ତେଲ ବଜାରରେ ୟୁକ୍ରେନ୍ ତାତି !
ପ୍ରସାଦ ରାଓ
ଭୁବନେଶ୍ୱର
ଫେବୃୟାରୀ ୨୩
ରାଜଧାନୀରେ ଥିବା ପେଟ୍ରୋଲ ଟାଂକିଗୁଡ଼ିକରେ ହଠାତ ଭିଡ଼ ବଢିବାରେ ଲାଗିଛି । ଲମ୍ବା ଲମ୍ବା ଧାଡିରେ ରହୁଛନ୍ତି ଦୁଇ ଚକିଆ ଓ ଚାରି ଚକିଆ ଯାନ ଚାଳକ । ଏଭଳି ଭିଡ଼ର କାରଣ ହେଉଛି ଦୁଇଟି । ଗୋଟିଏ ହେଉଛି, ୟୁକ୍ରେନକୁ ନେଇ ବିଶ୍ୱଯୁଦ୍ଧ ଆଶଙ୍କା । ଅନ୍ୟଟି ହେଉଛି, ମାର୍ଚ୍ଚ ୭ରେ ୟୁପି ବିଧାନସଭା ପାଇଁ ଶେଷ ପର୍ଯ୍ୟାୟ ଭୋଟ ସରୁଛି । ଏହା ପରେ ପରେ ତେଲ କଂପାନୀମାନେ ପେଟ୍ରୋଲ, ଡ଼ିଜେଲ ମୂଲ୍ୟ ବଢାଇବା ନିଶ୍ଚିତ । କେନ୍ଦ୍ର ସରକାର ଏଥିରେ ଅଂକୁଶ ଲଗାଇବାର କାରଣ ନାହିଁ । ସରକାର ପ୍ରତ୍ୟକ୍ଷ ଭାବେ ପେଟ୍ରୋଲ, ଡ଼ିଜେଲ ଦର ବଢାଉ ନାହାନ୍ତି । ମୂଲ୍ୟ ସଂଶୋଧନର ସଂପୂର୍ଣ୍ଣ ସ୍ୱାଧୀନତା ତୈଳ କଂପାନୀଙ୍କୁ ଦେଇଛନ୍ତି । ତେଣୁ, ଭୋଟ ସରିବା ପରେ ସରକାର ସେଥିରେ ହସ୍ତକ୍ଷେପ କରିବେ ବା କାହିଁକି !
ଆନ୍ତର୍ଜାତିକ ବଜାରରେ ଅଶୋଧିତ ତୈଳ ମୂଲ୍ୟ ବୃଦ୍ଧି ବା ହ୍ରାସ ଏବଂ ଡ଼ଲାର ତୁଳନାରେ ଭାରତୀୟ ମୁଦ୍ରାର ମୂଲ୍ୟରେ ବୃଦ୍ଧି ଓ ହ୍ରାସ ପେଟ୍ରୋଲ, ଡ଼ିଜେଲ ଭଳି ତୈଳଜାତ ଦ୍ରବ୍ୟର ମୂଲ୍ୟକୁ ପ୍ରଭାବିତ କରିଥାଏ । ୨୦୧୭ ଜୁନରୁ ସରକାର ତୈଳ କଂପାନୀଙ୍କୁ ଆନ୍ତର୍ଜାତିକ ବଜାରରେ ଅଶୋଧିତ ତୈଳର ମୂଲ୍ୟକୁ ଦେଖି ଦେଶରେ ପେଟ୍ରୋଲ ଓ ଡ଼ିଜେଲର ମୂଲ୍ୟ ନିର୍ଦ୍ଧାରଣ କରିବାକୁ ସ୍ୱାଧୀନତା ଦେଇ ଥିବାରୁ ପ୍ରତିଦିନ ମୂଲ୍ୟରେ ସଂଶୋଧନ ହୋଇ ଆସୁଛି । କେତେବେଳେ ଦର ଲମ୍ବା ଡ଼ିଆଁ ମାରୁଛି ତ କେତେବେଳ କିଛି ପଇସା କମାଇ ଦିଆଯାଇ ଉପଭୋକ୍ତାଙ୍କୁ ଆଶ୍ୱାସନା ଦିଆଯାଉଛି । ଅଶୋଧିତ ତୈଳର ମୂଲ୍ୟରେ ଉପର ତଳ ହେବା ଛଡା ଦେଶରେ ତେଲ ଦର ବଢିବାର ଆଉ ଏକ ବଡ଼ କାରଣ ହେଉଛି କେନ୍ଦ୍ର ସରକାରଙ୍କ ଆମଦାନୀ ଶୁଳ୍କ ଏବଂ ରାଜ୍ୟ ସରକାରମାନେ ଆଦାୟ କରୁଥିବା ଭାଟ୍ ।
