ଲୋକପ୍ରିୟତାର ଶୀର୍ଷରେ ନବୀନ ଓ ମୋଦୀ
ପ୍ରସାଦ ରାଓ
ଭୁବନେଶ୍ୱର, ଜୁନ୍ ୦୩
ଦେଶର ସର୍ବାଧିକ ଲୋକପ୍ରିୟ ମୁଖ୍ୟମନ୍ତ୍ରୀ ହେଉଛନ୍ତି ଓଡ଼ିଶା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଲୋକପ୍ରିୟତା ଓଡ଼ିଶାରେ ସର୍ବାଧିକ । ସର୍ବେକ୍ଷଣ ସଂସ୍ଥା ‘ସି-ଭୋଟର’ ତାହାର ‘ଷ୍ଟେଟ୍ ଅଫ୍ ଦି ନେସନ୍-୨୦୨୦’ ସର୍ଭେରେ ଏହି ତଥ୍ୟ ପ୍ରକାଶ କରିବା ପରେ ସମାଲୋଚକମାନେ ଏହା ‘ଷ୍ଟେଜ୍ ମ୍ୟାନେଜମେଂଟ୍’ ବୋଲି ପ୍ରତିକ୍ରିୟା ବ୍ୟକ୍ତ କରିବାକୁ ପଛାଇ ନାହାନ୍ତି । ବିଭିନ୍ନ ସମୟରେ କ୍ଷମତାରେ ଥିବା ନେତାମାନେ ଏଭଳି ସର୍ଭେ କରାଇ ନିଜ ସପକ୍ଷରେ ମାହୋଲ୍ ସୃଷ୍ଟି କରିଥା’ନ୍ତି ବୋଲି କିଛି ଆଲୋଚକ ମତ ଦେଇଛନ୍ତି । ତେବେ, ଆଜିର ରାଜନୈତିକ ବାସ୍ତବତା ଯାହା ମୁଖ୍ୟମନ୍ତ୍ରୀ ପଟ୍ଟନାୟକ ଓ ପ୍ରଧାନମନ୍ତ୍ରୀ ମୋଦୀଙ୍କ ଲୋକପ୍ରିୟତାକୁ ନେଇ ସନ୍ଦେହ ପ୍ରକାଶ କରିବାର ଅବକାଶ ହିଁ ନାହିଁ । କାରଣ, ଏହି ଦୁଇ ନେତା ନିଜ ନିଜ କ୍ଷେତ୍ରରେ ସେଭଳି ଏକ ବାତାବରଣ ସୃଷ୍ଟି କରିସାରିଛନ୍ତି । ଦେଶ ତଥା ରାଜ୍ୟରେ ଉଭୟ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଓ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ବିକଳ୍ପ ନେତୃତ୍ୱର ଅଭାବ ଯେକୌଣସି ସର୍ବେକ୍ଷଣ ସଂସ୍ଥାକୁ ଏଭଳି ଏକ ନିଷ୍କର୍ଷରେ ପହଂଚାଇବା ସ୍ୱାଭାବିକ ।
ଓଡ଼ିଶା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କିମ୍ବଦନ୍ତୀ ପୁରୁଷ ବିଜୁ ପଟ୍ଟନାୟକଙ୍କ ଦାୟଦ ଭାବେ ଓଡ଼ିଶା ରାଜନୀତିରେ ପ୍ରବେଶ କରି ପ୍ରଥମେ ଗଞ୍ଜାମ ଜିଲ୍ଲାର ଆସିକା ଲୋକସଭା ଆସନରୁ ସାଂସଦ ହୋଇଥିଲେ । ରାଜନୀତିରେ ସେ ଜଣେ ଅଜ୍ଞବ୍ୟକ୍ତି (ନଭିସ୍) ବୋଲି ସେହି ସମୟରେ ଓଡ଼ିଶାର ରାଜନେତାମାନଙ୍କ ଧାରଣା ଥିଲା । ନବୀନ ସାଂସଦ ହେବା ପରେ କେନ୍ଦ୍ର ରାଜନୀତିରେ ସାମିଲ ହୋଇ ରାଜନୀତି ପାଠ ପଢି ଥିଲେ । ପୂର୍ବତନ ପ୍ରଧାନମନ୍ତ୍ରୀ ଅଟଳ ବିହାରୀ ବାଜପେୟୀ ଓ ବରିଷ୍ଠ ବିଜେପି ନେତା ଲାଲକୃଷ୍ଣ ଆଡଭାନୀଙ୍କ ତାଙ୍କ ପ୍ରତି (ବିଜୁ ବାବୁଙ୍କ ପାଇଁ) ଆଶୀର୍ବାଦ ଥିଲା । ଅଟଳ ବିହାରୀ ବାଜପେୟୀଙ୍କ ସରକାରରେ ସେ ଇସ୍ପାତ ଓ ଖଣି ମନ୍ତ୍ରଣାଳୟର କ୍ୟାବିନେଟ୍ ମନ୍ତ୍ରୀ ଭାବେ କାର୍ଯ୍ୟ ଆରମ୍ଭ କରି ରାଜନୀତିରେ ଅଭିଜ୍ଞତା ଅର୍ଜନ କରିଥିଲେ । ପରେ, ତାଙ୍କ ନେତୃତ୍ୱରେ ଗଠନ ହୋଇଥିଲା ବିଜୁ ଜନତା ଦଳ ବା ବିଜେଡ଼ି । ନବୀନ ୨୦୦୦ ମସିହାରୁ ଲଗାତର ଭାବେ ପଂଚମ ଥର ପାଇଁ ଓଡ଼ିଶାର ମୁଖ୍ୟମନ୍ତ୍ରୀ ଅଛନ୍ତି । ଏଭଳି ସଫଳତା ହାସଲ କରିବାରେ ସେ ହେଉଛନ୍ତି ଓଡ଼ିଶାର ପ୍ରଥମ ମୁଖ୍ୟମନ୍ତ୍ରୀ ।
୧୯୯୯ ମହାବାତ୍ୟା ପରବର୍ତୀ ଓଡ଼ିଶା ପୁନର୍ଗଠନ କାର୍ଯ୍ୟରେ ନବୀନ ବାବୁଙ୍କ ଆଗ୍ରହ ଓ ଅବଦାନ ଜଣାଶୁଣା । ଏହି ମହାବାତ୍ୟା ପରେ ସେ ରାଜ୍ୟବ୍ୟାପୀ ବାତ୍ୟା ଆଶ୍ରୟ ସ୍ଥଳମାନ ନିର୍ମାଣ କରାଇବା ସହ ବାତ୍ୟା ସଂପର୍କରେ ଆଗୁଆ ସୂଚନା ଯେମିତି ମିଳି ପାରିବ, ସେ ଦିଗରେ ପାଣିପାଗ ଆକଳନ ବ୍ୟବସ୍ଥାର ବୈଷୟିକ ଉନ୍ନତିକରଣ କରାଇଛନ୍ତି । ବାତ୍ୟା ଓ ମାହାବାତ୍ୟା ସମୟରେ ମୁଖ୍ୟମନ୍ତ୍ରୀଙ୍କ ‘ଜିରୋ ଟଲରେନ୍ସ’ ନୀତି ଏବଂ ପରିସ୍ଥିତିର ମୁକାବିଲା ପାଇଁ ଆଗୁଆ ପଦକ୍ଷେପ ଦେଶ, ବିଦେଶରେ ସ୍ୱୀକୃତି ପାଇଛି । କୋଭିଡ଼-୧୯ର ମୁକାବିଲା ପାଇଁ ସମଗ୍ର ଦେଶ ଏକାକାର ହୋଇ କାର୍ଯ୍ୟ କରୁଥିବା ବେଳେ ଓଡ଼ିଶା ଛୁଇଁ ପଶ୍ଚିମ ବଂଗରେ ପ୍ରଳୟ ସୃଷ୍ଟି କରିଥିବା ‘ଆମ୍ପାନ୍’ ମହାବାତ୍ୟାର ମୁକାବିଲା କରିବାରେ ନବୀନଙ୍କ ନେତୃତ୍ୱରେ ତାଙ୍କ ସରକାର ଯେଭଳି ଦିନ ରାତି ଏକାଠି କରି କାମ କଲେ ଓ ମୁକାବିଲାରେ ସଫଳ ହେଲେ, ତାହାକୁ ନିଜେ ପ୍ରଧାନମନ୍ତ୍ରୀ ମୋଦୀ ପ୍ରଶଂସା କରିଛନ୍ତି । ପ୍ରଦାନମନ୍ତ୍ରୀଙ୍କ ପ୍ରଶଂସା ନିଷ୍ପ୍ରଭ ହେବା ପୂର୍ବରୁ ସି-ଭୋଟର ସବେକ୍ଷଣ ତାଙ୍କୁ ଦଶର ସର୍ବାଧିକ ଲୋକପ୍ରିୟ ମୁଖ୍ୟମନ୍ତ୍ରୀର ମାନ୍ୟତା ଦେବା ନିଶ୍ଚିତ ଭାବେ ଓଡ଼ିଶା ପାଇଁ ଗର୍ବ କରିବାର ବିଷୟ । ବିରୋଧୀ ଯାହା ଭାବନ୍ତୁ ନା କାହିଁକି, ସି-ଭୋଟରର ସର୍ବେକ୍ଷଣ ଫଳାଫଳ ନବୀନ ବାବୁଙ୍କ ସଫଳତାର ଖାତାରେ ଆଉ ଏକ ତାରକା ଖଂଜି ଦେଇଛି ।
ବିରୋଧୀ ରାଜନୈତିକ କାରଣରୁ ନବୀନ ବାବୁଙ୍କୁ ଏହି ଶ୍ରେୟ ଦେବାକୁ ପ୍ରସ୍ତୁତ ନୁହନ୍ତି । ସେମାନଙ୍କ କହିବା କଥା ହେଉଛି, ଓଡ଼ିଶାରେ କଂଗ୍ରେସର ସ୍ଥିତି ଦୁର୍ବଳ ଥିବାରୁ ମୁଖ୍ୟମନ୍ତ୍ରୀ ପଟ୍ଟନାୟକ ୨୧ ବର୍ଷ ହେଲା କ୍ଷମତାରେ ଅଛନ୍ତି । ରାଜ୍ୟରେ ନବୀନ ପଟ୍ଟନାୟକଙ୍କ ଲୋକପ୍ରିୟତାକୁ ଚ୍ୟାଲେଂଜ କଲା ଭଳି ବିକଳ୍ପ ନେତୃତ୍ୱର ଅଭାବ ଆଜି ନବୀନଙ୍କୁ ନିରଂକୁଶ କରିଛି । ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ବରିଷ୍ଠ କଂଗ୍ରେସ ନେତା ଜାନକୀ ବଲ୍ଲଭ ପଟ୍ଟନାୟକଙ୍କ ଦେହାନ୍ତ ପରେ ରାଜ୍ୟରେ କଂଗ୍ରେସର ମଂଗ ସମ୍ଭାଳିବାକୁ ଦୃଢ ନେତୃତ୍ୱର ଅଭାବ ଦେଖା ଦେଇଛି । ଫଳରେ, ଦଳର ସ୍ଥିତି ଅଧିକରୁ ଅଧିକ ଦୁର୍ବଳ ହୋଇ ଏବେ ସ୍ଥାଣୁ ଅବସ୍ଥାରେ ପହଂଚି ଯାଇଛି । ସବୁ ଗୋଷ୍ଠୀଙ୍କୁ ସାଙ୍ଗରେ ନେଇ ଦଳକୁ ସଂଗଠିତ କଲା ଭଳି ନେତୃତ୍ୱର ଅଭାବ କଂଗ୍ରେସକୁ ପଛରେ ପକାଇ ଦେଇଥିବା ବେଳେ ଅନ୍ୟ ଦଳରେ ମଧ୍ୟ ନବୀନଙ୍କ ଭାବମୂତଚ୍ର ସମକକ୍ଷ ହେବା ଭଳି ନେତା ନାହାନ୍ତି । ତେଣୁ, ନବୀନ ବାବୁ ଓ ବିଜୁ ଜନତା ଦଳ ରାଜ୍ୟବାସୀଙ୍କ ପାଇଁ ଏକମାତ୍ର ଭରସା ହୋଇଛନ୍ତି । ଏହାଛଡା, ନବୀନ ବାବୁଙ୍କ ନମ୍ର ଆଚରଣ ଓ ସରଳ ଜୀବନ ଯାପନ ରାଜ୍ୟବାସୀଙ୍କୁ ପ୍ରଭାବିତ କରୁଛି । ତେଣୁ, ପ୍ରତିଟି ନିର୍ବାଚନରେ ସେ ନିଜର ସଫଳତା ଦୋହରାଉଛନ୍ତି ଏବଂ ମୁଖ୍ୟମନ୍ତ୍ରୀ ଭାବେ ୨୧ତମ ବର୍ଷ ପୂରଣ କରିଛନ୍ତି ।
