ଭାରତୀୟ ଯବାନଙ୍କ ହତ୍ୟାକାରୀଙ୍କୁ ଦଣ୍ଡ ମିଳିବ କେବେ !


ପ୍ରସାଦ ରାଓ ।ା
ଭୁବନେଶ୍ୱର: ଜାମ୍ମୁ-କଶ୍ମୀର ପୁଂଚ୍ ଜିଲ୍ଲା ଅନ୍ତର୍ଗତ କ୍ରିଷ୍ଣାଘାଟି ସେକ୍ଟରରେ ମେ’୧ ତାରିଖରେ ଘଟି ଥିବା ପାକିସ୍ତାନ ପ୍ରୟୋଜିତ ବର୍ବର ହତ୍ୟାକାଣ୍ଡ ସମଗ୍ର ଦେଶକୁ ଦୋହଲାଇ ଦେଇଛି । ପାକ୍ ସମର୍ଥୀତ ଶତାଧିକ ଆତଙ୍କବାଦୀ ଦୁଇ ଜଣ ଭାରତୀୟ ଯବାନଙ୍କୁ ନିର୍ମମ ଭାବେ ହତ୍ୟା କରିବା ସହ ସେମାନଙ୍କ ଶରୀରକୁ କ୍ଷତବିକ୍ଷତ କରି ମୁଣ୍ଡ କାଟି ନେଇଛନ୍ତି । ପାକ୍ ସେନାର ଗରୀଲା ବାହିନୀ ଓ ଆତଙ୍କବାଦୀ ମିଳିତ ଭାବେ ଏହି କାଣ୍ଡ ଭିଆଇ ଥିବା ଭାରତୀୟ ସେନା ଅଭିଯୋଗ କରିଛିି । ଭାରତ ସରକାରଙ୍କ ପକ୍ଷରୁ ଏହି ଅମାନୁଷିକ କାଣ୍ଡର ଗଭୀର ନିନ୍ଦା କରାଯିବା ସହ ବର୍ବର କାଣ୍ଡ ଘଟାଇ ଥିବା ଆତଙ୍କୀଙ୍କ ବିରୋଧରେ ତୁରନ୍ତ ଦୃଢ କାର୍ଯ୍ୟାନୁଷ୍ଠାନ ପାଇଁ ଦାବି କରାଯାଇଛିି । ନୂଆଦିଲ୍ଲୀରେ ଅବସ୍ଥାପିତ ପାକ୍ ହାଇକମିସନରଙ୍କୁ ଡ଼କା ଯାଇ ଭାରତର ଉଦ୍ବେଗ ଅବଗତ କରାଯିବା ସହ ହତ୍ୟାକାଣ୍ଡରେ ପାକ୍ ଆତଙ୍କୀଙ୍କ ସଂପୃକ୍ତିର ପ୍ରମାଣ ଉପସ୍ଥାପନ କରା ଯାଇଥିବା ପ୍ରକାଶ । ତେବେ, ପାକିସ୍ତାନ ସରକାର ଚିରାଚରିତ ଢଙ୍ଗରେ ଏହି ହତ୍ୟାକାଣ୍ଡ ସହ ପାକ୍ ସେନାର ସଂପୃକ୍ତିକୁ ଅସ୍ୱୀକାର କରି ଅଭିଯୋଗର ଯଥେଷ୍ଟ ପ୍ରମାଣ ଉପସ୍ଥାପନ ପାଇଁ ଭାରତକୁ ପାଲଟା ଆହ୍ୱାନ ଦେଇଛନ୍ତି । ପୂର୍ବରୁ ମଧ୍ୟ ପାକିସ୍ତାନ ମୁମ୍ବାଇରେ ଆତଙ୍କବାଦୀ ଆକ୍ରମଣ ଓ ଜାମ୍ମୁ-କଶ୍ମୀରର ଉରୀ ସେନା ଛାଉଣୀ ଉପରେ ହମ୍ଲା ଘଟଣାରେ ଯଥେଷ୍ଟ ପ୍ରମାଣ ଦାବି କରି