କରୋନା ଡ଼ାଏରୀ (୨୫)… ପରୀ ଏବେ ପରିଚିତ ଝିଅଟିଏ…
ପ୍ରସାଦ ରାଓ
୦୭ ଡ଼ିସେମ୍ବର
ନୟାଗଡ଼ ଜିଲ୍ଲା ଯଦୁପୁର ଗ୍ରାମର ପାଂଚ ବର୍ଷର ଝିଅ ପରୀର ନାମ ଏବେ ସମଗ୍ର ଦେଶରେ ପରିଚିତ । ମୃତ୍ୟୁ ପୂର୍ବରୁ ତା’ର ସେଭଳି କିଛି ସ୍ୱତନ୍ତ୍ର ପରିଚିତି ନଥିଲା । ଅନ୍ୟମାନଙ୍କ ଭଳି ସେ ମଧ୍ୟ ମା’ଙ୍କ ଛତ୍ରଛାୟା ତଳେ ସ୍ୱଚ୍ଛନ୍ଦରେ ଘୁରି ବୁଲୁ ଥିଲା । ଗାଁ ଦାଣ୍ଡରେ ଧୁଳି ଧୂଷର ହୋଇ ଖେଳୁଥିଲା ଏବଂ ବାପା, ମା’ଙ୍କ ନୟନ ପିତୁଳା ଥିଲା । ବର୍ବରତାର ଶିକାର ହୋଇ ଆଜି ସେ ଆର ପାରିରେ । ବାପା, ମା’ ଝୁରି ଝୁରି କଂଟା ହେଲେଣି । ରାଜନେତାମାନେ ପରୀ ପରିବାରକୁ ନ୍ୟାୟ ଦିଆଯିବା ଦାବିରେ ରାଜନୀତିର ରୁଟି ସେକୁଛନ୍ତି । ପରୀର ବାପା, ମା’ ଏହି ଖେଳରେ କେବଳ ମୋହରା ହୋଇ ଆଶା ବାନ୍ଧିଛନ୍ତି ସେମାନଙ୍କୁ ନ୍ୟାୟ ମିଳିବ ବୋଲି । ତେବେ, ପାଂଚ ମାସ ହେଲା ପରୀ ହତ୍ୟାକାରୀକୁ ଠାବ କରିପାରୁନି ଜିଲ୍ଲାର ପୁଲିସ ପ୍ରଶାସନ । ଏବେ ରାଜ୍ୟ ପୁଲିସ ପ୍ରଶାସନର ପାଳି । ପରୀ ହତ୍ୟାକାରୀକୁ ଠାବ କରିବା ପାଇଁ ରାଜ୍ୟ ସରକାରଙ୍କ ସ୍ୱତନ୍ତ୍ର ତଦନ୍ତକାରୀ ଦଳ (ଏସଆଇଟି) କାମ କରୁଛନ୍ତି । ଦୁଇ ସପ୍ତାହ ମଧ୍ୟରେ ରହସ୍ୟ ଖୋଲି ଯିବ ବୋଲି ଏସଆଇଟି ମୁଖ୍ୟ ଆଇପିଏସ୍ ଅରୁଣ ବୋଥ୍ରା ପ୍ରତିଶ୍ରୁତି ଦେଇଛନ୍ତି । ନୟାଗଡ଼ ପୁଲିସ ଯଦି ଠିକ୍ ଭାବେ କାମ କରିଥା’ନ୍ତା ତେବେ ପରୀ କେବେ ଠାରୁ ନ୍ୟାୟ ପାଇ ସାରନ୍ତାଣି । କିନ୍ତୁ, ତାହା ହୋଇ ନାହିଁ । ଆଜିର ପ୍ରଶାସନିକ ବ୍ୟବସ୍ଥାରେ ନ୍ୟାୟ ମିଳିବା ଯେ ଏତେ ସହଜ ନୁହେଁ, ତାହା ପ୍ରତ୍ୟେକ ଓଡ଼ିଆଙ୍କ ହୃଦବୋଧ ହେଲାଣି । ତଥାପି, ସେମାନେ ବିଶ୍ୱାସ ରଖିଛନ୍ତି ସରକାରୀ ତଦନ୍ତ ଓ ନ୍ୟାୟାଳୟର ନୀରପେକ୍ଷତା ପ୍ରତି ।