ତେବେ, ସି-ଭୋଟର୍ ର ସର୍ବେକ୍ଷଣ କେବଳ ଓଡ଼ିଶା କଥା କହି ନାହିଁ, ଭାରତ ବର୍ଷ କଥା କହିଛି । ସମଗ୍ର ଦେଶରେ ହୋଇଥିବା ସର୍ବେକ୍ଷଣରେ ଲୋକପ୍ରିୟ ମୁଖ୍ୟମନ୍ତ୍ରୀଙ୍କ ତାଲିକାରେ ଓଡ଼ିଶା ମୁଖ୍ୟମନ୍ତ୍ରୀଙ୍କୁ ଶୀର୍ଷ ସ୍ଥାନରେ ରଖିଛି । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସର୍ବାଧିକ ୮୨.୯୬ ପ୍ରତିଶତ ଜନସମର୍ଥନ ପାଇ ଲୋକପ୍ରିୟ ମୁଖ୍ୟମନ୍ତ୍ରୀଙ୍କ ତାଲିକାରେ ଏକ ନମ୍ବରରେ ଥିବା ସମୟରେ ଛତିଶଗଡ଼ ମୁଖ୍ୟମନ୍ତ୍ରୀ ରୂପେଶ ବାଘେଲା ୮୧.୦୬% ଜନସମର୍ଥନରେ ଦ୍ୱତୀୟ ସ୍ଥାନରେ ରହିଛନ୍ତି । ତୃତୀୟ ସ୍ଥାନରେ କେରଳ ମୁଖ୍ୟମନ୍ତ୍ରୀ ପିନରାଇ ବିଜୟନ୍ (୮୦.୨୮%) ଥିବା ବେଳେ ଚତୁର୍ଥ ସ୍ଥାନରେ ଆନ୍ଧ୍ର ମୁଖ୍ୟମନ୍ତ୍ରୀ ଏନ. ଜଗନ ମୋହନ ରେଡ୍ଡୀ , ପଂଚମ ସ୍ଥାନରେ ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେ ଓ ଷଷ୍ଠ ସ୍ଥାନରେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରୀୱାଲ ରହିଛନ୍ତି । ଭାରତୀୟ ଜାତୀୟ କଂଗ୍ରେସ ଓ ଜାତୀୟ ରାଜନୈତିକ ଦଳ ବିଜେପି ତୁଳନାରେ ଆଂଚଳିକ ଦଳର ନେତାମାନେ ନିଜ ନିଜ ରାଜ୍ୟରେ ଲୋକପ୍ରିୟ ଥିବା ଏହି ସର୍ବେକ୍ଷଣରୁ ସୂଚନା ମିଳିଛି ।
ଏହି ସର୍ବେକ୍ଷଣରେ ଆଉ ଏକ ଗୁରୁତ୍ୱପୂର୍ଣ୍ଣ କଥା ସ୍ପଷ୍ଟ ହୋଇଛି । ତାହା ହେଉଛି, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଲୋକପ୍ରିୟତା ଆଜି ମଧ୍ୟ ସର୍ବାଗ୍ରେ ରହିଛି । ସି-ଭୋଟର୍ ପକ୍ଷରୁ ରାଜ୍ୟୱାରୀ ହୋଇଥିବା ସର୍ବେକ୍ଷଣରେ ପ୍ରଧାନମନ୍ତ୍ରୀ ମୋଦୀଙ୍କ ପ୍ରତି ଓଡ଼ିଶାରେ ସର୍ବାଧିକ ୯୫.