କରୋନା ଡାଏରୀ (୧୫)…କରୋନା କାଳେ ବିପରିତ ଚିନ୍ତା …


ପ୍ରସାଦ ରାଓ
ମୋଅନୁଭବ.କମ୍
ଅଗଷ୍ଟ ୨୧
ଚୀନ୍ ର ଉହାନ ସହରରୁ ଉଦ୍ଭବ କୋଭିଡ଼-୧୯ ମହାମାରୀ ଆଜି ବିଶ୍ୱର ୨୧୫ଟି ରାଷ୍ଟ୍ରରେ ନିଜର କାୟାବିସ୍ତାର କରି ବିଶ୍ୱବାସୀଙ୍କ ପାଇଁ ଚିନ୍ତାର କାରଣ ହୋଇଛି । ବିଶ୍ୱରେ ଏଯାବତ୍ ୨ କୋଟି ୨୮ ଲକ୍ଷ ୮୫ ହଜାର ୩୬୮ ଜଣ ଏହି ମହାମାରୀରେ ଆକ୍ରାନ୍ତ ହୋଇଥିବା ବେଳେ ଆଜି ସୁଦ୍ଧା ୭ ଲକ୍ଷ ୯୭ ହଜାର ୪୭୩ ଜଣଙ୍କ ମୃତ୍ୟୁ ଘଟିଛି । କୋଟିଏ ୫୫ ଲକ୍ଷ ୩୪ ହଜାର ୬୭୪ ଜଣ ଚିକିତ୍ସା ପରେ ସୁସ୍ଥ ହୋଇଛନ୍ତି । ଅଗଷ୍ଟ ୨୧ ତାରିଖ ଅପରାହ୍ନ ସୁଦ୍ଧା ବିଶ୍ୱରେ ଚିକିତ୍ସାଧିନ ଥିବା କରୋନା ରୋଗୀଙ୍କ ସଂଖ୍ୟା ୬୫ ଲକ୍ଷ ୫୩ ହଜାର ୨୨୧ ଥିବା ସମୟରେ ସେଥିରୁ ୬୧,୮୪୫ ଜଣ ସଂକଟାପନ୍ନ ଅବସ୍ଥାରେ ଥିବା ସୂଚନା ମିଳିଛି ।
ସେହିଭଳି, ୱାଲ୍ଡୋମିଟର ତଥ୍ୟ ଅନୁସାରେ ଭାରତରେ ଅଗଷ୍ଟ ୨୧ ତାରିଖ ଅପରାହ୍ନ ସୁଦ୍ଧା ମୋଟ ୨୯ ଲକ୍ଷ ୧୦ ହଜାର ୦୩୨ ଜଣ କରୋନା ସଂକ୍ରମିତ ହୋଇଥିବା ବେଳେ ସେଥିରୁ ୨୧ ଲକ୍ଷ ୬୦ ହଜାର ୦୫୯ ଜଣ ସୁସ୍ଥ ହେଲେଣି । ଦେଶରେ କରୋନାରେ ୫୫ ହଜାର ମୃତ୍ୟୁ ଘଟିଛି । ସକ୍ରିୟ ଥିବା କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୬ ଲକ୍ଷ ୯୪ ହଜାର ୯୭୧ ଥିବା ବେଳେ ସେଥିରୁ ସଂକଟାପନ୍ନ ଅବସ୍ଥାରେ ଥିବା ରୋଗୀ ସଂଖ୍ୟା ହେଉଛି ୮,୯୪୪ । ୧୩୮ କୋଟି ଜନସଂଖ୍ୟାରେ ଦେଶରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ଦେଖିଲେ ଦେଶରେ ସଂକ୍ରମଣ ହାର ସେଭଳି ଉଦ୍ବେଗଜନକ ନୁହେଁ । ଦେଶର ୨୯ ଲକ୍ଷ ୧୦ ହଜାର କରୋନା ସଂକ୍ରମିତଙ୍କ ମଧ୍ୟରୁ ୨୧ ଲକ୍ଷ ୬୦ ହଜାର ରୋଗୀ ଚିକତ୍ସା ପରେ ସୁସ୍ଥ ହୋଇ ସାରିଥିବା ମଧ୍ୟ ଭାରତ ପାଇଁ ସୁଖଦ ଖବର ।
ଦେଶର କରୋନା ସଂକ୍ରମିତଙ୍କ ସଂଖ୍ୟାରେ ଓଡ଼ିଶାର ଯୋଗଦାନ କିଛି କମ୍ ନୁହେଁ । ୨୦୨୦ ମାର୍ଚ୍ଚ ୧୫ରୁ ଅଗଷ୍ଟ ୨୧ ତାରିଖ ପୂର୍ବାହ୍ନ ସୁଦ୍ଧା ଓଡ଼ିଶାରେ ମୋଟ କୋଭିଡ଼-୧୯ ଆକ୍ରାନ୍ତଙ୍କ ସଂଖ୍ୟା ରହିଛି ୭୨,୭୧୮ । ସେଥିରୁ ୪୮,୫୭୭ ଜଣ ଚିକିତ୍ସା ପରେ ସୁସ୍ଥ ହୋଇଥିବା ବେଳେ ସକ୍ରିୟ ଥିବା ରୋଗୀଙ୍କ ସଂଖ୍ୟା ରହିଛି ୨୩,୬୯୮ । ଏପର୍ଯ୍ୟନ୍ତ ରାଜ୍ୟରେ ୩୯୦ ଜଣଙ୍କ ମୃତ୍ୟୁ ଘଟିଲାଣି । ଭାରତ ଭଳି ଓଡ଼ିଶାରେ ମଧ୍ୟ କରୋନା ଆକ୍ରାନ୍ତଙ୍କ ସୁସ୍ଥ ହାର ଅଧିକ । ତଥାପି, ରାଜ୍ୟର ୪ କୋଟି ଜନସାଧାରଣ କରୋନା କଟକଣା ଭିତରେ ଛଅ ମାସ ହେଲା ଧନ୍ଦି ହେଉଛନ୍ତି ।
ରାଜ୍ୟରେ ୯୦ ପ୍ରତିଶତ ଲୋକ କରୋନା କଟକଣା ମାନୁଥିବା ବେଳେ ମାତ୍ର ୧୦ ପ୍ରତିଶତ ଅମାନିଆଙ୍କ ପାଇଁ ସଂକ୍ରମଣ ବଢି ଚାଲି ଥିବା ରାଜ୍ୟ ସରକାର ଦାବି କରୁଛନ୍ତି । ଏହି ଅମାନିଆଙ୍କୁ ସାବାଡ କରିବା ସକାଶେ ପୁଲିସ, ଜିଲ୍ଲା ପ୍ରଶାସନ ଓ ସ୍ଥାନୀୟ ପ୍ରଶାସନମାନେ କରୋନା କଟକଣାକୁ କଡାକଡି ଭାବେ କାର୍ଯ୍ୟକାରୀ କରୁଥିବା କହୁଥିଲେ ମଧ୍ୟ ବାସ୍ତବରେ ତାହା ସବୁଠି ସମାନ ଭାବେ କାର୍ଯ୍ୟକାରୀ ହୋଇପାରୁ ନାହିଁ । ବିଶେଷକରି, ରାଜଧାନୀ ଭୁବନେଶ୍ୱରରେ । ଫଳରେ, ମେ’ ମାସରୁ ଓଡ଼ିଶାର କରୋନା ହଟସ୍ପଟ୍ ଥିବା ଗଂଜାମ ଜିଲ୍ଲାରେ କରୋନା ସଂକ୍ରମଣ ହାର ନିମ୍ନଗାମୀ ହୋଇଥିବା ବେଳେ ରାଜ୍ୟ ଶାସନର ନାକ ତଳେ ଥିବା ଖୋର୍ଦ୍ଧା ଜିଲ୍ଲାରେ କରୋନା ସଂକ୍ରମିତଙ୍କ ସଂଖ୍ୟା ବଢି ଚାଲିଛି । ଦ୍ୱୈତ ନଗରୀ ଭୁବନେଶ୍ୱର ଓ କଟକରୁ ପ୍ରତିଦିନ ଶହ ଶହ ସଂଖ୍ୟାରେ କରୋନା ଆକ୍ରାନ୍ତ ଚିହ୍ନଟ ହେବା ସମସ୍ତଙ୍କ ପାଇଁ ଚିନ୍ତାର କାରଣ ହୋଇଛି ।
ରାଜ୍ୟ ସରକାର ଜୀବନ ସହ ଜୀବୀକାକୁ ପ୍ରାଧାନ୍ୟ ଦେବାକୁ ଉଦ୍ୟମ କରୁଛନ୍ତି । ପ୍ରତିଟି କ୍ଷେତ୍ରରେ ସାମାଜିକ ଦୂରତା ରକ୍ଷା କରାଯାଉଛି । ଘରୁ ପଦାକୁ ବାହାରିଲେ ମାସ୍କ୍ ପିନ୍ଧିବା ବାଧ୍ୟତାମୂଳକ କରାଯାଇଛି । ଏଥିରେ କୌଣସି ପ୍ରକାର ଉଲଂଘନ ହେଲେ ମୋଟା ଅଂକର ଅର୍ଥଦଣ୍ଡ ଏବଂ ଜେଲ୍ ଦଣ୍ଡର ଧମକ ମଧ୍ୟ ଦିଆଯାଇଛି । ସରକାର ନିଜ ବ୍ୟବସ୍ଥାରେ ଏହାର ଜବରଦସ୍ତ ପ୍ରଚାର କରୁଛନ୍ତି । କିନ୍ତୁ, ତାହାର ପ୍ରଭାବ ସର୍ବାଧାରଣରେ ଅନୁଭବ କରି ହେଉ ନାହିଁ । ସରକାରଙ୍କ ଚେତାବନୀ ବାସ୍ତବ କ୍ଷେତ୍ରରେ ଯେଉଁ ଭଳି ଭାବେ କାର୍ଯ୍ୟକାରୀ ହେବା କଥା ତାହା ହେଉ ନ ଥିବାରୁ ଜନସାଧାରଣ ନିଶ୍ଚିନ୍ତ । ସାଧାରଣରେ ତିଳେମାତ୍ର ଭୟ ଥିବା ଦେଖିବାକୁ ମିଳୁ ନାହିଁ । ରାଜଧାନୀର ରାସ୍ତାଘାଟରେ ବୁଲି ଆସିଲେ ଜଣେ ଏହା ଅନୁଭବ କରି ପାରିବ । ଅତି ଶିକ୍ଷିତ ଲୋକ ମଧ୍ୟ ମୁହଁରେ ମାସ୍କ୍ ଥିଲେ ବି ଥୋଡି ପର୍ଯ୍ୟନ୍ତ ତାହା ଖସାଇ, ମୋବାଇଲ୍ ରେ ଗପି ଗପି ରାସ୍ତାରେ ବୁଲୁ ଥିବା ଦୃଶ୍ୟ ଆମ ସଚେତନତାର ସ୍ତରକୁ ସ୍ପଷ୍ଟ କରୁଛି । ବିଏମ୍ ସି ବା କମିସନରେଟ୍ ପୁଲିସ ଯେତେ ଯୋର୍ ରେ କାର୍ଯ୍ୟାନୁଷ୍ଠାନ ଧମକ ଦେଉଛନ୍ତି ସେହି ଅନୁସାରେ ତାହା କାର୍ଯ୍ୟକାରୀ କରବାରେ ଆନ୍ତରିକତା ବା ଦୃଢତା ଦେଖାଉ ନ ଥିବାରୁ ଖୋର୍ଦ୍ଧା ଜିଲ୍ଲା, ବିଶେଷକରି ରାଜଧାନୀ ଭୁବନେଶ୍ୱର ଆଜି ରାଜ୍ୟରେ ପ୍ରମୁଖ କରୋନା ସଂକ୍ରମଣ କେନ୍ଦ୍ର ପାଲଟିଛି ।
ଖବରଦାତା ଏବେ ଖବରରେ…
ରାଜ୍ୟରେ କରୋନା ସଂକ୍ରମଣ ବଢି ଚାଲି ଥିବା ବେଳେ ଖବରଦାତାମାନେ ଏବେ ନୂଆ ଖବର ହୋଇଛନ୍ତି । କିଛି ଖବରଦାତା କର୍ତବ୍ୟ ସଂପାଦନ ସମୟରେ କରୋନାରେ ଆକ୍ରାନ୍ତ ହୋଇ ଖବରରେ ଅଛନ୍ତି ତ ଆଉ କିଛି ସରକାରଙ୍କୁ ନିନ୍ଦିତ କରିବା ଉଦେ୍ଦଶ୍ୟରେ ନିଜ ୱେବ୍ ଚ୍ୟାନେଲରେ ଜାଲ୍ (?) ଅଡ଼ିଓ ପ୍ରସାରଣ କରିଥିବା ଅଭିଯୋଗରେ ଚର୍ଚ୍ଚାରେ । ଏକ ପ୍ରମୁଖ ବୈଦ୍ୟୁତିକ ଗଣମାଧ୍ୟମରେ ରାଜ୍ୟ ସରକାରଙ୍କ କରୋନା ପରିଚାଳନା, ବିଶେଷକରି ରାଜଧାନୀର ଏକ କୋଭିଡ଼ ହସପିଟାଲରେ ଅବ୍ୟବସ୍ଥା ସଂପର୍କରେ ପ୍ରସାରିତ ହୋଇଥିବା ଏକ ଅଡ଼ିଓ ଗଣମାଧ୍ୟମରେ ହଇଚଇ ସୃଷ୍ଟି କରିଛି । ପ୍ରସାରିତ ଅଡ଼ିଓକୁ ନେଇ ଥାନାରେ ଅଭିଯୋଗ ହେବାରୁ ପୁଲିସ ସଂପୃକ୍ତ ୱେବ୍ ଚ୍ୟାନେଲର ସଂପାଦକ, ବାର୍ତା ସଂପାଦକ, ଇନ୍ପୁଟ୍ ମୁଖ୍ୟ ପ୍ରମୁଖଙ୍କୁ ଥାନାରେ ହାଜର ହେବାକୁ ନୋଟିସ ଜାରି କଲେ । ପୁଲିସର ନୋଟିସ ପାଇ ଗିରଫ ଭୟରେ ଏହି ଚ୍ୟାନେଲ୍ ପ୍ରମୁଖମାନେ ଓଡ଼ିଶା ହାଇକୋର୍ଟରେ ଆଶ୍ରୟ ନେଇ ଅନ୍ତଃରୀଣ ସୁରକ୍ଷା ପାଇବାରେ ସକ୍ଷମ ହୋଇଛନ୍ତି । ତେବେ, ଥାନାରେ ହାଜର ହୋଇ ପୁଲିସକୁ ତଦନ୍ତରେ ସହଯୋଗ କରିବାକୁ କୋର୍ଟ ପକ୍ଷରୁ ନିର୍ଦେଶ ଦିଆଯାଇ ଥିବାରୁ ସଂପୃକ୍ତ ୱେବ୍ ଚ୍ୟାନେଲର ବାର୍ତା ସଂପାଦକ ଦୁଇ ଦିନ ହେଲା କ୍ୟାପିଟାଲ ଥାନାରେ ହାଜର ହେଉଛନ୍ତି । ତାଙ୍କୁ ଘଂଟା ଘଂଟା ଧରି ଜେରା କରାଯାଉଛି । ପୁଲିସ କହୁଛି, ଅଡ଼ିଓ ଭାଇରାଲ କରାଯିବା ପଛରେ ଥିବା ମୋଟିଭ୍ ବା ଉଦେ୍ଦଶ୍ୟ ଜାଣିବାକୁ ଏହି ଜେରା କରାଯାଉଛି । ତେବେ, ପ୍ରଶ୍ନ ଉଠୁଛି, ପୁଲିସ ମୋଟିଭ୍ ଜାଣିବାକୁ ନା ଗଣମାଧ୍ୟମକୁ ନିଚା ଦେଖାଇବାକୁ ଏଭଳି ନାଟକ କରୁଛି ?
ସଂପୃକ୍ତ ୱେବ୍ ମିଡ଼ିଆରେ ପ୍ରସାରିତ ଅଡ଼ିଓ କ୍ଲିପ୍ ରାଜ୍ୟ ସରକାରଙ୍କ କୋଭିଡ଼ ପରିଚାଳନାକୁ ନେଇ ସନ୍ଦେହର ବାତାବରଣ ସୃଷ୍ଟି କରିଛି । ରାଜଧାନୀର ଏକ ନିର୍ଦ୍ଧିଷ୍ଟ କୋଭିଡ଼ ହସପିଟାଲରେ କରୋନା ରୋଗୀଙ୍କ ସେବା କ୍ଷେତ୍ରରେ ପରିଲକ୍ଷିତ ହେଉଥିବା ଅବ୍ୟବସ୍ଥା ସଂପର୍କରେ ଖୁଳାସା କରିଛି । ସଂପୃକ୍ତ ହସପିଟାଲରେ ଚିକିତ୍ସିତ ହୋଇ ସୁସ୍ଥ ହେବା ପରେ ଘରକୁ ଫେରି ଥିବା ଜଣେ ଯୁବକ ତାଙ୍କ ବନ୍ଧୁ (ଜଣେ ଓରଟଲ୍ କର୍ମଚାର)ଙ୍କୁ ନିଜର ଅଭିଜ୍ଞତା ବଖାଣିବା ବେଳେ ହସପିଟାଲ ଓ ରାଜ୍ୟ ସରକାରଙ୍କ କୋଭିଡ ÿପରିଚାଳନା ସଂପର୍କରେ ଯେଉଁ ଅପ୍ରିତିକର ତଥ୍ୟ ଦେଇଛନ୍ତି ତାହାର ମୋବାଇଲ୍ ରେକର୍ଡିଂ ଅଡ଼ିଓ ଆକାରରେ ଭାଇରାଲ୍ ହୋଇଛି । ୱେବ୍ ମିଡ଼ିଆରେ ପ୍ରସାରିତ ଅଡ଼ିଓରେ ଯାହା ସବୁ ଅଭିଯୋଗ ହୋଇଛି ତାହା ଉପରେ ସରକାର ତଦନ୍ତ କରାଇବା ବଦଳରେ ଏହି ଅଡ଼ିଓ ସରକାରଙ୍କୁ ନିନ୍ଦିତ କରିବା ନିମନ୍ତେ ଉଦ୍ଦିଷ୍ଟ ଏବଂ କିଛି ଖଳ ଲୋକଙ୍କ ଏକ ସୁଚିନ୍ତିତ ଷଡଯନ୍ତ୍ର କହି ଥାନାରେ ଏତଲା ଦେବା ଏବଂ ଭୁବନେଶ୍ୱର ମହାନଗର ନିଗମ କର୍ତୃପକ୍ଷଙ୍କ ଏତଲା ପାଇବା ପରେ କ୍ୟାପିଟାଲ ଥାନା ପୁଲିସ ମାତ୍ରାଧିକ ସକ୍ରିୟତା ପ୍ରକାଶ କରିବା ସରକାରୀ ଆକ୍ରୋଶର ପ୍ରତିଫଳନ କରିବା ଅତ୍ୟୁକ୍ତି ହେବ ନାହିଁ ।
