କରୋନା ଡାଏରୀ (୮)… ଓଡ଼ିଶାରେ ସୁସ୍ଥ ହାର ଅଧିକ ଥାଇ ସୁଦ୍ଧା ସରକାର ଛାନିଆ ?
ପ୍ରସାଦ ରାଓ
ଭୁବନେଶ୍ୱର, ଜୁନ ୦୪
ରାଜ୍ୟରେ କରୋନା ମହାମାରୀର ଜୟଯାତ୍ରା ସରକାରଙ୍କୁ ଛାନିଆ କରିଛି । କେନ୍ଦ୍ର ସରକାରଙ୍କ ଗୃହ ମନ୍ତ୍ରଣାଳୟ ଜୁନ୍ ମାସରୁ ‘ଅନଲକ୍-୧’ କାର୍ଯ୍ୟକ୍ରମ ଆରମ୍ଭ କରି ୮ ତାରିଖରୁ ଅନେକ କିଛି କୋହଳ କରିବାକୁ ନିଷ୍ପତ୍ତି ନେଇଥିବା ବେଳେ ଓଡ଼ିଶା ସରକାର ପଂଚମ ପର୍ଯ୍ୟାୟ ତାଲାବନ୍ଦ ଘୋଷଣା କରି ବିଭିନ୍ନ କଟକଣାକୁ ଅଧିକ କଠୋର କରିଛନ୍ତି । ତେବେ, କଟକଣା କୋଭିଡ଼-୧୯ର ଜୟଯାତ୍ରାକୁ ରୋକି ପାରିବ ବୋଲି ଆଶା ଦିଶୁ ନାହିଁ । ଅପରପକ୍ଷରେ, ଜୁନ ୩ ତାରିଖରେ ରାଜ୍ୟର ୩୦ତମ ଜିଲ୍ଲା କରୋନା ମାନଚିତ୍ରରେ ନିଜ ଉପସ୍ଥିତି ଜାହିର କରିଛି । ରାୟଗଡ଼ା ଜିଲ୍ଲାରୁ ୩ ତାରିଖ ଜଣେ କରୋନା ଆକ୍ରାନ୍ତ ଚିହ୍ନଟ ହେବା ପରେ ରାଜ୍ୟରେ କୌଣସି ଜିଲ୍ଲା ଆଉ ସବୁଜ ହୋଇ ରହି ନାହିଁ । ମେ’ ମାସ ପ୍ରାରମ୍ଭ ସୁଦ୍ଧା ରାଜ୍ୟର ୧୦ଟି ଜିଲ୍ଲାରେ ସୀମିତ ଥିବା କରୋନା ମହାମାରୀ ଦେଶର ବିଭିନ୍ନ ଅଧିକ ସଂକ୍ରମିତ ରାଜ୍ୟରୁ ପ୍ରବାସୀ ଶ୍ରମିକ ଫେରିବା ପରେ ବନାଗ୍ନୀ ସଦୃଶ ବଢି ଚାଲିଛି । ଜୁନ ୨ ତାରିଖ ସୁଦ୍ଧା ରାଜ୍ୟର ୨୯ଟି ଜିଲ୍ଲା କରୋନା ସଂକ୍ରମିତ ଥିଲା । ରାୟଗଡ଼ା ଜିଲ୍ଲା କେମିତି ଏଥିରୁ ବର୍ତି ଯାଇଛି ବୋଲି ସମସ୍ତେ ଭାବୁଥିବା ବେଳେ ୩ ତାରିଖ ଏହି ଜିଲ୍ଲା ମଧ୍ୟ କରୋନା ମାନଚିତ୍ରରେ ସ୍ଥାନ ପାଇ ମାନଚିତ୍ରଟିକୁ ସ୍ୱୟଂ ସଂପୂର୍ଣ୍ଣ କରିଛି । ଜଣେ ଦିଲ୍ଲୀ ଫେରନ୍ତା ବ୍ୟକ୍ତି କରୋନା ଆକ୍ରାନ୍ତ ଚିହ୍ନଟ ହୋଇ ରାୟଗଡ଼ା ଜିଲ୍ଲାକୁ ଏହି ମାନଚିତ୍ରରେ ସ୍ଥାନ ଦେଇଛନ୍ତି ।
