ବଜେଟ୍ ଚାଷୀଙ୍କୁ ଆତ୍ମନିର୍ଭର କରିବା ପାଇଁ ଉଦ୍ଦିଷ୍ଟ – କହିଲେ ପ୍ରଧାନମନ୍ତ୍ରୀ


ପ୍ରସାଦ ରାଓ
ନୂଆଦିଲ୍ଳୀ
୦୪ ଫେବୃୟାରୀ
ସୋମବାର ଦିନ କେନ୍ଦ୍ର ସରକାରଙ୍କ ପକ୍ଷରୁ ସଂସଦରେ ଉପସ୍ଥାପିତ ୨୦୨୧ ବର୍ଷର ବଜେଟ୍ ଚାଷୀଙ୍କୁ ଆତ୍ମନିର୍ଭର କରିବା ସକାଶେ ଉଦ୍ଦିଷ୍ଟ – ଏକଥା କହିଛନ୍ତି ଦେଶର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ଦାମୋଦର ମୋଦୀ । ସ୍ୱାଧୀନତା ଆନ୍ଦୋଳନରେ ଚୌରୀ ଚୌରାରେ ଘଟି ଥିବା ଘଟଣାର ଶତବର୍ଷ ପୂର୍ତ୍ତୀ ହୋଇଥିବାରୁ ଏଥି ଉପଲକ୍ଷେ ଆଜି ଆୟୋଜିତ ଏକ କାର୍ଯ୍ୟକ୍ରମରେ ଭର୍ଚୁଆଲ୍ ଅଭିଭାଷଣ ଦେଇ ପ୍ରଧାନମନ୍ତ୍ରୀ ମୋଦୀ ଚାଷୀଙ୍କ ପ୍ରତି ସରକାରଙ୍କ ସଂବେଦନଶୀଳତା ବୟାନ କରିଛନ୍ତି । ପ୍ରଧାନମନ୍ତ୍ରୀ କହିଛନ୍ତି, ସଂସଦରେ ସରକାର ଉପସ୍ଥାପନ କରିଥିବା ୨୦୨୧ ବର୍ଷର ଆର୍ଥିକ ବଜେଟରେ କରଦାତାଙ୍କ ଉପରେ କୌଣସି ଟିକସ ବୋଝ ଲଦା ଯାଇ ନାହିଁ । ବଜେଟରେ ସ୍ୱାସ୍ଥ୍ୟ, ଭିତ୍ତିଭୂମିର ବିକାଶ ଏବଂ ଚାଷୀଙ୍କ ଅର୍ଥନୈତିକ ବିକାଶକୁ ସର୍ବାଧିକ ଗୁରୁତ୍ୱ ଦିଆଯାଇଛି ଏବଂ ଏଥିସକାଶେ ଅଧିକ ଅର୍ଥ ବରାଦ ହୋଇଛି । କେନ୍ଦ୍ର ସରକାର ଦେଶର ଗୌରବ ଓ ଐକ୍ୟ ରକ୍ଷା ପାଇଁ ଅଧିକ ଯତ୍ନବାନ । ଏହି ଲକ୍ଷ୍ୟ ନେଇ ଆଗକୁ ଯିବାକୁ ପ୍ରତିବଦ୍ଧ ।
ସରକାରଙ୍କ ଦ୍ୱାରା ପ୍ରଣୀତ ତିନ ନୂଆ କୃଷି ଆଇନକୁ ବିରୋଧ କରି ପାଖାପାଖି ତିନି ମାସ ହେଲା ଦିଲ୍ଲୀ ସୀମାନ୍ତରେ ଚାଲି ଥିବା ଚାଷୀ ଆନ୍ଦୋଳନକୁ କିଛି ବିଦେଶୀ ରାଷ୍ଟ୍ର ଓ ବ୍ୟକ୍ତିବିଶେଷ ଟ୍ୱିଟ୍ ମାଧ୍ୟମରେ ଯେଭଳି ପ୍ରୋତ୍ସାହନ ଦେଉଛନ୍ତି ତାହା ମୋଦୀ ସରକାରଙ୍କ ଅଡୁଆ ବଢାଉ ଥିବାରୁ ପ୍ରଧାନମନ୍ତ୍ରୀ ମୋଦୀ ଆଜି ଚୌରୀ ଚୌରା ଅଭିଭାଷଣ ମାଧ୍ୟମରେ ତାହାର ଜବାବ ଦେବାକୁ ପ୍ରୟାସ କରିଛନ୍ତି । ଦେଶର ସମ୍ମାନ ଓ ଏକତା ସବୁଠାରୁ ଅଧିକ ମୂଲ୍ୟବାନ ବୋଲି ଦର୍ଶାଇ ପ୍ରଧାନମନ୍ତ୍ରୀ କହିଛନ୍ତି – ‘ଏହି ପ୍ରତିବଦ୍ଧତା ରଖି ଆମକୁ ଆଗକୁ ବଢିବାକୁ ପଡିବ । ସରକାର ସେହି ବାଟରେ ଚାଲିଛନ୍ତି ।’
