ଲେଖନ୍ତି । ଏକ ଆଂଚଳିକ ଭାଷାର ବୈଦ୍ୟୁତିକ ଗଣମାଧ୍ୟମର ମାଲିକାନା ମଧ୍ୟ ତାଙ୍କ ହାତରେ ରହିଛି । ଏହି ତିନି ପ୍ରଭାବଶାଳୀ ଏମପି ଏବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ମୁଂଡ ବ୍ୟଥାର କାରଣ ହୋଇଛନ୍ତି । ସେମାନଙ୍କ ଟ୍ୱିଟ୍ ଏବଂ ଖବରକାଗଜ ଅଗ୍ରଲେଖା ନବୀନଙ୍କୁ ବ୍ୟତିବ୍ୟସ୍ତ କରୁଛି । ୧୭ ବର୍ଷ ଧରି ଦଳକୁ ନିଜର ‘ହସ୍ତମୁଦି ମାହାଲ’ କରି ରଖି ଥିବା ନବୀନ ନିଜ ଦଳର ‘ଏକଦା ଏକାନ୍ତ ଅନୁଗତ’ ଥିବା ନେତାମାନଙ୍କ ଆଡୁ ସମାଲୋଚନାର ଶରବ୍ୟ ହେବା ନିଶ୍ଚିତ ଭାବେ ସମୀକ୍ଷାର ବିଷୟ । ଏହି ନେତାମାନେ ଦଳକୁ ଦିଗଦର୍ଶନ ଦେବା ଆଳରେ ମୁଖ୍ୟମନ୍ତ୍ରୀଙ୍କ ନେତୃତ୍ୱ ପ୍ରତି ଆଙ୍ଗୁଠି ଉଠାଇଛନ୍ତି । ଦଳରେ କୌଣସି ପ୍ରକାର ବିଭେଦ ବା ବିଭ୍ରାଟ ନାହିଁ । ସବୁ କିଛି ଠିକ୍ ଚାଲିଛି । ସତର ବର୍ଷ ହେଲା ଦଳ ରାଜ୍ୟରେ ସରକାର ଚଳାଇଛି ଓ ସବୁଠାରୁ ବଡ଼ ଦଳ ଭାବେ ଉଭା ହୋଇଛି । ନବୀନ ମୁହଁ ଯୋର୍ରେ ଏହା କହୁଥିଲେ ବି ବାସ୍ତବତା ହେଉଛି ଭିନ୍ନ । ନିଜର ପରିବର୍ତୀତ ଆଚରଣ ମାଧ୍ୟମରେ ସେ ଏହା ସୂଚାଇ ସାରିଲେଣି । ଦଳ ଭିତରେ ସବୁ କିଛି ଠିକ୍ ଚାଲି ନାହିଁ । ପ୍ରାଶାସନ ଓ ସରକାରର ଭାବମୂର୍ତୀ ବଦଳାିବାର ସମୟ ଆସିଛି । ଏହା ମୁଖ୍ୟମନ୍ତ୍ରୀଙ୍କ ଆଚରଣରୁ ସ୍ପଷ୍ଟ ହେଉଛି ।
ସେ ନିଜେ ନିଜ ଠାରୁ ଏହି ପରିବର୍ତନର ଧାରା ଆରମ୍ଭ କରିଛନ୍ତି । ୨୦୧୭ ପଂଚାୟତ ନିର୍ବାଚନ ପୂର୍ବରୁ ମୁଖ୍ୟମନ୍ତ୍ରୀ, ସାଧାରଣ ଲୋକଙ୍କ କଥା ଛାଡନ୍ତୁ, ନିଜ ଦଳର ନେତା ଓ କର୍ମୀଙ୍କ ପାଇଁ ମଧ୍ୟ ଥିଲେ ଅପହଂଚ । ଏକଦା ରାଜନୀତିରେ ‘ଚାଣକ୍ୟ’ ଉପାଧି ପାଇଥିବା ସ୍ୱର୍ଗତଃ ପ୍ୟାରୀ ମୋହନ ମହାପାତ୍ର (ନବୀନଙ୍କୁ କ୍ଷମତାଚ୍ୟୁତ କରିବା