କରୋନା ଡ଼ାଏରୀ (୨୧)… ଶୀତ ଋତୁରେ ସଂକ୍ରମଣ ବଢିବ ଜାଣି ସୁଦ୍ଧା ସରକାର ଭୋଟ ରାଜନୀତିରେ ବ୍ୟସ୍ତ !
ପ୍ରସାଦ ରାଓ
ଅକ୍ଟୋବର, ୧୬
ବର୍ଷ ସରିବାକୁ ଆଉ ଦୁଇ ମାସ ଅଛି । ଏବେ ଚାଲିଛି ପାର୍ବଣ ଋତୁ । ୨୦୨୦ ବର୍ଷର ପାର୍ବଣ ଋତୁକୁ ସଂପୂର୍ଣ୍ଣ ଭାବେ ନିରସ କରିଦେଇଛି କରୋନା ମହାମାରୀ । ସବୁ ପ୍ରକାର ମସ୍ତିରେ କୋଲପ ଲାଗି ଯାଇଛି । ବର୍ଷ ଆରମ୍ଭରୁ ପ୍ରଥମ ଦୁଇ ମାସ ଯାହା ଉପଭୋଗ କରିଥିଲେ ଦେଶବାସୀ । ତାହା ପରଠାରୁ ନିରାଶା ହିଁ ନିରାଶା । କରୋନା ମହାମାରୀ ଯେ ଦେଶକୁ ଏତେ ନିରାଶା ଭିତରକୁ ଠେଲି ଦେବ, ଏହା କେହି ଭାବି ନଥିଲେ । କରୋନା ମହାମାରୀ ଭାରତରେ ପାଦ ଥାପିଲା ୨୦୨୦ ଫେବୃୟାରୀରେ । ମାର୍ଚ୍ଚ ମାସ ମଧ୍ୟଭାଗ ପର୍ଯ୍ୟନ୍ତ ସବୁ ଠିକ୍ ଠାକ୍ ଥିଲା । ଯାହା କିଛି ଶଙ୍କା ଥିଲା ବିଦେଶ ଫେରନ୍ତାଙ୍କୁ ନେଇ । ଜନଜୀବନ ବିଶେଷ ପ୍ରଭାବିତ ହୋଇ ନ ଥିଲା ମାର୍ଚ୍ଚ ୨୧ ପର୍ଯ୍ୟନ୍ତ । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ମାର୍ଚ୍ଚ ୨୧ରେ ଦେଶବ୍ୟାପୀ ‘ଜନତା କର୍ଫ୍ୟୁ’ ପାଳନ ପାଇଁ ଆହ୍ୱାନ ଦେଇ କୋଭିଡ଼-୧୯କୁ ନେଇ ସରକାର ଚିନ୍ତିତ ଥିବା ସ୍ପଷ୍ଟ କରିଥିଲେ । ଏହା ପରବର୍ତୀ ସମୟର ଦୁଃଖ ଆମେ ଅଂଗେ ନିଭାଇଛେ ।
ଓଡ଼ିଶାରେ ମାର୍ଚ୍ଚ ୨୨ ଏବଂ ଦେଶରେ ମାର୍ଚ୍ଚ ୨୪ରୁ ‘ତାଲାବନ୍ଦ’ ଲାଗୁ ହୋଇ ଯେଉଁ କରୋନା କଟକଣା ଜାରି ହେଲା ତାହା ଆଜି ମଧ୍ୟ ଆମକୁ ଅଣନିଶ୍ୱାସୀ କରି ରଖିଛି । ‘ତାଲାବନ୍ଦ’ ସମୟ ଥିଲା ଦେଶବାସୀଙ୍କ ପାଇଁ ଅତି ‘କଠିନ’ ସମୟ । କେନ୍ଦ୍ର ଓ ରାଜ୍ୟ ସରକାରମାନେ ଜୀବୀକା ଅପେକ୍ଷା ଜୀବନକୁ ଅଧିକ ପ୍ରାଧାନ୍ୟ ଦେଇ କଡାକଡି ଭାବେ ‘ତାଲାବନ୍ଦ’ କଟକଣାକୁ କାର୍ଯ୍ୟକାରୀ କଲେ । ଦେଶବ୍ୟାପୀ ବାଣିଜ୍ୟ, ବ୍ୟବସାୟ, ପରିବହନ, ସରକାରୀ, ବେସରକାରୀ କାର୍ଯ୍ୟାଳୟ ସମେତ ସମସ୍ତ ଅର୍ଥନୈତିକ କାର୍ଯ୍ୟକଳାପ ଠପ୍ ହୋଇଗଲା । ଜଣେ ଅଧେ କରୋନା ରୋଗୀ ଚିହ୍ନଟ ହେଉଥିବା ଅଂଚଳକୁ ତତ୍କ୍ଷଣାତ୍ ‘କଂଟେନମେଂଟ୍ ଜୋନ୍’ ଘୋଷଣା କରି ପ୍ରଶାସନ ଯେଭଳି ମାନସିକ ଯନ୍ତ୍ରଣା ଦେବା ଆରମ୍ଭ କରି ଦେଇଥିଲେ ତାହା ଥିଲା ଦେଶବାସୀଙ୍କ ପାଇଁ ଏକ ସଂପୂର୍ଣ୍ଣ ନୂତନ ଅଭିଜ୍ଞତା ।
ମାର୍ଚ୍ଚ ଓ ଏପ୍ରିଲ ମାସର ଅଭିଜ୍ଞତା ହେଉଛି ବର୍ଣ୍ଣନାତୀତ । ଦେଶ ଦେଖିଥିଲା ସରକାରୀ ପ୍ରୟୋଜିତ କଟକଣାର ଅନେକ ହୃଦୟବିଦାରକ ଦୃଶ୍ୟ । ଜୀବନ-ଜୀବୀକା ମଧ୍ୟରେ ସଂଘର୍ଷ । ପ୍ରବାସକୁ ପେଟ ପୋଷିବାକୁ ଯାଇ ଥିବା ଲକ୍ଷ ଲକ୍ଷ ଶ୍ରମିକ କର୍ମ ସଂସ୍ଥାନ ହରାଇ ଯେଭଳି କଷ୍ଟ ସ୍ୱୀକାର କଲେ, ତାହା ଭୁଲି ହେବ ନାହିଁ । ହାତରେ କାମ ନ ଥିଲା, ମୁଣ୍ଡ ଗୁଂଜିବାକୁ ଛାତ ନଥିଲା, ପେଟରେ ଦାନା ନ ଥିଲା । ଭୋକ ବିକଳରେ ସେମାନେ ପରିବାର ସହ ଘରକୁ ବାହୁଡାବା ସମୟରେ ଯାନ ବାହାନ ବି ଚାଲୁ ନ ଥିଲା । ଡହଳ ବିକଳ ହୋଇ ସେମାନେ ସରକାର ଓ ପ୍ରଶାସନର କଟକଣାକୁ ଭୃକ୍ଷପ ନ କରି ନିଜ ନିଜ ଉଦ୍ୟମରେ ଘରକୁ ଫେରୁ ଥିଲେ । ସରକାର ରେଳ, ସଡକ ଓ ଆକାଶ ପଥରେ ଯାତ୍ରୀ ପରିବହନକୁ ବନ୍ଦ ରଖି ମହାମାରୀର ବ୍ୟାପକତାକୁ ସୀମିତ କରିବାକୁ ଉଦ୍ୟମ କରୁଥିବା ବେଳେ ଗାଁରୁ ସହର, ନଗର, ମହାନଗର ପର୍ଯ୍ୟନ୍ତ ସବୁଠି ‘ତାଲାବନ୍ଦ’ର ତାତି ଜନଜୀବନକୁ ବେକାବୁ କରି ରଖି ଥିଲା । କଳ କାରଖାନା, ବ୍ୟବସାୟ ପ୍ରତିଷ୍ଠାନ, ସରକାରୀ, ବେସରକାରୀ କାର୍ଯ୍ୟାଳୟ ଓ ଉଦ୍ୟୋଗ – ସବୁଠି ଝୁଲୁ ଥିଲା ତାଲା । ସରକାର ଏଭଳି କରି ଅଯଥା ଜୀବନହାନୀକୁ ରୋକିଲେ ସିନା ଲୋକଙ୍କ ହାତରୁ ଜୀବୀକା ଛଡାଇ ନେଲେ । ଯାହାକି ଆଜି ସୁଦ୍ଧା ପୂର୍ବ ସ୍ଥିତିକୁ ଫେରି ପାରୁ ନାହିଁ ।