ବିଦେଶୀ ପପ୍ ଷ୍ଟାର୍ ରିହାନାଙ୍କ ଚାଷୀ ଆନ୍ଦୋଳନ ସପକ୍ଷରେ ଟ୍ୱିଟ୍ ସମଗ୍ର ବିଶ୍ୱରେ ଆଲୋଡନ ସୃଷ୍ଟି କରି ଥିବାରୁ ଏବଂ ସେହିଭଳି ଅନ୍ୟ କିଛି ବିଦେଶୀ ଟ୍ୱିଟ୍ (ଚାଷୀ ଆନ୍ଦୋଳନ ସପକ୍ଷରେ) କେନ୍ଦ୍ର ସରକାରଙ୍କ ଭାବମୂର୍ତ୍ତୀକୁ କ୍ଷୁର୍ଣ୍ଣ କରୁ ଥିବାରୁ ମୋଦୀ ସରକାରର ବହୁ ମନ୍ତ୍ରୀ ତାହାର ବିରୋଧ କରିଛନ୍ତି । କେବଳ ସରକାର ନୁହନ୍ତି, ବଲିଉଡ୍ ଅଭିନେତା ଅକ୍ଷୟ କୁମାର, ଅଜୟ ଦେବଗଣ, କଂଗନା ରଣାୱତଙ୍କ ସମେତ କ୍ରିକେଟ୍ କିମ୍ବଦନ୍ତ୍ରୀ ସଚିନ ତେନ୍ଦୁଲକର୍ ଆଗକୁ ଆସୁ ଏସବୁ ଟ୍ୱିଟ୍ ନିନ୍ଦା କରିବା ସହ ଚାଷୀ ଆନ୍ଦୋଳନ ଦେଶର ଆଭ୍ୟନ୍ତରୀଣ ବ୍ୟାପା ହୋଇ ଥିବାରୁ ବାହାର ଲୋକ ଏଥିରେ ନାକ ପୁରାଇବା ଅନାବଶ୍ୟକ ବୋଲି ପାଲଟା ଟ୍ୱିଟ୍ କରିବାକୁ ପଛାଇ ନାହାନ୍ତି । ଆଜି ପ୍ରଧାନମନ୍ତ୍ରୀ ମୋଦୀ ମଧ୍ୟ ନିଜର ପ୍ରତିକ୍ରିୟା ରଖି ୨୦୨୧ ବର୍ଷ ବଜେଟର ଦ୍ୱାହି ଦେଇଛନ୍ତି । ଏହି ବଜେଟରେ କେନ୍ଦ୍ର ସରକାର ଯେଉଁ ସବୁ ଅର୍ଥନୈତିକ ପଦକ୍ଷେପ ନେଇଛନ୍ତି ସେସବୁ ଦେଶରେ କୃଷି ଓ କୃଷକଙ୍କ ଆର୍ଥିକ ସ୍ଥିତିରେ ଉନ୍ନତି ଆଣିବାକୁ ଉଦ୍ଦିଷ୍ଟ ବୋଲି ସେ କହିବାକୁ ପ୍ରୟାସ କରିଛନ୍ତି ।
ଚାଷୀଙ୍କୁ ଆତ୍ମନିର୍ଭର କରିବା ସହ କୃଷିକୁ ଲାଭଜନକ ବ୍ୟବସାୟରେ ପରିଣତ କରିବା ଲକ୍ଷ୍ୟ ନେଇ ସରକାର ସମସ୍ତ ନିଷ୍ପତ୍ତି ନେଇଛନ୍ତି । କ୍ଷୁଦ୍ର ଚାଷୀ ମୋଟେ ଜମି ହରାଇବେ ନାହିଁ । କେହି ସେମାନଙ୍କ ଜମି ହଡପିବେ ନାହିଁ । ନୂଆ କୃଷି ଆଇନରେ ସେହିମାନେ ହିଁ ଲାଭବାନ ହେବେ-ପ୍ରଧାନମନ୍ତ୍ରୀ ମୋଦୀ ଚୌରୀ ଚୌରା ଅଭିଭାଷଣ ମାଧ୍ୟମରେ ଚାଷୀଙ୍କୁ ଏହି ଭରସା ଦେବାକୁ ଚାହିଁଛନ୍ତି । କେବଳ ଏହି କାର୍ଯ୍ୟକ୍ରମ ମାଧ୍ୟମରେ ନୁହେଁ, ପୂର୍ବରୁ ମଧ୍ୟ ବିଭିନ୍ନ ଭର୍ଚୁଆଲ୍ ଅଭିଭାଷଣରେ ପ୍ରଧାନମନ୍ତ୍ରୀ ଆନ୍ଦୋଳନରତ ଚାଷୀଙ୍କ ନିକଟରେ ଏହି ବାର୍ତ୍ତା ପହଂଚାଇବାକୁ ପୂର୍ଣ୍ଣ ପ୍ରୟାସ କରିଛନ୍ତି ।
