କରୋନା ଡାଏରୀ (୯)…ସବୁ ସେହି କାଳିଆ ଠାକୁରଙ୍କ ଇଚ୍ଛା !
ପ୍ରସାଦ ରାଓ
ଭୁବନେଶ୍ୱର,ଜୁନ୍ ୦୫
ପୁରୀରେ ଆଜି ଯାହା କିଛି ଘଟିଛି, ତାହା ସେହି କାଳିଆ ଠାକୁରଙ୍କ ଇଚ୍ଛାରେ ହିଁ ଘଟିଛି ବୋଲି ପୁରୀ ଗଜପତି ମହାରାଜା ଦିବ୍ୟସିଂହ ଦେବ ଗଣମାଧ୍ୟମକୁ କହିଛନ୍ତି । ବଡ଼ ଦାଣ୍ଡରେ ଭକ୍ତଙ୍କ ସମାଗମ ନ ଥାଇ ଆଜି ଚତୁର୍ଦ୍ଧା ମୂର୍ତିଙ୍କ ଦେବସ୍ନାନ ଓ ହାତୀ ବେଶ ସମାପିତ ହୋଇଛି । ମାର୍କେଟ ଛକରୁ ପୁରୀ ଶ୍ରୀମନ୍ଦିର ପର୍ଯ୍ୟନ୍ତ ବିସ୍ତୃତ ଅଂଚଳକୁ ୧୪୪ ଧାରା କଟକଣାରେ ଆବଦ୍ଧ ରଖି ସରକାର ଏହି ଦେବକାର୍ଯ୍ୟ ସମାପନ କରାଇଛନ୍ତି । କୌଣସି ଆତଙ୍କବାଦ କାର୍ଯ୍ୟକଳାପ ଆଶଙ୍କାରେ ନୁହେଁ, ରାଜ୍ୟରେ କରୋନା ସଂକ୍ରମଣର ଶୃଙ୍ଖଳକୁ ଭାଙ୍ଗିବା ସକାଶେ ଜାରି ହୋଇଥିବା କଟକଣା ଯୋଗୁ ଚଳିତ ବର୍ଷର ସ୍ନାନ ଉତ୍ସବ ନିଆରା ହୋଇଛି । ପରଂପରା ଅନୁସାରେ ସ୍ନାନ ପୂର୍ଣ୍ଣମୀ ଦିନ ସକାଳୁ ଯେଉଁ ସବୁ ଦେବ ନୀତି ହୋଇଥାଏ ସେସବୁ ଏଥର ରାତି ୧ଟାରୁ ଆରମ୍ଭ ହୋଇଥିଲା । ୧ଟା ୨୦ ମିନିଟରେ ମଂଗଳ ଆଳତୀ ହେବା ସହ ୧ଟା ୪୦ ମିନିଟରେ ଚତୁର୍ଦ୍ଧା ମୂର୍ତିଙ୍କ ଧାଡି ପହଣ୍ଡିରେ ଆରମ୍ଭ କରାଯାଇଥିଲା । ଭୋର ୩ଟାରେ ଚତୁର୍ଦ୍ଧା ମୁର୍ତି ଶ୍ରୀମନ୍ଦିର ପରିସରରେ ଥିବା ସ୍ନାନବେଦୀରେ ବିଜେ ହୋଇ ଥିଲେ । ଅପରାହ୍ନ ସୁଦ୍ଧା ଦେବସ୍ନାନ ଓ ହାତୀ ବେଶ ସମାପନ ହୋଇ ଗଜାନନ ବେଶରେ ପ୍ରଭୁ ଶ୍ରୀଜଗନ୍ନାଥ ବଡ଼ ଭାଇ ଶ୍ରୀବଳଭଦ୍ର ଓ ସାନ ଭଉଣୀ ମା’ ସୁଭଦ୍ରା ଓ ଶ୍ରୀ ସୁଦର୍ଶନଙ୍କ ସହ ଭକ୍ତଙ୍କୁ ଦର୍ଶନ ଦେଇଥଲେ । ତେବେ, ପ୍ରଥମ ଥା ପାଇଁ ଭକ୍ତ ଚର୍ମଚକ୍ଷୁରେ ଏହି ଅପୂର୍ବ ଦୃଶ୍ୟ ଦେଖିବାର ସୁଯୋଗ ନ ପାଇ ଟେଲିଭିଜନ ପରଦାରେ ତାହା ଦେଖିବାକୁ ବାଧ୍ୟ ହୋଇଥିଲେ ।
ରଥଯାତ୍ରାର ଆଦ୍ୟପର୍ବ ହେଉଛି ଆଜିର ଦେବସ୍ନାନ ପୂର୍ଣ୍ଣିମା । ଏହି ଅବସରରେ ପ୍ରଭୁ ଶ୍ରୀଜଗନନ୍ନାଥ, ଶ୍ରୀବଳଭଦ୍ର ଓ ମା’ ସୁଭଦ୍ରା ଓ ସୁଦର୍ଶନ ପୁରୀ ଶ୍ରୀମନ୍ଦିରରୁ ବାହାରି ସ୍ନାନବେଦୀରେ ବିଜେ ହେବା ପରେ ହେି ମଂଚରୁ ଅଗଣିତ ଭକ୍ତଙ୍କୁ ଦର୍ଶନ ଦେଇଥା’ନ୍ତି । ଜଗନ୍ନାଥ ସଂସ୍କୃତିରେ ଏହା ହେଉଛି ଏକ ନିର୍ବିବାଦୀୟ ପରଂପରା । ଦେବସ୍ନାନ ଓ ହାତୀ ବେଶ ପରେ ତିନି ଠାକୁର ଜ୍ୱରରେ ପୀଡ଼ିତ ହୋଇ ଅଣସରରେ ରହିବା ଏବଂ ୧୪ ଦିନ ପରେ ରଥଯାତ୍ରାରେ ବାହାରି ବଡ଼ ଦାଣ୍ଡରେ ତିନି ରଥରୁ ଭକ୍ତଙ୍କୁ ଦର୍ଶନ ଦେବା ପରଂପରା ଶତାଧିକ ବର୍ଷ ଧରି ପ୍ରଚଳିତ ରହି ଆସିଛି । ଦେଶ ତା ରାଜ୍ୟରେ କରୋନା ମହାମାରୀର ସଂକ୍ରମଣ ଯୋଗୁ ରଥଯାତ୍ରା ପରଂପରା ରକ୍ଷା ହେବ କି ନାହିଁ ସନ୍ଦେହରେ ଥିବା ବେଳେ ଗୋଟିଏ ପରେ ଗୋଟିଏ ଆଦ୍ୟପର୍ବ ନିର୍ବିଘ୍ନରେ ସମାପନ ହୋଇ ଚାଲିଛି । ତେବେ, ଭଗବାନ ହେଉ ବା ସରକାର ଏଥର ଭକ୍ତଙ୍କୁ ଦୂରରେ ରଖି ପରଂପରା ନିଭାଉଛନ୍ତି । ଏହା ଶ୍ରୀମନ୍ଦିର ପରିସର ଭିତରର କାର୍ଯ୍ୟ ହୋଇ ଥିବାରୁ ଭକ୍ତଙ୍କ ଉପସ୍ଥିତି ବିନା କୋଭିଡ଼-୧୯ କଟକଣା ଭିତରେ ସଂପାଦନ କରାଯିବାକୁ ରାଜ୍ୟ ସରକାର କେନ୍ଦ୍ର ସରକାରଙ୍କ ସହ ପରାମର୍ଶ କରି ଅନୁମତି ଦେଇଥିଲେ । ଚତୁର୍ଦ୍ଧା ମୂର୍ତିଙ୍କ ସ୍ନାନଉତ୍ସବ ଓ ହାତୀ ବେଶ ସଂପାଦନ କରିବାକୁ ଥିବା ଗରାବଡି ଓ ଅନ୍ୟ ସେବକମାନଙ୍କ କୋଭିଡ଼-୧୯ ନମୁନା ପରୀକ୍ଷା କରାଯାଇ ସେମାନଙ୍କ ମଧ୍ୟରେ କେହି କରୋନା ଆକ୍ରାନ୍ତ ଅଛନ୍ତି କି ନାହିଁ ସୁନିଶ୍ଚିତ କରାଯାଇଥିଲା । ଯେଉଁମାନେ ମଂଗଳ ଆରତୀ ଠାରୁ ଆରମ୍ଭ କରି ସ୍ନାନ ମଂଣ୍ଡପରେ ତିନି ଠାକୁର ଓ ସୁଦର୍ଶନଙ୍କୁ ସ୍ନାନ କରାଇବେ ଏବଂ ହାତୀ ବେଶରେ ସଜାଇବେ ସେମାନଙ୍କ ତାଲିକା ପ୍ରସ୍ତୁତ କରାଯାଇ ଭିନ୍ନ ଭିନ୍ନ କାର୍ଯ୍ୟ ପାଇଁ ଭିନ୍ନ ଭିନ୍ନ ରଂଗର ପାସ୍ ଇସ୍ୟୁ କରାଯାଇଥିଲା । ତାଲିକାଭୁକ୍ତ ସେବକମାନେ ହିଁ ଆଜି ସମସ୍ତ କାର୍ଯ୍ୟ ସଂପାଦନ କରିଛନ୍ତି ।
ସାଧାରଣ ସମୟ ହୋଇଥିଲେ ସ୍ନାନ ପୂର୍ଣ୍ଣିମାରେ ସ୍ନାନବେଦୀରେ ଅଧିଷ୍ଟ ଥିବା ତିନି ଠାକୁରଙ୍କ ଦର୍ଶନ କରି ପୂଣ୍ୟ ଅର୍ଜନ କରିବାକୁ ପୁରୀ ବଡଦାଣ୍ଡରେ ଲକ୍ଷାଧିକ ଭକ୍ତଙ୍କ ସମାଗମ ହୋଇଥା’ନ୍ତା । କିନ୍ତୁ, ରାଜ୍ୟରେ କରୋନା ମହାମାରୀର ଶୃଙ୍ଖଳକୁ ଭାଂଗିବା ପାଇଁ କଠୋର କଟକଣା ଜାରି ଥିବାରୁ ଭକ୍ତବିନା ଆଜିର ସ୍ନାନ ଉତ୍ସବ ସମାପିତ ହୋଇଛି । ରାଜ୍ୟ ସରକାର ଭଗବାନଙ୍କ ଠାରୁ ଭକ୍ତଙ୍କୁ ଦୂରେଇ ରଖିବା ସକାଶେ ପୂର୍ବ ରାତିରେ ଶ୍ରୀମନ୍ଦିର ଚାରି ପାଖ ଅଂଚଳରେ ୧୪୪ ଧାରା ଜାରି କରିଥିଲେ । ଫଳରେ, ବାହାରୁ ଆସୁଥିବା ଭକ୍ତମାନେ କେବଳ ନୁହନ୍ତି, ପୁରୀ ସହରର ବାସିନ୍ଦା ମଧ୍ୟ ଦେବସ୍ନାନ ମଣ୍ଡପ ନିକଟରୁ ଏହି ପବିତ୍ର ପରଂପରାର ଦର୍ଶନ କରି ନ ପାରି ଟେଲିଭିଜନ ପରଦାରେ ଧାଡି ପହଣ୍ଡି, ଦେବସ୍ନାନ ଓ ହାତୀ ବେଶ ଦେଖିବାକୁ ବାଧ୍ୟ ହୋଇଥିଲେ । ଶ୍ରୀମନ୍ଦିର ଚାରି ପାଖ ପୁଲିସ ଛାଉଣୀରେ ପରିଣତ ହୋଇଥିଲା । ଗରବଡୁ ସେବକ ଓ ଅନ୍ୟାନ୍ୟ ସେବକମାନେ ଆଜି ସକାଳେ ଶ୍ରୀମନ୍ଦିର ପରିସରରେ ଥିବା ସୁନା କୂଅରୁ ୧୦୮ ଗରା ଜଳ ଆଣି ଶ୍ରୀଜୀଉମାନଙ୍କୁ ସ୍ନାନ କରାଇବା ପରେ ତୁର୍ଦ୍ଧା ମୂର୍ତିଙ୍କୁ ହାତୀ ବେଶରେ ସଜାଇ ଥିଲେ । ଅପରାହ୍ନ ସୁଦ୍ଧା ଏହି