ଚାଷୀ ଆନ୍ଦୋଳନକୁ ‘ହାଇଜାକ୍’ କରୁଛି କିଏ ! ସରକାର ନା ବାମପଂଥୀ ?
ପ୍ରସାଦ ରାଓ
୧୨ ଡ଼ିସେମ୍ବର
ନୂଆଦିଲ୍ଲୀ: କେନ୍ଦ୍ର ସରକାରଙ୍କ ତିନି କୃଷି ଆଇନ ବିରୋଧରେ ନଭେମ୍ବର ୨୫ରୁ ଚାଲି ଥିବା ଚାଷୀ ଆନ୍ଦୋଳନକୁ ‘ହାଇଜାକ୍’ ଉଦ୍ୟମ ହେଲାଣି । ଏହା ହେଉଛି କେନ୍ଦ୍ର ସରକାରଙ୍କ ମତ । ପ୍ରଥମେ ବିରୋଧୀ ଦଳ ଆନ୍ଦୋଳନକୁ ହାଇଜାକ୍ କରିଥିବା ସରକାର କହୁଥିଲେ । ଏବେ ତୀର ବାମପନ୍ଥୀ ଓ ମାଓବାଦୀଙ୍କ ଆଡକୁ ମୋଡିଛନ୍ତି । କେନ୍ଦ୍ର ମନ୍ତ୍ରୀ ପିୟୁଷ ଗୋଏଲଙ୍କ ସମେତ ଏକାଧୀକ କେନ୍ଦ୍ର ମନ୍ତ୍ରୀ ‘ହାଇଜାକ୍’ କଥା ଉଠାଇ ବାମପଂଥୀଙ୍କ ସହ ଆନ୍ଦୋଳନକୁ ଯୋଡିବାକୁ ଉଦ୍ୟମ କରୁଥିବା ବେଳେ କେନ୍ଦ୍ର ସରକାର ନିଜେ ଏହି ଆନ୍ଦୋଳନକୁ ଦେଶ ବିରୋଧୀ ଓ ଚାଷୀ ବିରୋଧୀ କହି ପରିସ୍ଥିତିକୁ ନିଜ ସପକ୍ଷରେ ନେବାକୁ ଚତୁର ରାଜନୀତି ଚଳାଇ ଥିବା ବିରୋଧୀ କହୁଛନ୍ତି ।
ନୂଆ କୃଷି ଆଇନକୁ ବିରୋଧ ଦେଶବ୍ୟାପୀ ଚାଷୀ ଆନ୍ଦୋଳନ ଯୋରଦାର ହେବାକୁ ଯାଉଥିବା ବେଳେ ଏହାକୁ ବାଟବଣା କରିବା ଉଦ୍ୟମ ଆରମ୍ଭ ହୋଇଯାଇଛି । ପଂଜାବ, ହରିଆନା ଚାଷୀମାନେ ଏହି ଆନ୍ଦୋଳନର ନେତୃତ୍ୱ ନେଉ ଥିବାରୁ ପ୍ରଥମେ କୁହା ଗଲା ଏହି ଦୁଇ ରାଜ୍ୟର ବିତ୍ତଶାଳୀ ଚାଷୀମାନେ ନିଜ ସ୍ୱାର୍ଥରେ ଏହି ଆନ୍ଦୋଳନ କରୁଛନ୍ତି, ଯାହାକି ଏହି ଦୁଇ ରାଜ୍ୟରେ ସୀମିତ ରହିଛି । ଦେଶବାସୀଙ୍କ ମନରେ ଏଭଳି ଏକ ଧାରଣା ସୃଷ୍ଟି କରିବାକୁ ବୋଲି କେନ୍ଦ୍ର ସରକାର ଉଦ୍ୟମ କରିଥିଲେ । ତେବେ, ଯୋଗେନ୍ଦ୍ର ଯାଦବଙ୍କ ଭଳି ସାମାଜିକ କର୍ମୀ ଓ ଚାଷୀ ନେତାମାନେ ଆନ୍ଦୋଳନ ସହ ଯୋଡି ହୋଇଯିବାରୁ ବିହାର ଏଥିରେ ସ୍ଥାନ ପାଇଲା । ଓଡ଼ିଶା ସମେତ ଅନ୍ୟାନ୍ୟ ରାଜ୍ୟରେ ମଧ୍ୟ ସରକାରଙ୍କ କୃଷି ଆଇନର ବିରୋଧ ହେଉଛି । ବିଭିନ୍ନ ଚାଷୀ ସଂଗଠନ ନିଜକୁ ଆନ୍ଦୋଳନ କାର୍ଯ୍ୟକ୍ରମରେ ସାମିଲ କରିଛନ୍ତି । ଅନ୍ୟୁନ ୨୫ଟି ରାଜ୍ୟରେ ଗତ ଡ଼ିସେମ୍ବର ୯ ତାରିଖରେ ଚାଷୀଙ୍କ ଡାକରାରେ ‘ଭାରତ ବନ୍ଦ’ ସଫଳ ହେବା ହେଉଛି ଏକ ବଡ଼ ଉପଲବ୍ଧୀ । ୧୨ ତାରିଖରୁ ଦ୍ୱିତୀୟ ପର୍ଯ୍ୟାୟ ଆନ୍ଦୋଳନ ଆରମ୍ଭ ହୋଇଛି । ତାହାକୁ ଦେଶବ୍ୟାପୀ ସମର୍ଥନ ମିଳୁଛି । ତାହା ପ୍ରମାଣିତ କରିଛି ଯେ, ନଭେମ୍ବର ୨୫ରୁ ଚାଲି ଥିବା ଚାଷୀ ଆନ୍ଦୋଳନ ପଂଜାବ, ହରିଆନା ଓ ବିହାରରେ ସୀମିତ ନୁହେଁ, ସମଗ୍ର ଦେଶର ଚାଷୀଙ୍କ ମଥିରେ ଯୋଗଦାନ ରହିଛି । ଆନ୍ଦୋଳନ ପ୍ରତି ସମର୍ଥନ ମଧ୍ୟ ମଢି ଚାଲିଛି ।
ପ୍ରଥମରୁ କେନ୍ଦ୍ର ସରକାର ଆନ୍ଦୋଳନ ବିରୋଧରେ ଦମନମୂଳକ କାର୍ଯ୍ୟାନୁଷ୍ଠାନ ଆରମ୍ଭ କରି ଦେଇଥିଲେ । ଅସମୟରେ ଏହାର ପରିସମାପ୍ତି ଘଟିବା ଚାହୁଁ ଥିଲେ । ଦିଲ୍ଲୀ ସୀମାନ୍ତରେ ଚାଲି ଥିବା ଚାଷୀ ଆନ୍ଦୋଳନ କମିସନ୍ ଏଜେଂଟଙ୍କ ଦ୍ୱାରା ପ୍ରୟୋଜିତ କହି ଆନ୍ଦୋଳନ ପ୍ରତି ନକାରାତ୍ମକ ଭାବ ସୃଷ୍ଟି କରିବା ପ୍ରୟାସ ହୋଇଥିଲା । ଦେଶ ବିରୋଧୀ ଖାଲିସ୍ତାନୀ ଶକ୍ତି ଆନ୍ଦୋଳନ ପଛରେ ଥିବା ଅଭିଯୋଗ ମଧ୍ୟ ହୋଇଥିଲା । ଏସବୁ ସତ୍ତ୍ୱେ ଆନ୍ଦୋଳନର ନେତୃତ୍ୱ ନେଉଥିବା ଜାଠ୍ ଚାଷୀ ନେତାମାନେ ହତୋତ୍ସାହିତ ନ ହୋଇ ଦିଲ୍ଲୀ ସୀମା ପର୍ଯ୍ୟନ୍ତ ପହଂଚି ଗଲେ । ପଂଜାବ-ହରିଆନା ସୀମାନ୍ତ ସିଂଘୁରେ ସେମାନଙ୍କ ଅବରୋଧ କାର୍ଯ୍ୟକ୍ରମ ଚାଲିଛି । ସିଂଘୁ ସୀମାରେ ଶୀତ କାକରରେ ପଡି ରହି ଧାରଣା କାର୍ଯ୍ୟକ୍ରମ ଚାଲୁ ରଖିଥିବା ହଜାର ହଜାର ସଂଖ୍ୟାର ଚାଷୀଙ୍କୁ କେନ୍ଦ୍ର ସରକାର ଅଣଦେଖା କରିବା ହେଉଛି ଅମାନୁଷିକତା ।ତାହାକୁ ଦେଶବ୍ୟାପୀ ନିନ୍ଦା କରାଯିବା ପରେ ସରକାର ଆଲୋଚନାକୁ ଆସିଥିଲେ ।
ଚାଷୀ ନେତା ଓ କେନ୍ଦ୍ର ସରକାରଙ୍କ ମଧ୍ୟରେ ପାଂଚ ପର୍ଯ୍ୟାୟ ଆଲୋଚନା ବିଫଳ ହୋଇଛି । କୃଷି ମନ୍ତ୍ରୀଙ୍କ ସହ ପଂଚମ (ଡ଼ିସେମ୍ବର ୮ ତାରିଖ ) ପର୍ଯ୍ୟାୟ ଆଲୋଚନା ବିଫଳ ହେବା ପରେ ୯ ତାରିଖ ଦିନ ପୂର୍ବରୁ ସ୍ଥିରିକୃତ ‘ଭାରତ ବନ୍ଦ’ କାର୍ଯ୍ୟକ୍ରମ ହୋଇଥିଲା । ‘ବନ୍ଦ’କୁ ଦେଶବ୍ୟାପୀ ପ୍ରବଳ ସମର୍ଥନ ମିଳି ଥିବା ଦେଖି କେନ୍ଦ୍ର ଗୃହ ମନ୍ତ୍ରୀ ଅମିତ ଶାହା ସେଦିନ ସନ୍ଧ୍ୟାରେ ଚାଷୀ ନେତାଙ୍କୁ ଆଲୋଚନା ପାଇଁ ଆମନ୍ତ୍ରଣ କରି ଥିଲେ । ଏହି ଆଲୋଚନା ମଧ୍ୟ ବିଫଳ ହୋଇଛି । ୧୦ ତାରିଖ ଦିନ କେନ୍ଦ୍ର କୃଷି ମନ୍ତ୍ରୀ ଚାଷୀ ନେତାଙ୍କୁ ସମାଧାନର ସୂତ୍ର ଭାବେ କିଛି ପ୍ରସ୍ତାବ ପଠାଇ ତାହା ଉପରେ ନିଜ ଭିତରେ ଆଲୋଚନା କରି ସରକାରଙ୍କୁ ଜଣାଇବାକୁ କହିଥିଲେ । ତେବେ, ଚାଷୀ ସଂଗଠନଗୁଡିକ ସେସବୁ ପ୍ରସ୍ତାବକୁ ପ୍ରତ୍ୟାଖାନ କରି ଆନ୍ଦୋଳନ ଚାଲୁ ରଖିବା ନିଷ୍ପତ୍ତି ଘୋଷଣା କରିଥିଲେ । ଚାଷୀ ନେତାମାନେ ସରକାରଙ୍କ ସରକାରଙ୍କ ପ୍ରସ୍ତାବକୁ ପ୍ରତ୍ୟାଖାନ କରି ସେମାନଙ୍କ ଏକମାତ୍ର ଦାବୀ ତିନି କୃଷି ଆଇନ ନିଃସର୍ତ୍ତରେ ରଦ୍ଦ କରାଯିବା) ବୋଲି ଜଣାଇବା ପରେ ସରକାରଙ୍କ ସ୍ୱାଭିମାନକୁ ଆଘାତ ଲାଗିଛି । କେନ୍ଦ୍ର ସରକାର ନିଜ ପଇଁତରା ବଦଳାଇ ‘ସାବୋଟେଜ୍ ମୋଡ୍’କୁ ଆସିଛନ୍ତି ।
୧୨ ତାରିଖରୁ ଚାଷୀମାନେ ସେମାନଙ୍କ ଆନ୍ଦୋଳନକୁ ତୀବ୍ର କରିବାକୁ ବେଳେ କେନ୍ଦ୍ର ରୋଳବାଇ ଓ ଖାଉଟୀ ବ୍ୟାପାର ମନ୍ତ୍ରୀ ପିୟୁଷ ଗୋଏଲ୍ ବାମପନ୍ଥୀ ଓ ମାଓବାଦୀଙ୍କ ଦ୍ୱାରା ଚାଷୀ ଆନ୍ଦୋଳନ ‘ହାଇଜାକ୍’ ହୋଇଥିବା ମନ୍ତବ୍ୟ ରଖି ଆନ୍ଦୋଳନ ପ୍ରତି ଜନତା ମନାରେ ବିଦ୍ୱେଶ ଭାବ ସୃଷ୍ଟି କରିବାର ଯେଉଁ ଉଦ୍ୟମ ଆରମ୍ଭ କରିଛନ୍ତି ତାହା ବିଜେପି ସରକାରଙ୍କ ଚିରାଚରିତ ରଣନୀତି