ଗ୍ରାମାଂଚଳ ଭୋଟରେ ନବୀନଙ୍କ ଧୂଆଁଧାର ବ୍ୟାଟିଂ !

ପ୍ରସାଦ ରାଓ
ଭୁବନେଶ୍ୱର
ଫେବୃୟାରୀ ୨୬
ଓଡ଼ିଶାର ଗ୍ରାମାଂଚଳରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ପ୍ରତି ଗଭୀର ଆସ୍ଥା ଓ ଭଲ ପାଇବା ଅକ୍ଷୁର୍ଣ୍ଣ ଥିବା ପଂଚାୟତ ଭୋଟ ଫଳାଫଳ ଟ୍ରେଂଡରୁ ଦେଖିବାକୁ ମିଳିଛି । ବିଜେପିର ଆକ୍ରମଣାତ୍ମକ ପ୍ରଚାର ସତ୍ତ୍ୱେ ବିଜେଡ଼ି ବିପୁଳ ଜନସମର୍ଥନ ପାଇଛି । ୨୦୧୭ ପଂଚାୟତ ନିର୍ବାଚନରେ ଭୋଟରେ ବିଜେପିର ଉତ୍ସାହ ବଢାଇ ଥିବା ବେଳେ ୨୦୨୨ରେ ପଛଘୁଂଚା ଦେଇଛନ୍ତି । ଆକ୍ରମଣାତ୍ମକ ପ୍ରଚାର ସତ୍ତ୍ୱେ ବିଜେପି ଭୋଟରଙ୍କୁ ପ୍ରଭାବିତ କରି ପାରି ନାହିଁ । ରାଜ୍ୟରେ କଂଗ୍ରେସର ସ୍ଥିତି ଜଣାଶୁଣା । ଦଳ ସାଂଗଠନିକ ଦୃଷ୍ଟିରୁ ଏତେ ଦୁର୍ବଳ ଯେ ଶାସକ ଦଳର ଛାଇ ମଧ୍ୟ ଛୁଇଁ ପାରୁନି । ପ୍ରଥମ ଦିନରେ ୧୬ ଜିଲ୍ଲାରେ ବିଜେପିର ଖାତା ଖୋଲି ନଥିବା ବେଳେ ୨୨ ଜିଲ୍ଲାରେ କଂଗ୍ରେସର ଖାତା ଖୋଲିନି ।
ଫେବୃୟାରୀ ୨୪ରେ ସରି ଥିବା ତ୍ରୀ-ସ୍ତରୀୟ ପଂଚାୟତ ନିର୍ବାଚନର ଭୋଟ ଗଣତି ଆଜି ଆରମ୍ଭ ହୋଇଛି । ତିନି ଦିନ ଗଣତି ହୋଇ ୨୮ରେ ଫଳାଫଳ ଆନୁଷ୍ଠାନିକ ଭାବେ ପ୍ରକାଶ ପାଇବ । ଆଜି ଭେଟ ଗଣତିର ପ୍ରଥମ ଦିନ ରାଜ୍ୟର ୮୫୧ ଜିଲ୍ଲା ପରିଷଦ ଆସନରୁ ୩୧୫ଟିରେ ଭୋଟ ଗଣତି ଚାଲିଛି । ଫେବୃୟାରୀ ୧୬ରୁ ୨୪ ପର୍ଯ୍ୟନ୍ତ ଭୋଟ ହୋଇଥିଲା । ପ୍ରଥମ ଦିନର ଗଣତି ଫଳାଫଳ ଟ୍ରେଂଡ ଶାସକ ବିଜେଡ଼ି ସପକ୍ଷରେ ରହିଛି । ୨୦୨୨ ପଂଚାୟତ ନିର୍ବାଚନରେ ବିଜେଡ଼ି କ୍ଲିନ୍ ସ୍ୱିପ୍ କରିବାକୁ ଯାଉଛି ବୋଲି ଯାହା ପୂର୍ବରୁ ଆକଳନ କରାଯାଇଥିଲା ତାହା ସତ୍ୟ ହେବାକୁ ଯାଉଥିବା ସନ୍ଧ୍ୟା ସୁଦ୍ଧା ମିଳିଥିବା ଟ୍ରେଂଡରୁ ଜଣାପଡୁଛି ।
