ଦେଶରେ କରୋନା ମୃତ୍ୟୁ ସଂଖ୍ୟା ୪, କଟକଣା ବଢିଲା
ପ୍ରସାଦ ରାଓ
୧୯ ମାର୍ଚ୍ଚ
ଆଜି ପଂଜାବରେ ଜଣେ ୭୦ ବର୍ଷ ବୟସ୍କ ବୃଦ୍ଧଙ୍କ ମୃତ୍ୟୁ ଘଟିବା ପରେ ଦେଶରେ କରୋନା ଜନିତ ମୃତ୍ୟୁ ସଂଖ୍ୟା ୪ରେ ପହଂଚିଛି । ମୃତ ବ୍ୟକ୍ତି ଜଣକ ଜର୍ମାନରୁ ଇଟାଲି ଦେଇ ଭାରତ ଫେରିବା ପରେ ଅସୁସ୍ଥ ହୋଇ ଚିକିତ୍ସାଧିନ ଥିଲେ । ପୂର୍ବରୁ ଦିଲ୍ଲୀ, କର୍ଣ୍ଣାଟକ ଓ ମହାରାଷ୍ଟ୍ରରେ ତିନି ଜଣଙ୍କ ମୃତ୍ୟୁ ଘଟିଥିଲା । ଦେଶରେ କରୋନା ସଂକ୍ରମିତଙ୍କ ସଂଖ୍ୟା ଗୁରୁବାର ଅପରାହ୍ନ ସୁଦ୍ଧା ୧୬୬ରେ ପହଂଚି ଥିବା ବେଳେ କାଲିଠାରୁ ମୁମ୍ବାଇରେ ଡ଼ବା ବାଲାଙ୍କ ସେବା ବନ୍ଦ କରାଯାଉଥିବା ସରକାର ସୂଚନା ଦେଇଛନ୍ତି । ୬୫ ବର୍ଷରୁ ଅଧିକ ବୟସର ବ୍ୟକ୍ତି ଏବଂ ୧୦ ବର୍ଷରୁ କମ୍ ବୟସର ପିଲାମାନେ କରୋନା ଦ୍ୱାରା ଆକ୍ରାନ୍ତ ହେବା ଆଶଙ୍କା ଅଧିକ ରହୁ ଥିବାରୁ ସେମାନେ ଘରୁ ପଦାକୁ ନ ବାହାରିବାକୁ ଆଜି କେନ୍ଦ୍ର ସରକାର ଆଡଭାଇଜରୀ ଜାରି କରିଛନ୍ତି । ସରକାର ସିବିଏସଇ ଓ ଆଇସିଏସଇ ପରୀକ୍ଷା ମାର୍ଚ୍ଚ ୩୧ ତାରିଖ ପର୍ଯ୍ୟନ୍ତ ବାତିଲ କରିଥିବା ବେଳେ ବିଭିନ୍ନ ବିଶ୍ୱବିଦ୍ୟାଳୟକୁ ମାର୍ଚ୍ଚ ୩୧ ପର୍ଯ୍ୟନ୍ତ ପରୀକ୍ଷା ସବୁ ପରୀକ୍ଷା ସ୍ଥଗିତ ରଖିବାକୁ ୟୁଜିସି ପକ୍ଷରୁ ନିର୍ଦେଶ ଦିଆଯାଇଛି । ବୁଧବାର ସୁଦ୍ଧା ୧୮ଟି ନୂଆ କରୋନା ଭାଇରସ୍ ପଜେଟିଭ କେଶ୍ ସାମନାକୁ ଆସିବା ପରେ କେନ୍ଦ୍ର ସରକାର ଅଧିକ ସତର୍କତାମୂଳକ ପଦକ୍ଷେପ ଗ୍ରହଣ କରିଛନ୍ତି । ଆଜି ସୁଦ୍ଧା ଭାରତରେ ଯେଉଁ ୧୬୬ଟି କରୋନା ସଂକ୍ରମଣ କେଶ୍ ସାମନାକୁ ଆସିଛି ସେଥିରୁ ୧୪୧ଟି ରେ ଭାରତୀୟ ସଂପୃକ୍ତ ଥିବା ବେଳେ ୨୫ ବିଦେଶୀ ସଂକ୍ରମିତ ଥିବା ଜଣାପଡିଛି । ମହାରାଷ୍ଟ୍ରରେ ସର୍ବାଧିକ ୪୨ ଜଣ ଆକ୍ରାନ୍ତ ହୋଇଥିବା ବେଳେ କେରଳରେ ୨୫ ଜଣ, ୟୁପିରେ ୧୬ଜଣ, କର୍ଣ୍ଣାଟକରେ ୧୪ ଜଣ, ଦିଲ୍ଲୀରେ ୧୧ ଜଣ ଏବଂ କେନ୍ଦ୍ର ଶାସିତ ଅଂଚଳ ଲଦାଖରେ ୮ ଜଣ ସଂକ୍ରମିତ ଥିବା ରେକର୍ଡ ହୋଇଛି । କେନ୍ଦ୍ର ସରକାରଙ୍କ ବୈଦେଶିକ ବ୍ୟାପାର ରାଷ୍ଟ୍ରମନ୍ତ୍ରୀ ଭି. ମୂରଲୀଧରନ ଗତକାଲି (ବୁଧବାର) ଲୋକସଭାରେ ଲିଖିତ ବିବୃତି ଦେଇ କହିଛନ୍ତି ଯେ, ବିଦେଶରେ ୨୭୬ ଜଣ ଭାରତୀୟ କରୋନା ଭାଇରସ୍ ଦ୍ୱାରା ଆକ୍ରାନ୍ତ ହୋଇଛନ୍ତି । ୨୫୫ ଜଣ ଭାରତୀୟ ଇରାନରେ ଆକ୍ରାନ୍ତ ଥିବା ବେଳେ ୟୁଏଇରେ ୧୨ ଜଣ, ଇଟାଲୀରେ ୫ ଜଣ, ଶ୍ରୀଲଂକା, ରାୱାଣ୍ଡା, ହଂଗକଂଗ ଓ କୁଏତରେ ଜଣେ ଲେଖାଏଁ ଆକ୍ରାନ୍ତ ଅଛନ୍ତି । ଲଦାଖ ସ୍କାଉଟ୍ ର ଜଣେ ସୈନିକ ମଧ୍ୟ କରୋନା ଦ୍ୱାରା ସଂକ୍ରମିତ ହୋଇଥିବା ସୂଚନା ମିଳିଛି । ଇରାନରୁ ଫେରି ଥିବା ତାଙ୍କ ପିତାଙ୍କ ସଂସ୍ପର୍ଶରେ ଆସି ସୈନିକ ଜଣକ ଆକ୍ରାନ୍ତ ହୋଇଥିବା ଆର୍ମି ପକ୍ଷରୁ କୁହାଯାଇଛି । ଏହା ପରେ ଆର୍ମିର ଟ୍ରେନିଂ କାର୍ଯ୍ୟକ୍ରମ ବନ୍ଦ କରିଦିଆଯାଇଛି । କରୋନା ଆତଙ୍କ ଯୋଗୁ ମାର୍ଚ୍ଚରେ ୬୦ ପ୍ରତିଶତ ରେଳ ଟିକଟ ବାତିଲ ହୋଇଥିବା ଭାରତୀୟ ରେଳବାଇ ସୂଚନା ମିଳିଥିବା ବେଳେ ଦିଲ୍ଲୀରେ ସମସ୍ତ ରେସ୍ତୁରାଂଟ ଉପରେ ସରକାରୀ କଟକଣା ଜାରି ହୋଇଛି । ଗ୍ରାହକ ରେସ୍ତୁରାଂଟରେ ବସି ଖାଇବା ଉପରେ ରୋକ୍ ଲାଗିଛି । ତେବେ, ରେସ୍ତୁରାଂଟରୁ ଖାଇବା ଆଣି ଘରେ ଖାଇ ହେବ ବୋଲି ସରକାରଙ୍କ ପକ୍ଷରୁ କୁହାଯାଇଛି । ବିଦେଶରୁ ଆସୁଥିବା ସମସ୍ତ ବିମାନ ଉପରେ ୨୨ ମାର୍ଚ୍ଚରୁ ସରକାର ରୋକ୍ ଲଗାଇ ଥିବା ଆଜି ସନ୍ଧ୍ୟାରେ ଖବର ମିଳିଛି । ବିଶ୍ୱର ବିଭିନ୍ନ ଦେଶରେ ଆଜି ସୁଦ୍ଧା କରୋନାରେ ୮,୮୦୦ ଜଣଙ୍କ ମୃତ୍ୟୁ ଘଟିଲାଣି ।
LETTER FROM THE EDITOR: A SPECIAL THANKS TO OUR READERS
LETTER FROM THE EDITOR: A SPECIAL THANKS TO OUR READERS