କରୋନା – କାହା ପାଇଁ ଦୁଃଖ ତ କାହା ପାଇଁ ଆଶ୍ୱସ୍ତି…
ପ୍ରସାଦ ରାଓ
୩୦ ଏପ୍ରିଲ୍
ଚୀନର ଉହାନ୍ ସହରରେ ଉତ୍ପନ୍ନ ହୋଇ ବିଶ୍ୱର ୨୦୦ରୁ ଅଧିକ ଦେଶକୁ ସଂକ୍ରମିତ କରି ଥିବା ନଭେଲ କରୋନା ଭାଇରସ୍ ଡ଼ିଜିଜ୍ ବା କୋଭିଡ଼-୧୯ କାହା ପାଇଁ ପ୍ରତିକୂଳ ପରିସ୍ଥିତି ଆଣିଛି କାହା ପାଇଁ ଅନୁକୂଳ ବାତାବରଣ ସୃଷ୍ଟି କରିଛି । ଭୟଙ୍କର କରୋନା ଭୂତାଣୁ ଦ୍ୱାରା ଏପ୍ରିଲ ୩୦ ତାରିଖ ସୁଦ୍ଧା ବିଶ୍ୱରେ ୨ ଲକ୍ଷ ୨୮ ହଜାର ୨୬୩ ଜଣଙ୍କ ମୃତ୍ୟୁ ଘଟି ଥିବା ବେଳେ ୩୨ ଲକ୍ଷ ୨୧ ହଜାର ୬୧୭ ଜଣ ସଂକ୍ରମିତ ହୋଇଛନ୍ତି । ଶକ୍ତିଶାଳୀ ରାଷ୍ଟ୍ର ଆମେରିକା ସବୁଠାରୁ ଅଧିକ ପ୍ରଭାବିତ ହୋଇଛି । ୟୁଏସ ୍ରେ ସର୍ବାଧିକ ୧୦ ଲକ୍ଷ ୬୪ ହଜାର ବ୍ୟକ୍ତି କରୋନାରେ ସଂକ୍ରମିତ ହୋଇଥିବା ବେଳେ ସ୍ପେନ୍ରେ ୨ ଲକ୍ଷ ୩୬ ହଜାର ୮୯୯, ଇଟାଲିରେ ୨ ଲକ୍ଷ ୦୩ ହଜାର ୫୦୫, ଫ୍ରାନ୍ସରେ ୧ ଲକ୍ଷ ୬୫ ହଜାର ୯୧୧ ଓ ବ୍ରିଟେନରେ ୧ ଲକ୍ଷ ୬୫ ହଜାର ୧୪୫ ସଂକ୍ରମିତ ହୋଇଥିବା ଆଜି ସକାଳ ସୁଦ୍ଧା ମିଳିଥିବା ତଥ୍ୟରୁ ଜଣାପଡିଛି । ଭାରତରେ ମଧ୍ୟ ଏହି ସଂକ୍ରମଣରୁ ବାଦ ପଡି ନାହିଁ । ଦେଶରେ ଗୁରୁବାର ସକାଳ ସୁଦ୍ଧା କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୩୩,୦୬୨କୁ ବୃଦ୍ଧି ପାଇଥିବା ବେଳେ ୧୦୭୯ ଜଣଙ୍କ ମୃତ୍ୟୁ ଘଟିଛି । କେନ୍ଦ୍ର ସରକାରଙ୍କ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରଣାଳୟ ଏହି ସୂଚନା ଦେଇଛନ୍ତି । ଗଲା ୨୪ ଘଂଟା ମଧ୍ୟରେ ଦେଶରେ ଅଧିକ ୧୭୧୮ ଜଣ ଆକ୍ରାନ୍ତ ହୋଇଥିବା ଓ ୬୭ ଜଣଙ୍କ ମୃତ୍ୟୁ ଘଟି ଥିବା ସରକାର କହିଛନ୍ତି ।
