ଦେଶରେ ତାଲାବନ୍ଦ ଅବଧି ବଢିବ !


ପ୍ରସାଦ ରାଓ
ଭୁବନେଶ୍ୱର
୨୭ ଏପ୍ରିଲ୍
ଭୁବନେଶ୍ୱର: ଦେଶରେ ତାଲାବନ୍ଦ ଅବଧି ବଢିବ – ଏହା ଏକପ୍ରକାର ନିଶ୍ଚିତ ହୋଇଯାଇଛି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ସହ ଆଜି ୯ଟି ରାଜ୍ୟର ମୁଖ୍ୟମନ୍ତ୍ରୀଙ୍କ ଭିଡ଼ିଓ କନ୍ଫରେନ୍ସିଂ ପରେ ଏଭଳି ସୂଚନା ମିଳୁଛି । ଆଲୋଚନାରେ ଭାଗ ନେଇଥିବା ଅଧିକାଂଶ ମୁଖ୍ୟମନ୍ତ୍ରୀ ବର୍ତମାନ ସ୍ଥିତିରେ ଦେଶରେ ତାଲାବନ୍ଦ ଅବଧି ବୃଦ୍ଧି କରାଯିବା ସପକ୍ଷରେ ଯୁକ୍ତି ଉପସ୍ଥାପନ କରିଛନ୍ତି । ତେବେ, ତାଲାବନ୍ଦ ଚାଲୁ ରଖାଯାଇ ରାଜ୍ୟମାନଙ୍କୁ ସେମାନଙ୍କ ଅର୍ଥନୀତିକୁ ସୁଧୁରିବାକୁ ସୁଯୋଗ ଦେବାକୁ କେନ୍ଦ୍ର ସରକାର ଅନୁମତି ଦିଅନ୍ତୁ ବୋଲି ଦାବି କରିଛନ୍ତି ।
କୋଭିଡ଼-୧୯ର ସଫଳ ମୁକାବିଲା ପାଇଁ ଦେଶରେ ୩୦ ଦିନରୁ ଅଧିକ ହେଲା ଜାରି ଥିବା ତାଲାବନ୍ଦର ଅବଧି ମେ’ ୩ ରେ ସରିବାକୁ ଯାଉଥିବା ବେଳେ ସଂକଟ ଟଳି ନ ଥିବାରୁ ଦେଶ ଅଧିକ ଦିନ ତାଲାବନ୍ଦ ଭିତରେ ରହିବା ପ୍ରାୟ ସବୁ ମୁଖ୍ୟମନ୍ତ୍ରୀ ଚାହୁଛନ୍ତି । ଏହି ଅବଧି ଦୁଇରୁ ଚାରି ସପ୍ତାହ ପର୍ଯ୍ୟନ୍ତ ବଢାଯିବା ସକାଶେ ମୁଖ୍ୟମନ୍ତ୍ରୀମାନେ ପ୍ରଧାନମନ୍ତ୍ରୀଙ୍କ ନିକଟରେ ମତ ଉପସ୍ଥାପନ କରିଥିବା ଜଣାପଡିଛି । ଓଡ଼ିଶାରେ ଅନ୍ତତଃ ଆଉ ମାସେ ପର୍ଯ୍ୟନ୍ତ ତାଲାବନ୍ଦ ଲାଗୁ ରହିବା ଆବଶ୍ୟକ ବୋଲି ପ୍ରଧାନମନ୍ତ୍ରୀଙ୍କ ସହ ଆଲୋଚନା ପରେ ଓଡ଼ିଶାର ସ୍ୱାସ୍ଥ୍ୟ ମନ୍ତ୍ରୀ ନବ ଦାସ ଦେଇଥିବା ମନ୍ତବ୍ୟରୁ ଓଡ଼ିଶା ସରକାରଙ୍କ ମତିଗତି ସ୍ପଷ୍ଟ ହେଉଛି । କେବଳ ଓଡ଼ିଶା ନୁହେଁ ଅନ୍ୟୁନ ଚାରିଟି ରାଜ୍ୟର ମୁଖ୍ୟମନ୍ତ୍ରୀ ଅନୁରୂପ ମତ ଦେଇଥିବା ସୂଚନା ମିଳିଛି । ରାଜ୍ୟ ମୁଖ୍ୟମନ୍ତ୍ରୀମାନେ ତାଲାବନ୍ଦ ଅବଧି ବଢାଇବା ସପକ୍ଷରେ ଥିଲେ ମଧ୍ୟ ନିଜ ନିଜ ରାଜ୍ୟରେ ଅର୍ଥନୀତିକୁ ସୁଧାରିବାକୁ ମଧ୍ୟ ବ୍ୟଗ୍ର ଥିବା ଜଣାପଡିଛି । ପ୍ରଧାନମନ୍ତ୍ରୀ ତାଲାବନ୍ଦ ଜାରି ରଖନ୍ତୁ, ତେବେ ଦେଶ ଓ ରାଜ୍ୟମାନଙ୍କୁ ଅର୍ଥନୀତିକୁ ସୁଧାରିବା ଆଣିବା ପଦକ୍ଷେପ ସହାୟକ ହୁଅନ୍ତୁ ବୋଲି ଅଧିକାଂଶ ମୁଖ୍ୟମନ୍ତ୍ରୀ ପରାମର୍ଶ ଦେଇଛନ୍ତି । ଓ
ଓଡ଼ିଶା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଲୋଚନାରେ ଭାଗ ନେଇ କୋଭିଡ଼-୧୯କୁ ନେଇ ଦେଶରେ ଯେଉଁ ଭୟଙ୍କର ପରିସ୍ଥିିତି ସୃଷ୍ଟି ହୋଇଛି ତାହାକୁ ଅତ୍ୟନ୍ତ ସ୍ପର୍ଶକାତର ବୋଲି କହିଛନ୍ତି । ତେବେ, ରାଜ୍ୟମାନଙ୍କ ଅର୍ଥନୀତି ସୁଧୁରିବା ମଧ୍ୟ ଗୁରୁତ୍ୱପୂର୍ଣ୍ଣ ହୋଇଥିବାରୁ କେନ୍ଦ୍ର ସରକାରଙ୍କ ନୀତି ଆୟୋଗ ଏଦିଗରେ କିଛି ଫଳପ୍ରଦ ପ୍ରସ୍ତାବ ନେଇ ଆଗକୁ ଆସୁ ବୋଲି ପ୍ରଦାନମନତ୍ରୀଙ୍କୁ ପରାମର୍ଶ ଦେଇଛନ୍ତି । ଦେଶରେ ତାଲାବନ୍ଦ ଅବ୍ୟାହତ ରହୁ, ତା’ ସହିତ ରାଜ୍ୟମାନଙ୍କୁ ରାଜ୍ୟ ଭିତରେ ଅର୍ଥନୈତିକ କାର୍ଯ୍ୟକଳାପ ଚାଲୁ ରଖିବାକୁ ଅନୁମତି ଦିଆଯାଉ ବୋଲି ମୁଖ୍ୟମନ୍ତ୍ରୀ ପଟ୍ଟନାୟକ ପ୍ରଧାନମନ୍ତ୍ରୀଙ୍କୁ ପରାମର୍ଶ ଦେଇଛନ୍ତିି । କୋଭିଡ଼-୧୯ର ମୁକାବିଲା ପାଇଁ ସମଗ୍ର ଦେଶ ଏକାଠି ହୋଇ କାମ କରୁଛି । ସାମାଜିକ ଦୂରେଇ ବଜାୟ ରଖିବା ଦିଗରେ ସ୍କୁଲ, କଲେଜ, ଧାର୍ମିକ ସ୍ଥଳ, ପର୍ଯ୍ୟଟନ ସ୍ଥଳ, ମଲ୍ ଭଳି ବୃହତ୍ ବ୍ୟବସାୟିକ ପ୍ରତିଷ୍ଠାନ ସଂପୂର୍ଣ୍ଣ ବନ୍ଦ ରହିଲେ ଚଳିବ । ତେବେ, ଅତ୍ୟାବଶ୍ୟକ ଅର୍ଥନୈତିକ କାର୍ଯ୍ୟକଳାପ ଚାଲୁ ରହିବା ଆବଶ୍ୟକ ବୋଲି ମୁଖ୍ୟମନ୍ତ୍ରୀ କହିଥିବା ଜଣାପଡିଛି ।