ଆଜି ୩୧୫ଟି ଜିଲ୍ଲା ପରିଷଦ ଜୋନର ଭୋଟ ଗଣତି ଚାଲି ଥିବା ବେଳେ ସନ୍ଧ୍ୟା ୭ଟା ସୁଦ୍ଧା ବିଜେଡ଼ି ୨୭୭ଟି ଜିଲ୍ଲା ପରିଷଦ ଜୋନରେ ଅଗ୍ରଣୀ ରହିଛି । ୧୯ ଜୋନରେ ବିଜେପି ଓ ୧୪ଟି ଜୋନରେ କଂଗ୍ରେସ ଆଗୁଆ ଥିବା ବେଳେ ୫ଟି ଜୋନରେ ଅନ୍ୟମାନେ ଆଗୁଆ ଅଛନ୍ତି । ୨୦୧୭ ପଂଚାୟତ ନିର୍ବାଚନରେ ବିଜେଡ଼ି ୮୫୩ ଜିଲ୍ଲା ପରିଷଦ ଜୋନରୁ ୪୭୬ରେ ବିଜୟୀ ହୋଇଥିଲା । ୨୦୧୨ ତୁଳନାରେ ତାହା କମି ଥିଲା । ଅପରପକ୍ଷରେ, ବିଜେପି ୨୦୧୭ରେ ୨୯୭ଟି ଜିଲ୍ଲା ପରିଷଦ ଜୋନରୁ ବିଜୟୀ ହୋଇ ବିଜେଡ଼ିର ନିଦ ହଜାଇ ଥିଲା ଓ କଂଗ୍ରେସକୁ ତୃତୀୟ ସ୍ଥାନକୁ ଠେଲି ଦେଇଥିଲା । ୨୦୧୨ରେ କଂଗ୍ରେସ ୧୨୬ ଜିଲ୍ଲା ପରିଷଦ ଆସନ ପାଇ ଥିବା ବେଳେ ୨୦୧୭ରେ ୬୬କୁ ଖସି ଯାଇଥିଲା ।
ବିଜେଡ଼ି ୨୦୧୨ ନିର୍ବାଚନରେ ୬୫୧ ଜିଲ୍ଲା ପରିଷଦ ଆସନରେ ବିଜୟୀ ହୋଇଥିବା ବେଳେ ୨୦୧୭ରେ ୪୭୬କୁ ଖସିବା ଏବଂ ବିଜେପି ୨୦୧୨ରେ ୩୬ଟି ଆସନ ପାଇ ଥିବା ବେଳେ ୨୦୧୭ରେ ୩୦୬କୁ ବଢିବା ବିଜେଡ଼ି ବିରୋଧରେ ଜନମତ ବୋଲି ସେତେବେଳେ ଚର୍ଚ୍ଚା ହୋଇଥିଲା । ବିଜେପି ନେତୃବର୍ଗ ସେଥିରେ ଉତ୍ସାହିତ ହୋଇ ୨୦୧୯ ସାଧାରଣ ନିର୍ବାଚନରେ ମଧ୍ୟ ତାହା ପ୍ରତିଫଳିତ ହେବ ବୋଲି ଆଶା କରିଥିଲେ । ଦଳର ରାଜ୍ୟ ଓ କେନ୍ଦ୍ରୀୟ ନେତାମାନେ ୨୦୧୯ ସାଧାରଣ ନିର୍ବାଚନରେ ବିଧାନସଭା ଦଖଲ ପାଇଁ ଜୋରଦାର ଉଦ୍ୟମ କରିଥିଲେ । ତେବେ, ୨୦୧୯ ବିଧାନସଭା ନିର୍ବାଚନରେ ତାହା ପ୍ରତିଫଳିତ ହେଲା ନାହିଁ ।
ବିଜେପି ୨୦୧୯ରେ ରାଜ୍ୟର ୧୪୭ ବିଧାନସଭା ଆସନରୁ ୨୩ଟିରେ ଜିତିବାକୁ ସକ୍ଷମ ହୋଇଥିବା ବେଳେ ଲୋକସଭାରେ ସଂଖ୍ୟା ଏକରୁ ୯କୁ ବଢାଇଥିଲା । କଂଗ୍ରେସ ବିଧାନସଭାରେ ମାତ୍ର ୯ଟି ଆସନରେ ସୀମିତ ହୋଇ ଦ୍ୱିତୀୟରୁ ତୃତୀୟ ସ୍ଥାନକୁ ଖସି ଯାଇଥିଲା । ବିଧାନସଭାରେ ବିଜେଡ଼ି ୧୧୭ ଆସନ ପାଇ ନିଜ ପତିଆରା ଅକ୍ଷୁର୍ଣ୍ଣ ରଖି ଥିଲା । ୨୦୨୨ ତ୍ରୀ-ସ୍ତରୀୟ ପଂଚାୟତ ନିର୍ବାଚନରେ ବିଜେପି ଚାଷୀଙ୍କ ଠାରୁ ଧାନ କିଣିକୁ ନେଇ ଥିବା ସମସ୍ୟା ସମେତ କଳାହାଣ୍ଡିର ମମିତା ମେହେର ହତ୍ୟାକାଣ୍ଡ, ରାଜ୍ୟରେ ନାରୀ ନିର୍ଯ୍ୟାତନା ଓ ଅପରାଧ ବୃଦ୍ଧିକୁ ବଡ଼ ପ୍ରସଙ୍ଗ କରି ରାଜ୍ୟ ସରକାରଙ୍କୁ ଘେରି ଥିଲା । ତେବେ, ଗ୍ରାମାଂଚଳ ଭୋଟର ବିଜେପିକୁ ଗ୍ରହଣ କରି ନଥିବା ସନ୍ଧ୍ୟା ସୁଦ୍ଧା ମିଳି ଥିବା ଟ୍ରୋଂଡରୁ ସୂଚନା ମିଳୁଛି ।
ରାଜ୍ୟରେ ସରକାର ବିରୋଧୀ ହାୱା ରହିଛି ଏବଂ ଭୋଟକୁ ତାହା ପ୍ରଭାବିତ କରିବ ବୋଲି ବିରୋଧୀ ଯାହା ପ୍ରଚାର କରୁଥିଲେ ତାହା ଫଳାଫଳ ଟ୍ରେଂଡରୁ ଦେଖିବାକୁ ମିଳୁ ନାହିଁ । ଗ୍ରାମାଂଚଳ ଭୋଟର ସବୁ ପ୍ରସଙ୍ଗକୁ ଏଡାଇ ମୁଖ୍ୟମନ୍ତ୍ରୀ ପଟ୍ଟନାୟକଙ୍କ ପ୍ରତି ସେମାନଙ୍କ ଭଲ ପାଇବା ଦେଖାଇଛନ୍ତି ବୋଲି ଆଲୋଚନା ହେଉଛି । ଉଲ୍ଳେଖନୀୟ ଯେ, କୋଭିଡ଼ ପରିସ୍ଥିତିରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ‘ନବୀନ ନିବାସ’ ବାହାରକୁ ବାହାରି ନଥିବା ବେଳେ ପଂଚାୟତ ନିର୍ବାଚନ ତାରିଖ ଘୋଷଣା ପୂର୍ବରୁ ରାଜ୍ୟର ସମସ୍ତ ଜିଲ୍ଲାକୁ ମାରାଥନ ଗସ୍ତ କରି ଗରିବ ଲୋକଙ୍କୁ ସ୍ୱାସ୍ଥ୍ୟ କାର୍ଡ ବଂଟନ କରିଥିଲେ ଏବଂ ବିଭିନ୍ନ ଜିଲ୍ଲାରେ ଉଦ୍ଘାଟନ, ଶିଳାନ୍ୟାସ ଓ ନୂଆ ପ୍ରକଳ୍ପ ଘୋଷଣା ମଧ୍ୟ ହୋଇଥିଲା । ପରେ, ରାଜ୍ୟର ମନ୍ତ୍ରୀ ଓ ଶାସକ ଦଳ ବିଧାୟକମାନେ ଏହାର ମଂଗ ଧରିଥିଲେ ।