ଦେଶର ସର୍ବାଧିକ ପ୍ରଭାବିତ ରାଜ୍ୟଗୁଡିକ ହେଉଛନ୍ତି – ମହାରାଷ୍ଟ୍ର, ଗୁଜରାଟ, ଦିଲ୍ଲୀ, ମଧ୍ୟ ପ୍ରଦେଶ, ରାଜସ୍ଥାନ, ତାମିଲନାଡୁ ଏବଂ ଉତ୍ତରପ୍ରଦେଶ । ଗୁରୁବାର ସକାଳ ସୁଦ୍ଧା ମିଳିଥିବା ରିପୋର୍ଟ ଅନୁଯାୟୀ – କରୋନା ଦ୍ୱାରା ମହାରାଷ୍ଟ୍ରରେ ୯,୯୧୫ ଜଣ ସଂକ୍ରମିତ ହୋଇଥିବା ବେଳେ ଗୁଜରାଟରେ ୪,୦୮୨, ଦିଲ୍ଲୀରେ ୩,୪୩୯, ମଧ୍ୟ ପ୍ରଦେଶରେ ୨,୫୬୧, ରାଜସ୍ଥାନରେ ୨,୪୩୮, ତାମିଲନାଡୁରେ ୨,୧୬୨ ଓ ୟୁପିରେ ୨,୧୩୪ ଜଣ ସଂକ୍ରମିତ ହୋଇଛନ୍ତି । ଓଡ଼ିଶାରେ ଏହି ସଂଖ୍ୟା ରହିଛି ୧୨୮ । କୋଭିଡ଼-୧୯ର ମୁକାବିଲା ପାଇଁ ଏପର୍ଯ୍ୟନ୍ତ କୌଣସି ଭାକ୍ସିନ୍ ବାହାରି ନାହିଁ । ଆମେରିକାଠାରୁ ଆରମ୍ଭ କରି ଭାରତ ପର୍ଯ୍ୟନ୍ତ ସବୁ ଦେଶର ବୈଜ୍ଞାନିକ ଏହି ମାରାତ୍ମକ ଭୂତାଣୁକୁ ମୂଳପୋଛ କରିବା ସକାଶେ ବ୍ୟଗ୍ର । ଭାକ୍ସିନ୍ ଉଦ୍ଭାବନ ଦିଗରେ ଆମେରିକା, ବ୍ରିଟେନ ଓ ଭାରତ ଦିନରାତି ଏକାଠି କରି କାମ କରୁଛନ୍ତି । ଗବେଷଣା ଓ ପରୀକ୍ଷା କାର୍ଯ୍ୟ ଚାଲିଛି । ତେବେ, ସ୍ୱାସ୍ଥ୍ୟ ବିଶେଷଜ୍ଞଙ୍କ ଦ୍ୱାରା ଗ୍ରହଣଯୋଗ୍ୟ ହେଲା ଭଳି ଏକ ରୋଗ ପ୍ରତିଷେଧକ ଭାକ୍ସନ୍ କେବେ ବାହାରିବ ଓ ସର୍ବସାଧାରଣଙ୍କ ସେବାରେ ନିୟୋଜିତ ହେବ ତାହା କହିବା ସମ୍ଭବ ନୁହେଁ । ତେଣୁ, ଏହି ମାରାତ୍ମକ ଭୂତାଣୁ ଠାରୁ ଲୋକଙ୍କୁ ନିରାପଦ ଦୂରତ୍ୱରେ ରଖିବା ପାଇଁ ‘ତାଲାବନ୍ଦ’ ଓ ସଂପୂର୍ଣ୍ଣ ସଟ୍-ଡାଉନ୍ ଏକମାତ୍ର ମାଧ୍ୟମ ହୋଇଛି । ଜନସାଧାରଣ ଘର ଭିତରେ ଆବଦ୍ଧ ହୋଇ ରହିବା, ପରସ୍ପର ଠାରୁ ସାମାଜିକ ଦୂରତ୍ୱ ରକ୍ଷା କରିବା, ସଂକ୍ରମଣରୁ ଦୂରେଇ ରହିବା ପାଇଁ ହ୍ୟାଣ୍ଡ୍ ୱାସ୍ ବା ସାନିଟାଇଜର୍ ଦ୍ୱାରା ବାରମ୍ବାର ହାତକୁ ସଫା କରିବା ପାଇଁ ସରକାର ଜନସାଧାରଣଙ୍କୁ ପରାମର୍ଶ ଦେଉଛନ୍ତି । ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନର ଗାଇଡଲାଇନ୍ ମଧ୍ୟ ଏହା ହିଁ କହୁଛି।
