ଦେଶରେ କରୋନା ମୃତ୍ୟୁ ସଂଖ୍ୟା ୩୮, ଶ୍ରମଜୀବୀଙ୍କୁ ନେଇ ସରକାର କାଠଗଡ଼ାରେ
ପ୍ରସାଦ ରାଓ
ଏପ୍ରିଲ ୦୧
ଭାରତରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ଆଜି ସୁଦ୍ଧା ୧୬୩୭କୁ ବୃଦ୍ଧି ପାଇ ଥିବା ସମୟରେ ମୃତ୍ୟୁ ସଂଖ୍ୟା ୩୮କୁ ବୃଦ୍ଧି ପାଇଛି । ଏହି ଭାଇରସ୍ ଦ୍ୱାରା ଆକ୍ରାନ୍ତ ୧୩୨ ଜଣ ସୁସ୍ଥ ହୋଇ ଫେରି ଥିବା ବେଳେ ସଂକ୍ରମିତ ଅବସ୍ଥାରେ ଥିବା ରୋଗୀଙ୍କ ସଂଖ୍ୟା ରହିଛି ୧୪୬୬ । କୋଭିଡ଼-୧୯ର ମୁକାବିଲା ପାଇଁ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାର ଦେଶବ୍ୟାପୀ ‘ଲକ୍ ଡ଼ାଉନ’କୁ ଅଧିକ କଡାକଡି କରିଛନ୍ତି । କରୋନା ଭାଇରସ୍ ଦ୍ୱାରା ଆକ୍ରାନ୍ତ ରୋଗୀଙ୍କୁ ସେବା କରୁଥିବା ସ୍ୱାସ୍ଥ୍ୟ କର୍ମୀମାନେ କୌଣସି ଦୃଷ୍ଟିରୁ ଦେଶର ସୀମାନ୍ତରେ କାର୍ଯ୍ୟ କରୁଥିବା ସୈନିକଙ୍କ ଠାରୁ କମ୍ ନୁହନ୍ତି ବୋଲି ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରୀୱାଲ ଆଜି ମନ୍ତବ୍ୟ ଦେବା ସହ ଏହି ଭାଇରସ୍ ଆକ୍ରନ୍ତ ରୋଗୀଙ୍କୁ ଚିକିତ୍ସା କରୁଥିବା କୌଣସି ସ୍ୱାସ୍ଥ୍ୟ କର୍ମୀଙ୍କ ଅକାଳ ମୃତ୍ୟୁ ଘଟିଲେ ସେମାନଙ୍କ ପରିବାରକୁ ୧ କୋଟି ଟଙ୍କା ଲେଖାଏଁ ସରକାର ଦେବେ ବୋଲି ଅପରାହ୍ନରେ ଘୋଷଣା କରିଛନ୍ତି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏପ୍ରିଲ ୧୫ ପର୍ଯ୍ୟନ୍ତ ଦେଶବ୍ୟାପୀ ‘ଲକ୍ ଡ଼ାଉନ୍’ ଘୋଷଣା କରିବା ପରଠାରୁ ସର୍ବାଧିକ କ୍ଷତିଗ୍ରସ୍ତ ହୋଇଛନ୍ତି ଦେଶର ବିଭିନ୍ନ ରାଜ୍ୟରେ କାମଧନ୍ଦା ଓ ଛୋଟମୋଟ ବ୍ୟବସାୟ କରି ପରିବାର ପ୍ରତିପୋଷଣ କରୁଥିବା ଲକ୍ଷ ଲକ୍ଷ ଶ୍ରମଜୀବୀ । ସଂପୂର୍ଣ୍ଣ ଲକ୍ ଡ଼ାଉନ୍ ଫଳରେ ଶିଳ୍ପ ଓ ବ୍ୟବସାୟ ସଂସ୍ଥା ସବୁ ବନ୍ଦ ହୋଇଯାଇଛି । ଛୋଟ କାଟିଆ ବେପାର