‘କିଭ୍’ରେ ପହଂଚିଲେଣି ରୁଷ ସୈନ୍ୟ, ୧୬ ହଜାର ଭାରତୀୟ ଛାତ୍ରଙ୍କୁ ଉଦ୍ଧାର କରିବା ଚିନ୍ତାରେ ଭାରତ
ପ୍ରସାଦ ରାଓ
ଫେବୃୟାରୀ ୨୫
ଗୁରୁବାର ସକାଳୁ ରୁଷ ପକ୍ଷରୁ ୟୁକ୍ରେନରେ ଚାଲିଥିବା ସାମରିକ କାର୍ଯ୍ୟାନୁଷ୍ଠାନ ଆଜି ମଧ୍ୟ ଜାରି ରହିଛି । ୟୁକ୍ରେନର ରାଜଧାନୀ କିଭ୍ ଦଖଲ କରିବାକୁ ରୁଷ ସେନା ଆଗକୁ ମାଡ଼ି ଚାଲିଥିବା ବେଳେ ସେମାନଙ୍କୁ ରୋକିବା ପାଇଁ କିଭ୍ ସହରକୁ ସଂଯୋଗ କରୁଥିବା ଗୋଟିଏ ପୋଲକୁ ବିସ୍ଫୋରଣରେ ଉଡାଇ ଦିଆଯାଇଥିବା ସୂଚନା ମିଳିଛି । ତଥାପି, ସନ୍ଧ୍ୟା ସୁଦ୍ଧା ରୁଷ ସେନା କିଭ୍ ସହରରେ ପହଂଚି ଯାଇଥିବା ବିଦେଶୀ ସମ୍ବାଦ ସହବରାହ ସଂସ୍ଥାଙ୍କ ରିପୋର୍ଟରୁ ଜଣାପଡିଛି । ୟୁକ୍ରେନରେ ଚାଲିଥିବା ଘନ ଘନ ବୋମା ଓ ସେଲ୍ ମାଡ ଭୟଙ୍କର ବାତାବରଣ ସୃଷ୍ଟି କରିଥିବା ବେଳେ ରୁଷର ଏହି ସାମରିକ କାର୍ଯ୍ୟାନୁଷ୍ଠାନରେ କେବଳ ସୈନିକ ନୁହନ୍ତି, ୟୁକ୍ରେନର ବେସାମରିକ ନାଗରିକମାନେ ମଧ୍ୟ ମୃତାହତ ହୋଇଥିବା ନିଜେ ୟୁକ୍ରେନ ରାଷ୍ଟ୍ରପତି ଭାଲଡିମିର ଜେନେଲେସ୍କ ସୂଚନା ଦେଇଛନ୍ତି । ଇତିମଧ୍ୟରେ ୧୩୭ ଜଣ ୟୁକ୍ରେନୀୟ ସୈନ୍ୟ ଓ ସାଧାରଣ ନାଗରିକ ରୁଷର ସାମରିକ କାର୍ଯ୍ୟାନୁଷ୍ଠାନରେ ମୃତ୍ୟୁବରଣ କରିଥିବା ଓ ଅନ୍ୟୁନ ୩୧୬ ଜଣ ଗୁରୁତର ଆହତ ହୋଇଥିବା ରାଷ୍ଟ୍ରପତି ଜେନେଲେସ୍କି କହିଛନ୍ତି । ପାଶ୍ଚାତ୍ୟ ‘ନାଟୋ’ ରାଷ୍ଟ୍ରମାନେ ୟୁକ୍ରେନରେ ରୁଷର ସାମରିକ କାର୍ଯ୍ୟାନୁଷ୍ଠାନକୁ ନାପସନ୍ଦ କରି ରୁଷ ବିରୋଧରେ ବିଭିନ୍ନ ପ୍ରକାର ଅର୍ଥନୈତିକ କଟକଣା ବା ବାସନ୍ଦ ଲାଗୁ କରୁଥିଲେ ମଧ୍ୟ ୟୁକ୍ରେନକୁ ସୈନ୍ୟ ସହାୟତା ଦେଉ ନାହାନ୍ତି । ଫଳରେ, ୟୁକ୍ରେନ ଏକାକୀ ଏହି ଯୁଦ୍ଧ ଲଢିବାକୁ ବାଧ୍ୟ ହୋଇଛି ବୋଲି ରାଷ୍ଟ୍ରପତି ଜେନେଲେସ୍କି କହିଥିବା ବେଳେ ରୁଷର ସାମରିକ କାର୍ଯ୍ୟାନୁଷ୍ଠାନକୁ ନିନ୍ଦା କରିବା ସହ ତୁରନ୍ତ ତାହା ବନ୍ଦ କରିବାକୁ କହି ଏକ ପ୍ରସ୍ତାବ ଗୃହୀତ କରାଇବାକୁ ଆଜି ୧୫ ସଦସ୍ୟ ବିଶିଷ୍ଟ ଜାତିସଂଘ ନିରାପତ୍ତା ପରିଷଦର ବୈଠକ ବସୁଥିବା ଜଣାପଡିଛି । ବୈଠକରେ ରୁଷ ବିରୋଧରେ ଅଧିକ କଡା ଆଭିମୁଖ୍ୟ ଗ୍ରହଣ କରାଯାଇପାରେ ବୋଲି ଆମେରିକା ପ୍ରଶାସନ ସୂତ୍ରକୁ କୁହାଯାଇଛି । ଜାତିସଂଘ ନିରାପତ୍ତା ପରିଷଦରେ ଭାରତ ଅସ୍ଥାୟୀ ସଦସ୍ୟ ରହିଛି । ଗୃହୀତ ହୋବାକୁ ଥିବା ପ୍ରସ୍ତାବରେ ଭାରତର ଭୂମିକା କଣ ହେଉଛି ତାହା ଦେଖିବାକୁ ସମସ୍ତଙ୍କ ଅପେକ୍ଷା ରହିଛି । ଭାରତର ପ୍ରଧାନମନ୍ତ୍ରୀ ୟୁକ୍ରେନ ଉପରେ ସାମରିକ କାର୍ଯ୍ୟାନୁଷ୍ଠାନ ରୋକିବା ପାଇଁ ରୁଷ ରାଷ୍ଟ୍ରପତି ପୁଟିନଙ୍କୁ ପ୍ରବର୍ତ୍ତାଇବାକୁ ଗତକାଲି ଭାରତରେ ଅବସ୍ଥାପିତ ୟୁକ୍ରେନ ରାଷ୍ଟ୍ରଦୂତ ଭାରତକୁ ନିବେଦନ କରିଥିଲେ । ପରେ ପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ରୁଷ ରାଷ୍ଟ୍ରପତି ଭ୍ଳାଡିମିର ପୁଟିନଙ୍କ ସହ ଆଲୋଚନା କରି ୟୁକ୍ରେନରେ ସାମରିକ କାର୍ଯ୍ୟାନୁଷ୍ଠାନ ରୋକିବାକୁ ନିବେଦନ କରିଥିବା ସୂଚନା ମିଳି ଥିଲା । ତେବେ, ୟୁକ୍ରେନରେ ଦୁଇ ଦିନ ହେଲା ଲାଗି ରହିଥିବା ଭୟଂକର ଯୁଦ୍ଧ ପରିସ୍ଥିତିରେ ଫସି ଯାଇଥିବା ଭାରତର ପାଖାପାଖି ୧୬ ହଜାର ମେଡ଼ିକାଲ ଛାତ୍ରଛାତ୍ର ଓ ନାଗରିକଙ୍କ ଉଦ୍ଧାରକୁ ଆଲୋଚନାରେ ପ୍ରାଥମିକତା ଦିଆଯାଇଥିବା ଜଣାପଡିଛି । ୟୁକ୍ରେନ, ପୋଲାଣ୍ଡ ଓ ହଂଗେରୀରେ ଥିବା ଭାରତୀୟ ଦୂତାବାସଗୁଡିକ ପକ୍ଷରୁ ଗତକାଲି ଭାରତୀୟ ଛାତ୍ରଛାତ୍ରୀ ଓ ନାଗରିକଙ୍କ ପାଇଁ ଏକାଧିକ ଆଡଭାଇଜରୀ ଜାରି କରାଯାଇ ନିଜକୁ ସୁରକ୍ଷିତ ରଖିବାକୁ ସେମାନେ ବୋମା ନିରୋଧକ ବଂକରଗୁଡିକୁ ଚାଲି ଯିବାକୁ ପରାମର୍ଶ ଦିଆଯାଇଥିଲା । ବାହାରେ ଭୟଂକର ଯୁଦ୍ଧ ପରିସ୍ଥିତି ସମରେ ବଂକର ଭିତରେ ଆଶ୍ରୟ ନେଇଥିବା ଛାତ୍ରଛାତ୍ରୀ ଓ ନାଗରିକମାନେ ବିଦ୍ୟୁତ, ପାନୀୟ ଜଳ, ଖାଦ୍ୟ ସଂକଟ ସହଘୋର ଅନିଶ୍ଚିତତା ଭିତରେ ସ୍ୱଦେଶ ଫେରିବା ଅପେକ୍ଷାରେ ଥିବା ଜଣାପଡିଛି । ରୁଷର ସାମରିକ ଆକ୍ରମଣ ପରେ ପରେ ୟୁକ୍ରେନ୍ ତାହାର ଆକାଶ ମାର୍ଗକୁ ଯାତ୍ରୀବାହୀ ବିମାନ ଉଡାଣ ପାଇଁ ବନ୍ଦ ରଖି ଥିବାରୁ ୟୁକ୍ରେନରେ ଫସି ରହିଥିବା ଭାରତୀୟ ଛାତ୍ରଛାତ୍ରୀ ଓ ନାଗରିକଙ୍କୁ ଉଦ୍ଧାର କରିବା ଭାରତ ପାଇଁ ସମସ୍ୟା ହୋଇଛି । ଗତକାଲି ଭାରତ ୟୁକ୍ରେନ ରାଜଧାନୀ କିଭ୍ ଅଭିମୁଖେ ପଠାଇ ଥିବା ଏକ ଉଦ୍ଧାରକାରୀ ଏୟାର ଇଣ୍ଡିଆ ବିମାନ ଅଧା ରାସ୍ତାରୁ ଦିଲ୍ଲୀ ଫେରି ଥିଲା । ତେବେ, ଫସି ରହିଥିବା ଭାରତୀୟ ଛାତ୍ରଛାତ୍ରୀ ଓ ନାଗରିକଙ୍କୁ ୟୁକ୍ରେନରୁ ସୁଧାସଳଖ ନ ହେଲେ ମଧ୍ୟ ପୋଲାଣ୍ଡ ଓ ହଂଗେରୀ ସୀମାନ୍ତରୁ ଉଦ୍ଧାର କରିବା ଯୋଜନା ହୋଇଛି । ଏଥିସକାଶେ, ନିରାପଦ ସଡ଼କ ପଥର ମ୍ୟାପିଂ କରାଯାଇଛି ବୋଲି ଭାରତର ବୈଦେଶିକ ସଚିବ ହର୍ଷ ବର୍ଦ୍ଧନ ସ୍ରିଙ୍ଗଲା ସୂଚନା ଦେଇଛନ୍ତି । ଭାରତୀୟ ଛାତ୍ରଛାତ୍ରୀ ଓ ନାଗରିକମାନେ ଦେଶକୁ ଫେରିବା ବାବଦ ସମସ୍ତ ଖର୍ଚ୍ଚ ଭାରତ ସରକାର ବହନ କରିବେ ବୋଲି ମଧ୍ୟ ସରକାରଙ୍କ ପକ୍ଷରୁ ଘୋଷଣା କରାଯାଇଛି । ଭାରତୀୟ ଦୂତାବାସ ଅଧିକାରୀମାନେ ସଡ଼କ ପଥରେ ପୋଲାଣ୍ଡ ଓ ହଂଗେରୀ ସୀମାନ୍ତରେ ପହଂଚି ଭାରତ ସରକାରଙ୍କ ଏହି ଉଦ୍ଧାର ଯୋଜନାକୁ କାର୍ଯ୍ୟକାରୀ କରିବାକୁ କୁହାଯାଇଛି । ରାଜଧାନୀ କିଭ୍ ରୁ ନିରାପଦ ସଡ଼କ ପଥରେ ପୋଲାଣ୍ଡ ପହଂଚିବାକୁ ୯ ଘଂଟା ଏବଂ ରୋମାନିଆରେ ପହଂଚିବାକୁ ପାଖାପାଖି ୧୨ ଘଂଟା ଲାଗିବ ବୋଲି ବୈଦେଶିକ ସଚିବ ସ୍ରିଙ୍ଗଲା କହିଛନ୍ତି । ପ୍ରଧାନମନ୍ତ୍ରୀ ମୋଦୀ ଓ ରୁଷ ରାଷ୍ଟ୍ରପତି ପୁଟିନଙ୍କ ଆଲୋଚନାରେ ୟୁକ୍ରେନରେ ଫସି ରହିଥିବା ଭାରତୀୟଙ୍କୁ ସୁରକ୍ଷିତ ଭାବେ ଉଦ୍ଧାର କରାଯିବା