ଦେଶବ୍ୟାପୀ ଚାଲି ଥିବା ଦ୍ୱିତୀୟ ପର୍ଯ୍ୟାୟ ତାଲାବନ୍ଦ ୩ ତାରିଖ ସରିବାକୁ ଯାଉଥିବା ବେଳେ ବିଭିନ୍ନ ରାଜ୍ୟର ମୁଖ୍ୟମନ୍ତ୍ରୀଙ୍କ ସହ ପ୍ରଧାନମନ୍ତ୍ରୀ ମୋଦୀଙ୍କ ଆଜିର ଚତୁର୍ଥ ପର୍ଯ୍ୟାୟ ଭିଡ଼ିଓ କନଫରେନ୍ସିଂ ବେଶ୍ ଗୁରୁତ୍ୱପୂର୍ଣ୍ଣ । ମେ’ ୩ ତାରିଖ ପରେ କେନ୍ଦ୍ର ଓ ରାଜ୍ୟ ସରକାରମାନେ କିଭଳି ଭାବେ ପରିସ୍ଥିତିର ମୁକାବିଲା କରିବାକୁ ଚାହୁଁଛନ୍ତି ତାହା ଉପରେ ଆଜିର ଆଲୋଚନା ପର୍ଯ୍ୟବସିତ ଥିଲା । ଇତିମଧ୍ୟରେ, ଦେଶରେ କରୋନାର ସଂକ୍ରମଣ ବଢିଛି ଓ ଦେଶବ୍ୟାପୀ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୨୭, ୮୯୨ରେ ପହଂଚିଛି । ଦେଶରେ କରୋନା ଜନିତ ମୃତ୍ୟୁସଂଖ୍ୟା ପାଖାପାଖି ୯୦୦ରେ ପହଂଚିଛି ।
ଆଜିର ଆଲୋଚନାରେ ଓଡ଼ିଶା ସମେତ ବିହାର, ଗୁଜରାଟ, ହରିୟାନା, ମେଘାଳୟ, ହିମାଚଳ ପ୍ରଦେଶ, ପୁଡୁଚେରୀ, ମିଜୋରାମ, ଉତ୍ତରାଖଣ୍ଡର ମୁଖ୍ୟମନ୍ତ୍ରୀ ଭାଗ ନେଇଥିଲେ । ସାମାଜିକ ଦୂରତ୍ୱ ବଜାୟ ରଖିବା ସକାଶେ ତାଲାବନ୍ଦ କୌଶଳ ସହ ବିଭିନ୍ନ ରାଜ୍ୟରେ ଆର୍ଥନୀତିକୁ ଆଗେଇ ନେବା ଦିଗରେ କିଭଳି ପଦକ୍ଷେପମାନ ନିଆଯିବା ଆବଶ୍ୟକ, ତାହା ଉପରେ ଆଲୋଚନା ହୋଇଥିଲା । କରୋନାକୁ ରୋକିବା ପାଇଁ ରାଜ୍ୟ ସରକାରମାନେ କେନ୍ଦ୍ର ସହ ପାଦ ମିଳାଇ କାର୍ଯ୍ୟ କରୁଥିବାରୁ ପ୍ରଧାନମନ୍ତ୍ରୀ ରାଜ୍ୟମାନଙ୍କୁ ପ୍ରଶଂସା କରିଛନ୍ତି । ବିଶେଷକରି, ଓଡ଼ିଶା ସରକାର ସଫଳତାର ସହ କରୋନା ଭାଇରସ୍ ରୋଗର ମୁକାବିଲା କରିପାରି ଥିବାରୁ ଓଡ଼ିଶା ସରକାରଙ୍କୁ ପ୍ରଧାନମନ୍ତ୍ରୀ ବଧାଇ ଜଣାଇଛନ୍ତି । ଓଡ଼ିଶା ମୁଖ୍ୟମନ୍ତ୍ରୀ ଗତ ଦୁଇ ପର୍ଯ୍ୟାୟ ତାଲାବନ୍ଦ ନିଜ ଆଡୁ ଆଗୁଆ ଲାଗୁ କରି ରାଜ୍ୟରେ କରୋନାକୁ ନିୟନ୍ତ୍ରଣ କରିବାରେ ସଫଳ ହୋଇଛନ୍ତି । ମେ’ ୩ ତାରିଖ ପରେ ତାଲାବନ୍ଦ ଅବଧି ବଢାଇବା ସପକ୍ଷରେ ଓଡ଼ିଶା ଥିବା ଆଜି ସୂଚାଇ ଦିଆଯାଇଛି । ଅନ୍ୟ ରାଜ୍ୟ ମୁଖ୍ୟମନ୍ତ୍ରୀଙ୍କ ମଧ୍ୟରେ ମେଘାଳୟ ମୁଖ୍ୟମନ୍ତ୍ରୀ କନରାଡୋ ସାଂଗାମା ମେ’ ୩ ପରେ ମଧ୍ୟ ମେଘାଳୟରେ ତାଲାବନ୍ଦ ଅବ୍ୟାହତ ରହିବ ବୋଲି ଜଣାି ଦେଇଛନ୍ତି । ତେବେ, ରାଜ୍ୟର ଗ୍ରୀନ୍ ଜୋନ୍ ଓ କେରାନା ସଂକ୍ରମଣ ହୋଇ ନ ଥିବା ଜିଲ୍ଲାମାନଙ୍କରେ କଟକଣା କୋହଳ କରାଯାଇ ଅର୍ଥନୈତିକ କାର୍ଯ୍ୟକଳାପ ଚାଲୁ ରଖାଯିବ ବୋଲି ସେ ସ୍ପଷ୍ଟ କରିଛନ୍ତି ।
ଭିଡ଼ିଓ କନ୍ଫରେନ୍ସିଂ ସମୟରେ ପ୍ରଧାନମନ୍ତ୍ରୀ ମୋଦୀ ‘ଦୋ ଗଜ୍ ଦୁରି’ ସ୍ଲୋଗାନକୁ ଦୋହରାଇବା ସହ ସାମାଜିକ ଦୂରତ୍ୱ ବଜାୟ ରଖିବା ଓ ସମସ୍ତେ ମୁହଁକୁ ମାସ୍କ୍ ରେ ଢାଂକିବା ଉପରେ ଗୁରୁତ୍ୱ ଦେଇଥିଲେ । ଉତ୍ତରାଖଣ୍ଡ ମୁଖ୍ୟମନ୍ତ୍ରୀ ତାଲାବନ୍ଦ ଅବଧିରେ ଅର୍ଥନୈତିକ କାର୍ଯ୍ୟକଳାପକୁ ଆଗେଇ ନେବା ସକାଶେ ରାଜ୍ୟରେ ଏକ ମନ୍ତ୍ରୀସ୍ତରୀୟ କମିଟି ଓ ଏକ ବିଶେଷଜ୍ଞ କମିଟି ଗଠନ କରାଯାଇଥିବା ସୂଚନା ଦେଇଥିଲେ । ଗୁଜରାଟ ମୁଖ୍ୟମନ୍ତ୍ରୀ ବିଜୟ ରୂପାନୀ ଦେଶର ସ୍ୱାର୍ଥ ଦୃଷ୍ଟିରୁ ତାଲାବନ୍ଦ ଅବଧି ବଢାଯିବା ସପକ୍ଷରେ ମତ ଦେବା ସହ କେନ୍ଦ୍ର ସରକାର ଯାହା ନିଷ୍ପତ୍ତି ନେବେ ଗୁଜରାଟ ସରକାର ତାହା ମାନିବେ ବୋଲି କହିଛନ୍ତି । ବିହାର ମୁଖ୍ୟମନ୍ତ୍ରୀ ନୀତୀଶ କୁମାର ଘର ଘର ବୁଲି ଲୋକଙ୍କ ସ୍କ୍ରିନିଂ କରାଯିବା ଉପରେ ଗୁରୁତ୍ୱ ଦେବା ସହ ବିହାରରେ ୪ ଲକ୍ଷ ଲୋକଙ୍କ ସ୍କ୍ରିନିଂ ସରି ଥିବା ସୂଚନା ଦେଇଥିଲେ । ଉତ୍ତରାଖଣ୍ଡ ମୁଖ୍ୟମନ୍ତ୍ରୀ ତାଲାବନ୍ଦ ଯୋଗୁ ରାଜ୍ୟର ପର୍ଯ୍ୟଟନ ଶିଳ୍ପ ବିଶେଷ କ୍ଷତିଗ୍ରସ୍ତ ହୋଇଥିବା କହିଥିଲେ ମଧ୍ୟ ‘ଆମେ ଆମ ଶିଳ୍ପ ଓ ଅର୍ଥନୀତିର ପୁନରୁଦ୍ଧାର କରିବାରେ ସକ୍ଷମ ହେବୁ’ ବୋଲି ପ୍ରଧାନମନ୍ତ୍ରୀଙ୍କୁ ଜଣାଇଛନ୍ତି । ଏହି ଭିଡ଼ିଓ କନ୍ଫରେନ୍ସିଂରେ କର୍ଣ୍ଣାଟକ ମୁଖ୍ୟମନ୍ତ୍ରୀ ବିଏସ ୟେଦୁରାପ୍ପା ପ୍ରଧାନମନ୍ତ୍ରୀଙ୍କ ସହ ଉପସ୍ଥିତ ଥିଲେ । ପୁଡୁଚୋରୀ ମୁଖ୍ୟମନ୍ତ୍ରୀ ଭି.ନାରାୟଣ ସ୍ୱାମୀ ରାଜ୍ୟର କରୋନା ଯୋଦ୍ଧାଙ୍କୁ ଆବଶ୍ୟକତା ଅନୁସାର ପିପିପି (ପର୍ସନାଲ ପ୍ରେଟେକ୍ଟେିଭ୍ ଇକ୍ୟୁପମେଂଟ) ଯୋଗାଇବା କ୍ଷେତ୍ରରେ ପ୍ରଧାନମନ୍ତ୍ରୀ ହସ୍ତକ୍ଷେପ ଚାହିଁ ଥିଲେ । ଦିଲ୍ଲୀରେ କରୋନା ସ୍ଥିତି ଉଦ୍ବେଗଜନକ ଥିବାରୁ ବର୍ତମାନ ଅବସ୍ଥାରେ ତାଲାବନ୍ଦ ପ୍ରତ୍ୟାହାର କରାଯିବା ସମ୍ଭବ ହେବ ନାହିଁ ବୋଲି ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରୀୱାଲ ଜଣାିଛନ୍ତି । ରାଜ୍ୟରେ ରବିବାର ଦିନ ନୂଆ ୨୯୩ କରୋନା ପଜେଟିଭ୍ କେସ୍ ଚିହ୍ନଟ ହେବା ସହ ଆକ୍ରାନ୍ତଙ୍କ ସଂଖ୍ୟା ୨୯୧୮ରେ ପହଂଚିଛି । ରାଜଧାନୀ ଦିଲ୍ଲୀରେ ବହୁ ଡାକ୍ତର ଓ ସ୍ୱାସ୍ଥ୍ୟକର୍ମୀ କରୋନା ଦ୍ୱାରା ସଂକ୍ରମିତ ହେଲେଣି । ତେଣୁ, ମୁଖ୍ୟମନ୍ତ୍ରୀ କେଜରୀୱାଲ ତାଲାବନ୍ଦ ଅବଧି ବଢାଯିବା ସପକ୍ଷରେ ମତଦେବା ସ୍ୱାଭାବିକ ।
ରବିବାର ଦିନ କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରୀ ହର୍ଷବର୍ଦ୍ଧନ ଦେଇଥିବା ସୂଚନା ଅନୁଯାୟୀ, ଦେଶରେ କୋଭିଡ଼-୧୯ର ସଂକ୍ରମଣ ବଢିଥିଲେ ମଧ୍ୟ ଦେଶର ୩୦୦ ଜିଲ୍ଲା ଏପର୍ଯ୍ୟନ୍ତ ସଂପୂର୍ଣ୍ଣ କରୋନା-ମୁକ୍ତ ରହିଛି । ୨୯୭ଟି ଜିଲ୍ଲାରେ କରୋନା ସଂକ୍ରମଣ ସୀମିତ କ୍ଷେତ୍ରରେ ରହିଛି । ଏହି ଜିଲ୍ଲାମାନଙ୍କରେ କୌଣସି ହଟସ୍ପଟ୍ ନାହିଁ, ୫ରୁ ଅଧିକ କରୋନା ସଂକ୍ରମଣ କେସ୍ ରହିଛି । ମାତ୍ର ୧୨୭ଟି ଜିଲ୍ଲା ଦେଶର ରେଡ୍ ଜୋନ୍ ବା କରୋନା ହଟସ୍ପଟ୍ ହୋଇ ରହିଛି । ମହାରାଷ୍ଟ୍ରରେ କରୋନା ସଂକ୍ରମଣ ସର୍ବାଧିକ । ସଂକ୍ରମିତଙ୍କ ସଂଖ୍ୟା ଚିନ୍ତାଜନକ ଭାବେ ବୃଦ୍ଧି ପାଉଛି । ତେଣୁ, ମୁମ୍ବାଇ ଓ ପୁନେରେ ତାଲାବନ୍ଦ ଅବଧି ମେ’ ୧୮ ପର୍ଯ୍ୟନ୍ତ ବୃଦ୍ଧି କରିବାକୁ ରାଜ୍ୟ ସରକାର ନିଷ୍ପତ୍ତି ନେଇଥିବା ମହାରାଷ୍ଟ୍ର ସ୍ୱାସ୍ଥ୍ୟ ମନ୍ତ୍ରୀ ରାଜେଶ ଟୋପେ ସୂଚନା ଦେଇଛନ୍ତି ।
ବିଭିନ୍ନ ରାଜ୍ୟରୁ ମିଳିଥିବା ଏଭଳି ଫିଡବ୍ୟାକ୍ ମେ’ ୩ ପରେ ମଧ୍ୟ କେନ୍ଦ୍ର ସରକାର ଦେଶରେ ତାଲାବନ୍ଦ ଅବ୍ୟାହତ ରଖିବା ନିଶ୍ଚିତ କରୁଛି । ଦେଶରେ ମାସେ କାଳ ତାଲାବନ୍ଦ ଯୋଗୁ ସବୁ ପ୍ରକାର ଅର୍ଥନୈତିକ କାର୍ଯ୍ୟକଳାପ ବନ୍ଦ ଥିଲା । ଶନିବାର ଦିନ କେନ୍ଦ୍ର ସରକାର ପ୍ରଥମ ଥର ଘରୋଇ ଅଂଚଳରେ ଆତ୍ୟାବଶ୍ୟକ ସାମଗ୍ରୀ ସହ ଅଣ-ଅତ୍ୟାବଶ୍ୟକ ସାମଗ୍ରୀ ବିକ୍ରୟ କରୁଥିବା ଦୋକାନୀଙ୍କ ଉପରୁ କଟକଣା ହଟାଇଛନ୍ତି । ତେବେ, ସିପିଂ ମଲ୍ରେ ଥିବା ଦୋକାନଗୁଡ଼ିକୁ ଏହି ଅନୁମତି ମିଳି ନାହିଁ । ପ୍ରଧାନମନ୍ତ୍ରୀ ମୋଦୀ ତାଙ୍କ ‘ମନ କି ବାତ୍’ କାର୍ଯ୍ୟକ୍ରମରେ ଦେଶବାସୀ ଏକ ଯୁଦ୍ଧର ମଧ୍ୟ ଭାଗରେ ଥିବା ସୂଚନାଇ ଦେଇ ଏହି ଭୟଙ୍କର ରୋଗରୁ ମୁକୁଳିବା ପାଇଁ ସତର୍କତା ଓ ପ୍ରତିଷେଧକ ବ୍ୟବସ୍ଥା ଉପରେ ଗୁରୁତ୍ୱ ଦେଇଥିଲେ । ଆଗାମୀ ଦିନରେ ତାହା ହିଁ ମୂଳମନ୍ତ୍ର ହେବ ଏବଂ ଦେଶବାସୀଙ୍କୁ ଅଧିକ ଦିନ ତାଲାବନ୍ଦ ଭିତରେ ରହିବାକୁ ପଡିବ । ଆଜିର ଦିନରେ ତାହା ଜଳଜଳ ଦିଶୁଛି ।

LETTER FROM THE EDITOR: A SPECIAL THANKS TO OUR READERS
LETTER FROM THE EDITOR: A SPECIAL THANKS TO OUR READERS