କରୋନା ଡ଼ାଏରୀ (୨୬)…ବର୍ଷ ସରିଲା ସିନା ଭୟ କମିନି
ପ୍ରସାଦ ରାଓ
ଭୁବନେଶ୍ୱର
୨୭ ଡ଼ିସେମ୍ବର
୨୦୨୦ ବର୍ଷ ସରିବାକୁ ମାତ୍ର ଚାରି ଦିନ ବାକି ରହିଛି । କରୋନା, ପାଠକ, ପ୍ରଦୀପ ଓ ପରୀ ମାମଲା ବିଦାୟୀ ବର୍ଷଟିକୁ ବେଶ୍ ଘଟଣା ବହୁଳ କରି ରଖିଛି । ମାର୍ଚ୍ଚ ମାସରେ କରୋନା ମହାମାରୀ ଓଡ଼ିଶା ଛୁଇଁଲା ଯେ ଆଜି ସୁଦ୍ଧା ତାହାର ପ୍ରକୋପ କମିନି । ଭୂତାଣୁ ତାହାର ସ୍ୱରୂପ ବଦଳାଇ ଚାଲିଛି । କେତେବେଳେ କେଉଁ ରୂପରେ କାହାକୁ ସଂକ୍ରମିତ ହେବ ସେହି ଭୟରେ ଅଛନ୍ତି ସମସ୍ତେ । ମାର୍ଚ୍ଚ ୧୫ରେ ଓଡ଼ିଶାର ପ୍ରଥମ କରୋନା ଆକ୍ରାନ୍ତ ଚିହ୍ନଟ ହେଲେ ଭୁବନେଶ୍ୱରରୁ । ବିଦେଶ ଫେରନ୍ତା, ପଶ୍ଚିମ ବଂଗ ଫେରନ୍ତା, ଜାମାତ ତବଲିଘ, ପରେ ପ୍ରବାସୀ କରୋନା ବାହାକ ହୋଇ ଓଡ଼ିଶାରେ କରୋନା ମହାମାରୀକୁ ବିସ୍ଫୋରକ ରୂପ ଦେଲେ । ପ୍ରଥମେ ମାର୍ଚ୍ଚ ୨୧ରେ ପ୍ରଧାନମନ୍ତ୍ରୀ ଆହ୍ୱାନକ୍ରମେ ଦେଶବ୍ୟାପୀ କରୋନା ସଚେତନତା କାର୍ଯ୍ୟକ୍ରମ ଓ ଘଂଟପିଟା ହେଲା । ୨୨ ତାରିଖରୁ ରାଜ୍ୟରେ ଏବଂ ୨୪ ତାରିଖରୁ ସମଗ୍ର ଦେଶରେ କରୋନା ସଂକ୍ରମଣକୁ ରୋକିବା ସକାଶେ ‘ତାଲାବନ୍ଦ’ ଲାଗୁ ହେଲା । ଏହାକୁ ନେଇ ଯେଉଁ ଅଭୁତପୂର୍ବ ପରିସ୍ଥିତି ସୃଷ୍ଟି ହେଲା ତାହା ସମସ୍ତେ ଅଙ୍ଗେ ନିଭାଇଛନ୍ତି । ‘ତାଲାବନ୍ଦ’ ଉଠିବା ପରେ ମଧ୍ୟ ଦେଶ ତଥା ରାଜ୍ୟ ଅସ୍ୱାଭାବିକ ପରିସ୍ଥିତିରୁ ମୁକୁଳିନି । ଜୁନ ମାସ ପରେ ପରିସ୍ଥିତିରେ କିଛିଟା ସୁଧାର ଆସିଛି ସିନା ଭୟ ଦୂର ହୋଇ ନାହିଁ । ସମସ୍ତଙ୍କ ଅପେକ୍ଷା କରୋନା ଟୀକାକୁ । ଟୀକା ଆସିଲେ ସବୁ କିଛି ସୁଧୁରିଯିବ । ସେହି ବିଶ୍ୱାସରେ ଅପେକ୍ଷାରେ ଅଛନ୍ତି ସମସ୍ତେ ।
ବର୍ଷ ସରିବା ବେଳେକୁ ବ୍ରିଟେନରୁ କରୋନା ମହାମାରୀ ନୂଆ ରୂପ ନେଇ ଫେରିଥିବା ଖବରରେ ସମସ୍ତେ ବିଚଳିତ । ପୁଣି ଥରେ ଦେଶ ‘ତାଲାବନ୍ଦ’ ଆଡକୁ ଯିବ ନାହିଁ ତ ? ଏଭଳି ଏକ ଆଶଙ୍କା ଜାଗ୍ରତ ହେଲାଣି । ଟୀକା ଆସିଲେ ସମସ୍ତେ ସୁରକ୍ଷିତ ରହିବା ସମ୍ଭାବନା ଭିତରେ ୨୦୨୧କୁ ଅପେକ୍ଷା କରାଯାଇଛି । ତେବେ, ଟୀକା ଆସିବା ପରେ ମଧ୍ୟ କରୋନା ଭୟ ରହିବ । ପୂର୍ବ ଭଳି ସବୁ କିଛି ସ୍ୱାଭାବିକ ହେବ ନାହିଁ । ସମସ୍ତଙ୍କୁ ଡରି ଡରି ଜିଇଁବାକୁ ପଡିବ । ମୁହଁକୁ ମାସ୍କରେ ଘୋଡାଇ ରଖିବାକୁ ପଡିବ । ପରସ୍ପର ମଧ୍ୟରେ ଛଅ ଫୁଟ ଦୂରତା ରକ୍ଷା ସହ ବାରମ୍ବାର ସାନିଟାଇଜରରେ ହାତ ଧୋଇବାକୁ ପଡିବ । କାରଣ, କରୋନା ଟୀକା କେତେଦୂର ସମସ୍ତଙ୍କୁ ସୁରକ୍ଷା ଦେଇ ପାରିବ ତାହା ଏପର୍ଯ୍ୟନ୍ତ ନିଶ୍ଚିତ ନୁହେଁ । ବିଶେଷଜ୍ଞଙ୍କ କହିବା ଅନୁସାରେ ଗୋଟିଏ ମହାମରୀ ନିରୋଧକ ଟୀକା ପ୍ରସ୍ତୁତି ପାଇଁ ଲମ୍ବା ଗବେଷଣାର ଆବଶ୍ୟକତା ରହିଛି । ସଂପୂର୍ଣ୍ଣ ସରକ୍ଷା ଦେଇ ପାରୁଥିବା ଗୋଟିଏ ଟୀକା ଉଦ୍ଭାବନ ପାଇଁ ୨୦ରୁ ୨୨ ବର୍ଷ ମଧ୍ୟ ଲାଗି ଯାଉଛି । ଆଜି ଦିନରେ ମାତ୍ର ୧୧ ମାସରେ ଗୋଟିଏ ଟୀକାକୁ ପରୀକ୍ଷା କରାଯାଇ ମାନବ ଉପଯୋଗୀ ବୋଲି ଘୋଷଣା କରିବା ହେଉଛି ଏକ ରାଜନୈତିକ ବାଧ୍ୟବାଧକତା । ତେଣୁ, ଉଦ୍ଭାବନ ହୋଇଥିବା ବିଭିନ୍ନ କିସମର ଟୀକା ଶତ ପ୍ରତିଶତ କାମ କରିବା ଆଶା କ୍ଷୀଣ । ଭିନ୍ନ ଭିନ୍ନ ଟୀକାର ମାନବିକ ପରୀକ୍ଷଣ ସରିଛି ସତ, କିନ୍ତୁ କେଉଁ ଟୀକା କେତେ ପ୍ରତିଶତ ସୁରକ୍ଷା ଦେଇ ପାରିବ ତାହା ଉପଯୋଗ ପରେ ହିଁ ଜଣାପଡିବ । ତେବେ, ୧୦ ମାସ ହେଲା ପ୍ରତିକୂଳ ପରିସ୍ଥିତି ସହ ଲଢୁ ଥିବା ସାଧାରଣ ଜନତା କରୋନା ମହାମାରୀ ସହ ନିଜକୁ ଖାପ କୁଆଇ ନେଇଥିବା ଆଜିର ଦିନରେ ରାସ୍ତା ଘାଟ, ଦୋକାନ ବଜାରରେ ଦେଖିବାକୁ ମିଳୁ ଥିବା ବେପରୁଆ ମନୋଭାବରୁ ସ୍ପଷ୍ଟ ହେଉଛି ।
୨୦୨୦ ବର୍ଷ କରୋନା ମହାମାରୀର ବର୍ଷ ହୋଇଥିଲେ ମଧ୍ୟ ଆଉ କିଛି ଘଟଣା ମଧ୍ୟ ଏହି ବର୍ଷକୁ ଚର୍ଚ୍ଚାରେ ରଖିଛି । ସେଥିରୁ ଦୁଇଟି ପ୍ରମୁଖ ଚର୍ଚ୍ଚିତ ଘଟଣା ହେଉଛି – ବନ ବିଭାଗ ଦୁର୍ନୀତି ଏବଂ ପରୀ ଅପହରଣ ଓ ହତ୍ୟା ଘଟଣା । ଏହି ଦୁଇଟି ଘଟଣା ବର୍ଷ ଶେଷ ଆଡୁକୁ ଓଡ଼ିଶାକୁ ଚର୍ଚ୍ଚାରେ ରଖିଛି । ଓଡ଼ିଶା ରାଜନୀତି ମଧ୍ୟ ସରଗରମ ରହିଛି । ଶାସକ ଦଳର ବିଧାୟକ ଓ ମନ୍ତ୍ରୀମାନେ ବିରୋଧୀଙ୍କ ଟାର୍ଗେଟ୍ ହୋଇ ସରକାରଙ୍କ ନିଦ ହଜାଇଛନ୍ତି । ଠକେଇ ଓ ଜାଲିଆତି ମାମଲାରେ ରାଜ୍ୟର ଜଣେ ବିଧାୟକ ତଥା ପୂର୍ବତନ ମନ୍ତ୍ରୀ ଡ଼ିସେମ୍ବର ପ୍ରଥମ ସପ୍ତାହରୁ ଗିରଫ ହୋଇ ଜେଲ୍ ରେ ଥିବା ବେଳେ ଅନ୍ୟ ଜଣେ ବରିଷ୍ଠ ମନ୍ତ୍ରୀ ଏବେ ପରୀ ଦୁଷ୍କର୍ମ ଓ ହତ୍ୟା ମାମଲାରେ ଛନ୍ଦି ହୋଇ ମାନସିକ ଚାପରେ ଅଛନ୍ତି । ଘଟଣାରେ ମନ୍ତ୍ରୀ ସଂପୃକ୍ତ ନଥିଲେ ମଧ୍ୟ ତାଙ୍କ ବିରୋଧରେ ସଂଦିଗ୍ଧଙ୍କୁ ଘଂଟ ଘୋଡାଉ ଥିବା ଅଭିଯୋଗ ରହିଛି । ବିରୋଧୀ ଏହାକୁ ନେଇ ସରକାରଙ୍କୁ ଚାପରେ ରଖି ଥିବା ବେଳେ ସଂପୃକ୍ତ ମନ୍ତ୍ରୀ ନିଜ ପଦ, ମର୍ଯ୍ୟାଦା ରକ୍ଷା ନେଇ ଚିନ୍ତିତ ।
ପାଠକ, ପ୍ରଦୀପ ଓ ପରୀ…
ଆୟବର୍ହିଭୂତ ସଂପତ୍ତି ଠୁଳ କରି ରାଜକୀୟ ଜୀବନ ବିତାଉ ଥବା ବନ ବିଭାଗର ନିଲମ୍ବିତ ଅତିରିକ୍ତ ପିସିସିଏଫ୍ ଅଭୟ କାନ୍ତ ପାଠକ, ତାଙ୍କ ପୁଅ ଆକାଶ ପାଠକ ଓ ଶାସକ ଦଳ ବିଧାୟକ ପ୍ରଦୀପ ପାଣିଗ୍ରାହୀ ଏବେ ଝାରପଡା ଜେଲରେ । ପାଠକଙ୍କ ମୁଣ୍ଡରେ କାହା ଆଶୀର୍ବାଦର ହାତ ଥିଲା, ତାହା ଆଜି ମଧ୍ୟ ଅସ୍ପଷ୍ଟ । ସରକାରୀ ପ୍ରୋତ୍ସାହନ ବିନା କଣ ପାଠକ ଏତେ ବଡ଼ ଦୁର୍ନୀତିର ସାମ୍ରାଜ୍ୟ ବିସ୍ତାର କରିପାରିଥା’ନ୍ତେ ? ଏଭଳି ସନ୍ଦେହ ବଳବତ୍ତର ରହିବା ସହ ସରକାରଙ୍କ ଅଡୁଆ ବଢାଇଛି । ବିରୋଧୀଙ୍କ ଯୁକ୍ତି ହେଉଛି, ଅଭୟ ପାଠକଙ୍କ ଦୁର୍ନୀତିର ସାମ୍ରାଜ୍ୟ ସଂପର୍କରେ ମୁଖ୍ୟମନ୍ତ୍ରୀ ସିନା ଅନଭିଜ୍ଞ ଥିଲେ; ଜଂଗଲ ବିଭାଗ ମନ୍ତ୍ରୀ, ଶାସନ ସଚିବ ଏବଂ ଅନ୍ୟ ବରିଷ୍ଠ ଅଧିକାରୀମାନେ କଣ ଜାଣିପାରୁ ନଥିଲେ ? ସରକାରଙ୍କ ଗୁଇନ୍ଦା ବିଭାଗ, କ୍ରାଇମ୍ ବ୍ରାଂଚ୍ ଏବଂ ଭିଜିଲାନ୍ସ ବିଭାଗ କଣ କରୁଥିଲେ ? ଥିଲେ? ସରକାରଙ୍କ ଧୋବ ଫରଫର ଚେହେରାରେ ପାଠକ କେଲେଂକାରୀ ଦାଗ ଲଗାଇଛି । ନିଲମ୍ବିତ ଅତିରିକ୍ତ ପିସିସିଏଫ୍ ଅଭୟ କାନ୍ତ ପାଠକ କେବଳ ନୁହନ୍ତି, ତାଙ୍କ ପୁଅ ଆକାଶ ପାଠକ ମଧ୍ୟ ଦୁର୍ନୀତି, ଜାଲିଆତିରେ ଏଭଳି ବୁଡି ରହି ଥିଲେ ଯେ ଜାଣିବା ଶୁଣାବା ମହଲ ଚକିତ । ଗଂଜାମ ଜିଲ୍ଲାର ବିଧାୟକ ପାଣିଗ୍ରାହୀଙ୍କୁ ଧରି ସେ ଖେଳ ଖେଳିଛନ୍ତି ।
ଭିଜିଲାନ୍ସ ବିଭାଗ କହିବା ଅନୁସାରେ, ଆଇଏଫଏସ୍ ପାଠକ ଗଂଜାମ ଜିଲ୍ଲା ସମେତ ରାଜ୍ୟର ବିଭିନ୍ନ ଅଂଚଳରେ ଡ଼ିଏଫଓ ଓ ବନ ବିଭାଗ ଅଧିକାରୀ ଥାଇ ଦୁର୍ନୀତିର ଜାଲ ବିଛାଇ ଦେଇଥିଲେ । ନିକଟରେ ସେ ରାଜ୍ୟ ବନ ବିଭାଗ ମୁଖ୍ୟ ହେବାର ଥିଲା । କିନ୍ତୁ, ତାଙ୍କ ଦୁର୍ନୀତି ପଦାରେ ପଡିବା ପରେ ସରକାର ନିଲମ୍ବିତ କରିବା ସହ ତାଙ୍କୁ ଚାକିରୀରୁ ବରଖାସ୍ତ କରିବା ପାଇଁ କେନ୍ଦ୍ର ସରକାରଙ୍କୁ ସୁପାରିଶ କରିଛନ୍ତି । କ୍ଷମତାର ଦୁରୁପଯୋଗ କରି ପାଠକ ଅସଦ୍ ଉପାୟରେ ଯେଉଁ କୋଟି କୋଟି ଟଙ୍କା ଉପାର୍ଜନ କରିଛନ୍ତି ତାହା ତାଙ୍କ ପୁଅର ଭବିଷ୍ୟତକୁ ଅନ୍ଧକାର କରି ଦେଇଛି । ବାପା ନିଜେ ପୁଅକୁ ଦୁର୍ନୀତିର ପଂକ ଭିରକୁ ଟାଣି ଥିଲେ । ପୁଅ ମାଧ୍ୟମରେ କଳା ଟଙ୍କା ବ୍ୟାଙ୍କରେ ଜମା କରୁଥିଲେ ଏବଂ ପୁଅକୁ ନକଲି ଟାଟା ମୋଟର୍ସ ଏମଡ଼ି କରି ଅୟସ କରୁଥିଲେ । ରାଜଧାନୀର ଏକ ଘରୋଇ ବୈଷୟିକ ଶିକ୍ଷାନୁଷ୍ଠାନରୁ ବି.ଟେକ୍ ପାସ୍ କରିଥିବା ପୁଅ ଆକାଶ ବାପାଙ୍କୁ ବଳି ଯାଇଥିଲେ ଦୁର୍ନୀତି, ଜାଲିଆତି ଓ ଅୟାସୀରେ । ଟାଟା ମୋଟର୍ସ ଏମଡ଼ି ଭାବେ ଜାଲ୍ ଫେସ୍ ବୁକ୍ ଓ ମେଲ୍ ଆଇଡି ବନାଇ ଆକାଶ ଯେଉଁ ଠକେଇ ଆରମ୍ଭ କରିଥିଲେ ତାହା ବାପା, ପୁଅଙ୍କ ସହ ଜଣେ ବିଜେଡ଼ି ବିଧାୟକଙ୍କୁ ମଧ୍ୟ ଜେଲରେ କଡି ଗଣିବାକୁ ବାଧ୍ୟ କରିଛି । ବାପାଙ୍କ କଳା ଟଙ୍କାରେ ପୁଅ ଅୟସ କରୁଥିଲା ନା ନିଜ ଜାଲସାଜି ଆୟରେ ଚାର୍ଟର ବିମାନରେ ବୁଲୁ ଥିଲା, ସେ ସଂପର୍କରେ ଅଧିକ ତଦନ୍ତ ଚାଲିଛି ବୋଲି ଭିଜିଲାନ୍ସ କହିଛି ।
ଗଂଜାମ ଜିଲ୍ଲା ଗୋପାଳପୁର ବିଧାୟକ ପ୍ରଦୀପ ପାଣିଗ୍ରାହୀ ଏକଦା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ‘ନୟନ ପିତୁଳା’ ଥିଲେ । ମୁଖ୍ୟମନ୍ତ୍ରୀ ତାଙ୍କୁ ଗଂଜାମ ଜିଲ୍ଲା ବିଜେଡ଼ି ସଭାପତି କରି ଦଳକୁ ସୁଦୃଢ କରିବା ଦାୟିତ୍ୱ ଦେଇଥିଲେ । ଜିଲ୍ଲାରେ ତାଙ୍କର ଅସଂଭବ ପ୍ରଭାବ ଥିଲା । ଗୋପାଳପୁର ସମୁଦ୍ର ଉପକୂଳରେ ‘ଟାଟା ଷ୍ଟିଲ୍’ର ମେଗା ଇସ୍ପାତ ପ୍ରକଳ୍ପ ପ୍ରତିଷ୍ଠା ପ୍ରତିଶ୍ରୁତି ସିନା ରହିଲା ନହିଁ, ଏହି ପ୍ରକଳ୍ପକୁ ନେଇ ଯେଉଁମାନେ ନେତା ହୋଇଥିଲେ ସେମାନଙ୍କ ମଧ୍ୟରୁ ପାଣିଗ୍ରାହୀ ହେଉଛନ୍ତି ଅନ୍ୟତମ । ଟାଟା କଂପାନୀ ନବେ ଦଶକରେ ଏହି ପ୍ରକଳ୍ପ ପ୍ରତିଷ୍ଠା ଆଳରେ ଗୋପାଳପୁର ସମୁଦ୍ର ଉପକୂଳ ଅଂଚଳରେ ହଜାର ହଜାର ଏକର ଉର୍ବର ଚାଷ ଜମି ଏବଂ କିଆ ଚାଷ ଅଂଚଳ ଦଖଲ କରିଛି । ପ୍ରକଳ୍ପ ସିନା ହୋଇ ନାହିଁ ବିସ୍ଥାପିତଙ୍କ ଜମି ‘ସ୍ୱତନ୍ତ୍ର ଇକୋନୋମିକ୍ ଜୋନ୍’ରେ ଲାଗିଛି । ବିସ୍ଥାପିତମାନେ ‘ଇଡକୋ’ ମାଧ୍ୟମରେ ସରକାର ଦଖଲ କରିଥିବା ସମସ୍ତ ଉର୍ବର ଜମି ଚାଷୀଙ୍କୁ ଫେରସ୍ତ କରିବାକୁ ଏବଂ ସେସବୁ ଅଂଚଳର ବେକାର ଯୁବକ, ଯୁବତୀଙ୍କୁ କର୍ମ ନିଯୁକ୍ତି ଯୋଗାଇ ଦେବାକୁ ସରକାରଙ୍କ ନିକଟରେ ଦାବି କରି ଆସୁଛନ୍ତି । ଗୋପାଳପୁର ବିଧାୟକ ପାଣିଗ୍ରାହୀ ମଧ୍ୟ ବିସ୍ଥାପିତ ଅଂଚଳର ଅଧିବାସୀ । ବିସ୍ଥାପିତ ପରିବାରର ପିଲାଙ୍କୁ ନିଯୁକ୍ତି ମିଳିବା ଦାବିରେ ଜିଲ୍ଲା ମୁଖ୍ୟାଳୟରେ ଲଗାତର ଆନ୍ଦୋଳନ, ଧାରଣା ହେଉଛି ସିନା ସରକାର ପ୍ରତିଶ୍ରୁତି ଛଡା ସେମାନଙ୍କୁ ଆଉ କିଛି ଦେଉ ନାହାନ୍ତି । ତେଣୁ, ଟାଟା କଂପାନୀଙ୍କୁ ଠକିବା ପାଇଁ ବିଧାୟକ ପାଣିଗ୍ରାହୀ, ଦୀର୍ଘ ବର୍ଷ ଗଂଜାମ ଜିଲ୍ଲାରେ ବନ ଅଧିକାରୀ ରହିଥିବା ଆଇଏଫଏସ୍ ଅଭୟ କାନ୍ତ ପାଠକ ଓ ତାଙ୍କ ପୁଅ ଆକାଶ ପାଠକଙ୍କ ମଧ୍ୟରେ କିଛି ଗୋଟାଏ ସୁଚିନ୍ତିତ ଯୋଜନା ହୋଇଥିବା ଅନୁମାନ କରାଯାଇପାରେ ।
ଭିଜିଲାନ୍ସ ତଦନ୍ତରୁ ମିଳିଥିବା ତଥ୍ୟ ଅନୁଯାୟୀ, କରୋନା ମହାମାରୀ ପ୍ରାରମ୍ଭରେ (ଏପ୍ରିଲ ମାସରେ) ଏହି ଠକେଇ ଯୋଜନା ରୂପ ପାଇଥିଲା । ଟାଟା ମୋଟର୍ସ ନାମରେ ଜାଲ୍ ଆଇଡି ପ୍ରସ୍ତୁତ କରାଯାଇ ବିସ୍ଥାପିତ ଅଂଚଳର ବେକାର ଯୁବକ, ଯୁବତୀଙ୍କୁ ଟାର୍ଗେଟ୍ କରାଯାଇଥିଲା । ଆକାଶ ପାଠକ ଭୁବନେଶ୍ୱରରେ ନିଜ ବାପାଙ୍କ ସରକାରୀ କ୍ୱାଟର ସମେତ ବ୍ରହ୍ମପୁର ଓ ମୁମ୍ବାଇରେ ସୁଶୋଭିତ କାର୍ଯ୍ୟାଳୟମାନ ଖୋଲି ଟାଟା ମୋଟର୍ସ ଲୋଗୋ ଥିବା ‘ଫେସ୍ ବୁକ’ ପୃଷ୍ଠାରେ କର୍ମ ନୁଯିକ୍ତି ବିଜ୍ଞାପନ ଦେଇଥିଲେ । ମୁଖ୍ୟତଃ ବିଧାୟକ ପାଣିଗ୍ରାହୀଙ୍କ ଅଂଚଳର ଶିକ୍ଷିତ ବେକାର ଯୁବକ ଯୁବତୀଙ୍କୁ ଟାର୍ଗେଟ୍ କରାଯାଇଥିଲା । ଅନ୍ ଲାଇନ୍ ସାକ୍ଷାତକାର ପରେ ନିଯୁକ୍ତିପତ୍ର ଦେଇ ଏହି ବେକାର ଯୁବକ, ଯୁବତୀଙ୍କ ଠାରୁ ଲକ୍ଷ, ଲକ୍ଷ ଟଙ୍କା ଆଦାୟ ହୋଇଥିଲା । ଟାଟା ମୋଟର୍ସ କତ୍ତୃପକ୍ଷ ମେ’ ମାସରେ ଏହି ଜାଲିଆତି ସଂପର୍କରେ ଜାଣି ଆକାଶ ପାଠକଙ୍କ ବିରୋଧରେ କ୍ରାଇମ୍ ବ୍ରାଂଚ ପୁଲିସରେ ଲିଖିତ ଏତଲା ଦେଇଥିଲେ । ସିବି ସିଆଇଡ଼ି ଏତଲା ରଖି ସୁଦ୍ଧା କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ ନ କରିବାରୁ ସେପ୍ଟେମ୍ବର ମାସରେ ପୁନର୍ବାର ଏତଲା ଦିଆଯାଇଥିଲା । ତଥାପି କ୍ରାଇମ୍ ବ୍ରାଂଚ ଶୋଇ ରହିଥିଲା ।
ତୃତୀୟ ମହଲା ସହ ବିଧାୟକ ପାଣିଗ୍ରାହୀଙ୍କ ସଂପର୍କ ଅତି ଖଟା ହୋଇ ଯିବାରୁ ହେଉ ବା କରୋନା ସମୟରେ ଘରୋଇ ଚାର୍ଟର ବିମାନରେ ଦେଶ ବିଦେଶ ବୁଲି ଅଭୟ ପାଠକ ଓ ତାଙ୍କ ପୁଅ କେନ୍ଦ୍ର ସରକାରଙ୍କ ବିଷ ଦୃଷ୍ଟିରେ ପଡିବା ଯୋଗୁଁ ହେଉ ହଠାତ୍ ନଭେମ୍ବର ମାସରେ ରାଜ୍ୟ ଭିଜିଲାନ୍ସ ବିଭାଗ ଚଳଚଂଚଳ ହୋଇଥିଲେ । ଆଇଏଫଏସ୍ ଅଭୟ ପାଠକଙ୍କ ସାମ୍ରାଜ୍ୟ ଉପରେ ଭିଜିଲାନ୍ସ ଚଢାଉ ହୋଇ ଆଖି ଖୋସି ହେଲା ଭଳି ନଗଦ ଟଙ୍କା ଓ ଆୟ ବହିର୍ଭୂତ ସଂପତ୍ତି ଜବତ ହୋଇଥିଲା । ଏତେ ପରିମାଣର ସଂପତ୍ତି ଜବତ ହେବା ଓଡ଼ିଶା ଭିଜିଲାନ୍ସ ଇତିହାସରେ ପ୍ରଥମ ଘଟଣା ବୋଲି ଭିଜିଲାନ୍ସ ବିଭାଗ ଦାବି କରିଥିବା ବେଳେ ସରକାର କିଛି ନ ଜାଣିଲା ଭଳି ‘ଆଁ’ ମେଲାଇ ଥିଲେ । ପାଠକ ବାପା, ପୁଅଙ୍କ କଳା ସାମ୍ରାଜ୍ୟ, ଜାଲିଆତି, ଠକେଇ ଏବଂ ଅୟସର ଚିଠା ଖୋଲିଯିବା ପରେ ଦୁଇ ବର୍ଷ ହେଲା (ସେ କହିବା ଅନୁଯାୟୀ) ଦଳରେ କୋଣଠେସା ହୋଇ ରହିଥିବା ଗୋପାଳପୁର ବିଧାୟକ ପାଣିଗ୍ରାହୀ ଭିଜିଲାନ୍ସ ଓ କ୍ରାଇମ୍ ବ୍ରାଂଚ ରାଡର୍ କୁ ଆସି ଯାଇଥିଲେ ।
ଗୋପାଳପୁର ନିର୍ବାଚନ ମଣ୍ଡଳୀରେ ଟାଟା ମୋଟର୍ସ ନାମରେ ହୋଇଥିବା କର୍ମ ନିଯୁକ୍ତି ଠକେଇରେ ଆକାଶ ପାଠକଙ୍କ ସହ ବିଧାୟକ ପାଣିଗ୍ରାହୀ ସଂପୃକ୍ତ ଥିବା ଏବଂ ୩ କୋଟିରୁ ଉଦ୍ଧ୍ୱର୍ ଟଙ୍କା ଠକେଇ ହୋଇଥିବା ଭିଜିଲାନ୍ସ ବିଭାଗ କହିବା ପରେ ବିଧାୟକଙ୍କ ବ୍ୟାଙ୍କ ଆକାଉଂଟ୍ ଯାଂଚ ହୋଇଥିଲା । ବିଧାୟକଙ୍କ ଆକାଉଂଟରେ ତିନି ଚାରି ଜଣ ବ୍ୟକ୍ତି ଲକ୍ଷାଧିକ ଟଙ୍କା ଜମା କରିଥିବା ଜାଣିବା ପରେ କ୍ରାଇମ୍ ବ୍ରାଂଚର ଅର୍ଥନୈତିକ ଅପରାଧ ଶାଖା ବିଧାୟକଙ୍କୁ ଭୁବନେଶ୍ୱର ସ୍ଥିତ ସରକାରୀ କ୍ୱାଟରରୁ ଉଠାଇ ନେଇଥିଲେ । ପରେ ତାଙ୍କୁ ଗିରଫ କରାଯାଇ ଜେଲ ପଠାଇ ଦିଆଗଲା । ବ୍ୟାପକ ଦୁର୍ନୀତି, ଜାଲିଆତି ଓ ଠକେଇ ଅଭିଯୋଗରେ ପାଠକ ବାପା, ପୁଅ ଭୁବନେଶ୍ୱର ଝାରପଡା ଜେଲରେ ଅଛନ୍ତି । ତାଙ୍କ ସହ ବିଧାୟକ ପାଣିଗ୍ରାହୀ ମଧ୍ୟ ଏକା ଜେଲରେ ରହିଛନ୍ତି । ଭିଜିଲାନ୍ସ ବିଭାଗ, ଓଡ଼ିଶା ସିବି ସିଆଇଡ଼ି ର ଅର୍ଥନୈତିକ ଅପରାଧ ଶାଖା ଏବଂ ପ୍ରବର୍ତ୍ତନ ନିର୍ଦେଶାଳୟ (ଇଡ଼ି ) ତିନି ଜଣଙ୍କ ମାମଲାର ତଦନ୍ତ କରୁଥିବା ବେଳେ ମୁଖ୍ୟମନ୍ତ୍ରୀଙ୍କ ସୁପାରିଶକ୍ରମେ ଲୋକାୟୁକ୍ତ ବିଧାୟକ ପାଣିଗ୍ରାହୀଙ୍କ ଦୁର୍ନୀତିର ତଦନ୍ତ କରୁଛନ୍ତି । ପାଣିଗ୍ରାହୀଙ୍କ ବିରୋଧରେ ଥିବା ଦୁର୍ନୀତି ଅଭିଯୋଗର ତଦନ୍ତ କରି ଦୁଇ ମାସ ମଧ୍ୟରେ ରିପୋର୍ଟ ଦାଖଲ କରିବାକୁ ଲୋକାୟୁକ୍ତଙ୍କ ଆଡୁ ମଧ୍ୟ ଭିଜିଲାନ୍ସ ବିଭାଗକୁ ନିର୍ଦେଶ ଦିଆଯାଇଛି ।