କୁହାଯାଇପାରେ । କେବେଳ ଗୋଏଲ୍ ନୁହନ୍ତି, କେନ୍ଦ୍ର ସରକାରଙ୍କ ଅନ୍ୟ କେତେକ ମନ୍ତ୍ରୀ ମଧ୍ୟ ଅନୁରୂପ ଅଭିଯୋଗ କରି ଚାଷୀ ଆନ୍ଦୋଳନକୁ ଦେଶ ବିରୋଧୀ ସାବ୍ୟସ୍ତ କରିବାକୁ ଅଂଟା ଭିଡିଛନ୍ତି । ଏହି ଅଭିଯୋଗର ଆଧାର ହେଉଛି, ମାଓ ସଂଗଠନ ସହ ସଂପୃକ୍ତ ଥିବା ଅଭିଯୋଗରେ ଗିରଫ ହୋଇ ଜେଲରେ ଥିବା କିଛି କବି ଓ ବୁଦ୍ଧିଜୀବୀଙ୍କୁ ସରକାର ମୁକ୍ତ କରିବା ଦାବିରେ କିଛି ବାମପଂଥୀ ସଂଗଠନ ରିତିମତ ଆନ୍ଦୋଳନ ଜାରି ରଖିଛନ୍ତି । ଭାରତୀୟ କିଷାନ ୟୁନିୟନ (ବିକେୟୁ) ସେଥିରୁ ଅନ୍ୟତମ । ପ୍ରଥମ ପର୍ଯ୍ୟାୟ ଆଲୋଚନା ଅବସରରେ ସେମାନଙ୍କ ସ୍ୱର କ୍ଷୀଣ ଥିଲା । ଧାଡ଼ିଏ, ଦୁଇ ଧାଡିରେ ତାହା ସୀମିତ ଥିଲା । ପରବର୍ତୀ ପର୍ଯ୍ୟାୟ ଆଲୋଚନାମାନଙ୍କରେ ସେହି ସ୍ୱର ଶୁଣିବାକୁ ମିଳି ନ ଥିଲା । ସରକାରଙ୍କ ସମାଧାନ ପ୍ରସ୍ତାବଗୁଡିକୁ ଚାଷୀ ନେତାମାନେ ପ୍ରତ୍ୟାଖାନ କରିବା ଓ ପରବର୍ତୀ ଆନ୍ଦୋଳନ କାର୍ଯ୍ୟକ୍ରମ ଘୋଷଣା କରିବା ପରେ ଆନ୍ଦୋଳନ ସ୍ଥଳରେ ଏହି ଶକ୍ତିମାନଙ୍କ ପ୍ଲାକାର୍ଡ ଦେଖିବାକୁ ମିଳୁଛି ଓ ସ୍ଲୋଗାନ ଶୁଣା ଯାଉଛି ବୋଲି କେନ୍ଦ୍ର ମନ୍ତ୍ରୀ ଗୋଏଲ୍ ଅଭିଯୋଗ କରି ଦେଶ ବିରୋଧୀ ଶକ୍ତି ଆନ୍ଦୋଳନକୁ ହାଇଜାକ୍ କରି ନେଇ ଥିବା ଥିଓରୀ ଚାଷୀ ଆନ୍ଦୋଳନ ସହ ଯୋଡିଛନ୍ତି ।
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ମଧ୍ୟ ଶୁକ୍ରବାର ଦିନ ଟ୍ୱିଟ୍ କରି ଚାଷୀ ନେତାମାନେ କେନ୍ଦ୍ର କୃଷି ମନ୍ତ୍ରୀ ନରେନ୍ଦ୍ର ସିଂହ ତୋମର ଓ ଖାଉଟୀ ବ୍ୟାପାର ମନ୍ତ୍ରୀ ପିୟୁଷ ଗୋଏଲ୍ ସାମ୍ବାଦିକ ସମ୍ମିଳନୀ ମାଧ୍ୟମରେ ଦେଇଥିବା ପ୍ରସ୍ତାବଗୁଡିକୁ ଗ୍ରହଣ କରି ନେବାକୁ ପରାମର୍ଶ ଦେବା ପରେ ସରକାର ନିଜ ସିଦ୍ଧାନ୍ତରୁ ହଟିବାକୁ ଚାହୁଁ ନଥିବା