କୃଷି ଆଇନକୁ ନେଇ ଚାଷୀ ଆନ୍ଦୋଳନ ତୀବ୍ର ହେଉଛି, ସରକାରଙ୍କ ରଣନୀତି କଣ ହେବ ?
ପ୍ରସାଦ ରାଓ
ନୂଆଦିଲ୍ଲୀ
୧୧ ଡ଼ିସେମ୍ବର
କେନ୍ଦ୍ର ସରକାର ନୂଆ କୃଷି ଆଇନ ରଦ୍ଦ କରିବା ଦାବିରେ ଦିଲ୍ଲୀ ସୀମାନ୍ତ ସିଂଘୁରେ ଚାଲି ଥିବା ଚାଷୀ ଆନ୍ଦୋଳନ ଅଧିକ ତୀବ୍ର ହେବାକୁ ଯାଉଛି । ଆନ୍ଦୋଳନକାରୀ ଚାଷୀମାନେ ରାସ୍ତା ଅବରୋଧ ସହ ରେଳ ଅବରୋଧ କରିବେ ବୋଲି ମଧ୍ୟ ସୂଚନା ଦେଇ ସାରିଛନ୍ତି । ୧୨ ତାରିଖ ଦିଲ୍ଲୀ-ରାଜସ୍ଥାନ ଜାତୀୟ ରାଜପଥ ଅବରୋଧ କରିବା ସହ ଦିଲ୍ଲୀ ସହରରେ ପ୍ରବେଶ କରି ସହରରେ ଅଚଳାବସ୍ଥା ସୃଷ୍ଟି କରିବେ ଏବଂ ବିଜେପି ମନ୍ତ୍ରୀମାନଙ୍କୁ ଘେରାଉ କରିବେ ବୋଲି ସେମାନେ ଘୋଷଣା କରିଥିବାରୁ ଏକ ମୁକାବିଲାତ୍ମକ ପରିସ୍ଥିତି ସୃଷ୍ଟି ହୋଇଛି । କେନ୍ଦ୍ର ସରକାର ତାହା ଚାହୁଁଛନ୍ତି । କାରଣ, ଆଇନଶୃଙ୍ଖଳା ପରିସ୍ଥିତି ସୃଷ୍ଟି ହେଲେ ଏହି ଆନ୍ଦୋଳନକୁ ଧରାଶାୟୀ କରିବା ପାଇଁ ସରକାରଙ୍କୁ ସୁଯୋଗ ମିଳିବ । ତେବେ, ଆଜି ସୁଦ୍ଧା ତାହାର ଆଭାସ ମଧ୍ୟ ଦେଇ ନାହାନ୍ତି ।
ମଂଗଳବାର ‘ଭାରତ ବନ୍ଦ’ ସଫଳ ହେବା ପରେ ସେଦିନ ସନ୍ଧ୍ୟାରେ କେନ୍ଦ୍ର ଗୃହ ମନ୍ତ୍ରୀ ଅମିତ ଶାହା ଆନ୍ଦୋଳନର ମଂଗ ଧରି ଥିବା ୧୩ ଚାଷୀ ନେତାଙ୍କୁ ଡାକି ଆଲୋଚନା କରିଥିଲେ । ଦୀର୍ଘ ସମୟ ଆଲୋଚନା ସତ୍ତ୍ୱେେ କୌଣସି ସମାଧାନ ପନ୍ଥା ନ ବାହାରିବାରୁ ବୁଧବାର ଦିନ କେନ୍ଦ୍ର କୃଷି ମନ୍ତ୍ରୀ ନରେନ୍ଦ୍ର ସିଂହ ତୋମର ଅଚଳାବସ୍ଥା ଦୂର କରିବା ସକାଶେ ୨୦ ପୃଷ୍ଠାର ଏକ ପ୍ରସ୍ତାବ ତାଲିକା ଆନ୍ଦୋଳକାରୀ ଚାଷୀଙ୍କ ନିକଟକୁ ପଠାଇ ସେଥିରେ ସେମାନଙ୍କୁ ରାଜି କରାଇବାକୁ ଉଦ୍ୟମ କରିଥିଲେ । ତେବେ, ଚାଷୀ ନେତାମାନେ ସବୁ ପ୍ରସ୍ତାବକୁ ପ୍ରତ୍ୟାଖାନ କରି କୃଷି ଆଇନ ପୂର୍ଣ୍ଣତଃ ରଦ୍ଦ ହେବା ସେମାନଙ୍କ ଏକମାତ୍ର ଦାବି ବୋଲି ଜଣାଇଛନ୍ତି ଏବଂ ୧୨ ତାରିଖରୁ ଆନ୍ଦୋଳନକୁ ଅଧିକ ତେଜୀୟାନ କରିବାକୁ ଘୋଷଣା କରିଛନ୍ତି ।
ଏହା ସତ୍ତ୍ୱେ କେନ୍ଦ୍ର ସରକାର ନିଜକୁ ସଂଜତ ରଖି ପ୍ରସ୍ତାବଗୁଡିକ ଉପରେ ପୁନଃ ବିଚାର କରିବାକୁ ଚାଷୀ ନେତାଙ୍କୁ ସୁଯୋଗ ଦେଇଛନ୍ତି । ସରକାର ଆଲୋଚନା ପାଇଁ ସର୍ବଦା ପ୍ରସ୍ତୁତ ବୋଲି ସେମାନଙ୍କୁ ଜଣାଇ ଦେଇଛନ୍ତି । ସରକାର ମନରେ କିଛି ଅହଂଭାବ ରଖି ନାହାନ୍ତି, ଆଲୋଚନା ଜାରି ରଖିବାକୁ ପ୍ରସ୍ତୁତ ଅଛନ୍ତି । ଚାଷୀ ନେତାମାନେ ମଧ୍ୟ ଆଲୋଚନା ଟେବୁଲକୁ ଆସି ଅଚଳାବସ୍ଥା ଦୂର କରନ୍ତୁ ବୋଲି କେନ୍ଦ୍ର କୃଷି ମନ୍ତ୍ରୀ ନରେନ୍ଦ୍ର ସିଂହ ତୋମର ଗୁରୁବାର ଦିନ ଏକ ସାମ୍ବାଦିକ ସମ୍ମିଳନୀ ମାଧ୍ୟମରେ ଚାଷୀଙ୍କୁ ଆହ୍ୱାନ ଦେଇଛନ୍ତି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ମଧ୍ୟ ଗୁରୁବାର ନୂଆ ସଂସଦ ଭବନର ଭୂମିପୂଜନ ଅବସରରେ ଆଲୋଚନା ମାଧ୍ୟମରେ ହିଁ ସବୁ ସମସ୍ୟା ସମାଧାନ ହେବ ବୋଲି କହିଛନ୍ତି । ପରୋକ୍ଷରେ ସେ ସିଂଘୁ ସୀମାନ୍ତରେ ୧୬ ହେଲା ଧାରଣାରେ ବସିଥିବା ଚାଷୀଙ୍କୁ ଆଲୋଚନା ଟେବୁଲକୁ ଆସିବାକୁ ପରାମର୍ଶ ଦେଇଛନ୍ତି ।
କେନ୍ଦ୍ର ସରକାର ଚାଷୀଙ୍କ ମୂଳ ଦାବିକୁ ଏଡାଇ ତିନି କୃଷି ଆଇନରେ କିଛିଟା ସଂଶୋଧନ ମାଧ୍ୟମରେ ଆନ୍ଦୋଳନର ପରିସମାପ୍ତି ଘଟାଇବାକୁ ଚାହୁଁ ଥିବା ବେଳେ ଆନ୍ଦୋଳନରତ ଚାଷୀ ଗୋଟିଏ (କୃଷି ଆଇନ ସଂପୂର୍ଣ୍ଣ ଭାବେ ରଦ୍ଦ ହେବା) ଦାବିରେ ଅଡି ରହି ଆଗକୁ ଏକ ମୁହାଁମୁହିଁ ପରିସ୍ଥିତି ସୃଷ୍ଟି ହେବାର ପରିବେଶ ସୃଷ୍ଟି କରିଛନ୍ତି । ୧୨ ତାରିଖରୁ ସେମାନେ ରସ୍ତା ଅବରୋଧ କରିବା ସହ ରେଳ ଅବରୋଧ ପାଇଁ ମଧ୍ୟ ନିର୍ଣ୍ଣୟ ନେଇଛନ୍ତି । ଦିଲ୍ଲୀ ସହରରେ ପ୍ରବେଶ କରି ଅଚଳାବସ୍ଥା ସୃଷ୍ଟି କରିବାକୁ ଏବଂ ବିଜେପି ମନ୍ତ୍ରୀମାନଙ୍କୁ ଘେରାଉ କରିବାକୁ ସେମାନଙ୍କ ନିଷ୍ପତ୍ତି କେନ୍ଦ୍ରକୁ ସିଧାସଳଖ ଚ୍ୟାଲେଂଜ ଦେଲା ଭଳି । ସରକାର ଚାଷୀଙ୍କୁ ଅସନ୍ତୁଷ୍ଟ ନ କରିବାକୁ ଆଲୋଚନା କଥା କହୁଛନ୍ତି ସିନା ପରିସ୍ଥିତି ଅସମ୍ଭାଳ ହେଲେ ସଂଜମ ହରାଇ ପାରନ୍ତି । ଆନ୍ଦୋଳନ ପ୍ରାରମ୍ଭରେ ସରକାର ଯେଭଳି ଦମନମୂଳକ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଥିଲେ ତାହାର ପୁନଃରାବୃତ୍ତି ହୋଇପାରେ ।
ତେବେ, ଡ଼ିସେମ୍ବର ୯ ତାରିଖ ‘ଭାରତ ବନ୍ଦ’ ସମୟରେ ଆନ୍ଦୋଳନକାରୀଙ୍କୁ ଦେଶବ୍ୟପୀ ବିପୁଳ ଜନସମର୍ଥନ ମିଳିଥିବା ସରକାର ଜାଣନ୍ତି । ଚାଷୀ ନେତାମାନେ ମଧ୍ୟ ବେଶ୍ ଉତ୍ସାହିତ । ୨୫ରୁ ଅଧିକ ରାଜ୍ୟରେ ଚାଷୀଙ୍କୁ ସମର୍ଥନ ମିଳିଛି । ୨୪ରୁ ଅଧିକ ରାଜନୈତିକ ଦଳ ଓ କୃଷକ ସଂଗଠନ ଆନ୍ଦୋଳନରେ ସାମିଲ ହୋଇଛନ୍ତି । ତେଣୁ, ୧୨ ତାରିଖରୁ ଆରମ୍ଭ ହେଉଥିବା ଦ୍ୱିତୀୟ ପର୍ଯ୍ୟାୟ ଆନ୍ଦୋଳନକୁ ସେହିଭଳି ସମର୍ଥନ ମିଳିବ ଏବଂ ୧୪ ତାରିଖ ଦିନ ଦେଶବ୍ୟାପୀ ତହସିଲସ୍ତର ପର୍ଯ୍ୟନ୍ତ ହେବାକୁ ଥିବା ହରତାଳ ଓ ଧାରଣା ସଫଳ ହେବ ବୋଲି ଚାଷୀ ନେତାମାନେ ବିଶ୍ୱାସ ରଖିଛନ୍ତି । ନେତାମାନେ ଜାଣନ୍ତି ଯେ, ଥରେ ଏହି ଆନ୍ଦୋଳନ ହାତଛଡା ହେଲେ ଭବିଷ୍ୟତରେ ଆଉ ସମର୍ଥନ ଜୁଟାଇ ହେବ ନାହିଁ । ସରକାରଙ୍କ ମନମାନି ବଢି ଯିବ । ତେଣୁ, ଆନେ୍ଦାଳନକୁ ଏକ ନର୍ଣ୍ଣାୟକ ମୋଡରେ ପହଂଚାଇବାକୁ ଅଂଗୀକାରବଦ୍ଧ ହୋଇ ସେମାନେ ସିଂଘୁ ସୀମାନ୍ତରେ ଡ଼େରା ପକାଇଛନ୍ତି ।
ମିଳିଥିବା ସୂଚନା ଅନୁଯାୟୀ, ୧୫/୧୬ ଦିନା ହେଲା ସିଂଘୁ ସୀମାନ୍ତରେ ପ୍ରବଳ ଶୀତ କାକରରେ ପଡି ରହିଥିବା ଚାଷୀଙ୍କୁ କେନ୍ଦ୍ର ସରକାର ଅଣଦେଖା କରୁଥିବାରୁ ଏବଂ ଆଲୋଚନା ଜାରି ରଖାବା ନାମରେ ସମୟ ଗଡାଉ ଥିବାରୁ ତୀବ୍ର ପ୍ରତିକ୍ରିୟା ସୃଷ୍ଟି ହେଲାଣି । ଏହା ମାନବାଧିକାର ଉଲଂଘନ ବୋଲି ଚାଷୀ ସଂଗଠନ ବିକେୟୁ ଅଭିଯୋଗ କରିଛି । ୧୫ ଦିନ ହେଲା ଧାରଣାରେ ବସିଥିବା ଚାଷୀଙ୍କ ମଧ୍ୟରୁ କିଛି ନିଜ ସାମାଜିକ ଦାୟିତ୍ୱ ତୁଲାଇବା ପାଇଁ ଘରକୁ ଫେରୁ ଥିବାରୁ ଆନ୍ଦୋଳନ ଯେପରି ଦୁର୍ବଳ ହୋଇ ନ ଯାଏ ତାହା ଦୃଷ୍ଟିରେ ରଖି ପଂଜାବର ବିଭିନ୍ନ ଜିଲ୍ଲାରୁ ଶହ ଶହ ସଂଖ୍ୟାରେ ଚାଷୀ ସିଂଘୁ ଆସୁଛନ୍ତି । ଏତିସକାଶେ ଯାହା ଖର୍ଚ୍ଚ ହେଲେ ବି ସେମନେ ତାହା ତୁଲାଇବାକୁ ପ୍ରସ୍ତୁତ । ପଂଜାବ, ହରିୟାନାର ବିଭିନ୍ନ ଅଂଚଳରୁ ଯେଉଁ ଚାଷୀମାନେ ଆସୁଛନ୍ତି ସେମାନଙ୍କ ଖର୍ଚ୍ଚ ଅଂଚଳବାସୀ ବହନ କରୁଥିବା ସୂଚନା ମିଳିଛି । ଟ୍ରାକ୍ଟର-ଟ୍ରଲିରେ ଦିଲ୍ଲୀ ଆସିବାକୁ ଡ଼ିଜେଲ ଖର୍ଚ୍ଚ ୧୫ରୁ ୧୮ ହଜାର ଟଙ୍କା ଖର୍ଚ୍ଚ ହେଉଥିବା ବେଳେ ବସରେ ଆସିଲେ ୧୯ରୁ ୨୧ ହଜାର ଟଙ୍କା ପର୍ଯ୍ୟନ୍ତ ଖର୍ଚ୍ଚ ହେଉଛି । ବସ୍ ରିଜର୍ଭ କରି ଆସିଲେ ସପ୍ତାହକ ପାଇଁ ୪୫ରୁ ୫୦ ହଜାର ଟଙ୍କା ଖର୍ଚ୍ଚ ସହ ଗାଡି ଡ୍ରାଇଭରଙ୍କୁ ଦିନକୁ ୫୦୦ ଟଙ୍କା ଲେଖାଏଁ ଖାଇବା ଖର୍ଚ୍ଚ ଦେବାକୁ ପଡୁଛି । ଏହାସତ୍ତ୍ୱେ ଆନ୍ଦୋଳନ ଜାରି ରଖିବାକୁ ସମସ୍ତେ ବଦ୍ଧପରିକର ।