ଜନସାଧାରଣରେ ଜବରଦସ୍ତ ସାମାଜିକ ଦୂରତ୍ୱ ବଜାୟ ରଖିବା ନିମନ୍ତେ ‘ସଟ୍ ଡାଉନ୍’ ଓ ‘ତାଲାବନ୍ଦ’ ଏକମାତ୍ର ଉପାୟ ହୋଇଥିବା ଦୃଷ୍ଟିରୁ କେନ୍ଦ୍ର ଓ ରାଜ୍ୟ ସରକାର ଦେଢ ମାସ ହେଲା ଏହି କୌଶଳ ପ୍ରୟୋଗ କରି ଲୋକଙ୍କୁ ଘର ଭିତରେ ଆବଦ୍ଧ ରଖିଛନ୍ତି । ୩୦ ଦିନରୁ ଅଧିକ ହେଲା ଦେଶ ତଥା ରାଜ୍ୟରେ ଶିଳ୍ପ, ବାଣିଜ୍ୟ, ଛୋଟବଡ ବ୍ୟବସାୟ, ରେଳ ସେବା, ବିମାନ ସେବା ଓ ସଡ଼କ ପଥରେ ଯାତ୍ରୀ ପରିବହନ ବନ୍ଦ ରହିଛି । ଶିଳ୍ପ ସଂସ୍ଥାଗୁଡିକର ଉତ୍ପାଦନ ସଂପୂର୍ଣ୍ଣ ବ୍ୟାହତ ହୋଇଛି । କ୍ଷୁଦ୍ର, ମଧ୍ୟମ ଓ ବୃହତ ବ୍ୟବସାୟୀ ପ୍ରତିଷ୍ଠାନଗୁଡ଼ିକ ଅଚଳ ହୋଇ ସମସ୍ତ ପ୍ରକାର ଅର୍ଥନୈତିକ କାରବାର ବନ୍ଦ ପଡିଛି । ଉଦ୍ୟୋଗୀଙ୍କ ସହ ସେମାନଙ୍କ କର୍ମଚାରୀ ଜୀବୀକା ହରାଇଛନ୍ତି, ସ୍କୁଲ କଲେଜ, ବିଶ୍ୱବିଦ୍ୟାଳୟରେ ଛାତ୍ରଛାତ୍ରୀଙ୍କ ଶିକ୍ଷା ବ୍ୟାହତ ହୋଇଛି । ସରକାରୀ ଓ ବେସରକାରୀ ସଂସ୍ଥାର କର୍ମଚାରୀ ଘରେ ବସି କାମ କରୁଛନ୍ତି ସତ, କିନ୍ତୁ ଅନିଶ୍ଚିତତା ଘେରି ରହିଛି । ଉତ୍ପାଦନ ବନ୍ଦ ଯୋଗୁ ଶିଳ୍ପ ଓ ବ୍ୟବସାୟ ସଂସ୍ଥାଙ୍କ ଅର୍ଥନୀତି ଉଜୁଡି ଯାଇଛି । ସେମାନଙ୍କ ନିଜର ବ୍ୟବସାୟ ଅନିଶ୍ଚିତତା ମୁହାଁ, କର୍ମଚାରୀଙ୍କୁ ଦରମା ଦେବେ କେଉଁଠୁ ? ଏଭଳି ପ୍ରଶ୍ନ ମଧ୍ୟ ଉଠିଲାଣି । ସରକାରୀ କର୍ମଚାରୀଠାରୁ ଆରମ୍ଭ କରି ଦେଶର ରାଷ୍ଟ୍ରପତି ପର୍ଯ୍ୟନ୍ତ ସମସ୍ତେ କେନ୍ଦ୍ର ସରକାରଙ୍କ ଦରମା କାଟ୍ ପ୍ରସ୍ତାବକୁ ଗ୍ରହଣ କରି ନେଇଛନ୍ତି । କୋଭିଡ଼-୧୯କୁ ନେଇ ଅନିଶ୍ଚିତ ପରିସ୍ଥିତି ସେମାନଙ୍କୁ କମ୍ ଦରମାରେ କାମ କରିବାକୁ ବାଧ୍ୟ କରିଛି । କେନ୍ଦ୍ର ସରକାରଙ୍କ ଡ଼ିଏ ବନ୍ଦ ହେଲାଣି । ଘରୋଇ ସଂସ୍ଥାମାନେ ନିଜ ନିଜ କର୍ମଚାରୀଙ୍କୁ ଘରେ ରହି କାମ କରିବା ସୁଯୋଗ ଦେଇଥିଲେ ମଧ୍ୟ କର୍ମଚାରୀ ନିଜର ଭବିଷ୍ୟତକୁ ନେଇ ନିଶ୍ଚିନ୍ତ ନୁହନ୍ତି । କାମଧନ୍ଦା ହରାଇ ଭୋକଉପାସରେ ପ୍ରବାସରେ ପଡି ରହିଥିବା ଲକ୍ଷ୍ୟାଧିକ ସଂଖ୍ୟକ ଶ୍ରମିକ ଓ ସେମାନଙ୍କ ପରିବାର ନିଜ ନିଜ ରାଜ୍ୟକୁ ଫେରିବାକୁ ବ୍ୟଗ୍ର । ବର୍ତମାନ ପରିସ୍ଥିତିରେ ସେମାନଙ୍କ ପ୍ରତ୍ୟାବର୍ତନ ବିପଜ୍ଜନକ ହେବା ଜାଣି ମଧ୍ୟ ସରକାର ନାଚାର । ଉଭୟ କେନ୍ଦ୍ର ଓ ରାଜ୍ୟ ସରକାର ସେମାନଙ୍କ ଫେରିବାର ସମସ୍ତ ବ୍ୟବସ୍ଥା କରିଛନ୍ତି । ସରକାର ତାହା କରି ନଥିଲେ ମଧ୍ୟ ଏହି ଶ୍ରମିକମାନେ ନିଜ ଉପାୟରେ ଫେରିଥା’ନ୍ତେ । ଏବେ କେବଳ ସରକାର ସେମାନଙ୍କ ଫେରନ୍ତିକୁ ସ୍ୱୀକୃତି ଦେଇଛନ୍ତି ଓ ଫେରିବା ପରେ ସେମାନଙ୍କୁ ସଂଗରୋଧରେ ରଖି ନମୁନା ପରୀକ୍ଷା, ଚିକିତ୍ସା ଓ ଥଇଥାନ କରିବା ଦାୟିତ୍ୱ ମୁଣ୍ଡାଇଛନ୍ତି ।
ତାଲାବନ୍ଦ ମାଧ୍ୟମରେ କରୋନା ସଂକ୍ରମଣକୁ ରୋକିବା ଥିଲା ପ୍ରଥମ ପର୍ଯ୍ୟାୟ ତାଲାବନ୍ଦର ଆଭିମୁଖ୍ୟ । କେନ୍ଦ୍ର ସରକାର ପ୍ରଥମ ପର୍ଯ୍ୟାୟରେ ଦେଶରେ ୨୧ ଦିନିଆ ତାଲାବନ୍ଦ ଲାଗୁ କରିଥିଲେ । ପରେ ତାହା ଆଉ ୨୦ ଦିନ ବୃଦ୍ଧି କରିଛନ୍ତି । ମେ’ ୩ରେ ଏହାର ଅବଧି ସରୁଛି । ଓଡ଼ିଶାରେ ମାର୍ଚ୍ଚ ୨୧ରୁ ତାଲାବନ୍ଦ ଲାଗୁ ରହିଛି । ଦ୍ୱିତୀୟ ପର୍ଯ୍ୟାୟ ତାଲାବନ୍ଦ ବେଳକୁ ସରକାର ଚେତି ଯାଇଥିଲେ ଦେଶର ତାଲାବନ୍ଦ ଯୋଗୁ ଅର୍ଥନୀତି କିଭଳି ଭୁଶୁଡିବାକୁ ଯାଉଛି । ତେଣୁ, ଦ୍ୱିତୀୟ ପର୍ଯ୍ୟାୟରେ ସର୍ତମୂଳକ ତାଲାବନ୍ଦ ଲାଗୁ କରାଯାଇଛି । କୃଷି, ସମବାୟ, ମତ୍ସ୍ୟଚାଷ ଭଳି କୃଷି ସଂପର୍କିତ ସମସ୍ତ କାର୍ଯ୍ୟ ଚାଲିବା ସହ ବଭିନ୍ନ ରାଜ୍ୟରେ ଫସି ରହିଥିବା ଶ୍ରମିକ ଓ ସେମାନଙ୍କ ପରିବାରକୁ ମ-ନରେଗା ଓ ବିଭିନ୍ନ ଗ୍ରାମାଂଚଳ ଭିତ୍ତିକ ନିର୍ମାଣ କାର୍ଯ୍ୟ ମାଧ୍ୟମରେ କର୍ମନିଯୁକ୍ତି