କରୋନା ଡାଏରୀ (୧)…କରୋନାକୁ ନେଇ ନିଶ୍ଚିନ୍ତ ହେବାର ସମୟ ଆସିନି


– ପ୍ରସାଦ ରାଓ –
ଭୁବନେଶ୍ୱର, ମେ’ ୧୫
ଦୁଇ ଦିନ ପରେ ଆମେ ତାଲାବନ୍ଦର ଚତୁର୍ଥ ପର୍ଯ୍ୟାୟକୁ ଯାଉଛେ । ଏହାର ରୂପରେଖ କଣ ହେବ ତାହା ସ୍ପଷ୍ଟ ହୋଇ ନାହିଁ । ପୂର୍ବ ତିନିଟି ତାଲାବନ୍ଦ ତୁଳନାରେ ଅଧିକ କୋହଳ ହେବ ଏବଂ ଦେଶର ଅର୍ଥନୀତିକୁ ସୁଧାରିବାରେ ସହାୟକ ହେବ – ଏହା ଆଶା କରାଯାଇପାରେ । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ନିକଟରେ ‘ଆତ୍ମନିର୍ଭରଶୀଳ ଭାରତ’ର ସ୍ଲୋଗାନ ଦେଇ ଚତୁର୍ଥ ପର୍ଯ୍ୟାୟ ତାଲାବନ୍ଦର ରୂପରେଖର ସମ୍ୟକ ଅଭାସ ଦେଇଥିଲେ । ବର୍ତମାନ କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀଥାରମଣ ପ୍ରଧାନମନ୍ତ୍ରୀଙ୍କ ନୀଳନକ୍ସାର କିଛିଟା ଖୁଲାସା କରିଛନ୍ତି । ଚତୁର୍ଥ ପର୍ଯ୍ୟାୟ ତାଲବନ୍ଦ ନିକଟତର ହେଉଥିବା ବେଳେ ଦେଶରେ କରୋନା ସଂକ୍ରମଣର ବର୍ତମାନ ସ୍ଥିତିକୁ ନେଇ କିଛି ଆଶା ଓ ଆଶଙ୍କା ସାମନାକୁ ଆସୁଛି । ଆଶା ହେଉଛି, କୋଭିଡ଼-୧୯ର ମୁକାବିଲା ପାଇଁ ପ୍ରତିଷେଧକ ପ୍ରସ୍ତୁତିରେ ଭାରତ ସମେତ ବିଶ୍ୱର ଅନେକ ବିତ୍ତଶାଳୀ ରାଷ୍ଟ୍ର ଦିନ, ରାତି ଲାଗିଛନ୍ତି । ଦ୍ୱିତୀୟରେ, ଭାରତରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢୁଥିଲେ ମଧ୍ୟ ଚିକିତ୍ସା ପରେ ସୁସ୍ଥ ହେଉଥିବା ରୋଗୀଙ୍କ ପ୍ରତିଶତ ମଧ୍ୟ ବଢୁଛି । ସାମାଜିକ ଦୂରତ୍ୱ ବଜାୟ ରଖି କରୋନା ସଂକ୍ରମଣର ଶୃଙ୍ଖଳାକୁ ଭାଂଗିବା ଏବଂ ନିଜକୁ ସୁରକ୍ଷିତ ରଖାବା ପାଇଁ ବାରମ୍ବାର ହାତ ଧୋଇବାର କଳାକୁ ଦେଶବାସୀ ଭଲ ଭାବେ ଅନୁସରଣ କଲେଣି । ସଂଗରୋଧକୁ ମଧ୍ୟ ଆଉ ଏକ ଦଣ୍ଡ ବୋଲି କେହି ବିଚାର କରୁ ନାହାନ୍ତି । ତେଣୁ, ଦେଶରେ କରୋନା ରୋଗୀଙ୍କ ସୁସ୍ଥ ହେବା ସଂଖ୍ୟା ବଢୁଛି ଏବଂ ଦେଶର ଜନତା ଚତୁର୍ଥ ପର୍ଯ୍ୟାୟ ତାଲାବନ୍ଦ କଥା ଶୁଣି ମଧ୍ୟ ଉତକ୍ଷିପ୍ତ ନୁହନ୍ତି ।
ଯାହା ଖବର ମିଳିଛି, ଗୁରୁବାର ସୁଦ୍ଧା ପୂର୍ବ ୨୪ ଘଂଟା ମଧ୍ୟରେ ଦେଶର ୧୪ଟି ରାଜ୍ୟ ଓ କେନ୍ଦ୍ର ଶାସିତ ଅଂଚଳରେ ଗୋଟିଏ ହେଲେ ନୂଆ କରୋନା କେସ୍ ଆସି ନାହିଁ । ଏହାଛଡା, ଦେଶରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ଦ୍ୱିଗୁଣିତ ହେବା ସମୟ ୧୪ ଦିନକୁ ବୃଦ୍ଧି ପାଇଛି । ଗଲା ତିନି ଦିନରେ ତାହା ୧୩.୯ ଦିନ ଥିଲା, ଯାହାକି ଗଲା ଦୁଇ ସପ୍ତାହ ଧରି ୧୧.୧ ଦିନ ଥିଲା । ସେହିଭଳି, ଦେଶରେ କରୋନାରେ ଆକ୍ରାନ୍ତ ରୋଗୀ ଚିକିତ୍ସା ପରେ ସୁସ୍ଥ ହେବା ହାର ମଧ୍ୟ ବଢିଛି । ଗତ ସପ୍ତାରେ ତାହା ୩୧ରୁ ୩୨ ପ୍ରତିଶତ ଥିଲା । ମଙ୍ଗଳବାର ତାହା ୩୩.୬ ପ୍ରତିଶତ ରହିଛି । ଦେଶରେ କରୋନା ଆକ୍ରାନ୍ତଙ୍କ ମୋଟ ସଂଖ୍ୟାର ଏକ ତୃତୀୟାଂଶ ହେଉଛନ୍ତି ମହାରାଷ୍ଟ୍ରରେ । ଦିଲ୍ଲୀ ଓ ଗୁଜରାଟରେ ଯେଉର୍ଁ ପରିମାଣରେ ନୂଆ ଆକ୍ରାନ୍ତଙ୍କ ସଂଖ୍ୟା ବଢୁଛି ସେହି ଅନୁପାତରେ କରୋନା ରୋଗୀ ସୁସ୍ଥ ହେବା ହାର ମଧ୍ୟ ବଢୁଛି । ତେଣୁ, ଏହି ଦୁଇ ରାଜ୍ୟରେ ନୂଆ ଆକ୍ରାନ୍ତ ଓ ସୁସ୍ଥା ହେଉଥିବା ରୋଗୀ ସଂଖ୍ୟା ଏକ ସମାନ୍ତରାଳ ସ୍ଥିତିକୁ ଆସି ଥିବା ବିଶେଷଜ୍ଞଙ୍କ ପରିସଂଖ୍ୟାନୁ ଜଣାପଡିଛି । ତେବେ, ମହାରାଷ୍ଟ୍ର ଓ ତାମିଲନାଡୁରେ ଆକ୍ରାନ୍ତଙ୍କ ସଂଖ୍ୟା ବଢିବା ଅବ୍ୟାହତ ରହିଛି । ମଙ୍ଗଳବାର ସୁଦ୍ଧା ଯେଉଁ ୧୪ଟି ରାଜ୍ୟ ଓ କେନ୍ଦ୍ର ଶାସିତ ଅଂଚଳରୁ ଗୋଟିଏ ହେଲେ ନୂଆ କରୋନା କେସ୍ ସାମନାକୁ ଆସି ନଥିଲା ସେହି ରାଜ୍ୟ ଓ କେନ୍ଦ୍ର ଶାସିତ ଅଂଚଳ ଗୁଡିକ ହେଉଛି – ଆଣ୍ଡାମାନ ଓ ନିକୋବର,ଅରୁଣାଚଳ ପ୍ରଦେଶ, ଆନ୍ଧ୍ର ପ୍ରଦେଶ, ଚଣ୍ଡିଗଡ଼, ଦାଦର ଓ ନଗର ହାବେଲି, ଗୋଆ, ଛତିଶଗଡ଼, ଗୁଜରାଟ, ଝାଡଖଣ୍ଡ, ମଣିପୁର, ମେଘାଳୟ, ମିଜୋରାମ,ପଣ୍ଡିଚେରୀ ଓ ତେଲେଙ୍ଗାନା ।
ଏହି ବିଶ୍ୱ ମହାମାରୀ ବା ପେଣ୍ଡାମିକ୍ ପ୍ରତିଦିନ ବିଶ୍ୱର ଲକ୍ଷାଧିକ ଲୋକଙ୍କୁ ସଂକ୍ରମିତ କରୁଛି ଓ ମୃତ୍ୟୁ ସଂଖ୍ୟା ମଧ୍ୟ ଶଂକାଜନକ ଭାବେ ବଢି ଚାଲିଛି । ଆମେରିକା, ଇଟାଲୀ, ଜର୍ମାନୀ, ଫ୍ରାନ୍ସ ଭଳି ଅଗ୍ରଣୀ ରାଷ୍ଟ୍ର କରୋନାରେ ସର୍ବାଧିକ ସଂକ୍ରମିତ । ଏହି ଦେଶଗୁଡିକ ସହ ଭାରତକୁ ତୁଳନା କଲେ ଦେଶର ସ୍ଥିତି ବେଶ୍ ଭଲ ଅଛି । ଏହାର ଶ୍ରେୟ ଯାଉଛି ଉଭୟ କେନ୍ଦ୍ର ଓ ରାଜ୍ୟ ସରକାରଙ୍କୁ । ଉପଯୁକ୍ତ ସମୟରେ ଦେଶରେ ତାଲାବନ୍ଦ ହୋଇ ନ ଥିଲେ ଏବଂ ସାମାଜିକ ଦୂରତ୍ୱ ବଜାୟ ରଖିବା ଓ ସାନିଟାଇଜେସନ୍ ସଂପର୍କରେ ଜନସାଧାରଣଙ୍କୁ ସଚେତନ କରାଯାଇ ନ ଥିଲେ ଭାରତରେ ମଧ୍ୟ ଆମେରିକା, ଇଟାଲୀ ଭଳି ପରିସ୍ଥିତି ସୃଷ୍ଟି ହୋଇଥା’ନ୍ତା ବୋଲି ବିଶେଷଜ୍ଞମାନେ ସ୍ୱୀକାର କରୁଛନ୍ତି । ୨୦୨୦ ମାର୍ଚ୍ଚରୁ ଦେଶରେ ଜୟଯାତ୍ରା ଆରମ୍ଭ କରିଥିବା କରୋନା ବା କୋଭିଡ଼-୨୧ ମହାମାରୀ ମେ’ ମାସ ମଧ୍ୟ ଭାଗ ବେଳକୁ ଚିନ୍ତାଜନକ ସ୍ଥିତିରେ ପହଂଚି ଥିଲେ ମଧ୍ୟ ସୁସ୍ଥ ହେଉଥିବା ରୋଗୀଙ୍କ ସଂଖ୍ୟା ବଢୁ ଥିବା ଦେଶବାସୀଙ୍କ ପାଇଁ ଏକ ସୁଖଦ ଖବର । ତଥାପି, ସରକାର ସତର୍କତାକୁ ଗୁରୁତ୍ୱ ଦେଇ ଚତୁର୍ଥ ପର୍ଯ୍ୟାୟ ତାଲାବନ୍ଦ କାର୍ଯ୍ୟକାରୀ କରିବାକୁ ଯାଉଛନ୍ତି । ମେ’ ୧୫ ତାରିଖ ମଧ୍ୟାହ୍ନ ସୁଦ୍ଧା ମିଳିଥିବା ତଥ୍ୟ ଅନୁଯାୟୀ ଦେଶରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୮୨, ୭୮୮ରେ ପହଂଚି ଥିବା ବେଳେ ସେଥିରୁ ୨୮,୫୯୦ ଚିକିତ୍ସା ପରେ ସୁସ୍ଥ ହୋଇଛନ୍ତି । କରୋନା ଆକ୍ଟିଭ୍ ଙ୍କ ସଂଖ୍ୟା ୫୧,୫୩୬ ରହିଛି । ସେହିପରି କରୋନାରେ ମୃତ୍ୟୁ ସଂଖ୍ୟା ୨,୬୫୭ରେ ପହଂଚିଛି । ଦେଶର ସର୍ବାଧିକ ସଂକ୍ରମିତ ରାଜ୍ୟ ମହାରାଷ୍ଟ୍ରରେ ଆକ୍ରାନ୍ତଙ୍କ ସଂଖ୍ୟା ୨୭,୫୨୪ ଥିବା ବେଳେ ଗୁଜରାଟରେ ୯, ୫୯୧, ତାମିଲନାଡୁରେ ୯,୬୭୪, ଦିଲ୍ଲୀରେ ୮, ୪୭୦, ରାଜସ୍ଥାନରେ ୪,୫୩୪, ମଧ୍ୟ ପ୍ରଦେଶରେ ୪,୪୨୬, ୟୁପିରେ ୩, ୯୦୨, ପଶ୍ଚିମ ବଂଗରେ ୨,୩୭୭, ତେଲେଂଗାନାରେ ୧,୪୧୪, ଆନ୍ଧ୍ରରେ ୨,୨୦୫, ପଂଜାବରେ ୧,୯୩୫, ଜମ୍ମୁ-କଶ୍ମୀରରେ ୯୮୩, କର୍ଣ୍ଣାଟକରେ ୯୮୭, ବିହାରରେ ୯୯୪, କେରଳରେ ୫୬୦, ହରିୟାନାରେ ୮୧୮ ରହିଛି ।
ଓଡ଼ିଶାରେ ଆକ୍ରାନ୍ତଙ୍କ ସଂଖ୍ୟା ୬୭୨ ଥିବା ବେଳେ ୧୬୬ ଜଣ ସୁସ୍ଥ ହୋଇଛନ୍ତି । ୩ ଜଣଙ୍କ ମୃତ୍ୟୁ ଘଟିଛି ଏବଂ ଆକ୍ଟିଭ କେସ୍ ସଂଖ୍ୟା ରହିଛି ୫୦୩ । ରାଜ୍ୟ ସରକାରଙ୍କ ସ୍ୱାସ୍ଥ୍ୟ ଓ ପରିବା କଲ୍ୟାଣ ବିଭାର ୧୫ ତାରିଖ ସକାଳ ସୁଦ୍ଧା କରୋନ ଅପ୍ଡେଟ୍ ଅନୁଯାୟୀ ଗଂଜାମ ଜିଲ୍ଲାରେ ସର୍ବାଧିକ ୨୬୪ ଆକ୍ରାନ୍ତ ହୋଇଥିବା ବେଳେ ଆକ୍ଟିଭ୍ କେସ୍ ସଂଖ୍ୟା ରହିଛି ୨୬୧ । ସେହିପରି, ବାଲେଶ୍ୱର ଜିଲ୍ଳାରେ ୧୦୨(ଆକ୍ଟିଭ୍ କେସ୍ ୮୧),ଯାଜପୁରରେ ୯୦ (ଆକ୍ଟିଭ୍ କେସ୍ ୩୮), ଖୋର୍ଦ୍ଧାରେ ୫୩ (ଆକ୍ଟିଭ୍ କେସ୍ ୬), ଭଦ୍ରକରେ ୪୬ (ଆକ୍ଟିଭ୍ କେସ୍ ୨୫), ସୁନ୍ଦରଗଡରେÿ ୨୬ ( ଆକ୍ଟିଭ୍ କେସ୍ ୧୪), କେନ୍ଦ୍ରପଡାରେ ୨୨ (ଆକ୍ଟିଭ୍ କେସ୍ ୨୦), ଅନୁଗୁଳ ୧୫ (ଆକ୍ଟିଭ୍ କେସ୍ ୧୫), ପୁରୀ ୧୪ (ଆକ୍ଟିଭ୍ କେସ୍ ୧୩), ମୟୁରଭଂଜ ୯ (ଆକ୍ଟିଭ୍ କେସ୍ ୯), ଜଗତସିଂହପୁର ୫ (ଆକ୍ଟିଭ୍ କେସ୍ ୫), ବୌଦ୍ଧ ୪ (ଆକ୍ଟିଭ୍ କେସ୍ ୪), କଟକ ୪ (ଆକ୍ଟିଭ୍ କେସ୍ ୩), କେଉଁଝର ୪ (ଆକ୍ଟିଭ୍ କେସ୍ ୨), ନୟାଗଡ଼ ୪ (ଆକ୍ଟିଭ୍ କେସ୍ ୪), ବଲାଙ୍ଗୀରରେ ୨ (ଆକ୍ଟିଭ୍ କେସ୍ ୨), ଦେଓଗଡ଼ରେ ୨(ଆକ୍ଟିଭ୍ କେସ୍ ୧), ଝାରସୁଗୁଡ଼ା ୨(ଆକ୍ଟିଭ୍ କେସ୍ ୦), କଳାହାଣ୍ଡିରେ ୨ (ଆକ୍ଟିଭ୍ କେସ୍ ୦), ଢେଙ୍କାନାଳରେ ୧ (ଆକ୍ଟିଭ୍ କେସ୍ ୦), କୋରାପୁଟ ୧ (ଆକ୍ଟିଭ୍ କେସ୍ ୦) ଆକ୍ରାନ୍ତଙ୍କ ସଂଖ୍ୟା ରହିଛି । ପ୍ରଥମେ କରୋନା ସଂକ୍ରମଣର କାରଣ ଥିଲେ ବିଦେଶ ଫେରନ୍ତା । ରାଜ୍ୟମାନ ବିଦେଶ ଫେରନ୍ତାଙ୍କୁ ନେଇ ଚିନ୍ତାରେ ଥିବା ବେଳେ ଓଡ଼ିଶା ସରକାର ସେମାନଙ୍କ ପଂଜୀକରଣ ଓ ୧୪ ଦିନ ସଂଗରୋଧ ପ୍ରତି ଗୁରୁତ୍ୱ ଦେଇଥିଲେ । କରୋନା ସଂକ୍ରମଣର ଲକ୍ଷଣ ଥିବା ବିଦେଶ ଫେରନ୍ତାଙ୍କ ଚିକତ୍ସା ପ୍ରତି ମଧ୍ୟ ଗୁରୁତ୍ୱ ଦିଆଯାଇଥିଲା । ସରକାର ପଂଜୀକରଣ କରି ସଂଗରୋଧରେ ରହୁଥିବା ବିଦେଶ ଫେରନ୍ତାଙ୍କ ଚିକିତ୍ସା ଖର୍ଚ୍ଚ ବହନ କରିବା ସହ ମୋଟା ଅଂକର ପାରିତୋଷକ ଘୋଷଣା କରିଥିଲେ । ଫଳରେ ରାଜ୍ୟରେ ବିଦେଶ ଫେରନ୍ତାଙ୍କ ପଂଜୀକରଣ ବଢି ଥିଲା । ସ୍ୱତଃ ସେମାନେ ସଂଗରୋଧରେ ରହିବାକୁ ପସନ୍ଦ କରିଥିଲେ । ପରେ, ଦିଲ୍ଲୀର ନିଜାମୁଦ୍ଦିନ ମରକଜ୍ ଫେରନ୍ତା ଲୋକମାନେ ରାଜ୍ୟରେ କରୋନା ସଂକ୍ରମଣ ବଢାଇବା କାରଣ ସାଜିଥିଲେ ।