ରାଜ୍ୟ ପଂଚାୟତ ନିର୍ବାଚନ ମୁହାଁ ଥିବା ବେଳେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅସୁସ୍ଥତାକୁ ନେଇ ଯେଭଳି ପ୍ରଚାର ହେଲା ତାହା ସତ୍ୟ ନୁହେଁ, ଗୁଜବ ବୋଲି ପ୍ରମାଣିତ କରିବାକୁ ମୁଖ୍ୟମନ୍ତ୍ରୀ ପଟ୍ଟନାୟକଙ୍କୁ ଘରୁ ବାହାରିବାକୁ ପଡିଲା । ମୁଖ୍ୟମନ୍ତ୍ରୀ ଲିଂଗରାଜ ମନ୍ଦିରକୁ ଯାଇ ଠାକୁର ଦର୍ଶନ କଲେ । ଏକାମ୍ର କ୍ଷେତ୍ରର ସୌନ୍ଧର୍ଯୀକରଣ କାର୍ଯ୍ୟ ତଦାରଖ କଲେ ଏବଂ କଳିଙ୍ଗ ଷ୍ଟାଡ଼ିୟମକୁ ଯାଇ ଚାଲିଥିବା ସଂପ୍ରସାରଣ କାର୍ଯ୍ୟର ତଦାରଖ କରିବା ସହ ହକୀ ଖେଳାଳୀଙ୍କୁ ଉତ୍ସାହିତ କଲେ । ମୁଖ୍ୟମନ୍ତ୍ରୀଙ୍କ ସ୍ୱାସ୍ଥ୍ୟକୁ ନେଇ ପ୍ରସାରିତ ଗୁଜବ ରାଜ୍ୟସାରା ବ୍ୟାପିବାକୁ ଦିଆଗଲା । ଏହା ପଛରେ କାହା ହାତ ଥିଲା, ତାହା ଏପର୍ଯ୍ୟନ୍ତ ସ୍ପଷ୍ଟ ହୋଇ ନାହିଁ । ଏହା ବିରୋଧୀ ଦଳଙ୍କ କାର୍ଯ୍ୟ ବୋଲି ଶାସକ ଦଳ ଅଭିଯୋଗ କରିଥିବା ବେଳେ ଶାସକ ଦଳରୁ ଏଭଳି ଅପପ୍ରଚାର ହେଉଛି ବୋଲି ବିଜେପି ଅଭିଯୋଗ କରିଛି ।
ତେବେ, ଅପପ୍ରଚାରକାରୀଙ୍କୁ ପଦାକୁ ପକାଇବା ସକାଶେ କାହାରି ଆଡୁ ଉଦ୍ୟମ ହୋଇ ନାହିଁ । ମୁଖ୍ୟମନ୍ତ୍ରୀଙ୍କ ସ୍ୱାସ୍ଥ୍ୟକୁ ନେଇ ଅପପ୍ରଚାରକୁ ନେଇ ବିଜେଡ଼ି-ବିଜେପି ମୁହାଁମୁହିଁ ଥିବା ବେଳେ କଂଗ୍ରେସ ତାହାର ନିନ୍ଦା କରିଛି । ତେବେ, ଏହି ଅପପ୍ରଚାର ହିଁ ଗ୍ରାମାଂଚଳରେ ଭୋଟରଙ୍କୁ ବିଜେଡ଼ି ସପକ୍ଷରେ ଧୂଆଁଧାର ଭୋଟ ଦେବାକୁ ପ୍ରୋତ୍ସାହିତ କରିଛି ବୋଲି ଏବେ ଆଲୋଚନା ହେଉଛି । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ୨୦୦୦ରୁ ଦୀର୍ଘ ୨୨ ବର୍ଷ ହେଲା ଶାସନରେ ଥିଲେ ମଧ୍ୟ ତାଙ୍କ ସରକାର ବିରୋଧରେ ଅନ୍ତଃସ୍ରୋତ ନଥିବା ରାଜନୈତିକ ବିଶ୍ଲେଷକଙ୍କୁ ବିସ୍ମିତ କରିଛି । ତେବେ, ମୁଖ୍ୟମନ୍ତ୍ରୀଙ୍କ ଲୋକପ୍ରିୟତା, ଲୋକାଭିମୁଖ୍ୟ କାର୍ଯ୍ୟ, ମହିଳା ଏସଏଚଜିଙ୍କୁ ମାତ୍ରାଧିକ ଗୁରୁତ୍ୱ ଏବଂ ଜନସାଧାରଣଙ୍କ ଭଲ ପାଇବା ୨୦୨୨ ତ୍ରୀ-ସ୍ତରୀୟ ପଂଚାୟତ ନିର୍ବାଚନରେ ବିଜେଡ଼ିର ଭୂକଂପ ସୃଷ୍ଟିକାରୀ ବିଜୟର ରହସ୍ୟ ବୋଲି ବିଜେଡ଼ି ଦାବି କରୁଛି ।