୨୦୨୦ ମାର୍ଚ୍ଚ ମାସ ଦ୍ୱିତୀୟ ସପ୍ତାହରେ ରାଜ୍ୟରେ ପ୍ରଥମ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିଲେ । ସେତେବେଳେ ବିଦେଶ ଫେରନ୍ତା ଏହି ରୋଗର ବାହକ ଥିବା କୁହାଗଲା । ସରକାର ସଜାଗ ହୋଇ ସମସ୍ତ ବିଦେଶ ଫେରନ୍ତାଙ୍କୁ କୋଭିଡ଼-୧୯ ନମୁନା ପରୀକ୍ଷା ଓ ସଂଗରୋଧକୁ ବାଧ୍ୟ କଲେ । ପରେ, ଦିଲ୍ଲୀ ନିଜାମୁଦ୍ଦିନ ମରକଜ୍ ଫେରନ୍ତା, ପଶ୍ଚିମ ବଂଗ ଫେରନ୍ତା କୋଭିଡ଼-୧୯ ବାହକ ହେଲେ । କୋଭିଡ଼-୧୯ର ମୁକାବିଲା ରାଜ୍ୟ ସରକାର ଭିତ୍ତିଭୂମିର ବିକାଶ ଉପରେ ଗୁରୁତ୍ୱ ଦେଇ ରାଜଧାନୀ ଭୁବନେଶ୍ୱର ସମେତ ରାଜ୍ୟରେ ଥିବା ସବୁ ପ୍ରମୁଖ ହସପିଟାଲକୁ କୋଭିଡ଼ ରୋଗୀଙ୍କ ଚିକିତ୍ସା ପାଇଁ ପ୍ରସ୍ତୁତ କଲେ । ପରେ, ସମସ୍ତ ଜିଲ୍ଲାରେ କରୋନା ଚିକିତ୍ସା ବ୍ୟବସ୍ଥା ହୋଇଛି । ୩୪ଟି କୋଭିଡ଼ ହସପିଟାଲ କାର୍ଯ୍ୟକ୍ଷମ କରାଯିବା ସହ ସନ୍ଦିଗ୍ଧଙ୍କ ସ୍ୱାବ୍ ନମୁନା ପରୀକ୍ଷାକୁ ଗୁରୁତ୍ୱ ଦିଆଯାଇଛି । ସରକାରଙ୍କ ଆଗୁଆ ପଦକ୍ଷେପ ଫଳରେ ଚିକିତ୍ସା ପରେ ସୁସ୍ଥ ହେଉଥିବା କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢିଛି । ରାଜ୍ୟରେ ଯେତେ ସଂଖ୍ୟାରେ ସ୍ୱାବ୍ ନମୁନା ପରୀକ୍ଷଣ ହେଉଛି ସେଥିରୁ ମାତ୍ର ୧.୪୯ ପ୍ରତିଶତ ନମୁନା ପଜେଟିଭ୍ ବାହାରୁ ଥିବା ବେଳେ ୯୮.୫୧ ପ୍ରତିଶତ ନମୁନା ନେଗେଟିଭ୍ ବାହାରୁ ଥିବା ସରକାରଙ୍କୁ ଆଶ୍ୱସ୍ତ କରିଛି । ତଥାପି, ରାଜ୍ୟରେ ତାଲାବନ୍ଦ କଟକଣା କୋହଳ ହେଉ ନାହିଁ । କେନ୍ଦ୍ର ସରକାର ଜୁନ୍ ମାସ ୮ ତାରିଖରୁ ତାଲା ଖୋଲିବାର ପ୍ରୟାସ ଆରମ୍ଭ କରିଥିବା ବେଳେ ରାଜ୍ୟରେ ଜୁନ୍ ୩୦ ତାରିଖ ପର୍ଯ୍ୟନ୍ତ କଟକଣା କଡାକଡି ହେବା ଗ୍ରହଣୀୟ ନୁହେଁ କହି ନାରାୟଣ ଚନ୍ଦ୍ର ଜେନା ନାମକ ଜଣେ ସ୍ୱେଚ୍ଛାସେବୀ ଓଡ଼ିଶା ହାଇକୋର୍ଟରେ ଏକ ଜନସ୍ୱାର୍ଥ ମାମଲା ଦାଏର କରିଛନ୍ତି । ଏହି ମାମଲାରେ ରାଜ୍ୟ ଓ କେନ୍ଦ୍ର ସରକାରଙ୍କୁ ପକ୍ଷଭୁକ୍ତ କରାଯାଇଛି ।
