ସୁପ୍ରିମ କୋର୍ଟ, ସିବିଆଇ ଓ ରାଜପୁତ ରାଜନୀତି


ପ୍ରସାଦ ରାଓ
ନୂଆଦିଲ୍ଲୀ
ମୋଅନୁଭବ.କମ୍
ଅଗଷ୍ଟ ୧୯
ବଲିଉଡ୍ ର ଦିଗଂଗତ ଅଭିନେତା ସୁଶାନ୍ତ ସିଂହ ରାଜପୁତ ଆତ୍ମହତ୍ୟା ମାମଲା ଆଜି କେନ୍ଦ୍ରୀୟ ତଦନ୍ତ ବ୍ୟୁରୋ ବା ସିବିଆଇ ହାତକୁ ଯିବା କିଛି ନୂଆ ଖବର ନୁହେଁ । ବିହାର ମୁଖ୍ୟମନ୍ତ୍ରୀ ନୀତୀଶ କୁମାର ଏହି ମାମଲାର ସିବିଆଇ ତଦନ୍ତ ପାଇଁ କେନ୍ଦ୍ର ସରକାରଙ୍କୁ ସୁପାରିଶ କରିବା ଏବଂ କେନ୍ଦ୍ର ସରକାର ତାହାକୁ ଗ୍ରହଣ କରି ନେବା ଦିନ ଠାରୁ ମାମଲାର ସିବିଆଇ ତଦନ୍ତ ଏକ ପ୍ରକାର ନିଶ୍ଚିତ ହୋଇସାରିଛି । କେନ୍ଦ୍ର ସରକାର ଏସଂପର୍କରେ ସୁପ୍ରିମ କୋର୍ଟଙ୍କୁ ଆଗୁଆ ଜଣାଇ ସାରିଥିଲେ । ତେବେ, ସୁଶାନ୍ତ ସିଂହଙ୍କ ବାନ୍ଧବୀ ଅଭିନେତ୍ରୀ ରିୟା ଚକ୍ରବର୍ତୀ ମାମଲାରେ ବିହାର ପୁଲିସ ଓ ସରକାରଙ୍କ ହସ୍ତକ୍ଷେପକୁ ନାପସନ୍ଦ କରି ମୁମ୍ବାଇ ପୁଲିସ ହିଁ ମାମଲାର ତଦନ୍ତ କରନ୍ତୁ ବୋଲି ସୁପ୍ରିମ କୋର୍ଟରେ ଆବେଦନ କରିଥିବା ଯୋଗୁଁ ମାମଲା ସାମାନ୍ୟ ଗୋଳିଆ ହୋଇ ରହିଥିଲା । ରିୟାଙ୍କ ଆବେଦନ ଉପରେ ସୁପ୍ରିମ କୋର୍ଟର ସିଂଗଲ ବେଂଚ୍ ବିଚାରପତି ଜଷ୍ଟିସ ହୃଷୀକେଶ ରାୟ ଅଗଷ୍ଟ ୧୧ ତାରିଖରେ ଶୁଣାଣୀ ଶେଷ କରି ଆଜି ରାୟ ପ୍ରକାଶ କରିଛନ୍ତି ।
ସୁପ୍ରିମ କୋର୍ଟଙ୍କ ରାୟ ପରେ ଆଜି ଗୋଳିଆ ପାଣିରୁ ପଂକ ହଟିଛି । କୋର୍ଟ ସ୍ପଷ୍ଟ କରିଦେଇଛନ୍ତି ଯେ, ସୁଶାନ୍ତଙ୍କ ପିତା କେ.କେ.ସିଂହ ଜୁଲାଇ ୨୫ ତାରିଖରେ ବିହାରର ପାଟନା ଥାନାରେ ଦେଇଥିବା ଏତଲାକୁ ଭିତ୍ତି କରି ବିହାର ପୁଲିସ ସୁଶାନ୍ତ ଆତ୍ମହତ୍ୟା ମାମଲାର ତଦନ୍ତ ଆରମ୍ଭ କରିବା ଥିଲା ବିହାର ପୁଲିସର ସଂପୂର୍ଣ୍ଣ ଅଧିକାରଭୁକ୍ତ । ବିହାର ରାଜ୍ୟ ସରକାର ମାମଲାର ସିବିଆଇ ତଦନ୍ତ ପାଇଁ କେନ୍ଦ୍ର ସରକାରଙ୍କୁ ସୁପାରିଶ କରିବା ମଧ୍ୟ ଯଥାର୍ଥ । ତେଣୁ, ମୁମ୍ବାଇ ପୁଲିସ ଏପର୍ଯ୍ୟନ୍ତ ସୁଶାନ୍ତ ସିଂହ ମାମଲାରେ ଯାହା କିଛି ତଦନ୍ତ କରିଛନ୍ତି ଏବଂ ବିଭିନ୍ନ ବ୍ୟକ୍ତିବିଶେଷଙ୍କୁ ଜେରା କରିବା ମାଧ୍ୟମରେ ଯେଉଁ ସବୁ ତଥ୍ୟ, ପ୍ରମାଣ ସଂଗ୍ରହ କରିଛନ୍ତି ସେସବୁ ସିବିଆଇକୁ ହସ୍ତାନ୍ତର କରିବାକୁ ଓ ପରବର୍ତୀ ତଦନ୍ତରେ ସିବିଆଇକୁ ସହଯୋଗ କରିବାକୁ ମୁମ୍ବାଇ ପୁଲିସକୁ ସୁପ୍ରିମ କୋର୍ଟ ନିର୍ଦେଶ ଦେଇଛନ୍ତି ।
ଲୋକପ୍ରିୟ ଅଭିନେତା ସୁଶାନ୍ତ ସିଂହ ରାଜପୁତ (୩୪) ଗଲା ଜୁନ ୧୪ ତାରିଖ ମୁମ୍ବାଇ ବାନ୍ଦ୍ରାସ୍ଥିତ ତାଙ୍କ ବାସ ଭବନରେ ଆତ୍ମହତ୍ୟା (?) କରିବା ଘଟଣା ସମଗ୍ର ଦେଶରେ ଆଲୋଡ଼ନ ସୃଷ୍ଟି କରିଥିଲା । ମୁମ୍ବାଇ ପୁଲିସ ପ୍ରଥମ ଦିନରୁ ହିଁ ଏହି ରହସ୍ୟମୟ ଆତ୍ମହତ୍ୟା ମାମଲାର ତଦନ୍ତ ଆରମ୍ଭ କରିଥିଲେ । ସୁଶାନ୍ତ ବଲିଉଡ୍ରେ ଚାଲିଥିବା ପ୍ରିୟାପ୍ରିତି ଏବଂ ପାରିବାରବାଦକୁ ନେଇ ମାନସିକ ଚାପଗ୍ରସ୍ତ ହୋଇ ଆତ୍ମହତ୍ୟା କରିଥିବା ନେଇ ଅଭିନେତ୍ରୀ କଙ୍ଗନା ରଣାୱତଙ୍କ ଭଳି ବଲିଉଡ୍ ର ବହୁ ଅଭିଜ୍ଞ ଅଭିନେତା, ଅଭିନେତ୍ରୀ, ଚଳଚ୍ଚିତ୍ର ନିର୍ମାତା ଓ ନିର୍ଦେଶକ ଅଭିଯୋଗ କରିବା ପରେ ମୁମ୍ବାଇ ପୁଲିସ ନିଜ ତଦନ୍ତକୁ ସେହି ଦିଗରେ ଫୋକସ୍ କରିଥିଲେ । ପ୍ରଖ୍ୟାତ ଚଳଚ୍ଚିତ୍ର ନିର୍ଦେଶକ ମହେଶ ଭଟ୍ଟଙ୍କ ସମେତ ୪୦ରୁ ଅଧିକ ବଲିଉଡ ଭେଟେରାନ୍ ଙ୍କୁ ପୁଲିସ ଜେରା କରି ସେମାନଙ୍କ ବୟାନ ରେକର୍ଡ କରିଛନ୍ତି । ମାମଲାର ତଦନ୍ତ ବଲିଉଡ୍ ରେ ଚାଲିଥିବା ପରିବାରବାଦ ଓ ପ୍ରିୟାପ୍ରିତି ଉପରେ ପର୍ଯ୍ୟବସିତ ଥିବା ବେଳେ ସୁଶାନ୍ତ ସିଂହଙ୍କ ପିତା କେ.