ତେବେ, ନିର୍ବାଚନ ଆସିଲେ କେନ୍ଦ୍ର ସରକାରଙ୍କ ଇଂଗିତରେ ତୈଳ କଂପାନୀମାନେ ପେଟ୍ରୋଲ, ଡ଼ିଜେଲ ମୂଲ୍ୟ ସଂଶୋଧନ ଉପରେ ସମ୍ୟକ ରୋକ୍ ଲଗାନ୍ତି । ନିର୍ବାଚନ ସରିଲେ ପୁଣି ଯେଉଁ କଥାକୁ ସେଇ କଥା । ଦେଶରେ ପେଟ୍ରୋଲ, ଡ଼ିଜେଲ ଲିଟର ପିଛି ମୂଲ୍ୟ ଶହେ ଟପିବା ପରେ ଜନସାଧାରଣରେ ଆକ୍ରୋଶ ବଢିବା ଦେଖି କେନ୍ଦ୍ର ସରକାର ତେଲ ଉପରେ ଆମଦାନୀ ଶୁଳ୍କ ସାମାନ୍ୟ ହ୍ରାସ କରିଥିଲେ । ରାଜ୍ୟମାନେ ମଧ୍ୟ ଚାପରେ ପଡି ନାମକୁ ମାତ୍ର ଭାଟ୍ କାମଇବାରୁ ଖାଉଟୀ ବଜାରରେ ପେଟ୍ରୋଲ, ଡ଼ିଜେଲ ମୂଲ୍ୟ ସାମାନ୍ୟ କମିଛି । କିନ୍ତୁ, ପେଟ୍ରୋଲ ଲିଟର ଶହେ ତଳକୁ ଖସି ନାହିଁ । ଫେବୃୟାରୀ-ମାର୍ଚ୍ଚରେ ପଂଜାବ, ୟୁପି, ଉତ୍ତରାଖଣ୍ଡ, ଗୋଆ, ମଣିପୁର ବିଧାନସଭା ନିର୍ବାଚନକୁ ଦୃଷ୍ଟିରେ ରଖି କେନ୍ଦ୍ର ସରକାର ମତଦାତାଙ୍କୁ ସନ୍ତୁଷ୍ଟ ରଖିବା ପାଇଁ ୧୧୦ ଦିନ ହେଲା ପେଟ୍ରୋଲ, ଡ଼ିଜେଲ ମୂଲ୍ୟ ବୃଦ୍ଧି ଉପରେ ଅଂକୁଶ ଲଗାଇଛନ୍ତି ।
ତୈଳ କଂପାନୀମାନେ ସରକାରଙ୍କ ଅଘୋଷିତ ନିର୍ଦେଶ ପ୍ରକାରେ ପେଟ୍ରୋଲ, ଡ଼ିଜେଲ ମୂଲ୍ୟ ସ୍ଥିର ରଖି ଥିଲେ ମଧ୍ୟ ଦୁଇ ଦିନ ହେଲା ରାଜଧାନୀରେ ପେଟ୍ରୋଲ ଲିଟର ପିଛା ମୂଲ୍ୟ ସାମାନ୍ୟ ବଢି ଥିବା ଦେଖିବାକୁ ମିଳିଛି । ଫେବୃୟାରୀ ୧୦ରୁ ଚାଲିଥିବା ପାଂଚଟି ରାଜ୍ୟର ବିଧାନସଭା ନିର୍ବାଚନ ମାର୍ଚ୍ଚ ୭ରେ ସରିବାକୁ ଯାଉଛି । ଇତିମଧ୍ୟରେ, ଆନ୍ତର୍ଜାତିକ ବଜାରରେ ଅଶୋଧିତ ତୈଳର ମୂଲ୍ୟରେ ଆକାଶଛୁଆଁ ବୃଦ୍ଧି ଘଟି ଥିବାରୁ ମାର୍ଚ୍ଚ ୭ରେ ୟୁପିରେ ଭୋଟ ସରୁ ସରୁ ତୈଳ କଂପାନୀଙ୍କ ଦୌରାତ୍ମ୍ୟ ଆରମ୍ଭ ହେବା ନିଶ୍ଚିତ । ଆନ୍ତର୍ଜାତିକ ବଜାରରେ ଅଶୋଧିତ ତୈଳର ମୃଲ୍ୟବୃଦ୍ଧିକୁ ଆଳ କରି ସେମାନେ ପେଟ୍ରୋଲ, ଡ଼ିଜେଲ ମୂଲ୍ୟ ଆଖିବୁଜା ବଢାଇବେ ଏବଂ ୟୁକ୍ରେନ୍ ସଂକଟକୁ ଆଳ କରି