କୃଷି ଆଇନ ରଦ୍ଦ ଦାବୀରେ ଅନଶନ, ଦିଲ୍ଲୀ ମୁଖ୍ୟମନ୍ତ୍ରୀ କେଜରୀୱାଲ ସମର୍ଥନ ଦେଲେ
ପ୍ରସାଦ ରାଓ
୧୪ ଡ଼ିସେମ୍ବର
ନୂଆଦିଲ୍ଲୀ: ନୂଆ କୃଷି ଆଇନ ସଂପୂର୍ଣ୍ଣ ରଦ୍ଦ କରାଯିବା ଦାବୀରେ ଦିଲ୍ଲୀ ସୀମାନ୍ତରେ ଚାଲିତିବା ଚାଷୀ ଆନ୍ଦୋଳନ ଉଗ୍ର ରୂପ ଧାରଣା କରିଛି । ପୂର୍ବ ଘୋଷଣା ମୁତାବକ ଆଜି ଦିଲ୍ଲୀର ବିଭିନ୍ନ ସୀମାରେ ହଜାର ହଜାର ସଂଖ୍ୟାରେ ଚାଷୀ ଏକାଠି ହୋଇ ସକାଳ ୮ଟାରୁ ସନ୍ଧ୍ୟା ୫ଟା ପର୍ଯ୍ୟନ୍ତ ଅନଶନ କରିଥିବା ବେଳେ କେନ୍ଦ୍ର ସରକାର କୌଣସି ପ୍ରକାର ଏହି ଆନ୍ଦୋଳନକୁ ଦବାଇବା ପାଇଁ ମୁକବିଲା ରଣନୀତି ପ୍ରସ୍ତୁତ କରୁଥିବା ସୂଚନା ମିଳୁଛି । ଫଳରେ, ଚାଷୀଙ୍କ ସହ ସରକାରଙ୍କ ମୁହାଁମୁହିଁ ପରିସ୍ଥିତି ସୃଷ୍ଟି ହୋଇଛି । ବିଜେପି ନୂଆ କୃଷି ଆଇନ ସପକ୍ଷରେ ଦେଶବ୍ୟାପୀ ଜନମତ ସୃଷ୍ଟି କରିବାକୁ ବ୍ୟାପକ ପ୍ରସ୍ତୁତି ଚଳାଇ ଥିବା ଓଡ଼ିଶାରେ ଦଳର ଜାତୀୟ ମୁଖପାତ୍ର ଅପରାଜିତା ଷଡଂଗୀ ଓ ବରିଷ୍ଠ ନେତା ଜୁଏଲ ଓରାମ ନିକଟରେ ଦେଇଥିବା ସୂଚନାରୁ ଜଣାପଡିଛି । ତେବେ, ସରକାରଙ୍କ ଭଳି ଆନ୍ଦୋଳନକାରୀ ଚାଷୀ ନେତାମାନେ ମଧ୍ୟ ସେମାନଙ୍କ ଜିଦ୍ ରେ ଅଡି ବସିଛନ୍ତି । କେନ୍ଦ୍ର ସରକାର କୌଣସି ପରିସ୍ଥିତିରେ ତିନି କୃଷି ଆଇନ ରଦ୍ଦ ହେବ ନାହିଁ, ଚାଷୀଙ୍କ ଆଡୁ କିଛି ପ୍ରସ୍ତାବ ଆସିଲେ ବିଚାର ବିମର୍ଷ କରାଯାଇ ଆଇନରେ ଯାହା କିଛି ସଂଶୋଧନ କରାଯିବ ବୋଲି ଅଡି ବସିଥିବା ସମୟରେ ଚାଷୀ ନେତାମାନେ ତିନି କୃଷି ଆଇନ ସଂପୂର୍ଣ୍ଣ ରଦ୍ଦ ନ ହେବା ଯାଏ ସେମାନଙ୍କ ଆନେ୍ଦାଳନ ଚାଲୁ ରହିବ ବୋଲି ଆଜି ମଧ୍ୟ ସୂଚନା ଦେଇଛନ୍ତି ।