କେ.ସିଂହ ବିହାର ପାଟନା ଥାନାରେ ରୁଜୁ କରିଥିବା ଆପରାଧିକ ମାମଲା ତଦନ୍ତର ମୋଡ ବଦଳାଇଛି । ସୁଶାନ୍ତଙ୍କ ପ୍ରେମିକା ରିୟା ଚକ୍ରବର୍ତୀଙ୍କୁ ମୁଖ୍ୟ ଖଳନାୟିକା ଭାବେ କେ.କେ.ସିଂହଙ୍କ ଏତଲାରେ ଦର୍ଶାଯାଇଛି ।
ରିୟାଙ୍କ ବିରୋଧରେ କେ.କେ.ସିଂହ ଗୁରୁତର ଅର୍ଥନୈତିକ ଅଭିଯୋଗ ଅଣିଛନ୍ତି । ସୁଶାନ୍ତଙ୍କ ବ୍ୟକ୍ତିଗତ ଆକାଉଂଟରୁ ୧୫ କୋଟି ଟଙ୍କା ହଡପ ହୋଇଛି । ରିୟା ଓ ତାଙ୍କ ପରିବାର ସଦସ୍ୟମାନେ ଏଥିରେ ସିଧାସଳଖ ସଂପୃକ୍ତ ବୋଲି କେ.କେ.ସିଂହ ଅଭିଯୋଗ ଉପରେ କେନ୍ଦ୍ର ସରକାରଙ୍କ ଏନଫୋର୍ସମେଂଟ ଡ଼ିରେକ୍ଟୋରେଟ୍ (ଇଡ଼ି) ତଦନ୍ତ ଜାରି ରଖିଛି । ଦୁଇ ମାସ ହେଲା ମୁମ୍ବାଇ ପୁଲିସ ସୁଶାନ୍ତଙ୍କ ଆତ୍ମହତ୍ୟା ମାମଲାର ତଦନ୍ତ କରୁଥିଲେ ମଧ୍ୟ ଏଭଳି ଗୁରୁତ୍ୱପୂର୍ଣ୍ଣ ଦିଗକୁ ଅଣଦେଖା କରିଥିବା ଏବଂ ସୁଶାନ୍ତଙ୍କ ଆତ୍ମହତ୍ୟାର ରହସ୍ୟ ଉନ୍ମୋଚନ କରି ପାରି ନଥିବା ଦର୍ଶାଇ ମାମଲାର ତଦନ୍ତ ସିବିଆଇକୁ ଦିଆଯିବାକୁ ପିତା କେ.କେ.ସିଂହ ଓ ତାଙ୍କ ପରିବାର ସଦସ୍ୟମାନେ ଦାବି କରିଥିଲେ । ଆଜି ସୁପ୍ରିମ କୋର୍ଟ ସେମାନଙ୍କ ଦାବି ମୁତାବକ ମାମଲା ସିବିଆଇ ହାତକୁ ଯିବା ସପକ୍ଷରେ ରାୟ ଦେଇଛନ୍ତି ।
ମୁମ୍ବାଇ ପୁଲିସ ଓ ବିହାର ପୁଲିସ ମଧ୍ୟ ସୁଶାନ୍ତ ସିଂହ ରାଜପୁତ ମାମଲାକୁ ନେଇ ବିବାଦର କାରଣ ହେଉଛି – ମୁମ୍ବାଇ ପୁଲିସର ତଦନ୍ତରେ ଅସନ୍ତୁଷ୍ଟ ସୁଶାନ୍ତ ସିଂହଙ୍କ ପିତା କେ.କେ.