ମଧ୍ୟ ସଂପୂର୍ଣ୍ଣ ଠପ୍ ହୋଇ ଯାଇଛି । କାମଧନ୍ଦା ଓ ବ୍ୟବସାୟ ହରାଇବା ପରେ ବାସହରା ଅବସ୍ଥାରେ ସେମାନେ ଅଖିଆଅପିଆ ନିଜ ନିଜ ଗ୍ରାମ ଅଭିମୁଖେ ଛୁଟିଛନ୍ତି । ‘ଲକ୍ ଡ଼ାଉନ୍’ ସେମାନଙ୍କୁ ରୋକିବାରେ ସକ୍ଷମ ହୋଇ ନାହିଁ । ଟ୍ରେନ୍ ଓ ବସ୍ ସେବା ଠପ୍ ଯୋଗୁ ଏହି ଶ୍ରମଜୀବୀମାନେ ଶହ ଶହ ସଂଖ୍ୟାରେ ପାଦରେ ଚାଲି ଚାଲି ନିଜ ନିଜ ଗ୍ରାମରେ ପହଂଚିବାକୁ ଉଦ୍ୟମ କରୁଥିବା ଦୃଷ୍ଟିରୁ ସେହିମାନଙ୍କ ମାଧ୍ୟମରେ କରୋନା ଭାଇରସ୍ ସଂକ୍ରମଣ ବ୍ୟାପିବା ଆଶଙ୍କା ବହୁଗୁଣିତ ହୋଇଛି । କେନ୍ଦ୍ର ସରକାରଙ୍କ ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ଏହାକୁ ନେଇ ଚିନ୍ତାରେ । ବିଭିନ୍ନ ରାଜ୍ୟର ସରକାର ମଧ୍ୟ ଶ୍ରମଜୀବୀଙ୍କ ସୁଅକୁ ଦେଖି ଆତଙ୍କିତ । ଏହାକୁ ରୋକିବା ପାଇଁ ସେମାନେ ନିଜ ନିଜ ରାଜ୍ୟର ସୀମାନ୍ତକୁ ସିଲ୍ କରି ଦେଲେଣି । ରାଜ୍ୟ ଭିତରେ ମଧ୍ୟରେ ଜିଲ୍ଲାରୁ ଜିଲ୍ଲାକୁ ଯୋଡୁ ଥିବା ସୀମାକୁ ସିଲ୍ କରାଯାଇଛି । କାମଧନ୍ଦା ହରାଇ କପର୍ଦ୍ଦକଶୂନ୍ୟ ଅବସ୍ଥାରେ ଅସହାୟ ଭାବେ ନିଜ ନିଜ ପୈତୃକ ଗ୍ରାମକୁ ଫେରୁ ଥିବା ଏହି ଶ୍ରମକିଙ୍କୁ ବାଟରେ ଅଟକା ଯାଇ ଖାଦ୍ୟପେୟ ଯୋଗାଇବାର ବିଳମ୍ବିତ ଉଦ୍ୟମ ହୋଇଥିଲେ ମଧ୍ୟ ଯୋଗାଯୋଗର ଅଭାବ ଓ ଅବହେଳା ସେମାନଙ୍କ ସ୍ଥିତିକୁ ଅଧିକ ଦୟନୀୟ କରିଛି । ଏହି ଶ୍ରମିକମାନଙ୍କ ଦୟନୀୟ ଚିତ୍ର କେନ୍ଦ୍ର ସରକାରଙ୍କ ଦୂରଦୃଷ୍ଟିର ଅଭାବକୁ ସ୍ପଷ୍ଟ ପ୍ରତିଫଳିତ କରୁଛି ବୋଲି ସାଧାରଣରେ ସମାଲୋଚନା ହେଉଛି । ବିଳମ୍ବରେ ହେଲେ ମଧ୍ୟ କେନ୍ଦ୍ର ସରକାରଙ୍କ ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ଏହି ଶ୍ରମଜୀବୀଙ୍କ କଥା ଚିନ୍ତା କରିବା ଆରମ୍ଭ କରିଛି । ଦେଶର ବିଭିନ୍ନ ପ୍ରାନ୍ତରୁ ନିଜ ନିଜ ରାଜ୍ୟ ଓ ଗ୍ରମାକୁ ଫେରୁଥିବା ଏହି ଶ୍ରମଜୀବୀମାନେ କାମଧନ୍ଦା ନ ଥିବାରୁ, ପକେଟରେ ଖର୍ଚ୍ଚ କରିବା ପାଇଁ ଅର୍ଥ ନ ଥିବାରୁ ଏବଂ ଯୋଗଯୋଗ ବ୍ୟବସ୍ଥା ସଂପୂର୍ଣ୍ଣ ଠପ୍ ଥିବାରୁ ମାନସିକ ଦୃଷ୍ଟିରୁ ଉଦବିଗ୍ନ । ସାମାଜିକ, ମାନସିକ ଓ ପାରିବାରିକ ସମସ୍ୟାକୁ ନେଇ ସେମାନେ ଚାପରେ ଥିବରୁ ସରକାର ତୁରନ୍ତ ସେମାନଙ୍କୁ ସାମାଜିକ ସୁରକ୍ଷା ଯୋଗାଇ ଦେବା ନିତାନ୍ତ ଆବଶ୍ୟକ ବୋଲି କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟର ଏକ ଚିଠା ପ୍ରସ୍ତାବରେ କୁହାଯାଇଛି । ମନ୍ତ୍ରଣାଳୟର ପ୍ରସ୍ତାବରେ କୁହାଯାଇଛି ଯେ, ଘରବାହୁଡା ଶ୍ରମଜୀବୀମାନେ କେବଳ ରୋଜଗାର ହରାଇ ନାହାନ୍ତି; ସେମାନଙ୍କ ନିକଟରେ ଖାଦ୍ୟ, ମୁଣ୍ଡ ଉପରେ ଛାତ ନାହିଁ । ‘ଲକ୍ ଡ଼ାଉନ୍’ ଘୋଷଣା ପରେ ଯିଏ ଯେଉଁଠି ଅଛନ୍ତି ସେଇଠି ରହି ଯାଆନ୍ତୁ ଓ ସଂଗରୋଧକୁ କଡାକଡି ପାଳନ କରନ୍ତୁ ବୋଲି ପ୍ରଧାନମନ୍ତ୍ରୀ ବାର୍ତା ଦେଇଥିଲେ ମଧ୍ୟ ନିଯୁକ୍ତିଦାତା ଓ ଘର ମାଲିକମାନେ ତାହାକୁ ଖାତିର ନ କରି ଶ୍ରମଜୀବୀଙ୍କୁ ନିଜ ନିଜ ଭାଗ୍ୟକୁ ଧରି ଚାଲିବାକୁ ଛାଡି ଦେଇଛନ୍ତି । କର୍ମସଂସ୍ଥାନ ଓ ବାସହରା ହରା ହୋଇ ରାସ୍ତାକୁ ଚାଲି ଆସି ଥିବା ଏହି ଶ୍ରମଜୀବୀମାନେ ସ୍ୱାସ୍ଥ୍ୟ ସେବା ଠାରୁ ବହୁ ଦୂରରେ । ବିଭିନ୍ନ ରାଜ୍ୟ ସେମାନଙ୍କ ସୀମାକୁ ସିଲ୍ କରି ସୀମା ପର୍ଯ୍ୟନ୍ତ ପହଂଚି ଥିବା ଶ୍ରମଜୀବୀଙ୍କୁ ସଂଗରୋଧରେ ରହିବାକୁ ବାଧ୍ୟ କରୁ ଥିବାରୁ ସଂପୃକ୍ତ ଶ୍ରମଜୀବୀଙ୍କ ମାନସିକ ଚାପ ମଧ୍ୟ ବଢୁଛି । ସାମାଜିକ ସ୍ତରରେ ବାଚ୍ଛନ୍ଦ ହେବାର ଭୟ ଓ ଆଶଙ୍କା ସମେତ ପରିବାରର ଭବିଷ୍ୟତକୁ ନେଇ ଚିନ୍ତା ସେମାନଙ୍କୁ ଅନିଶ୍ଚୟତା ଭିତରକୁ ଠେଲି ଦେଇଛି । ଏହି ଅବସ୍ଥାରେ ସେମାନଙ୍କୁ ସମ୍ମାନରସହ ଦୃଢ ସାମାଜିକ ନିରାପତ୍ତା ଯୋଗାଇ ଦେବାର ଆବଶ୍ୟକତା ରହିଛି । ସରକାର ସମୂହ ଭାବରେ ନୁହେଁ, ବ୍ୟକ୍ତିଗତ ଭାବେ ପ୍ରତି ଶ୍ରମିକର ସ୍ଥିତିକୁ ଅନୁଧାନ କରି ମାନସିକ ଚାପ ଦୂର କରିବା ଦିଗରେ ଉଦ୍ୟମ କରିବାକୁ ଏବଂ ସେମାନଙ୍କ ପରିବାରର ନିରାପତ୍ତାକୁ ନେଇ ସୁନିଶ୍ଚିତ କରିବାକୁ ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ପ୍ରସ୍ତାବ ଦେଇଛି । କେଉଁ ଭଳି ଏକ ଅସ୍ୱାଭାବିକ ପରିସ୍ଥିତି ଦେଇ ଆଜି ଦେଶ ଗତି କରୁଛି ଏବଂ ଏଭଳି ‘ଲକ୍ ଡ଼ାଉନ୍’ ଘୋଷଣା ହୋଇଛି ସେ ସଂପର୍କରେ ମଧ୍ୟ ଏହି ଶ୍ରମଜୀବୀମାନଙ୍କୁ ଅଧିକ ସଚେତନ କରାଯିବାର ଆବଶ୍ୟକତା ରହିଛି ବୋଲି ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ଚିଠା ପ୍ରସ୍ତାବରେ କୁହାଯାଇଛି । ତେବେ, ଚିଠା ପ୍ରସ୍ତାବ ଉପରେ ସରକାର କିଭଳି ପଦକ୍ଷେପ ନେବାକୁ ଯାଉଛନ୍ତି ତାହା ସ୍ପଷ୍ଟ ହୋଇ ନାହିଁ । କିଛି ଦିନ ହେଲା ନିଜ ନିଜ ରାଜ୍ୟ ଓ ଗ୍ରମକୁ ଫେରିବାକୁ ସଂଘର୍ଷ କରୁଥିବା ଶ୍ରମଜୀବୀମାନଙ୍କ ଦୂର୍ଦ୍ଦଶା ସଂପର୍କିତ ଭିଜୁଆଲ୍ ଓ ରିପୋର୍ଟ ବିଭିନ୍ନ ବୈଦ୍ୟୁତିକ ଗଣମାଧ୍ୟମରେ ପ୍ରସାରିତ ହେବା ପରେ ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ସଚେତନ ହୋଇଥିବା ବେଳେ ସରକାର ନୀରବ ଦ୍ରଷ୍ଟା ରହିଥିବା ଚିନ୍ତାର କାରଣ ହୋଇଛି । ଲକ୍ ଡ଼ାଉନ୍ ଘୋଷଣା କରିବା ପୁର୍ବରୁ ପ୍ରଧାନମନ୍ତ୍ରୀ ମୋଦୀ ଓ ତାଙ୍କ ସରକାର ଏଭଳି ପରିସ୍ଥିତି ସୃଷ୍ଟି ହେବାର ଆକଳନ କରିବା ସହ ଆଗୁଆ କାର୍ଯ୍ୟପନ୍ଥା ନିର୍ଦ୍ଧାରଣ କରିବା ଉଚିତ ଥିଲା ବୋଲି ସାଧାରଣ ଲୋକଙ୍କ ମଧ୍ୟରେ ଆଲୋଚନା ହେଉଛି ।
LETTER FROM THE EDITOR: A SPECIAL THANKS TO OUR READERS
LETTER FROM THE EDITOR: A SPECIAL THANKS TO OUR READERS