ସ୍ପଷ୍ଟ ହୋଇଛି । ସରକାର ତିନି କୃଷି ଆଇନକୁ ସଂପୂର୍ଣ୍ଣ ରଦ୍ଦ କରିବା ପ୍ରଶ୍ନ ଉଠୁ ନାହିଁ, ଚାଷୀ ସଂଗଠନଙ୍କୁ ଦିଆଯାଇଥିବା ସମାଧାନ ପ୍ରସ୍ତାବରେ ସେମାନେ ରାଜି ହେଲେ ଆଇନରେ ଯାହା କିଛି ସଂଶୋଧନ ହେବ, ତାହା କେନ୍ଦ୍ର ଗୃହ ମନ୍ତ୍ରୀ ଅମିତ ଶାହା ମଧ୍ୟ ପୂର୍ବରୁ ସ୍ପଷ୍ଟ କରି ଥିଲେ । ଚାଷୀ ସଂଗଠନ ‘ବିକେୟୁ’ କେନ୍ଦ୍ର ସରାକରଙ୍କ ତିନି କୃଷି ଆଇନକୁ ବିରୋଧ କରି ଏହି ଆଇନ ଲାଗୁ ରହିଲେ ସମଗ୍ର ଦେଶରେ ଚାଷୀଙ୍କ ସଂକଟ ବଢିବ ଏବଂ ଏକ ଅସୁରକ୍ଷାର ବାତାବରଣ ସୃଷ୍ଟି ହେବ ଦର୍ଶାଇ ନୂଆ କୃଷି ଆଇନ ଅସିଦ୍ଧ କରାଯିବାକୁ ସୁପ୍ରିମ କୋର୍ଟରେ ଆବେଦନ କରିଛି । ତାହା ସରକାରଙ୍କ ଗାତ୍ରଦାହର କାରଣ ହୋଇଛି । ଜେଲରେ ଥିବା ବାମପଂଥୀ ଚିନ୍ତାଧାରା ସଂପନ୍ନ କବି ଓ ବୁଦ୍ଧିଜୀବୀମାନଙ୍କୁ ତୁରନ୍ତ ମୁକ୍ତି ଦିଆଯିବା ଦାବୀରେ ପ୍ଲାକାର୍ଡ ପ୍ରଦର୍ଶନ ଓ ସ୍ଲୋଗାନବାଜୀ ଦେଉ ଥିବାରୁ ବିଜେପି ସରକାର କ୍ଷୁବ୍ଧ । ଚାଷୀଙ୍କ ପାଇଁ ସଂଗଠନ ସୁପ୍ରିମ କୋର୍ଟକୁ ଯାଇଥିବାରୁ କେନ୍ଦ୍ର ସରକାର ସିଂଘୁ ସୀମାନ୍ତରେ ଚାଲି ଥିବା ଚାଷୀ ଆନ୍ଦୋଳନକୁ ବାମପଂଥୀ ଓ ମାଓବାଦୀଙ୍କ ଦ୍ୱାରା ପ୍ରେରିତ କହିବାକୁ ପଛାଉ ନାହାନ୍ତି ।
ତେବେ, ପୂର୍ବରୁ ମଧ୍ୟ ସଂସଦରେ ଗୃହୀତ ତିନି କୃଷି ଆଇନକୁ ରଦ୍ଦ କରାଯିବା ଆବେଦନ ନେଇ ସୁପ୍ରିମ କୋର୍ଟରେ ମାମଲା ରହିଛି । କୋର୍ଟ ଏହାର ଶୁଣାଣୀ କରି ସରକାରଙ୍କୁ ନୋଟିସ ଜାରି କରିଛନ୍ତି । କେନ୍ଦ୍ର ସରକାରଙ୍କ କୃଷି ଆଇନକୁ ନେଇ ଲଢେଇ ଏବେ ରାଜ ରାସ୍ତାରେ ସୀମିତ ନାହିଁ,ଏହାକୁ ନେଇ ଆଇନଗତ ଲଢେଇ ମଧ୍ୟ ଆରମ୍ଭ ହୋଇଯାଇଛି । ଏକଥା ସରକାର ଭଲ ଭାବେ ଜାଣିଛନ୍ତି । କାରଣ, ସରକାର ତିନି କୃଷି ଆଇନକୁ ସଂସଦରେ ପାରିତ କରାଇବା