ନିର୍ଭୟା ଦୋଷୀଙ୍କୁ ଫାଶୀ କାଲି ଭୋରରେ !
ପ୍ରସାଦ ରାଓ
୧୯ ମାର୍ଚ୍ଚ
ବହୁ ଚର୍ଚ୍ଚିତ ନିର୍ଭୟା ଗଣ ଦୁଷ୍କର୍ମ ଓ ହତ୍ୟା ମାମଲାରେ ଦୋଷୀ ସାବ୍ୟସ୍ତ ମୁକେଶ ସିଂହ, ବିନୟ ଶର୍ମା, ପବନ ଗୁପ୍ତା ଓ ଅକ୍ଷୟ ଠାକୁରଙ୍କୁ କାଲି (୨୦ ତାରିଖ) ଭୋର ୫ଟା ୩୦ ମିନିଟରେ ଫାଶୀ ଦିଆଯିବା ଏକପ୍ରକାର ନିଶ୍ଚିତ ହୋଇଯାଇଛି । ସେମାନଙ୍କ ଦ୍ୱାରା ଦିଲ୍ଲୀର ପାଟିଆଲା ହାଉସ କୋର୍ଟ ଓ ଦେଶର ସର୍ବୋଚ୍ଚ ନ୍ୟାୟାଳୟ ସୁପ୍ରିମ କୋର୍ଟରେ ହୋଇଥିବା ସମସ୍ତ ଆବେଦନ ଖାରଜ ହୋଇ ଥିବାରୁ ପୁନଃ ଫାଶୀ ଟଳିବାର ଆଶା କ୍ଷୀଣ ଥିବା ଜଣାପଡିଛି । ଦୋଷୀ ସାବ୍ୟସ୍ତ ବ୍ୟକ୍ତିମାନେ ମୃତ୍ୟୁଦଣ୍ଡକୁ ଆଜୀବନ କାରାଦଣ୍ଡରେ ପରିବର୍ତନ କରିବାକୁ ପାତିଆଲା ହାଉସ କୋର୍ଟରେ ଯେଉଁ ଆବେଦନ କରିଥିଲେ ତାହା ଆଜି ପାତିଆଲା ହାଉସ୍ କୋର୍ଟ ଖାରଜ କରି ପୂର୍ବରୁ ଜାରି କରି ଥିବା ‘ମୃତ୍ୟୁ ପରୱାନା’କୁ କାଏମ ରଖିଛନ୍ତି । ୨୦ ତାରିଖ ଭୋର ୫ଟା ୩୦ ମିନିଟରେ ସେମାନଙ୍କୁ ଏକାଠି ଫାଶୀ ଦେବାକୁ କୋର୍ଟ ପୂର୍ବରୁ ଯେଉଁ ‘ଡ଼େଥ୍ ୱାରେଂଟ’ ଜାରି କରି ଥିଲେ ତାହା କାଏମ ରଖି ଥିବା ବେଳେ ସେମାନଙ୍କ ରାଜକ୍ଷମା ଆବେଦନକୁ ରାଷ୍ଟ୍ରପତି ଖାରଜ କରିଦେବା ଆଇନ ସମ୍ମତ ନୁହେଁ ବୋଲି ହୋଇଥିବା ଆବେଦନ ଉପରେ ସୁପ୍ରିମ କୋର୍ଟରେ ଅପରାହ୍ନରେ ଶୁଣାଣୀ ଚାଲିଛି । ଦୋଷୀମାନେ କରୋନା ଭାଇରସ୍ ର ଦ୍ୱାହି ଦେଇ ଏଭଳି ପରିସ୍ଥିତିରେ ସେମାନଙ୍କୁ ଫାଶୀ ଦିଆଯିବା ଅନୁଚିତ ହେବ ବୋଲି ସେମାନଙ୍କ ଓକିଲଙ୍କ ଜରିଆରେ କୋର୍ଟରେ ଯୁକ୍ତି ରଖି ଥିଲେ । ତେବେ, କୋର୍ଟ ତାହାକୁ ଗ୍ରହଣ କରି ନାହାନ୍ତି । ୨୦୧୨ ଡ଼ିସେମ୍ବର ୧୬ ତାରିଖରେ ଏହି ଗଣଦୁଷ୍କର୍ମ ଘଟି ଥିଲା । ସେହି ରାତିରେ ଦିଲ୍ଲୀରେ ଏକ ଚଳନ୍ତା ବସ୍ ଭିତରେ ସେମାନେ ଏହି ଲୋମଟାଂକୁରା ଗଣଦୁଷ୍କର୍ମ ଘଟଣା ଘଟାଇ ଥିଲେ । ଗଣଦୁଷ୍କର୍ମ ପରେ ନିର୍ଭୟାଙ୍କୁ ମୃତ ଭାବି ରାସ୍ତାରେ ଫିଙ୍ଗି ଦିଆଯାଇଥିଲା । ତେବେ, ଗୁରୁତର ଅବସ୍ଥାରେ ନିର୍ଭୟା ହସପିଟାଲରେ ଚିକିତ୍ସାଧିନ ରହି ଶେଷରେ ଶେଷ ନିଶ୍ୱାସ ତ୍ୟାଗ କରିଥିଲେ । ଏହି ଘଟଣା ଦେଶବ୍ୟାପୀ ହଇଚଇ ସୃଷ୍ଟି କରିବା ପରେ ପୁଲିସ ମୋଟ ୬ ଜଣଙ୍କୁ ଗିରଫ କରି ମକଦ୍ଦମା ଚଳାଇ ଥିଲେ । ଦୋଷୀ ସାବ୍ୟସ୍ତ ହୋଇଥିବା ୬ ଜଣଙ୍କ ମଧ୍ୟରୁ ଜଣେ ତିହାର ଜେଲରେ ଆତ୍ମହତ୍ୟା କରିଥିବା ବେଳେ ଅନ୍ୟ ଜଣେ ଘଟଣା ସମୟରେ ନାବଳକ ଥିବାରୁ ଜୁଭେନାଇଲ କୋର୍ଟରେ ସର୍ବାଧିକ ୩ ବର୍ଷ ଜେଲ ଦଣ୍ଡରେ ଦଣ୍ଡିତ ହୋଇ ସଜା ଭୋଗି ମୁକୁଳି ସାରିଛି । ତିହାର ଜେଲରେ ଫାଶୀ ଅପେକ୍ଷାରେ ଥିବା ବାକି ଚାଣି ଜଣ ଫାଶୀରୁ ବର୍ତିବା ପାଇଁ ନିଜ ନିଜ ଓକିଲଙ୍କ ଜରିଆରେ ସବୁ ପ୍ରକାର ଗଳା ବାଟକୁ ବ୍ୟବହାର କରି ତାହାର ଫାଇଦା ନେଇ ସାରିଛନ୍ତି । ତେବେ, ସେମାନଙ୍କ ପଇଁତରା ସରିନି । ତିନି ତିନି ଥର ଡ଼େଥ୍ ୱାରେଂଟ ଜାରି ସତ୍ୱେ ସେମାନେ ଫାଶୀକୁ ଟାଳିବାରେ ସକ୍ଷମ ହୋଇଛନ୍ତି । ଟ୍ରାଏଲ୍ କୋର୍ଟ ଚତୁର୍ଥ ଥର ପାଇଁ ଫାଶୀ ତାରିଖ ଧାର୍ଯ୍ୟ କରି ଥିବା ବେଳେ ତାହାକୁ ମଧ୍ୟ ଟାଳିବାର ପଇଁତରା ଚାଲିଛି । ତେବେ, ଏଥର ଫାଶୀ ଟଳିବା ସମ୍ଭାବନା ଆଶା କ୍ଷୀଣ ଥିବା ସ୍ପଷ୍ଟ ହେଲାଣି । କାଲି ଭୋରରେ ସେମାନଙ୍କୁ ତିହାର ଜେଲରେ ଫାଶୀ ଦିଆଯିବା ନିଶ୍ଚିତ ବୋଲି ଅପରାହ୍ନ ସୁଦ୍ଧା ସୂଚନା ମିଳିଛି ।
LETTER FROM THE EDITOR: A SPECIAL THANKS TO OUR READERS
LETTER FROM THE EDITOR: A SPECIAL THANKS TO OUR READERS