ସୁଶାନ୍ତ ସିଂହ ରାଜପୁତ ଆତ୍ମହତ୍ୟା ଘଟଣା


ସୁଶାନ୍ତ ସିଂହ ରାଜପୁତ ଆତ୍ମହତ୍ୟା ଘଟଣାର ତଦନ୍ତ କରିବ କିଏ ? ମୁମ୍ବାଇ ପୁଲିସ୍ ନା ସିବିଆଇ ?? ଗୁରୁବାର ସୁପ୍ରିମ କୋର୍ଟ ଏହା ଉପରେ ନିଷ୍ପତ୍ତି ଶୁଣାଇବେ । ଆଜି ସୁପ୍ରିମ କୋର୍ଟ ରିୟା ଚକ୍ରବର୍ତ୍ତୀ, ସୁଶାନ୍ତ ସିଂହ ରାଜପୁତଙ୍କ ବାପା କେ.କେ.ସିଂହ ଏବଂ ମୁମ୍ବାଇ ପୁଲିସ୍ ଦ୍ଵାରା ନିୟୋଜିତ ଓକିଲଙ୍କ ଯୁକ୍ତି ଶୁଣିବା ପରେ ଗୁରୁବାର ପର୍ଯ୍ୟନ୍ତ ରାୟ ସ୍ଥଗିତ ରଖିଛନ୍ତି ।
ସୁଶାନ୍ତ ମୁମ୍ବାଇର ବାନ୍ଦ୍ରାସ୍ଥିତ ବାସଭବନରେ ଜୁନ୍ ୧୪ ତାରିଖ ଆତ୍ମହତ୍ୟା କରିଥିଲେ । ମୁମ୍ବାଇ ପୁଲିସ୍ ଏହି ଆତ୍ମହତ୍ୟା ଘଟଣାର ତଦନ୍ତ କରୁଥିବା ବେଳେ ସୁଶାନ୍ତ ସିଂହ ରାଜପୁତଙ୍କ ପିତା କେ.କେ.ସିଂହ ଜୁଲାଇ ମାସରେ ବିହାର ପାଟନା ଥାନରେ ଏତଲା ଦେଇ ରିୟାଙ୍କ ବିରୋଧରେ ଗୁରୁତର ଅଭିଯୋଗ ଆଣି ଥିଲେ । ସୁଶାନ୍ତଙ୍କ ବାନ୍ଧବୀ ରିୟା ତାଙ୍କ ପୁଅଙ୍କୁ ମାନସିକ ନିର୍ଯ୍ୟାତନା ଦେଉଥିଲେ । ସୁଶାନ୍ତଙ୍କ ବ୍ୟାଙ୍କ ଆକାଉଣ୍ଟ୍ ରୁ ମଧ୍ୟ କୋଟି କୋଟି ଟଙ୍କା ହଡ଼ପ କରିଛନ୍ତି । ସେହି କାରଣରୁ ସୁଶାନ୍ତ ଆତ୍ମହତ୍ୟା କରିଛନ୍ତି ବା ତାଙ୍କୁ ସୁଚିନ୍ତିତ ଭାବେ ହତ୍ୟା (?) କରାଯାଇଛି ବୋଲି ସୁଶାନ୍ତଙ୍କ ପିତା କେ.କେ.ସିଂହ ପାଟନା ଥାନରେ ଅଭିଯୋଗ କରିବା ପରେ ବିହାର ପୁଲିସ୍ ତାହାକୁ ଆଧାର କରି ନିଜ ଆଡୁ ତଦନ୍ତ ଆରମ୍ଭ କରିଛନ୍ତି ।
ଜୁଲାଇ ୨୭ରେ ପାଟନା ଥାନରେ ଏକ ୪ ଜଣିଆ ଟିମ୍ ମୁମ୍ୱାଇ ଯାଇ ଏହି ମାମଲାର ତଦନ୍ତ କରୁଥିବା ବେଳେ ସେହି କାର୍ଯ୍ୟ ତଦାରଖ କରିବାକୁ ପାଟନା ଏସପି ବିନୟ ତିୱାରୀ ନିକଟରେ ମୁମ୍ବାଇ ଯାଇ ମୁମ୍ବାଇ ମହାନଗର ନିଗମ କର୍ତ୍ତୃପକ୍ଷଙ୍କ ଦ୍ଵାରା ସଂଗରୋଧ ହୋଇଥିଲେ । ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଓ ମହାରାଷ୍ଟ୍ରର ଶାସକ ଶିବସେନା ନେତାମାନେ ସୁଶାନ୍ତଙ୍କ ପିତା ଓ ପରିବାର ବିରୋଧରେ ବିଭିନ୍ନ ଗୁରୁତର ଅଭିଯୋଗ ଆଣି ପରୋକ୍ଷରେ ରିୟାଙ୍କୁ ସମର୍ଥନ କରିବା ସହ ମାମଲାକୁ ବିହାର ବନାମ ମହାରାଷ୍ଟ୍ର ରୂପ ଦେଇଛନ୍ତି । ଏହାକୁ ନେଇ ରାଜନୀତି ସରଗରମ ହୋଇଛି ।