ସରକାର ପ୍ରବାସୀଙ୍କ ଦୁର୍ଦ୍ଦଶାକୁ ଦେଖିବା ମେ’ ମାସରେ ସେମାନଙ୍କ ଘରକୁ ଫେରିବା ବାଟ ପ୍ରଶସ୍ତ କଲେ । ମେ’ ମାସରୁ ଚାଲିଲା ସ୍ୱତନ୍ତ୍ର ଶ୍ରମିକ ବସ୍ ଓ ଟ୍ରେନ୍ । ଲକ୍ଷ ଲକ୍ଷ ସଂଖ୍ୟାରେ ଶ୍ରମିକ କରୋନା ପରୀକ୍ଷା ବିନା ନିଜ ନିଜ ରାଜ୍ୟରେ ପହଂଚି ଯେଭଳି ବିସ୍ଫୋରକ ପରିସ୍ଥିତି ସୃଷ୍ଟି କଲେ ତାହା କାହାରିକୁ ଅଛପା ନାହିଁ । ଭୋଟ କାଂଗାଳ ରାଜ୍ୟ ସରକାରମାନେ କେନ୍ଦ୍ର ସରକାରଙ୍କ ଚାପରେ ଘର ବାହୁଡା ପ୍ରବାସୀଙ୍କୁ ଆଦରି ନେଲେ ସିନା ଠିକ୍ ଭାବେ ସେମାନଙ୍କ କରୋନା ପରୀକ୍ଷା ବ୍ୟବସ୍ଥା କଲେ ନାହିଁ । ଓଲଟା ପ୍ରଶାସନ ‘ଅତିଥି’ ଭାବେ ସେମାନଙ୍କୁ ସ୍ୱାଗତ କରି ସବୁ ପ୍ରକାର ଆଦର, ସକ୍ରାର କଲା । ସେମାନେ ଯେତେବେଳେ ଅନିୟନ୍ତ୍ରିତ ଭାବେ ନିଜ ନିଜ ଗାଁରେ ପହଂଚିଲେ ପରିସ୍ଥିତି କିଭଳି ବିସ୍ଫୋରକ ହେଲା ତାହାର ଜ୍ୱଳନ୍ତ ଉଦାହରଣ ହେଉଛନ୍ତି ଓଡ଼ିଶାର ଗଂଜାମ ସମେତ ଅଧିକାଂଶ ଜିଲ୍ଲା । ମେ’ ମାସରେ କରୋନା ସଂକ୍ରମଣ ଆକାଶଛୁଆଁ ହୋଇଥିବା ବେଳେ କେନ୍ଦ୍ର ଓ ରାଜ୍ୟ ସରକାରମାନେ ସଂପୂର୍ଣ୍ଣ ‘ତାଲାବନ୍ଦ’ କଟକଣା ଲାଗୁ କରି ରାଜସ୍ୱ ହରାଇବାରୁ ଘୋର ଆର୍ଥିକ ସଂକଟ ଭିତରକୁ ଚାଲି ଆସି ଥିଲେ । ତେଣୁ, ଜୀବନ ସହ ଜୀବୀକା ପ୍ରସଙ୍ଗ ଉଠାଇ ନିଜ ତୃଟି ସୁଧାରିବା ଉଦ୍ୟମ ଆରମ୍ଭ ହୋଇଥିଲା । ଜୁନ୍ ମାସରୁ ଦେଶରେ ଜୀବନ ଓ ଜୀବୀକାକୁ ଉପଲକ୍ଷ କରି ସରକାରଙ୍କ ପକ୍ଷରୁ ପର୍ଯ୍ୟାୟକ୍ରମେ ‘ତାଲାବନ୍ଦ’ କଟକଣା କୋହଳ କରାଗଲା । ତେବେ, ଆଦର ସକ୍ରାର ସହ ରାଜ୍ୟକୁ ଫେରାଇ ଅଣା ଯାଇଥିବା ଶ୍ରମଶକ୍ତିକୁ ରାଜ୍ୟ ସରକାର ଉପଯୁକ୍ତ ଭାବେ ବିନିଯୋଗ କରିବାରେ ସକ୍ଷମ ନ ହେବାରୁ ପ୍ରବାସୀ ଶ୍ରମିକ କରୋନା ମହାମାରୀରେ ପିଡିତ ହେବା ଆଶଙ୍କା ସତ୍ୱେ ଫେରି ଯାଇଛନ୍ତି ପୂର୍ବ କର୍ମସ୍ଥଳକୁ । ଭୋକ ନିକଟରେ କରୋନା ଭୟ ଯେମିତି ତୁଚ୍ଛ ପାଲଟିଛି ।