ଯୋଗାଇ ଦେବା ବ୍ୟବସ୍ଥା ହୋଇଛି । ସରକାରଙ୍କ ଏହି ପଦକ୍ଷେପ ଦେଶରେ ରବି ଫସଲ କାଟିବା ଓ ଖରିଫ ଫସଲ ଉତ୍ପାଦନ ପାଇଁ ସହାୟକ ହୋଇଛି । ମ-ନରେଗା ଓ ଅନ୍ୟ ଗ୍ରାମାଂଚଳ ଭିତ୍ତିକ ନିର୍ମାଣ ଓ ମରାମତି କାର୍ଯ୍ୟ ଆରମ୍ଭ ହୋଇ ଦ୍ୱାରା କୃଷି ଓ ଅଣ କୃଷି ଶ୍ରମିକ କାମଧନ୍ଦାର ଆଶ୍ୱାସନା ପାଇ ଆଶ୍ୱସ୍ତ ହୋଇଛନ୍ତି । ଏବେ ସରକାର ଜୀବନ ସହ ଜୀବୀକାକୁ ପ୍ରାଧାନ୍ୟ ଦେଇ କାର୍ଯ୍ୟ ଆରମ୍ଭ କରିଛନ୍ତି । ମେ’ ୩ରେ ତାଲାବନ୍ଦ ଉଠିବା ପରେ କେନ୍ଦ୍ର ଓ ରାଜ୍ୟ ସରକାରମାନେ କରୋନା ମୁକାବିଲାର ଅନ୍ୟ କି କୌଶଳ ଆପଣାଇବେ ତାହା ସ୍ପଷ୍ଟ ହୋଇନାହିଁ । ତଥାପି, କରୋନା ସଂକ୍ରମଣକୁ ସୀମିତ କରିବା ପାଇଁ ଏହା ଏକମାତ୍ର ଭ୍ୟାକ୍ସିନ୍ ହୋଇ ଥିବାରୁ ସରକାର ଉଭୟ ଜୀବନ ଓ ଜୀବୀକାକୁ ଏକାଠି ସାଂଗରେ ନେବାରେ କେତେ ସଫଳ ହେବେ, ତାହା ଏବେ ପ୍ରଶ୍ନବାଚୀ ହୋଇଛି।
ସରକାର ଦେଶକୁ ଆଉ ‘ତାଲାବନ୍ଦ’ ଭିତରେ ଆବଦ୍ଧ ନ କରି ଅର୍ଥନୀତିକୁ ସୁଧାରିବାରେ ପାଇଁ କିଛିଟା ସର୍ତମୂଳକ ପଦକ୍ଷେପ ନେବେ ଏବଂ ବ୍ୟବସାୟ ଓ ବାଣିଜ୍ୟ ସମ୍ବନ୍ଧିତ କାର୍ଯ୍ୟ ନିମନ୍ତେ ଅନୁମତି ଦେବେ ବୋଲି ଜନସାଧାରଣ ଆଶା କରୁଛନ୍ତି । ଅତ୍ୟାବଶ୍ୟକ ସେବା କ୍ଷେତ୍ରରେ ନିୟୋଜିତ ସରକାରୀ ଦପ୍ତରଗୁଡିକ ନିତାନ୍ତ ଆବଶ୍ୟକ ସଂଖ୍ୟକ କର୍ମଚାରୀଙ୍କୁ ନେଇ କାମ କରିବା ଆରମ୍ଭ କଲେଣି । ଶିଳ୍ପ, ବାଣିଜ୍ୟ ଓ ଛୋଟ ବଡ଼ ଘରୋଇ ବ୍ୟବସାୟିକ ପ୍ରତିଷ୍ଠାନ ମଧ୍ୟ ଏହି କୌଶଳର ଉପଯୋଗ କରିବାକୁ ନିର୍ଦେଶ ଦିଆଯାଇଛି । ସବୁଠି ସାମାଜିକ ଦୂରତ୍ୱ ବଜାୟ ରଖିବା ଏବଂ ସାନିଟାଇଜେସନ୍ ଉପରେ ଗୁରୁତ୍ୱ ଦିଆଯାଇଛି । ଧୀରେ ଧୀରେ ଜୀବନଯାତ୍ରା ସ୍ୱାଭାବିକତା ଆଡକୁ ଫେରୁଥିବା ଆଭାସ ମିଳିଛି । ତେବେ, ଏହାର ସ୍ଥାୟିତ୍ୱ ପ୍ରଶ୍ନବାଚୀ ହୋଇ ରହିଛି । ଦେଶରେ ୨୦୧୬ ବିମୁଦ୍ରୀକରଣ ସମୟରେ ଯେଭଳି ଅନିଶ୍ଚିତ ବାତାବରଣ ଦେଖିବାକୁ ମିଳିଥିଲା । ୨୦୨୦ ମାର୍ଚ୍ଚ, ଏପ୍ରିଲରେ ‘ତାଲାବନ୍ଦ’ ମାସେ ହେଲା ସେଭଳି ବାତାବରଣ ସୃଷ୍ଟି କରିଛି । ତେବେ, ସମଗ୍ର ବିଶ୍ୱ କରୋନା ତାଣ୍ଡବ ସହ ଲଢୁ ଥିବାରୁ, ବହୁ ସଂଖ୍ୟାରେ କରୋନା ଆକ୍ରାନ୍ତ ପ୍ରତିଦିନ ମୃତ୍ୟୁବରଣ କରୁଥିବାରୁ ଏବଂ ଏହି ଭୂତାଣୁର କୌଣସି ନିଦାନ ନ ଥିବାରୁ ‘ତାଲାବନ୍ଦ’ ଓ ‘ସଟ୍ ଡ଼ାଉନ୍’କୁ ଦେଶବାସୀ ଗ୍ରହଣ କରିନେଇଛନ୍ତି । କରୋନା ବିରୋଧରେ ଲଢେଇରେ ଅଗ୍ରଣୀ ଭୂମିକାରେ ଥିବା ଡ଼ାକ୍ତର, ନର୍ସ ଓ ଅନ୍ୟ ସ୍ୱାସ୍ଥ୍ୟସେବା କର୍ମଚାରୀଙ୍କ ସହ ପୁଲିସ ଏବେ ଦେଶବାସୀଙ୍କ ଆଦର୍ଶ ହୋଇଛନ୍ତି । କରୋନା ସେବାରେ ଲାଗି ଥିବା ଡ଼ାକ୍ତର, ନର୍ସ, ସ୍ୱାସ୍ଥ୍ୟସେବା କର୍ମଚାରୀ ଓ ପୁଲିସ ମଧ୍ୟ କରୋନାରେ ସଂକ୍ରମିତ ହୋଇ ସଂଗରୋଧରେ ରହୁଥିବା ଓ କୋଭିଡ଼ ହସପିଟାଲରେ ଚିକିତ୍ସିତ ହେଉଥିବା ଦେଶବାସୀଙ୍କୁ ‘ତାଲାବନ୍ଦ’ କୌଶଳ ମାନି ନେବାକୁ ବାଧ୍ୟ କରିଛି । ଯହା ଅସୁବିଧା ହେଉ ଜୀବନ ତ ବଂଚି ଯିବ – ଏହି ବିଶ୍ୱାସରେ ସମସ୍ତେ ନିଜକୁ ଘର ଭିତରେ ଆବଦ୍ଧ କରି ରଖିଛନ୍ତି ।
ଏହି କରୋନା ବିରୋଧୀ ଲଢେଇ ଓ ତାଲାବନ୍ଦ ଆଉ ଏକ ଦିଗକୁ ମଧ୍ୟ ଉଜାଗର କରିଛି । ପାଖାପାଖି ଦୁଇ ମାସ ହେଲା ଦେଶରେ କରୋନା ମୁଖ୍ୟ ପ୍ରସଙ୍ଗ ହୋଇଛି । ରାଜନୈତିକ ଦଳ, ସରକାରୀ କଳରୁ ଆରମ୍ଭ କରି ସାଧାରଣ ଜନତା ଓ ଗଣମାଧ୍ୟମ – ସବୁଠି ସକାଳୁ ରାତି ଯାଏଁ ଏହା ହିଁ ମୁଖ୍ୟ ପ୍ରସଙ୍ଗ । ଦେଶରେ ଜାତି, ସଂପ୍ରଦାୟ, ଧର୍ମକୁ ନେଇ ଯେଉଁ ନିକୃଷ୍ଟ ରାଜନୀତି ଚାଲି ଥିଲା ତାହା ଏବେ ବନ୍ଦ । କୋଭିଡ଼-୧୯ର କବର ତଳେ ଲୁଚି ଯାଇଛି । କାଁ ଭାଁ କେଉଁଠି ସାଧୁସନ୍ଥଙ୍କ ଉପରେ ଆକ୍ରମଣ ଘଟଣା