ଚାଷୀଙ୍କ ଆଜିର ଅନଶନ କାର୍ଯ୍ୟକ୍ରମକୁ ସମର୍ଥନ ଜଣାଇ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରୀୱାଲ ଅନଶନରେ ବସି ଥିବା ବେଳେ ତାଙ୍କ ‘ଆମ ଆଦମୀ ପାର୍ଟି’ର ସମସ୍ତ ସଦସ୍ୟ ଏଥିରେ ସାମିଲ ହେବାକୁ ରବିବାରରୁ ଆହ୍ୱାନ ଦେଇଥିଲେ । ଏହି ଆହ୍ୱାନକୁ ସମ୍ମାନ ଦେଇ ଉପ ମୁଖ୍ୟମନ୍ତ୍ରୀ ସିସୋଦିଆଙ୍କ ସମେତ ‘ଆମ ଆଦମୀ ପାର୍ଟି’ର ସମସ୍ତ ମନ୍ତ୍ରୀ ଓ ବିଧାୟକ ଅଜି ଅନଶନରେ ଭାଗ ନେଇଥିଲେ । ନୂଆ କୃଷି ଆଇନ ରଦ୍ଦ ଦାବୀରେ ଦିଲ୍ଲୀ ସୀମାନ୍ତ ସିଂଘୁ, ଟିକିରୀ, ଘାଜିପୁର ଓ ଦିଲ୍ଲୀ-ନୋଇଡା ସୀମାନ୍ତ ଚିଲ୍ଲୀରେ ଚାଷୀଙ୍କ ଅବରୋଧ କାର୍ଯ୍ୟକ୍ରମରେ ଦେଶର ବିଭିନ୍ନ ଅଂଚଳରୁ ସେଠାରେ ପହଂଚି ଥିବା ଚାଷୀ ଓ ଚାଷୀ ସଂଗଠନମାନେ ସାମିଲ ହୋଇଛନ୍ତି । ଫଳରେ, ପ୍ରତିବାଦ ଯୋରଦାର ହୋଇଛି ।
ବିଭିନ୍ନ ସୀମାନ୍ତରେ ଚାଷୀ ରାସ୍ତା ଅବରୋଧ କରି ବସି ଥିବାରୁ ଟ୍ରାଫିକ୍ ବ୍ୟବସ୍ଥା ଗୁରୁତର ହୋଇଛି । ଦିଲ୍ଲୀ ଟ୍ରାଫିକ ପୁଲିସ ସମସ୍ୟା ସୁଧୁରିବା ପାଇଁ ଟ୍ୱିଟର୍ ମାଧ୍ୟମରେ ଜନସାଧାରଣଙ୍କୁ ବିକଳ୍ପ ରାସ୍ତା ବ୍ୟବହାର କରିବାକୁ ଅନୁରୋଧ କରିଛନ୍ତି । ସିଂଘୁ ସୀମାନ୍ତରେ ହଜାର ହଜାର ସଂଖ୍ୟାରେ ଚାଷୀଙ୍କ ସମାବେଶ ଯୋଗୁ ପରିସ୍ଥିତି ଉତ୍ତେଜନାପୂର୍ଣ୍ଣ ରହିଛି । ଦେଶର ଅନ୍ୟାନ୍ୟ ଅଂଚଳରେ ମଧ୍ୟ ଚାଷୀ ଆନ୍ଦୋଳନକୁ ସମର୍ଥନ ଜଣାଇ ଆଜି ଅନଶନ, ଧର୍ମଘଟ ହୋଇଛି । ୟୁପିର ରାଏ ବରେଲୀ ଠାରେ କଂଗ୍ରେସ ପକ୍ଷରୁ କିଶାନ ଯାତ୍ରାର ଆୟୋଜନ ହୋଇଥିବା ବେଳେ ପୁଲିସ ତାହାକୁ ଅଟକାଇ ଥିଲେ । ତେବେ, ସମାଜବାଦୀ ପାର୍ଟି ପକ୍ଷରୁ ୟୁପିର ସମସ୍ତ ଜିଲ୍ଲା ମୁଖ୍ୟାଳୟରେ ପ୍ରତିବାଦ ସୂଚକ ଧର୍ମଘଟ ହୋଇଛି । ହରିୟାନାର ଉପ ମୁଖ୍ୟମନ୍ତ୍ରୀ ଦୁଷ୍ୟନ୍ତ ଚୌତାଲା ଚାଷୀଙ୍କ ଦାବୀ ସପକ୍ଷରେ ଆଲୋଚନା ପାଇଁ ଆଜି କେନ୍ଦ୍ର ମନ୍ତ୍ରୀ ନୀତୀନ ଗଡକରୀଙ୍କୁ ଭେଟିଛନ୍ତି । ମହାରାଷ୍ଟ୍ରରେ ଶାସକ ‘ଶିବସେନା’ଚାଷୀଙ୍କ ଆନ୍ଦୋଳନକୁ ସମର୍ଥନ କରିବାରୁ, ‘ରାଜ୍ୟ ସରକାର ମରହଟ୍ଟାଙ୍କ କଥା ବୁଝନ୍ତୁ, ଚାଷୀ ଆନ୍ଦୋଳନରୁ ଦୂରେଇ ରୁହନ୍ତୁ’ ବୋଲି ମହାରାଷ୍ଟ୍ରର ପୂର୍ବତନ ମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡ଼ନାଭିସ୍ ବର୍ତମାନର ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେଙ୍କୁ ଚେତାଇ ଦେଇଥିବା ସୂଚନା ମିଳିଛି ।
କେନ୍ଦ୍ର ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ ନୂଆ କୃଷି ଆଇନ ଚାଷୀଙ୍କ ସ୍ୱାର୍ଥ ରକ୍ଷା କରିବ ଓ ଚାଷୀ ଏଥିରେ ବିଶେଷ ଉପକୃତ ହେବେ ବୋଲି ମତ ରଖିଛନ୍ତି । ‘ଆମେ ଚାଷୀ ଭାଇଙ୍କ କଥା ଶୁଣିବାକୁ ସର୍ବଦା ପ୍ରସ୍ତୁତ ରହିଛୁ । ଆମ ସରକାର ସର୍ବଦା ଆଲୋଚନାର ବାଟ ଉନ୍ନୁକ୍ତ ରଖିଛନ୍ତି’ ବୋଲି ସେ ମନ୍ତବ୍ୟ ରଖିଛନ୍ତି । ଆଜି ୧୯ ଦିନରେ ପହଂଚି ଥିବା ଏହି ଚାଷୀ ଆନ୍ଦୋଳନ ଦିନକୁ ଦିନ ତୀବ୍ର ରୂପ ନେଉ ଥିବାରୁ କେନ୍ଦ୍ର ସରକାରଙ୍କ ଚିନ୍ତା ବଢିଛି । କୌଣସି ପ୍ରକାର ଅଚଳାବସ୍ଥା ଦୂର କରିବା ପାଇଁ କେନ୍ଦ୍ର କୃଷି ମନ୍ତ୍ରୀ ନରେନ୍ଦ୍ର ସିଂହ ତୋମର ଆଜି କେନ୍ଦ୍ର ଗୃହ ମନ୍ତ୍ରୀ ଅମିତ ଶାହାଙ୍କ ସହ ଆଲୋଚନା ଜାରି ରଖିଛନ୍ତି । କେନ୍ଦ୍ର କ୍ୟାବିନେଟର ବରିଷ୍ଠ ଅଧିକାରୀମାନେ ଆଲୋଚନାରେ ସାମିଲ ଥିବା ଜଣାପଡିଛି । ଓଡ଼ିଶାର ବିଭିନ୍ନ ଅଂଚଳରୁ ଚାଷୀ ଓ ବିଭିନ୍ନ ଚାଷୀ ସଂଗଠନ ସିଂଘୁ ସୀମାନ୍ତରେ ପହଂଚି ଚାଷୀ ଆନ୍ଦୋଳନ ପ୍ରତି ସମର୍ଥନ ଜଣାଇ ଥିବା ବେଳେ ଓଡ଼ିଶାର ବିଭିନ୍ନ ଜିଲ୍ଲା ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଆଜି ବିଭିନ୍ନ ଚାଷୀ ସଂଗଠନ ପକ୍ଷରୁ ବିକ୍ଷୋଭ, ଧର୍ମଘଟ ହୋଇଥିବା ଜଣପଡିଛି ।
