ଗଜପତି ଜିଲ୍ଲାବାସୀ ଆଶଙ୍କାରେ
ମୋଅନୁଭବ.କମ୍
୨୮ ଏପ୍ରିଲ୍
ଭୁବନେଶ୍ୱର: ଓଡ଼ିଶାର ଆଦିବାସୀ ଅଧ୍ୟୁଷିତ ଗଜପତି ଜିଲ୍ଲା ଆଜି ସୁଦ୍ଧା କରୋନା ମୁକ୍ତ ରହିଛି । ତେବେ, ପଡୋଶୀ ଆନ୍ଧ୍ର ପ୍ରଦେଶର ଶ୍ରୀକାକୁଲମ ଜିଲ୍ଲାରେ ୩ ଜଣ କରୋନା ଆକ୍ରନ୍ତଙ୍କୁ ଚିହ୍ନଟ କରାଯିବା ପରେ ଗଜପତି ଜିଲ୍ଲାକୁ ତାହା ସଂକ୍ରମିତ ହେବା ନେଇ ଜିଲ୍ଲା ପ୍ରଶାସନ ଆଶଙ୍କାରେ ରହିଛି । ଗଜପତି ଜିଲ୍ଲା ଆନ୍ଧ୍ର ସୀମାନ୍ତରେ । ଜିଲ୍ଲାର ଗୋଷାଣୀ ଓ କାଶୀନଗର ବ୍ଲକର ସ୍ଥିତି ଅତ୍ୟନ୍ତ ସ୍ପର୍ଶକାତ । ଏହି ଦୁଇ ବ୍ଲକ ଦେଇ ଗଜପତି ଜିଲ୍ଲାକୁ ଆସିବା ପାଇଁ ଅନ୍ୟୁନ ୨୮ଟି ଗଳାବାଟ ଓ ଚଲା ରାସ୍ତା ରହିଛି । ଜିଲ୍ଲାର ୮୦ କିମି ସୀମାନ୍ତ ଆନ୍ଧ୍ର ସହିତ ସଂଲଗ୍ନ । ତେଣୁ, କରୋନା ସଂକ୍ରମଣକୁ ରୋକିବା ପାଇଁ ଗଜପତି ଜିଲ୍ଲା ପ୍ରଶାସନ ଏହି ଚଲାରାସ୍ତା ଓ ଗଳାବାଟ ସବୁକୁ ଖୋଳିଖାଳି ଦେଲେଣି । ଏସବୁ ରାସ୍ତା ଦେଇ ଶ୍ରୀକାକୁଲମ ଜିଲ୍ଲାରୁ ଯାନବାହନ ଯେମିତି ଗଜପତି ଜିଲ୍ଲାରେ ପ୍ରବେଶ ନ କରି ପାରିବ ସେଥିପାଇଁ ରାସ୍ତା ଖୋଳି ଦେବା ଯୋଜନା କାର୍ଯ୍ୟକାରୀ ହୋଇଛି । ତଥାପି, ଏସବୁ ରାସ୍ତା ଦେଇ ଆନ୍ଧ୍ରରୁ ଗଜପତି ଜିଲ୍ଲାକୁ ଲୋକମାନେ ପଶି ଆସୁଥିବା ସୂଚନା ମିଳିଛି ।
ଗଜପତି ଜିଲ୍ଲାର ଅଧିକାଂଶ ବ୍ଲକ ଆଦିବାସୀ ଅଧ୍ୟୁଷିତ ଓ ଦୁର୍ଗମ । ପାରଳାଖେୁମୁଣ୍ଡି ସହର, ଗୋଷାଣୀ ବ୍ଲକ ଓ କାଶୀନଗର ବ୍ଲକ ହିଁ ପ୍ଲେନ୍ ଏରିଆରେ ଯାଉଛି । ଓଡ଼ିଶା ଅପେକ୍ଷା ଆନ୍ଧ୍ର ସହିତ ଏହି ଅଂଚଳବାସୀଙ୍କ ନିବିଡ଼ତା ଅଧିକ ଥିବାରୁ କରୋନା ଗଜପତି ଜିଲ୍ଲାର ପ୍ଲେନ୍ ଏରିଆ ଦେଇ ଆଦବାସୀ ଅଂଚଳରେ ପଶିବା ଆଶଙ୍କାକୁ ଏଡାଇ ହେବ ନାହିଁ । ଏଠାରେ ଉଲ୍ଲେଖନୀୟ ଯେ, ଆନ୍ଧ୍ର ସୀମାନ୍ତକୁ ଲାଗି ଥିବା କୋରାପୁଟ ଜିଲ୍ଲା ବିଳମ୍ବରେ ହେଲେ ସୁଦ୍ଧା ଓଡ଼ିଶାର କରୋନା ମାନଚିତ୍ରରେ ସ୍ଥାନ ପାଇଛି । ନିକଟରେ ଏହି ଜିଲ୍ଲାରୁ ଜଣେ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ଗଲା ମାସେ ହେଲା ରାଜ୍ୟର ୧୦ଟି ଜିଲ୍ଲା କରୋନା ମାନଚିତ୍ରରେ ଥିଲେ । ଖୋର୍ଦ୍ଧା ଜିଲ୍ଲା ଭୁବନେଶ୍ୱର ସହର ପାଇଁ ଅଧିକ ବଦନାମ । ଜିଲ୍ଲାରୁ ୪୬ଟି କରୋନା ପଜେଟିଭ୍ ଚିହ୍ନଟ ହୋଇଛି । ସବୁ ଭୁବନେଶ୍ୱରରୁ । ତେବେ, କିଛି ଦିନ ହେଲା ଏହି ସଂଖ୍ୟା ସ୍ଥିର ଥିବା ବେଳେ ଚିକିତ୍ସିତ ହେଉଥିବା ରୋଗୀଙ୍କ ମଧ୍ୟରୁ ଅଧିକାଂଶ ସୁସ୍ଥ ହେଲେଣି । ଏବେ ପଶ୍ଚିମ ବଂଗ ସୀମାନ୍ତ ଓଡ଼ିଶାର ବାଲେଶ୍ୱର, ଭଦ୍ରକ ଓ ଯାଜପୁର ଜିଲ୍ଲା ପାଇଁ ସଂକଟ ସୃଷ୍ଟି କରିଛି । ରାଜ୍ୟରେ କରୋନା ସଂକ୍ରମଣ ବଢିବାର ପ୍ରମୁଖ କାରଣ ହୋଇଛନ୍ତି ପଶ୍ଚିମ ବଂଗ ଫେରନ୍ତାମାନେ ।
୨୮ ତାରିଖ ସକାଳ ସୁଦ୍ଧା ରାଜ୍ୟର କରୋନା ପଜେଟିଭ୍ ଙ୍କ ସଂଖ୍ୟା ୧୧୮ରେ ପହଂଚିଛି । ସେଥିରୁ ୩୮ ଜଣ ଚିକିତ୍ସା ପରେ ସୁସ୍ଥ ହୋଇଥିବା ବେଳେ ଜଣକର ମୃତ୍ୟୁ ଘଟିଛି । ୭୯ ଜଣ ଚିକିତ୍ସାଧିନ ଅଛନ୍ତି । ବାଲେଶ୍ୱର ଜିଲ୍ଲାରେ୧୬ ଜଣ, ଭଦ୍ରକ ଜିଲ୍ଲାରେ ୧୯ ଜଣ, ଯାଜପୁର ଜିଲ୍ଲାରେ ୧୯ ଜଣ, ଖୋର୍ଦ୍ଧା ଜିଲ୍ଲାରେ ୪୬ ଜଣ, ସୁନ୍ଦରଗଡ଼ ଜିଲ୍ଲାରେ ୧୦ ଜଣ, କଳାହାଣ୍ଡି ଓ କେନ୍ଦ୍ରାପଡ଼ା ଜିଲ୍ଲାରେ ୨ ଜଣ ଲେଖାଏଁ ଏବଂ କଟକ, ଢେଙ୍କାନାଳ, ପୁରୀ ଓ କୋରାପୁଟ ଜିଲ୍ଲାରେ ଜଣେ ଲେଖାଏଁ କରୋନା ପଜେଟିଭ୍ ଙ୍କ ମଧ୍ୟରୁ ଖୋର୍ଦ୍ଧା ଜିଲ୍ଲାର ୨୬ ଜଣ, ଭଦ୍ରକ ଓ କଳାହାଣ୍ଡି ଜିଲ୍ଲର ୨ ଜଣ ଲେଖାଏଁ, ସୁନ୍ଦରଗଡ଼ ଜିଲ୍ଲାର ୩ ଜଣ, କେନ୍ଦ୍ରାପଡା, କଟକ, ଢେଙ୍କାନାଳ, ଯାଜପୁର ଓ ପୁରୀ ଜିଲ୍ଲାର ଜଣେ ଲେଖାଏଁ ରୋଗୀ ଚିକିତ୍ସା ପରେ ସୁସ୍ଥ ହୋଇଛନ୍ତି । ରାଜ୍ୟର ଏକମାତ୍ର କରୋନା ମୃତ୍ୟୁ ଖୋର୍ଦ୍ଧା ଜିଲ୍ଲା (ଭୁବନେଶ୍ୱରର ଝାରପଡ଼ା ଅଂଚଳ)ରେ ହୋଇଛି । ଓଡ଼ିଶାରେ ଏହି ସ୍ଥିତି ଥିବା ସମୟରେ ଦେଶରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୨୯, ୬୭୪କୁ ବୃଦ୍ଧି ପାଇଛି । ସେଥିରୁ ୭,୧୮୧ ଜଣ ଚିକିତ୍ସା ପରେ ସୁସ୍ଥ ହୋଇଛନ୍ତି ଏବଂ ୯୪୦ ଜଣଙ୍କ ମୃତ୍ୟୁ ଘଟିଛି । ଆକ୍ଟିଭ ରୋଗୀଙ୍କ ସଂଖ୍ୟା ପହଂଚିଛି ୨୧,୫୫୩ରେ ।
LETTER FROM THE EDITOR: A SPECIAL THANKS TO OUR READERS
LETTER FROM THE EDITOR: A SPECIAL THANKS TO OUR READERS