ନିକଟରେ ଏକ ୱେବ୍ ପୃଷ୍ଠାରେ ପ୍ରକାଶିତ ଲେଖାଟି ମୋ ନଜରକୁ ଆସିବା ପରେ ପରୀ ପରିବାର ପ୍ରତି ହୋଇଥିବା ବର୍ବରତା ସଂପର୍କରେ ଲେଖିବାକୁ ମନ ବଳାଇଲି । ୱେବ୍ ପୃଷ୍ଠାରେ ପ୍ରକାଶିତ ଲେଖାଟିର ଶୀର୍ଷକ ଥିଲା – ‘ଏବେ ଅରୁଣ ସାହୁ ସେଫ୍’ । ଏଠି ଅରୁଣ ସାହୁ କିଏ (?) ବୋଲି ପଚାରିବାର ଆବଶ୍ୟକତା ନାହିଁ । ନୟାଗଡ଼ ଓ ଅରୁଣ ସାହୁ କହିଲେ ସିଧାସଳଖ ଜଣେ ଜାଣି ଯିବ ରାଜ୍ୟର ବରିଷ୍ଠ ମନ୍ତ୍ରୀ ଡ. ଅରୁଣ ସାହୁଙ୍କ ଉପରେ ହିଁ ଆଲୋଚନା ହେଉଛି । ଯେଉଁ ୱେବ୍ ସାଇଟ୍ ର ବିଦୂଷକ ଏହି ଲେଖାଟି ଲେଖି ଥିଲେ ସେ ସିଧାସଳଖ ତୃତୀୟ ମହଲା ସହ ସଂପୃକ୍ତ ନ ଥିଲେ ମଧ୍ୟ ତୃତୀୟ ମହଲା ପାଇଁ ମୁଖପାତ୍ର ସାଜିଥିବା କିଛି ନେତାଙ୍କ ସହ ସଂପୃକ୍ତ । ତେଣୁ, ଯାହା ପ୍ରକାଶ ପାଇଛି ତାହା ତୃତୀୟ ମହଲାରୁ ହିଁ ତଳକୁ ଆସିଛି, ଏଭଳି ବିଶ୍ୱାସ କରାଯାଇ ପାରେ ।
ଆମେ ଜାଣିବାରେ, ରାଜ୍ୟ ଉଚ୍ଚ ଶିକ୍ଷା ଓ କୃଷି ବିଭାଗ ମନ୍ତ୍ରୀ ଡ.ଅରୁଣ ସାହୁ ଜଣେ ମେଳାପୀ ବ୍ୟକ୍ତି । ନୟାଗଡ଼ ବିଜେଡ଼ି ରାଜନୀତିର ଏକ ମାଇଲ ଖୁଂଟ । ବିଭିନ୍ନ ସମୟରେ ତାଙ୍କ ମନ୍ତବ୍ୟ ଓ କାର୍ଯ୍ୟକଳାପ ରାଜ୍ୟ ରାଜନୀତିରେ ଝଡ ସୃଷ୍ଟି କରିଛି ସତ, କିନ୍ତୁ ଦଳ ମୁଖିଆଙ୍କ ନିକଟରେ ସେ ଏବେ ବି ଧୋବ ଫର ଫର । କେବଳ ନୟାଗଡ଼ ଜିଲ୍ଲା ନୁହେଁ, ରାଜ୍ୟ ରାଜନୀତିରେ ମଧ୍ୟ ତାଙ୍କ ବେଶ୍ ପତିଆରା ରହିଛି । ତେବେ ପରୀ ମାମଲା ତାଙ୍କୁ ଅକଳରେ ପକାଇଛି । ପରୀ ହତ୍ୟାକାଣ୍ଡ ସହ ଅରୁଣଙ୍କ ସିଧାସଳଖ ସଂପୃକ୍ତି ନେଇ ଏପର୍ଯ୍ୟନ୍ତ କିଛି ଠୋସ୍ ପ୍ରମାଣ ମିଳି ନଥିଲେ ମଧ୍ୟ ଯାହାକୁ ହତ୍ୟାକାରୀ ସନ୍ଦେହ କରାଯାଉଛି ସେ ହେଉଛନ୍ତି ମନ୍ତ୍ରୀଙ୍କ ଘନିଷ୍ଟ । ତେଣୁ, ଏହି ହତ୍ୟାକାଣ୍ଡର ତଦନ୍ତରେ ଜିଲ୍ଲାର ପୁଲିସ ଓ ସାଧାରଣ ପ୍ରଶାସନ ଢିଲା କରିଥିବା ବିରୋଧୀ ଅଭିଯୋଗ କରୁଛନ୍ତି । ପାଖାପାଖି ପାଂଚ ମାସ ହେବ ତଦନ୍ତ ଚାଲିଛି କୁହାଯାଉଛି । ତେବେ, ହତ୍ୟାକାରୀ ହାତରେ ଲାଗିନି । ମନ୍ତ୍ରୀ ହତ୍ୟାକାରୀକୁ ଘଂଟ ଘୋଡାଉ ଥିବାରୁ ମାମଲା ଥଣ୍ଡାବାକ୍ସକୁ ଚାଲି ଯାଇଛି ବୋଲି ବିରୋଧୀ ଅଭିଯୋଗ କରି ତାଙ୍କ ଇସ୍ତଫା ଦାବି କରିବା ଫଳରେ ମନ୍ତ୍ରୀ ସାହୁ ଚାପରେ ଅଛନ୍ତି । ନୟାଗଡ଼ ଜିଲ୍ଲା ପୁଲିସ ଓ ପ୍ରଶାସନ ହତ୍ୟାକାରୀକୁ ଧରିବା ପରିବର୍ତ୍ତେ ପରୀର ମାତା, ପିତାଙ୍କୁ ହଇରାଣ ହରକତ କରିଥିବା ଏବଂ ଲକ୍ଷାଧିକ ଟଙ୍କାର ଲୋଭ ଦେଖାଇ ବୁଝାମଣାର ପ୍ରସ୍ତାବ ଦେଇଥିବା ପରୀର ବାପା ଗଣମାଧ୍ୟମ ନିକଟରେ ଅଭିଯୋଗ କରିବା ପରେ ମନ୍ତ୍ରୀଙ୍କ ପାରିବା ପଣ ପଦାରେ ପଡିଛି । ମନ୍ତ୍ରୀ ବିଦା ହେଲେ ଯାଇଁ ପୁଲିସ ଚାପମୁକ୍ତ ହେବ ଏବଂ ତଦନ୍ତ ଆଗକୁ ବଢିବ ବୋଲି ବିରୋଧୀ ଭାବୁଛନ୍ତି।
ପରୀ ହତ୍ୟାକାଣ୍ଡର ମୂଳଦୁଆ ପଡିଥିଲା ୨୦୨୦ ଜୁଲାଇ ୧୪ ତାରିଖରେ । ନୟାଗଡ଼ ସଦର ଯଦୁପୁର ଗ୍ରାମର ଜଣେ ଅଟୋ ଚାଳକ ଅଶୋକ ସାହୁଙ୍କ ଝିଅ ହେଉଛି ଅମ୍ରିତା ସ୍ନେହା ସାହୁ ଓରଫ ପରୀ (୫) । ଅନ୍ୟ ଦିନ ଭଳି ସେ ଦିନ ମଧ୍ୟ ଗାଁ ଦାଣ୍ଡରେ ଖେଳୁ ଥିଲା ପରୀ । ତେବେ, ଖେଳୁଥିବା ଅବସ୍ଥାରେ ନିଖୋଜ ହୋଇଛି । ବାପା ଅଶୋକ ପରୀ ଘରକୁ ନ ଫେରିବାରୁ ନୟାଗଡ଼ ସଦର ଥାନାରେ ଏତଲା ଦେଇଥିଲେ । ପୁଲିସ ଏକ ନିଖୋଜ ମାମଲା କରି ନିରବ ରହି ଥିଲେ । ଜୁଲାଇ ୨୩ ତାରିଖରେ ଏକ ଜରି ବସ୍ତାରେ ଗୁଡା ହୋଇ ଥିବା ଅବସ୍ଥାରେ ପରୀର ଗଳିତ ଶବ ମିଳି ଥିଲା ଗାଁର ଜଣେ ବ୍ୟକ୍ତିଙ୍କ ବାଡି ପଟ ପୋଖରୀ କଡରୁ । ପୁଲିସ ଶବକୁ ଜବତ କରି ‘ପରୀ ନିଖୋଜ’ ମାମଲାକୁ ହତ୍ୟାକାଣ୍ଡରେ ପରିବର୍ତ୍ତନ କରି ଥିଲେ । ପରୀ ନିଖୋଜ ଘଟଣା ସଂପର୍କରେ ସେହି ସମୟରେ ପ୍ରକାଶିତ ଖବର କାଗଜ ରିପୋର୍ଟରୁ ଯାହା ଜଣାପଡୁଛି ଏହା ଏକ ଦୁର୍ଘଟଣା ଥିଲା । ପରୀ ଗାଁ ମୁଣ୍ଡରେ ଯେଉଁଠି ଖେଳୁ ଥିଲା ସେଠାରେ ଗୋଟିଏ ଜେସିବି ଥୁଆ ହୋଇଥିଲା । ଡ୍ରାଇଭର ଜଣକ ଜେସିବିକୁ ସାଇଡ୍ କରିଥିବା କୁହାଯାଉଛି । ତେବେ, ତାହା ପରଠାରୁ ପରୀର କୌଣସି ଖୋଜ ଖବର ମିଳି ନାହିଁ । ସେଥିରୁ ଅନୁମାନ କରି ହେବ ଯେ ଜେସିବି ଚାଳକ ଗାଡିକୁ ସାଇଡ୍ କରିବା ସମୟରେ କିଛି ଗୋଟାଏ ଦୁର୍ଘଟଣା ଘଟିଛି, ଯାହାକୁ ଚପାଇ ଦେବା ପାଇଁ ପରବର୍ତ୍ତୀ ସମୟରେ ଉଦ୍ୟମ ହୋଇଚି । ଯେହେତୁ ଜେସିବି ମାଲିକ ହେଉଛନ୍ତି ମନ୍ତ୍ରୀ ଅରୁଣ ସାହୁଙ୍କ ଅତି ଘନିଷ୍ଟ, ଘଟଣାଟି ରାଜନୈତିକ ମୋଡ ନେଇଛି ।
ନୟାଗଡ଼ ପୁଲିସ ରାଜନୀତିକୁ ପ୍ରଶ୍ରୟ ନ ଦେଇ ତୁରନ୍ତ ଯଦି ଘଟଣାର ତଦନ୍ତ କରିଥା’ନ୍ତେ ତେବେ ଆଜି ଏହି ହତ୍ୟା ଘଟଣା ରାଜ୍ୟ ରାଜନୀତିକୁ ଲଗାମଛଡା କରି ନ ଥା’ନ୍ତା ଏବଂ ପରୀ ପରିବାର ବାସ୍ତବତାକୁ ଗ୍ରହଣ କରି ନେଇ ଥା’ନ୍ତେ । ତାହା ହୋଇ ନ ଥିବାରୁ ପରୀ ହତ୍ୟା ମାମଲା ବିଧାନସଭାକୁ ଟଳମଳ କରିବା ସହ ମନ୍ତ୍ରୀ ଅରୁଣ ସାହଙ୍କ ମୁଣ୍ଡରେ ଡ଼େମୋକ୍ଲିସଙ୍କ ଖଣ୍ଡା ହୋଇ ଝୁଲିଛି । ଜେସିବି ମାଲିକ ବାବୁଲା ନାୟକ ଅଂଚଳର ଜଣେ ପ୍ରଭାବଶାଳୀ ଶାସକ ଦଳ ନେତା । ମନ୍ତ୍ରୀଙ୍କ ସହ ତାଙ୍କ ଘନିଷ୍ଟତା ବୋଧହୁଏ ଜିଲ୍ଲାର ସାଧାରଣ ଓ ପୁଲିସ ପ୍ରଶାସନକୁ ତଦନ୍ତ ଚାପିବାକୁ ବାଧ୍ୟ କରିଥିଲା । ମନ୍ତ୍ରୀଙ୍କୁ ଖୁସି ରଖିବା ପାଇଁ ପୁଲିସ ତଦନ୍ତକୁ ଢିଲା କରିଥିଲେ । ପ୍ଲାଷ୍ଟିକ ଜରିରେ ଗୁଡା ଅବସ୍ଥାରେ ମିଳି ଥିବା ପରୀର ଗଳିତ ଶବ ଚିହ୍ନଟ କରିବା ଅବସ୍ଥାରେ ନ ଥିଲା । ତେଣୁ, ଜରିରୁ ମିଳି ଥିବା ହାଡର ଡ଼ିଏନଏ ପରୀକ୍ଷା ହୋଇଥିଲା । ତାହା ପରୀର ବୋଲି ଜାଣିବା ପରେ ପୁଲିସ ତାଙ୍କ ପରିବାରକୁ ସେହି ସୂଚନା ଦେଇଥିଲେ । ହତ୍ୟା ମାମଲା ପରେ ପୁଲିସ ଜେସିବି ମାଲିକ ବାବୁଲା ନାୟକ ଓ ଡ୍ରାଇଭର ବିରୋଧରେ ତ୍ୱରିତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଥିଲେ ଏହା ଏକ ଦୁର୍ଘଟଣା ବୋଲି ପ୍ରମାରିତ ହୋଇଥା’ନ୍ତା । କିନ୍ତୁ, ମାମଲାକୁ ଚପାଇ ଦେବାକୁ ଯେଉଁ ଉଦ୍ୟମ ହେଲା ଓ ପରୀର ବାପା, ମା’ଙ୍କୁ ଯେଭଳି ଧମକ ଚମକ ଦିଆଗଲା, ତାହା ପୁଲିସ ଓ ପ୍ରଶାସନର ଅନ୍ଧ ପ୍ରୀତିକୁ ସାମନାକୁ ଆଣିଛି । ଏପରିକି, ମାମଲା ରଫାଦଫା କରିବାକୁ ପୁଲିସ ଓ ପ୍ରଶାସନ ପରୀ ପରିବାରକୁ ୫ ଲକ୍ଷ ଟଙ୍କା ଯାଚି ଥିବା ପରୀର ବାପା ଗଣମାଧ୍ୟମ ନିକଟରେ ଅଭିଯୋଗ କରିଛନ୍ତି ।