ସିଂହ ବିଳମ୍ବରେ ହେଲେ ମଧ୍ୟ ଜୁଲାଇ ୨୫ ତାରିଖରେ ବିହାର ପାଟନା ଥାନାରେ ଲିଖିତ ଏତଲା ଦାଏର କଲେ ଏବଂ ସେଥିରେ ସେ ରିୟାଙ୍କ ବିରୋଧରେ ଗୁରୁତର ଅଭିଯୋଗ ଆଣି ତାହାକ ମୁମ୍ବାଇ ପୁଲିସ ଅଣଦେଖା କରିଥିବା ଅଭିଯୋଗ କରିଥିଲେ । ବିହାର ପୁଲିସ ଏହି ଏତଲାକୁ ପଂଜୀକୃତ କରିବା ପରେ ପାଟନା ପୁଲିସର ଏକ ଚାରି ଜଣିଆ ସ୍ୱତନ୍ତ୍ର ଟିମ୍ ମାମଲାର ତଦନ୍ତ ପାଇଁ ଜୁଲାଇ ୨୭ରେ ମୁମ୍ବାଇରେ ପହଂଚି ଥିଲେ । ତେବେ, ମୂଳ ଘଟଣାଟି ମୁମ୍ବାଇ ପୁଲିସର କର୍ତୃତ୍ୱାଧୀନ ଅଂଚଳରେ ଘଟି ଥିବାରୁ ବିହାର ପୁଲିସ ସେଥିରେ ହସ୍ତକ୍ଷେପ କରିବା ଅଧିକାର ରଖି ନାହାନ୍ତି ଦର୍ଶାଇ ମୁମ୍ବାଇ ପୁଲିସ ବିହାର ପୁଲିସର ତଦନ୍ତରେ ସହଯୋଗ କରି ନ ଥିଲେ । ଅପରପକ୍ଷରେ, ବିହାର ପୁଲିସର ତଦନ୍ତ କାର୍ଯ୍ୟ ତଦାରଖ କରିବାକୁ ମୁମ୍ବାଇରେ ପହଂଚି ଥିବା ପାଟନା ସିଟି ଏସପି ବିନୟ ତିୱାରୀଙ୍କୁ ବିହନ୍ନମୁମ୍ବାଇ ମୁନିସପାଲ କର୍ପୋରେସନ୍ ପକ୍ଷରୁ ରାତି ଅଧିଆ ଉଠାଇ ନିଆଯାଇ ଏକ ଅତିଥି ଭବନରେ ସଂଗରୋଧରେ ରଖା ଯାଇଥିଲା । ବିହାର ପୁଲିସ ମୁଖ୍ୟ ଟ୍ୱିଟ୍ ମାଧ୍ରମରେ ଏହି ଘଟଣା ସାମନାକୁ ଆଣିବାରୁ ସମଗ୍ର ଦେଶରେ ହଇଚଇ ସୃଷ୍ଟି ହୋଇଥିଲା । ବିହାର ପାଟନା ଥାନାରେ ପଂଜୀକୃତ ହୋଇଥିବା କେ.କେ.ସିଂହଙ୍କ ଏତଲା ମୁମ୍ବାଇ ପୁଲିସକୁ ହସ୍ତାନ୍ତର କରାଯିବା ସକାରେ ଆବେଦନ କରି ସୁଶାନ୍ତଙ୍କ ବାନ୍ଧବୀ ରିୟା ଚକ୍ରବର୍ତୀ ସୁପ୍ରିମ କୋର୍ଟରେ ଯେଉଁ ଆବେଦନ କରିଥିଲେ ତାହା ଉପରେ ଶୁଣାଣୀ ଚାଲି ଥିବା ସମୟରେ ପାଟନା ସିଟି ଏସପିଙ୍କୁ ସଂଗରୋଧରେ ରଖା ଯାଇଥିବା ବିହାର ସରକାରଙ୍କ ଓକିଲ ସୁପ୍ରିମ କୋର୍ଟଙ୍କ ଦୃଷ୍ଟିକୁ ଆଣି ଥିଲେ । ସୁପ୍ରିମ କୋର୍ଟର ସିଂଗଲ ବେଂଚ୍ ବିଚାରପତି ଜଷ୍ଟିସ ରାୟ ‘ଏଭଳି କରାଯିବା ଉଚିତ ହୋଇ ନାହିଁ’ ବୋଲି ସେଦିନ ମନ୍ତବ୍ୟ ଦେଇ ଥିଲେ । ପରେ, କେତେକ ସର୍ତରେ ପାଟନା ଏସପି ବିନୟ ତିୱାରୀଙ୍କୁ ସଂଗରୋଧରୁ ମୁକ୍ତ କରାଯାଇଥିଲା ।
