ରୋଚକ ମୋଡ଼ରେ ସୁଶାନ୍ତ ସିଂହ ରାଜପୁତ ଆତ୍ମହତ୍ୟା ମାମଲା


Bhubaneswar
Dt: August, 02
ରୋଚକ ମୋଡ଼ରେ ସୁଶାନ୍ତ ସିଂହ ରାଜପୁତ ଆତ୍ମହତ୍ୟା ମାମଲା, କଙ୍ଗନାଙ୍କ ଅଭିଯୋଗ – ତାଙ୍କୁ ଡରାଇବାକୁ ଶୁକ୍ରବାର ରାତିରେ ଗୁଳି ଫୁଟା ଯାଇଛି । ଏବେ ହିମାଚଳ ପ୍ରଦେଶର ମନାଲିରେ ଅଛନ୍ତି ଅଭିନେତ୍ରୀ କଙ୍ଗନା ରନାୱତ …
ଦିବଂଗତ ବଲିଉଡ୍ ଅଭିନେତା ସୁଶାନ୍ତ ସିଂହ ରାଜପୁତଙ୍କ ଆତ୍ମହତ୍ୟା ମାମଲା ଦିନକୁ ଦିନ ଅଧିକ ବିବାଦମାନ ହେବାକୁ ଯାଉଛି । ଗୋଟିଏ ପଟେ ସୁଶାନ୍ତଙ୍କ ପରିବାର ଏହି ଆତ୍ମହତ୍ୟା ଘଟଣାର ମୁଖ୍ୟ ଖଳନାୟିକା କୁହାଯାଉଥିବା ଅଭିନେତ୍ରୀ ରିୟା ଚକ୍ରବର୍ତ୍ତୀଙ୍କୁ ଗିରଫ କରାଯିବା ସକାଶେ ବିହାର ଓ ମୁମ୍ବାଇ ପୁଲିସ ଉପରେ ଚାପ ପକାଉ ଥିବା ବେଳେ ଅନ୍ୟ ପଟେ ରିୟା ବିହାର ପୁଲିସକୁ ସହଯୋଗ କରୁ ନ ଥିବା ଏବଂ ଗିରଫ ହେବା ଭୟରେ କେଉଁଠି ଆତ୍ମଗୋପନ କରିଥିବା ବିହାର ପୁଲିସ କହୁଛି । ମୁମ୍ବାଇ ପୁଲିସ ମଧ୍ୟ ତଦନ୍ତରେ ସହଯୋଗ କରୁ ନ ଥିବା ବିହାର ପୁଲିସ ଅଭିଯୋଗ କରୁଛି । ଏଭଳି ପରିସ୍ଥିତିରେ ED ପକ୍ଷରୁ ଏକ ବେନିୟମ ଅର୍ଥନୈତିକ କାରବାର ମାମଲା ରୁଜୁ କରାଯାଇ ସୁଶାନ୍ତଙ୍କ ବ୍ୟାଙ୍କ୍ ଆକାଉଣ୍ଟ୍ ର ଘଣ୍ଟା ଚକଟା ଚାଲିଛି । ରିୟା ଏହି ବ୍ୟାଙ୍କ୍ ଆକାଉଣ୍ଟ୍ ରୁ କୋଟି କୋଟି ଟଙ୍କା ନିଜ ବାବଦରେ ଓ ନିଜ ପରିବାର ବାବଦରେ ଖର୍ଚ୍ଚ କରିଥିବା ମଧ୍ୟ ତଦନ୍ତରୁ ସାମ୍ନାକୁ ଆସିଲାଣି ।
ମାମଲା ଏବେ ନେପୋଟିଜମରୁ ମନିଲଣ୍ଡରିଂ ଆଡକୁ ମୁହାଁଇଥିବା ବେଳେ ସୁଶାନ୍ତଂକ ଭଉଣୀ ପ୍ରଧାନମନ୍ତ୍ରୀଂକୁ ଚିଠି ଲେଖି ସୁଶାନ୍ତ ଆତ୍ମହତ୍ୟା ମାମଲାର ନିରପେଖକ୍ଷ ତଦନ୍ତରେ ସହାୟକ ହେବାକୁ ନିବେଦନ କରିଛନ୍ତି | ଏହା ଆତ୍ମହତ୍ୟା ନୁହେଁ, ଏକ ସୁଚିନ୍ତିତ ହତ୍ୟା ବୋଲି ମଧ୍ୟ ଅଭିଯୋଗ ହେଲାଣି | ବିଜେପି ସାଂସଦ ସୁବ୍ରମଣ୍ୟମ ସ୍ବାମୀ ସୁଶାନ୍ତଂକ ସନ୍ଦେହଜନକ ମୃତ୍ୟୁ ଘଟଣାର ସିବିଆଇ ତଦନ୍ତ ଦାବି କରି ଦେଶର ସର୍ବୋଚ୍ଚ ନ୍ୟାୟାଳୟର ଦ୍ବାରସ୍ଥ ହୋଇଥିବା ବେଳେ ବିହାର ପୁଲିସ ମାମଲାର ତଦନ୍ତ କରିବେ ବୋଲି ନ୍ୟାୟାଳୟ ଓ ବିହାର ମୁଖ୍ୟମନ୍ତ୍ରୀ ନୀତୀଶ କୁମାର ସ୍ପଷ୍ଟ କରି ଦେଇଛନ୍ତି |
ସୁଶାନ୍ତ ସିଂହ ରାଜପୁତ ଗତ ଜୁନ୍ ୧୪ ତାରିଖରେ ମୁମ୍ବାଇର ବାନ୍ଦ୍ରାସ୍ଥିତ ତାଙ୍କ ବାସଭବନରେ ବେକରେ ଦଉଡ଼ି ଦେଇ ଝୁଲୁ ଥିବା ଅବସ୍ଥାରେ ଉଦ୍ଧାର ହୋଇଥିଲେ.. । ପ୍ରଥମରୁ ଏହା ଏକ ମାନସିକ ଚାପ ଜନିତ ଆତ୍ମହତ୍ୟା ଭାବେ ମୁମ୍ବାଇ ପୁଲିସ୍ ଦ୍ଵାରା ତଦନ୍ତ ଆରମ୍ଭ ହୋଇଥିଲା । ତେବେ, ଜୁଲାଇ ମାସରେ ପ୍ରଥମ କରି ସୁଶାନ୍ତଙ୍କ ବାପା କେ କେ ସିଂହ ବିହାରର ପାଟଣା ଥାନାରେ ସୁଶାନ୍ତଙ୍କ ପ୍ରେମିକା ରିୟାଙ୍କୁ ଏହି ମୃତ୍ୟୁ ପାଇଁ ଦୟି କରି ଏତଲା ଦେବା ପରେ ପରିସ୍ଥିତି ଭିନ୍ନ ମୋଡ଼ ନେଇଛି ।
ସୁଶାନ୍ତ ଙ୍କ ଆତ୍ମହତ୍ୟା ପରେ ବଲିଉଡ୍ ବସ୍ତୁତଃ ଦୁଇ ଭାଗ ହୋଇ ଯାଇଛି । ଗୋଟିଏ ଭାଗ ବଲିଉଡ୍ ରେ ପରିବାରବାଦ୍ ଚଳାଇଥିବା ଗୋଷ୍ଠୀର ହୋଇଥିବା ବେଳେ ଅନ୍ୟ ଗୋଷ୍ଠୀ ଏହି ପରିବାରବାଦ୍ ଦ୍ଵାରା ବିଭିନ୍ନ ସମୟରେ ଶୋଷଣର ଶିକାର ହୋଇଥିବା କଳାକାର ମାନଙ୍କର । ମୁମ୍ବାଇ ଓ ବିହାର ପୁଲିସ ଭିନ୍ନ ଭିନ୍ନ ଦିଗରୁ ସୁଶାନ୍ତ ସିଂହ ଆତ୍ମହତ୍ୟା ମାମଲାର ତଦନ୍ତ କରୁଛନ୍ତି । ବିହାର ପୁଲିସ୍ ଏହି ଆତ୍ମହତ୍ୟା ମାମଲାରେ ରିୟାଙ୍କୁ ଟାର୍ଗେଟ୍ କରି ତଦନ୍ତକୁ ଆଗକୁ ନେଉଥିବା ବେଳେ କଙ୍ଗନା ରାନାୱାତ୍ ଙ୍କ ଭଳି କିଛି ସ୍ପଷ୍ଟବାଦୀ ବଲିଉଡ୍ ଅଭିନେତା, ଅଭିନେତ୍ରୀ ଓ ଚଳଚ୍ଚିତ୍ର ନିର୍ଦ୍ଦେଶକ ସୁଶାନ୍ତ ପରିବାରବାଦ୍ ର ଶିକାର ହୋଇ ମାନସିକ ଚାପରେ ଆତ୍ମହତ୍ୟା କରିଥିବା ପ୍ରାରମ୍ଭରୁ ଅଭିଯୋଗ କରୁଛନ୍ତି । ଏହି ଅଭିଯୋଗକୁ ସାବ୍ୟସ୍ତ କରିବା ପାଇଁ ତାଙ୍କ ନିକଟରେ ଯଥେଷ୍ଟ ତଥ୍ୟ, ପ୍ରମାଣ ଥିବା ଅଭିନେତ୍ରୀ କଙ୍ଗନା ରଣାୱତ୍ ଦାବି କରୁଛନ୍ତି ।