ଅପରପକ୍ଷରେ, ନୟାଗଡ଼ ଜିଲ୍ଲା ପୁଲିସ ଓ ପ୍ରଶାସନ ପରୀ ବାପା, ମା’ଙ୍କୁ ପାଲଟା ମାମଲାରେ ଛନ୍ଦିବାକୁ ସନ୍ଦିଗ୍ଧଙ୍କୁ ସୁଯୋଗ ଦେଇଥିବା ଏବଂ ବାବୁଲା ନାୟକଙ୍କ ଏତଲା ଭିତ୍ତିରେ ସେମାନଙ୍କୁ ରାତି ଅଧିଆ ଉଠାଇ ନେଇ ମାନସିକ ନିର୍ଯ୍ୟାତନା ଦେଇଥିବା ଅଭିଯୋଗ ପୁଲିସ ଓ ପ୍ରଶାସନ ପାଇଁ ମହଙ୍ଗା ସାବ୍ୟସ୍ତ ହୋଇଛି । ପୁଲିସ ଭୟରେ ସେମାନେ ଗାଁ ଛାଡି ପରୀର ମାମୁଁ ଘରେ ଆଶ୍ରୟ ନେଇଥିଲେ ମଧ୍ୟ ନିସ୍ତାର ପାଇ ନ ଥିଲେ । ସେଠି ମଧ୍ୟ ସେମାନଙ୍କ ସ୍ୱର ଚପାଇ ଦେବାର ଉଦ୍ୟମ ହୋଇଥିଲା । ରାଜ୍ୟ ବିଧାନସଭାର ଶୀତ ଅଧିବେସନ ଚାଲି ଥିବା ବେଳେ ପରୀର ବାପା, ମା’ ପରୀ ପାଇଁ ନ୍ୟାୟ ମାଗିବାକୁ ଯାଇ ନଭେମ୍ବର ୨୪ ତାରିଖ ଦିନ ବିଧାନସଭା ମୁଖ୍ୟ ଫାଟକ ସାମନାରେ ଦେହରେ କିରାସିନି ଢାଳି ଆତ୍ମାହୁତି ଉଦ୍ୟମ କରିବାରୁ ଏହି ମାମଲାର ଗୁରୁତ୍ୱକୁ ସରକାରଓ ଜନସାଧାରଣ ବୁଝିଛନ୍ତି । ସେଦିନ ଠିକ୍ ସମୟରେ ପୁଲିସ କାର୍ଯ୍ୟାନୁଷ୍ଠାନ ହୋଇ ନ ଥିଲେ ସରକାରଙ୍କ ଅଡୁଆ ଆହୁରି ବଢି ଥା’ନ୍ତା ।
ଏହି ଆତ୍ମାହୁତି ଉଦ୍ୟମ ପରେ ବିଧାନସଭାରେ ବିରୋଧୀ ସରକାରଙ୍କୁ ଘେରିଲେ । ପରୀ ମାମଲାରେ ନୟାଗଡ଼ ଜିଲ୍ଲା ପୁଲିସ ଓ ସାଧାରଣ ପ୍ରଶାସନର ସନ୍ଦିଗ୍ଧ ଆଚରଣ ପାଇଁ ଉଭୟ କଂଗ୍ରେସ ଓ ମୁଖ୍ୟ ବିରୋଧୀ ଦଳ ବିଜେପି ଜିଲ୍ଲଶର ବିଧାୟକ ତଥା ମନ୍ତ୍ରୀ ଡ.ସାହୁଙ୍କ ଇସ୍ତଫା ଦାବି କରିଥିଲେ ଓ ଘଟଣାର ଉଚ୍ଚସ୍ତରୀୟ ତଦନ୍ତ ପାଇଁ ସରକାରଙ୍କ ଉପରେ ଚାପ ସୃଷ୍ଟି କରିଥିଲେ । କଂଗ୍ରେସ ବିଧାୟକ ଦଳ ପକ୍ଷରୁ ପରୀ ମାମଲାର ଏସଆଇଟି ତଦନ୍ତ ଦାବି ହୋଇଥିବା ବେଳେ ବିଜେପି ବିଧାୟକ ଦଳ ପକ୍ଷରୁ ସିବିଆଇ ତଦନ୍ତ ଦାବି ହେଲା । ବିରୋଧୀଙ୍କ ହଟ୍ଟଗୋଳରେ ଗୃହ ଅଚଳ ହେଲ । ମୁଖ୍ୟମନ୍ତ୍ରୀ ବାଧ୍ୟ ହେଲେ ଘଟଣାର କ୍ରାଇମ୍ ବାଂଚ୍ ତଦନ୍ତ ଘୋଷଣା କରିବା ପାଇଁ । ବିରୋଧୀ ଏଥିରେ ସନ୍ତୁଷ୍ଟ ନ ହେବାରୁ ଆଇପିଏସ୍ ଅରୁଣ ବୋଥ୍ରାଙ୍କ ତତ୍ୱାବଧାନରେ ଏସଆଇଟି ଗଠନ କରାଯାଇ ପରୀ ମାମଲାର ତଦନ୍ତ ଦାୟିତ୍ୱ ଦିଆଯାଇଛି । କଂଗ୍ରେସ ଏସଆଇଟି ତଦନ୍ତ ଘୋଷଣାରେ ସନ୍ତୁଷ୍ଟ । ତେବେ, ବିଜେପି ପରୀ ଇସ୍ୟୁ ହାତଛଡା କରିବାକୁ ଚାହୁଁନି । ମନ୍ତ୍ରୀ ଅରୁଣ ସାହୁଙ୍କ ଇସ୍ତଫା ଏବଂ ସିବିଆଇ ତଦନ୍ତ ଦାବିରେ ଦଳ ରାସ୍ତାରେ ପ୍ରଦର୍ଶନ କରୁଛି । ଉଭୟ ବିଜେପି ଓ କଂଗ୍ରେସ ଜିଲ୍ଲାସ୍ତରରେ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି । ବିଜେପି ମହିଳା ମୋର୍ଚ୍ଚା ପକ୍ଷରୁ ରାଜଧାନୀରେ ଉଚ୍ଚ ଶିକ୍ଷା ମନ୍ତ୍ରୀ ସାହୁଙ୍କ ସରକାରୀ ବାସ ଭବନ ଘେରାଉ ଉଦ୍ୟମ ହୋଇଥିଲା । ରାଜଭବନ ସାମନାରେ ଆଜି ମହିଳା ମୋର୍ଚ୍ଚାର ଧାରଣା ହୋଇଛି ।
ବିଜେପି ମହିଳା ମୋର୍ଚ୍ଚା ଜିଲ୍ଲାସ୍ତରରେ ଆନ୍ଦୋଳନ ଜାରି ରହିଥିବା ବେଳେ ଦଳର ରାଷ୍ଟ୍ରୀୟ ମୁଖପାତ୍ର ସମ୍ବିତ ପାତ୍ର ପରୀ ମାମଲାକୁ ଦିଲ୍ଲୀ ଦରବାରରେ ପହଂଚାଇ ଜାତୀୟ ଇସ୍ୟୁ କରିଛନ୍ତି । ପରୀ ହତ୍ୟାକାଣ୍ଡ ପଛରେ ‘ମାନବ ଅଂଗ ତସ୍କରୀ’ ଥିବା କେତେକ ଅଭିଯୋଗ କରୁଥିବା ବେଳେ ଆଉ କେତେକ ଦୁଷ୍କର୍ମ କଥା ଉଠାଉଛନ୍ତି । ଶାସକ ଦଳ ନେତ୍ରୀ ତଥା ଓଡ଼ିଶା ଶିଶୁ ସୁରକ୍ଷା ସମିତି ଅଧ୍ୟକ୍ଷା ଶ୍ରୀମତୀ ସନ୍ଧ୍ୟାବତୀ ପ୍ରଧାନ ଘଟଣାର ଚାରି ମାସ ପରେ ପ୍ରଥମ ଥର ପାଇଁ ନୟାଗଡ଼ ସଦର ଯଦୁପୁର ଗ୍ରାମକୁ ଯାଇ ପରୀ ପରିବାରକୁ ଭେଟିଛନ୍ତି । ଏହି ହତ୍ୟାକାଣ୍ଡ ପଛରେ ‘ନର ବଳି’ ଆଶଙ୍କା ବ୍ୟକ୍ତ କରି ସେ ମାମଲାକୁ ଅଧିକ ଜଟିଳ କରିଛନ୍ତି । ସରକାରଙ୍କୁ ବଂଚାଇବା ପାଇଁ ସନ୍ଧ୍ୟାବତୀ ବଳି ପ୍ରସଙ୍ଗ ଉଠାଇ ଘଟଣାକୁ ରାଜନୀତିକରଣ କରିଥିବା ବିରୋଧୀ ଅଭିଯୋଗ କଲେଣି । ପରୀ ହତ୍ୟାକାଣ୍ଡକୁ ନେଇ ନାନା ମୁନିଙ୍କ ନାନା ପ୍ରକାର ବ୍ୟାଖ୍ୟା ପ୍ରସଙ୍ଗକୁ ଜଟିଳ କରୁଥିବା ବେଳେ ଓଡ଼ିଶା ହାଇକୋର୍ଟରେ ପରୀକୁ ନ୍ୟାୟ ମିଳିବା ଦାବିରେ ଦୁଇଟି ପିଆଇଏଲ୍ (ଜନସ୍ୱାର୍ଥ ମାମଲା) ଦାଏର ହୋଇଛି । ବ୍ରହ୍ମପୁର ଭିତ୍ତିକ ସାମାଜିକ ସଂଗଠନ ‘ଭାରତ ବିକାଶ ପରିଷଦ’ର ସଭାପତି ସୁରେନ୍ଦ୍ର ପାଣିଗ୍ରାହୀ ପରୀ ମାମଲାର ସିବିଆଇ ତଦନ୍ତ ଓ ପରିବାରକୁ ୨୫ ଲକ୍ଷ ଟଙ୍କା କ୍ଷତିପୂରଣ ଦିଆଯିବାକୁ ପିଆଇଏଲ୍ ରେ ଆବେଦନ କରିଛନ୍ତି । ଦ୍ୱିତୀୟ ପିଆଇଏଲ୍ କଟକ ଭିତ୍ତିକ ଓକିଲ ପଦ୍ମାଳୟା ମହାପାତ୍ରଙ୍କ ଦ୍ୱାରା ଦାଏର ହୋଇଛି ।
