ଆଇପିଏଲ୍-୨୦୨୦: ଦୁବାଇରେ କରୋନା ପରୀକ୍ଷା, ଦୁଇ ଖେଳାଳୀଙ୍କ ସମେତ ୧୩ ଅଫିସିଆଲ୍ ପଜେଟିଭ୍
ମୋଅନୁଭବ.କମ୍
ଦୁବାଇ/ଅଗଷ୍ଟ ୨୯
ସେପ୍ଟେମ୍ବର ୧୯ରୁ ଦୁବାଇର ତିନିଟି ସହରରେ ଆରମ୍ଭ ହେବାକୁ ଥିବା ଆଇପିଏଲ୍-୨୦୨୦କୁ ନେଇ ପ୍ରଥମ ଦୁଃଖଦ ଖବର ଆସିଛି । ଏଥରେ ଭାଗ ନେବାକୁ ସେଠାରେ ପହଂଚି ଥିବା ସମସ୍ତ ଆଇପିଏଲ୍ ଟିମ୍ ଓ ଅଫିସିଆଲଙ୍କ କରୋନା ପରୀକ୍ଷଣ ବେଳେ ଦୁଇ ଜଣ ଖେଳାଳୀଙ୍କୁ ମିଶାଇ ମୋଟ ୧୩ ଜଣ କରୋନା ପଜେଟିଭ୍ ଥିବା ଚିହ୍ନଟ ହୋଇଛନ୍ତି । ବିସିସିଆଇ ପକ୍ଷରୁ ଆଜି ଏକ ପ୍ରେସ୍ ବିବୃତିରେ ଏହି ସୂଚନା ଦିଆଯାଇଛି । କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ସଂପୃକ୍ତ ଖେଳାଳୀ ଓ ଅଫିସିଆଲଙ୍କୁ ଅନ୍ୟ ଖେଳାଳୀ ଓ ଅଫିସିଆଲମାନଙ୍କ ଠାରୁ ଦୂରେଇ ରଖାଯିବା ସହ ଆଇପିଏଲ୍ ମେଡ଼ିକାଲ ଟିମ୍ ସେମାନଙ୍କ ଉପରେ ସତର୍କ ଦୃଷ୍ଟି ରଖିଛନ୍ତି । ଆଇପିଏଲ୍ ଖେଳିବାକୁ ଦୁବାଇରେ ପହଂଚି ସାରିଥିବା ଚେନ୍ନାଇ ସୁପର କିଙ୍ଗ୍ସ ଦଳର ପାଖାପାଖି ଡ଼ଜନେ ଖେଳାଳୀ ଏବଂ ଅଫିସିଆଲ୍ ଏହି ମାରାତ୍ମକ ଭାଇରସ୍ ଦ୍ୱାରା ଆକ୍ରାନ୍ତ ଥିବା ଚିହ୍ନଟ ହୋଇଛନ୍ତି । ଆକ୍ରାନ୍ତଙ୍କ ମଧ୍ୟରେ ଜଣେ ଟି-୨୦ ହ୍ୱାଇଟ୍ ବଲ୍ ସିମର୍ ଓ ଜଣେ ଟପ୍ ଅର୍ଡର୍ ବ୍ୟାଟସମ୍ୟାନ୍ ଥିବା ବିସିସିଆଇ କହିଛି । ତେବେ, ସେମାନଙ୍କ ପରିଚୟ ଗୋପନ ରଖାଯାଇଛି ।
