ଓଡ଼ିଶା ରାଜନୀତି: ନିରଂଜନ କଣ ବିକଳ୍ପ ହୋଇ ପାରିବେ!


ଭୁବନେଶ୍ୱର: ପୂର୍ବତନ ମୁଖ୍ୟମନ୍ତ୍ରୀ ସ୍ୱର୍ଗତ ଜାନକୀ ବଲ୍ଲଭ ପଟ୍ଟନାୟକଙ୍କ ଅବର୍ତମାନରେ ଓଡ଼ିଶା କଂଗ୍ରେସ ରାଜନୀତି ଏକ ପ୍ରକାର ସ୍ଥାଣୁ ଅବସ୍ଥାରେ ପହଂଚି ଯାଇଥିବା ଲକ୍ଷ୍ୟ କରାଯାଉଛି । ଯୁବ ନେତୃତ୍ୱ ହାତରେ ଦଳକୁ ସମର୍ପିବା ପାଇଁ ଏଆଇସିସି ଦଳର ବରିଷ୍ଠ ନେତା ନିରଂଜନ ପଟ୍ଟନାୟକଙ୍କୁ ପିସିସି ସଭାପତି ପଦରୁ ହଟାଇ ପ୍ରସାଦ ହରିଚନ୍ଦନକୁ ସଭାପତି କରିଥିଲେ । ପ୍ରସାଦ ଦଳକୁ ନୂତନ ଦିଗ୍ଦର୍ଶନ ଦେବେ ବୋଲି ଆଶା କରାଯାଉଥିଲା । ‘ମୁଁ’ ନୁହେ ‘ଆମେ’ ସ୍ଲୋଗାନ ଦେଇ ପ୍ରସାଦ ଯେତେବେଳେ କାର୍ଯ୍ୟ ଆରମ୍ଭ କଲେ ଦଳର ତ୍ରୁଣମୂଳ ସ୍ତରରେ ଉତ୍ସାହ ପ୍ରକାଶ ପାଇଥିଲା । ଏହି କୌଶଳ ଦଳର ପୁନର୍ଗଠନରେ ସହାୟକ ହେବ ବୋଲି ସମସ୍ତେ ଆଶା କରିଥିଲେ । କିନ୍ତୁ, ସାଂଗଠନିକ ପୁନର୍ଗଠନ ବେଳେ ବୟସ୍କଙ୍କୁ ପରାମର୍ଶଦାତା ପଦ ଦେଇ ଯୁବକଙ୍କୁ ସଂଗଠନରେ ଗୁରୁତ୍ୱପୂର୍ଣ ଦାୟିତ୍ୱ ଦେବା ତାଙ୍କ ପାଇଁ କାଳ ହୋଇଛି । ବୟସ୍କମାନେ ଅସନ୍ତୁଷ୍ଟ ହୋଇ ସଂଗଠନରୁ ଦୂରେଇ ରହୁଥିଲେ । ଦଳ ଭିତରେ ପ୍ରସାଦ ‘ଓଲଡ ଏଜ୍ ହୋମ୍’ ଖୋଲି ବୟସ୍କଙ୍କୁ ସେଠାରେ ବସାଇ ଦେଇଛନ୍ତି ବୋଲି ପୂର୍ବତନ ପିସିସି ସଭାପତି ନିରଂଜନ ପଟ୍ଟନାୟକ ସେତେବେଳେ କଟାକ୍ଷ କରିଥିଲେ । ପରବର୍ତୀ ସମୟରେ ପିସିସି ସଭାପତି ପ୍ରସାଦ ହରିଚନ୍ଦନ ନିଜ ଶ୍ୱଶୁର ପୂର୍ବତନ ବିଧାୟକ ସୁର ରାଉତରାୟଙ୍କୁ ଧରି ସଂଗଠନକୁ ନିଜ ମନ ମୁତାବକ ଚଳାଇବା ଏବଂ ଏହାକୁ ନେଇ ଦଳର ସଂଗଠନ ଓ ଦଳୀୟ ବିଧାୟକଙ୍କ ମଧ୍ୟରେ ଫାଟ ସୃଷ୍ଟି ହେବା ପୁର୍ନବାର ପିସିସି ସଭାପତି ପରିବର୍ତନ ଦାବୀକୁ ହାୱା ଦେଇଛି । ୨୦୧୭ ପଂଚାୟତ ନିର୍ବାଚନରେ କଂଗ୍ରେସରି ପାଇଁ ପିସିସି ସଭାପତି ପ୍ରସାଦ ହରିଚନ୍ଦନ ଓ ଓଡ଼ିଶା ଦାୟିତ୍ୱରେ ଥିବା ଏଆଇସିସି ପ୍ରଭାରୀ ହରି ପ୍ରସାଦ ନିଜକୁ ଦାୟୀ କରି ଏଆଇସିସି କାର୍ଯ୍ୟାନୁଷ୍ଠାନ ପାଇଁ ବାଟ ଖୋଲି ଦେଇଛନ୍ତି ।
ଗୋଳିଆ ପାଣିରୁ ମାଛ ଧରିବା ମୂଳରୁ କଂଗ୍ରେସର ପରଂପରା ରହି ଆସିଛି । ପିସିସି ସଭାପତି ପରିବର୍ତନ ପାଇଁ ଏକ ବାତାବରଣ ସୃଷ୍ଟି କରିଥିବା ଦଳର କିଛି ବରିଷ୍ଠ ନେତା ଏବେ ସଭାପତି ହେବା ଦୌଡରେ । ପୂବତନ ପିସିସି ସଭାପତି ନିରଂଜନ ପଟ୍ଟନାୟକ ଦୌଡର ସବୁଠାରୁ ଆଗରେ ଥିବା ଖବର ଆସୁଛି । ନିକଟରେ, ନିରଂଜନଙ୍କ ସମେତ ପୂର୍ବତନ କେନ୍ଦ୍ର ମନ୍ତ୍ରୀ ଭକ୍ତ ଚରଣ ଦାସ, ଯୁବ ନେତା ପ୍ରଦୀପ ମାଝୀ ନୂଆଦିଲ୍ଲୀ ଯାଇ ଏଆଇସିସି ଉପ ସଭାପତି ରାହୁଲ ଗାନ୍ଧୀଙ୍କ ସହ ଆଲୋଚନା କରିଥିଲେ । ରାହୁଲ ବିଭିନ୍ନ ପର୍ଯ୍ୟାୟରେ ରାଜ୍ୟ ବିଧାନସଭାରେ ବିରୋଧୀ ଦଳ ନେତା ଥିବା ନରସିଂହ ମିଶ୍ରଙ୍କ ସମେତ ଓଡ଼ିଶାର କଂଗ୍ରେସ ବିଧାୟକ ଓ ନେତାମାନଙ୍କୁ ଭେଟି ମାରାଥନ ଆଲୋଚନା କରିଥିଲେ । ତେବେ, ଦଳର କଥାକୁହା ନେତା ତଥା ବିଧାନସଭାରେ ମୁଖ୍ୟ ସଚେତକ ତାରା ବାହିନୀପତି ରାହୁଲଙ୍କୁ ଭେଟିବା ସୁଯୋଗ ପାଇ ନାହାନ୍ତି । ମାନସମନ୍ଥନ ସରି ଥିବା ଦର୍ଶାଇ ଓଡ଼ିଶା କଂଗ୍ରେସ ନେତାମାନେ ଫେରିଛନ୍ତି ସତ, କିନ୍ତୁ ପ୍ରସାଦଙ୍କ ବିକଳ୍ପ କିଏ ହେବ ତାହା ଏଆଇସିସିର କୁହୁକ ପେଡିରୁ ବାହାରି ନାହିଁ । ରାହୁଲଙ୍କୁ ଭେଟି ଥିବା କଂଗ୍ରେସ ନେତାଙ୍କ ମଧ୍ୟରୁ ଅଧିକାଂଶ ନିରଂଜନଙ୍କୁ ସଭାପତି କରାଯିବା ସପକ୍ଷରେ ମତ ଦେଇଥିବା କୁହାଯାଉଥିବା ବେଳେ ଦଳକୁ କେମିତି ସଜାଡି ହେବ ଅନୁଧ୍ୟାନ କରି ପରାମର୍ଶ ଦେବାକୁ ଭକ୍ତ ଦାସଙ୍କ ଅଧ୍ୟକ୍ଷତାରେ କମିଟି ଗଠନ କରାଯିବା ଏଆଇସିସିର ମତିଗତିକୁ ନେଇ ସନେ୍ଦହ ସୃଷ୍ଟି କରିଛି । ପୂର୍ବତନ ପିସିସି ସଭାପତି ଶରତ ରାଉତଙ୍କ ଭଳି କିଛି ନେତା ନିରଂଜନ ସଭାପତି ହେଲେ ବି ଓଡ଼ିଶାରେ କଂଗ୍ରେସା ଅବସ୍ଥା ସୁଧୁରିବା ଗ୍ୟାରେଂଟି ନାହିଁ ବୋଲି ଖୋଲାଖୋଲି ମନ୍ତବ୍ୟ ଦେଉଛନ୍ତି ।