ଓଡ଼ିଶା ହାଇକୋର୍ଟ ଦୁଇଟି ଯାକ ପିଆଇଏଲ୍ ବିଚାର ପାଇଁ ଗ୍ରହଣ କରିଛନ୍ତି । ଭାରତ ବିକାଶ ପରିଷଦର ପିଆଇଏଲ୍ ଉପରେ ୧୨ ତାରିଖ ଦିନ ଶୁଣାଣୀ କରି ହାଇକୋର୍ଟ ପରୀ ପରିବାରକୁ ସୁରକ୍ଷା ଯୋଗାଇ ଦେବାକୁ ନୟାଗଡ଼ ଜିଲ୍ଲା ପ୍ରଶାସନ ଓ ପୁଲିସ ଏସପିଙ୍କୁ ଏବଂ ମାମଲାର ତଦନ୍ତରେ ଅଗ୍ରଗତି ସଂପର୍କୀତ ଷ୍ଟାଟସ୍ ରିପୋର୍ଟ ସତ୍ୟପାଠ ମାଧ୍ୟମରେ ୧୬ ତାରିଖ ସୁଦ୍ଧା କୋର୍ଟରେ ଦାଖଲ କରିବାକୁ ରାଜ୍ୟ ସରକାରଙ୍କୁ ନିର୍ଦେଶ ଦେଇଛନ୍ତି । ଓଡ଼ିଶା ହାଇକୋର୍ଟ ମାମଲାରେ ଆଗ୍ରହ ପ୍ରକାଶ କରି ଶୁଣାରୀ ପାଇଁ ରାଜି ହୋଇଥିବା ଜାଣି ମଧ୍ୟ ବିରୋଧୀ ସେମାନଙ୍କ ଆନ୍ଦୋଳନ କାର୍ଯ୍ୟକ୍ରମ ଚାଲୁ ରଖିବା ସମସ୍ତଙ୍କୁ ବିସ୍ମିତ କରିଛି । ମନ୍ତ୍ରୀଙ୍କ ଇସ୍ତଫା ଓ ମାମଲାର ସିବିଆଇ ତଦନ୍ତ ଦାବିରେ ବିଜେପିର ଉଗ୍ର ପ୍ରଦର୍ଶନ ଜାରି ଥିବା ସମୟରେ ସରକାରଙ୍କ ଏସଆଇଟି ତଦନ୍ତ ନିର୍ଦେଶରେ ସନ୍ତୁଷ୍ଟ ଥିବା କଂଗ୍ରେସ ବିଜେପି ରଣନୀତିରେ ପ୍ରଭାବିତ ହୋଇ ତାହାର ପ୍ରତିବାଦ ଖାତା ଖୋଲା ରଖିଛି । ରବିବାର ଓଡ଼ିଶା ଦାୟିତ୍ୱରେ ଥିବା ଏଆଇସିସି ପ୍ରଭାରୀ ଚେଲ୍ଲା କୁମାର ପିସିସି ସଭାପତି ନିରଂଜନ ପଟ୍ଟନାୟକଙ୍କ ସହ ଯଦୁପୁର ଗ୍ରାମକୁ ଯାଇ ପରୀ ପରିବାରକୁ ଭେଟିବା ସହ ଦଳ ସେମାନଙ୍କ ସହିତ ଅଛି ବୋଲି ଆଶ୍ୱସ୍ତ କରିଛି ।
ପରୀ ପ୍ରତି ହୋଇଥିବା ବର୍ବରତା ଓ ତା’ ପରିବାର ପ୍ରତି ହୋଇଥିବା ଅବିଚାର ଆମକୁ ମଧ୍ୟ ବ୍ୟଥିତ କରିଛି । ଆମେ ଚାହୁଁଛୁ ମାମଲାର ତ୍ୱରିତ ଓ ନିରପେକ୍ଷ ତଦନ୍ତ ହୋଇ ପରୀ ହତ୍ୟାକାରୀଙ୍କୁ କଠୋର ଦଣ୍ଡ ମିଳୁ । ତେବେ, ମାମଲାକୁ ଏତେଦୂର ରାଜନୀତିକରଣ କରାଯିବା କେତେଦୂର ଉଚିତ, ତାହା ହେଉଛି ବଡ଼ ପ୍ରଶ୍ନ । ଓଡ଼ିଶା ହାଇକୋର୍ଟଙ୍କ ନିର୍ଦେଶକୁ ଅପେକ୍ଷା ନ କରି ଆନ୍ଦୋଳନ ତେଜିବା ବିଚାର ବ୍ୟବସ୍ଥା ଉପରେ ଚାପ ସୃଷ୍ଟି ଉଦ୍ୟମ ନୁହେଁ କି ? ପରୀ ହତ୍ୟାର ଚାରି ମାସ ପରେ ରାଜ୍ୟ ସରକାର କ୍ରାଇମ୍ ବ୍ରାଂଚ ଓ ଏସଆଇଟି ଦ୍ୱାରା ମାମଲାର ତଦନ୍ତ କରାଉଛନ୍ତି । ଓଡ଼ିଶା ପୁଲିସ କ୍ରାଇମ୍ ବ୍ରାଂଚର ଟ୍ରାକ ରେକର୍ଡ ସମସ୍ତେ ଜାଣନ୍ତି । ପାଠକ ମାମଲାରେ ମାତ୍ରାଧିକ ତତ୍ପର ଓଡ଼ିଶାର ସିବି ସିଆଇଡ଼ି ପରୀ ମାମଲାରେ ଉଦାସୀନ ଥିଲା । ଏବେ ଏସଆଇଟି ତଦନ୍ତ କୌଣସି ନିଷ୍କର୍ଷରେ ପହଂଚି ପାରିନି । ଅପରାଧୀଙ୍କୁ ଚିହ୍ନଟ କରିବା ସକାଶେ ଗାଁ ଯୁବକଙ୍କ ରକ୍ତ ସଂଗ୍ରହ କରୁଛି । ଆବଶ୍ୟକତା ସମୟରେ ଡ଼ିଏନଏ ଟେଷ୍ଟ୍ କରାଯିବ ବୋଲି କୁହାଯାଉଛି । ସେହିଭଳି, ପରୀ ମାମଲାର ସିବିଆଇ ତଦନ୍ତ ପାଇଁ ବିଜେପିର ଦାବି ନେଇ ଏବେ ପ୍ରଶ୍ନ ଉଠିଲାଣି । କାରଣ, ଚିଟ୍ ଫଣ୍ଡ୍ କଲେଂକାରୀରୁ ଆରମ୍ଭ କରି ରାୟଗଡ଼ା ଜିଲ୍ଲା ଇତିଶ୍ରୀ ପ୍ରଧାନ ହତ୍ୟା ମାମଲା, ପିପିଲିର ବେବିନା ଗଣଦୁଷ୍କର୍ମ ଓ ହତ୍ୟା ମାମଲା, କନ୍ଧମାଳ ଜିଲ୍ଲାର କୁନ୍ଦୁଲି ନାବାଳିକା ଗଣ ଧର୍ଷଣ ମାମଲାରେ ଓଡ଼ିଶା ପୁଲିସ, କ୍ରାଇମ୍ ବ୍ରାଂଚ ଓ ସିବିଆଇ ତଦନ୍ତର ଫଳାଫଳ କଣ ହେଲା – ତାହା ଓଡ଼ିଶାବାସୀ ଦେଖିଛନ୍ତି । ପରୀ ମାମଲାରେ ଯେ ସିବିଆଇ ଅଧିକ କିଛି କରି ଦେବ, ସେ ବିଶ୍ୱାସ କାହାରି ନାହିଁ ।
ତଦନ୍ତ ନିରପେକ୍ଷ ହେବାକୁ ହେଲେ ତଦନ୍ତକାରୀ ସଂସ୍ଥା ନିରପେକ୍ଷ ହେବା ଆବଶ୍ୟକ । ରାଜ୍ୟ ସରକାର ଏସଆଇଟି ତଦନ୍ତ ନିର୍ଦେଶ ଦେଇ ନିଜକୁ ସୁରକ୍ଷିତ ମନେ କରୁଥିବା ବେଳେ ବିଜେପି ପରୀ ମାମଲାରେ ସିବିଆଇ ତଦନ୍ତ ଦାବି କରି କେନ୍ଦ୍ରରେ ଥିବା ନିଜ ଦଳର ସରକାରଙ୍କ ପ୍ରତିପତ୍ତି ଦେଖାଇବାକୁ ଚାହୁଁଛି । ସରକାରଙ୍କ ଚାପରେ ରହିବା ଉଭୟ ବିଜେପି ଓ କଂଗ୍ରେସ ଚାହୁଁଛନ୍ତି । ଏଭଳି ସ୍ଥିତିରେ ମନ୍ତ୍ରୀ ଅରୁଣ ସାହୁ ମୁରୁକି ହସା ମାରିବା ସ୍ୱାଭାବିକ । ଓଡ଼ିଶା ହାଇକୋର୍ଟ ପିଆଇଏଲ୍ର ଶୁଣାଣୀ କରି ୧୬ ତାରିଖ ଯାହା ନିର୍ଦେଶ ଦେବେ ତାହା ସବୁ ପକ୍ଷ ମାନିବାକୁ ବାଧ୍ୟ । ତେଣୁ, ସେ ପର୍ଯ୍ୟନ୍ତ ଅପେକ୍ଷା କରିବାରେ କ୍ଷତି କଣ ?
ମୁଖ୍ୟ ସଂପାଦକ
ମୋଅନୁଭବ.କମ୍
Share this:
LETTER FROM THE EDITOR: A SPECIAL THANKS TO OUR READERS
LETTER FROM THE EDITOR: A SPECIAL THANKS TO OUR READERS