କଙ୍ଗନା ତାଙ୍କ ମୁଖୁରାପଣ ପାଇଁ ଏବେ ବିପଦରେ ଫସିଛନ୍ତି । ସେ ମୁମ୍ବାଇରେ ଥିବା ଅବସ୍ଥାରେ ତାଙ୍କ ଜୀବନ ପ୍ରତି ବିପଦ ଥିବା ଜଣେ ରାଜନୈତିକ ବନ୍ଧୁଙ୍କ ଠାରୁ ସୂଚନା ପାଇଥିଲେ ଏବଂ ନିଜ ରାଜ୍ୟ ହିମାଚଳ ପ୍ରଦେଶ ଚାଲି ଯାଇ ଥିଲେ । ହିମାଚଳ ପ୍ରଦେଶର ମଣ୍ଡିରେ ତାଙ୍କ ବାପା, ମା’ ରୁହନ୍ତି । କଙ୍ଗନା ଏବେ ଅଛନ୍ତି ମନାଲିରେ । ସେ ରହୁଥିବା ବିସ୍ତୃତ ବଙ୍ଗଳାରେ ତାଙ୍କ ସହ ଅନ୍ୟ ଚାରି/ ପାଞ୍ଚ ଜଣ ସହାୟକ ରହୁଛନ୍ତି । ବଙ୍ଗଳା ଚାରି ପାଖରେ ବିରାଟ ପାଚେରୀ ରହିଛି । ପାଚେରୀ ପଛରେ ବିସ୍ତୃତ ଆପୁଲ୍ ବାଗିଚା ।
ଗତ ଶୁକ୍ରବାର ରାତିରେ କଙ୍ଗନା ତାଙ୍କ କୋଠରୀରେ ଥିବା ସମୟରେ ପାଚେରୀ ଆର ପଟୁ ଦୁଇ ଥର ଗୁଳି ଫୁଟିବା ଶବ୍ଦ ଶୁଣି ଥିଲେ । ପ୍ରଥମେ ଏହାକୁ ସେ କ୍ରାକର୍ ଫୁଟିବା ଶବ୍ଦ ଭାବି ଧ୍ୟାନ ଦେଇ ନ ଥିଲେ । ତେବେ, ଦ୍ଵିତୀୟ ରାଉଣ୍ଡ ଗୁଳି ଫୁଟିବା ପରେ ସେ ନିଜ ସହକାରୀଙ୍କୁ ନେଇ ପାଚେରୀ ଆରପାଖ ତଦାରଖ କରିଥିଲେ ମଧ୍ୟ କୌଣସି ସୁରାକ ମିଳି ନ ଥିଲା । ତୁରନ୍ତ ସେ ଘଟଣା ସମ୍ପର୍କରେ ମନାଲି ପୁଲିସ୍ କୁ ସୂଚନା ଦେଇଥିଲେ । ମନାଲି ପୁଲିସ୍ କଙ୍ଗନାଙ୍କ ବାସଭବନରେ ପହଞ୍ଚି ତଦନ୍ତ କରିଛନ୍ତି । ପାଚେରୀ ଭିତରୁ ବା ଆର ପାଖରୁ ଫୁଟା ଗୁଳିର ଖୋକା ବା କ୍ୟାଟ୍ରିଜ୍ ମିଳି ନାହିଁ । ରାତି ସାଢ଼େ ୧୧ଟା ସମୟରେ ଏହି ଘଟଣା ଘଟିଥିବା କୁହାଯାଉଥିବା ବେଳେ ପୁଲିସ୍ ସେଭଳି କିଛି ସୁରାକ ନ ପାଇ କଙ୍ଗନାଙ୍କ ସୁରକ୍ଷା ବ୍ୟବସ୍ଥା ଦୁରୁସ୍ତ କରିଛନ୍ତି । କଙ୍ଗନା ରହୁଥିବା ଅଞ୍ଚଳରେ ପେଟ୍ରୋଲିଂ ବ୍ୟବସ୍ଥାକୁ ମଧ୍ୟ କଡାକଡି କରାଯାଇଛି ।