କେନ୍ଦ୍ର ସରକାରଙ୍କ ଦ୍ୱାରା ପ୍ରଣିତ ତିନି କୃଷି ଆଇନ ଚାଷୀଙ୍କ ଅର୍ଥନୈତିକ ଅଭିବୃଦ୍ଧି ପାଇଁ ଉଦ୍ଦିଷ୍ଟ, ଏସବୁ ଆଇନ ପ୍ରତ୍ୟାହାର ହେବା ପ୍ରଶ୍ନ ଉଠୁ ନାହିଁ ବୋଲି ସରକାର ରୋକଠୋକ୍ ଭାବେ କହୁଥିବା ବେଳେ ଦିଲ୍ଲୀର ସିଂଘୁ, ଟିକିରି ସମେତ ହରିୟାନା, ରାଜସ୍ଥାନର ବିଭିନ୍ନ ସୀମାନ୍ତରେ ପାଖାପାଖି ତିନି ମାସ ହେଲା ଆନ୍ଦୋଳନ ଜାରି ରଖିଥିବା ୪୦ ଚାଷୀ ସଂଗଠନ ସରକାରଙ୍କ ପ୍ରଣିତ ତିନି କୃଷି ଆଇନ ଚାଷୀ ବିରୋଧୀ ଦର୍ଶାଇ ସେସବୁ ସଂପୂର୍ଣ୍ଣ ପ୍ରତ୍ୟାହାର ନ ହେବା ଏବଂ କୃଷି ଉତ୍ପାଦନର ସର୍ବନିମ୍ନ ଲାଭଜନକ ମୂଲ୍ୟ (ଏମଏସପି)କୁ କେନ୍ଦ୍ର ସରକାର ଆଇନଗତ ମାନ୍ୟତା ନ ଦେବା ପର୍ଯ୍ୟନ୍ତ ଆନ୍ଦୋଳନ ଜାରି ରହିବ ବୋଲି ଅଡ଼ି ବସିଛନ୍ତି । ତିନି କୃଷି ଆଇନ ପ୍ରତ୍ୟାହାର ଦାବିରେ ଜାନୁୟାରୀ ୨୬ ତାରିଖ ଚାଷୀଙ୍କ ଟ୍ରାକ୍ଟର୍ ର୍ୟାଲି ଆଢୁଆଳରେ ଦିଲ୍ଲୀରେ ଉପଦ୍ରବ ହେବା ଏବଂ କିଛି ଉପଦ୍ରବକାରୀ ଲାଲକିଲ୍ଲାରେ ପ୍ରବେଶ କରି ଚାଷୀ ଆନ୍ଦୋଳନକୁ ଦିଗହରା କରିବାକୁ ପ୍ରୟାସ କରିବା ପଛରେ ଆନ୍ଦୋଳନକୁ ଦୁର୍ବଳ କରିବା ଷଡଯନ୍ତ୍ର ଯେ ଥିଲା, ତାହା ନିଃସନ୍ଦେହରେ କୁହାଯିବ ।
ତେବେ, ଚାଷୀ ସେଥିରେ ହତୋତ୍ସାହିତ ନ ହୋଇ ଅଧିକ ତେଜିୟାନ ହେବା ସହ ଫେବୃୟାରୀ ୬ରେ ଦେଶବ୍ୟାପୀ ‘ଚକ୍କା ଜାମ୍’ ଆହ୍ୱାନ ଦେଇଛନ୍ତି । କେନ୍ଦ୍ର ସରକାର ଚାଷୀଙ୍କ ଦାବିକୁ କିଛି ‘ଦଲାଲଙ୍କ ଦାବି’ କହି ଏଡାଇ ଯିବାକୁ ଉଦ୍ୟମ କରିବା, ଆନ୍ଦୋଲନକାରୀ ଚାଷୀଙ୍କୁ ନିରୁତ୍ସାହିତ କରିବା ସକାଶେ ବଳପ୍ରୟୋଗ କରିବା, ଟ୍ରାକ୍ଟର ର୍ୟାଲି ସମୟରେ ଲାଲକିଲ୍ଲାରେ ଘଟିଥିବା ଘଟଣା