ବିସିସିଆଇ ପକ୍ଷରୁ କୁହାଯାଇଛି ଯେ, ଆଇପିଏଲ୍ ଖେଳିବା ପାଇଁ ଦୁବାଇରେ ପହଂଚି ସାରି ଥିବା ସବୁ ଦଳର ଖେଳାଳୀ ଏବଂ ଅଫିସିଆଲଙ୍କ କୋଭିଡ଼-୧୯ନମୁନା ପରୀକ୍ଷା ଅଗଷ୍ଟ ୨୦ରୁ ୨୮ ମଧ୍ୟରେ ହୋଇଥିଲା । ୧୯୮୮ଟି ଆରଟି-ପିସିଆର ପରୀକ୍ଷା କରାଯାଇଥିବା ବେଳେ ସେଥିରୁ ୧୩ଟି କରୋନା ପଜେଟିଭ୍ ବାହାରିଛି । ଆଇପିଏଲ୍ ଖେଳିବାକୁ ଥିବା ବିଭିନ୍ନ କ୍ରିକେଟ୍ ଦଳ, ସପୋର୍ଟ ଷ୍ଟାଫ୍, ଟିମ୍ ମ୍ୟାନେଜମେଂଟ୍, ବିସିସିଆଇ ଷ୍ଟାଫ୍, ଆଇପିଏଲ ଅପରେସନାଲ ଟିମ୍, ହୋଟେଲ ଓ ଗ୍ରାଉଣ୍ଡ୍ ଟ୍ରାନ୍ସପୋର୍ଟ ଷ୍ଟାଫ୍ ଏହି ଆରଟି-ପିସିଆର ପରୀକ୍ଷାର ସମ୍ମୁଖୀନ ହୋଇଛନ୍ତି । ଆଇପିଏଲ୍ ହେଲ୍ଥ ଏଣ୍ଡ୍ ସେଫ୍ଟି ପ୍ରୋଟୋକଲ୍ ଅନୁସାରେ ଯେଉଁମାନେ କରୋନା ପଜେଟିଭ୍ ଚିହ୍ନଟ ହୋଇଛନ୍ତି ସେମାନେ ୧୪ ଦିନ ସଂଗରୋଧରେ ରହିବେ । ୧୪ ଦିନ ପରେ ଦୁଇଟି ଟେଷ୍ଟ୍ ରେ କରୋନା ନେଗେଟିଭ୍ ଚିହ୍ନଟ ହେଲେ ହିଁ ଆଇପିଏଲ -୨୦୨୦ ସିଜନ୍ ରେ ଖେଳିବା ସୁଯୋଗ ପାଇବେ । ସିଜନ୍ ସରିବା ପର୍ଯ୍ୟନ୍ତ ଅଂଶଗ୍ରହଣକାରୀ ଖେଳାଳୀ ଓ ଅନ୍ୟ ସମସ୍ତ ସପୋର୍ଟ ଷ୍ଟାଫ୍ ଙ୍କୁ ନିୟମିତ ଭାବେ କୋଭିଡ-୧୯ ନମୁନା ପରୀକ୍ଷାର ସମ୍ମୁଖୀନ ହେବାକୁ ପଡିବ । ଏବେ ଯେଉଁ ୧୩ ଜଣ ଖେଳାଳୀ ଓ ଅଫିସିଆଲ୍ କରୋନା ପଜେଟିଭ୍ ଚିହ୍ନଟ ହୋଇଛନ୍ତି ସେମାନେ ଓ ସେମାନଙ୍କ ସଂସ୍ପର୍ଶରେ ଆସିଥିବା ଅନ୍ୟମାନେ ସମସ୍ତେ ଲକ୍ଷଣବିହୀନ । ତେଣୁ, ଆଇପିଏଲ ମେଡ଼ିକାଲ ଟିମ୍ ଦ୍ୱାରା ସେମାନଙ୍କୁ ଆଇସୋଲେସନ୍ରେ ରଖାଯାଇଛି । ମେଡ଼ିକାଲ ଟିମ୍ ନଜରରେ ସେମାନେ ଅଛନ୍ତି ବୋଲି ବିସିସିଆଇ କହିଛି ।
LETTER FROM THE EDITOR: A SPECIAL THANKS TO OUR READERS
LETTER FROM THE EDITOR: A SPECIAL THANKS TO OUR READERS