କାର୍ଯ୍ୟ ସରିଛି । ଭକ୍ତମାନେ ଚର୍ମ ଚକ୍ଷୁରେ ନ ହେଲେ ମଧ୍ୟ ଟିଭି ପରଦାରେ ଏହା ଦର୍ଶନ କରି କୃତ୍ୟ କୃତ୍ୟ ହୋଇଛନ୍ତି । ପରଂପରା ମୁତାବକ ସ୍ନାନବେଦୀରେ ଚତୁର୍ଦ୍ଧା ମୁର୍ତି ଭକ୍ତଙ୍କ ସମ୍ମୁଖରେ ମନଭରି ସ୍ନାନ କରିବା ପରେ ଜ୍ୱରରେ ପୀଡିତ ହୋଇ ଅଣସରକୁ ଚାଲି ଯାଆନ୍ତି । ୧୪ ଦିନ ଅଣସରରେ ରହିବା ପରେ ରଥଯାତ୍ରା ଦିନ ଠାକୁରମାନେ ତିନିଟି ଭିନ୍ନ ଭିନ୍ନ ରଥରେ ବସି ମାଉସୀମା ମନ୍ଦିରକୁ ଯିବା ଅବସରରେ ବଡ଼ ଦାଣ୍ଡରେ ଉପସ୍ଥିତ ଲକ୍ଷ ଲକ୍ଷ ଭକ୍ତଙ୍କୁ ଦର୍ଶନ ଦେଇଥା’ନ୍ତି । ତେବେ, ଚଳିତ ବର୍ଷ ତିନି ଠାକୁର ୧୪ ନୁହେଁ, ୧୫ ଦିନ ଅଣସର ଗୃହରେ ରହିବେ ବୋଲି ନିଷ୍ପତ୍ତି ହୋଇଥିବା ସୂଚନା ମିଳିଛି ।
ତିନି ଠାକୁରଙ୍କ ଅଣସର ସମୟରେ ଶ୍ରୀମନ୍ଦିରରେ ଠାକୁରଙ୍କ ଅନୁପସ୍ଥିତିରେ ପଟ୍ଟି ଦିଅଁ ପୂଜା ପାଇଥା’ନ୍ତି । ଭକ୍ତମାନେ ପୁରୀ ଜିଲ୍ଲା ବ୍ରହ୍ମଗିରି ଯାଇ ଅଲାରନାଥଙ୍କ ଦର୍ଶନ କରିଥା’ନ୍ତି । ତେବେ, ଚଳିତ ବର୍ଷ ଅଲାରନାଥରେ ମଧ୍ୟ ୨୦ ତାରିଖ ପର୍ଯ୍ୟନ୍ତ ୧୪୪ ଧାରା ଜାରି କରାଯାଇ ଭକ୍ତଙ୍କ ଦର୍ଶନ ଉପରେ କଟକଣା ଜାରି କରାଯାଇଛି । ଜୁନ ୨୩ରେ ରଥଯାତ୍ରା ହେବାକୁ ଥିବା ତିନି ଠାକୁରଙ୍କ ରଥ ନିର୍ମାଣ କୋଭିଡ଼ କଟକଣା ଭିତରେ ଚାଲିଛି । ତେବେ, ରଥ ଟଣାରେ ସାଧାରଣ ଭକ୍ତଙ୍କୁ ସାମିଲ କରା ନ ଯାଇ ପୁଲିସ କର୍ମଚାରଙ୍କ ସହାୟତାରେ ଏହି କାର୍ଯ୍ୟ ସମାପନ ହେବା ଅନୁମାନ କରି ହେଉଛି । ଭକ୍ତମାନେ ରଥ ଟଣା ମଧ୍ୟ ଟିଭି ପରଦାରେ ଦେଖିବେ । ତିନି ଠାକୁର ମାଉସୀମା ମନ୍ଦିରରେ ପହଂଚିବା ପରେ ଭକ୍ତଙ୍କ ବିନା ସମୟ କାଟିବେ । ଅଧର ପଣା, ସୁନା ବେଶ ଓ ନିଳାଦ୍ରୀ ବିଜେରେ ଏକା ଅବସ୍ଥା ଦେଖା ଦେବ ବୋଲି ଏଥିରୁ ସ୍ପଷ୍ଟ ହେଉଛି । ଦେବସ୍ନାନ ସମୟରେ ଗଜପତି ମହାରାଜା ଦିବ୍ୟସିଂହ ଦେବଙ୍କ ଅନୁପସ୍ଥିତି ମଧ୍ୟ ଏଥର ଆଉ ଏକ ବ୍ୟତିକ୍ରମ । ଗଜପତିଙ୍କ ପ୍ରତିନିଧି ଭାବେ ମୁଦିରଥ ଏହି କାର୍ଯ୍ୟ ସଂପାଦନ କରିଥିଲେ । ପୁରୀ ଗଜପତି ଏହାର ସ୍ପଷ୍ଟୀକରଣ ଦେଇଛନ୍ତି । ରାଜ୍ୟ ସରକାରଙ୍କ କରୋନା କଟକଣାକୁ ସମ୍ମାନ ଦେଇ ସେ ଶ୍ରୀନଅର ବାହାରକୁ ବାହାରି ନ ଥିଲେ ଗଜପତି ମହାରାଜ ଦିବ୍ୟସିଂହ ଦେବ କହିଛନ୍ତି ।
ଗଜପତି କହିଛନ୍ତି ଯେ, ରାଜ୍ୟ ସରକାର ୬୫ରୁ ଅଧିକ ବୟସର ଲୋକଙ୍କୁ ଘରୁ ବାହାରକୁ ନ ଯିବାକୁ ପରାମର୍ଶ ଦେଇଛନ୍ତି । ଗୋଟିଏ ସ୍ଥାନରେ ୭ରୁ ଅଧିକ ଲୋକ ଏକାଠି ହେବାକୁ ମଧ୍ୟ ବାରଣ କରାଯାଇଛି । ସ୍ନାନ ଉତ୍ସବ ମଧ୍ୟ ଏକ ଧାର୍ମିକ କାର୍ଯ୍ୟ । ତେଣୁ, ସେ ଏଥିରେ ଭାଗ ନ ନେଇ ଶ୍ରୀନଅରରେ ରହିବାକୁ ପସନ୍ଦ କଲେ । ଏହା ପ୍ରଥମ ନୁହେଁ, ୧୯୭୬ ସ୍ନାନଯାତ୍ରା ସମୟରେ ସେ ଏଲଏଲଏମ (ଆଇନ ପାଠ୍ୟକ୍ରମ) ପାଇଁ ଆମେରିକାରେ ଥିବା ସମୟରେ ସ୍ନାନଯାତ୍ରାରେ ଠାକୁର ସେବାରୁ ବଂଚିତ ରହିଥିଲେ । ତାଙ୍କ ପ୍ରତିନିଧି ଭାବେ ମୁଦିରଥ ତାଙ୍କ କାର୍ଯ୍ୟ ସଂପାଦନ କରିଥିଲେ । କରୋନା ମହାମାରୀ ଭଳି ଏକ ବଡ଼ ବିପଦର ମୁକାବିଲା ପାଇଁ ରାଜ୍ୟ ସରକାର କଠୋର କଟକଣା ଜାରି କରିଛନ୍ତି । ତାହାକୁ ମାନିବା ହେଉଛି ସମସ୍ତଙ୍କ କର୍ତବ୍ୟ ବୋଲି ଗଜପତି ମହାରାଜା କହିଛନ୍ତି । ତେବେ, ପୁରୀ ଶଙ୍କରାଚାର୍ଯ୍ୟ ନିଶ୍ଚଳାନନ୍ଦ ସରସ୍ୱତୀଙ୍କ ପରାମର୍ଶକ୍ରମେ ଶ୍ରୀମନ୍ଦିର ପରିସରରେ ସମସ୍ତ ଦେବନୀତି ଚାଲିଛି ବୋଲି ସେ ସୂଚନା ଦେଇଛନ୍ତି । ଭକ୍ତମାନେ ସିଧାସଳଖ ଠାକୁର ଦର୍ଶନ ସଯୋଗ ପାଇ ନ ଥିଲେ ମଧ୍ୟ ଟିଭିରେ ଦର୍ଶନ କରିଛନ୍ତି । ଭଗବାନଙ୍କ ପ୍ରତି ମନରେ ଭକ୍ତି ଥିଲେ ସିଧାସଳଖ ଦର୍ଶନ ନ ହେଲେ ବି ଜଣେ ଠାକୁରଙ୍କ ଆଶୀର୍ବାଦ ପାରିବ ବୋଲି ଗଜପତିକହିଛନ୍ତି ।
ଚଳିତ ବର୍ଷ କେବଳ ପୁରୀ ଶ୍ରୀମନ୍ଦିର ନୁହେଁ, ଦେଶର ସମସ୍ତ ଧାର୍ମୀକ ପୀଠ କରୋନା ସଂକଟର ସାମନା କରୁଛି । କେନ୍ଦ୍ର ଓ ରାଜ୍ୟ ସରକାର କରୋନାର ସଂକ୍ରମଣ ଶୃଙ୍ଖଳକୁ ଭାଂଗିବା ପାଇଁ ସାମାଜିକ ଦୂରତା ରକ୍ଷାକୁ ପ୍ରାଥମିକତା ଦେଇଛନ୍ତି । ଦେଶରେ ସମସ୍ତ ଧାର୍ମିକ, ସାମାଜିକ, ରାଜନୈତିକ କାର୍ଯ୍ୟକଳାପ, ଖେଳକୁଦ ବନ୍ଦ ରହିଛି । ବିବାହ ଉତ୍ସବ ଭଳି ସାମାଜିକ କାର୍ଯ୍ୟକ୍ରମ ମଧ୍ୟ କଟକଣା ଭିତରେ ରହିଛି । ଦେଶର ସମସ୍ତ ପ୍ରମୁଖ ମନ୍ଦିର ଓ ଧାର୍ମିକ ସ୍ଥଳରେ ଚାବି ପଡି ଯାଇଛି । ମାର୍ଚ୍ଚ ୨୫ରୁ ଏଭଳି କଟକଣା ଜାରି ଥିବାରୁ ଭକ୍ତମାନେ ନିଜ ନିଜର ଆରାଧ୍ୟ ଦେବତାଙ୍କ ଦର୍ଶନରୁ ବଂଚିତ ଅଛନ୍ତି । କେବଳ ହିନ୍ଦୁ ମନ୍ଦିର ନୁହଁ, ଅନ୍ୟ ଧର୍ମର ଧର୍ମସ୍ଥଳୀଗୁଡିକ ମଧ୍ୟ ସମାନ କଟକଣା ଭିତରେ ରହିଛି । ଜୁନ ୮ରୁ କରୋନା କଟକଣା କୋହଳ କରିବାକୁ କେନ୍ଦ୍ର ସରକାର ଗାିଡ୍ ଲାଇନ୍ ଜାରି କରିଥିବା ବେଳେ ରାଜ୍ୟ ସରକାର ଜୁନ ୩୦ ପରେ ପରିସ୍ଥିତି ଦେଖି ଯାହା କିଛି ନିଷ୍ପତ୍ତି ନେଇ ପାରନ୍ତି । ସବୁ ସେହି ବଡ଼ ଠାକୁରଙ୍କ ଇଚ୍ଛା । ସେ ନ ଚାହିଁଲେ କୌଣସି କାର୍ଯ୍ୟ ହୁଏନି । ପୁରୀ ଗଜପତି ଏହି ମନ୍ତବ୍ୟ ରାଜ୍ୟବାସୀଙ୍କ ମନ ବୁଝାଇବାକୁ ଯଥେଷ୍ଟ ।
LETTER FROM THE EDITOR: A SPECIAL THANKS TO OUR READERS
LETTER FROM THE EDITOR: A SPECIAL THANKS TO OUR READERS