କାର୍ଯ୍ୟାନୁଷ୍ଠାନକୁ ଟାଳି ଆସି ଥିବାରୁ କ୍ରିଷ୍ଣା ସେକ୍ଟରରେ ଘଟି ଥିବା ନାରକୀୟ ଘଟଣାରେ ମଧ୍ୟ ସେହି ଏକା କୌଶଳ ଆପଣାଇବା ନିଶ୍ଚିତ ହୋଇ ଯାଇଛି । ବିଚାର ପ୍ରକ୍ରିୟା ବିଳମ୍ବିତ ହେଲେ ସଠିକ୍ ନ୍ୟାୟ ମିଳେ ନାହିଁ (ଜଷ୍ଟିସ୍ ଡ଼ିଲେଡ୍ ମିନ୍ସ ଜଷ୍ଟିସ୍ ଡ଼ିନାଇଡ୍) ନ୍ୟାୟରେ ପାକିସ୍ତାନର ଟାଳଟୁଳ ନୀତି ସବୁ ବେଳେ ଆତଙ୍କବାଦୀଙ୍କୁ ସୁହାଇ ଆସିଛି । ନିର୍ମମ ହତ୍ୟାର ଶିକାର ହୋଇ ଥିବା ଦୁଇ ଭାରତୀୟ ଯବାନଙ୍କ ପରିବାର ପାକିସ୍ତନୀ ଆତଙ୍କୀଙ୍କ ବିରୋଧରେ ଭାରତ ସରକାରଙ୍କ ତ୍ୱରିତ କାର୍ଯ୍ୟାନୁଷ୍ଠାନ ଅପେକ୍ଷାରେ ଥିବା ବେଳେ ପାକିସ୍ତାନ ଘଟଣା ସହ ପାକ୍ ସେନା ଓ ଆତଙ୍କୀଙ୍କ ସଂପୃକ୍ତିକୁ ନେଇ ଭାରତ ଆଡ଼ୁ ଯଥେଷ୍ଟ ପ୍ରମାଣ ଉପସ୍ଥାପନ କରାଯାଇ ନ ଥିବା ଦର୍ଶାଇ କାର୍ଯ୍ୟାନୁଷ୍ଠାନକୁ ଟାଳି ଦେଇ ଥିବାରୁ ଭାରତୀୟ ଯବାନଙ୍କ ହତ୍ୟାକାରୀଙ୍କୁ ଦଣ୍ଡ ମିଳିବା ଅନିଶ୍ଚିତ ହୋଇ ଯାଇଛିି । ଭାରତ ପାକ୍ ବିରୋଧରେ ସିଧାସଳଖ କାର୍ଯ୍ୟାନୁଷ୍ଠାନ ଗ୍ରହଣ ନ କରି ସୀମାନ୍ତ ଗ୍ରାମଗୁଡ଼ିକୁ ସିଲ୍ କରି ଆତଙ୍କୀଙ୍କୁ ଖୋଜୁଛି । କାହାକୁ ଆଭାସ ନ ଦେଇ ସେପ୍ଟେମ୍ବର ୨୯ ତାରିଖରେ ଯେଭଳି ସର୍ଜିକାଲ୍ ଷ୍ଟ୍ରାଇକ୍ କରାଯାଇଥିଲା କ୍ରିଷ୍ଣା ସେକ୍ଟର ଘଟଣାରେ ମଧ୍ୟ ସେହି ଭଳି କିଛି କାର୍ଯ୍ୟାନୁଷ୍ଠାନ ବିନା ସୂଚନାରେ ହେବ ବୋଲି ଭାରତୀୟ ସେନା ମୁଖ୍ୟ ନିକଟରେ ସୂଚନା ଦେଇଥିବା ସ୍ୱାଗତଯୋଗ୍ୟ । ତେବେ, ପ୍ରମାଣ ଖୋଜିବା ବାହାନାରେ ନିର୍ମମ ହତ୍ୟାର ଶିକାର ହୋଇଥିବା ଭାରତୀୟ ଯବାନଙ୍କ ପରିବାରକୁ ନ୍ୟାୟ ଦେବାରେ ବିଳମ୍ବ କରିବା କେତେଦୂର ଗ୍ରହଣଯୋଗ୍ୟ ବୋଲି ପ୍ରଶ୍ନ ହେଉଛି । ସରକାର ତ୍ୱରିତ କାର୍ଯ୍ୟାନୁଷ୍ଠାନ ମାଧ୍ୟମରେ ପାକ୍ ସେନା ଓ ଆତଙ୍କୀଙ୍କ ଅହଂକାରକୁ ଚୁରମାର କରିବା ସମୟ ଆସିଛି ବୋଲି ପ୍ରତ୍ୟେକ ଭାରତୀୟ ଅନୁଭବ କରୁଛନ୍ତି ।
କ୍ରିଷ୍ଣା ସେକ୍ଟରରେ ଦୁଇ ଭାରତୀୟ ଯବାନଙ୍କ ମୁଣ୍ଡକାଟ୍ ଘଟଣାରେ ପାକିସ୍ତାନର ସଫେଇ ଯାହା ହୋଇଥାଉନା କାହିଁକି, ଏହା ଏକ ପାକ୍ ପ୍ରୟୋଜିତ ବର୍ବର କାର୍ଯ୍ୟ, ଏଥିରେ କୌଣସି ସନେ୍ଦହ ନାହିଁ । ଭାରତୀୟ ସେନା ଏହାର ପ୍ରମାଣ ପାଇ ସାରି ଥିବା ମୂଳରୁ ଦାବି କରି ଆସୁଛି । ଦୁଇ ଯବାନଙ୍କୁ ହତ୍ୟା କରି ସେମାନଙ୍କ ଶରୀରକୁ ବିଭତ୍ସ ଭାବେ କ୍ଷତବିକ୍ଷତ କରିବା ଏବଂ ସେମାନଙ୍କ ମୁଣ୍ଡ କାଟି ନେବା ଭଳି ଅମାନୁଷିକ କାର୍ଯ୍ୟ ବିଏଟି ହିଁ କରିପାରେ ବୋଲି ଭାରତୀୟ ସେନାର ମତ । ବିଏଟି (ବର୍ଡ଼ର ଆକ୍ସନ୍ ଟିମ୍) ହେଉଛି ପାକିସ୍ତାନ ସେନାର ଏକ ଅତ୍ୟାଧୁନିକ ଓ ଉଚ୍ଚ ପ୍ରଶିକ୍ଷୀତ ଗରିଲା ବାହିନୀ । ବିଏଟିରେ ଅତ୍ୟାଧୁନିକ ଗରିଲା ଯୁଦ୍ଧ ନିପୁଣ ପାକିସ୍ତାନୀ ସୈନ୍ୟଙ୍କ ସହ କିଛି ଆତଙ୍କବାଦୀ ସାମିଲ ଥାଆନ୍ତି । ସେନା ଓ ଆତଙ୍କୀଙ୍କ ମିଳିତ ଟିମ୍ ଶତ୍ରୁ ପକ୍ଷକୁ ବିଶେଷ କ୍ଷତି ପହଂଚାାଇବା ସହ ଶତ୍ରୁ ଯବାନଙ୍କ ଶରୀରକୁ ଖଣ୍ଡବିଖଣ୍ଡ କରିବା ଏବଂ ମୁଣ୍ଡ କାଟି ନେବା ଭଳି ଘୃଣ୍ୟ କାର୍ଯ୍ୟ କରିବାରେ ସିଦ୍ଧହସ୍ତ । ତେଣୁ, କ୍ରିଷ୍ଣା ସେକ୍ଟରରେ ସୋମବାର ଘଟି ହୋଇଥିବା ଆକ୍ରମଣ ବିଏଟିର ସଂପୃକ୍ତକୁ ପ୍ରମାଣିତ କରୁଛି ବୋଲି ଭାରତୀୟ ସାମରିକ ବିଶେଷଜ୍ଞଙ୍କ ମତ । ଘଟଣା ସ୍ଥଳରୁ ମିଳି ଥିବା ରକ୍ତ ଛିଟା, ଘୋଷଡା ଚିହ୍ନ ଏହା ପ୍ରମାଣିତ କରୁଛି ବୋଲି ସେମାନେ କହିଛନ୍ତି । ଆକ୍ରମଣକାରୀମାନେ କେଉଁ ରାସ୍ତା ଦେଇ ଆସିଲେ ଏବଂ ଏହି ବର୍ବର କାଣ୍ଡ ଘଟାଇ କେଉଁ ବାଟ ଦେଇ ପାକ୍ ଅଧିକୃତ କାଶ୍ମୀରକୁ ଫେରିଲେ, ତାହା ଘଟଣାସ୍ଥଳରୁ ମିଳି ଥିବା ରକ୍ତଛିଟାରୁ ସ୍ପଷ୍ଟ ହେଉଥିବା ଭାରତୀୟ ସେନା କହିଛି ।
ମିଳିଥିବା ସୂଚନା ଅନୁଯାୟୀ, କ୍ରିଷ୍ଣା ସେକ୍ଟର ସୀମାନ୍ତ ଆକ୍ରମଣ ଅତ୍ୟନ୍ତ ଅତର୍କିତ ଥିଲା । ପାଟ୍ରୋଲିଂ କରୁଥିବା ବିଏସଏଫ ୨୦୦ ବାଟାଲିୟନ ଓ ୨୨ ଶିଖ୍ ରେଜିମେଂଟର ୧୦ ଜଣିଆ ଟିମ୍ ଉପରେ ଆତଙ୍କୀଙ୍କ ଆକ୍ରମଣ ବେଳେ ସେମାନଙ୍କ ଉପରେ ପାଲଟା ଆକ୍ରମଣର ସୁଯୋଗ ମିଳି ନଥିଲା । ସୀମାନ୍ତରେ ମୁତୟନ ଥିବା ପାକ୍ ସେନା ସେମାନଙ୍କୁ ସୁରକ୍ଷା ଦେବାୁ ଯାଇ ଭାରତୀୟ ଘାଟି ଉପରକୁ ପ୍ରବଳ ଗୁଳିଗୋଳା ମାଡ଼ କରିଥିଲେ । ବିଏଟିର ଆକ୍ରମଣରେ ମୃତ ଭାରତୀୟ ଯବାନ ଦ୍ୱୟ ହେଲେ -୨୨ ଶିଖ୍ ରେଜିମେଂଟ୍ର ଜେସିଓ ପରମଜିତ୍ ସିଂହ ଓ ବିଏସଏଫ ୨୦୦ ବାଟାଲିଅନ୍ର ହେଡ୍ କନେଷ୍ଟବଳ ପ୍ରେମ ସାଗର । ପରମଜିତ୍ଙ୍କ ଘର ପଂଜାବର ତରନତରନରେ ହୋଇଥିବା ବେଳେ ପ୍ରେମ୍ ସାଗର ହେଉଛନ୍ତି ୟୁପିର ଦେଓରିଆ ବାସିନ୍ଦା । ଭାରତୀୟ ସେନା ପାକ୍ ଗୁଳିଗୋଳା ଆକ୍ରମଣର ପାଲଟା ଜବାବରେ ଶତ୍ରୁପକ୍ଷର ଦୁଇଟି ବଂକର ଧ୍ୱଂସ କରିବା ସହ ୭ ପାକ୍ ସୈିନ୍ୟଙ୍କୁ ମାରିଥିବା ତକ୍ରାଳ ଦାବି କରିଛି । ତେବେ,ଏହା ପରିବର୍ତୀ କାର୍ଯ୍ୟାନୁଷ୍ଠାନ ସନ୍ତୋଷଜନକ ନୁହେଁ । ପାକିସ୍ତାନର ଏହି ବର୍ବରତାର ଉଚିତ ଜବାବ ଦିଆଯିବ ବୋଲି ଦେଶର