ଜୁନରୁ ସେପ୍ଟେମ୍ବର ମଧ୍ୟରେ ଦେଶ ତଥା ରାଜ୍ୟ ଦେଖିଛି କରୋନା ସଂକ୍ରମଣର ଉଗ୍ର ରୂପକୁ । ସେପ୍ଟେମ୍ବର ମାସରେ ଦେଶ ଓ ରାଜ୍ୟରେ ସର୍ବାଧିକ ସଂଖ୍ୟକ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ସରକାରୀ ରିପୋର୍ଟ ମାନୁଛି । ଚଳିତ ଅକ୍ଟୋବର ମାସରେ ଦେଶ ଓ ରାଜ୍ୟରେ ସଂକ୍ରମଣ କମିଛି ସିନା ମୃତ୍ୟୁ ସଂଖ୍ୟା ବଢୁଛି । ଏତିକି ମାତ୍ର ଆଶ୍ୱସ୍ତି ହେଉଛି, ଅଧିକ ସଂଖ୍ୟାରେ କରୋନା ଆକ୍ରାନ୍ତ ଚିକିତ୍ସା ପରେ ସୁସ୍ଥ ହେଉଛନ୍ତି । ସୁସ୍ଥଙ୍କ ସଂଖ୍ୟା ବଢୁ ଥିବାରୁ କରୋନା ସଂକ୍ରମଣ ତଳମୁହାଁ ହୋଇଥିବା ଲାଗୁଛି । ତଥାପି, ଅକ୍ଟୋବର ମାସ ସ୍ଥିତି ଚିନ୍ତାଜନକ ରହିଛି । ଅକ୍ଟୋବର ମାସ ୧୬ ତାରିଖ ପୂର୍ବହ୍ନ ସୁଦ୍ଧା ଦେଶରେ ମୋଟ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୭୩ ଲକ୍ଷ ୬୭ ହଜାର ୩୮୭କୁ ବୃଦ୍ଧି ପାଇଥିବା ବେଳେ ସେଥିରୁ ୬୪ ଲକ୍ଷ ୪୮ ହଜାର ୬୫୮ ଜଣ ସୁସ୍ଥ ହୋଇଛନ୍ତି । ଚିକିତ୍ସାଧିନ ରୋଗୀ ସଂଖ୍ୟା ୮ ଲକ୍ଷ ୦୫ ହଜାର ୪୦୨ ରହିଛି । ଦେଶରେ କରୋନା ମୃତ୍ୟୁ ସଂଖ୍ୟା ୧ ଲକ୍ଷ ୧୨ ହଜାର ୧୪୬କୁ ବଢିଛି । ଗତ ୨୪ ଘଂଟାରେ ଦେଶରେ ୬୦, ୭୧୩ ନୂଆ କରୋନା ଆକ୍ରାନ୍ତ ଯୋଡି ହୋଇଥିବା ବେଳେ ୮୨୬ଟି ମୃତ୍ୟୁ ଘଟିଛି । ତେବେ, ଏହି ୨୪ ଘଂଟାରେ ୬୫, ୯୦୦ ଜଣ ସୁସ୍ଥ ହୋଇଛନ୍ତି । ଓଡ଼ିଶାରେ ମଧ୍ୟ ୧୬ ତାରିଖ ପୂର୍ବାହ୍ନ ସୁଦ୍ଧା ମୋଟ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୨ ଲକ୍ଷ ୬୪ ହଜାର ୧୪୯ରେ ପହଂଚି ଥିବା ବେଳେ କରୋନାରୁ ସୁସ୍ଥ ହୋଇଥିବା ରୋଗୀଙ୍କ ସଂଖ୍ୟା ୨ ଲକ୍ଷ ୩୮ ହଜାର ୫୩୫ ରହିଛି । ଫଳରେ, ରାଜ୍ୟରେ କରୋନା ପଜେଟିଭ୍ ସଂଖ୍ୟା ୨୪,୪୫୭ ପହଂଚିଛି । ଗଲା ୨୪ ଘଂଟାରେ ରାଜ୍ୟରେ ୨,୧୩୮ ନୂଆ କରୋନା ରୋଗୀ ଯୋଡି ହୋଇଥିବା ବେଳେ ୧୫ ଜଣଙ୍କ ମୃତ୍ୟୁ ଘଟିଛି । ଫଳରେ, ରାଜ୍ୟରେ କରୋନା ଜନିତ ମୃତ୍ୟୁ ସଂଖ୍ୟା ୧,୧୦୪ରେ ପହଂଚିଛି । ଗତ ୨୪ ଘଂଟାରେ ରାଜ୍ୟରେ କେହି ସୁସ୍ଥ ହୋଇଥିବା ରିପୋର୍ଟ ନାହିଁ । ଓଲଟା, ସକ୍ରୀୟ ରୋଗୀ ସଂଖ୍ୟାରେ ଆଉ ୨,୧୨୩ ଜଣ ଯୋଡି ହୋଇଛନ୍ତି ।