କେନ୍ଦ୍ର ସରକାରଙ୍କ ଗୃହ ମନ୍ତ୍ରଣାଳୟ ମେ’ ୩୧ ପର୍ଯ୍ୟନ୍ତ ଦେଶବ୍ୟାପୀ ଜାରି ଥିବା ତାଲାବନ୍ଦକୁ ଜୁନ ୧ରୁ କୋହଳ କରିବା କାରଣ ହେଉଛି, ଦୁଇ ମାସରୁ ଅଧିକ ଦିନ ତାଲାବନ୍ଦ ଯୋଗୁ ଦେଶର ଅର୍ଥନୀତି ବିପର୍ଯ୍ୟସ୍ତ ହୋଇପଡିଛି । ସେଥିରେ ସୁଧାର ଆଣିବା ପାଇଁ ତୁରନ୍ତ ପଦକ୍ଷେପ ନ ନେଲେ ସ୍ଥିତି ଅସମ୍ଭାଳ ହେବ । ତେଣୁ, ‘ଅନଲକ୍-୧’ ନାମରେ ଜୁନ୍ ମାସର କାର୍ଯ୍ୟକ୍ରମ ଘୋଷଣା କରାଯାଇଛି । ତାଲାବନ୍ଦ ସମୟରେ ସଂପୂର୍ଣ୍ଣ ବନ୍ଦ ରହିଥିବା ସମସ୍ତ ବ୍ୟବସାୟିକ କାର୍ଯ୍ୟକଳାପକୁ ପର୍ଯ୍ୟାୟକ୍ରମେ ନୂଆ ରୂପରେ ଆରମ୍ଭ କରିବାକୁ କେନ୍ଦ୍ର ସରକାର ଗୁରୁତ୍ୱ ଦେଇ ‘ଅନଲକ୍-୧’ର ନିୟମାବଳୀ ଜାରି କରିଥିବା ବେଳେ ରାଜ୍ୟ ସରକାର ରାଜ୍ୟକୁ ଫେରୁଥିବା ପ୍ରବାସୀଙ୍କୁ ଡ଼ରି ଜୁନ୍ ୩୦ ପର୍ଯ୍ୟନ୍ତ ତାଲାବନ୍ଦ କଟକଣାକୁ ଅଧିକ କଠୋର କରିଛନ୍ତି । ଜୁନ୍ ମାସ ପାଇଁ ଜାରି ରାଜ୍ୟ ସରକାରଙ୍କ ନୂତନ ନିୟମାବଳୀରେ ରାଜ୍ୟର ୧୧ଟି ଜିଲ୍ଲାକୁ ସର୍ବାଧିକ ସଂକ୍ରମିତ ଭାବେ ଚିହ୍ନଟ କରାଯାଇ ସେସବୁ ଜିଲ୍ଲାରେ ଜୁନ୍ ୩୦ ପର୍ଯ୍ୟନ୍ତ ସପ୍ତାହକୁ ଦୁଇ ଦିନ (ଶନିବାର ଓ ରବିବାର) ୪୮ ଘଂଟିଆ ‘ସଂପୂର୍ଣ୍ଣ ସଟ୍ ଡାଉନ୍’ ଘୋଷଣା କରାଯାଇଛି । କେନ୍ଦ୍ର ସରକାର ଜୁନ ୩୦ ଯାଏଁ ରାତ୍ରୀ କର୍ଫ୍ୟୁ ରାତି ୯ଟାରୁ ପରଦିନ ସକାଳ ୫ଟା ପର୍ଯ୍ୟନ୍ତ ଲାଗୁ କରି ଥିବା ବେଳେ ଓଡ଼ିଶାରେ ତାହା ପୂର୍ବପରି ସନ୍ଧ୍ୟା ୭ଟାରୁ ପରଦିନ ସକାଳ ୭ଟା ପର୍ଯ୍ୟନ୍ତ ବଳବତ୍ତର ରହିଛି । ଏହା କେନ୍ଦ୍ର ସରକାରଙ୍କ ଦ୍ୱାରା ଜାରି ନିୟମାବଳୀର ଉଲଂଘନ ବୋଲି ଜନସ୍ୱାର୍ଥ ମାମଲାରେ ଦର୍ଶାଯାଇଛି ।
ରାଜ୍ୟରେ ସନ୍ଧ୍ୟା ୭ଟାରୁ ପରଦିନ ସକାଳ ୭ଟା ପର୍ଯ୍ୟନ୍ତ କର୍ଫ୍ୟୁ ବଳବତ୍ତର ରହିଲେ ବାଣିଜ୍ୟ ଓ ବ୍ୟବସାୟିକ କାର୍ଯ୍ୟକଳାପ ବ୍ୟାହତ ହେଉଛି । ଏହା ଦେଶର ଅର୍ଥନୀତିକୁ ସୁଧାରିବା ପାଇଁ କେନ୍ଦ୍ର ସରକାରଙ୍କ ଉଦ୍ୟମର ପରିପନ୍ଥୀ ଏବଂ ଗୃହ ମନ୍ତ୍ରଣାଳୟ ଦ୍ୱାରା ଜାରି ନିୟମାବଳୀର ଉଲଂଘନ । ତେଣୁ, ଆଇନ ଅନୁଯାୟୀ ରାଜ୍ୟ ସରକାରଙ୍କ ନୂତନ ନିୟମାବଳୀ ଗ୍ରହଣୀୟ ନୁହେଁ ବୋଲି ଆବେଦନକାରୀ ପିଆଇଏଲରେ ଦର୍ଶାଇଛନ୍ତି । କେନ୍ଦ୍ର ଓ ରାଜ୍ୟ ସରକାର ଏହାର କି ଜବାବ ଦେବେ, ତାହା ପର କଥା । ତେବେ, କେନ୍ଦ୍ର ଗୃହ ମନ୍ତ୍ରଣାଳୟ ‘ଅନଲକ୍-୧’ ନିୟମାବଳୀରେ ରାଜ୍ୟ ସରକାରମାନଙ୍କୁ ଆବଶ୍ୟକତାକୁ ଦେଖି ରାଜ୍ୟସ୍ତରରେ କଟକଣା ଲାଗୁ କରିବାକୁ ଯେଉଁ ଅଧିକାର ଦେଇଛନ୍ତି ତାହା ଓଡ଼ିଶା ସରକାରଙ୍କୁ ଏହି ମାମଲାର ଜବାବ ଦାଖଲ କରିବାରେ ସହାୟକ ହେବ ବୋଲି ଆଶା କରାଯାଉଛି । ମେ’ ମାସରେ ରାଜ୍ୟକୁ ୪ ଲକ୍ଷ ୨୬ ହଜାର ପ୍ରବାସୀ ଶ୍ରମିକ ଫେରିବା ପରେ ରାଜ୍ୟରେ ବିସ୍ଫୋରକ ପରିସ୍ଥିତି ସୃଷ୍ଟି ହୋଇ ଥିବାରୁ ଜୁନ୍ ରେ ଅଧିକ ସଂଖ୍ୟାରେ ପ୍ରବାସୀ ଫେରିଲେ ମହାମାରୀକୁ ନିୟନ୍ତ୍ରଣ କରିବା ସରକାରଙ୍କ ପାଇଁ ବଡ଼ ଚ୍ୟାଲେଂଜ ହେବ । ତେଣୁ, ରାଜ୍ୟ ସରକାର ଜୁନ୍ ମାସ ପାଇଁ ନୂଆ ନିୟମାବଳୀ ପ୍ରସ୍ତୁତ କଲା ବେଳେ ଅଧିକ କଠୋର ହୋଇଥିବା ବିଶ୍ୱାସ କରାଯାଉଛି । ରାଜ୍ୟ ସରକାରଙ୍କ ଯୁକ୍ତି ହେଉଛି, ମେ’ ମାସରେ ରାଜ୍ୟକୁ ଫେରୁଥିବା ପ୍ରବାସୀ ଓଡ଼ିଆ ଶ୍ରମିକ ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୯୫ ପ୍ରତିଶତରୁ ଅଧିକ ବୃଦ୍ଧିର ମୁଖ୍ୟ କାରଣ ହୋଇଛନ୍ତି । ତେଣୁ, ବ୍ୟବସାୟିକ କାର୍ଯ୍ୟକଳାପକୁ ଚାଲୁ ରଖାଯିବା ସହ ରାଜ୍ୟର ୧୧ଟି ଅଧିକ ସଂକ୍ରମିତ ଜିଲ୍ଲାରେ ସପ୍ତାହାନ୍ତରେ ୪୮ ଘଂଟିଆ ସଟ୍ ଡାଉନ୍ ଘୋଷଣା ହୋଇଛି । ରାତ୍ରୀ କର୍ଫ୍ୟୁ କୋହଳ ହେଲେ କରୋନା ଲୋକମାନେ ବାହାରେ ବୁଲିବେ ଓ କରୋନା ସଂକ୍ରମଣ ବଢିବ । ସେଇଥିପାଇଁ ରାତ୍ରୀ କର୍ଫ୍ୟୁ ସମୟ ପୂର୍ବପରି ରାତି ୭ଟାରୁ ପରଦିନ ସକାଳ ୭ଟା ଯାଏଁ ବଳବତ୍ତର ରହିଛି । ଜୁନ୍ ୩୦ ପରେ ସରକାର ପରିସ୍ଥିତି ଦେଖି ନିଷ୍ପତ୍ତି ନେବେ ।
ରାଜ୍ୟର କରୋନା ଗ୍ରାଫ୍ କୁ ଦେଖିଲେ ରାଜ୍ୟ ସରକାରଙ୍କ ଯୁକ୍ତିରେ ଦମ୍ ଥିବା ସ୍ପଷ୍ଟ ହେଉଛି । ରାଜ୍ୟରେ ୨୦୨୦ ମାର୍ଚ୍ଚ ୧୫ରେ ଖୋର୍ଦ୍ଧା ଜିଲ୍ଲାର ଭୁବନେଶ୍ୱର ମହାନଗର ନିଗମ ଅଂଚଳରୁ ପ୍ରଥମ କରୋନା ରୋଗୀ ଚିହ୍ନଟ ହୋଇଥିଲେ । ଜୁନ୍ ୪ ତାରିଖ ଅପରାହ୍ନ ଆକ୍ରାନ୍ତଙ୍କ ସଂଖ୍ୟା ୨୪୭୮କୁ ବୃଦ୍ଧି ପାଇଛି । ସେଥିରୁ ୧୦୫୩ ହେଉଛନ୍ତି ଆକ୍ଟିଭ୍ ରୋଗୀ । ୧୪୧୬ ଜଣ ଚିକିତ୍ସା ପରେ ସୁସ୍ଥ ହୋଇଛନ୍ତି । ରାଜ୍ୟରେ ୭ କରୋନା ଆକ୍ରାନ୍ତଙ୍କ ମୃତ୍ୟୁ ଘଟିଥିବା ବେଳେ କୋଭିଡ଼-୧୯ ଚିକିତ୍ସା ସମୟରେ ଅନ୍ୟ କାରଣରୁ ଆଉ ୨ ଜଣଙ୍କ ମୃତ୍ୟୁ ଘଟିଛି । ରାଜ୍ୟ ସରକାରଙ୍କ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରଣାଳୟରୁ ମିଳିଥିବା ସୂଚନା ଅନୁଯାୟୀ, ରାଜ୍ୟରେ ମାର୍ଚ୍ଚ ୧୫ରୁ ୨୨ ତାରିଖ ମଧ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ଦୁଇ ଥିବା ବେଳେ ଓଡ଼ିଶା ସରକାର ୨୨ ତାରିଖରୁ ସଂପୂର୍ଣ୍ଣ ତାଲାବନ୍ଦ ଘୋଷଣା କରିଥିଲେ । ତାଲାବନ୍ଦ ଅବଧିରେ ରାଜ୍ୟରେ ଅତ୍ୟାବଶ୍ୟକ ସେବା ବ୍ୟତୀତ ଅନ୍ୟ ସମସ୍ତ କାର୍ଯ୍ୟକଳାପ ଉପରେ ରୋକ ରହି ଥିଲା । ଏପ୍ରିଲ ୨୧ ପରେ କେନ୍ଦ୍ର ସରକାର କୃଷି ସମେତ କେତେକ ଅର୍ଥନୈତିକ କାର୍ଯ୍ୟକଳାପକୁ କଟକଣା ମୁକ୍ତ କରିଥିଲେ ମଧ୍ୟ ଦେଶରେ ମେ’ ୩୧ ତାରିଖ ପର୍ଯ୍ୟନ୍ତ ତାଲାବନ୍ଦ ବଳବତ୍ତର ଥିଲା । ତାଲାବନ୍ଦ କଟକଣା ସତ୍ୱେ ରାଜ୍ୟରେ ମାର୍ଚ୍ଚ ୨୮ରେ ଆକ୍ରାନ୍ତଙ୍କ ସଂଖ୍ୟା ୩, ମାର୍ଚ୍ଚ ୩୧ରେ ୪, ଏପ୍ରିଲ ୧ରେ ୫କୁ ଛୁଇଁଲା । କିନ୍ତୁ, ରାଜ୍ୟରେ ଗୋଟିଏ ହେଲେ କରୋନା ମୃତ୍ୟୁ ଘଟି ନ ଥିଲା । ଏପ୍ରିଲ ୭ରେ ରାଜ୍ୟରେ ଆକ୍ରାନ୍ତ ସଂଖ୍ୟା ୪୨କୁ ବୃଦ୍ଧି ପାଇଲା । ଚିକିତ୍ସା ପରେ ୨ଜଣ ରୋଗୀ ସୁସ୍ଥ ହୋଇ ଥିବାରୁ ଓ ଜଣକ ମୃତ୍ୟୁ ଘଟିବାରୁ ଆକ୍ଟିଭ ରୋଗୀଙ୍କ ସଂଖ୍ୟା ୩୯ ଥିଲା । ଏପ୍ରିଲ ୨୫ ବେଳକୁ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ତିନି ଅଂକ ଛୁଇଁ ୧୦୩ ହେଲା ଏବଂ ସେଥିରୁ ୩୪ ଜଣ ସୁସ୍ଥ ହୋଇ ଥିବା ଯୋଗୁ ଆକ୍ଟିଭ୍ ରୋଗୀଙ୍କସଂଖ୍ୟା ୬୮ରେ ସୀମିତ ରହିଲା ।
ତୃତୀୟ ପର୍ଯ୍ୟାୟ ତାଲାବନ୍ଦର ଅବଧି ମେ’ ୩ରେ ସରିବା ପୂର୍ବରୁ ରାଜ୍ୟ ସରକାର ପ୍ରବାସରେ ଥିବା ଶ୍ରମିକଙ୍କ ଆଡୁ ଚାପରେ ଥିଲେ । ସେହି ସମୟରେ (ମେ’ ୧) ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୧୫୪ ଥିଲା । ଚିକିତ୍ସିତ ହେଉଥିବା ରୋଗୀଙ୍କ ମଧ୍ୟରୁ ୫୫ ଜଣ ସୁସ୍ଥ ହୋଇ ଥିବାରୁ ଚିକିତ୍ସାଧିନ ଥିବା ଆକ୍ଟିଭ ରୋଗୀଙ୍କ ସଂଖ୍ୟା ଥିଲା ୯୮ ରହି ଥିଲା । ମେ’ ୨ ତାରିଖ ପରେ ଗୁଜରାଟ, ମହାରାଷ୍ଟ୍ର, ତାମିଲନାଡୁ, ଦିଲ୍ଲୀ ପ୍ରଭୃତି ଅଧିକ କରୋନା ସଂକ୍ରମିତ ରାଜ୍ୟରୁ ପ୍ରବାସୀ ଶ୍ରମିକଙ୍କ ପ୍ରତ୍ୟାବର୍ତନ ଆରମ୍ଭ ହେଲା । ରାଜ୍ୟର ୧୦ଟି ଜିଲ୍ଲାରେ ସୀମିତ ଥିବା କରୋନା ମହାମାରୀ ମେ’ ୭ ତାରିଖ ସୁଦ୍ଧା ଅନ୍ୟ ଜିଲ୍ଲାକୁ ବ୍ୟାପୀ ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୨୪୫କୁ ବଢିଲା । ସେଥିରୁ ୬୨ ଜଣ ଚିକିତ୍ସା ପରେ ସୁସ୍ଥ ହୋଇଥିଲେ । ତେଣୁ, ରାଜ୍ୟରେ ଆକ୍ଟିଭ୍ ରୋଗୀଙ୍କ ସଂଖ୍ୟା ଥିଲା ୧୮୧ । କିନ୍ତୁ, ଗଂଜାମ ଜିଲ୍ଲାରେ କରୋନାରେ ରାଜ୍ୟର ଦ୍ୱିତୀୟ ମୃତ୍ୟୁ ଘଟି ଥିଲା । ମେ’ ୪ରୁ ୩୧ ତାରିଖ ପର୍ଯ୍ୟନ୍ତ ଚତୁର୍ଥ ପର୍ଯ୍ୟାୟ ତାଲାବନ୍ଦ ଅବଧିରେ ରାଜ୍ୟରେ କରୋନା ଆକ୍ରନ୍ତଙ୍କ ସଂଖ୍ୟା ବଢିଛି । ମେ’ ୧୫ ସୁଦ୍ଧା ରାଜ୍ୟରେ ମୋଟ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୬୭୨ ଥିବା ବେଳେ ସେଥିରୁ ୧୫୮ ଜଣ ଚିକିତ୍ସା ପରେ ସୁସ୍ଥ ହୋଇଥିଲେ । ଫଳରେ, ଆକ୍ଟିଭ୍ ରୋଗୀ ସଂଖ୍ୟା ୫୧୧ ରହି ଥିଲା । ତେବେ, କେରୋନା ମୃତ୍ୟୁ ସଂଖ୍ୟା ୩ରେ ପହଂଚି ଥିଲା । ମେ’୧୭ରେ ତାହା ୪ ହେଲା । ଆକ୍ରାନ୍ତଙ୍କ ସଂଖ୍ୟା ବଢି ୮୨୮ରେ ପହଂଚିଲା । ସେଥିରୁ ୨୨୦ ଜଣ ଚିକିତ୍ସା ପରେ ସୁସ୍ଥ ହୋଇ ଆକ୍ଟିଭ୍ ରୋଗୀଙ୍କ ସଂଖ୍ୟା ୬୦୪ ରହିଲା ।
ମେ’୨୦ ବେଳକୁ ଓଡ଼ିଶାରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ଚାରି ଅଙ୍କ ବିଶିଷ୍ଟ ହୋଇଛି । ମୋଟ ଆକ୍ରନ୍ତଙ୍କ ସଂଖ୍ୟା ୧୦୫୨ରେ ପହଂଚି ଥିବା ବେଳେ ଚିକିତ୍ସା ପରେ ୩୦୭ ଜଣ ସୁସ୍ଥ ହୋଇ ଥିବାରୁ ଆକ୍ଟିଭ ରୋଗୀ ସଂଖ୍ୟା ୭୩୯ ଥିଲା । ତେବେ, ମୃତକଙ୍କ ସଂଖ୍ୟା ୬କୁ ବଢି ଥିଲା । ମେ’୨୪ରେ ରାଜ୍ୟରେ ଆକ୍ରାନ୍ତଙ୍କ ସଂଖ୍ୟା ୧୩୩୫, ଚିକିତ୍ସା ପରେ ସୁସ୍ଥ ହୋଇଥିବା ରୋଗୀଙ୍କ ସଂଖ୍ୟା ୫୫୦ ଓ ଆକ୍ଟିଭ୍ ରୋଗୀଙ୍କ ସଂଖ୍ୟା ୭୭୮ରେ ଥିବା ସମୟରେ ମୃତକଙ୍କ ସଂଖ୍ୟା ୭କୁ ଛୁଇଁଛି । ଏହାପରେ ଆଉ କାହାରି ମୃତ୍ୟୁ ଘଟି ନାହିଁ । ତେବେ, ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ମେ’ ୨୭ରେ ୧୫୦୦ ଟପି ୧୫୯୩ ଥିବା ବେଳେ ଚିକିତ୍ସା ପରେ ସୁସ୍ଥ ହୋଇଥିବା ରୋଗୀଙ୍କ ସଂଖ୍ୟା ୮୧୨ ଏବଂ ଆକ୍ଟିଭ୍ ରୋଗୀଙ୍କ ସଂଖ୍ୟା ୭୭୪ରେ ଥିଲା । ମେ’ ୩୦ରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୧୮୧୯, ସୁସ୍ଥ ହୋଇ ଥିବା ରୋଗୀଙ୍କ ସଂଖ୍ୟା ୧୦୫୦ ଏବଂ ଆକ୍ଟିଭ୍ ରୋଗୀଙ୍କ ସଂଖ୍ୟା ୭୬୦ ଏବଂ ମେ’ ୩୧ରେ ମୋଟ ଆକ୍ରାନ୍ତ ସଂଖ୍ୟା ୧୯୪୮, ଚିକିତ୍ସା ପରେ ସୁସ୍ଥ ହୋଇ ଥିବା ରୋଗୀଙ୍କ ସଂଖ୍ୟା ୧୧୨୬ ଏବଂ ଆକ୍ଟିଭ୍ ରୋଗୀଙ୍କ ସଂଖ୍ୟା ୮୧୩ ରେକର୍ଡ କରାଯାଇଛି ।
ଜୁନ୍ ପ୍ରାରମ୍ଭରୁ ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୨ ହଜାର ଟପିିଛି । ଜୁନ୍ ୧ରେ ରାଜ୍ୟରେ ମୋଟ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୨୧୦୪ ଥିବା ବେଳେ ସେଥିରୁ ସୁସ୍ଥ ହୋଇଥିବା ରୋଗୀଙ୍କ ସଂଖ୍ୟା ୧୨୪୫ ଏବଂ ଆକ୍ଟିଭ୍ ଥିବା ରୋଗୀଙ୍କ ସଂଖ୍ୟା ୮୫୦ ଥିବା ସୂଚନା ମିଳିଥିଲା । ଜୁନ୍ ୨ରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୨୨୪୫କୁ ବଢିଛି । ସେଥିରୁ ଚିକିତ୍ସା ପରେ ସୁସ୍ଥ ହୋଇଥିବା ରୋଗୀ ସଂଖ୍ୟା ୧୩୨୫ ଥିବା ବେଳେ ଆକ୍ଟିଭ୍ ରୋଗୀଙ୍କ ସଂଖ୍ୟା ରହିଛି ୯୧୧ । ଜୁନ୍ ୩ରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୨୩୮୮, ସୁସ୍ଥ ହୋଇଥିବା ରୋଗୀଙ୍କ ସଂଖ୍ୟା ୧୪୧୬ ଏବଂ ଆକ୍ଟିଭ ରୋଗୀଙ୍କ ସଂଖ୍ୟା ୯୬୩ ବୋଲି ରାଜ୍ୟ ସ୍ୱସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ରିପୋର୍ଟ କହିଛି । ଆଜି ଅପରାହ୍ନ (ଜୁନ୍ ୪) ସୁଦ୍ଧା ରାଜ୍ୟରେ ମୋଟ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୨୪୭୮ ଥିବା ବେଳେ ସେଥିରୁ ୧୪୧୬ ଜଣ ସୁସ୍ଥ ହୋଇଥିବା ଏବଂ ଆକ୍ଟିଭ ରୋଗୀ ସଂଖ୍ୟା ୧୦୫୩ ଥିବା ରାଜ୍ୟ ସରକାର କହିଛନ୍ତି । ଆଇସିଏମଆର (ଇଣ୍ଡିଆନ୍ କାଉନସିଲ୍ ଅଫ୍ ମେଡ଼ିକାଲ୍ ରିସର୍ଚ୍ଚ)ର ନୂଆ ଗାଇଡଲାଇନ୍ ଅନୁସାରେ କରୋନା ସଂକ୍ରମଣର ଲକ୍ଷଣ ନ ଥିବା ଲୋକଙ୍କୁ କୋଭିଡ଼ ହସପିଟାଲରୁ ତୁନତ ଡ଼ିସଚାର୍ଜ କରାଯାଉଛି । ତେଣୁ, ରାଜ୍ୟରେ ସୁସ୍ଥ ହେଉଥିବା ଲୋକଙ୍କ ସଂଖ୍ୟା ବଢିଛି । ଏହା ରାଜ୍ୟ ସରକାରଙ୍କୁ ସୁବିଧାଜନକ ସ୍ଥିତିରେ ରଖିଛି ।
ଆଜି ଅପରାହ୍ନ ୪ଟା ସୁଦ୍ଧା ରାଜ୍ୟ ସରକାରଙ୍କ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରଣାଳୟରୁ ମିଳିଥିବା ତଥ୍ୟ ଅନୁଯାୟୀ ରାଜ୍ୟରେ ଆଉ ୬୫ ଜଣ କରେନା ସଂକ୍ରମିତ ସୁସ୍ଥ ହୋଇ ହସପିଟାଲରୁ ଡ଼ିସଚାର୍ଜ ହୋଇଛନ୍ତି । ସେମାନଙ୍କ ମଧ୍ୟରେ ଗଂଜାମ ଜିଲ୍ଲାର ୧୪ ଜଣ ଥିବା ବେଳେ ଜଗତସିଂହପୁର ଓ କେନ୍ଦ୍ରାପଡ଼ା ଜିଲ୍ଲାର ୧୦ ଜଣ ଲେଖାଏଁ ରହିଛନ୍ତି । ସେହିଭଳି, ଭଦ୍ରକ ଜିଲ୍ଲାର ୮ଜଣ, କେନ୍ଦୁଝର ଜିଲ୍ଲାର ୭ଜଣ, ବଲାଂଗୀର ଜିଲ୍ଲାର ୬ ଜଣ, ଖୋର୍ଦ୍ଧା ଜିଲ୍ଲାର ୩ ଜଣ, ବାଲେଶ୍ୱର ଓ ଯାଜପୁର ଜିଲ୍ଲାର ୨ଜଣ ଲେଖାଏଁ ଏବଂ ଢେଙ୍କାନାଳ, ଝାରସୁଗୁଡ଼ା ଓ କନ୍ଧମାଳ ଜିଲ୍ଲାର ଜଣେ ଲେଖାଏଁ ଥିବା ଜଣାପଡିଛି । ରାଜ୍ୟ ଏଭଳି ଏକ ସୁବିଧାଜନକ ସ୍ଥିତିରେ ଥାଇ ସୁଦ୍ଧା ସରକାର କଟକଣା କୋହଳ ନ କରି କଠୋର ହେବା ପଛରେ ଗୋଷ୍ଠୀ ସଂକ୍ରମଣର ଭୟ ଏକମାତ୍ର କାରଣ, ତାହା ଅନୁମାନ କରିବା ଭୁଲ ହେବ ନାହିଁ ।
LETTER FROM THE EDITOR: A SPECIAL THANKS TO OUR READERS
LETTER FROM THE EDITOR: A SPECIAL THANKS TO OUR READERS