ପରୀ ମାମଲାରେ ଥାନା ଅଧିକାରୀ ନିଲମ୍ବିତ, ଏସଡିପିଓଙ୍କ ବଦଳୀ – ପାଞ୍ଚ ମାସ ଲାଗିଲା କାର୍ଯ୍ୟାନୁଷ୍ଠନ ପାଇଁ ?
ଭୁବନେଶ୍ବର
ଡିସେମ୍ବର ୧୦
ନୟାଗଡ଼ ସଦର ଯଦୁପୁର ଗ୍ରାମର ୫ ବର୍ଷର ଝିଅ ପରୀର ରହସ୍ୟମୟ ହତ୍ୟା ମାମଲାର ତଦନ୍ତରେ ଅବହେଳା ଅଭିଯୋଗରେ ଆଜି ଚାକିରୀରୁ ନିଲମ୍ବିତ ହେଲେ ନୟାଗଡ଼ ଥାନା ଆଇଆଇସି ରୀତରାଣୀ ସାହୁ । ନୟାଗଡ଼ରୁ କନ୍ଧମାଳ ବଦଳୀ ହେଲେ ପୁଲିସ ଏସଡିପିଓ ନିରଞ୍ଜନ ପାଢୀ । ରାଜ୍ୟ ପୁଲିସ ମୁଖ୍ୟାଳୟରୁ ଏହି ସୂଚନା ଆସିଛି ।
ଗତ ଜୁଲାଇ ୧୪ ତାରିଖ ଦିନ ଘରଦାଣ୍ଡରେ ଖେଳୁଥିବା ଅବସ୍ଥାରେ ପରୀ ନିଖୋଜ ହୋଇଥିଲା । ୨୩ ତାରିଖ ଦିନ ଗାଁର ଜଣେ ବ୍ୟକ୍ତିଙ୍କ ବାଡିପଟ ପୋଖରୀ ନିକଟରୁ ଜରିରେ ଗୁଡା ହୋଇଥିବା ଅବସ୍ଥାରେ ତାର ଗଳିତ ଶବ ମିଳିଛି । ଶବର ଆଖି ସହ ଅନେକ ଅଙ୍ଗ ଗାଏବ ଥିଲା । ଶବ ଚିହ୍ନଟ କରିବା ଅବସ୍ଥାରେ ନଥିଲା । ପୁଲିସ ମିଳିଥିବା ହାଡ଼ର ଡିଏନଏ ଟେଷ୍ଟ କରାଇ ଗଳିତ ଶବଟି ପରୀର ବୋଲି ଚିହ୍ନଟ କରିଥିଲେ । ତା’ ପରବର୍ତୀ କାହାଣୀ ପ୍ରାୟତଃ ଓଡ଼ିଶାବାସୀ ଜାଣନ୍ତି । ତଦନ୍ତରେ ପୁଲିସ ଅବହେଳା ଅଭିଯୋଗ ହୋଇଛି । ଅପରାଧୀ ରାଜ୍ୟର ବରିଷ୍ଠ ମନ୍ତ୍ରୀ ଅରୁଣ ସାହୁଙ୍କ ଘନିଷ୍ଠ ଥିବାରୁ ନୟାଗଡ଼ ପୁଲିସ ଓ ପ୍ରଶାସନ ଅଭିଯୁକ୍ତକୁ ଘଣ୍ଟ ଘୋଡାଉ ଥିବା ଏବଂ ପୁଲିସ ଓ ପ୍ରଶାସନ ମନ୍ତ୍ରୀଙ୍କ ଚାପରେ ପରୀ ପରିବାରକୁ ପାଲଟା ମାନସିକ ଓ ଶାରୀରିକ ନିର୍ଯ୍ୟାତନା ଦେଉଥିବା ଭଳି ସଙ୍ଗୀନ ଅଭିଯୋଗଅଧ୍ୟ ଆସିଛି ।
ସାମାଜିକ ଗଣମାଧ୍ୟମରେ ଲଗାତାର ପାରୀକୁ ନ୍ୟାୟ ଦାଵୀରେ ଖବର ପ୍ରସାରଣ ସତ୍ତ୍ୱେ ସରକାରଙ୍କ ଆଖି ଖୋଲି ନଥିଲା । ନିଦାବିଷ୍ଣୁ ସାଜିଥିବା ସରକାରଙ୍କୁ ନିଦରୁ ଉଠାଇବା ପାଇଁ ପରୀର ବାପା ଓ ମା’ ବିଧାନସଭା ଶୀତ ଅଧିବେଶନ ଚାଲିଥିବା ବେଳେ ବିଧାନସଭା ମୁଖ୍ୟ ଫାଟକ ନିକଟରେ ଆତ୍ମାହୁତି ଉଦ୍ୟମ କରିଥିଲେ । ବିଧାନସଭାରେ ବିରୋଧୀ କଂଗ୍ରେସ ଦଳ ଏସଆଇଟି ତଦନ୍ତ ଏବଂ ବିଜେପି ସିବିଆଇ ତଦନ୍ତ ଦାବୀ କରି ଯୋରଦାର ହଙ୍ଗାମା କରିବାରୁ ମୁଖ୍ୟମନ୍ତ୍ରୀ କ୍ରାଇମ ବ୍ରାଞ୍ଚ ତଦନ୍ତ ଘୋଷଣା କରିଥିଲେ । ତେବେ, ବିରୋଧୀ ବିଧାନସଭା ଭିତରେ ଓ ବାହାରେ ହଙ୍ଗାମା ଜାରି ରଖିବାରୁ ମୁଖ୍ୟମନ୍ତ୍ରୀ ଏହି ମାମଲାରେ ଏସଆଇଟି ତଦନ୍ତ ଘୋଷଣା କଲେ । ରାଜ୍ୟ ସରକାରଙ୍କ ସଡ଼କ ପରିବହନ ନିଗମ ଅଧ୍ୟକ୍ଷ ଥିବା ଆଇଜି ପାହ୍ୟା ଅଧିକାରୀ ଅରୁଣ ବୋଥ୍ରା ମୁଖ୍ୟମନ୍ତ୍ରୀଙ୍କ ଦ୍ଵାରା ନିଯୁକ୍ତି ପାଇ ଏସଆଇଟିର ନେତୃତ୍ବ ନେଉଛନ୍ତି । ତାଙ୍କ ତତ୍ତ୍ୱାବଧାନରେ ଏବେ ପରୀ ହତ୍ୟା ମାମଲାର ତଦନ୍ତ ଚାଲିଛି ।
ବିଡ଼ମ୍ବନାର ବିଷୟ ହେଉଛି, ଅରୁଣ ବୋଥ୍ରା ପୁଲିସ୍ ଆଇଜି ପାହ୍ୟାର ଅଧିକାରୀ ହୋଇଥିଲେ ମଧ୍ୟ ରାଜ୍ଯ ସରକାରଙ୍କ ବାଣିଜ୍ୟ ଓ ପରିବହନ ବିଭାଗକୁ ଡେପୁଟେସନରେ ଯାଇ ଓଏସଆରଟିସି ଅଧ୍ୟକ୍ଷ ହୋଇଥିବାରୁ ୩୬ ସିଆରପିସି ଅନୁସାରେ ତାଙ୍କର ଏବେ ପୁଲିସ କ୍ଷମତା ନାହିଁ । ରାଜ୍ୟ ସରକାର ତାଙ୍କୁ ଏସଆଇଟି ମୁଖ୍ୟ ଭାବରେ ନିଯୁକ୍ତି ଦେଇ ପରୀ ମାମଲାର ତଦନ୍ତ କରାଉ ଥିଲେ ମଧ୍ୟ ଓଡ଼ିଶା ହାଇକୋର୍ଟଙ୍କ ପ୍ରତ୍ୟେକ୍ଷ ତତ୍ତ୍ଵାବଧାନରେ ତଦନ୍ତ ଚାଲିଥିବା ନେଇ ଏଯାବତ କୋର୍ଟଙ୍କ ସ୍ଵୀକୃତି ମିଳି ନାହିଁ । ତେଣୁ, ଏହି ତଦନ୍ତର ଆଇନଗତ ବୈଧତା ନାହିଁ ବୋଲି ରାଜ୍ୟର ପୂର୍ବତନ ପୁଲିସ ମହାନିର୍ଦ୍ଦେଶକ ତଥା ବିଜେପି ନେତା ପ୍ରକାଶ ମିଶ୍ର ମନ୍ତବ୍ୟ ଦେବା ପରେ ସରକାରଙ୍କ ମତିଗତି ନେଇ ସନ୍ଦେହ ସୃଷ୍ଟି ହୋଇଛି । ସରକାରଙ୍କ ଅଜ୍ଞତା ମଧ୍ୟ ପଦାରେ ପଡିଛି ।
ପରୀ ମାମଲାରେ ମୁଖ୍ୟମନ୍ତ୍ରୀଙ୍କ ଏସଆଇଟି ତଦନ୍ତ ଘୋଷଣାରେ ଖୁସି ବ୍ୟକ୍ତ କରିଥିବା କଂଗ୍ରସ ଦଳର ବରିଷ୍ଠ ନେତା ବିଧାୟକ ନରସିଂହ ମିଶ୍ର ଆଜି ବିଜେପି ନେତା ମିଶ୍ରଙ୍କ ସହ ସ୍ବର ମିଳାଇ ୩୬ ସିଆରପିସି କଥା ଉଠାଇଛନ୍ତି ଏବଂ ଅରୁଣ ବୋଥ୍ରାଙ୍କ ତଦନ୍ତର