ଅକ୍ଟୋବର ମାସରେ ଗଲା ୧୫ ଦିନ ହେଲା ମୃତ୍ୟୁ ସଂଖ୍ୟା ଦୈନିକ ଦୁଇ ଅଙ୍କ ବିଶିଷ୍ଟ ରହୁଛି । ଚଳିତ ବର୍ଷ ରାଜ୍ୟରେ ଅଧଇକ ଶୀତ ପଡିବ ଏବଂ ଶୀତ ଋତୁରେ କରୋନା ସଂକ୍ରମଣ ଅଧିକ ବ୍ୟାପକ ହେବ ବୋଲି ସ୍ୱାସ୍ଥ୍ୟ ବିଶେଷଜ୍ଞମାନେ ପୂର୍ବାନୁମାନ କରୁ ଥିବାରୁ ଚିନ୍ତା ବଢୁଛି । ଏଭଳି ସ୍ଥିତିରେ କେନ୍ଦ୍ର ସରକାର ଧର୍ମାନୁଷ୍ଠାନ ଓ ପ୍ରେକ୍ଷାଳୟମାନ ଖୋଲିବାକୁ ଅନୁମତି ଦେଇ ଥିବାରୁ ଓ ଶିକ୍ଷାନୁଷ୍ଠାାନମାନ ଖୋଲିବା ସକାଶେ ଏସଓପି ଜାରି କରି ଥିବାରୁ ରାଜ୍ୟମାନେ ଅଡୁଆରେ ପଡିଛନ୍ତି । ଓଡ଼ିଶାରେ ମଧ୍ୟ ମନ୍ଦିର, ସିନେମା ହଲ୍ ଖୋଲା ଯିବା ଏବଂ ବିବାହ ଭଳି ଉତ୍ସବରେ ଅଧିକ ସଂଖ୍ୟାରେ ଲୋକ ଯୋଗ ଦେବାକୁ ରାଜ୍ୟ ସରକାର ଅନୁମତି ଦେବା ସକାଶେ ଦାବି ଯୋର ଧରୁଛି । କରୋନା ଉପର ମୁହାଁ ଥିବା ବେଳେ ଭାରତୀୟ ନିର୍ବାଚନ କମିସନ୍ ଅକ୍ଟୋବର ୨୮ରୁ ନଭେମ୍ବର ୭ ମଧ୍ୟରେ ତିନି ପର୍ଯ୍ୟାୟରେ ବିହାର ବିଧାନସଭା ନିର୍ବାଚନ ସାରିବାକୁ ତାରିଖ ଘୋଷଣା କରିଛନ୍ତି । ନଭେମ୍ବର ୩ରେ ଓଡ଼ିଶା ସମେତ କିଛି ରାଜ୍ୟରେ ୫୬ଟି ବିଧାନସଭା ଆସନ ପାଇଁ ଉପ ନିର୍ବାଚନ ହେବାକୁ ଯାଉଛି । ଏଥିସକାଶେ ରାଜନୈତିକ କାର୍ଯ୍ୟକଳାପ ଯୋର ଧରିଲାଣି । ଓଡ଼ିଶାର ତିର୍ତୋଲ ଓ ବାଲେଶ୍ୱର ସଦର ବିଧାନସଭା ଆସନରେ ଉପ ନିର୍ବାଚନ ହେବାକୁ ଥିବାରୁ ରାଜନୈତିକ ଗତିବିଧି ବଢି ଥିବା ବେଳେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କେରଳର ଓନାମ ପାର୍ବଣ ପରେ କରୋନା ମହାମାରୀ ପ୍ରତ୍ୟାବର୍ତନ କରିଥିବା ଦର୍ଶାଇ ରାଜ୍ୟବାସୀ ପୂର୍ବପେକ୍ଷା ଅଧିକ ସତର୍କ ରହିବାକୁ ପରାମର୍ଶ ଦେବା ‘କରୋନାକୁ ଆଖିଠାର’ କହିବା ଭୁଲ ହେବ ନାହିଁ ।
LETTER FROM THE EDITOR: A SPECIAL THANKS TO OUR READERS
LETTER FROM THE EDITOR: A SPECIAL THANKS TO OUR READERS