୬ ପ୍ରତିଶତ ଜନସମର୍ଥନ ରହିଥିବା ସୂଚନା ମିଳିଥିବା ବେଳେ ତାହା ପଛକୁ ରହିଛନ୍ତି ହିମାଚଳ ପ୍ରଦେଶର ଜନସାଧାରଣ । ଏହି ରାଜ୍ୟରେ ମୋଦୀଙ୍କ ପ୍ରତି ୯୩.୯୫ ପ୍ରତିଶତ ଜନ ସମର୍ଥନ ଥିବା ସମୟରେ ଛତିଶଗଡ଼ରେ ୯୨.୭୩ ପ୍ରତିଶତ ସମର୍ଥନ ରହିଛି । ଆଶ୍ଚିର୍ଯ୍ୟର ବିଷୟ ହେଉଛି, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ପଶ୍ଚିମ ବଂଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ପ୍ରତ୍ୟେକ କ୍ଷେତ୍ରରେ ବିରୋଧ କରୁ ଥିବା ବେଳେ ମମତାଙ୍କ ରାଜ୍ୟର ୬୪.୦୬ ପ୍ରତିଶତ ଜନତା ମୋଦୀଙ୍କ କାର୍ଯ୍ୟକୁ ପ୍ରଶଂସା କରୁଛନ୍ତି । ସମଗ୍ର ଦେଶରେ ପ୍ରଧାନମନ୍ତ୍ରୀ ମୋଦୀଙ୍କ ପ୍ରତି ମୋଟ ୬୫.୬୯ ପ୍ରତିଶତ ଜନସମର୍ଥନ ରହି ଥିବା ବେଳେ ମୋଦୀଙ୍କ ବିକଳ୍ପ ହେବାକୁ ସଂଘର୍ଷ ଚଳାଇ ଥିବା କଂଗ୍ରେସ ଯୁବ ନେତା ରାହୁଲ ଗାନ୍ଧୀଙ୍କ ପ୍ରତି ଜନ ସମର୍ଥନ ମାତ୍ର ୨୩.୧୧ ପ୍ରତିଶତରେ ସୀମିତ ରହିଛି ।
ଦେଶରେ ପ୍ରଧାନମନ୍ତ୍ରୀ ମୋଦୀଙ୍କ ପ୍ରତି ଜନତାରେ ଏଭଳି ବିଶ୍ୱାସର କାରଣ ହେଉଛି, କଂଗ୍ରେସ ସରକାର ଅମଳରେ ହୋଇଥିବା ବ୍ୟାପକ ଦୁର୍ନୀତି, ପ୍ରିୟାପ୍ରିତି ଓ ଜନସାଧାରଣଙ୍କ ବିଶ୍ୱାସ ପ୍ରତି ହୋଇଥିବା କୁଠାରାଘାତ । ୨୦୦୪ରୁ ୨୦୧୪ ପର୍ଯ୍ୟନ୍ତ ଦୀର୍ଘ ଦଶ ବର୍ଷ ପ୍ରଧାନମନ୍ତ୍ରୀ ଡକ୍ଟର ମନମୋହନ ସିଂହଙ୍କ ନେତୃତ୍ୱରେ ୟୁପିଏ ସରକାର ଦେଶକୁ ଶାସନ କରିଥିଲେ । ଏହି ସରକାର ଅମଳରେ ହୋଇଥିବା ମାଳ ମାଳ ଦୁର୍ନୀତି ସରକାରଙ୍କୁ ନିନ୍ଦିତ କରିବାକୁ ଯଥେଷ୍ଟ ଥିଲା । ଡକ୍ଟର ସିଂହ ସରକାରର ମୁଖ୍ୟ ଥିଲେ ମଧ୍ୟ ଗାନ୍ଧୀ ପରିବାର ହାତରେ ତାହାର ରିମୋଟ୍ ଥିଲା ଏବଂ ୟୁପିଏ ଅଧ୍ୟକ୍ଷା ଶ୍ରୀମତୀ ସୋନିଆ ଗାନ୍ଧୀ ତାହାକୁ ନିୟନ୍ତ୍ରଣ କରୁଥିଲେ । ପରବର୍ତୀ ସମୟରେ ରାହୁଲ ଗାନ୍ଧୀ ଭାରତୀୟ ଜାତୀୟ କଂଗ୍ରେସର ନେତୃତ୍ୱ ନେଇ ଥିଲେ ମଧ୍ୟ କଂଗ୍ରେସର ଭାଗ୍ୟ ପରିବର୍ତନରେ ସଫଳ ହେଲେ ନାହିଁ । ଏଥିପାଇଁ ସେ ଦଳର ବରିଷ୍ଠ ଓ ଅଭିଜ୍ଞ ନେତାମାନଙ୍କୁ ଦାୟି କରି ଦେଶରେ ଏକ ବଡ ଧରଣର ସାଂଗଠନିକ ପରିବର୍ତନ ସପକ୍ଷରେ ମତ ଦେଇଥିଲେ । ଏପରିକି, ଗାନ୍ଧୀ ପରିବାରରୁ କେହି ଏଆଇସିସି ସଭାପତି ଆସନରେ ନ ବସିବାକୁ ରାହୁଲ ପ୍ରସ୍ତାବ ରଖି ସଭାପତି ପଦରୁ ନିଜେ ଇସ୍ତଫା ଦେଇଥିଲେ । ତେବେ, ଏଆଇସିସି କାର୍ଯ୍ୟକାରୀଣୀ ବୈଠକରେ ରହୁଲଙ୍କ ପ୍ରସ୍ତାବକୁ ଅଗ୍ରାହ୍ୟ କରି ଦିଆଯାଇ ପୁନର୍ବାର ତାଙ୍କ ମା’ ସୋନିଆ ଗାନ୍ଧୀଙ୍କୁ ଅନ୍ତଃରୀଣ ସଭାପତି କରାଯାଇଛି । ସୋନିଆଙ୍କ ନେତୃତ୍ୱ ମଧ୍ୟ ଦଳକୁ ଶକ୍ତି ଦେଇପାରିନି । ଭାରତୀୟ ଜାତୀୟ କଂଗ୍ରେସ ପ୍ରତି ଭାରତୀୟ ଜନସାଧାରଣରେ ଥିବା ନକାରାତ୍ମକ ମନୋଭାବ ବିଜେପିକୁ ଅଧିକ ଶକ୍ତିଶାଳୀ କରିଛି ।
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଭାରତୀୟ ଜନସାଧାରଣରେ କଂଗ୍ରେସ ପ୍ରତି ଥିବା ନକାରାତ୍ମକ ମନୋଭାବର ସୁଯୋଗ ନେଇ ୨୦୧୪ ସାଧାରଣ ନିର୍ବାଚନରେ କ୍ଷମତାସୀନ ହୋଇଥିଲେ । ସେହି ନିର୍ବାଚନରେ ବିଜେପି ଓ ତାହାର ମିତ୍ର ଦଳ ମିଳିତ ଭାବରେ ସଂସଦରେ ନିରଂକୁଶ ସଂଖ୍ୟାଗରିଷ୍ଠତା ହାସଲ କରିଥିଲେ । ୨୦୧୯ ନିର୍ବାଚନ ବେଳକୁ ବିଭିନ୍ନ କାରଣରୁ ବିଜେପି ନେତୃତ୍ୱାଧୀନ ଏନଡ଼ିଏ ସରକାରଙ୍କ ଲୋକପ୍ରିୟତା ହ୍ରାସ ପାଇଥିଲା । ଦେଶରେ ମୋଦୀ ସରକାର କ୍ଷମତାକୁ ଆସିଲେ ମଧ୍ୟ ପୂର୍ବ ପରି ସଂଖ୍ୟା ମିଳିବ ନାହିଁ – ଏଭଳି ଏକ ଧାରଣା ସୃଷ୍ଟି ହୋଇଥିଲା । କିନ୍ତୁ, ଠିକ୍ ନିର୍ବାଚନ ପୂର୍ବରୁ ଜମ୍ମୁ-କଶ୍ମୀରର ପୁଲୱାମରେ ନିରାପତ୍ତା ବଳ ଉପରେ ଆତଙ୍କୀ ଆକ୍ରମଣ ହୋଇ ୪୦ରୁ ଅଧିକ ଯବାନ ମୃତ୍ୟୁବରଣ କରିବା ଏବଂ ଏହାର ଜବାବୀ କାର୍ଯ୍ୟାନୁଷ୍ଠାନ ସ୍ୱରୂପ ପାକିସ୍ତାନ ଅଧିକାରରେ ଥିବା ଆଜାଦ କଶ୍ମୀରର ବାଲକୋଟ୍ ଅଂଚଳରେ ଥିବା ଆତଙ୍କୀ ଶିବିରଗୁଡିକ ଉପରେ ଭାରତୀୟ ସେନା ପକ୍ଷରୁ ସର୍ଜିକାଲ୍ ଷ୍ଟାଇକ୍ ପ୍ରଧାନମନ୍ତ୍ରୀ ମୋଦୀଙ୍କ ଲୋକପ୍ରିୟତାର ପୁନଃ ପ୍ରତିଷ୍ଠା କରି ୨୦୧୯ ସାଧାରଣ ନିର୍ବାଚନରେ ବିଜେପିକୁ ନିରଂକୁଶ ସଂଖ୍ୟାଗରିଷ୍ଠତା ଦେଇଛି । ଦେଶରେ କୋଭିଡ଼-୧୯ର ସଂକ୍ରମଣକୁ ରୋକିବା ପାଇଁ କେନ୍ଦ୍ର ସରକାରଙ୍କ ପାଖାପାଖି ୭୦ ଦିନର ତାଲାବନ୍ଦ ଏବଂ ତାହାକୁ ନେଇ ଉପୁଜି ଥିବା ପରିସ୍ଥିତି ସମାଲୋଚନାର ବିଷୟ ହୋଇଥିବା ବେଳେ ‘ସି-ଭୋଟର’ ସର୍ବେକ୍ଷଣରେ ପ୍ରଧାନମନ୍ତ୍ରୀ ମୋଦୀଙ୍କ ପ୍ରତି ଦେଶରେ ୬୫.୬୯ ପ୍ରତିଶତ ସମର୍ଥନ ରହିଥିବା କୁହାଯିବା ନିଶ୍ଚିତ ଭାବେ ଉଲ୍ଲେଖନୀୟ ।
ସି-ଭୋଟର୍ ସର୍ବେକ୍ଷଣ ଫଳାଫଳକୁ ‘ଷ୍ଟେଜ୍ ମ୍ୟାନେଜମେଂଟ୍’ କହି ବିରୋଧର ସମାଲୋଚନା କରିବାରେ କିଛି ଅସୁବିଧା ନାହିଁ । କାରଣ, ବିରୋଧୀ ମଧ୍ୟ ଏଭଳି ସମାଲୋଚନା ମାଧ୍ୟମରେ ନିଜର ଷ୍ଟେଜ୍ ମ୍ୟାନେଜମେଂଟ୍ କରିଥା’ନ୍ତି । ଯଦି ଆମେ ବାସ୍ତବତା ଆଡକୁ ଯିବା ତେବେ ଦେଖିବା ଓଡ଼ିଶାରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ହୁଅନ୍ତୁ ବା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ହୁଅନ୍ତୁ, ଉପଯୁକ୍ତ ରାଜନୈତିକ ବିକଳ୍ପ ଅଭାବରୁ ଦେଶବାସୀଙ୍କ ସାମନାରେ ଭଗବାନ ହୋଇ ରହିଛନ୍ତି । ସେମାନଙ୍କ ଲୋକପ୍ରିୟତା ଶୀର୍ଷରେ ରହିଛି । ସେହି ସ୍ଥାନରେ ପହଂଚିବାକୁ ହେଲେ ବିରୋଧୀଙ୍କୁ ସେତିକି ଶକ୍ତିଶାଳୀ ହେବାକୁ ପଡିବ । ଜନତାର ବିଶ୍ୱାସଭାଜନ ହେବାକୁ ସେଭଳି ତ୍ୟାଗ ମଧ୍ୟ କରିବାକୁ ପଡିବ ।
LETTER FROM THE EDITOR: A SPECIAL THANKS TO OUR READERS
LETTER FROM THE EDITOR: A SPECIAL THANKS TO OUR READERS