କେନ୍ଦ୍ର ଓ ରାଜ୍ୟ ସରକାର ପରିସ୍ଥିତିର ମୁକାବିଲା ପାଇଁ ଅଂଟା ଭିଡ଼ିବା ସତ୍ୱେ ଅଧିକ ସଂକ୍ରମିତ ରାଜ୍ୟରୁ ଫେରିଥିବା ଲୋକମାନେ କରୋନା-ବାହକ ସାଜି ଓଡ଼ିଶାରେ କେରାନା ଆକ୍ରାନ୍ତଙ୍କ ସଂଖ୍ୟା ତିନି ଅଂକରେ ପହଂଚାଇବାରେ ମୁଖ କାରକ ସାଜିଛନ୍ତି । ଏବେ, ଲକ୍ଷାଧିକ ସଂଖ୍ୟାରେ ପ୍ରବାସୀ ଓଡ଼ିଆ ରାଜ୍ୟକୁ ଫେରୁ ଥିବାରୁ ଗଂଜାମ ଭଳି ଗ୍ରୀନ୍ ଜୋନ ସର୍ବାଧିକ ସଂକ୍ରମିତ ଜିଲ୍ଲାରେ ପରିଣତ ହୋଇଛି । ଯାଜପୁର, ଭଦ୍ରକ, ବାଲେଶ୍ୱର ପ୍ରଭୃତି ଜିଲ୍ଲା ପଶ୍ଛିମ ବଂଗ ଫେରନ୍ତାଙ୍କୁ ନେଇ ଗଞ୍ଜାମ ପରେ ସର୍ବାଧିକ ସଂକ୍ରମିତ ଜିଲ୍ଲା ଭାବେ ଚିହ୍ନଟ ହୋଇଛି । ସୁରଟ ଫେରନ୍ତା ପ୍ରବାସୀ ଓଡ଼ିଆ କେବଳ ଗଂଜାମ ନୁହେଁ, ଅନ୍ୟ ଜିଲ୍ଲାକୁ ମଧ୍ୟ କରୋନାକୁ ପଂଚାଇଛନ୍ତି । ଆଗାମୀ ଦିନରେ ଆକ୍ରାନ୍ତଙ୍କ ସଂଖ୍ୟା ଆହୁରି ବଢିବ । ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢିଲେ ମଧ୍ୟ ଏପର୍ଯ୍ୟନ୍ତ ଗୋଷ୍ଠୀ ସଂକ୍ରମଣ ହୋଇ ନାହିଁ । ଅଧିକରୁ ଅଧିକ ଆକ୍ରାନ୍ତ ଚିକିତ୍ସା ପରେ ସୁସ୍ଥ ହେଉଛନ୍ତି । ତେଣୁ, ରାଜ୍ୟବାସୀ ଭୟଭୀତ ହେବାର କିଛି କାରଣ ନାହିଁ ବୋଲି ସରକାର ଆଶ୍ୱସ୍ତ କରୁଛନ୍ତି । ତଥାପି, ପରିସଂଖ୍ୟାନ ଦେଖିଲେ ମନରେ ଭୟ ଜାଗ୍ରତ ହେବା ସ୍ୱାଭାବିକ । ଏଥିରେ କିଛି ସନ୍ଦେହ ନାହିଁ ।

LETTER FROM THE EDITOR: A SPECIAL THANKS TO OUR READERS
LETTER FROM THE EDITOR: A SPECIAL THANKS TO OUR READERS