ସାମନାକୁ ଆସିଲେ ସାମୟିକ ଭାବେ ଧର୍ମ ରାଜନୀତି ମୁଣ୍ଡ ଟେକୁଛି । ତା’ ପରେ କରୋନା… । ଅପରପକ୍ଷରେ, ଦଳମତ ନିର୍ବିଶେଷରେ କେନ୍ଦ୍ର ଓ ରାଜ୍ୟ ସରକାରମାନେ ମାସାଧିକ ସମୟ ହେଲା ମିଳିତ ଭାବେ କରୋନା ଲଢେଇରେ ସାମିଲ ଅଛନ୍ତି । କେନ୍ଦ୍ର ସରକାର କରୋନା ଲଢେଇର ପୁରୋଭାଗରେ ଥିଲେ ମଧ୍ୟ ଓଡ଼ିଶା ସରକାର ଓ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହି ଲଢେଇରେ ସାରଥୀର ଭୂମିକା ନେବା ଏବଂ ତାଙ୍କ ଦିଗଦର୍ଶନରେ କେନ୍ଦ୍ର ସରକାର ବିଭିନ୍ନ ପଦକ୍ଷେପ ନେବା ଏକ ନିଆରା ଅନୁଭବ । କରୋନା ସଂକ୍ରମଣକୁ ରୋକିବା ପାଇଁ ମୁଖ୍ୟମନ୍ତ୍ରୀ ପଟ୍ଟନାୟକ ପ୍ରଥମେ ଓଡ଼ିଶାରେ ‘ତାଲାବନ୍ଦ’ ଘୋଷଣା କରିଥିଲେ । ପରେ ସମଗ୍ର ଦେଶରେ ତାହା କାର୍ଯ୍ୟକାରୀ କରାଗଲା । ‘ତାଲାବନ୍ଦ’ କାର୍ଯ୍ୟକାରୀ ହୋଇ ନ ଥିଲେ ପରିସ୍ଥିତି ଅଧିକ ଭୟାନକ ହୋଇଥା’ନ୍ତା ବୋଲି ଏବେ କେନ୍ଦ୍ର ସରକାର ସ୍ୱୀକାର କରୁଛନ୍ତି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ନିକଟରେ ମୁଖ୍ୟମନ୍ତ୍ରୀଙ୍କ ସହ ଭିଡ଼ିଓ କନ୍ଫରେନ୍ସିଂ ବେଳେ ଓଡ଼ିଶାକୁ ପ୍ରଶଂସା କରି ରାଜ୍ୟବାସୀଙ୍କୁ ଗୌରବାନ୍ୱିତ କରିଛନ୍ତି । କରୋନା-ବିରୋଧୀ ମିଳିତ ଲଢେଇ ଦେଶର ସଂଘୀୟ ବ୍ୟବସ୍ଥାକୁ ସୁଦୃଢ କରିଛି । କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ମଧ୍ୟରେ ସଂପର୍କ ଓ ସହଯୋଗ ବୃଦ୍ଧି ପାଇବା ସହ ଦେଶବାସୀଙ୍କୁ ନିଜର ସ୍ୱାସ୍ଥ୍ୟ, ପରିବେଶ ଓ ପରିବାର ସଂପର୍କରେ ସଚେତନ କରାଇଛି । ରାଜନେତାମାନେ ପରସ୍ପର ବିରୋଧରେ କାଦୁଅ ଫିଙ୍ଗା ଛାଡି ନିଜକୁ କରୋନା-ମୁକ୍ତ ରଖିବା ସକାଶେ ଭୂମିଗତ ହୋଇଛନ୍ତି ।