ଏସବୁ ସତ୍ତ୍ୱେ ପାଠକ-ପାଣିଗ୍ରାହୀ କାହାଣୀରେ କିଛି କଥା ଅବୋଧ୍ୟ ରହି ଯାଇଛି । ସେଥିରୁ ଗୋଟିଏ ହେଉଛି ବିଧାୟକ ପ୍ରଦୀପ ପାଣିଗ୍ରାହୀଙ୍କ ଝିଅ ସହ ଆଇଏଫଏସ୍ ଅଭୟ କାନ୍ତଙ୍କ ପୁଅ ଆକାଶର ବିବାହ ପ୍ରସ୍ତାବ । ଚଳିତ ଡ଼ିସେମ୍ବର ୧୧ ତାରିଖରେ ଆକାଶଙ୍କୁ ପ୍ରଦୀପଙ୍କ ଝିଅ ବାହା ହୋଇଥା’ନ୍ତେ । ରାଜସ୍ଥାନର ଉଦୟପୁରସ୍ଥିତ ସଂଭ୍ରାନ୍ତ ତାଜ୍ ଲେକ୍ ପ୍ୟାଲେସ୍ ହୋଟେଲରେ ଏଥି ସକାଶେ ସମସ୍ତ ଆୟାଜନ ସରିଥିଲା । ୩୦ କୋଟିରୁ ଅଧିକ ଟଙ୍କା ବଜେଟରେ ହେବାକୁ ଥିବା ଏହି ଗ୍ରାଣ୍ଡ୍ ସେଲିବ୍ରେସନ୍ ପୂର୍ବରୁ ନଭେମ୍ବର ଶେଷ ସପ୍ତାହରେ ବିଧାୟକଙ୍କ ସମୁଦୀ ଆଇଏଫଏସ୍ ଅଭୟ କାନ୍ତ ଓ ଜ୍ୱାଇଁ ଆକାଶ ପାଠକ ବ୍ୟାପକ ଦୁର୍ନୀତି, ଜାଲିଆତି ଓ ଠକେଇ ଅଭିଯୋଗରେ ଗିରଫ ହୋଇ ଜେଲ୍ ଚାଲି ଗଲେ । ପରେ ପରେ ବିଧାୟକ ପାଣିଗ୍ରାହୀ ନିଜେ ସେମାନଙ୍କ ସହଭାଗୀ ଭାବେ ଡ଼ିସେମ୍ବର ପ୍ରଥମ ସପ୍ତାହରେ ରାଜ୍ୟ କ୍ରାଇମ୍ ବ୍ରାଂଚ ଅର୍ଥନୈତିକ ଅପରାଧ ଶାଖା ଦ୍ୱାରା ଗିରଫ ହୋଇ ଜେଲରେ । ପ୍ରଶ୍ନ ଉଠୁଛି, ବିବାହ ଧାର୍ଯ୍ୟ ପୂର୍ବରୁ ବିଧାୟକ ଅଭୟ କାନ୍ତ ଓ ଆକାଶଙ୍କ ଦୁର୍ନୀତି ଓ ଠକେଇ ବିଷୟରେ ଜାଣି ଥିଲେ ନା ନାହିଁ ? ଯଦି ଜାଣି ଥିଲେ କେଉଁ ପରିସ୍ଥିତିରେ ଏଭଳି ଜଣେ ଯୁବକକୁ ନିଜର ଜ୍ୱାଇଁ କରିବାକୁ ଆଗଭର ହୋଇଥିଲେ ?
ଠକେଇ ଅର୍ଥ ଦେଣନେଣରେ ଆକାଶ ଓ ବିଧାୟକ ପାଣିଗ୍ରାହୀଙ୍କ ମଧ୍ୟରେ ସେତୁ ସାଜି ଥିବା ଜଣେ ଅବସରପ୍ରାପ୍ତ କଲେଜ ଅଧ୍ୟକ୍ଷ ମଧ୍ୟ କ୍ରାଇମ୍ ବ୍ରାଂଚ ଦ୍ୱାରା ଗିରଫ ହୋଇ ଏବେ ଝାରପଡ଼ା ଜେଲରେ ସମୟ କାଟୁଛନ୍ତି । ପାଠକ ପରିବାର ସହ ସଂପର୍କ ଯୋଡିବାକୁ ଯାଇ ପାଣିଗ୍ରାହୀ ନିଜେ ଅଠାକାଠିରେ ଫସି ନାହାନ୍ତି ତ (?) -ଏଭଳି ଏକ ପ୍ରଶ୍ନ ମନରେ ଆସୁଛି । ଆକାଶ ଜେଲ୍ ଯିବା ପରେ ମଧ୍ୟ ସେ ଟାଟା ମୋଟର୍ସର ପରିବହନ ବିଭାଗ ଏମଡ଼ି ଭାବେ କାମ କରୁଛନ୍ତି ବୋଲି ତାଙ୍କ ବାପା ଅଭୟ କାନ୍ତ ପାଠକ ଏବଂ ଭାବୀ ଶାଶୁ, ଶ୍ୱଶୁର ବାରମ୍ବାର ଘୋଷି ହେବା ସେମାନଙ୍କ ସଂପର୍କର ଡୋରକୁ ନେଇ ଅନେକ ସନ୍ଦେହ ସୃଷ୍ଟି କରୁଛି । ତଦନ୍ତ ବେଳେ ଆକାଶ ତାଙ୍କ ଜାଲିଆତିକୁ ମାନି ନେବାରୁ ଏବେ ଏହି ପ୍ରସଙ୍ଗରେ ସମସ୍ତେ ନିରବ । ସମସ୍ତ ଅଭିଯୁକ୍ତ ଓଡ଼ିଶା ହାଇକୋର୍ଟରେ ଜାମିନ ପାଇଁ ଆବେଦନ କରି ଥିବାରୁ ସେମାନେ ବାହାରକୁ ଆସିଲେ ହିଁ ଏଭଳି ଅନେକ ରହସ୍ୟର ଖିଅ ଫିଟିବ ।
ପରୀଙ୍କୁ ନେଇ ଅଡୁଆରେ ଗୃହ ମନ୍ତ୍ରଣାଳୟ
ଏବେ ଆମେ ଆସିବା ପରୀ ହତ୍ୟାକାଣ୍ଡକୁ । ଅଭୟ ଓ ଅକାଶ ପାଠକଙ୍କ କେଲେଂକାରୀକୁ ନେଇ କେବଳ ବିଧାୟକ ପ୍ରଦୀପ ପାଣିଗ୍ରାହୀ ନୁହନ୍ତି, ଜଂଗଲ ମନ୍ତ୍ରୀ ବିକ୍ରମ ଆରୁଖ ମଧ୍ୟ ବିରୋଧୀଙ୍କ ସ୍କାନରରେ ରହିଛନ୍ତି । ଆରୁଖ ହେଉଛନ୍ତି ଗଂଜାମ ଜିଲ୍ଲାର ଜଣେ ବରିଷ୍ଠ ବିଧାୟକ ଏବଂ ଦୀର୍ଘ ଦିନର ମନ୍ତ୍ରୀ । ଶାସକ ଦଳରେ ତାଙ୍କର ବେଶ୍ ଖାତିର୍ ରହିଛି । ଆରୁଖଙ୍କୁ ନେଇ ସାମାଜିକ ଗଣମାଧ୍ୟମରେ ଟ୍ରୋଲ୍ ଆରମ୍ଭ ହୋଇଯାଇଥିବା ବେଳେ ନୟାଗଡ଼ର ପରୀ ମାମଲା ଶାସକ ଦଳକୁ ଟାର୍ଗେଟ୍ କରିବା ପାଇଁ ବିରୋଧୀଙ୍କ ନିକଟରେ ଆଉ ଏକ ଅସ୍ତ୍ର ହୋଇଛି । ନୟାଗଡ଼ ବିଧାୟକ ତଥା ରାଜ୍ୟ ଉଚ୍ଚ ଶିକ୍ଷା ମନ୍ତ୍ରୀ ଡକ୍ଟର ଅରୁଣ ସାହୁଙ୍କ ମୁଣ୍ଡ ଗଡାଇବା ପାଇଁ ବିଜେପିର ଯୋରଦାର ଉଦ୍ୟମ ଏବେ ରାଜ୍ୟ ସରକାରଙ୍କ ଗୃହ ମନ୍ତ୍ରଣାଳୟ ପାଇଁ ବଡ ଅଡୁଆ ହୋଇଛି ।
ଗଲା ଦୁଇ ମାସ ହେଲା ମନ୍ତ୍ରୀ ଅରୁଣଙ୍କ ଅଡୁଆ ବଢାଇଛି ନୟାଗଡ଼ ସଦର ଯଦୁପୁର ଗ୍ରାମର କୁନିଝିଅ ପରୀ । ଜୁନ ୧୪ ତାରିଖ ଦିନ ୫ ବର୍ଷର ଝିଅ ପରୀ ନିଜ ଗାଁ ଦାଣ୍ଡରେ ଖେଳୁ ଥିବା ଅବସ୍ଥାରେ ନିଖୋଜ ହେଲା । ଗାଁ ପୋଖରୀ ନିକଟରୁ ଜରି ଅଖାରେ ଗୁଡା ହୋଇଥିବା ଅବସ୍ଥାରେ ୨୩ ତାରିଖ ମିଳିଲା କିଛି ହାଡ ଓ ଖପୁରୀ । ପୁଲିସ ସେସବୁର ଡ଼ିଏନଏ ପରୀକ୍ଷା କରାଇ ସେସବୁ ପରୀର ବୋଲି ଚିହ୍ନଟ କଲେ ସିନା ପରବର୍ତ୍ତୀ ତଦନ୍ତ ଆଗକୁ ଗଡିଲା ନାହିଁ । ପରୀ ବାପା, ମା’ ତଦନ୍ତ ଦାବି କରି ନୟାଗଡ଼ ପୁଲିସ ଓ ପ୍ରଶାସନ ଦ୍ୱାରା ନିର୍ଯ୍ୟାତନାର ଶିକାର ହେବା ପରେ ଅକ୍ଟୋବର ମାସରେ ବିଧାନସଭା ଅଧିବେଶନ ଚାଲି ଥିବା ବେଳେ ବିଧାନସଭା ମୁଖ୍ୟ ଫାଟକ ସାମନାରେ ଆତ୍ମାହୂତି ଉଦ୍ୟମ କରି ରାଜ୍ୟବାସୀଙ୍କ ଦୃଷ୍ଟି ଆକର୍ଷଣ କଲେ । ବିଧାନସଭାକୁ ବିରୋଧୀ ଅଚଳ କରିବାରୁ ମାମଲାର ତଦନ୍ତ କ୍ରାଇମ୍ ବ୍ରାଂଚ ଦ୍ୱାରା କରାଯିବ ବୋଲି ମୁଖ୍ୟମନ୍ତ୍ରୀ ଘୋଷଣା କଲେ । କଂଗ୍ରେସ ବିଧାୟକମାନେ ଏସଆଇଟି (ସ୍ୱତନ୍ତ୍ର ତଦନ୍ତକାରୀ ଦଳ) ଗଠନ ମାଧ୍ୟମରେ ତଦନ୍ତ ଦାବି କଲା । ସନ୍ଦିଗ୍ଧ ହତ୍ୟାକାରୀ ନୟାଗଡ଼ ବିଧାୟକ ତଥା ମନ୍ତ୍ରୀ ଅରୁଣ ସାହୁଙ୍କ ଘନିଷ୍ଟ ହୋଇ ଥିବାରୁ ପୁଲିସ କାର୍ଯ୍ୟାନୁଷ୍ଠାନ ଶିଥିଳ ରହିଛି ବୋଲି ପରୀ ବାପା, ମା’ଙ୍କ ଅଭିଯୋଗ ଆଧାରରେ ବିଜେପି ଏହି ମାମଲାର ସିବିଆଇ ତଦନ୍ତ ଦାବି କଲା ।
ଘଟଣାର ଚାରି ମାସ ପରେ ମୁଖ୍ୟମନ୍ତ୍ରୀ ବରିଷ୍ଠ ଆଇପିଏସ ଅରୁଣ ବୋଥ୍ରାଙ୍କ ନେତୃତ୍ୱରେ ଗଠିତ ଏକ ଏସଆଇଟି ଗଠନ କରି ମାମଲାର ତଦନ୍ତ କରାଉଛନ୍ତି । ତେବେ, ବିଜେପି ତାହାର ସିବିଆଇ ତଦନ୍ତ ଦାବିରେ ଅଡି ରହିଛି । ମନ୍ତ୍ରୀ ସାହୁଙ୍କୁ କ୍ଲିନ୍ ଚିଟ୍ ଦେବା ପାଇଁ ଏସଆଇଟି କାର୍ଯ୍ୟ କରୁଛି ବୋଲି ବିଜେପିର ଅଭିଯୋଗ ଧୀରେ ଧୀରେ ସତ୍ୟ ହେଉଥିବା ଲକ୍ଷ୍ୟ କରାଯାଉଛି । ଏସଆଇଟି ମୁଖ୍ୟ ଅରୁଣ ବୋଥ୍ରା ପରୀ ବାପା, ମା’ଙ୍କ ଅଭିଯୋଗ ମୁତାବକ ସନ୍ଦିଗ୍ଧ ବ୍ୟକ୍ତିଙ୍କୁ ଜେରା ନ କରି ସିଧାସଳଖ କଲେ ଛାତ୍ରଙ୍କ ନିକଟରେ ପହଂଚି ଯିବା ସହ ଛାତ୍ର ଜଣକ ହିଁ ଦୁଷ୍କର୍ମ ଉଦ୍ଦଶ୍ୟରେ ଏହି ହତ୍ୟାକାଣ୍ଡ ଭିଆଇ ଥିବା ସାବ୍ୟସ୍ତ କରିବାକୁ ଉଦ୍ୟମ କରୁଛି । ଏଥିନେଇ ଯଥେଷ୍ଟ ପ୍ରମାଣ ଥିବା