ବିଏମସି ଓ କ୍ୟାପିଟାଲ ଥାନା ପୁଲିସର କାର୍ଯ୍ୟାନୁଷ୍ଠାନ ଗଣମାଧ୍ୟମର କଂଠରୋଧ ପାଇଁ ସରକାରଙ୍କ ଏକ ଘୃଣ୍ୟ ଉଦ୍ୟମ କହିଲେ ଅତ୍ୟୁକ୍ତି ହେବ ନାହିଁ । ତେବେ, ରାଜ୍ୟର ସାମ୍ବାଦିକମାନେ ଏହାକୁ ଯେଭଳି ବିରୋଧ କରିବା କଥା ତାହା ହୋଇ ନାହିଁ । କିଛି ସାମ୍ବାଦିକ ଏହି ସରକାରୀ କାର୍ଯ୍ୟାନୁଷ୍ଠାନ ଗଣମାଧ୍ୟମର ଅଧିକାର ଓ ବାକ୍ ସ୍ୱାଧୀନତାର ହନନ ବୋଲି ଅଭିଯୋଗ କରି ସଂପୃକ୍ତ ବୈଦ୍ୟୁତିକ ଗଣମାଧ୍ୟମର ବିତର୍କ କାର୍ଯ୍ୟକ୍ରମରେ ଲମ୍ବା ଭାଷଣ ଥୋଇଛନ୍ତି । ଆଉ କିଛି ସାମ୍ବାଦିକ ସରକାରୀ କାର୍ଯ୍ୟାନୁଷ୍ଠାକୁ ସମର୍ଥନ ଦେଇ ବିତର୍କ ଆୟୋଜନ କରି ରାଜ୍ୟରେ ସାମ୍ବାଦିକମାନେ ନିଜର ସ୍ୱାଧୀନତା ଓ ସୁରକ୍ଷାକୁ ନେଇ କେତେ ସଚେତନ (?), ତାହାର ଉଦାହରଣ ହୋଇଛନ୍ତି । ଯେଉଁ କୋଭିଡ଼ ହସପିଟାଲ ବିଷୟରେ ଅଡ଼ିଓ ପ୍ରସାରିତ ହୋଇଛି ତାହାର ମାଲିକ ମଧ୍ୟ ଛପା ଓ ବୈଦ୍ୟୁତିକ ଗଣମାଧ୍ୟମ ବ୍ୟବସାୟୀ । ତେଣୁ, ଏଭଳି କାଦୁଅ ଫିଙ୍ଗା ପ୍ରୋତ୍ସାହିତ ହୋଇଥିବା ବୁଝିବାରେ କିଛି ଅସୁବିଧା ନାହିଁ । କିନ୍ତୁ, କିଛି ଗଣମାଧ୍ୟମ ଗୋଳିଆ ପାଣିରେ କେରାଣ୍ଡି ଭଳି ସରକାରୀ ପ୍ରୟୋଜିତ ଖବର ପ୍ରସାରଣ କରିବା ଏବଂ ତାହାକୁ ବଳ ଦେବା ସକାଶେ ନିଜ ନିଜ ଗଣମାଧ୍ୟମରେ ନେତାଙ୍କ ଭିଡ଼ ଲଗାଇବା କାହା ସ୍ୱାର୍ଥ ରକ୍ଷା ପାଇଁ ? ଆଜି ଆମ ଗଣମାଧ୍ୟମ ସାମନାରେ ଏହା ହେଉଛି ବଡ଼ ପ୍ରଶ୍ନ । ନିଜକୁ ଅନ୍ୟ ଠାରୁ ଉଚ୍ଚା ଦେଖାଇବା ସକାଶେ ଏହା ଏକ ଅସାଧୁ ପ୍ରୟାସ ନୁହେଁ ତ (!) – ଏହା ଆମେ ଜାଣିବାକୁ ଚାହୁଁଛୁ ।
କଥିତ ନକଲି ଅଡ଼ିଓ ପ୍ରସ୍ତୁତି ଓ ପ୍ରସାରଣ କରିଥିବା ଦୁଇ ଅଭିଯୁକ୍ତ ଗିରଫ ହୋଇ ଜେଲ ଯାଇ ଥିଲେ । ଜାମିନରେ ବାହାରକୁ ବାହାରିବା ପରେ ସେମାନେ ଅଡ଼ିଓ ଭାଇରାଲ କରିଥିବା ସଂପୃକ୍ତ ବୈଦ୍ୟୁତିକ ଗଣମାଧ୍ୟମକୁ ଅଡୁଆରେ ପକାଇଛନ୍ତି । ପୁଲିସ ଘଂଟା ଘଂଟା ଧରି ସଂପୃକ୍ତ ୱେବ୍ ମିଡ଼ିଆର ବାର୍ତା ସଂପାଦକଙ୍କୁ ଜେରା କରୁଛି । କିଛି ସାମ୍ବାଦିକ ସରକାରୀ କାର୍ଯ୍ୟାନୁଷ୍ଠାନ ବିରୋଧରେ ତୁମ୍ବିତୋଫାନ କରିବା ପରେ କମିସନରେଟ୍ ପୁଲିସ କ୍ୟାପିଟାଲ ଥାନାର ଆଇଆଇସିଙ୍କୁ ଲକ୍ଷ୍ମୀସାଗର ଥାନାକୁ ବଦଳି କରି ଅନ୍ୟ ଜଣେ ପୁଲିସ ଅଧିକାରୀଙ୍କୁ କ୍ୟାପିଟାଲ୍ ଥାନାରେ ପୋଷ୍ଟିଂ କରିଥିଲେ । କିନ୍ତୁ, ୨୪ ଘଂଟା ନ ପୁରୁଣୁ ଏହି ବଦଳି ଆଦେଶ ବାତିଲ ହୋଇ କ୍ୟାପିଟାଲ ଥାନାର ସଂପୃକ୍ତ ଅଧକାରୀଙ୍କୁ ସେହି ଥାନାରେ ଅବସ୍ଥାପିତ ରଖା ଗଲା । ଗଣମାଧ୍ୟମ ବିରୋଧରେ ହୋଇଥିବା କାର୍ଯ୍ୟାନୁଷ୍ଠାନ ପଛରେ ରାଜ୍ୟ ସରକାରଙ୍କ ଉପର ସ୍ତରର ଇଂଗିତ ରହିଛି, ତାହା ଏଥିରୁ ଜଣାପଡୁଛି । ଏହା ମଧ୍ୟ ସ୍ପଷ୍ଟ ହୋଇଛି ଯେ, ଗଣମାଧ୍ୟମର ସ୍ୱାଧୀନତା ବା ସୁରକ୍ଷା ନେଇ ରାଜ୍ୟ ସରକାର ମୋଟେ ଅଂଗୀକାରବଦ୍ଧ ନୁହନ୍ତି । ଦାଉ ସାଧିବାକୁ ଚାହିଁଲେ ସରକାର ଯେକୌଣସି ସ୍ତରକୁ ଯାଇ ପାରନ୍ତି ।