ପୂର୍ବରୁ ବିରୋଧୀ ଦଳ ଓ ଚାଷୀ ସଂଗଠନଙ୍କ ସହ ପରାମର୍ଶ କରି ନାହାନ୍ତି । ଏକତରଫା ଭାବେ ନିଷ୍ଫତ୍ତି ନେଇଛନ୍ତି । ପ୍ରଥମେ ଅଧ୍ୟାଦେଶ ଓ ପରେ ସଂସଦର ଦୁଇ ଗୃହରେ ବିଲ୍ ଆକାରରେ ତାହା ପାରିତ କରାଇବା ପରେ ରାଷ୍ଟ୍ରପତିଙ୍କ ଅନୁମୋଦନ ନେଇ ଆଇନରେ ପରିଣତ କରିଛନ୍ତି । ଏହା ସଂପୂର୍ଣ୍ଣ ଭାବେ ଅସାମ୍ବିଧାନିକ ବୋଲି ନିକଟରେ ରାଷ୍ଟ୍ରପତି ରାମ ନାଥ କୋଭିନ୍ଦଙ୍କୁ ଭେଟି ଥିବା ଦେଶର ପ୍ରମୁଖ ବିରୋଧୀ ଦଳର ନେତାମାନେ ମଧ୍ୟ ଅଭିଯୋଗ କରିଛନ୍ତି । ତିନି କୃଷି ଆଇନକୁ ରଦ୍ଦ କରିବାକୁ ସେମାନେ ରାଷ୍ଟ୍ରପତିଙ୍କୁ ଦାବୀ ଜଣାଇଛନ୍ତି ।
ତେବେ, ବିରୋଧୀ ଦଳ ନେତାଙ୍କ ଦାବୀ ଉପରେ ରାଷ୍ଟ୍ରପତିଙ୍କ ତୁରନ୍ତ ପ୍ରତିକ୍ରିୟା ମିଳି ନାହିଁ । ସରକାର ମଧ୍ୟ ପଛଘୁଂଚା ଦେବା ସୂଚନା ମିଳୁ ନାହିଁ । ଏହି ପରିସ୍ଥିତିରେ ସରକାର ନିଜର ପ୍ରାଧାନ୍ୟ ବଜାୟ ରଖିବାକୁ ଅସମୟରେ ଆନ୍ଦୋଳନର ପରିସମାପ୍ତି ଘଟୁ ବୋଲି ଚାହିଁବା ସ୍ୱାଭାବିକ । ତେଣୁ, ନୂତନ ରଣନୀତି ସ୍ୱରୂପ ‘ହାଇଜାକ୍’ ନାଟକର ଅବତାରଣା ହୋଇଛି । ଚାଷୀ ଆନ୍ଦୋଳନ ଦେଶବିରୋଧୀ ଶକ୍ତିଙ୍କ ହାତକୁ ଚାଲି ଗଲାଣି କହି ଦମନମୂଳକ କାର୍ଯ୍ୟାନୁଷ୍ଠାନ ହେଲେ କେହି ପ୍ରତିବାଦ କରିବାକୁ ସାହସ କରିବେ ନାହିଁ । ସରକାର ଏକଥା ଭଲ ଭାବେ ଜାଣିଛନ୍ତି । ତେଣୁ, ଦେଶବାସୀଙ୍କୁ ଭ୍ରମିତ କରିବାର ନୂଆ କୌଶଳ ଆରମ୍ଭ ହୋଇଛି । ଆଗାମୀ ଦିନରେ ଚାଷୀ ଆନ୍ଦୋଳନକୁ ଧରାଶାୟୀ କରିବାରେ ଏହା କେତେଦୂର ସଫଳ ହେବ, ତାହା ସମୟ ହିଁ କହିବ ।
ମୁଖ୍ୟ ସଂପାଦକ
ମୋଅନୁଭବ.କମ୍
LETTER FROM THE EDITOR: A SPECIAL THANKS TO OUR READERS
LETTER FROM THE EDITOR: A SPECIAL THANKS TO OUR READERS