ଏସଆଇଟି ମୁଖ୍ୟ ବୋଥ୍ରା ଦାବି କରୁଥିବା ବେଳେ ପରୀର ବାପା, ମା’ ତାହାକୁ ଗ୍ରହଣ କରିବାକୁ ପ୍ରସ୍ତୁତ ନୁହନ୍ତି । ଗିରଫ ଯୁବକର ପରିବାର ମଧ୍ୟ ତଦନ୍ତ ଦାୟିତ୍ୱରେ ଥିବା ବୋଥ୍ରାଙ୍କ ବିରୋଧରେ ଗୁରୁତର ଅଭିଯୋଗ ଆଣିଛି । ମନ୍ତ୍ରୀ ଓ ତାଙ୍କ ସମର୍ଥକ ଅଭିଯୁକ୍ତଙ୍କୁ ସୁରକ୍ଷା ଦେବା ପାଇଁ ପାଇଁ ବୋଥ୍ରା କାର୍ଯ୍ୟ କରୁଛନ୍ତି ବୋଲି ଉଭୟ ପରିବାରର ଅଭିଯୋଗ ଏବଂ ସିବିଆଇ ତଦନ୍ତ ପାଇଁ ବିଜେପିର ଦାବି ସରକାରଙ୍କୁ ଅଡୁଆରେ ପକାଇଛି । ଏପରିକି, ଏସଆଇଟି ମୁଖ୍ୟ ଅରୁଣ ବୋଥ୍ରାଙ୍କ ‘ମିଛଧରା’ ପରୀକ୍ଷା ପାଇଁ ଓଡ଼ିଶା ହାଇକୋର୍ଟରେ ହୋଇଥିବା ଜନସ୍ୱାର୍ଥ ମାମଲା ବୋଧହୁଏ ରାଜ୍ୟରେ ପ୍ରଥମ ଘଟଣା ।
ଆଇପିଏସ୍ ବୋଥ୍ରା ଓଡ଼ିଶା ରାଜ୍ୟ ସଡ଼କ ପରିବହନ ନିଗମର ପଦାଧୀକାରୀ ଥିବା ଅବସ୍ଥାରେ ଏସଆଇଟି ମୁଖ୍ୟ ଭାବେ ନିଯୁକ୍ତ ହେବା ଓ ପରୀ ମାମଲାର ତଦନ୍ତ କରିବା ପୂର୍ବରୁ ବିବାଦୀୟ ବିଷୟ ଥିଲା । ବୋଥ୍ରା ଏବେ ପୁଲିସ ବିଭାଗରେ ନ ଥିବାରୁ ତାଙ୍କ ତଦନ୍ତର କୌଣସି ବୈଧତା ନାହିଁ ବୋଲି ରାଜ୍ୟର ପୂର୍ବତନ ପୁଲିସ ମହାନିର୍ଦେଶକ ପ୍ରକାଶ ମିଶ୍ର ପ୍ରଶ୍ନ କହି ସାରିଛନ୍ତି । ତେବେ, ରାଜ୍ୟ ସରକାର ଏସଂପର୍କରେ ନିରବ । ମନ୍ତ୍ରୀ ସାହୁ ମଧ୍ୟ କିଛି କହିବା ସ୍ଥିତିରେ ନାହାନ୍ତି । ତେଣୁ, ପରୀ ତଦନ୍ତ ରାଜ୍ୟ ସରକାରଙ୍କ ସ୍ୱଚ୍ଛତାକୁ ନେଇ ସନ୍ଦେହ ସୃଷ୍ଟି କରିଥିବା ଆଲୋଚନା ହେଉଛି । ମୁଖ୍ୟମନ୍ତ୍ରୀ ଦଳକୁ ଏଭଳି ଏକ ସ୍ଥିତିରୁ ବାହାରକୁ ଆଣିବା ପାଇଁ ବୋଧହୁଏ ବିଜେଡ଼ି ୨୪ ତମ ପ୍ରତିଷ୍ଠା ଦିବସକୁ ବ୍ୟବହାର କରିଛନ୍ତି । ଦୁର୍ନୀତି ବିରୋଧରେ ତାଙ୍କ ସରକାରଙ୍କ ଆଭିମୁଖ୍ୟ ଅତ୍ୟନ୍ତ ସ୍ପଷ୍ଟ ବୋଲି ସେ ଦଳର ବିଭିନ୍ନ ଶାଖାକୁ ଉଦ୍ବୋଧନ ଦେଇ କହିଛନ୍ତି । ସାମାଜିକ ଗଣମାଧ୍ୟମକୁ ମୁଖ୍ୟମନ୍ତ୍ରୀ ଟାର୍ଗେଟ୍ କରିବା କାରଣ ହେଉଛି ମୁଖ୍ୟସ୍ରୋତ ଗଣମାଧ୍ୟମ ଭଳି ସାମାଜିକ ଗଣମାଧ୍ୟମ ଉପରେ ସରକାରଙ୍କ ନିୟନ୍ତ୍ରଣ ରହୁନି । ତେଣୁ, ସରକାର କ୍ଷୁବ୍ଧ । ୨୦୨୦ ବର୍ଷ ଏଭଳି ଏକ ବିବଦମାନ ଅବସ୍ଥାରେ ସରିବାକୁ ଯାଉଛି । ୨୦୨୧କୁ ସ୍ୱାଗତ କରିବାକୁ ସମସ୍ତେ ପ୍ରସ୍ତୁତ ହେଲେଣି । ତେବେ, ୨୦୨୧ରେ ମଧ୍ୟ କରୋନା, ପାଠକ, ପାଣିଗ୍ରାହୀ ଓ ପରୀ ଅଡୁଆ ରହିବ, ଏଥିରେ କୌଣସି ସନ୍ଦେହ ନାହିଁ ।
LETTER FROM THE EDITOR: A SPECIAL THANKS TO OUR READERS
LETTER FROM THE EDITOR: A SPECIAL THANKS TO OUR READERS