ମୂଳ ମାମଲା ମୁମ୍ବାଇରେ ହୋଇ ଥିବାରୁ ଏବଂ ମୁମ୍ବାଇ ପୋଲିସ୍ ସୁଶାନ୍ତ ସିଂହ ରାଜପୁତ ଆତ୍ମହତ୍ୟା ମାମଲାର ତଦନ୍ତ କରି ୪୦ରୁ ଅଧିକ ଲୋକଙ୍କୁ ଜେରା କରି ସାରି ଥିବାରୁ ବିହାର ପାଟନା ଥାନରେ ସୁଶାନ୍ତଙ୍କ ପିତା କେ.କେ. ସିଂହ ଯେଉଁ ଏତଲା ଦେଇଛନ୍ତି ତାହା ମୁମ୍ବାଇ ପୁଲିସକୁ ତଦନ୍ତ ପାଇଁ ହସ୍ତାନ୍ତର କରାଯାଉ ବୋଲି ମାମଲାରେ ମୁଖ୍ୟ ଅଭିଯୁକ୍ତ ଥିବା ସୁଶାନ୍ତଙ୍କ ବାନ୍ଧବୀ ବଲିଉଡ୍ ଅଭିନେତ୍ରୀ ରିୟା ଚକ୍ରବର୍ତ୍ତୀ ସୁପ୍ରିମ କୋର୍ଟରେ ଆବେଦନ କରିଥିଲେ । ଏହି ଆବେଦନ ଉପରେ ଆଜି ସୁପ୍ରିମ କୋର୍ଟରେ ଶୁଣାଣୀ ସରିଛି ।
ମୁମ୍ବାଇ ପୁଲିସ ଆରମ୍ଭରୁ ସୁଶାନ୍ତ ସିଂହ ରାଜପୁତ ଆତ୍ମହତ୍ୟା ମାମଲାର ତଦନ୍ତ କରୁଥିଲେ ମଧ୍ୟ ଏପର୍ଯ୍ୟନ୍ତ କୌଣସି ଏତଲା ଦାଏର କରିନାହିଁ । ଅପରପକ୍ଷରେ, ସୁଶାନ୍ତଙ୍କ ପିତା କେ.କେ.ସିଂହଙ୍କ ଅଭିଯୋଗ ଉପରେ ବିହାର ପୁଲିସ୍ ବିଧିବଦ୍ଧ ଭାବେ ଏତଲା ରୁଜୁ କରି ମାମଲାର ତଦନ୍ତ କରୁଛି ବୋଲି କେ.କେ.ସିଂହଙ୍କ ଓକିଲ ଆଜି କୋର୍ଟରେ ଯୁକ୍ତି ବାଢିଛନ୍ତି । ତେବେ, ଗୋଟିଏ ରାଜ୍ୟର ପୁଲିସ ମାମଲାର ତଦନ୍ତ କରୁଥିବା ବେଳେ ଅନ୍ୟ ରାଜ୍ୟର ପୁଲିସ ସମାନ୍ତରାଳ ଭାବେ ତଦନ୍ତ କରିବା ସଙ୍ଘୀୟ ବ୍ୟବସ୍ଥାରେ ବିରୋଧୀ ବୋଲି ରିୟାଙ୍କ ଓକିଲ କୋର୍ଟରେ ଯୁକ୍ତି ରଖିଛନ୍ତି । ସୁପ୍ରିମ କୋର୍ଟ ଆଜି ଉଭୟ ପକ୍ଷର ଯୁକ୍ତି ଶୁଣିବା ପରେ ମାମଲାର ରାୟ ଗୁରୁବାରକୁ ସ୍ଥଗିତ ରଖିଛନ୍ତି ।
ଏଠାରେ ଉଲ୍ଲେଖନୀୟ ଯେ, ପାଟନା ଏସପି ବିନୟ ତିୱାରୀଙ୍କୁ ମୁମ୍ବାଇରେ ସଙ୍ଗରୋଧ କରାଯିବା ଘଟଣାରେ ବିହାର ମୁଖ୍ୟମନ୍ତ୍ରୀ ନୀତୀଶ କୁମାର କ୍ଷୁବ୍ଧ ହୋଇ ଏଭଳି କରାଯିବା ଉଚିତ ହୋଇ ନାହିଁ ବୋଲି ମନ୍ତବ୍ୟ ଦେଇଥିଲେ ଏବଂ ଗୋଟିଏ ଦିନ ପରେ ସୁଶାନ୍ତ ସିଂହ ରାଜପୁତ ଆତ୍ମହତ୍ୟା ମାମଲାର ସିବିଆଇ ତଦନ୍ତ ପାଇଁ କେନ୍ଦ୍ର ସରକାରଙ୍କୁ ସୁପାରିଶ କରିଥିଲେ । କେନ୍ଦ୍ର ସରକାର ମଧ୍ୟ ମାମଲାର ସିବିଆଇ ତଦନ୍ତ ପାଇଁ ରାଜି ଥିବା ସୁପ୍ରିମ କୋର୍ଟଙ୍କୁ ଜଣାଇଛନ୍ତି । ଏହି ଆତ୍ମହତ୍ୟା ଘଟଣା ରହସ୍ୟମୟ ଏବଂ ଏହାର ବିଧିବଦ୍ଧ ତଦନ୍ତ ହେବ ଉଚିତ ବୋଲି ସୁପ୍ରିମ କୋର୍ଟ ପୂର୍ବରୁ କହିଛନ୍ତି । ତେଣୁ, ସୁପ୍ରିମ କୋର୍ଟ କାହାକୁ ତଦନ୍ତ ଭାର ନ୍ଦେଇ ରହସ୍ୟର ପରଦା ଉଠାଇବାକୁ ଚାହିଁବେ, ତାହା ଗୁରୁବାର ସ୍ପଷ୍ଟ ହୋଇଯିବ ।

LETTER FROM THE EDITOR: A SPECIAL THANKS TO OUR READERS
LETTER FROM THE EDITOR: A SPECIAL THANKS TO OUR READERS