ଓଡ଼ିଶା ରାଜନୀତି: ସଂକଟରେ କଂଗ୍ରେସ ଓ ବିଜେଡ଼ି
ାା ପ୍ରସାଦ ରାଓ ।ା
ଭୁବନେଶ୍ୱର: ଓଡ଼ିଶା ରାଜନୀତିରେ ଏବେ ଘଡିକେ ଘୋଡା ଛୁଟୁଛି । ଓଡ଼ିଶା କଂଗ୍ରେସରେ ନେତୃତ୍ୱ ପରିବର୍ତନ ପାଇଁ ଦିଲ୍ଲୀ ଦରବାରରେ କିଛି ଦିନ ହେଲା ମାନସ ମନ୍ଥନ ଚାଲି ଥିବା ବେଳେ ବିଜେଡ଼ି ନବକଳେବର ସନ୍ତୋଷ ଅପେକ୍ଷା ଅସନ୍ତୋଷକୁ ଅଧିକ ହାୱା ଦେଇ ଥିବା ଲକ୍ଷ୍ୟ କରାଯାଉଛି । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓଡ଼ିଶାରେ ବିଜେପିର ଅଗ୍ରଗତିକୁ ରୋକିବା ପାଇଁ ନିଜ ମନ୍ତ୍ରୀ ପରିଷଦରେ ବଡ଼ ଧରଣର ଅଦଳବଦଳ କରିଛନ୍ତି । ଦଳର ସଂଗଠନରେ ମଧ୍ୟ ବ୍ୟାପକ ପରିବର୍ତନ କରାଯାଇଛି । ୨୦୧୪ର ଚିନ୍ତନ ଥିଲା ଦଳର ଯୁବ ନେତାମାନଙ୍କ ହାତରେ କ୍ଷମତା ଦିଆ ଗଲେ ବିଜେଡ଼ିକୁ ନୂତନ ଦିଗଦର୍ଶନ ମିଳିବ । ଏହି ବିଶ୍ୱାସ ରଖି ଦଳର ସୁପ୍ରିମୋ ନବୀନ ପଟ୍ଟନାୟକ ୨୦୧୪ ନିର୍ବାଚନ ପରେ ଯୁବ ନେତାଙ୍କୁ ପ୍ରାଧାନ୍ୟ ଦେଇ ମନ୍ତ୍ରୀ ପରିଷଦ ଗଠନ କରି ଥିଲେ । ସେତେବେଳ ଦଳର ପୁରୁଖା ନେତାମାନେ ଅସନ୍ତୁଷ୍ଟ ହୋଇ ଥିଲେ ମଧ୍ୟ ନବୀନଙ୍କ ନିଷ୍ପତ୍ତିର ପ୍ରତିବାଦ କରିବାର ସାହସ କୁଳାଇ ପାରି ନଥିଲେ । ତିନି ବର୍ଷ ଧରି ଦଳ ଓ ସରକାର ଏହି ଯୁବ ନେତାମାନଙ୍କ ଦ୍ୱାରା ପରିଚାଳିତ ହେଲା । ଦଳ ଓ ସରକାରକୁ କିଛି ପ୍ରଶାସକ ଚଳାଉ ଥିଲେ ବି ମନ୍ତ୍ରୀ ପରିଷଦର ବିଭିନ୍ନ ଗୁରୁତ୍ୱପୂର୍ଣ ମନ୍ତ୍ରଣାଳୟ ହାତେଇ ଏହି ଯୁବ ନେତାମାନେ ମନମାନି ଚଳାଇ ଆସି ଥିଲେ । ଚିଟ୍ଫଣ୍ଡ୍ ଦୁର୍ନୀତି ଭଳି ବଡ ଧରଣର ଅର୍ଥନୈତିକ କେଲେଙ୍କାରୀ, ରାଜଧାନୀରେ ସରକାରୀ ଜମି ହଡ଼ପ ଭଳି କିଛି ଗୁରୁତର ମାମଲାରେ ଯୁବ ନେତା ମନ୍ତ୍ରୀମାନଙ୍କ ସଂପୃକ୍ତି ଶାସକ ଦଳକୁ ଅସ୍ତବ୍ୟସ୍ତ କଲା । କିଛି ଯୁବ ନେତା ସିବିଆଇ ସ୍କାନରେ ଥିବା ଜଣାପଡିବା ପରେ ସରକାର ବିରୋଧୀ ଜନମତ ତୀବ୍ର ହେଲା । ଅବଶ୍ୟ, ଦଳର ସିନିୟର ନେତାମାନେ ଏହି କେଲେଙ୍କାରୀରୁ ମୁକ୍ତ ନୁହନ୍ତି । ଚିଟ୍ଫଣ୍ଡ୍ ଦୁର୍ନୀତିର ଚେର ଅନ୍ୟ ଦଳକୁ ମଧ୍ୟ ବ୍ୟାପିଛି । ତେବେ, ଶାସନରେ ଥିବା ବିଜେଡ଼ି ଯେ ସଂପୂର୍ଣ ସ୍ୱଚ୍ଛ ନୁହେଁ, ଏହି ବାର୍ତା ସରକାର ବିରୋଧୀ ଜନମତ ସୃଷ୍ଟିର ବାଟ ଖୋଲି ଦେଲା । ଏହାଛଡ଼ା, ଚାଷୀ ଆତ୍ମହତ୍ୟ, ଆଦିବାସୀ ଅଧ୍ୟୁଷିତ ଅଂଚଳରେ ଅଜଣା ରୋଗରେ ବହୁ ସଂଖ୍ୟକ ଶିଶୁଙ୍କ ମୃତ୍ୟୁ ଭଳି ଘଟଣାରେ ସରକାରୀ ଅବହେଳାକୁ ଯେତେ ଅସ୍ୱୀକାର କରା ଗଲେ ବି ତାହା ସରକାରଙ୍କ ବେକରେ ଫାଶ ହୋଇ ଲଟକି ରହିଲା । ବିଜେଡ଼ି ମୁଖପାତ୍ରମାନେ ଦଳ ଓ ସରକାରଙ୍କୁ ସମାଲୋଚନାର ଜବାବ ଦେବାରେ ପ୍ରତିରକ୍ଷାତ୍ମକ ଭୂମିକା ଗ୍ରହଣ କରିବା ସରକାର ବିରୋଧୀ ଜନମତକୁ ଅଧିକ ସୁଦୃଢ କଲା । ୨୦୧୭ ପଂଚାୟତ ନିର୍ବାଚନ ଥିଲା ଶାସକ ଦଳ ପାଇଁ ଶକ୍ତି ପ୍ରଦର୍ଶନର ପ୍ରକୃଷ୍ଟ ସମୟ । ବିଜେଡ଼ି ସୁପ୍ରିମୋ ନିଜର ବିଶ୍ୱସ୍ତ ପ୍ରଶାସକ ଓ ଯୁବ ନେତୃତ୍ୱ ଉପରେ ଭରସା କରି ଏହି ନିର୍ବାଚନ ଲଢିଲେ । ଆଶା କରିଥିଲେ, ଫଳାଫଳ ସନ୍ତୋଷଜନକ ହେବ । କିନ୍ତୁ, ଗ୍ରାମାଂଚଳ ଭୋଟରେ ବିଜେପିର ଆଶାତୀତ ସଫଳତା ନବୀନଙ୍କ ପାଇଁ ଭାବମୂର୍ତୀ ସଂକଟ ସଅ୍େଟି କଲା । ବିଜେଡ଼ି ଭିତରେ ଆଭ୍ୟନ୍ତରୀଣ କନ୍ଦଳ ଏତେ ବଢି ଗଲା ଯେ ବରିଷ୍ଠ ନେତାମାନେ ପରସ୍ପରକୁ ଆକ୍ଷେପ କରିବାକୁ ରାସ୍ତାକୁ ଓହ୍ଲାଇ ଆସିଲେ । ପଂଚାୟତ ଫଳାଫଳକୁ ନେଇ ଉତ୍ସାହିତ ବିଜେପି ଭୁବନେଶ୍ୱର ଠାରେ ଦଳର ଜାତୀୟ କାର୍ଯ୍ୟକାରିଣୀ ଆୟୋଜନ କରି ପ୍ରଦାନମନ୍ତ୍ରୀଙ୍କ ଠାରୁ ଆରମ୍ଭ କରି ସଂପୂର୍ଣ କେନ୍ଦ୍ର କ୍ୟାବିନେଟ୍ ଓ ବିଜେପି ଶାସିତ ରାଜ୍ୟ ମୁଖ୍ୟମନ୍ତ୍ରୀମାନଙ୍କୁ ଆଣି ଏଠାରେ ବସାଇବା ଏବଂ ୨୦୧୯ରେ ଓଡ଼ିଶା ଦଖଲ ପାଇଁ ଦୃଢୋକ୍ତି ପ୍ରକାଶ କରିବା ନବୀନଙ୍କ ପାଇଁ ଚିନ୍ତାର କାରଣ ହୋଇଛି । ଦଳ ଓ ସଂଗଠନରେ ଏକ ବଡ଼ ଧରଣର ପରିବର୍ତନ କରି ଓଡ଼ିଶାବାସୀଙ୍କ ସମ୍ମୁଖରେ ଉପସ୍ଥାପନ କରା ଗଲେ ହିଁ ରାଜ୍ୟବାସୀ ତାଙ୍କ ଶାସନ ଉପରେ ପୁନଃ ଆସ୍ଥା ପ୍ରକଟ କରିବେ, ଏହି ବିଶ୍ୱାସରେ ମୁଖ୍ୟମନ୍ତ୍ରୀ ତଥା ବିଜେଡ଼ି ସୁପ୍ରିମୋ ଦଳ ଓ ଶାସନ ବ୍ୟବସ୍ଥାର ‘ଓଭର ଅଏଲିଂ’ ପ୍ରକ୍ରିୟା ଆରମ୍ଭ କରିଛନ୍ତି । କ୍ଷମତାରେ ଥିବା ଯୁବ ନେତାଙ୍କୁ ସଂଗଠନ ଦାୟିତ୍ୱ ବୋ ବାହାନାରେ ହଟାଇ ଗୁରୁତ୍ୱପୂର୍ଣ ମନ୍ତ୍ରଣାଳୟ ସବୁର ଦାୟିତ୍ୱ ପୁରୁଖା ନେତାମାନଙ୍କ ଉପରେ ନ୍ୟସ୍ତ କରିଛନ୍ତି । ଏହି ‘ଓଭର ଅଏଲିଂ’ ଦଳର କିଛି ଚତୁର ଓ ପୁରୁଖା ନେତାଙ୍କୁ ସନ୍ତୁଷ୍ଟ କରିଥିଲେ ବି ମୋଟାମୋଟି ଭାବେ ନବୀନଙ୍କ ପାଇଁ ଆଉ ଏକ ସଂକଟ ଡ଼ାକି ଆଣିଛି । ମନ୍ତ୍ରୀ ପଦ ହରାଇ ଥିବା ଯୁବ ନେତାଙ୍କ ସମେତ ମନ୍ତ୍ରୀ ପଦ ପାଇ ନଥିବା ବହୁ ବରିଷ୍ଠ ନେତାଙ୍କ ମଧ୍ୟରେ ଅସନ୍ତୋଷର ବୀଜ ବୁଣିଛି । ଯାହାକି, ଅଗାମୀ ଦିନରେ ଦଳ ଓ ସରକାରଙ୍କୁ ଦୋହଲାଇ ଦେବାର ଆଶଙ୍କା ସୃଷ୍ଟି କରିଛି ।
ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଗତ ରବିବାର (୭ତାରିଖ) ପୂର୍ବାହ୍ନରେ ତାଙ୍କ ନୂଆ ଟିମ୍ର ଶପଥ ପାଠ ବ୍ୟବସ୍ଥା କରିଥିବା ବେଳେ ରାଜଭବନରେ ମନ୍ତ୍ରୀ ପଦ ହରାଇ ଥିବା ଯୁବ ନେତା ଓ ସେମାନଙ୍କ ସମର୍ଥକମାନଙ୍କ ଅନୁପସ୍ଥିତି ଦଳରେ ଆଉ ଏକ ବିଦ୍ରୋହର ସୂତ୍ରପାତ ହୋଇ ଥିବା ସ୍ପଷ୍ଟ କରି ଦେଇଛି । ଏହି ଯୁବ ନେତାମାନେ ସ୍ୱଇଚ୍ଛାରେ ମନ୍ତ୍ରୀ ପଦ ତ୍ୟାଗ କରି ଦଳର ସାଂଗଠନିକ ଦାୟିତ୍ୱ ନେଇ ଥିବା ମୁଖ୍ୟମନ୍ତ୍ରୀ ଘୋଷଣା କରିଥିଲେ ମଧ୍ୟ ବାସ୍ତବରେ ସେମାନେ ବାଧ୍ୟବାଧକତାରେ ଏହି ପଦକ୍ଷେପ ନେଇଥିବା ସଂକେତ ଦେଇଛନ୍ତି । ଅମର ଶତପଥୀ, ରାସେଶ୍ୱରୀ ଦେବୀ, ପଦ୍ମନାଭ ବେହେରାଙ୍କ ଭଳି ପୁରୁଖା ନେତାମାନେ ମନ୍ତ୍ରୀ ପଦ ପାଇ ନଥିବାରୁ ଖୋଲା ଖୋଲି ନିଜର ଅସନ୍ତୋଷ ବ୍ୟକ୍ତ କରିଛନ୍ତି । ନିର୍ବାଚନ ପାଇଁ ମାତ୍ର ଦୁଇ ବର୍ଷ ସମୟ ଥିବା ବେଳେ ଏଭଳି ଅସନ୍ତୋଷ ଦଳକୁ କେଉଁ ଆଡକୁ ନେବ, ତାହା ଏବେ ପ୍ରଶ୍ନବାଚୀ ହୋଇଛି । ମନ୍ତ୍ରୀ ପଦ ହରାଇ ଦଳର ସାଂଗଠନିକ ଦାୟିତ୍ୱ ନେଇ ଥିବା ବିଦାୟୀ ଯୁବ ମନ୍ତ୍ରୀମାନେ ନିଜ ନିଜ ଅଂଚଳରେ କର୍ମୀମାନଙ୍କୁ କିଭଳି ସମ୍ମ୍ୁଖୀନ ହେବେ ଏବଂ ହାତରୁ କ୍ଷମତା ଚାଲି ଯାଇ ଥିବାରୁ ତଳସ୍ତରର କର୍ମୀମାନଙ୍କ କେମିତି ସମ୍ଭାଳିବେ, ତାହା ଆଗାମୀ ଦିନରେ ଜଣାପଡ଼ିବ । କାରଣ, କ୍ଷମତା ରାଜନୀତିରେ ଥରେ ହାତରୁ କ୍ଷମତା ଖସିଲେ କର୍ମୀମାନେ ଆଉ ଗୁରୁତ୍ୱ ଦିଅନ୍ତି ନାହିଁ, ଏକଥା ସେମାନେ ଜାଣନ୍ତି । ଗାଡ଼ିରୁ ନାଲିବତୀ ହଟିବା ସେମାନଙ୍କ ପାଇଁ ପ୍ରଥମ ବିପଦ ଥିଲା । ଏବେ, ମନ୍ତ୍ରୀ ପଦ ଚାଲି ଯିବା ଆଉ ଏକ ଝଟକା ହୋଇଛି । ତେବେ, ତିନି ବର୍ଷ ଶୁଖିଲାରେ ରହିବା ପରେ ମନ୍ତ୍ରୀ ପଦ ପାଇ କ୍ଷମତାକୁ ଫେରିଥିବା ନେତାମାନେ ବେଶ୍ ଖୁସୀ । ସମର୍ଥକଙ୍କ ଗହଣରେ ସେମାନେ ଉତ୍ସବ ମନାଉଛନ୍ତି । ତିନି ବର୍ଷ ହେଲା ସେମାନଙ୍କ ଦରବାର ଫାଙ୍କା ପଡ଼ି ଥିଲା । ହଠାତ୍ ଦରବାରରେ କୋଳାହଳ ବଢିଛି । ଦୁଇ ବର୍ଷ ଭିତରେ ରାଜ୍ୟବାସୀ ବା ଦଳ ପାଇଁ କଣ କରିବେ ଭିନ୍ନ କଥା, ନିଜ ସ୍ଥିତିକୁ ଅନ୍ତତଃ ସୁରକ୍ଷିତ ରଖିବାର ସୁଯୋଗ ପାଇ ତିବାରୁ ସେମାନେ ନବୀନଙ୍କ ନିକଟରେ କୃତଜ୍ଞ ।
ବିଜେଡ଼ି ସରକାରଙ୍କ ୧୭ ବର୍ଷର ଶାସନରେ ନବୀନଙ୍କ ବ୍ୟକ୍ତିତ୍ୱକୁ ଭୋଟର ମହଲରେ କୌଣସି ଅସୂୟା ନାହିଁ । ସେ ଓଡ଼ିଆ ଭାଷା ବ୍ୟବହାର କରିପାରୁ ନଥିବାରୁ ବିରୋଧୀମାନେ ସମାଲୋଚନା କରୁଛନ୍ତି ସିନା ବାସ୍ତବରେ ସେଭଳି ବଡ଼ ସଂକଟ କିଛି ଉପୁଜି ନାହିଁ । ତେବେ, ଦୀର୍ଘ ବର୍ଷ ଧରି ରାଜ୍ୟରେ ଗୋଟିଏ ଦଳର ସରକାର ଶାସନ କରିବା ଦ୍ୱାରା ନକାରାତ୍ମକ ବାତାବରଣ ସୃଷ୍ଟି ହେବା ସ୍ୱାଭାବିକ । ଓଡ଼ିଶାରେ କଂଗ୍ରେସର ଦୟନୀୟ ସ୍ଥିତି ଯୋଗୁ ନବୀନଙ୍କ ନେତୃତ୍ୱାଧୀନ ବିଜେଡ଼ି