ସୁଶାନ୍ତ ସିଂହ ରାଜପୁତ ଆତ୍ମହତ୍ୟା ମାମଲାର ସିବିଆଇ ତଦନ୍ତ ସୁପାରିଶକୁ ନେଇ ମୁମ୍ବାଇ ପୁଲିସ ଓ ମହାରାଷ୍ଟ୍ର ସରକାର ମଧ୍ୟରେ ଯେଭଳି ଭାବେ କାଦୁଅ ଫିଙ୍ଗା ଚାଲିଲା ଏବଂ ସୁଶାନ୍ତ ସିଂହଙ୍କ ପରିବାର ବିରୋଧରେ ବିଷୋଦଗାର କରାଗଲା, ତାହା ମାମଲାକୁ ଅଧିକ ରହସ୍ୟମୟ କରିଛି । ମହାରାଷ୍ଟ୍ରରେ କ୍ଷମତାରେ ଥିବା ଶିବସେନା ସରକାରର ଜଣେ କେହି ପ୍ରଭାବଶାଳୀ ମନ୍ତ୍ରୀ ବା ନେତା ଏହି ମାମଲା ସହ ପ୍ରତ୍ୟେକ୍ଷ ବା ପରୋକ୍ଷରେ ଜଡିତ ଥିବାରୁ ମୁମ୍ବାଇ ପୁଲିସ ତଦନ୍ତରେ ଶିଥିଳତା ପ୍ରଦର୍ଶନ କରିଛନ୍ତି ବୋଲି ସୁଶାନ୍ତ ସିଂହ ପିତା କେ.କେ.ସିଂହ ଅଭିଯୋଗ କରିବା ସହ ବିହାର ପୁଲିସକୁ ଭରସା କରିଥିଲେ । ମାମଲାର ତଦନ୍ତ ପାଇଁ ମୁମ୍ବାଇ ଯାଇଥିବା ପାଟନା ସିଟି ପୁଲିସ ଏସପି ବିନୟ ତିୱାରୀଙ୍କୁ ମୁମ୍ବାଇ ବିମାନ ବନ୍ଦରରୁ ଜବରଦସ୍ତ ଉଠାଇ ନିଆଯାଇ ସଂଗରୋଧରେ ରଖାଯିବା ଘଟଣା ବିହାର ମୁଖ୍ୟମନ୍ତ୍ରୀ ନୀତୀଶ କୁମାରଙ୍କୁ ମଧ୍ୟ କ୍ଷୁବ୍ଧ କରିଥିଲା । ତେଣୁ , ବିନୟ ତିୱାରୀଙ୍କୁ ସଂଗରୋଧ କରାଯିବାର ୨୪ ଘଂଟା ନ ପୁରୁଣୁ ମୁଖ୍ୟମନ୍ତ୍ରୀ ନୀତୀଶ କୁମାର ସୁଶାନ୍ତ ସିଂହ ରାଜପୁତ ଆତ୍ମହତ୍ୟା ମାମଲାର ସିବିଆଇ ତଦନ୍ତ ପାଇଁ କେନ୍ଦ୍ରକୁ ସୁପାରିଶ କରିଥିଲେ ଏବଂ କେନ୍ଦ୍ର ସରକାର ମଧ୍ୟ ତାହାକୁ ତୁରନ୍ତ ଗ୍ରହଣ କରି ନେଲେ ।
ମହାରାଷ୍ଟ୍ର ସରକାରଙ୍କ ÷ଅଭିଯୋଗ ହେଉଛି, ଚଳିତ ବର୍ଷ ଶେଷ ଆଡକୁ ବିହାରରେ ବିଧାନସଭା ନିର୍ବାଚନ ହେବାକୁ ଅଛି ଏବଂ ରାଜ୍ୟରେ କ୍ଷମତାରେ ଥିବା ଜନତା ଦଳ (ୟୁ) – ବିଜେପିର ମେଂଟ ସରକାର ପୁନଃ କ୍ଷମତାକୁ ଫେରିବା ସକାଶେ ‘ବିହାରୀ’ ଭାବନାକୁ ଜାଗ୍ରତ କରିବାକୁ ଉଦ୍ୟମ କରିଛନ୍ତି । ସୁଶାନ୍ତ ସିଂହ ରାଜପୁତଙ୍କ ପିତା କେ.କେ.ସିଂହ ସେଥିରେ ମୋହରା ହୋଇଛନ୍ତି । ସିଂହ ପାଟନା ଥାନାରେ ଏତଲା ଦେବା ପରେ ମୁଖ୍ୟମନ୍ତ୍ରୀ ନୀତୀଶ କୁମାରଙ୍କ ସରକାର ମାମଲା ନିଜ ହାତକୁ ନେବାକୁ ମାତ୍ରାଧିକ ଆଗ୍ରହ ପ୍ରକାଶ କରିବା ଏବଂ ମାମଲାର ସିବିଆ ତଦନ୍ତ ପାଇଁ କେନ୍ଦ୍ରକୁ ସୁପାରିଶ କରିବା ପଛରେ ନିର୍ବାଚନୀ ରାଜନୀତି ରହିଛି । ମହାରାଷ୍ଟର ବରିଷ୍ଠ ଶିବସେନା ନେତୃବର୍ଗ ଏଭଳି ଅଭିଯୋଗ କରୁଥିବା ବେଳେ ଜନତା ଦଳ (ୟୁ) ଓ ବିହାର ବିଜେପି ନେତାମାନେ ଯୁକ୍ତି କରୁଛନ୍ତି, ସୁଶାନ୍ତ ସିଂହ ରାଜପୁତ ରହସ୍ୟମୟ ଆତ୍ମହତ୍ୟା ପଛରେ କେଉଁ ଧରଣର ପ୍ରକାର ଚାପ ରହି ଥିଲା ତାହା ନିରପେକ୍ଷ ଭାବେ ତଦନ୍ତ ହେବାର ଆବଶ୍ୟକ ରହିଛି । ଏହି ଆତ୍ମହତ୍ୟା ପଛରେ ଶାସକ ଶିବସେନାର କୌଣସି ଜଣେ ପ୍ରଭାବଶାଳୀ ନେତାଙ୍କ ସଂପୃକ୍ତି ଅଛି କି ନାହିଁ, ତାହା ମଧ୍ୟ ତଦନ୍ତ ସାପେକ୍ଷ । ତେଣୁ, ମାମଲାର ତଦନ୍ତ ଦାୟିତ୍ୱ ସିବିଆଇକୁ ନ୍ୟସ୍ତ କରାଯିବାର ଯଥାର୍ଥ । ସୁପ୍ରିମ କୋର୍ଟଙ୍କ ଆଜି ସିବିଆଇ ତଦନ୍ତ ସପକ୍ଷରେ ରାୟ ଦେବା ପରେ ବିହାର ପୁଲିସ ମୁଖ୍ୟ ଗୁପ୍ତେଶ୍ୱର ପାଣ୍ଡେ ଦେଇଥିବା ବିବୃତି ରାଜନୀତିର ଗନ୍ଧକୁ ସ୍ପଷ୍ଟି କରିଛି । ସୁଶାନ୍ତ ସିଂହ ମାମଲାରେ ସୁପ୍ରିମ କୋର୍ଟ ସିବିଆ ତଦନ୍ତ ସପକ୍ଷରେ ରାୟ ଦେବା ଦେଶର ୧୩୦ କୋଟି ଜନତାଙ୍କ ଭାବନାର ବିଜୟ ବୋଲି ପାଣ୍ଡେ ପ୍ରତିକ୍ରିୟା ରଖିଛନ୍ତି । ସୁପ୍ରିମ କୋର୍ଟ ରାୟ ନେଇ ବିହାର ସରକାର କେତେଦୂର ଉତ୍ସାହିତ ତାହା ଏହି ବିବୃତିରୁ ସ୍ପଷ୍ଟ ହେଉଛି ।
