ନୂଆ ସଂସଦ ଭବନର ଶିଳାନ୍ୟାସ କଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ
ପ୍ରସାଦ ରାଓ
ନୂଆଦିଲ୍ଲୀ
୧୦ ଡ଼ିସେମ୍ବର
ଦେଶରେ ବ୍ରିଟିଶ ଅମଳରେ ନିର୍ମିତ ସଂସଦ ଭବନକୁ ବିଶ୍ରାମ ଦେଇ ଏକ ଅତ୍ୟାଧୁନିକ ସଂସଦ ଭବନ ନିର୍ମାଣ ସକାଶେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କାର୍ଯ୍ୟ ଆରମ୍ଭ କରିଛନ୍ତି । ୨୦ ହଜାର କୋଟି ଟଙ୍କାର ସେଂଟ୍ରାଲ ଭିସ୍ତା ପ୍ରୋଜେକ୍ଟରେ ଏକ ହଜାର କୋଟି ଟଙ୍କା ବ୍ୟୟରେ ନୂଆ ସଂସଦ ଭବନ ନିର୍ମାଣ ପ୍ରସ୍ତାବ ସାମିଲ ରହିଛି । ଏହା ବିରୋଧରେ ଦେଶର ସର୍ବୋଚ୍ଚ ନ୍ୟାୟାଳୟରେ ପରିବେଶ ସଂପର୍କିତ ଏକ ପିଟିସନ୍ ଉପରେ ବିଚାରଣା ଚାଲି ଥିବାରୁ ବିଚାର ଶେଷ ନ ହେବା ଯାଏଁ କୋଣସି ପ୍ରକାର ନିର୍ମାଣ କାର୍ଯ୍ୟ ଆରମ୍ଭ ନ କରିବାକୁ ସୁପ୍ରିମ କୋର୍ଟ କେନ୍ଦ୍ର ସରକାରଙ୍କୁ ନିର୍ଦେଶ ଦେଇଥିଲେ ମଧ୍ୟ କାଗଜପତ୍ର କାମ ଓ ଭୂମି ପୂଜନ ପାଇଁ ଅନୁମତି ଦେଇ ଥିବାରୁ ଆଜି ପ୍ରଧାନମନ୍ତ୍ରୀ ମୋଦୀ ନୂତନ ଭବନର ଭୂମି ପୂଜନ କାର୍ଯ୍ୟ ସମାପନ କରିଛନ୍ତି । ୬୪,୫୦୦ ବର୍ଗମିଟର ଅଂଚଳରେ ଏକ ଚାରି ମହଲା ବିଶିଷ୍ଟ ଭବ୍ୟ ସଂସଦ ଭବନ ନିର୍ମାଣ ଯୋଜନା ରହିଛି । ଏହି ଭବନରେ ସମସ୍ତ ଅତ୍ୟାଧୁନିକ ଗେଜେଟ୍ ଖଂଜା ହେବ । ନୂଆ ସଂସଦ ଭବନ ନିର୍ମାଣ ବାବଦରେ ୯୭୧ କୋଟି ଟଙ୍କା ଖର୍ଚ୍ଚ ହେବା ଅଟକଳ ହୋଇଛି । ପରକଳ୍ପିତ ଭବନରେ ଲୋକସଭାରେ ୮୮୮ ସାଂସଦ ଏକସମୟରେ ବସିବା ବ୍ୟବସ୍ଥା ରହୁଥିବା ବେଳେ ରାଜ୍ୟସଭାରେ ୩୮୪ ସାଂସଦ ବସିବେ । ଉଭୟ ସଦନର ମିଳିତ ବୈଠକରେ ୧,୨୨୪ ସାଂସଦ ବସିବା ଭଳି ଲୋକସଭା ଚାମ୍ବରରେ ବ୍ୟବସ୍ଥା ରହିବ । କେନ୍ଦ୍ର ସରକାର ସେଂଟ୍ରାଲ ଭିସ୍ତା ପ୍ରକଳ୍ପ କାର୍ଯ୍ୟକାରୀ କଲେ ରାଷ୍ଟ୍ରପତି ଭବନରୁ ଆରମ୍ଭ କରି ଐତିହସଂପନ୍ନ ୱାର ମେମୋରିଆଲ ଇଣ୍ଡିଆ ଗେଟ୍ ପର୍ଯ୍ୟନ୍ତ ୩ କିମି ଅଂଚଳରେ ବ୍ୟାପକ ପୁନର୍ଗଠନ କାର୍ଯ୍ୟ ହେବାକୁ ଥିବାରୁ ବହୁ ପୁରୁଣା କୋଠା ଭାଂଗିବ ଓ ବହୁ ସଂଖ୍ୟାରେ ଗଛ କାଟିବାକୁ ପଡ଼ିବ । ଏହାଦ୍ୱାରା ପରିବେଶ ଉପରେ ଗୁରୁତର ପ୍ରଭାବ ପଡିବ ବୋଲି ପରିବେଶବିତମାନେ ଅଭିଯୋଗ କରିବା ସହ ସେଂଟ୍ରାଲ ଭିସ୍ତା ପ୍ରୋଜେକ୍ଟକୁ ଚ୍ୟାଲେଂଜ କରି ସୁପ୍ରିମ କୋର୍ଟରେ ପିଟିସନ ଦାଖଲ କରିଛନ୍ତି । ତାହା ଉପରେ ସର୍ବୋଚ୍ଚ ନ୍ୟାୟାଳୟ ଶୁଣାଣୀ କରୁଥିବା ସମୟରେ କେନ୍ଦ୍ର ସରକାର ଏହି ପ୍ରକଳ୍ପ କାର୍ଯ୍ୟକାରୀ କରାଇବାକୁ ମାତ୍ରାଧିକ ଆଗ୍ରହ ପ୍ରକାଶ କରୁଥିବାରୁ ସୁପ୍ରିମ କୋର୍ଟ ବିରକ୍ତି ପ୍ରକାଶ କରିଛନ୍ତି । ମାମଲାର ବିଚାରଣା ନ ସରିବା ଯାଏଁ ସରକାର କେବଳ କାଗଜପତ୍ର କାମରେ ସୀମିତ ରୁହନ୍ତୁ, କିନ୍ତୁ ନିର୍ମାଣ କାର୍ଯ୍ୟରୁ କ୍ଷାନ୍ତ ରୁହନ୍ତୁ ବୋଲି ସୁପ୍ରିମ କୋର୍ଟ ନିର୍ଦେଶ ଦେଇଥିବା ବେଳେ ସରକାର ଚାହିଁଲେ ପ୍ରକଳ୍ପର ଶିଳାନ୍ୟାସ କରିପାରିବେ ବୋଲି ଅନୁମତି ଦେଇଛନ୍ତି । ସେହି ଭିତ୍ତିରେ ଆଜି ନୂଆ ସଂସଦ ଭବନର ଶିଳାନ୍ୟାସ ସରିଛି । ଲୋକସଭା ବାଚସ୍ପତି ଓମ୍ ବିରଳାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଶିଳାନ୍ୟାସ ଉତ୍ସବରେ କେନ୍ଦ୍ର ମନ୍ତ୍ରୀ, ସାଂସଦ, ବିଭିନ୍ନ ଦେଶର ରାଷ୍ଟ୍ରଦୂତ, ଧର୍ମ ଗୁରୁ ପ୍ରଭୃତି ମିଶି ପ୍ରାୟ ୨୦୦ ଅତିଥି ଯୋଗ ଦେଇଥିଲେ । କର୍ଣ୍ଣାଟକର ଶ୍ରୀଂଗେରୀ ମଠରୁ ଆସି ଥିବା ଛଅ ଜଣ ପୁରୋହିତ ସଂସ୍କୃତରେ ଶ୍ଲୋକ ଆବୃତ୍ତି କରି ପୂଜାପାଠ କରି ଥିବା ବେଳେ ପ୍ରଧାନମନ୍ତ୍ରୀ ମୋଦୀ ପ୍ରକଳ୍ପର ଶିଳାନ୍ୟାସ କରିଥିଲେ । ଟାଟା କଂପାନୀ (ପ୍ରୋଜେକ୍ଟସ) ନୂଆ ସଂସଦ ଭବନ ନିର୍ମାଣର ଠିକା ପାଇଛି । ତେଣୁ, ଏହାର ମୁଖ୍ୟ ରତନ ଟାଟା ଆଜିର ଉତ୍ସବରେ ଉପସ୍ଥିତ ଥିଲେ । ଦେଶର ନୂଆ ସଂସଦ ଭବନ ନିର୍ମାଣ ପାଇଁ ୨୦୧୯ ଅଗଷ୍ଟ ୫ ତାରିଖରେ ଉଭୟ ଲୋକସଭା ଓ ରାଜ୍ୟସଭାରେ ପ୍ରସ୍ତାବ ଗୃହୀତ ହୋଇ ତାହା ଅନୁମୋଦନ ଲାଭ କରିଥିଲା । ନିର୍ମାଣ କାର୍ଯ୍ୟ ୨୦୨୨ ଅଗଷ୍ଟ ୧୫ ତାରିଖ ଦେଶର ୭୫ତମ ସ୍ୱାଧୀନତା ଦିବସ ପାଳନ ସମୟକୁ ସରି ଯିବ ବୋଲି ସରକାର ଆଶା କରୁଛନ୍ତି । ନୂଆ ସଂସଦ ଭବନରେ ସଂସଦୀୟ କାର୍ଯ୍ୟ ଆରମ୍ଭ ହେବା ପରେ ପୁରୁଣା ସଂସଦ ଭବନ (ବ୍ରିଟିଶ ଅମଳରେ ନିର୍ମିତ)କୁ ମ୍ୟୁଜିୟମରେ ପରିଣତ କରାଯିବ ବୋଲି ଆଜି ପ୍ରଧାନମନ୍ତ୍ରୀ ମୋଦୀ କହିଛନ୍ତି ।
LETTER FROM THE EDITOR: A SPECIAL THANKS TO OUR READERS
LETTER FROM THE EDITOR: A SPECIAL THANKS TO OUR READERS