୨୦୧୯ରେ ହେବାକୁ ଥିବା ସାଧାରଣ ନିର୍ବାଚନକୁ ଆଖିରେ ରଖି ଏଆଇସିସି ଓଡ଼ିଶାରେ ଦଳକୁ ସଜାଡିବାକୁ ଚାହୁଁଛି । ଏହି ନିର୍ବାଚନରେ କଂଗ୍ରେସ ନବୀନ ପଟ୍ଟନାୟକଙ୍କ ନେତୃତ୍ୱାଧୀନ ବିଜେଡ଼ି ଓ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ନେତୃତ୍ୱାଧୀନ ବିଜେପି ସହ ଲଢିବ । ବିଜେପି ନିଜ ସପକ୍ଷରେ ସୃଷ୍ଟି ହୋଇଥିବା ଅନ୍ତଃସ୍ରୋତକୁ ପୁଂଜି କରି ଓଡ଼ିଶାରେ ସଂଗଠନକୁ ସୁଦୃଢ କରିବାରେ ଲାଗିଛି । କଂଗ୍ରେସ ଓ ବିଜେଡ଼ିରୁ ନେତାଙ୍କୁ ଟାଣିବାର ପ୍ରୟାସ ଚାଲିଛି । ବିଜେଡ଼ିରେ ଆଭ୍ୟନ୍ତରୀଣ କନ୍ଦଳ ଓ ମନ୍ତ୍ରୀ ମଣ୍ଡଳ ଅଦଳବଦଳକୁ ନେଇ ଅସନ୍ତୋଷ ବୃଦ୍ଧି ପାଇଥିବା ବିଜେପିକୁ ସୁହାଇଛି । ତେବେ, ନବୀନଙ୍କ ପ୍ରତି ଜନସମର୍ଥନ କମିନି । ନବୀନଙ୍କ ବିକଳ୍ପ ଭାବେ ଉଭା ହେବାକୁ କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଉଦ୍ୟମ ଏ ପର୍ଯ୍ୟନ୍ତ ରଂଗ ଦେଖାଇ ନାହିଁ । ବିଜେପିରେ ବି ବିଭେଦ ରହିଛି । ଦିଲ୍ଲୀପ ରାୟ, ବିଜୟ ମହାପାତ୍ରଙ୍କ ଭଳି ପ୍ରଭାବଶାଳୀ ନେତା ବିଜେଡ଼ିକୁ ଫେରିବା ବାଟେ ଖୋଲା ରଖି ନବୀନ ବିଜେପି ଦୁଆର କିଳିବା ଉଦ୍ୟମ କରୁଛନ୍ତି । ତେଣୁ, ଅର୍ଥ ଓ ପ୍ରତିପତ୍ତି ଥିବା ନେତା ନୁହଁ, ନବୀନଙ୍କ ବିକଳ୍ପ ହେବା ପାଇଁ ଭୋଟରଙ୍କ ଦ୍ୱାରା ଗ୍ରହଣୀୟ ଜଣେ ନେତା କଂଗ୍ରେସର ନେତୃତ୍ୱ ନେବା ସମୟ ଆସିଛି । ନିରଂଜନଙ୍କୁ କେତେଦୂର ଭୋଟରଙ୍କ ମନ ଜିଣି ପାରିବ, ତାହା ସମୟ କହିବ ।

LETTER FROM THE EDITOR: A SPECIAL THANKS TO OUR READERS
LETTER FROM THE EDITOR: A SPECIAL THANKS TO OUR READERS