ସୁଶାନ୍ତ ସିଂହଙ୍କ ବାନ୍ଧବୀ ରିୟା ଚକ୍ରବର୍ତୀ ପ୍ରାରମ୍ଭରେ ଏହି ଆତ୍ମହତ୍ୟା ମାମଲାର ସିବିଆଇ ତଦନ୍ତ ସପକ୍ଷରେ ମତ ଦେଇଥିଲେ । ପରେ, କୌଣସି କାରଣରୁ ସେ ମତ ବଦଳାଇ ମୁମ୍ବାଇ ପୁଲିସ ହିଁ ମାମଲାର ତଦନ୍ତ କରୁ ବୋଲି ଦାବି କରିଥିଲେ । ବିହାର ପାଟନା ଥାନରେ ଜୁଲାଇ ୨୫ ତାରିଖରେ ପଂଜୀକୃତ ହୋଇଥିବା କେ.କେ.ସିଂହଙ୍କ ଏତଲା ଉପରେ ତଦନ୍ତ ଭାର ମୁମ୍ବାଇ ପୁଲିସକୁ ହସ୍ତାନ୍ତର କରାଯାଉ ବୋଲି ସେ ସୁପ୍ରିମ କୋର୍ଟରେ ଯେଉଁ ଆବେଦନ କରିଥିଲେ ତାହାରି ଉପରେ ହିଁ ଆଜି ରାୟ ପ୍ରକାଶ ପାଇଛି । ଦୁଇ ମାସରୁ ଅଧିକ ହେଲା ସୁଶାନ୍ତ ସିଂହ ରାଜପୁତଙ୍କ ଆତ୍ମହତ୍ୟାକୁ ଗଣମାଧ୍ୟମରେ ଘଂଟାଚକଟା ଚାଲିଛି । ଭିନ୍ନ ଭିନ୍ନ ଗଣମାଧ୍ୟମ ଏହି ଆତ୍ମହତ୍ୟାକୁ ନେଇ ଭିନ୍ନ ଭିନ୍ନ ଥିଓରୀ ଉପସ୍ଥାପନ କରିବା ସହ ଜନସାଧାରଣରେ ନିଜର ଆଦୃତି ବଢାଇବା ଉଦ୍ୟମ କରୁଛନ୍ତି । କାହା ଥିଓରୀ ସତ, କାହାର ମିଛ – ତାହା ଜାଣିବା ସାଧାରଣ ଲୋକଙ୍କ ପାଇଁ କଷ୍ଟକର । ତେଣୁ, ସୁଶାନ୍ତ ସିଂହ ରାଜପୁତ ଆତ୍ମହତ୍ୟା ମାମଲାର ଏକ ନିରପେକ୍ଷ ତଦନ୍ତ ହେବା ଦେଶବାସୀ ଚାହୁଁ ଥିଲେ । ଆଜି ସୁପ୍ରିମ କୋର୍ଟ ସେଥିରେ ମୋହର ଲଗାଇଛନ୍ତି । ତେବେ, ଓଡ଼ିଶାରେ ଛଅ ବର୍ଷରୁ ଅଧିକ ସମୟରେ ହେଲା ଚାଲିଥିବା ବହୁ ହଜାର କୋଟି ଟଙ୍କାର ଚିଟ୍ ଫଣ୍ଡ୍ ଠକେଇ ତଦନ୍ତ ଭଳି ସୁଶାନ୍ତ ସିଂହ ରାଜପୁତ ଆତ୍ମହତ୍ୟା ମାମଲାର ସିବିଆଇ ତଦନ୍ତ ଦିଗହରା ନ ହେଉ, ଏହା ସମସ୍ତେ ଚାହୁଁଛନ୍ତି ।

LETTER FROM THE EDITOR: A SPECIAL THANKS TO OUR READERS
LETTER FROM THE EDITOR: A SPECIAL THANKS TO OUR READERS