କେନ୍ଦ୍ର ସରକାର ଏଥିରେ ଲଗାମ ଲଗାଇବାକୁ ଆଗକୁ ଆସିବେ ନାହିଁ ବୋଲି ବିଶେଷଜ୍ଞ ମହଲରେ ଆଲୋଚନା ହେଉଛି । ତେଣୁ, ରାଜଧାନୀରେ ତୈଳ ଉପଭୋକ୍ତାଙ୍କ ଆଶଙ୍କା ବଢିଛି । ପେଟ୍ରୋଲ ଟାଂକିଗୁଡିକରେ ଭିଡ଼ ମଧ୍ୟ ଅସମ୍ଭବ ଭାବେ ବଢିଛି ।
ମିଳିଥିବା ତଥ୍ୟ ଅନୁଯାୟୀ, ୟୁକ୍ରେନରେ ଯୁଦ୍ଧର ଘନଘଟା ବଢୁ ଥିବାରୁ ଆନ୍ତର୍ଜାତିକ ବଜାରରେ ଅଶୋଧିତ ତୈଳର ବ୍ୟାରେଲ ପିଛା ମୂଲ୍ୟ ବଢି ଚାଲିଛି । ମଙ୍ଗଳବାର ତାହା ବ୍ୟାରେଲ ପିଛା ପାଖାପାଖି ୧୦୦ ଡ଼ଲାରରେ ପହଂଚିଲାଣି । ଆନ୍ତର୍ଜାତିକ ବଜାରରେ ବ୍ରେଂଟ୍ କ୍ରୁଡର ବ୍ୟାରେଲ ପିଛା ମୂଲ୍ୟ ୯୮ ଡ଼ଲାରରେ ପହଂଚି ଥିବା ବେଳେ ଭାରତ ଯେଉଁ ମିଶ୍ରିତ ଅଶୋଧିତ ତୈଳ ଖର୍ଦ୍ଦିର୍ କରୁଛି ତାହାର ମୂଲ୍ୟ ବ୍ୟାରେଲ ପିଛା ୯୩.୬ ଡ଼ଲାରକୁ ବୃଦ୍ଧି ପାଇଛି । ପେଟ୍ରୋଲ ଓ ଡ଼ିଜେଲ ଅନିୟନ୍ତ୍ରିତ ଦରବୃଦ୍ଧି ଯୋଗୁଁ ଜନଆକ୍ରୋଶ ଦେଖା ଦେବାରୁ ସେଥିରୁ ବର୍ତ୍ତିବା ପାଇଁ କେନ୍ଦ୍ର ସରକାର ୨୦୨୧ ନଭେମ୍ବର ୪ ତାରିଖରେ ଡ଼ିଜେଲରେ ଲିଟର ପିଛା ୧୦ଟଙ୍କା ଓ ପେଟ୍ରୋଲରେ ଲିଟର ପିଛା ୫ ଟଙ୍କା ଆମଦାନୀ ଶୁଳ୍କ କମାଇ ଥିଲେ । ରାଜ୍ୟମାନେ ମଧ୍ୟ ବାଧ୍ୟବାଧକତାରେ ‘ର୍ଧମକୁ ଆଖି ଠାର’ ମାରିବା ଭଳି ଭାଟ୍ ହ୍ରାସ କରି ଉପଭୋକ୍ତାଙ୍କୁ କିଛି ମାତ୍ରାରେ ଆଶ୍ୱସ୍ତ କରିଥିଲେ ।
ତେବେ, ଏହି ସମୟ ମଧ୍ୟରେ ଆନ୍ତର୍ଜାତିକ ବଜାରରେ ଅଶୋଧିତ ତୈଳର ବ୍ୟାରେଲ ପିଛା ମୂଲ୍ୟରେ ୧୦ ଡ଼ଲାର ବୃଦ୍ଧି ଘଟିଛି । ଅଶୋଧିତ ତୈଳରେ ପ୍ରତି ଏକ ଡ଼ଲାର ମୂଲ୍ୟବୃଦ୍ଧିରେ ଖାଉଟୀ ବଜାରରେ ୭୦ରୁ ୮୦ ପଇସା ମୂଲ୍ୟବୃଦ୍ଧି ଘଟୁଛି । ୟୁପି ସମେତ ପାଂଚଟି ରାଜ୍ୟରେ ବିଧାନସଭା ନିର୍ବାଚନ ପାଇଁ ସରକାରଙ୍କ ପରୋକ୍ଷ ଚାପରେ ତୈଳ କଂପାନୀମାନେ ୧୧୦ ଦିନ ଧରି ପେଟ୍ରୋଲ, ଡ଼ିଜେଲ ମୂଲ୍ୟ ଅପରିବର୍ତ୍ତିତ ରଖିବା