ରାଜସ୍ଥାନର କୋଟାରେ ଫସି ରହିଛନ୍ତି ୧୩ ଶହ ଓଡ଼ିଆ ଛାତ୍ରଛାତ୍ରୀ
ମୋଅନୁଭବ.କମ୍
୨୮ ଏପ୍ରିଲ୍
ଭୁବନେଶ୍ୱର: ମେଡ଼ିକାଲ, ଇଂଜିନିୟରିଂ ସମେତ ବିଭିନ୍ନ ଏଂଟ୍ରାନ୍ସ ପରୀକ୍ଷା ପାଇଁ କୋଚିଂ ଦେବାରେ ରାଜସ୍ଥାନର କୋଟା ସହର ଜଣାଶୁଣା । ଦେଶର ବିଭିନ୍ନ ଅଂଚଳର ମେଧାବୀ ଛାତ୍ରଛାତ୍ର କୋଚିଂ ପାଇଁ କୋଟା ଯିବାକୁ ପସନ୍ଦ କରିଥା’ନ୍ତି । କରୋନା ଭାଇରସ୍ ଭାରତରେ ତାଣ୍ଡବ ରଚାଇବା ପରେ କୋଟା ସହର ଏବେ ଛାତ୍ରଛାତ୍ରୀଙ୍କ ପାଇଁ ଏକ ଅଭିଶପ୍ତ ସହରରେ ପରିଣତ ହୋଇଛି । ତାଲାବନ୍ଦ ଯୋଗୁ ବିଭିନ୍ନ ରାଜ୍ୟର ଲକ୍ଷାଧିକ ଛାତ୍ରଛାତ୍ରୀ ସେଠାରେ ଫସି ରହିଛନ୍ତି । ତାଲାବନ୍ଦ ପାଇଁ ଦେଶରେ ବିମାନ, ରେଳ ଓ ଅନ୍ୟାନ୍ୟ ଯାତ୍ରୀ ପରିବହନ ସେବା ମାସାଧିକ ସମୟ ହେଲା ବନ୍ଦ ଥିବାରୁ ଛାତ୍ରଛାତ୍ରୀ ନିଜ ଘରକୁ ଫେରି ପାରୁ ନାହାନ୍ତି । ଖାଇବା ପିଇବା ଠାରୁ ଆରମ୍ଭ କରି ସବୁ ସମସ୍ୟାରେ ଘାଂଟି ହେଉଥିବା ଏହି ଛାତ୍ରଛାତ୍ରୀ ବିଭିନ୍ନ ଉପାୟରେ ନିଜ ନିଜ ରାଜ୍ୟର ସରକାରଙ୍କ ସହ ଯୋଗାଯୋଗ କରୁଛନ୍ତି । ସେମାନଙ୍କୁ ଉଦ୍ଧାର କରାଯିବାକୁ ମଧ୍ୟ ନିବେଦନ କରୁଛନ୍ତି ।
କୋଟା ସହରରେ ଫସି ରହିଥିବା ଓଡ଼ିଆ ଛାତ୍ରଛାତ୍ରୀ ଭିଡ଼ିଓ କଲିଂ ମାଧ୍ୟମରେ ରାଜ୍ୟ ସରକାରଙ୍କୁ ଗୁହାରୀ ଜଣାଇବା ସହ ସେମାନଙ୍କୁ ତୁରନ୍ତ ଓଡ଼ିଶା ଫେରାଇ ଆଣବା ଦିଗରେ ପଦକ୍ଷେପ ନିଆ ଯିବାକୁ ନିବେଦନ କରିଛନ୍ତି। ଓଡ଼ିଶା ସରକାର ଏସଂପର୍କରେ କିଛି ନିଷ୍ପତ୍ତି ନେଇ ନ ଥିବାରୁ ସେମାନଙ୍କ ଅଭିଭାବକବୃନ୍ଦ ନିଜ ନିଜ ଖର୍ଚ୍ଚରେ କୋଟା ଯାଇ ପିଲାଙ୍କୁ ଘରକୁ ଫେରାଇ ଆଣିବାକୁ ଅଡି ବସିଛନ୍ତି । ଦେଶରେ ତାଲାବନ୍ଦ କଟକଣା ଥିବାରୁ ସେମାନେ ଘରୋଇ ବ୍ୟବସ୍ଥାରେ ଗଲେ ମଧ୍ୟ ପିଲାଙ୍କୁ ଫେରାଇ ଆଣିବା ପାଇଁ ଗାଡିଘୋଡା ବ୍ୟବହାର ସକାଶେ ସରକାରଙ୍କ ଅନୁମତିପତ୍ର ଆବଶ୍ୟକ । ତେଣୁ, ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରୁ ଅନୁମତିପତ୍ର ହାସଲ କରିବା ସକାଶେ ଦୌଡ ଆରମ୍ଭ ହୋଇଛି । ତେବେ, ଏହା ରାଜ୍ୟର ସମସ୍ୟା ଏବଂ ରାଜ୍ୟ ସରକାର ହିଁ ଯାହା ନିଷ୍ପତ୍ତି ନେବେ କହି ଜିଲ୍ଲାପାଳମାନେ ଅଭିଭାବକମାନଙ୍କୁ ବୁଝାଉଛନ୍ତି ।
ୟୁପି ଓ ଛତିଶଗଡ଼ ସରକାର ସେସବୁ ରାଜ୍ୟର ଛାତ୍ରଛାତ୍ରୀଙ୍କୁ ସ୍ୱତନ୍ତ୍ର ବସ୍ ଯୋଗେ ନିଜ ନିଜ ରାଜ୍ୟକୁ ଫେରାଇ ନେଇ ଥିବାରୁ ଓଡ଼ିଶା ସରକାର ମଧ୍ୟ ସେଭଳି କିଛି ପଦକ୍ଷେପ ନେବାକୁ ଓଡ଼ିଶାର ଛାତ୍ରଛାତ୍ରୀ ଓ ଅଭିଭାବକଙ୍କ ଆଡୁ ଦାବି ହୋଇଛି । ରାୟଗଡ଼ା ଜିଲ୍ଲାର ଅଭିଭାବକମାନେ ଆଜି ସେଠାକାର ଜିଲ୍ଲାପାଳଙ୍କୁ ଭେଟି କୋଟାରେ ୧୨ରୁ ୧୩ ଶହ ଓଡ଼ିଆ ଛାତ୍ରଛାତ୍ରୀ ଫସି ରହିଥିବା ଜଣାଇଛନ୍ତି । ସେମାନଙ୍କୁ ଓଡ଼ିଶା ଫେରାଇ ଆଣିବା ଦିଗରେ ସରକାର ତୁରନ୍ତ ପଦକ୍ଷେପ ନେବାକୁ ସେମାନେ ନିବେଦନ କରିଛନ୍ତି । ରାଜ୍ୟର ବରିଷ୍ଠ କଂଗ୍ରେସ ନେତା ତଥା ବିଧାୟକ ନରସିଂହ ମିଶ୍ର ଆଜି ମୁଖ୍ୟମନ୍ତ୍ରୀଙ୍କୁ ଟ୍ୱିଟ୍ କରି କୋଟାରେ ଫସି ରହିଥିବା ଓଡ଼ିଶାର ଛାତ୍ରଛାତ୍ରୀଙ୍କୁ ସୁରକ୍ଷିତ ଭାବେ ଓଡ଼ିଶା ଫେରାଇ ଆଣିବା ଦିଗରେ ତୁରନ୍ତ ପଦକ୍ଷେପ ନିଆ ଯିବାକୁ ଅନୁରୋଧ କରି ଥିବା ଜଣାପଡିଛି । ଉଲ୍ଲେଖନୀୟ ଯେ, ପଶ୍ଚିମ ବଂଗ ମୁଖ୍ୟମନ୍ତ୍ରୀ ସୁଶ୍ରୀ ମମତା ବାନାର୍ଜୀ ମଧ୍ୟ ଗତକାଲି ପ୍ରଧାନମନ୍ତ୍ରୀଙ୍କୁ ଟ୍ୱିଟ୍ କରି କୋଟାରେ ଫସି ରହିଥିବା ନିଜ ରାଜ୍ୟର ଛାତ୍ରଛାତ୍ରୀଙ୍କ ସୁରକ୍ଷିତ ଭାବେ ଫେରାଇ ଆଣିବାରେ ତାଙ୍କୁ ସହଯୋଗ କରିବାକୁ ଅନୁରୋଧ କରିଥିଲେ ।
LETTER FROM THE EDITOR: A SPECIAL THANKS TO OUR READERS
LETTER FROM THE EDITOR: A SPECIAL THANKS TO OUR READERS