ଏକମାତ୍ର ବିକଳ୍ପ ଭାବେ ୧୭ ବର୍ଷ ହେଲା ନିରଙ୍କୁଶ ଶାସନ କରି ଆସିଛି । ହଠାତ୍ ତିନି ନମ୍ବର ଦଳ ଥିବା ବିଜେପି ଦ୍ୱିତୀୟ ସ୍ଥାନକୁ ଯିବା ଏବଂ ବିଜେଡ଼ିକୁ କ୍ଷମତାରୁ ହଟାଇବାର ସୁଚିନ୍ତିତ ଯୋଜନା ପ୍ରସ୍ତୁତ କରିବା ନେଇ ଶାସକ ବିଜେଡ଼ି ବିଚଳିତ ହେବା ସ୍ୱାଭାବିକ । ୨୦୧୭ ଓଡ଼ିଶା ପଂଚାୟତ ନିର୍ବାଚନ ଫଳାଫଳ ବିଜେଡ଼ିକୁ ସତର୍କ କରିଛି । ଏହାଛଡ଼ା, ୟୁପି ବିଧାନସଭା ନିର୍ବାଚନ ଏବଂ ଦିଲ୍ଲୀ ଏମସିଡ଼ି ନିର୍ବାଚନରେ ‘ମୋଦୀ ଲହର’ର ପ୍ରଭାବ ବିଜେଡ଼ିକୁ କୌଶଳ ପରିବର୍ତନ ପାଇଁ ବାଧ୍ୟ କରିଛି । ବିଜେପି ପ୍ରତି ଜନସମର୍ଥନ ବୃଦ୍ଧି ପାଉଥିବାର ସଂକେତ ବିଜେଡ଼ିକୁ ବିଚଳିତ କରିବା ସ୍ୱାଭାବିକ । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଓ ବିଜେପି ଜାତୀୟ ସଭାପତି ଅମିତ ଶାହା ୨୦୧୯ରେ ଓଡ଼ଶା ଦଖଲ ଳକ୍ଷ୍ୟ ନେଇ ଲଗାତର ଓଡ଼ିଶା ଗସ୍ତ କାର୍ଯ୍ୟକ୍ରମ ଚୂଡ଼ାନ୍ତ କରି ଥିବାରୁ ବିଜେପିକୁ ‘ଭବିଷ୍ୟତର ବିପଦ’ ଭାବେ ନବୀନ ଦେଖୁଛନ୍ତି । ଛାନିଆ ଛାନିଆରେ ସେ ରାଜ୍ୟ ମନ୍ତ୍ରୀ ପରିଷଦ ଓ ଦଳୀୟ ସଂଗଠନରେ ଯେଉଁ ଅଦଳବଦଳ କରିଛନ୍ତି, ତାହା ବିଜେଡ଼ିକୁ ପୁନର୍ବାର ‘ଅତ୍ୟନ୍ତ ନିର୍ଭାରଯୋଗ୍ୟ’ ଦଳ ଭାବେ ଜନସାଧାରଣରେ ଉପସ୍ଥାପନ କରବାରେ କେତେଦୂର ସଫଳ ହେବ, ସେ ନେଇ ତଥ୍ୟାଭିଜ୍ଞ ମହଲରେ ସନେ୍ଦହ ରହିଛି । କାରଣ, ନବୀନ ଯେଉଁ ପୁରୁଣା ନେତାଙ୍କୁ ନୂଆ ଟିମ୍ରେ ସ୍ଥାନ ଦେଇଛନ୍ତି, ସେମାନଙ୍କ ସ୍ୱଚ୍ଛତାକୁ ଜନସାଧାରଣ ପୂର୍ବରୁ ପରଖି ସାରିଛନ୍ତି । ସରକାର ନିଜର ଦୁର୍ବଳତା ଘୋଡାଇବା ପାଇଁ ‘ନୂଆ ବେତେଲରେ ପୁରୁଣା ମଦ’ ଢାଲି ନୂଆ ବୋତଲର ଭ୍ରମ ସୃଷ୍ଟି କରୁଛି ବୋଲି ପ୍ରତିକ୍ରୀୟା ପ୍ରକାଶ ପାଉଛି । ଦୁର୍ନୀତି ଓ ଅନୈତିକ କାର୍ଯ୍ୟରେ ସଂପୃକ୍ତ ଥିବା ଅଭିଯୋଗରେ ଅତୀତରେ କିଛି ପୁରୁଖା ନେତା ମନ୍ତ୍ରୀ ପରିଷଦରୁ ତଡା ଖାଇ ଥିଲେ ବା ୨୦୧୪ ନିର୍ବାଚନରେ ବିଜୟୀ ହେବା ସତ୍ୱେ ମନ୍ତ୍ରୀ ପରିଷଦରେ ସ୍ଥାନ ପାଇ ନଥିଲେ । ଏବେ ସେମାନେ ନବୀନଙ୍କ ଆଖିରେ କେମିତି ସ୍ୱଚ୍ଛ ହୋଇ ଗଲେ (!) ବୋଲି ବିଜେପି ପ୍ରଶ୍ନ କରିଛି । ଏହି ନେତାମାନେ ବିଜେଡ଼ିର ଭାବମୂର୍ତୀକୁ ସଜାଡିବା ପରିବର୍ତେ ଅଧିକ ଧୁମିଳ କରି ଦେଇଥିବା ତଥ୍ୟାଭିଜ୍ଞ ମହଲର ମତ । ବିଜେପିର ଏହି ପ୍ରତିକ୍ରୀୟା ‘ରାଜନୀତି ପ୍ରେରିତ’ କହି ବିଜେଡ଼ି ଏହାକୁ ଏଡାଇ ଯାଇ ପାରେ । କିନ୍ତୁ, ରାଜ୍ୟବାସୀ ଏହି ନେତାଙ୍କୁ ଭଲ ଭାବେ ଚିହ୍ନି ଥିବାରୁ କେତେଦୂର ଗ୍ରହଣ କରିବେ, ତାହା ସମୟ କହିବ ।
ରାଜନୈତିକ ପର୍ଯ୍ୟବେକ୍ଷକଙ୍କ ମତରେ, ନବୀନଙ୍କ ନୂଆ ଟିମ୍ ଦଳ ଭିତରୁ ହିଁଁ ଝଡର ସମ୍ମୁଖାନ ହେବାକୁ ଯାଉଛି । ନୂଆ ଟିମ୍ରେ ପଶ୍ଚିମ ଓଡ଼ିଶାର ଉପଯୁକ୍ତ ପ୍ରତିନିଧିତ୍ୱ ନାହିଁ । ମନ୍ତ୍ରୀ ପଦ ଆଶାୟୀ କିଛି ବିଧାୟକ ନେତୃତ୍ୱ ବିରୋଧରେ ଖୋଲାଖୋଲି ବିଦ୍ରୋହ ଘୋଷଣା କରି ଝଡର ସଂକେତ ଦେଇ ସାରିଲେଣିି । ଦକ୍ଷିଣ ଓଡ଼ିଶାର ଗଂଜାମ ଜିଲ୍ଲାରୁ ମୁଖ୍ୟମନ୍ତ୍ରୀଙ୍କ ସମେତ ସର୍ବାଧିକ ଚାରି ଜଣ ମନ୍ତ୍ରୀ ପରିଷଦରେ ସ୍ଥାନ ପାଇ ଥିବା ବେଳେ ଅନ୍ୟ ଜିଲ୍ଲାର ପ୍ରତିନିଧିତ୍ୱ ନାହିଁ । ସବୁ ଗୁରୁତ୍ୱପୂର୍ଣ ବିଭାଗ ଉପକୂଳ ଜିଲ୍ଲା ମନ୍ତ୍ରୀମାନଙ୍କ ହାତରେ ରହିଛି । ରାଜ୍ୟରେ ଆଦିବାସୀଙ୍କ ଜନସଂଖ୍ୟା ତୁଳନାରେ ମନ୍ତ୍ରୀ ପରିଷଦରେ ସେମାନଙ୍କୁ ପ୍ରତିନିଧିତ୍ୱ ମିଳି ନାହିଁ । ପୂର୍ବ ମନ୍ତ୍ରୀ ପରିଷଦରେ ରାଜ୍ୟର ୧୮ ଜିଲ୍ଲାର ପ୍ରତିନିଧିତ୍ୱ ଥିବା ବେଳେ ନବଗଠିତ ମନ୍ତ୍ରୀ ପରିଷଦରେ ତାହା ୧୨ଟି ଜିଲ୍ଲାରେ ସୀମିତ ରହିଛି । ଗତ ପଂଚାୟତ ନିର୍ବାଚନରେ ବିଜେପି ପଶ୍ଚିମ ଓଡ଼ିଶାରେ ଭଲ ଫଳାଫଳ କରିଥିବା ଜାଣି ମଧ୍ୟ ବିଜେଡ଼ି ସୁପ୍ରିମୋ ମନ୍ତ୍ରୀ ପରିଷଦରେ ୧୦ଟି ଜିଲ୍ଲାରୁ ମାତ୍ର ୨ଟି ଜିଲ୍ଲାକୁ ପ୍ରତିନିଧିତ୍ୱ ଦେଇ ଥିବା ଦଳ ପାଇଁ ଘାତକ ସିଦ୍ଧ ହୋଇପାରେ ବୋଲି ଆଶଙ୍କା କରାଯାଉଛି । ନବୀନଙ୍କ ଏହି ନୂଆ ଟିମ୍ କେତେଦୂର ଅମଲାତନ୍ତ୍ରୀଙ୍କ ପ୍ରଭାବରୁ ମୁକ୍ତ ହୋଇ କାମ କରିପାରିବେ,ସେ ନେଇ ମଧ୍ୟ ସନେ୍ଦହ ପ୍ରକାଶ ପାଉଛି । ନୂଆ ଟିମ୍ ଦଳ ପାଇଁ ଉତ୍ସାହ ସୃଷ୍ଟିକାରୀ ହେବ ନା ଥିବା ଉତ୍ସାହକୁ ନଷ୍ଟ କରିଦେବ, ତାହା ଏବେଠାରୁ କହିବା ସମ୍ଭବ ନୁହେଁ ।
ରାଜ୍ୟରେ ଶାସକ ଦଳ ଏଭଳି ଏକ ସଂକଟ ଦେଇ ଗତି କରୁଥିବା ବେଳେ ମୁଖ୍ୟ ବିରୋଧୀ ଦଳ ଭୂମିକାରେ ଥିବା କଂଗ୍ରେସର ଅବସ୍ଥା ତା’ଠାରୁ ଅଧିକ ଶୋଚନୀୟ । ମହାନଦୀ ପ୍ରସଂଗରେ ଦଳରେ ଯେଉଁ ଫାଟ ଦେଖା ଦେଇଥିଲା ତାହାର ପ୍ରତିଫଳନ ପଂଚାୟତ ନିର୍ବାଚନରେ ଦେଖିବାକୁ ମିଳି ଥିଲା । ଗ୍ରାମାଂଚଳ ଭୋଟରଙ୍କ ଶକ୍ତ ଧକ୍କାରେ ଦଳ ମୁହଁ କଚାଡ଼ି ପଡିବା ପରେ ବି ନେତା ସଚେତନ ହୋଇ ନାହାନ୍ତି । ଏବେ ନେତୃତ୍ୱ ପରିବର୍ତନ ପାଇଁ ଦିଲ୍ଲୀ ଦରବାରରେ ହାଜିରା ଚାଲିଛି । କିନ୍ତୁ, ଦଳର ଜଣକୁ ସେନାପତି ଭାବେ ଉପସ୍ଥାପନ କରାଯାଇ ପାରୁ ନାହିଁ । ବର୍ଷ ବର୍ଷ ଧରି ଓଡ଼ିଶାରେ କଂଗ୍ରେସକୁ ନିଜ କବ୍ଜାରେ ରଖି ଥିବା ଗୋଟିଏ ଗୋଷ୍ଠୀ ସୋନିଆ ଓ ରାହୁଲଙ୍କ ଦ୍ୱାରା ପ୍ରତ୍ୟାଖାତ ହେବା ପରେ ‘ଅସ୍ଥିରତା ସୃଷ୍ଟି’ ରାଜନୀତି କରି ଆସୁଥିଲେ । ୨୦୧୭ ପଂଚାୟତ ନିର୍ବାଚନରେ କଂଗ୍ରେସର ବିପର୍ଯ୍ୟୟ ସେମାନଙ୍କ ପାଇଁ ନୂତନ ସୁଯୋଗ ସୃଷ୍ଟି କରିଛି । ପୁନର୍ବାର ସେମାନେ ଦଳର ନେତୃତ୍ୱ ନେବାକୁ ଦାବିଦାର ହୋଇଛନ୍ତି । ପଂଚାୟତ ନିର୍ବାଚନରେ ରାଜ୍ୟରେ ବିଜେପି ଭଲ ଫଳାଫଳ କରିବାରେ ଏହି ଗୋଷ୍ଠୀର ହାତ ଥିବା ସନେ୍ଦହ କରାଯାଉଥିଲା । ପ୍ରଦୀପ ମାଝୀଙ୍କ ଭଳି କିଛି ଯୁବ ନେତା ଖୋଲାଖୋଲି ସ୍ୱୀକାର କରିଥିଲେ ଯେ, କଛିି ଅଂଚଳରେ ବିଜେଡ଼ିକୁ ରୋକିବା ପାଇଁ ବିଜେପି ସହ ସାଲିସ କରାଯାଇ ଥିଲା । ବିଳମ୍ବରେ ହେଲେ ବି ଓଡ଼ିଶା ଭଳି