ନୂଆ କୃଷି ଆଇନ ରଦ୍ଦ ଦାବୀରେ ପ୍ରଥମେ ପଂଜାବ ଓ ହରିୟାନା ଚାଷୀମାନେ ଆନ୍ଦୋଳନ ଆରମ୍ଭ କରି ଦୁଇ ମାସ ହେଲା ତାହା ଚାଲୁ ରଖିଛନ୍ତି । କେନ୍ଦ୍ର ସରକାର ପ୍ରଥମେ ସେମାନଙ୍କୁ ଅଣଦେଖା କରିଥିଲେ ମଧ୍ୟ ପରେ ଆନ୍ଦୋଳନ ପ୍ରତି ସମର୍ଥନ ବୃଦ୍ଧି ପାଉଥିବା ଏବଂ ଚାଷୀ ଦିଲ୍ଲୀ ଅଭିମୁଖେ ମାଡି ଆସୁଥିବା ଦେଖି ସେମାନଙ୍କୁ ନିରୁତ୍ସାହିତ କରିବା ପାଇ ଦମନମୂଳକ ପଦକ୍ଷେପ ନେଇଥିଲେ । ତାହା ମଧ୍ୟ ଆନ୍ଦୋଳନକୁ ଧରାଶାୟୀ କରିବାରେ ବିଫଳ ହେଲା । ଚାଷୀମାନେ ଦମନକୁ ଭୃକ୍ଷେପ ନକରି ଦିଲ୍ଲୀ ଆଡେ ମାଡ଼ି ଆସିଲେ । ସୀମାନ୍ତରେ ସେମାନଙ୍କୁ ରୋକା ଯିବାରୁ ସେମାନେ ସିଂଘୁ ସମେତ ଦୀଲ୍ଲୀର ଅନ୍ୟାନ୍ୟ ସୀମାନ୍ତକୁ ଅବରୋଧ କରି ବସିଛନ୍ତି । ଚାଷୀଙ୍କ ପ୍ରତି ବଳ ପ୍ରୟୋଗକୁ ସମଗ୍ର ଦେଶରେ ନିନ୍ଦା କରାଯାଇଛି ଓ ସେମାନଙ୍କୁ ପ୍ରତି ସମର୍ଥନ ଜ୍ଞାପନ କରାଯାଇଛି । ସମୟ ସହ ଆନ୍ଦୋଳନ ମଧ୍ୟ ତେଜିୟାନ ହେବାରେ ଲାଗିଛି । ଏହା ଅନୁଭବ କରବା ପରେ କେନ୍ଦ୍ର ସରକାରଙ୍କ ପକ୍ଷରୁ କୃଷି ମନ୍ତ୍ରୀ ନରେନ୍ଦ୍ର ସିଂହ ତୋମର ଚାଷୀ ନେତାଙ୍କ ସହ ପାଂଚ ପର୍ଯ୍ୟାୟ ଆଲୋଚନା କରିଛନ୍ତି । ଆଲୋଚନାରୁ କୌଣସି ସୁଫଳ ନ ମିଳିବାରୁ ଷଷ୍ଠ ପର୍ଯ୍ୟାୟ ଆଲୋଚନା ପାଇଁ ସ୍ଥିର ହୋଇଥିଲା ।
ସରକାର ତିନି କୃଷି ଆଇନକୁ ରଦ୍ଦ କରିବା ପ୍ରଶ୍ନ ଉଠୁ ନାହିଁ । ଚାଷୀ ନେତାମାନେ କିଛି ସଂଶୋଧନ ପ୍ରସ୍ତାବ ଦେଲେ ତାହାକୁ ବିଚାରକୁ ନେଇ ଆଇନରେ କିଛିଟା ସଂଶୋଧନ କରାଯିବ ବୋଲି କେନ୍ଦ୍ର ସରକାର ଅଡି ରହିବାରୁ ତିନି କୃଷି ଆଇନ ସଂପୂର୍ଣ୍ଣ ରଦ୍ଦ କରାଯିବା ଦାବୀରେ ଅଟଳ ଥିବା ଚାଷୀ ନେତାମାନେ ସେମାନଙ୍କ ପୂର୍ବ ନିଷ୍ପତ୍ତି ମୁତାବକ ଡ଼ିସେମ୍ବର ୯ ତାରିଖରେ ‘ଭାରତ ବନ୍ଦ’ କଲେ । ‘ବନ୍ଦ’ ପ୍ରତି ସମଗ୍ର ଦେଶରେ ଆଶାତୀତ ସମର୍ଥନ ମିଳି ଥିବା ଦେଖି କେନ୍ଦ୍ର ଗୃହ ମନ୍ତ୍ରୀ ଅମିତ ଶାହା ସେହି ଦିନ ସନ୍ଧ୍ୟାରେ ୧୩ ଜଣ ଚାଷୀ ନେତାଙ୍କୁ ଆଲୋଚନା ପାଇଁ ନିମନ୍ତ୍ରଣ କରିଥିଲେ । ୪ ଘଂଟା ଆଲୋଚନା ପରେ ମଧ୍ୟ କୌଣସି ସମାଧାନ ପନ୍ଥା ନ ବାହାରିବାରୁ ୧୦ ତାରିଖ କେନ୍ଦ୍ର କୃଷିି ମନ୍ତ୍ରୀ ତୋମର ଏମଏସପି (କୃଷି ଉତ୍ପାଦନର ସର୍ବନିମ୍ନ ସହାୟକ ମୂଲ୍ୟ) ଗ୍ୟାରେଂଟି ସହ ୨୦ ପୃଷ୍ଠାର ଏକ ସମାଧାନ ସୂତ୍ର ଚାଷୀ ନେତାଙ୍କ ନିକଟକୁ ପଠାଇ ଥିଲେ ।
ଚାଷୀ ନେତାମାନେ ନିଜ ଭିତରେ ପରାମର୍ଶ କରି କେନ୍ଦ୍ର ସରକାରଙ୍କ ପ୍ରସ୍ତାବ ସବୁକୁ ପ୍ରତ୍ୟାଖାନ କରିବା ପରେ ୧୨ ତାରିଖରୁ ପରବର୍ତୀ ଆନେ୍ଦୋଳନ କାର୍ଯ୍ୟକ୍ରମ ଚାଲୁ ରଖିଛନ୍ତି । ୧୨ ତାରିଖ ଦିନ ଦେଶର ବିଭିନ୍ନ ଟୋଲ୍ ପ୍ଲାଜା ନିକଟରେ ଚାଷୀ ସଂଗଠନଗୁଡିକ ପକ୍ଷରୁ ବିକ୍ଷୋଭ ହୋଇଥିଲା । ଆଜି ସକାଳ ୮ଟାରୁ ସନ୍ଧ୍ୟା ୫ଟା ଯାଏଁ ଦେଶବ୍ୟାପୀ ଅନଶନ ହୋଇଛି । ‘ଯିଏ ଅନ୍ନଦାତା ଓ ଦେଶବାସୀଙ୍କ ମୁହଁରେ ଦାନା ଦେଉଛି ସେ ଆଜି ଭୋକିଲା ବସିଛି’ ବୋଲି ସିଂଘୁ ସୀମାନ୍ତରେ ଅନଶନରତ ଚାଷୀ ନେତାମାନେ ମନ୍ତବ୍ୟ ରଖିଛନ୍ତି । କୃଷି ଆଇନ ସଂପୂର୍ଣ୍ଣ ରଦ୍ଦ ନ ହେବା ପର୍ଯ୍ୟନ୍ତ ଆନ୍ଦୋଳନ ଚାଲୁ ରହିବ ବୋଲି ସେମାନେ ଘୋଷଣା କରିଛନ୍ତି ।
LETTER FROM THE EDITOR: A SPECIAL THANKS TO OUR READERS
LETTER FROM THE EDITOR: A SPECIAL THANKS TO OUR READERS