କେନ୍ଦ୍ର କୃଷି ମନ୍ତ୍ରୀ ତୋମର ଗୁରୁବାର ଦିନ ନୂଆଦିଲ୍ଲୀରେ ଗଣମାଧ୍ୟମକୁ ଭେଟି ଚାଷୀଙ୍କ ମନରେ ଯାହା କିଛି ବିଭ୍ରାନ୍ତି ଅଛି ସେସବୁ ଦୂର କରିବାକୁ ସରକାର ପ୍ରସ୍ତୁତ ଥିବା କହିଛନ୍ତି । କୃଷି ମନ୍ତ୍ରୀ କହିଛନ୍ତି, ନୂଆ କୃଷି ଆଇନ ସବୁ କୃଷକ ବିରୋଧୀ ନୁହେଁ । ବିରୋଧୀ ଦଳମାନେ ଚାଷୀଙ୍କୁ ବିଭ୍ରାନ୍ତ କରୁଛନ୍ତି । ସେ ନିଜେ ଚାଷୀଙ୍କ ସହ ପାଂଚ ପର୍ଯ୍ୟାୟ ଆଲୋଚନା କରି ସେମାନଙ୍କ ମନରେ ଥିବା ବିଭ୍ରାନ୍ତି ଦୂର କରିବାକୁ ଚେଷ୍ଟା କରିଛନ୍ତି । ଏହା ପରେ ମଧ୍ୟ ଯଦି କିଛି ଭ୍ରାନ୍ତ ଧାରଣା ରହିଛି ତାହା ଉପରେ ଆଲୋଚନା କରିବାକୁ ସରକାର ପ୍ରସ୍ତୁତ । ୨୦୦୬ରେ ଆସିଥିବା ସ୍ୱାମୀନାଥନ କମିସନ ରିପୋର୍ଟରେ ଥିବା ସୁପାରିଶକୁ ସରକାର କାର୍ଯ୍ୟକାରୀ କରିବେ ।
ଚାଷୀଙ୍କୁ ସେମାନଙ୍କ ଉତ୍ପାଦନର ସର୍ବନିମ୍ନ ସହାୟକ ମୂଲ୍ୟ (ଏମଏସପି) ମିଳିବ । ତାହା ପ୍ରତ୍ୟାହାର ହେବାର ପ୍ରଶ୍ନ ଉଠୁ ନାହିଁ । ସରକାର ତାହା ଲିଖିତ ଭାବେ ସେମାନଙ୍କୁ ସୂଚିତ କରିଛନ୍ତି । ସେଭଳି, କଂଟ୍ରାକ୍ଟ ଫାର୍ମିଂ ନେଇ କୌଣସି ବାଧ୍ୟବାଧକତା ନାହିଁ । ଚାଷୀଙ୍କ ଜମି ଉପରେ ଶିଳ୍ପପତିମାନେ ମାଲିକାନା ଜାହିର କରିବେ ବୋଲି ଯାହା ପ୍ରଚାର ହେଉଛି ତାହା ଠିକ୍ ନୁହେଁ । ସେମାନେ ଯେତେବେଳ ଚାହିଁବେ ବିନା ବାଧାରେ କଂଟ୍ରାକ୍ଟରୁ ଓହରି ପାରିବେ । ମଣ୍ଡି ଆଇନ ଉଚ୍ଛେଦ ହେବ ନାହିଁ । ଚାଷୀ ଚାହିଁଲେ ଘରୋଇ ମଣ୍ଡି, ଅନୁଷ୍ଠାନ ବା ବ୍ୟକ୍ତିବିଶେଷଙ୍କୁ ସେମାନଙ୍କ ଉତ୍ପାଦନ ବିକିବାରେ କୌଣସି ବାଧା ନାହିଁ । ବିଦ୍ୟୁତ ବିଲ୍ ଓ ଆଇନରେ ଥିବା ଅନ୍ୟାନ୍ୟ ପ୍ରାବଧାନ ଉପରେ ଯଦି କିଛି ସଂଶୟ ରହିଛି ତାହା ଆଲୋଚନା ମାଧ୍ୟମରେ ସମାଧାନ ହୋଇପାରିବ । ଚାଷୀ ନେତାମାନେ ଆନ୍ଦୋଳନରୁ ଓହରି ଆଲୋଚନା ମାଧ୍ୟମରେ ସବୁ ପ୍ରସଙ୍ଗର ସମାଦାନ ବାଟ ବାହାର କରିବା ଉଚିତ ବୋଲି କେନ୍ଦ୍ର କୃଷି ମନ୍ତ୍ରୀ ତୋମର ଓ କେନ୍ଦ୍ର ଖାଦ୍ୟ ମନ୍ତ୍ରୀ ପିୟୂଷ ଗୋଏଲ୍ କହିଛନ୍ତି । ଅପରପକ୍ଷରେ, ଚାଷୀ ନେତାମାନେ ତିିନି କୃଷି ଆଇନ ସଂପୂର୍ଣ୍ଣ ରଦ୍ଦ କରାଯିବା ଦାବିରେ ଅଡି ବସି ଥିବାରୁ ଅଚଳାବସ୍ଥା ସୃଷ୍ଟି ହୋଇଛି ।
ତିନି ନୂଆ କୃଷି ଆଇନ ରଦ୍ଦ ଦାବିରେ ଚାଷି ସଂଗଠନ ସବୁ ସୁପ୍ରିମ କୋର୍ଟଙ୍କ ଦ୍ୱାରସ୍ଥ ହୋଇଥିବା ବେଳେ କାଲିଠାରୁ ଆନ୍ଦୋଳନ ଯୋରଦାର କରିବାକୁ ଚାଷୀ ନେତାମାନେ ଜିଦ୍ ରେ ଅଟଳ ଥିବାରୁ କେନ୍ଦ୍ର ଓ ଦିଲ୍ଲୀ ସରକାର ପରିସ୍ଥିତିର ମୁକାବିଲା ପାଇଁ ପ୍ରସ୍ତୁତ ହେଉଥିବା ସୂଚନା ମିଳିଛି । ନଭେମ୍ବର ୨୫ ତାରିଖରୁ ଏହି ଚାଷୀ ଆନ୍ଦୋଳନ ଆରମ୍ଭ ହୋଇଛି । ଗୁରୁବାର ଦିନ ଏନସିପି ନେତା, ଶରଦ ପାୱାର, ସିପିଆଇ ନେତା, ଡ଼ି.ରାଜା, ସିପିଏମ୍ ନେତା ସୀତାରାମ ୟାଚୁରୀ ଓ ଏଆଇସିସି ପୂର୍ବତନ ସଭାପତି ରାହୁଲ ଗାନ୍ଧୀ ରାଷ୍ଟ୍ରପତି ରାମ ନାଥ କୋଭିନ୍ଦଙ୍କୁ ଭେଟି କେନ୍ଦ୍ର ସରକାରଙ୍କ ତିନି କୃଷି ଆଇନ ଅଗଣତାନ୍ତ୍ରିକ ବୋଲି ଦର୍ଶାଇବା ସହ ଏହି ଆଇନ ରଦ୍ଦ କରିବାକୁ ଦାବି କରିଥିଲେ । ବିରୋଧୀ ଦଳ ଓ ଚାଷୀ ନେତାଙ୍କ ସହ କୌଣସି ଆଲୋଚନା ନ କରି ସରକାର ଏହି ତିନି ଆଇନ ସଂସଦରେ ପାରିତ କରାଇଛନ୍ତ ବୋଲି ସେମାନେ ଅଭିଯୋଗ କରିଛନ୍ତି । ଆଜି ମଧ୍ୟ ପାୱାର କହିଛନ୍ତି, ଚାଷୀ ଆନ୍ଦୋଳନ ଏବେ ଦିଲ୍ଲୀ ସୀମାନ୍ତରେ ସୀମିତ ରହିଛି । ସରକାର ତୁରନ୍ତ କିଛି ପଦକ୍ଷେପ ନ ନେଲେ ତାହା ଅନ୍ୟତ୍ର ପ୍ରସାର ହେବାକୁ ରୋକିବା ସମ୍ଭବ ହେବ ନାହିଁ । ସରକାର ସେମାନଙ୍କ ଧୈର୍ଯ୍ୟର ପରୀକ୍ଷା କରିବା ଛାଡନ୍ତୁ ।
ଦୀଲ୍ଲୀ ସୀମାନ୍ତରେ ଚାଲି ଥିବା ଏହି ଛକାପଂଝାର ପ୍ରଭାବ ଓଡ଼ିଶାରେ ମଧ୍ୟ ଦେଖିବାକୁ ମିଳୁଛି । ଗଲା ୯ ତାରିଖ ‘ଭାରତ ବନ୍ଦ’କୁ ଓଡ଼ିଶାର ଶାସକ ବିଜେଡ଼ି ସମର୍ଥନ ଦେଇ ନଥିଲା । କେବଳ ଅସୁବିଧାକୁ ଏଡାଇବା ପାଇଁ ସରକାରୀ କାର୍ଯ୍ୟାଳୟକୁ ବନ୍ଦ ରଖି ଥିଲା । ସ୍ୱତଃ ପରିବହନ ବ୍ୟବସ୍ଥା ଅଚଳ ହୋଇଥିଲା । ତେବେ, ଓଡ଼ିଶାର ଚାଷୀ ସରକାରଙ୍କ ଉପରେ କ୍ଷୁବ୍ଧ ହେବା ଆଶଙ୍କା କରି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଗୁରବାର ଦିନ ଚାଷୀଙ୍କ ଉତ୍ପାଦନର ସର୍ବନିମ୍ନ ସହାୟକ ମୂଲ୍ୟ ଦୁଇ ଗୁଣ କରାଯିବା ଦାବିକୁ ଦୋହରାଇଛନ୍ତି । ଏସଂପର୍କରେ ସରକାର ଏକ କ୍ୟାବିନେଟ୍ ସଂକଳ୍ପ ପାରିତ କରାଇ ପ୍ରଧାନମନ୍ତ୍ରୀଙ୍କୁ ଚିଠି ଲେଖିବେ ବୋଲି କହିଛନ୍ତି । କିନ୍ତୁ, ବିରୋଧୀ ଏହି ଥୋପ ଗିଳିବାକୁ ପ୍ରସ୍ତୁତ ନୁହନ୍ତି ।
୨୦୧୬-୧୭ ଓ ୨୦୧୭-୧୮ରେ ମଧ୍ୟ ଏଭଳି ସଂକଳ୍ପ ପାରିତ ହୋଇଥିଲା । ଧାନର ସର୍ବନିମ୍ନ ସହାୟକ ମୂଲ୍ୟ କୁଇଂଟାଲ ପିଛା ୨୯୩୦ ଟଙ୍କା ଧାର୍ଯ୍ୟ କରାଯିବାକୁ ସରକାର ବିଧାନସଭାରେ ଏକ ସର୍ବସମ୍ମତ ସଂକଳ୍ପ ପାରିତ କରାଇବା ପରେ ମୁଖ୍ୟମନ୍ତ୍ରୀ ପ୍ରଧାନମନ୍ତ୍ରୀଙ୍କୁ ଚିଠି ଲେଖି ନିରବ ରହି ଥିଲେ । ସରକାର ସଂକଳ୍ପ ପରେ ସଂକଳ୍ପ ପାରିତ କରି ପ୍ରଧାନମନ୍ତ୍ରୀଙ୍କୁ ଚିଠି ଲେଖୁଛନ୍ତି । ତେବେ, ପ୍ରଧାନମନ୍ତ୍ରୀ ଦିଲ୍ଲୀ ଯାଇଥିବା ଗୃହ କମିଟିକୁ ଭେଟିବାକୁ ସୁଯୋଗ ମଧ୍ୟ ଦେଇ ନାହାନ୍ତି । ବିଧାନସଭାର ଗତ ଶୀତ ଅଧିବେଶନରେ ସରକାର କେନ୍ଦ୍ର ସରକାରଙ୍କ ନୂଆ କୃଷି ଆଇନକୁ ଗୃହରେ ପାରିତ କରାଇ ନେଇଛନ୍ତି । ବିରୋଧୀଙ୍କ ବିରୋଧ ସତ୍ତ୍ୱେ ଏହି ଆଇନ ପାରିତ ହୋଇଛି । ଏଥିରୁ ଚାଷୀଙ୍କ ପ୍ରତି ସରକାରଙ୍କ ଆନ୍ତରିକତାକୁ ସ୍ପଷ୍ଟ ହେଉଛି ବୋଲି ସେମାନେ କହିଛନ୍ତି ।
ଏଠାରେ ସୂଚନାଯୋଗ୍ୟ କି, ଦେଶର ଅନ୍ୟ ସମସ୍ତ ବିରୋଧୀ ଦଳ କୃଷି ଆଇନ ରଦ୍ଦ ଦାବି ସପକ୍ଷରେ ଆନ୍ଦୋଳନକାରୀ ଚାଷୀଙ୍କୁ ସମର୍ଥନ ଦେଇଛନ୍ତି ଓ ଉତ୍ସାହିତ କରୁଛନ୍ତି । କିନ୍ତୁ, ଓଡ଼ିଶାରେ କ୍ଷମତାରେ ଥିବା ବିଜୁ ଜନତା ଦଳ କୌଣସି କାରଣରୁ ହେଉ ନା କାହିଁକି ପ୍ରତି କଥାରେ କେନ୍ଦ୍ରର ନରେନ୍ଦ୍ର ମୋଦୀ ସରକାରଙ୍କୁ ସମର୍ଥନ ଦେଇ ଆସୁଛି । କଂଗ୍ରେସ ଓ ବିଜେପି ସହ ବିଜେଡ଼ର ସଂପର୍କ କଥା ଉଠିଲେ ମୁଖ୍ୟମନ୍ତ୍ରୀ ପଟ୍ଟନାୟକ ‘ସମଦୂରତା’ କଥା କହୁଛନ୍ତି । ତେବେ, ଏହି ସମଦୂରତା ଯେ ‘ପୋଥୀ ବାଇଗଣ’- ତାହା କାହାରିକୁ ଅଛପା ନାହିଁ । ଦିଲ୍ଲୀ ସୀମାନ୍ତ ସିଂଘୁରେ ସୀମିତ ଥିବା କୃଷି ଆଇନ ବିରୋଧୀ ଚାଷୀ ଆନ୍ଦୋଳନ କାଲିଠାରୁ ତୀବ୍ର ହେବାକୁ ଥିବାରୁ ତାହା ଓଡ଼ିଶାକୁ ବ୍ୟାପିଲେ ନବୀନ ସରକାର କିଭଳି ତାହାର ମୂକାବିଲା କରିବେ ଦେଖିବାକୁ ବାକି ରହିଛି ।
LETTER FROM THE EDITOR: A SPECIAL THANKS TO OUR READERS
LETTER FROM THE EDITOR: A SPECIAL THANKS TO OUR READERS