ରାଜ୍ୟରେ ଦଳର ସଂଗଠନ ଦିନକୁ ଦିନ ଦୁର୍ବଳ ହୋଇ ପଡ଼ୁ ଥିବାରୁ ନେଇ କଂଗ୍ରେସ ଚିନ୍ତା ବ୍ୟକ୍ତ କରିଛି । ଦଳର ଉପ ସଭାପତି ରାହୁଲ ଗାନ୍ଧି ଏହାର କାରଣ ଖୋଜିବା ପ୍ରକ୍ରିୟା ଆରମ୍ଭ କରିଛନ୍ତି । ନୂଆଦିଲ୍ଲୀ ସ୍ଥିତ ତାଙ୍କ ବାସ ଭବନରେ ରାଜ୍ୟ ନେତାଙ୍କ ସହ ତୁହାକୁ ତୁହା ବୈଠକ ଓ ମାନସ ମନ୍ଥନ ଚାଲିଛି । ରାଜ୍ୟ କଂଗ୍ରେସ ନେତୃତ୍ୱ ପରିବର୍ତନ ମୁଖ୍ୟ ପ୍ରସଂଗ ହୋଇଛି । ନୂଆ ନେତା କିଏ ହେବ ? ପୂର୍ବ ପିସିସି ସଭାପତି ନିରଂଜନ ପଟ୍ଟନାୟକ, କଂଗ୍ରେସ ଯୁବ ନେତା ପ୍ରଦୀପ ମାଝୀ, ପୂର୍ବତନ କେନ୍ଦ୍ର ମନ୍ତ୍ରୀ ଭକ୍ତ ଦାସ ନା ଆଉ କିଏ (?) – ତାହା ସ୍ପଷ୍ଟ ହୋଇ ନାହିଁ । ପ୍ରଦୀପ ମାଝୀ ଦଳର ନେତୃତ୍ୱ ନେବାକୁ ନିଜର ଅକ୍ଷମତା ପ୍ରକାଶ କରିବା ସହ ଅର୍ଥ ଓ ପ୍ରତିପତ୍ତି ଥିବା ଜଣେ ନେତା ମଙ୍ଗୁଆଳ ହେବା ଉଚିତ ବୋଲି କହିଛନ୍ତି । ସଭାପତି ପଦ ପାଇଁ ଅର୍ଥ ଓ ପ୍ରତିପତ୍ତି ଆଧାର ହେଲେ ନିରଂଜନଙ୍କ ପଲ୍ଲା ଭାରି ଥିବା କୁହାଯାଇ ପାରେ । ତେବେ, ଦଳରେ ଥିବା ତାଙ୍କ ବିରୋଧୀମାନେ ମଧ୍ୟ କିଛି କମ୍ ନୁହନ୍ତି । ବର୍ତମାନର ପିସିସି ସଭାପତି ପ୍ରସାଦ ହରିଚନ୍ଦନଙ୍କ ଗୋଷ୍ଠୀ ପଂଚାୟତ ନିର୍ବାଚନରେ ବିଫଳତା ପାଇଁ ନିଜକୁ ଦାୟୀ କରି ସଂପୂର୍ଣ ନୀରବତା ଅବଲମ୍ବନ କରୁଛନ୍ତି । ଏଆଇସିସିର ଫତୁଆ ସେମାନେ ମାନି ନେବେ ବୋଲି ସଂକେତ ଦେଉଛନ୍ତି । କାରଣ, ଓଡ଼ିଶାରେ କଂଗ୍ରେସ ନେତୃତ୍ୱ ଯାହା ହାତକୁ ଯାଉ ନା କାହିଁକି, କଂକଡାଙ୍କ ଭିଡ ଯୋଗୁ ଦଳ ଉଧେଇବ ନାହିଁ । ଏକଥା ସେମାନେ ଭଲ ଭାବେ ଜାଣନ୍ତି । ତେଣୁ ,ନୀରବ ରହିବାକୁ ଉଚିତ ମନେ କରୁଛନ୍ତି ବୋଲି ପ୍ରସାଦଙ୍କ ଜଣେ ଦୃଢ ସମର୍ଥକ ମତବ୍ୟକ୍ତ କରିଛନ୍ତି ।
LETTER FROM THE EDITOR: A SPECIAL THANKS TO OUR READERS
LETTER FROM THE EDITOR: A SPECIAL THANKS TO OUR READERS