ପାଇଁ ଷଡ଼ଯନ୍ତ୍ର ରଚି ଥିବା ଅଭିଯୋଗରେ ବିଜେଡ଼ିରୁ ବହିଷ୍କୃତ ହେବା ପୂର୍ବରୁ) ନବୀନଙ୍କ ଏକାନ୍ତ ଅନୁଗତ ପରାମର୍ଶଦାତା ଭାବେ ଦଳକୁ ନିଜ କାଇଦାରେ ଚଳାଉ ଥିଲେ । ଦଳର ନେତା ଓ କର୍ମୀ ମୁଖ୍ୟମନ୍ତ୍ରୀଙ୍କ ନିକଟରେ ପହଂଚିବା ପାଇଁ ପ୍ୟାରୀଙ୍କୁ ‘ସେତୁ’ କରିଥିଲେ । ତେଣୁ, ପ୍ୟାରୀଙ୍କ ପତିଆରା ଥିଲା ଅସୀମ । ପରେ ଆଇଏଏସ୍ କାର୍ତୀକେୟନ୍ ପାଂଡ଼ିଆନଙ୍କ ଉପରେ ଏହି ଗୁରୁ ଦାୟିତ୍ୱ ପଡିଲା । ପାଂଡ଼ିଆନ୍ ଗଞ୍ଜାମ ଜିଲ୍ଲାପାଳ ଥିଲେ । ମୁଖ୍ୟମନ୍ତ୍ରୀଙ୍କ ନିର୍ବାଚନ ମଣ୍ଡଳୀକୁ ସବୁ କ୍ଷେତ୍ରରେ ଆଗୁଆ ଦେଖାଇବା ପାଇଁ ତାଙ୍କ ତତ୍ପରତା ତାଙ୍କୁ ମୁଖ୍ୟମନ୍ତ୍ରୀଙ୍କ ନିକଟତର କରିଥିଲା । ଗଞ୍ଜାମ ଜିଲ୍ଲା ସମ୍ଭାଳୁ ସମ୍ଭାଳୁ ସେ ମୁଖ୍ୟମନ୍ତ୍ରୀଙ୍କ ଦପ୍ତରକୁ ଆସି ଗଲେ । ପ୍ୟାରୀଙ୍କ ବିଦାୟ ପରେ ରାଜ୍ୟ ଓ ଦଳକୁ ସମ୍ଭାଳିବା ଦାୟିତ୍ୱ ତାଙ୍କ ଉପରେ ନ୍ୟସ୍ତ ହେଲା । ପ୍ୟାରୀ ବାବୁ ମଧ୍ୟ ଅତୀତରେ ପ୍ରଶାସକ ଥିଲେ । ତେବେ, ତାଙ୍କ ରାଜନୈତିକ ବିଚକ୍ଷଣତା ଓ ବିଜୁ-ସଂପର୍କ ଦଳର ନେତା ଓ କର୍ମୀଙ୍କ ମଧ୍ୟରେ ତାଙ୍କୁ ଗ୍ରହଣୀୟ କରି ଥିଲା । ପ୍ୟାରୀଙ୍କ ଦାଦାଗିରିକୁ ସମସ୍ତେ ବରଦାସ୍ତ କରୁଥିଲେ । କିନ୍ତୁ, ପାଂଡ଼ିଆନ୍ଙ୍କ କଥା ଭିନ୍ନ । ଜଣେ କନିଷ୍ଠ ପ୍ରଶାସକ ହୋଇ ଦଳର ତୁଙ୍ଗ ନେତାମାନଙ୍କୁ ଦିଗ୍ଦର୍ଶନ ଦେବା ପ୍ରୟାସ ତାଙ୍କୁ ବିବାଦୀୟ କରି ଦେଲା । ପାଂଡ଼ିଆନଙ୍କ ହାକିମାତିକୁ ନେଇ ଦଳ ଭିତରେ ଯେଉଁ ଅସନ୍ତୋଷ କୁହୁଳୁ ଥିଲା ତାହା ଏବେ ନିଆଁ ଝୁଲରେ ପରିଣତ ହୋଇଛି । ଅତୀତରେ ନବୀନ ବାବୁଙ୍କ ସମ୍ମୁଖୀନ ହେବାକୁ ସାହାସ କରୁ ନଥିବା ଦଳୀୟ ନେତାମାନେ ଏବେ ପ୍ରତ୍ୟକ୍ଷ ବା ପରୋକ୍ଷରେ ଦଳ ଓ ସରକାରଙ୍କ ବିରୋଧରେ ମୁହଁ ଖୋଲୁଛନ୍ତି ।
୨୦୧୭ ପଂଚାୟତ ନିର୍ବାଚନ ଫଳାଫଳ ବିଜେଡ଼ି ଭିତରେ କୁହୁଳୁ ଥିବା ଅସନ୍ତୋଷକୁ ଅଧିକ ଘନୀଭୂତ କରିଛି । କଂଗ୍ରେସ-ବିରୋଧୀ ରାଜନୀତି କରି ଆସିଥିବା ଏହି ନେତାମାନେ ରାଜ୍ୟରେ କଂଗ୍ରେସ ଓ ବିଜେପିର ଦୁର୍ବଳ ସ୍ଥିତି ଦେଖି ଚୁପ୍ ରହୁଥିଲେ । ବିଜେଡ଼ି ଛାଡ଼ିଲେ କୁଆଡେ ଯିବେ, ତାହା ସେମାନଙ୍କ ପାଇଁ ଚିନ୍ତାର କାରଣ ଥିଲା । ବର୍ତମାନ ପରିସ୍ଥିତି ବଦଳିଛି । ରାଜ୍ୟରେ କଂଗ୍ରେସର ସ୍ଥିତି ଅଧିକ ଦୁର୍ବଳ ହୋଇଛି ସତ, କିନ୍ତୁ ବିକଳ୍ପ ଭାବେ ବିଜେପି ପଦ୍ମ କଅଁଳିଛି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ବିମୁଦ୍ରାକରଣ ପଦକ୍ଷେପ ଗାଁରୁ ସହର ପର୍ଯ୍ୟନ୍ତ ସବୁଠି ଗ୍ରହଣୀୟ ହୋଇଥିବା ବେଳେ ସରକାରଙ୍କ ବିଭିନ୍ନ ଜନହିତକର ପଦକ୍ଷେପ ଦେଶବ୍ୟାପୀ ‘ମୋଦୀ ଲହର’କୁ ହାୱା ଦେଇଛି । ରାଜ୍ୟସ୍ତର ବିଜେପି ନେତାଙ୍କ ପତିଆରା କମ୍ । ତେବେ, ‘ମୋଦୀ ହାୱା’ ଓଡ଼ିଶାରେ ବିଜେପିର ଅଗ୍ରଗତିର ବାଟ ଖୋଲିଛି । ବିକଳ୍ପର ସଂଧାନରେ ଥିବା ନେତାମାନେ ଏବେ ପକ୍ଷ ବିସ୍ତାର କଲେଣି । ଦଳର କିଛି ନେତା ବିଜେଡ଼ିକୁ ବିଭାଜନ ଆଡ଼କୁ ମୁହାଁଉଛନ୍ତି ବୋଲି ତଥାଗତଙ୍କ ଟ୍ୱିଟ୍ ପରେ ବୈଜୟନ୍ତଙ୍କ ସହ ତାଙ୍କର ଦ୍ୱନ୍ଦ୍ୱଯୁଦ୍ଧ ମୁଖ୍ୟମନ୍ତ୍ରୀଙ୍କୁ ଅଡ଼ୁଆରେ ପକାଇ ଥିଲା । ବୈଜୟନ୍ତ ଗୋଟିଏ ଆଂଚଳିକ ସମ୍ବାଦପତ୍ରର ସଂପାଦକୀୟ ପୃଷ୍ଠାରେ ଅଗ୍ରଲେଖା ଲେଖି ଏହାକୁ ଅନୁଶାସନହୀନତା ବୋଲି ସମାଲୋଚନା କରିବା ଦ୍ୱାରା ପରିସ୍ଥିତି ଅଧିକ ବିଗିଡ଼ି ଯାଇ ଥିଲା । ମୁଖ୍ୟମନ୍ତ୍ରୀ ପରିସ୍ଥିତି ସମ୍ଭାଳିବାକୁ ଉଦ୍ୟମ କରୁଥିବା ବେଳେ ତଥାଗତ ଓ ବୈଜୟନ୍ତ ଏକାଠି ଦଲ୍ଲୀ ସଂସଦ ଭବନରେ ଶରଦ ପାୱାରଙ୍କ ଝିଅ (ଏନସିପି ଏମପି) ସହ ଫଟୋ ଉଠାଇ ସାମାଜିକ ଗଣମାଧ୍ୟମରେ ତାହାକୁ ଛାଡିବା ମୁଖ୍ୟମନ୍ତ୍ରୀଙ୍କୁ ଛିଗୁଲାଇଲା ଭଳି ଥିଲା । ପୂର୍ବରୁ ଦଳର ଅନ୍ୟତମ ବରିଷ୍ଠ ସାଂସଦ ତଥା ସଂସଦୀୟ ଦଳ ନେତା ଭର୍ତୃହରି ମହତାବ କଂଗ୍ରେସ ସହ ବିଜେଡ଼ି ସଂପର୍କ ଯୋଡ଼ିବା ସମ୍ଭାବନାକୁ ନେଇ ଗଣମାଧ୍ୟମରେ ଦେଇଥିବା ମତକୁ ନେଇ ଅଡ଼ୁଆରେ ଥିଲେ । ‘ଏହା ବିଜେଡ଼ି ବା ତାଙ୍କର ମତ ନୁହେଁ’ କହି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସିଧାସଳଖ ଭର୍ତୃହରିଙ୍କୁ କାଠଗଡ଼ାରେ ଠିଆ କରାଇଲେ । ‘ମନ ମାରି ବସିବା ଅପେକ୍ଷା ମୁଖ୍ୟମନ୍ତ୍ରୀଙ୍କୁ ପାନେ ଦେବା’ ନ୍ୟାୟରେ ଭର୍ତୃହରି ସମ୍ବାଦପତ୍ର ଓ ଟେଲିଭିଜନ ସାକ୍ଷାତକାର ଦେଇ ଦଳକୁ ଅଡୁଆକୁ ଟାଣିଲେ ମଧ୍ୟ ନବୀନଙ୍କ ଉପରେ ତାହାର କିଛି ପ୍ରଭାବ ପଡିଲା ନାହିଁ । ଏବେ, ନିଜ ଖବରକାଗଜରେ ଅଗ୍ରଲେଖା ଲେଖି ସେ ଦଳ ପାଇଁ ଅଡୁଆ ବଢାଇଛନ୍ତି । ବିଜେଡ଼ିରେ ‘ନବୀନ-ଭୟ’ ଯଥେଷ୍ଟ କମି ଯାଇଛି ବୋଲି ଧାରଣା ସୃଷ୍ଟି କରିବା ଦଳୀୟ ଏମପିମାନଙ୍କ ଅଗ୍ରାଧିକାରଭୁକ୍ତ କାର୍ଯ୍ୟସୂଚୀ ହୋଇଥିବା ଏତିରୁ ଅନୁମାନ କରାଯାଉଛି ।
ବିଜେଡ଼ିର କିଛି ତୁଙ୍ଗ ନେତା ବିଜେପିରେ ଯୋଗ ଦେବାକୁ ଗୋଡ ଟେକିି ବସିଛନ୍ତି ବୋଲି ବିଜେପି ଜାତୀୟ କାର୍ଯ୍ୟକାରିଣୀ ପୂର୍ବରୁ ଦଳର ବରିଷ୍ଠ ନେତା ତଥା କେନ୍ଦ୍ର ମନ୍ତ୍ରୀ ଜୁଏଲ ଓରାମ ଭୁବନେଶ୍ୱରରେ ଯେଉଁ ମନ୍ତବ୍ୟ ଦେଇଥିଲେ, ତାହା ପରବର୍ତୀ ସମୟରେ ଫୁସୁକି ଯାଇଥିଲେ ବି ସେଥିରେ କିଛି ସତ୍ୟତା ଥିଲା ବୋଲି ବିଜେଡ଼ିରେ ଥିବା ଅସନ୍ତୁଷ୍ଟଙ୍କ କାର୍ଯ୍ୟକଳାପ ଦେଖିଲେ ସ୍ପଷ୍ଟ ଜଣାପଡୁଛି । ନିକଟରେ ନବୀନ ଦଳର ସାଂସଦମାନଙ୍କୁ ଅନୁଶାସନର ପାଠ ପଢାଇ ଥିଲେ । ତଥାପି, ଭର୍ତୃହରିଙ୍କ ଭଳି ଦାୟିତ୍ୱସଂପନ୍ନ ଏମପିମାନେ ବାଟବଣା (?) ହେବା ନବୀନଙ୍କ ପାଇଁ ଚିନ୍ତାର କାରଣ ହୋଇଛି । ଦେଶବ୍ୟାପୀ ଚାଲିଥିବା ‘ମୋଦୀ ଲହର’ କିଛି ବିଜେଡ଼ି ନେତାଙ୍କୁ ଦୋଦୁଲ୍ୟମାନ କରିଛି ବୋଲି ସମାଲୋଚକମାନେ ମତ ଦେଉଛନ୍ତି । ସଦ୍ୟ ଘୋଷିତ ଦିଲ୍ଲୀ ପୌର ନିଗମ (ଏମସିଡ଼ି) ନିର୍ବାଚନ ଫଳାଫଳ ବିଜେପିର ୨୦୧୯ ଦାବିକୁ ଅଧିକ ଦୃଢୀଭୂତ କରିଥିବା ଚର୍ଚ୍ଚା ହେଉଛି । ମୁଖ୍ୟମନ୍ତ୍ରୀ ପଟ୍ଟନାୟକ ଏହା ହୃଦୟଙ୍ଗମ କରି ପ୍ରତ୍ୟକ୍ଷ ଭାବେ ଭୋଟରଙ୍କ ସହ ମିଶିବା, ସେଲ୍ଫି ନେବା, ଦଳର ବିଭିନ୍ନ ଆଗୁଆ ସଂଗଠନର ନେତୃତ୍ୱ ପରିବର୍ତନ କରି ବିଜେଡ଼ିକୁ କ୍ରିୟାଶୀଳ କରିବା କାର୍ଯ୍ୟ ଆରମ୍ଭ କରିଦେଇଛନ୍ତି । ପ୍ରଶାସନିକ ସ୍ତରରେ ଅଦଳବଦଳ ଏବଂ ଆଇଏଏସ କାର୍ତୀକେୟନ ପାଂଡ଼ିଆନଙ୍କ ଭଳି ଆଇପିଏସ୍ କୁଟ୍ଟେଙ୍କୁ ନିଜର ପରାମର୍ଶଦାତା ଭାବେ ନିଯୁକ୍ତି ଦେବା ମୁଖ୍ୟମନ୍ତ୍ରୀଙ୍କ ୨୦୧୯ ରଣକୌଶଳର ଅଂଶବିଶେଷ ଭାବେ ବିଚାର କରାଯାଉଛି । ଇତିମଧ୍ୟରେ ମୁଖ୍ୟମନ୍ତ୍ରୀ ରାଜ୍ୟର ପ୍ରତ୍ୟେକ ଜିଲ୍ଲାରୁ ପଂଚାୟତସ୍ତର ପର୍ଯ୍ୟନ୍ତ ଦଳୀୟ ନିର୍ବଚିତ ପ୍ରତିନିଧିମାନଙ୍କୁ ଡ଼ାକି ଆଲୋଚନା କରିଛନ୍ତି ଏବଂ ଦଳମତ ନିର୍ବିଶେଷରେ ଲୋକଙ୍କ ପାଇଁ କାମ କରିବାକୁ ପରାମର୍ଶ ଦେଇ ତ୍ରୁଣମୂଳ ସ୍ତରକୁ ଏକ ପରିବର୍ତନର ବାର୍ତା ଦେବାର ପ୍ରୟାସ କରିଛନ୍ତି । ଏହି ରଣକୌଶଳ ୨୦୧୯ରେ ପଂଚମ ଥର ପାଇଁ ବିଜେଡ଼ିକୁ କ୍ଷମତାକୁ ଆଣିବ ବୋଲି ସେ ଆଶାବାଦୀ । ତେବେ, କଥିତ ‘ମିଡ୍ ନାଇଟ୍ କୁପ୍’ ଭଳି କିଛି ଅଘଟଣ ନ ଘଟିଲେ ହେଲା ।
LETTER FROM THE EDITOR: A SPECIAL THANKS TO OUR READERS
LETTER FROM THE EDITOR: A SPECIAL THANKS TO OUR READERS