ରାଜ୍ୟର ଗଣମାଧ୍ୟମ ସଂସ୍ଥା ଓ ପ୍ରତିନିଧିଙ୍କ ମଧ୍ୟରେ କିଛି ଦିନ ହେଲା ଚାଲି ଥିବା ଆକ୍ଷେପ ଓ ପ୍ରତ୍ୟାକ୍ଷେପ ଗୋଟିଏ ପଟେ ଗଣମାଧ୍ୟମର ବିଶ୍ୱସନୀୟତାକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି କରିଥିବା ବେଳେ ଅନ୍ୟପଟେ ଗଣତନ୍ତ୍ରର ଚତୁର୍ଥ ସ୍ତମ୍ଭ ବୋଲି ନିଜକୁ ଦାବି କରୁଥିବା ଗଣମାଧ୍ୟମ କେତେ ସ୍ୱାଧୀନ ଓ ବିଶ୍ୱାସଯୋଗ୍ୟ (?)- ତାହା ମଧ୍ୟ ଜନସାଧାରଣରେ ଉଜାଗର ହୋଇଛି । ସାମ୍ବାଦିକତା ଓ ରାଜନୀତିରେ ଅସମ୍ଭବ ବୋଲି କିଛି ନାହିଁ, ଏକଥା ବହୁ ବର୍ଷ ତଳେ ଜଣେ ଅଣ-ସାମ୍ବାଦିକ ବନ୍ଧୁ କଥା ଛଳରେ କହିଥିଲେ । ଆଜି ତାହା ହିଁ ଦେଖିବାକୁ ମିଳୁଛି । ଅଡ଼ିଓ ଭାଇରାଲ୍ ଘଟଣାରେ ବିଏମସି ଓ କମିସନରେଟ୍ ପୁଲିସର କାର୍ଯ୍ୟାନୁଷ୍ଠାନକୁ ନେଇ କିଛି ବରିଷ୍ଠ ସାମ୍ବାଦିକ ସ୍ୱର ଉଠାଇବାରୁ ସରକାରଙ୍କ ହଠାତ ମନେ ପଡି ଗଲା ରାଜ୍ୟରେ ଖାଲି ପଡିଥିବା ‘ସୂଚନା କମିସନର୍’ ପଦବୀ କଥା । ତରବରିଆ ଭାବେ ରାଜ୍ୟ ସରକାର ଜଣେ ବରିଷ୍ଠ ସାମ୍ବାଦିକ (ବିଜେଡ଼ିର ନିକଟତର ଭାବେ ପରିଚିତ)ଙ୍କୁ ସୂଚନା କମିସନର୍ ଭାବେ ନିଯୁକ୍ତି ଦେଇଥିବା ଘୋଷଣା କରି ଆଉ ଛଅଟି ଏହି ଭଳି ପଦବୀ ପୂରଣ ହେବାକୁ ଥିବା ଫିଲର୍ ଛାଡିଛନ୍ତି । ଏଠାରେ ଉଲ୍ଲେଖନୀୟ ଯେ, ସରକାର ରାଜ୍ୟ ସୂଚନା କମିସନ୍ ଗଠନ କରିବା ପରେ କେବଳ ଜଣେ ମୁଖ୍ୟ ସୂଚନା କମିସନର ଓ ଜଣେ ସୂଚନା କମିସନରଙ୍କୁ ନିଯୁକ୍ତି ଦେଇ ଚୁପ୍ ବସି ଥିଲେ । ଏମିତି ତ ସରକାର ସୂଚନା କର୍ମୀଙ୍କୁ କୌଣସି ସୂଚନା ଦେଉ ନ ଥିବା ଅଭିଯୋଗ ହୋଇ ଆସୁଛି । ଅଡ଼ିଓ ଭାଇରାଲ୍ ପରେ ଦ୍ୱିତୀୟ ସୂଚନା କମିସନର୍ ନିଯୁକ୍ତି ଦିଆଯାଇଥିଲେ ମଧ୍ୟ ଏହା କାହା ପାଇଁ ବୋଲି ପ୍ରଶ୍ନ କରାଯାଇପାରେ ।
ସଂପାଦକମାନେ କରୋନା ଜାଲରେ..
କି କରୋନା ଆସିଲା, ରାଜ୍ୟରେ ଖବରଦାତା ଓ ଖବର କାଗଜ ସଂପାଦକମାନେ ନାକେଦମ୍ ହେଲେଣି । ଗୋଟିଏ ପଟେ କରୋନା ସଂକ୍ରମଣ ହେବା ଭୟରେ ବହୁ ପାଠକ ଖବର କାଗଜରେ ହାତ ମାରିବାକୁ ଡରୁଛନ୍ତି । ଅନ୍ୟପଟେ, କରୋନାରେ ଦେଶର ଅର୍ଥନୀତି ବିପର୍ଯ୍ୟସ୍ତ ହୋଇ ଗଣମାଧ୍ୟମର ବିଜ୍ଞାପନ ବ୍ୟବସାୟ ଉପରେ ପ୍ରଭାବ ପକାଇଛି । ଆଜିର ଦିନରେ ମାର୍କେଟ୍ରେ ଇଂରାଜୀ ବା ଓଡ଼ିଆ ଖବର କାଗଜଟିଏ ଖୋଜିବାକୁ ଗାଡିରେ ପେଟ୍ରୋଲ ପୋଡ଼ିବାକୁ ପଡୁଛି । ଛୋଟ ବଡ ମାଗାଜିନ୍ ଷ୍ଟଲ୍ କୁ ଗଲେ ଉତ୍ତର ମିଳୁଛି – ‘କରୋନା ଭୟରେ ଆମେ ଆଉ ଖବର କାଗଜ ବିକୁନୁ । ନିଜେ ମୋବାଇଲରେ ଖବର ଦେଖି ନେଉଛୁ । ମ୍ୟାଗାଜିନ୍ ବିକିବା ବନ୍ଦ କରିବାକୁ ମଧ୍ୟ ଘରେଣୀ ଚାପ ପକାଇଲେଣି ..’ । ଓଡ଼ିଆ ଖବର କାଗଜ ପାନ, ଚା’ ଦୋକାନରେ ମିଳୁଛି । କିନ୍ତୁ, ଇଂରାଜୀ ଖବର କାଗଜଟିଏ ମିଳିବା କଷ୍ଟ । ନିକଟରେ ଇଂରାଜୀ ଖବର କାଗଜଟିଏ ଖୋଜିବାକୁ ମାଷ୍ଟର କ୍ୟାଂଟିନ୍ ରୁ ସହୀଦ ନଗର ପର୍ଯ୍ୟନ୍ତ ବୁଲି ଆସିଲି । ବୁଲି ବୁଲି ସହୀଦ ନଗରର ଗୋଟିଏ ମ୍ୟାଗାଜିନ ଷ୍ଟଲ୍ ରେ ପହଂଚି ଜିଜ୍ଞାସା କରିବାରୁ ଷ୍ଟଲ୍ ମାଲିକ ଏଭଳି ଉତ୍ତର ଦେଇଥିଲେ ।
ଆଜିର ଦିନରେ କେବଳ ଫିଲ୍ଡରେ କାମ କରୁ ଥିବାରୁ ସାମ୍ବାଦିକ ନୁହନ୍ତି, ସଂପାଦକମାନେ ମଧ୍ୟ କରୋନା ଆକ୍ରାନ୍ତ ହେଉଥିବା ଦେଖିବାକୁ ମିଳୁଛି । ଦୁଇଟି ଦୈନିକ ସମ୍ବାଦପତ୍ରର ସଂପାଦକ ଏବେ କରୋନାରେ ଆକ୍ରାନ୍ତ ହୋଇ ଚିକିତ୍ସାଧିନ ଥିବା ବା ସଂଗରୋଧରେ ରହିଥିବା ଖବର ହଇଚଇ ସୃଷ୍ଟି କରିଛି । ‘ସମ୍ବାଦ’ର ମୁଖ୍ୟ ସଂପାଦକ ସୌମ୍ୟ ରଂଜନ ପଟ୍ଟାନୟକ କରୋନାରେ ଆକ୍ରାନ୍ତ ଥିବା ନିଜେ ଟ୍ୱିଟ୍ କରି ସୂଚନା ଦେଇଥିଲେ । ତାଙ୍କ ପତ୍ନୀ ସୁଦତ୍ତା ପଟ୍ଟନାୟକ ମଧ୍ୟ କରୋନା ପଜେଟିଭ୍ । ଦୁହେଁ ନିଜ ଘରେ ସଂଗରୋଧରେ ଥିଲେ । ପରେ, ଡ଼ାକ୍ତରଙ୍କ ପରାମର୍ଶକ୍ରମେ ହସ୍ପିଟାଲକୁ ସ୍ଥାନାନ୍ତର ହୋଇଛନ୍ତି । ଗୁରୁବାର ସକାଳେ ମୋର ଜଣେ ସଂପାଦକ ବନ୍ଧୁ ତଥା ‘ପ୍ରମେୟ’ର ସଂପାଦକ ଗୋପାଳ ମହାପାତ୍ର କରୋନା ପଜେଟିଭ୍ ଥିବା ନିଜ ସଂପାଦିତ ସମ୍ବାଦପତ୍ରରେ ସୂଚନା ଦେଇଛନ୍ତି । ସେ ଲକ୍ଷଣ-ବିହୀନ ଥିଲେ ମଧ୍ୟ ନିଜ ଆଡୁ ସ୍ୱାବ୍ ନମୁନା ପରୀକ୍ଷା କରାଇ ପଜେଟିଭ୍ ବାହାରି ଥିବା କହିଛନ୍ତି । ସପ୍ତାହକ ମଧ୍ୟରେ ତାଙ୍କ ସଂସ୍ପର୍ଶରେ ଆସି ଥିବା ଲୋକମାନେ ସଂଗରୋଧରେ ରହି ନିଜ ନିଜ ସ୍ୱାବ୍ ନମୁନା ପରୀକ୍ଷା କରାଇ ନେବାକୁ ମଧ୍ୟ ସେ ପରାମର୍ଶ ଦେଇଛନ୍ତି ।
ଗତ ୫ ମାସ ମଧ୍ୟରେ କେବଳ ଏହି ଦୁଇ ସଂପାଦକ ନୁହନ୍ତି, ରାଜ୍ୟର ସହରାଂଚଳ ଓ ଗ୍ରାମାଂଚଳରେ କାର୍ଯ୍ୟରତ ବହୁ ସାମ୍ବାଦିକ କର୍ତବ୍ୟ ସଂପାଦନ ସମୟରେ କରୋନାରେ ଆକ୍ରାନ୍ତ ହେଲେଣି । ସେମାନଙ୍କ ମଧ୍ୟରୁ ଅଧିକାଂଶ ଚିକିତ୍ସା ପରେ ସୁସ୍ଥ ହୋଇଥିବା ଖବର ମିଳିଥିବା ବେଳେ କିଛି ସାମ୍ବାଦିକଙ୍କ ଅଦିନରେ ମୃତ୍ୟୁ ଘଟିଛି । କରୋନାରେ ମୃତ୍ୟୁବରଣ କରିଥିବା ସାମ୍ବାଦିକଙ୍କ ମଧ୍ୟରେ ଅଛନ୍ତି ଗଜପତି ଜିଲ୍ଲାର ବରିଷ୍ଠ ସାମ୍ବାଦିକ କେ.