ପୁଲିସ୍ କହିବା ଅନୁଯାୟୀ, କଙ୍ଗନାଙ୍କ ଘର ପାଚେରୀ ସଂଲଗ୍ନ ବିସ୍ତୃତ ଆପୁଲ୍ ବଗିଚା ଗୁଡ଼ିକର ମାଲିକ, କର୍ମଚାରୀମାନେ ସେମାନଙ୍କ ଅାପୁଲ୍ ଫସଲ ବାଦୁଡିଙ୍କ ଦାଉରୁ ରକ୍ଷା କରିବା ପାଇଁ ଫୋଟକା ଫୁଟାଇ ଥାଆନ୍ତି । ସେମାନଙ୍କୁ ପୁଲିସ୍ ପଚରା ଉଚୁରା କରିବାରୁ, ସେଦିନ ରାତିରେ ସେମାନଙ୍କ ମଧ୍ୟରୁ କେହି ରାତିରେ ଅାପୁଲ ବଗିଚାକୁ ଯାଇ ନ ଥିବା ବା ଫୋଟକା ଫୁଟାଇ ନଥିବା ଜଣା ପଡିଛି । ତେଣୁ, କଙ୍ଗନାଙ୍କ ଅଭିଯୋଗ ଉପରେ କେବଳ ଏକ ଷ୍ଟେସନ୍ ଡାଇରୀ କରାଯାଇ ତଦନ୍ତ ଚାଲୁ ରଖା ଯାଇଛି ।
କାଙ୍ଗନାଙ୍କ କହିବା କଥା ହେଉଛି, ପିଲାଦିନୁ ସେ ତାଙ୍କ ବାପା ଫୁଟାଇ ଆସିଥିବା ରାଇଫଲ୍ ଶବ୍ଦ ସହ ଅଭ୍ୟସ୍ତ । ଶୁକ୍ରବାର ରାତିରେ ତାଙ୍କ ଘର ପାଚେରୀ ଆର ପଟୁ ଆସିଥିବା ଶବ୍ଦ ଗୁଳି ଫୁଟିବାର, ତାହା ସେ ଦୃଢ଼ ଭାବେ କହି ପାରିବେ । ସେହି ଶବ୍ଦ ସେ ଓ ତାଙ୍କ ସହକରି ମାନେ ଶୁଣିଛନ୍ତି । ତେବେ, ତଦନ୍ତ ସମୟରେ କୌଣସି ସୁରାକ ନ ମିଳିବା ଆଶ୍ଚର୍ଯ୍ୟର ବିଷୟ । ନିକଟରେ ସେ କିଛି ରାଜନୈତିକ ବ୍ୟକ୍ତିବିଶେଷଙ୍କ ବିରୋଧରେ ଟିପ୍ପଣୀ ଦେବାକୁ ଯାଇ ‘ଗୁଣ୍ଡାଗର୍ଦି’ ଶବ୍ଦ ପ୍ରୟୋଗ କରିଥିବାରୁ ତାଙ୍କୁ ଚେତାବନୀ ଦେବା ସକାଶେ କିଏ ଏଭଳି କାର୍ଯ୍ୟ କରାଇଛି ।
ହିମାଚଳ ପ୍ରଦେଶ ମୁଖ୍ୟମନ୍ତ୍ରୀ ଏହି ମାମଲାରେ ରୁଚି ରଖୁ ଥିବାରୁ ପୁଲିସ୍ ତଦନ୍ତର ଅଗ୍ରଗତି ସମ୍ପର୍କରେ ବିସ୍ତୃତ ବିବରଣୀ ତାଙ୍କ କାର୍ଯ୍ୟାଳୟକୁ ଜଣାଇ ଦିଆଯାଉଛି ବୋଲି ହିମାଚଳ ପ୍ରଦେଶ ପୁଲିସ୍ କହିଛନ୍ତି । କଙ୍ଗନାଙ୍କ ଗତ ଶୁକ୍ରବାର ରାତି ଅଭିଜ୍ଞତା ସୁଶାନ୍ତ ସିଂହ ରାଜପୁତ ଆତ୍ମହତ୍ୟା ମାମଲାକୁ ଅଧିକ ରୋଚକ କରିଛି । ତେବେ, ଏହି ଆତ୍ମହତ୍ୟା ପଛରେ ନେପୋଟିଜମ ଅଛି କି ମନିଲନଡ୍ରିଂ, ତାହା ସମୟ ହିଁ କହିବ ।
ପ୍ରସାଦ ରାଓ
ମୁଖ୍ୟ ସମ୍ପାଦକ
ମୋ ଅନୁଭବ ମିଡ଼ିଆ

LETTER FROM THE EDITOR: A SPECIAL THANKS TO OUR READERS
LETTER FROM THE EDITOR: A SPECIAL THANKS TO OUR READERS