ଓଡ଼ିଶାରେ ବିଭିନ୍ନ ପ୍ରସଙ୍ଗକୁ ନେଇ ଶାସକ ଓ ବିରୋଧୀଙ୍କ ମଧ୍ୟରେ ଯେଉଁ ‘ତୁ ତୁ..ମେଁ ମେଁ’ ଚାଲି ଥିଲା ତାହା ରାଜ୍ୟକୁ କରୋନା ଆସିବା ପରଠାରୁ ବନ୍ଦ ଅଛି । ଉଭୟ ଶାସକ ଦଳ ଓ ବିରୋଧୀ ଦଳର ନିର୍ବାଚିତ ପ୍ରତିନିଧିମାନେ ଏକପ୍ରକାର ଅଜ୍ଞାତବାସରେ ଥିବା ବେଳେ ରାଜ୍ୟର ଆଇଏଏସ୍ ଓ ଆଇପିଏସ୍ ଅଧିକାରୀମାନେ ଆଜିର ଦିନରେ ରାଜ୍ୟର ପ୍ରକୃତ ଶାସକ ସାଜିଛନ୍ତି । ମୁଖ୍ୟମନ୍ତ୍ରୀ ପଟ୍ଟନାୟକ ନେତୃତ୍ୱରେ ସରକାରୀ କଳ ଏହି ଲଢେଇର ପୁରୋଭାଗରେ ରହିଛି । ଏଭଳି ଏକ ଅସମୟରେ ରାଜ୍ୟର ନିର୍ବାଚିତ ପ୍ରତିନିଧିମାନେ କୁଆଡେ ଗଲେ ବୋଲି ମଝିରେ କେତେକ ବିରୋଧୀ ପ୍ରଶ୍ନ କରିଥିଲେ । ସେମାନଙ୍କ ମୁହଁ ବନ୍ଦ କରିବା ସକାଶେ ମୁଖ୍ୟମନ୍ତ୍ରୀ ରାଜ୍ୟର ପାଖାପାଖି ସାତ ହଜାର ସରପଂଚଙ୍କୁ ଜିଲ୍ଲାପାଳ କ୍ଷମତା ପ୍ରଦାନ କରି ଗ୍ରାମାଂଚଳରେ କରୋନା ଲଢେଇରେ ସାମିଲ କରିଛନ୍ତି । ତାହା ସମାଲୋଚକଙ୍କ ମୁହଁ ବନ୍ଦ କରିଛି । ରାଜ୍ୟରେ କରୋନା ମୁଖ୍ୟ ପ୍ରସଙ୍ଗ ଥିବାରୁ ଚିଟ୍ ଫଣ୍ଡ୍ ମହାଦୁର୍ନୀତି ଭଳି ସରକାରଙ୍କ ବହୁ ଦୁର୍ନୀତିମୂଳକ କାର୍ଯ୍ୟକଳାପ ଏବେ ଚର୍ଚ୍ଚାରୁ ହଜିଯାଇଛି । ତେଣୁ, କୌଣସି ଚିଟ୍ ଫଣ୍ଡ୍ ଚୋରଙ୍କ ଘରେ ସିବିଆଇ ଚଢାଉ ହେବା ଆଶଙ୍କା ମଧ୍ୟ ଟଳି ଯାଇଛି । ଶାସକ ଦଳ ନେତାଙ୍କ ପାଇଁ ଏହାଠୁ ବଳି ଆଶ୍ୱସ୍ତି ଓ ଆଶ୍ୱାସନାର ବିଷୟ ଆଉ କଣ ହୋଇଥା’ନ୍ତା ? ଦୁଇ ମାସ ହେଲା କରୋନା ଯେଉଁମାନଙ୍କ ମନରେ ଭୟ ସୃଷ୍ଟି କରିଛି ଓ ଯାହାର ଜୀବନ ଜୀବୀକା ଉଜାଡିଛି ସେମାନେ ଦୁଃଖରେ ଅଛନ୍ତି ସିନା ଅନ୍ୟମାନେ ତ ଆଶ୍ୱସ୍ତ ! ପରିସ୍ଥିତି ଏହି ଭଳି ଅନୁକୂଳ ରହୁ – ତାହା ସେମାନେ ଚାହାନ୍ତି ।
LETTER FROM THE EDITOR: A SPECIAL THANKS TO OUR READERS
LETTER FROM THE EDITOR: A SPECIAL THANKS TO OUR READERS