ପାଇଁ ସରକାର ନିଜେ ଉତ୍ତରଦାୟୀ ନ ହୋଇ ଚାଷୀଙ୍କ ମୁଣ୍ଡରେ ତାହା ଥୋପିବାକୁ ଉଦ୍ୟମ କରିବା, ଚାଷୀଙ୍କୁ ଗିରଫ କରିବା ସହ ଆନ୍ଦୋଳନ ସଂପର୍କରେ ରିପୋର୍ଟିଂ କରୁଥିବା ବରିଷ୍ଠ ଖବରଦାତାଙ୍କ ବରୋଧରେ ଦେଶଦ୍ରୋହ ମାମଲା ରୁଜୁ କରିବା ପ୍ରଭୃତି ସରକାରଙ୍କ ଅସହିଷ୍ଣୁତାକୁ ଅଧିକ ସ୍ପଷ୍ଟ କରୁଛି ।
ବିଦେଶୀ ବ୍ୟକ୍ତିବିଶେଷ ବା ଶକ୍ତି ଭାରତର ଆନ୍ତଃରୀଣ ବ୍ୟାପାରରେ ହସ୍ତକ୍ଷେପ କରିବା ବା ଚାଷୀ ଆନ୍ଦୋଳନକୁ ନେଇ ଭାରତ ସରକାରଙ୍କ ବିରୋଧରେ ଟ୍ୱିଟ୍ କରିବା ଗ୍ରହଣଯୋଗ୍ୟ ନୁହେଁ । ତାହାକୁ ସମସ୍ତେ ଭାରତୀୟ ବିରୋଧ କରିବା ଉଚିତ । ତେବେ, ଭାରତ ବ୍ୟାପାରରେ ବିଦେଶୀ ନାକ ପୁରାଇବା ଓ ସରକାରଙ୍କ ବିରୋଧରେ ଟ୍ୱିଟ୍ କରିବା ପାଇଁ କଣ କେବଳ ଚାଷୀ ଆନ୍ଦୋଳନ ଦାୟୀ ? ଏହି ନକାରାତ୍ମକ ପରିସ୍ଥିତି ସୃଷ୍ଟି କରିବାରେ ସରକାର କଣ କିଛି ଭୂମିକା ନାହିଁ ?? ବିଭାଜିତ ଗଣମାଧ୍ୟମକୁ ଉଭୟ ସରକାର ଓ ଆନ୍ଦୋଳନକାରୀ ଚାଷୀ ବ୍ୟବହାର କରି ନିଜ ନିଜ ପ୍ରଚାର କରୁଛନ୍ତି । ଆନ୍ଦୋଳନର କଂଠରୋଧ ପାଇଁ ଦିଲ୍ଲୀ ସୀମାନ୍ତରେ ଇଂଟରନେଟ୍ ବନ୍ଦ କରି ଦିଆଯିବା ମଧ୍ୟ ସୂଚନା ବିଭ୍ରାନ୍ତିର କାରଣ ହୋଇଛି । ତିନି କୃଷି ଆଇନ ପ୍ରତ୍ୟାହର ଓ ଏମଏସପିକୁ ଆଇନଗତ ମାନ୍ୟତା ଦାବିରେ ଆନ୍ଦୋଲନ ଜାରି ରଖିଥିବା ଚାଷୀ ପ୍ରଧାନମନ୍ତ୍ରୀଙ୍କ ଆଜିର ଭର୍ଚୁଆଲ୍ ଭାଷଣ ଦ୍ୱାରା ପ୍ରଭାବିତ ହୋଇ ସରକାରଙ୍କ କଥା ମାନି ନେବେ, ଏହି ବିଶ୍ୱାସ ସରକାରଙ୍କର ମଧ୍ୟ ନାହିଁ । ତଥାପି, ଛଳନା ଯୁଦ୍ଧର ଏହା ଆଉ ଏକ ଅମୋଘ ଅସ୍ତ୍ର ଭାବେ ସରକାର ଏହାକୁ ବ୍ୟବହାର କରିବେ, ଏଥିରେ କିଛି ସନ୍ଦେହ ନାହିଁ ।
ମୁଖ୍ୟ ସଂପାଦକ
ମୋଅନୁଭବ.କମ୍

LETTER FROM THE EDITOR: A SPECIAL THANKS TO OUR READERS
LETTER FROM THE EDITOR: A SPECIAL THANKS TO OUR READERS