ପ୍ରଥମ ଦିନର ଭୋଟ ଗଣତି ରାତି ୭ଟା ସୁଦ୍ଧା ଚାଲୁ ଥିବାରୁ ଫଳାଫଳ ଟ୍ରେଂଡକୁ ନେଇ ବିଜେପି ଆଶାବାଦୀ ଥିବା ଜଣାପଡିଛି । ତେବେ, ବିଜେଡ଼ି ଯେଭଳି ଭାବେ ଆଗରେ ଅଛି ବିଜେପି ତାହାର ଛାଇ ମଧ୍ୟ ମାଡିବା କଷ୍ଟ ଜାଣି ଦଳର ନେତୃବର୍ଗ ବିମର୍ଷ ଥିବା ଦେଖିବାକୁ ମିଳୁଛି । ଆଜିର ଭୋଟ ସଂପୂର୍ଣ୍ଣ ହେବା ପରେ ତିନି ଦଳର ଆସନ ସଂଖ୍ୟା ସ୍ପଷ୍ଟ ହେବ । ଆଉ ଦୁଇ ଦିନ ଭୋଟ ଗଣତି ରହିଛି । ରବିବାର ୩୦୭ ଓ ସୋମବାର ୨୨୯ ଜିଲ୍ଲା ପରିଷଦ ଜୋନରେ ଭୋଟ ଗଣତି ହେବାକୁ ରହିଛି । ତେଣୁ, ବିଜେଡ଼ିର ଜୟ ଯାତ୍ରାରେ କେତେ ସଂଖ୍ୟାରେ ଅଟକିବ ସେନେଇ ଆକଳନ ଆରମ୍ଭ ହୋଇ ଗଲାଣି । ବିଜେପି ଅନ୍ତତଃ ୧୦୦ ପର୍ଯ୍ୟନ୍ତ ଯାଇ ପାରେ ବୋଲି ଆକଳନ ହେଉଥିବା ବେଳେ ବିଜେଡ଼ି ଚୂଡାନ୍ତ ଫଳାଫଳ ବେଳକୁ ୭୦୦ ଉପରେ ହିଁ ଥିବ ବୋଲି ବିଜେଡ଼ିର ମୁଖପାତ୍ରମାନେ ଦାବି କରୁଛନ୍ତି ।
କଂଗ୍ରେସ ନେତୃତ୍ୱ ଓଡ଼ିଶାରେ ଦଳର ସାଂଗଠନିକ ସ୍ଥିତିକୁ ନେଇ ସଂପୂର୍ଣ୍ଣ ସଚେତନ ଥିବାରୁ ଫଳାଫଳକୁ ନେଇ ବିଶେଷ କିଛି ଦାବି କରୁନି । ତଥାପି, ୨୦୧୭ ଅପେକ୍ଷା ଭଲ ଫଳ କରିବ ବୋଲି ଦଳର ମୁଖପାତ୍ରମାନେ ଦାବି କରୁଛନ୍ତି । ତଥାପି, ପ୍ରଥମ ଦିନର ଗଣତିରେ କଂଗ୍ରେସ ବିଜେପି ସହ ପାଖାପାଖି ଥିବାରୁ ଦ୍ୱିତୀୟ ସ୍ଥାନକୁ ଫେରିବାକୁ ଆଶା ରଖିଛି । ତେଣୁ, ଟ୍ରେଂଡ ଉପରେ ସମସ୍ତଙ୍କ ନଜର ରହିଛି ।
ମୁଖ୍ୟ ସଂପାଦକ
ମୋଅନୁଭବ.କମ୍
Share this:








LETTER FROM THE EDITOR: A SPECIAL THANKS TO OUR READERS
LETTER FROM THE EDITOR: A SPECIAL THANKS TO OUR READERS