ବୈଧତାକୁ ନେଇ ପ୍ରଶ୍ନ କରିଛନ୍ତି । ନୟାଗଡ଼ ବିଧାୟକ ତଥା ରାଜ୍ୟ ଉଚ୍ଚଶିକ୍ଷା ମନ୍ତ୍ରୀ ଡକ୍ଟର ଅରୁଣ ସାହୁ ଅପରାଧୀକୁ ଘଣ୍ଟ ଘୋଡାଉ ଥିବାରୁ ନିଜ ଆଡୁ ମନ୍ତ୍ରୀ ପଦରୁ ଇସ୍ତଫା ଦିଅନ୍ତୁ ବା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ତାଙ୍କୁ ବହିଷ୍କାର କରନ୍ତୁ ବୋଲି ନିକଟରେ ଓଡ଼ିଶାରେ ଦଳୀୟ ସଂଗଠନର ଦାୟିତ୍ଵ ନେଇ ଥିବା ବିଜେପି କେନ୍ଦ୍ରୀୟ ନେତ୍ରୀ ତଥା ପ୍ରଭାରୀ ଡି. ପୁରୁନ୍ଦେଶ୍ୱରୀ ଦାବୀ କରିଛନ୍ତି ।
ଆଜି ଦଳର ଏକ ପ୍ରତିନିଧି ଦଳ ସହ ପୁରୁନ୍ଦେଶ୍ୱରୀ ଯଦୁପୁର ଗ୍ରାମକୁ ଯାଇ ପରୀ ବାପା, ମା’ଙ୍କୁ ଭେଟି ଥିଲେ । ପରେ ସେ ଏହି ଦାବୀ କରିଛନ୍ତି । ଏତେ ସବୁ ଘଟିବା ପରେ ଯାଇ ଆଜି ଓଡ଼ିଶା ସରକାର ଓ ପୁଲିସ ମୁଖ୍ୟ ଙ୍କ ନିଦ ଭାଙ୍ଗିଛି । ଡିଜିପି ଅଭୟ ଆକ୍ସନ୍ ମୋଡ୍ କୁ ଆସିଛନ୍ତି । ନୟାଗଡ଼ ଥାନା ଆଇଆଇସି ରିତାରାଣୀ ନିଲମ୍ୱିତ ହୋଇଥିବା ବେଳେ ଏସଡିପିଓ ପାଢୀ କନ୍ଧମାଳ ଜିଲ୍ଲାକୁ ବାଦଳୀ ହେଇଛନ୍ତି ।
ପରୀ ଭଳି ଗୋଟିଏ ଛୋଟିଆ ଝିଅକୁ କିଏ, କାହିଁକି ଓ କେଉଁ ପରିସ୍ଥିତିରେ ହତ୍ୟା କରିଛି, ତାହା ନିରପେକ୍ଷ ତଦନ୍ତ ହେଲେ ହିଁ ଜଣାପଡିବ । ହତ୍ୟାକାରୀକୁ ମନ୍ତ୍ରୀ ଘଣ୍ଟ ଘୋଡାଉଛନ୍ତି କି ନାହିଁ, ତାହା ମଧ୍ୟ ସ୍ପଷ୍ଟ ହୋଇଯିବ । ତେବେ, ଗୋଟିଏ କଥା ଅସ୍ପଷ୍ଟ ରହିଯିବ, କାହା ଇଙ୍ଗିତରେ ଚାରି ମାସ ହେଲା ପରୀ ମାମଲାର ତଦନ୍ତ ଶିଥିଳ ଥିଲା ଏବଂ ପରୀ ପରିବାରକୁ ପାଲଟା ନିର୍ଯାତନା ଦେଉଥିବା ପୁଲିସ ଅଧିକାରୀମାନେ ସୁରକ୍ଷିତ ଥିଲେ ? ରାଜ୍ୟ ପୁଲିସର ମହାନିର୍ଦ୍ଦେଶକ ମଧ୍ୟ ଚାପରେ ଥିଲେ କି ?? ଏ ସବୁ ପ୍ରଶ୍ନର ଉତ୍ତର କେବଳ ଡ଼ିଜିପି ହିଁ ଦେଇ ପାରିବେ ।
Share this:
LETTER FROM THE EDITOR: A SPECIAL THANKS TO OUR READERS
LETTER FROM THE EDITOR: A SPECIAL THANKS TO OUR READERS