ସିଏଚ୍ ରତ୍ନମ (ପାରଳାଖେମୁଣ୍ଡି) ଓ ଗଂଜାମ ଜିଲ୍ଲାର ପ୍ରିୟଦର୍ଶୀ ପଟ୍ଟନାୟକ (ହିଂଜିଳି) । କର୍ତବ୍ୟ ସଂପାଦନ ସମୟରେ କରୋନରେ ମୃତ୍ୟୁବରଣ କରୁଥିବା ସାମ୍ବାଦିକଙ୍କ ପରିବାରକୁ ସରକାର ୧୫ ଲକ୍ଷ ଟଙ୍କା ଲେଖାଁଏ ସହାୟତା ଘୋଷଣା କରିବା ପରେ ପେସାଦାରମାନେ ଆଶ୍ୱସ୍ତ । କରୋନାରେ ମୃତ ଉପରୋକ୍ତ ଦୁଇ ସାମ୍ବାଦିକଙ୍କ ପରିବାର ଏହି ସହାୟତା ପାଇ ଥିବା ସରକାରୀ ସୂଚନା ମିଳିଛି । ରାଜ୍ୟ ସରକାର ସୂଚନା ଓ ଲୋକ ସଂପର୍କ ବିଭାଗ ପରାମର୍ଶଦାତା ଭାବେ ଜଣେ ଅଭିଜ୍ଞତା ଥିବା ପୂର୍ବ ସାମ୍ବାଦିକଙ୍କୁ ନିଯୁକ୍ତି ଦେଇଥିବାରୁ ଏହା ସମ୍ଭବ ହେଲା ବୋଲି ସାମ୍ବାଦିକ ମହଲରେ ଆଲୋଚନା ହେଉଛି ।
କରୋନା ଟୀକା ଓ ଜାତୀୟତାବାଦ…
ମହାମାରୀ କରୋନାକୁ ମାତ୍ ଦେବା ପାଇଁ ବିଶ୍ୱର ବିଭିନ୍ନ ରାଷ୍ଟ୍ରରେ ଏବେ ଟୀକା ପରୀକ୍ଷଣ ଚାଲିଛି । କେବେ ଏହି ଟୀକା ପରୀକ୍ଷଣ ସରିବ ଏବଂ ତାହାର ଉତ୍ପାଦନ ହୋଇ ବଜାରକୁ ଆସିବ, କେହି ଜାଣନ୍ତି ନାହିଁ । କିନ୍ତୁ, ବିଭିନ୍ନ ସ୍ତରରେ ପରୀକ୍ଷଣରେ ଥିବା କରୋନା ଟୀକାକୁ ନେଇ ଏବେ ନୂଆ ବିବାଦ ମୁଣ୍ଡ ଟେକିଲାଣି । ବିବାଦର ବିଷୟବସ୍ତୁ ହେଉଛି, ଉଦ୍ଭାବନ ହେବାକୁ ଥିବା କରୋନା ଟୀକାର ‘ଜାତୀୟତାବାଦ’କୁ ନେଇ । ଭାରତ ସମେତ ବହୁ ବିତ୍ତଶାଳୀ ରାଷ୍ଟ୍ର ଏହି ଟୀକା ପ୍ରସ୍ତୁତିର ଶ୍ରେୟ ନେବା ଦୌଡରେ ଅଛନ୍ତି । ପରୀକ୍ଷଣ ସ୍ତରରେ ଥିବା ଟୀକାଗୁଡିକ ମଧ୍ୟରୁ ଯେଉଁ ଟୀକା ସଫଳ ହୋଇ ବଜାରକୁ ଛଡା ଯିବା ସକାଶେ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ଦ୍ୱାରା ଅନୁମୋଦିତ ହେବ ସେହି ଟୀକା ଉଦ୍ଭାବନ କରିଥିବା ରାଷ୍ଟ୍ର ତାହାର ଉତ୍ପାଦନ ଓ ଯୋଗାଣ ବ୍ୟବସ୍ଥା କରିବ । ସଂପୃକ୍ତ ଦେଶ ଯେତିକି ପରିମାଣର ଟୀକା ଉତ୍ପାଦନ କରିବ ତାହାର ସିଂହଭାଗ ନିଜ ଦେଶବାସୀଙ୍କୁ ଯୋଗାଇବା ପରେ ବଳକା ହେଲେ ଅନ୍ୟ ରାଷ୍ଟ୍ରଙ୍କୁ ଦେବ ବୋଲି କହିଲାଣି । ଭାରତ ମଧ୍ୟ ଏହି ‘ଜାତୀୟତାବାଦ’ ଦୌଡ଼ରେ ଥିବା ଚର୍ଚ୍ଚା ହେଉଛି । ଟୀକା ଉଦ୍ଭାବନ କରୁଥିବା ରାଷ୍ଟ୍ରମାନେ ଏଭଳି ଜାତୀୟତାବାଦ ଦେଖାଇଲେ ବିଶ୍ୱର ଦରିଦ୍ର ଓ ବିକାଶୋନ୍ମୁଖୀ ରାଷ୍ଟ୍ରମାନେ ଗୁରୁତର ସଂକଟର ସାମନା କରିବେ । ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ (ହୁ) ଏହି ଚେତାବନୀ ଦେଲାଣି । ଆବଶ୍ୟକତା ଅନୁସାରେ ସମ୍ଭାବ୍ୟ କରୋନା ଟୀକାର ବିତରଣ ପାଇଁ ଜାତିସଂଘ ଅନ୍ତର୍ଭୁକ୍ତ ରାଷ୍ଟ୍ରମାନେ ଏକ ଚୁକ୍ତିନାମାରେ ସ୍ୱାକ୍ଷର କରିବା ଉଚିତ ବୋଲି ‘ହୁ’ ଚାପ ପକାଉ ଥିବା ବେଳେ ଭାରତ ସମେତ ଆମେରିକା, ବ୍ରିଟେନ୍, ଋଷ, ଜର୍ମାନ ଭଳି ଶକ୍ତିଶାଳୀ ରାଷ୍ଟ୍ରମାନେ ଏତିରେ କେତେଦୂର ରାଜି ହେବେ, ତାହା ଏବେ ପ୍ରଶ୍ନ ହୋଇଛି ।
ଦଶହରା ଉପରେ ସମସ୍ତଙ୍କ ଆଖି..