ଅଗ୍ରାଧିକାର ପାଇଥିଲା । ୟୁକ୍ରେନ, ପୋଲାଣ୍ଡ ଓ ହଂଗେରୀରେ ଥିବା ଭାରତୀୟ ଦୂତାବାସଗୁଡିକ ପକ୍ଷରୁ ଜାରି ହୋଇଥିବା ଆଡଭାଇଜରୀଗୁଡିକରେ ମଧ୍ୟ ୟୁକ୍ରେନରେ ଫସି ରହିଥିବା ଭାରତୀୟମାନେ ଆବଶ୍ୟକତା ବେଳେ କେମିତି ବୋମା ନିରୋଧକ ଆଶ୍ରୟ ସ୍ଥଳରେ ପହଂଚିବେ ଓ ଅନ୍ୟାନ୍ୟ ତଥ୍ୟ ଯୋଗାଇ ଦିଆଯାଇଥିଲା । ଯେଉଁମାନେ ରାଜଧାନୀ କିଭ୍ ଅଭିମୁଖେ ଯାଉଛନ୍ତି ସେମାନେ ତୁରନ୍ତ ରହୁଥିବା ସହରକୁ ଫେରି ଯିବାକୁ ମଧ୍ୟ ଦୂତାବାସ ପକ୍ଷରୁ ପରାମର୍ଶ ଦିଆଯାଇଛି । ପାଶ୍ଚାତ୍ୟ ରାଷ୍ଟ୍ରଙ୍କ ନାଟୋ ଗୋଷ୍ଠୀରେ ସାମିଲ ହେବାକୁ ପ୍ରୟାସ କରିଥିବା ୟୁକ୍ରେନକୁ ରୁଷ ବାରମ୍ବାର ଚେତାବନୀ ଦେବା ପରେ ଗତକାଲି ଏହି ସାମରିକ କାର୍ଯ୍ୟାନୁଷ୍ଠାନ ଆରମ୍ଭ କରିଛି । ୟୁକ୍ରେନ ନାଟୋରେ ସାମିଲ ହେଲେ ପାଶ୍ଚାତ୍ୟ ରାଷ୍ଟ୍ରଙ୍କ ଆଡୁ ରୁଷର ନିରାପତ୍ତା ପ୍ରତି ବିପଦ ବଢିବ । ତେଣୁ, ରୁଷ ୟୁକ୍ରେନକୁ ରୁଷ ସହ ମିଶାଇ ଦେବାକୁ, ଅଥବା ୟୁକ୍ରେନ ରାଷ୍ଟ୍ରପତି ଭାଲଡିମିର ଜେନେଲେସ୍କିଙ୍କୁ ଗାଦିଚ୍ୟୁତ କରି ନିଜ ନିୟନ୍ତ୍ରଣରେ ରହିଲା ଭଳି ଏକ ସରକାର ପ୍ରତିଷ୍ଠା କରିବାକୁ ଏହି ସାମାରିକ କାର୍ଯ୍ୟାନୁଷ୍ଠାନର ଆଶ୍ରୟ ନେଇଥିବା ଅନୁମାନ କରାଯାଉଛି । ଗତ ବର୍ଷ ଅଗଷ୍ଟ ମାସରେ ଆତଙ୍କବାଦୀ ସଂଗଠନମାନେ ଆଫଗାନିସ୍ଥାନକୁ ଦଖଲ କରି ନେବା ପରେ ସେଠାରୁ ଅସହାୟ ଅବସ୍ଥାରେ ଚାଲି ଆସିଥିବା ଆମେରିକା ସରକାର ୟୁକ୍ରେନରେ ରୁଷର ସାମରିକ କାଯ୍ୟାନୁଷ୍ଠାନକୁ ରୋକିବାରେ କେତେଦୂର ସକ୍ଷମ ହେଉଛନ୍ତି ତାହା ଦେଖିବା ସକାଶେ ସମଗ୍ର ବିଶ୍ୱ ଆପେକ୍ଷାରେ ରହିଛି ।
ମୁଖ୍ୟ ସଂପାଦକ
ମୋଅନୁଭବ.କମ୍
Share this:
LETTER FROM THE EDITOR: A SPECIAL THANKS TO OUR READERS
LETTER FROM THE EDITOR: A SPECIAL THANKS TO OUR READERS