ଦ୍ୱାରା ଯେଉଁ କ୍ଷତିର ସାମ୍ନା କରିଛନ୍ତି ମାର୍ଚ୍ଚ ୭ ପରେ କଡାଗଣ୍ଡା କରି ତାହା ଉପଭୋକ୍ତାଙ୍କଠାରୁ ଆଦାୟ କରିବାକୁ ଯାଉଛନ୍ତି । ତେଣୁ, ଦେଶରେ ପେଟ୍ରୋଲ ଓ ଡ଼ିଜେଲ ମୂଲ୍ୟରେ ଲିଟର ପିଛା ୭ଟଙ୍କା ଯାଏଁ ବଢିପାରେ ବୋଲି ଆକଳନ ହେଲାଣି । ପାଶ୍ଚାତ୍ୟ ରାଷ୍ଟ୍ର ବାଟ ଦେଇ ଭାରତ ରୁଷରୁ ଅଶୋଧିତ ତୈଳ ଆମଦାନୀ କରୁନଥିଲେ ମଧ୍ୟ ୟୁକ୍ରେନ ସଂକଟ ଅପସାରିତ ନହେବା ଯାଏଁ ଦେଶରେ ତେଲ ତାତି ରହିବ ବୋଲି ଅନୁମାନ କରାଯାଉଛି ।
ଦେଶରେ ୧୧୦ ଦିନ ଧରି ପେଟ୍ରୋଲ, ଡ଼ିଜେଲ ମୂଲ୍ୟ ଅପରିବର୍ତ୍ତିତ ରହିବା ଏଯାବତ୍ ସର୍ବାଧିକ ସମୟ । ଏହା ପୂର୍ବରୁ କରୋନା ମହାମାରୀ ସମୟରେ ୨୦୨୦ ମାର୍ଚ୍ଚ ୧୭ରୁ ଜୁନ ୬ ପର୍ଯ୍ୟନ୍ତ ତୈଳ କଂପାନୀମାନେ ପେଟ୍ରୋଲ, ଡ଼ିଜେଲ ମୂଲ୍ୟ ସଂଶୋଧନ କରି ନଥିଲେ । ୨୦୧୮ ମେ’ରେ କର୍ଣ୍ଣାଟକ ବିଧାନସଭା ନିର୍ବାଚନ ବେଳେ ଆନ୍ତର୍ଜାତିକ ବଜାରରେ ଅଶୋଧିତ ତୈଳର ବ୍ୟାରେଲ ପିଛା ମୂଲ୍ୟ ୫ ଡ଼ଲାର ବୃଦ୍ଧି ଘଟିବା ସତ୍ତ୍ୱେ ୧୯ ଦିନ କାଳ ତେଲ ଦର ସ୍ଥିର ରଖା ଯାଇଥିଲା । ୨୦୧୭ ଜାନୁୟାରୀ ୧୬ରୁ ଏପ୍ରିଲ ୧ ତାରିଖ ପର୍ଯ୍ୟନ୍ତ ୫ଟି ରାଜ୍ୟ ବିଧାନସଭା ନିର୍ବାଚନ ପାଇଁ ପେଟ୍ରୋଲ, ଡ଼ିଜେଲ ମୂଲ୍ୟ ସଂଶୋଧନ ହୋଇ ନଥିଲା । ସେହି ବର୍ଷ ଡ଼ିସେମ୍ବରରେ ଗୁଜରାଟ ବିଧାନସଭା ନିର୍ବାଚନରେ ମଧ୍ୟ ୧୪ ଦିନ ତେଲ ଦର ସ୍ଥିର ଥିଲା । ସରକାରଙ୍କ ଏହି ଉପଭୋକ୍ତା ତୁଷ୍ଟିକରଣ ଚାଲ୍ ‘ସାମୟିକ’ ଜାଣି ସୁଦ୍ଧା ଜନତା ସରକାରଙ୍କୁ ବରଦାସ୍ତ କରୁଥିବା ଦେଶରେ ବିକଳ୍ପ ନେତୃତ୍ୱର ଅଭାବକୁ ସ୍ପଷ୍ଟ ଭାବେ ପ୍ରତିଫଳିତ କରୁଛି ।
ମୁଖ୍ୟ ସଂପାଦକ
ମୋଅନୁଭବ.କମ୍
Share this:
LETTER FROM THE EDITOR: A SPECIAL THANKS TO OUR READERS
LETTER FROM THE EDITOR: A SPECIAL THANKS TO OUR READERS