କରୋନା କେବଳ ଜୀବନ, ଜୀବୀକା ନୁହେଁ, ସାଧାରଣ ମଣିଷର ଆତ୍ମବିଶ୍ୱାସ ପ୍ରତି ମଧ୍ୟ ଗଭୀର ସଂକଟ ସୃଷ୍ଟି କରିଛି । ମାର୍ଚ୍ଚ ୨୨ରୁ ରାଜ୍ୟରେ କରୋନା କଟକଣା ସ୍ୱରୂପ ତାଲାବନ୍ଦ, ତାଲାଖୋଲାର ବିଭିନ୍ନ ପର୍ଯ୍ୟାୟ ଚାଲିଛି। ସାମାଜିକ ଦୂରତା ରକ୍ଷା ନାଁରେ ସରକାର ଛଅ ମାସ ହେଲା ସମସ୍ତ ସାମାଜିକ ଓ ଧାର୍ମିକ କାର୍ଯ୍ୟ ବନ୍ଦ ରଖିଛନ୍ତି । ଧର୍ମାନୁଷ୍ଠାନ ସବୁ ବନ୍ଦ ଥିବାରୁ ସମାଜରେ ମାନସିକ ଚାପ ବଢିଛି । ବିଭିନ୍ନ ଧର୍ମାବଲମ୍ବୀ ଏହି ଚାପ ଭିତରେ ଅଛନ୍ତି । ସରକାର ଅନ୍ୟ ଧର୍ମାବଲମ୍ବୀଙ୍କୁ ଅସନ୍ତୁଷ୍ଟ କରି ହିନ୍ଦୁ ପର୍ବ ପର୍ବାଣୀ କରାଇବା ଚାହୁଁ ନ ଥିବାରୁ ଅକ୍ଷୟ ତୃତୀୟାଠାରୁ ଆରମ୍ଭ କରି ଶ୍ରୀ ଗଣେଷଙ୍କ ପୂଜା ପର୍ଯ୍ୟନ୍ତ (ରଥଯାତ୍ରା ଏକମାତ୍ର ବ୍ୟତିକ୍ରମ) ସମସ୍ତ ଧାର୍ମିକ ଓ ପାରଂପରିକ ଉତ୍ସବ, ମହୋତ୍ସବକୁ ବନ୍ଦ ରଖିଛନ୍ତି । ଫଳରେ, ମୂର୍ତର୍କାରଙ୍କଠାରୁ ଆରମ୍ଭ କରି ଫୁଲ, ଫଳ ବେପାରୀ ପର୍ଯ୍ୟନ୍ତ ସମସ୍ତେ ପୂର୍ବ ବ୍ୟବସାୟ ହରାଇଛନ୍ତି । ଆଗକୁ ଆସୁଛି ମା’ ଦୁର୍ଗାଙ୍କ ଦଶ ଦିନ ବ୍ୟାପୀ ନବରାତ୍ର ପୂଜା। ଦୁର୍ଗା ପୂଜା ବର୍ଷର ଶେଷ ସାର୍ବଜନୀନ ପୂଜୋତ୍ସବ ଭାବେ ବିଚାର କରାଯାଏ । ଜାତି ଧର୍ମ ନିର୍ବିଶେଷରେ ସମସ୍ତେ ଏଥିରେ ଭାଗ ନେଇ ଥା’ନ୍ତି ଏବଂ ବାଣିଜ୍ୟ ଓ ବ୍ୟବସାୟ ଦୃଷ୍ଟିରୁ ଦଶହରା ଉପରେ ସମସ୍ତଙ୍କ ନଜର ଥାଏ ।
ଚଳିତ ବର୍ଷ ଅକ୍ଟୋବର ମାସରେ ଦୁର୍ଗା ପୂଜା ହେବାକୁ ଥିବା ବେଳେ ସରକାର ସାର୍ବଜନୀନ ପୂଜା ପାଇଁ ଅନୁମତି ଦେବେ କି ନାହିଁ ସେ ନେଇ ଅନିଶ୍ଚିତ ବାତାବରଣ ରହିଛି । ତଥାପି, ରାଜ୍ୟବ୍ୟାପୀ ଶତାଧିକ ସଂଖ୍ୟାରେ ଥିବା ଦୁର୍ଗାପୂଜା କମିଟିମାନେ ଜନ୍ମାଷ୍ଟମୀରେ ମାଟି ଅନୁକୂଳ କରାଇ ସରକାରଙ୍କ ସବୁଜ ସଂକେତ ଅପେକ୍ଷାରେ ଅଛନ୍ତି । ରାଜ୍ୟରେ ଜୁନ, ଜୁଲାଇ ଓ ଅଗଷ୍ଟ ମାସରେ କରୋନା ଗ୍ରାଫ୍ ଯେଭଳି ଉପର ମୁହାଁ ରହିଛି ଅକ୍ଟୋବର ବେଳକୁ ସ୍ଥିତି କଣ ଥିବ, କହିବା ସମ୍ଭବ ନୁହେଁ । ସେପ୍ଟେମ୍ବର ମାସର କରୋନା ଗ୍ରାଫ୍ ଦେଖିବା ପରେ ରାଜ୍ୟ ସରକାର ଏସଂପର୍କରେ କିଛି ନିଷ୍ପତ୍ତି ନେବେ ବୋଲି ଆଶା କରାଯିବ । ଜୁନ ମାସରେ ପୁରୀ ଶ୍ରୀମନ୍ଦିରର ଏବଂ ଜଗନ୍ନାଥ ସଂସ୍କୃତିର ଅନନ୍ୟ ପରଂପରା ରଥଯାତ୍ରା କରାଇବାରେ (ସରକାର ଚାହୁଁ ନ ଥିବା ବେଳେ) ବଡ଼ ଠାକୁର ଶ୍ରୀଜଗନ୍ନାଥ ଯେଭଳି ଚମତ୍କାର ଦେଖାଇଲେ ଅକ୍ଟୋବର ମାସରେ ମା’ ମହାମାୟୀ ଦୁର୍ଗା ମଧ୍ୟ ସେଭଳି କିଛି ଚମତ୍କାର ଦେଖାଇବେ ବୋଲି ଭକ୍ତଙ୍କ ଆଶା ରହିଛି । ଗଜାନନ ମଧ୍ୟ ସେଭଳି କିଛି ଚମକ୍ରାର ଦେଖାଇବା ଆଶା ଥିଲା । ସାର୍ବଜନୀନ ଗଣେଶ ପୂଜା ପାଇଁ ଅନୁମତି ଦିଆଯିବା ଆବେଦନ କରି କିଛି ଭକ୍ତ ଓଡ଼ିଶା ହାଇକୋର୍ଟକୁ ଯାଇଥିଲେ । କିନ୍ତୁ, ଓଡ଼ିଶା ହାଇକୋର୍ଟ ପୁଣି ଥରେ ‘ବଲ୍’ ରାଜ୍ୟ ସରକାରଙ୍କ ଦରବାରକୁ ଫିଙ୍ଗି ଦେଇ ଥିଲେ । ରଥଯାତ୍ରାକୁ ନେଇ ମଧ୍ୟ ହାଇକୋର୍ଟ ଏକାଭଳି ରାୟ ଦେଇଥିଲେ । ତେଣୁ, ମଣିଷ ନୁହେଁ, ଭଗବାନଙ୍କ ସଦିଚ୍ଛା ଉପରେ ସବୁ କିଛି ନିର୍ଭର କରୁଥିବା ଆମେ ରଥଯାତ୍ରା ସମୟରେ ଦେଖିଲେ । ଦୁର୍ଗା ପୂଜାରେ ତାହାର ପୁନଃରାବୃତ୍ତି ଘଟିବ ବୋଲି ଆଶା କରିବା ଛଡା ଆମ ହାତରେ ଆଉ କଣ ବା ଅଛି ?

LETTER FROM THE EDITOR: A SPECIAL THANKS TO OUR READERS
LETTER FROM THE EDITOR: A SPECIAL THANKS TO OUR READERS