ୟୁକ୍ରେନରେ ରୁଷର ସେଲ୍ ମାଡ: ବଡ଼ ଧରଣର ଯୁଦ୍ଧ ଏଡାଇବାକୁ ମୋଦୀ ମଧ୍ୟସ୍ଥତା କରନ୍ତୁ – ୟୁକ୍ରେନ ରାଷ୍ଟ୍ରଦୂତ
ପ୍ରସାଦ ରାଓ
ଫେବୃୟାରୀ ୨୪
ଗୁରୁବାର ସକାଳୁ ୟୁକ୍ରେନରେ ରୁଷର ସାମରିକ କାର୍ଯ୍ୟାନୁଷ୍ଠାନ ଆରମ୍ଭ ହୋଇଥିବାରୁ ଯେଉଁ ପରିସ୍ଥିତି ସୃଷ୍ଟି ହୋଇଛି ତାହାକୁ ଏଡାଇବା ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ସେଥିରେ ହସ୍ତକ୍ଷେପ କରିବାକୁ ଏବଂ ଶାନ୍ତି ପ୍ରତିଷ୍ଠା ଦିଗରେ ରୁଷ ରାଷ୍ଟ୍ରପତି ଭ୍ଲାଡିମିର ପୁଟିନଙ୍କୁ ପ୍ରବର୍ତ୍ତାଇବାକୁ ଭାରତରେ ଅବସ୍ଥାପିତ ୟୁକ୍ରେନ ରାଷ୍ଟ୍ରଦୂତ ଡକ୍ଟର ଇଗୋର ପୋଲିଖା ଆଜି ନିବେଦନ କରିବା ଭାରତ ପାଇଁ ସମ୍ମାନର ବିଷୟ ହୋଇଥିଲେ ମଧ୍ୟ କୂଟନୈତିକ ଦୃଷ୍ଟିରୁ ଭାରତ ସରକାରଙ୍କୁ ଅଡୁଆ ପକାଇଛି । ଅଡୁଆର କାରଣ ହେଉଛି, ୟୁକ୍ରେନକୁ ନେଇ ଗୋଟିଏ ପଟେ ରୁଷ ଓ ଅନ୍ୟ ପଟେ ଆମେରିକା ସମେତ ‘ନାଟୋ’ ରାଷ୍ଟ୍ର ସମୂହ ମୁହାଁମୁହିଁ ଅବସ୍ଥାରେ ରହିଛନ୍ତି । ରୁଷ ୟୁକ୍ରେନ ଉପରେ ସାମରିକା କାର୍ଯ୍ୟାନୁଷ୍ଠାନ ଜିଦରେ ଅଟଳ ରହି କାର୍ଯ୍ୟାନୁଷ୍ଠାନ ଆରମ୍ଭ କରିଥିବା ବେଳେ ଆମେରିକା ଓ ଅନ୍ୟ ‘ନାଟୋ’ ରାଷ୍ଟ୍ରମାନେ ରୁଷ ବିରୋଧରେ କଡାକଡି ଅର୍ଥନୈତିକ କଟକଣା ଘୋଷଣା କରି ସଂପୂର୍ଣ୍ଣ ପରିସ୍ଥିତିକୁ ତୃତୀୟ ବିଶ୍ୱଯୁଦ୍ଧ ଆଡକୁ ନେଉଛନ୍ତି । ପାଶ୍ଚିତ୍ୟ ରାଷ୍ଟ୍ରଙ୍କ ଭରସାରେ ୟୁକ୍ରେନ ପରାକ୍ରମୀ ରୁଷ ରାଷ୍ଟ୍ରପତି ପୁଟିନଙ୍କ ସାମରିକ ଶକ୍ତିକୁ ଚ୍ୟାଲେଂଜ କରୁଥିବା ବେଳେ ଭାରତ ରୁଷ ବା ନାଟୋ ରାଷ୍ଟ୍ର ସମୂହଙ୍କୁ ଅସନ୍ତୁଷ୍ଟ କରିବାକୁ ଚାହୁଁ ନାହିଁ । ତେଣୁ, ଚତୁରତାର ସହ ଭାରତ ଶାନ୍ତି ସପକ୍ଷରେ ବାର୍ତ୍ତା ଦେଇ ଦୁଇ ପକ୍ଷଙ୍କୁ ଭ୍ରମିତ କରିବାକୁ ଉଦ୍ୟମ କରୁଛି । ରୁଷ ସୀମାନ୍ତ ସହ ଯୋଡି ହୋଇ ରହିଥିବା ୟୁକ୍ରେନ ପାଶ୍ଚାତ୍ୟ ରାଷ୍ଟ୍ର କବ୍ଚାରେ ଥିବା ‘ନାଟୋ’ ରାଷ୍ଟ୍ର ସମୂହର ସଭ୍ୟଭୁକ୍ତ ହେବାକୁ ପ୍ରୟାସରେ ଥିବାରୁ ରୁଷ ରାଷ୍ଟ୍ରପତି ପୁଟିନ କ୍ଷୁବ୍ଧ । ୟୁକ୍ରେନ ‘ନାଟୋ’ ଗୋଷ୍ଠୀରେ ସାମିଲ ହେଲେ ପାଶ୍ଚିତ୍ୟ ରାଷ୍ଟ୍ରଙ୍କ ଆଧିପତ୍ୟ ରୁଷ ସୀମା ପର୍ଯ୍ୟନ୍ତ ଲମ୍ବି ଯିବ ଏବଂ ତାହା ରୁଷର ସାମରିକ ନିରାପତ୍ତାକୁ ବିପନ୍ନ କରିବ ବୋଲି ପୁଟିନ ଅନୁଭବ କରୁଥିବାରୁ ୟୁକ୍ରେନକୁ ସେଥିରୁ ନିବୃତ୍ତ କରିବା ପାଇଁ ସାମରିକ କାର୍ଯ୍ୟାନୁଷ୍ଠାନ ନିଷ୍ପତ୍ତି ନେଇଛନ୍ତି । କୌଣସି ପରିସ୍ଥିତିରେ ରୁଷର ସାର୍ବଭୌମତ୍ୱ ଓ ରୁଷବାସୀଙ୍କ ନିରାପତ୍ତା ସହ ସାଲିସ କରାଯିବ ନାହିଁ ବୋଲି ରୁଷ ରାଷ୍ଟ୍ରପତି ଘୋଷଣା କରି ୟୁକ୍ରେନ ସୀମାନ୍ତରେ ରୁଷ ଗତ ନଭେମ୍ବରରୁ ସୈନ୍ୟ ଓ ଅତ୍ୟାଧୁନିକ ଅସ୍ତ୍ରଶସ୍ତ୍ର ଠୁଳ କରୁଥିବା ବେଳେ ଆମେରିକା ଯେକୌଣସି ସମୟରେ ରୁଷ ୟୁକ୍ରେନ ଉପରେ ଆକ୍ରମଣ କରି ପାରେ ବୋଲି ଚେତାବନୀ ଦେଇ ଆସୁଛି । ‘ନାଟୋ’ ସଦସ୍ୟଭୁକ୍ତ ପାଶ୍ଚାତ୍ୟ ରାଷ୍ଟ୍ରମାନେ ୟୁକେନ୍ଦ୍ର ଉପରେ ରୁଷ ଆକ୍ରମଣ କଲେ ମିଳିତ ଭାବେ ତାହାର ଜବାବ ଦେବେ ବୋଲି ଚେତାଇ ଆସୁଛନ୍ତି । ଏଭଳି ପରିସ୍ଥିତିରେ ଭାରତ ରୁଷ ବା ‘ନାଟୋ’ ରାଷ୍ଟ୍ରଙ୍କ ଚକ୍ଷୁଶୂଳ ନହେବା ସକାଶେ ମଝି ରାସ୍ତା ଧରିଛି । ନଭେମ୍ବରରୁ ୟୁକ୍ରେନ ସୀମାନ୍ତରେ ରୁଷ ସେନା ଠୁଳ କରୁଥିବା ଓ ଆମେରିକା ଯୁଦ୍ଧର ଚେତାବନୀ ଦେଉଥିବା ଜାଣି ମଧ୍ୟ ଭାରତ ସରକାର ଏହି ସଂକଟକୁ ନେଇ ମୁହଁ ବନ୍ଦ ରଖିଥିଲେ । ତେବେ, କେନ୍ଦ୍ର ସରକାରଙ୍କ ବୈଦେଶିକ ମନ୍ତ୍ରଣାଳୟ ଗତ ଜାନୁୟାରୀ ୨୮ ତାରିଖରେ ପ୍ରଥମେ ମୁହଁ ଖୋଲି ‘ସଂପୃକ୍ତ ଅଂଚଳରେ ଓ ଅଂଚଳ ବାହାରେ ଦୀର୍ଘସ୍ଥାୟୀ ଶାନ୍ତି ଏବଂ ସ୍ଥିରତଷ୍ରକ୍ଷା ପାଇଁ ନିରବଚ୍ଛିନ୍ନ କୂଟନୈତିକ ଉଦ୍ୟମ ମାଧ୍ୟମରେ ଶାନ୍ତିପୂର୍ଣ୍ଣ ସମାଧାନ ହେବା ଭାରତ ଚାହେଁ’ ବୋଲି ମତ ରଖିଛି । ଭାରତ ଜାତିସଂଘ ନିରାପତ୍ତା ପରିଷଦର ଅସ୍ଥାୟୀ ସଦସ୍ୟ ରହିଛି । ଜାନୁୟାରୀରେ ଭାରତ ସରକାରଙ୍କ ବୈଦେଶିକ ମନ୍ତ୍ରଣାଳୟ ୟୁକ୍ରେନ ସମସ୍ୟକୁ ନେଇ ରଖିଥିବା ବିଧିବଦ୍ଧ ମନ୍ତବ୍ୟକୁ ଜାତିସଂଘରେ ଅବସ୍ଥାପିତ ଭାରତର ସ୍ଥାୟୀ ପ୍ରତିନିଧି ଟି.ଏସ.ତିରୁମୂର୍ତ୍ତି ଫେବୃୟାରୀ ୧୮ ତାରିଖ ଦିନ ଦୋହରାଇଛନ୍ତି । ଭାରତ ଚତୁରତାର ସହ ସାଂପ୍ରତିକ ପରିସ୍ଥିତିରୁ ନିଜକୁ ଦୂରେଇ ରଖିବାକୁ ଉଦ୍ୟମ କରୁଥିବା ବେଳେ ଭାରତରେ ଅବସ୍ଥାପିତ ୟୁକ୍ରେନ ରାଷ୍ଟ୍ରଦୂତ ଡକ୍ଟର ପୋଲିଖା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ବିଶ୍ୱର ଜଣେ ଶକ୍ତିଶାଳୀ ଓ ସମ୍ମାନସ୍ପଦ ନେତା ଭାବେ ଦର୍ଶାଇ ଏକ ଲମ୍ବା ଯୁଦ୍ଧକୁ ଏଡାଇବା ଦିଗରେ ସେ ରୁଷ ରାଷ୍ଟ୍ରପତି ପୁଟିନଙ୍କୁ ପ୍ରବର୍ତ୍ତାଇବାକୁ ନିବେଦନ କରିଛନ୍ତି । ‘ବର୍ତ୍ତମାନ ପରିସ୍ଥିତିରେ ଆମେ ଭାରତର ସମର୍ଥନ ମାଗୁଛୁ । ଗୋଟିଏ ଗଣତାନ୍ତ୍ରିକ ରାଷ୍ଟ୍ର ଉପରେ ସାମ୍ରାଜ୍ୟବାଦୀଙ୍କ ଆକ୍ରମଣ ସମୟରେ ଭାରତ ତାହାର ବିଶ୍ୱ ନେତୃତ୍ୱକୁ ପ୍ରତିପାଦିତ କରିବା ଆବଶ୍ୟକ’ ବୋଲି ଡକ୍ଟର ପୋଲିଖା ମତ ରଖିଛନ୍ତି । ସେ କହିଛନ୍ତି, ଆଉ କେତେ ଜଣ ବିଶ୍ୱ ନେତା ପୁଟିନଙ୍କୁ ବୁଝାଇ ପାରିବେ, ସେ ଜାଣନ୍ତି ନାହିଁ । ତେବେ, ପ୍ରଧାନମନ୍ତ୍ରୀ ମୋଦୀ ଯଦି ନିଜ ବକ୍ତବ୍ୟକୁ ଦୃଢତାର ସହ ଉପସ୍ଥାପନ କରିବେ ତେବେ ପୁଟିନ ତାହାକୁ ମାନି ନେଇ ପାରନ୍ତି ବୋଲି ତାଙ୍କ ବିଶ୍ୱାସ ରହିଛି । ତେଣୁ, ‘ଆମେ ଦେଶ ଭାରତ ସରକାରଙ୍କ ଠାରୁ ଅଧିକ ଅନୂକୁଳ ମନୋଭାବର ଆଶା ରଖିଛୁ’ ବୋଲି ସେ କହିଛନ୍ତି । ଡକ୍ଟର ପୋଲିଖାଙ୍କ ନିବଦେନ ଉପରେ ଭାରତ ସରକାରଙ୍କ ପ୍ରତିକ୍ରିୟା ତୁରନ୍ତ ସାମ୍ନାକୁ ଆସି ନାହିଁ । ତେବେ, ଉଭୟ ପକ୍ଷଙ୍କ ସହ ଭାରତର ସାମରିକ, ବ୍ୟବସାୟିକ ଓ କୂଟନୈତିକ ସଂପର୍କ ଥିବାରୁ ତାହା ଅକ୍ଷୁର୍ଣ୍ଣ ରଖିବା ଦିଗରେ ଭାରତ ମଧ୍ୟମ ପନ୍ଥାର ଆଶ୍ରୟ ନେଇ ପାରେ ବୋଲି ଅନୁମାନ କରାଯାଉଛି । ପାଶ୍ଚାତ୍ୟ ରାଷ୍ଟ୍ରଙ୍କ କୂଟନୀତି ଓ ଅର୍ଥନୈତିକ ଅବରୋଧ ଘୋଷଣା ପରେ ମଧ୍ୟ ରୁଷ ରାଷ୍ଟ୍ରପତି ମୋଟେ ବିଚଳିତ ନଥିବା ଆଜି ୟୁକ୍ରେନରେ ଆରମ୍ଭ ହୋଇଥିବା ରୁଷର ସାମରିକ କାର୍ଯ୍ୟାନୁଷ୍ଠାନରୁ ସ୍ପଷ୍ଟ ହେଉଛି । ରୁଷ ରାଷ୍ଟ୍ରପତି ପୁଟିନ ୟୁକ୍ରେନ ସୀମାନ୍ତରେ ଦେଢ ଲକ୍ଷରୁ ଅଧିକ ସୈନ୍ୟ ମୁତୟନ ରଖି ଥିବା ବେଳେ ଆଜି ସକାଳୁ ଚାଲି ଥିବା ୟୁକ୍ରେନ ବିରୋଧୀ ସାମରିକ କାର୍ଯ୍ୟାନୁଷ୍ଠାନ (ସେଲ୍ ମାଡ଼)ରେ ଅନ୍ୟୁନ ୫୦ ଜଣ ୟୁକ୍ରେନୀ ସୈନିକ ଓ ୧୦ ଜଣ ସାଧାରଣ ନାଗରିକଙ୍କ ମୃତ୍ୟୁ ଘଟି ଥିବା ବିଦେଶୀ ସମ୍ବାଦ ସରବାରାହ ସଂସ୍ଥାଙ୍କ ରିପୋର୍ଟରୁ ସୂଚନା ମିଳିଛି । ରୁଷ ଗୁରୁବାର ସକାଳୁ ସ୍ଥଳ, ଜଳ ଓ ଆକାଶ ମାର୍ଗରୁ ୟୁକ୍ରେନ ଉପରେ ଆକ୍ରମଣ ଆରମ୍ଭ କରିଦେଇ ଥିବାରୁ ତାଙ୍କ ଦେଶ ରୁଷ ସହ ସମସ୍ତ କୂଟନୈତିକ ସଂପର୍କ ଛିନ୍ନ କଲା ବୋଲି ୟକ୍ରେନ ରାଷ୍ଟ୍ରପତି ଭେଲଡିମାୟାର ଜେଲେନେସ୍କି ଆଜି ଘୋଷଣା କରିଛନ୍ତି । ୟୁକ୍ରେନ ସ୍ଥିତ ଭାରତୀୟ ଦୂତାବାସ ପକ୍ଷରୁ ସେଠାରେ ଅବସ୍ଥାପିତ ଭାରତୀୟ ନାଗରିକ ଓ ଛାତ୍ରଙ୍କ ଉଦେ୍ଦଶ୍ୟରେ ଆଜି ଏକ ଆଡ଼ଭାଇଜରୀ ଜାରି ହୋଇଛି । ୟୁକ୍ରେନରେ ରୁଷର ସାମରିକ ଆକ୍ରମଣ ଯୋଗୁଁ ଆକାଶ ମାର୍ଗ ବନ୍ଦ ହୋଇଯାଇଥିବା ଦୃଷ୍ଟିରୁ ସେମାନଙ୍କୁ ଉଦ୍ଧାର କରିବା ସକାଶେ ଭାରତ ସରକାର ପଠାଇବାକୁ ଥିବା ସ୍ୱତନ୍ତ୍ର ବିମାନ ସବୁକୁ ବାତିଲ କରି ଦେଇଛନ୍ତି । ବିକଳ୍ପ ବ୍ୟବସ୍ଥା ହେଲେ ଭାରତୀୟ ଦୂତାବାସ ମାଧ୍ୟମରେ ସେମାନଙ୍କୁ ସୂଚିତ କରିଦିଆଯିବ । ସେପର୍ଯ୍ୟନ୍ତ ସେମାନେ ଶାନ୍ତ ରହିବାକୁ ଆଡ଼ଭାଇଜରୀରେ ନିବେଦନ କରାଯାଇଛି । ୟୁକ୍ରେନରେ ରହୁଥିବା ଭାରତୀୟ ଛାତ୍ର ଓ ନାଗରିକଙ୍କ ପାଇଁ ଭାରତ ସରକାରଙ୍କ ବିଦେଶ ମନ୍ତ୍ରଣାଳୟ ପକ୍ଷରୁ ହେଲ୍ପ୍ ଲାଇନ୍ ନମ୍ବର ମଧ୍ୟ ଜାରି ହୋଇଥିବା ଜଣାପଡିଛି । ‘ନାଟୋ’ ମଧ୍ୟ ତାହାର ୩୦ ସଦସ୍ୟ ରାଷ୍ଟ୍ରଙ୍କ ଏକ ବୈଠକ ଆସନ୍ତା କାଲି ରଖିଛି । ଏହି ବୈଠକରେ ୟୁକ୍ରେନ ଉପରେ ରୁଷର ସାମରିକ କାର୍ଯ୍ୟାନୁଷ୍ଠାନ ନେଇ ଆଲୋଚନା କରାଯିବା ସହ ରୁଷ ବିରୋଧରେ କଟକଣା ଅଧିକ କଠୋର କରିବା ନେଇ ନିଷ୍ପତ୍ତି ନିଆଯିବ ବୋଲି ସୂଚନା ମିଳିଛି ।
ମୁଖ୍ୟ ସଂପାଦକ
ମୋଅନୁଭବ.କମ୍
Share this:
LETTER FROM THE EDITOR: A SPECIAL THANKS TO OUR READERS
LETTER FROM THE EDITOR: A SPECIAL THANKS TO OUR READERS