ପ୍ରତିରକ୍ଷା ମନ୍ତ୍ରୀ ଅରୁଣ ଜେଟଲୀ ଘୋଷଣା କରିବାର ଚାରି ଦିନ ପରେ ଜାମ୍ମୁ-କଶ୍ମୀରର ସୀମାନ୍ତ ସୋପିଆନା ଓ ପୁଲୱାମ୍ ଜିଲ୍ଲାରେ ସୁରକ୍ଷା ବଳ ପକ୍ଷରୁ ଜୋରଦାର ଆତଙ୍କବାଦୀ ଦମନ କାର୍ଯ୍ୟାନୁଷ୍ଠାନ ଆରମ୍ଭ ହୋଇଛି । କିନ୍ତୁ, ପାକିସ୍ତାନ ବିରୋଧରେ ସିଧାସଳଖ ଭାରତୀୟ କାର୍ଯ୍ୟାନୁଷ୍ଠାନ ହେବା ଆଶା କମ ବୋଲି ଜଣାପଡ଼ୁଛି । ଭାରତର ରଣକୌଶଳ କଣ ହେବ, ତାହା ଜଣାପଡୁ ନ ଥିବା ବେଳେ ସାମରିକ ବିଶେଷଜ୍ଞମାନେ ଆଉ ଏକ ସର୍ଜିକାଲ୍ ଷ୍ଟା୍ରଇକ୍ ସମ୍ଭାବନାକୁ ଅନୁମୋଦନ କରୁଥିବା ଖବରକାଗଜ ରିପୋର୍ଟରୁ ସୂଚନା ମିଳୁଛି । ପାକ୍ ବିରୋଧୀ କାର୍ଯ୍ୟାନୁଷ୍ଠାନ ନେଇ ଭାରତର ମନ୍ଥରତାର କାରଣ କାହାରି ଚାପ ନୁହେଁ ତ ? ଏଭଳି ଆଶଙ୍କା ପ୍ରକାଶ ପାଇବା ଅନୁଚିତ ହେବନାହିଁ ।
ଉରି ସେନା ଛାଉଣୀ ଉପରେ ଆତଙ୍କବାଦୀ ଆକ୍ରମଣ ପରେ ଭାରତ ପାକ୍ ଅଧିକୃତ କଶ୍ମୀରରେ ସର୍ଜିକାଲ୍ ଷ୍ଟ୍ରାଇକ୍ କରି ଦେଶବାସୀଙ୍କୁ ଚକିତ କରି ଦେଇଥିଲା । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଶାସନରେ ହିଁ ଏହା ସମ୍ଭବ ବୋଲି ଦେଶବାସୀଙ୍କ ମନରେ ବିଶ୍ୱାସ ସୃଷ୍ଟି ହୋଇଥିଲା । ପାକିସ୍ତାନ ଏହି କାର୍ଯ୍ୟାନୁଷ୍ଠାନକୁ ନେଇ କ୍ଷୁବ୍ଧ ଥିଲା । ତେଣୁ, ବିଏଟି ଦ୍ୱାରା ଆଉ ଏକ ନାରକୀୟ କାଣ୍ଡ ଘଟାଇଲା । ବିଏଟି କାର୍ଯ୍ୟାନୁଷ୍ଠାନରେ ମାତ୍ର ଦୁଇ ଜଣ ଯବାନଙ୍କ ମୃତ୍ୟୁ ଘଟି ଥିବାରୁ ସର୍ଜିକାଲ୍ ଷ୍ଟ୍ରାଇକ୍ ଭଳି କାର୍ଯ୍ୟାନୁଷ୍ଠାନର ହେବା ନେଇ ସାମରିକ ବିଶେଷଜ୍ଞଙ୍କ ମଧ୍ୟରେ ଭିନ୍ନ ମତ ପ୍ରକାା ପାଉଥିବା ସୂଚନା ମିଳିଛି । ତେବେ, ଭାରତୀୟ ଯବାନଙ୍କ ପ୍ରତି ହୋଇଥିବା ଅସମ୍ମାନ ଓ ବର୍ବରତାକୁ ଦେଖିଲେ ସର୍ଜିକାଲ୍ ଷ୍ଟ୍ରାଇକ୍ ଠାରୁ ଅଧିକ କିଛି ହେବା ଉଚିତ ବୋଲି ଦେଶବାସୀଙ୍କ ମତ । ଭାରତ ସରକାର ପରମାଣୁ ଶକ୍ତି ସଂପନ୍ନ ପାକିସ୍ତାନ ବିରୋଧରେ ହଠାତ୍ ଏଭଳି କିଛି କରିବାକୁ ବୋଧହୁଏ ଚାହୁଁ ନାହାନ୍ତି । ସମୟ ଆସିଲେ ଉଚିତ କାର୍ଯ୍ୟାନୁଷ୍ଠାନ ହେବ ଏବଂ କାର୍ଯ୍ୟାନୁଷ୍ଠାନ ପରେ ତାହା ଜନସାଧାରଣଙ୍କୁ ଜଣାଇ ଦିଆଯିବ ବୋଲି ଭାରତୀୟ ସେନା ମୁଖ୍ୟଙ୍କ ବିବୃତି ଦେଶବାସୀଙ୍କୁ କିଛିଟି ଆଶ୍ୱସ୍ତ କରିଛି । ଦଳାଇଲାମାଙ୍କୁ କେନ୍ଦ୍ର କରି ଭାରତ ଓ ଚୀନ ମଧ୍ୟରେ ଏବେ ସଂପର୍କ ଅଧିକ ତୀକ୍ତ ହୋଇଥିବା ବେଳେ ଚୀନ ପାକିସ୍ତନ ପ୍ରତି ଉଦାର ମନୋଭାବ ପୋଷଣ କରି ଆସୁଥିବାରୁ ଭାରତ ଭାବିଚିନ୍ତି ଯାହା କିଛି ପଦକ୍ଷେପ ନେବ ବୋଲି ଆଶା କରାଯାଉଛି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଜାମ୍ମୁ-କଶ୍ମୀର ଉରୀ ସେନା ଛାଉଣୀ ଉପରେ ଆତଙ୍କୀ ଆକ୍ରମଣର ଉଚିତ ଜବାବ ଦେଇ ଯେଭଳି ଦେଶବାସୀଙ୍କ ପ୍ରଶଂସାର ପାତ୍ର ହେଲେ ସେଭଳି ଆଉ ଏକ କାର୍ଯ୍ୟାନୁଷ୍ଠାନର ସମୟ ଆସିଛି । ସରକାର ଏହାର ସୁଯୋଗ ନେବା ଉଚିତ । ତାହା ହେଲେ ହିଁ ଭାରତର ସମ୍ମାନ ବଢିବା ଓ ୨୦୧୯ ସାଧାରଣ ନିର୍ବାଚନରେ ସମଗ୍ର ଦେଶକୁ ଗେରୁଆ ରଂଗରେ ରଂଗାଇବାକୁ ମୋଦୀଜୀ ଦେଖିଥିବା ସ୍ୱପ୍ନ ସାକାର ହୋଇପାରିବ ।

LETTER FROM THE EDITOR: A SPECIAL THANKS TO OUR READERS
LETTER FROM THE EDITOR: A SPECIAL THANKS TO OUR READERS