ଆଫଗାନିସ୍ତାନ ପରେ ୟୁକ୍ରେନ..


ପ୍ରସାଦ ରାଓ
ଫେବୃୟାରୀ ୨୭
ୟୁପି ବିଧାନସଭା ନିର୍ବାଚନକୁ ନେଇ (ପ୍ରାୟତଃ ଶେଷ ପର୍ଯ୍ୟାୟ ଆଡକୁ ଯାଉଥିବା) ଗଲା କିଛି ସପ୍ତାହ ଧରି ଦେଶରେ ଯେଉଁ ରାଜନୈତିକ ତାତି ଥିଲା ତାହା ୟୁକ୍ରେନରେ ରୁଷର ସମାରିକ କାର୍ଯ୍ୟାନୁଷ୍ଠାନ ପରଠାରୁ ହଜି ଯାଇଛି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କଠାରୁ ଆରମ୍ଭ କରି ଦେଶର ସବୁ ବଡ଼ ରାଜନେତା ୟୁପି ନିର୍ବାଚନକୁ ପଛରେ ପକାଇ ଏବେ ୟୁକ୍ରେନରେ ସୃଷ୍ଟି ହୋଇଥିବା ସଂକଟକୁ ନେଇ ବ୍ୟସ୍ତ । ହଜାର ହଜାର ସଂଖ୍ୟାରେ ଭାରତୀୟ ଛାତ୍ର ଓ ନାଗରିକ ଯୁଦ୍ଧ ପୀଡ଼ିତ ୟୁକ୍ରେନରେ ଫସି ଥିବାରୁ ସେମାନଙ୍କୁ ସୁରକ୍ଷିତ ଭାବେ ଉଦ୍ଧାର କରି ଭାରତକୁ ଫେରାଇ ଆଣିବା ଏବେ ଭାରତ ସରକାରଙ୍କ ପାଇଁ ବଡ ଚ୍ୟାଲେଂଜ ରହିଛି । ଏହାଛଡା, ୟୁକ୍ରେନକୁ ନେଇ ଭାରତୀୟ ବିଦେଶ ନୀତି ମଧ୍ୟ ସମାଲୋଚନାର ଶରବ୍ୟ ହୋଇଛି । ୟୁକ୍ରେନରେ ରୁଷର ସାମରିକ କାର୍ଯ୍ୟାନୁଷ୍ଠାନକୁ ଭାରତ ସରକାର ଯେଭଳି ଭାବେ ନିନ୍ଦା କରିବା କଥା କରି ନାହାନ୍ତି । ଅପରପକ୍ଷରେ, ରୁଷ ବିରୋଧରେ ଜାତିସଂଘ ସୁରକ୍ଷା ପରିଷଦରେ ଆସି ଥିବା ନିନ୍ଦା ପ୍ରସ୍ତବ ଉପରେ ଭୋଟ ଦେବାରୁ ବିରତ ରହି ରୁଷକୁ ପରୋକ୍ଷ ସମର୍ଥନ ଦେଇଛନ୍ତି ବୋଲି ବିରୋଧୀ ସମାଲୋଚନା କରିବା ଆରମ୍ଭ କରିଛନ୍ତି ।
ୟୁକ୍ରେନ ଉପରେ ରୁଷର ସାମରିକ କାର୍ଯ୍ୟାନୁଷ୍ଠାନକୁ ନିନ୍ଦା କରି ଶୁକ୍ରବାର ଦିନ ପାଶ୍ଚାତ୍ୟ ରାଷ୍ଟ୍ରଙ୍କ ପକ୍ଷରୁ ଜାତିସଂଘ ନିରାପତ୍ତା ପରିଷଦରେ ପ୍ରସ୍ତାବ ଅଣାଯାଇଥିଲା । ୧୧ଟି ରାଷ୍ଟ୍ର ପ୍ରସ୍ତାବ ସପକ୍ଷରେ ଭୋଟ ଦେଇଥିବା ବେଳେ ଭାରତ, ଚୀନ ଓ ୟୁଏଇ ଭୋଟଦାନରୁ ବିରତ ଥିଲେ । ଅବଶ୍ୟ, ଭିଟୋ ପ୍ରୟୋଗ ମାଧ୍ୟମରେ ରୁଷ ପାଶ୍ଚାତ୍ୟ ରାଷ୍ଟ୍ରଙ୍କ ନିନ୍ଦା ପ୍ରସ୍ତାବକୁ ଅକାମୀ କରି ଦେଇଛି । ଭାରତ ଭୋଟ ଦାନରୁ ବିରତ ରହି ଭଲ ବନ୍ଧୁର ପରିଚୟ ଦେଇଛି ବୋଲି ରୁଷ ପ୍ରଶଂସା କରିଛି । ତେବେ, ଭାରତର ବିରୋଧୀ ନେତାମାନେ ତାହାକୁ ସେହି ଦୃଷ୍ଟିରେ ଦେଖୁ ନାହାନ୍ତି । ଗୋଟିଏ ବୃହତ୍ତ ଗଣତାନ୍ତ୍ରିକ ରାଷ୍ଟ୍ର ହୋଇ ଭାରତ ୟୁକ୍ରେନ ଭଳି ଏକ କ୍ଷୁଦ୍ର ଗଣତାନ୍ତ୍ରିକ ରାଷ୍ଟ୍ର ଉପରେ ସାମରିକ କାର୍ଯ୍ୟାନୁଷ୍ଠାନ ନିନ୍ଦା କରିବା ବଦଳରେ ନିନ୍ଦା ପ୍ରସ୍ତାବ ଉପରେ ଭୋଟଦାନରୁ ବିରତ ରହିବା ରୁଷର ବିସ୍ତାରବାଦୀ ନୀତିକୁ ପ୍ରୋତ୍ସାହିତ କଲା ଭଳି ହୋଇଛି ବୋଲି ବିରୋଧୀ ଅଭିଯୋଗ କରିଛନ୍ତି ।
ନିନ୍ଦା ପ୍ରସ୍ତାବକୁ ସମର୍ଥନ କରି ଭାରତ ଭୋଟ ଦେବାକୁ ୟୁକ୍ରେନ ରାଷ୍ଟ୍ରପତି ଭୋଲଡିମିର ଜେଲେନେସ୍କି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ନିବେଦନ କରିଥିଲେ । ଏହା ପୂର୍ବର, ରୁଷକୁ ଆକ୍ରମଣ ରୋକିବାକୁ ପ୍ରବର୍ତ୍ତାଇବାକୁ ମଧ୍ୟ ସେ ଭାରତରେ ଥିବା ୟୁକ୍ରେନ ରାଷ୍ଟ୍ରଦୂତଙ୍କ ମାଧ୍ୟମରେ ମୋଦୀଙ୍କ ନିକଟକୁ ବାର୍ତ୍ତା ପଠାଇ ଥିଲେ । ପ୍ରଧାନମନ୍ତ୍ରୀ ମୋଦୀ ରୁଷ ରାଷ୍ଟ୍ରପତି ଭ୍ଲାଡିମିର ପୁଟିନଙ୍କ ସହ ଆଲୋଚନା କରିଥିଲେ ସିନା ଯୁଦ୍ଧର ଗତିପଥ ବଦଳି ନଥିଲା । ତେବେ, ଯୁଦ୍ଧ ରୋକିବା ଓ ୟୁକ୍ରେନରେ ଫସି ରହି ଥିବା ଭାରତୀୟଙ୍କୁ ନିରାପଦ ଭାବେ ଉଦ୍ଧାର କରି ଦେଶକୁ ଫେରାଇ ଆଣିବା ମୋଦୀଙ୍କ ଆଲୋଚନାର ମୁଖ୍ୟାଶ ଥିଲା ବୋଲି ବିଦେଶ ମନ୍ତ୍ରଣାଳୟ ପକ୍ଷରୁ କୁହାଯାଇଛି । ୟୁକ୍ରେନରେ ରୁଷର ସାମରିକ ଆକ୍ରମଣ ଜାରି ଥିବାରୁ ଭାରତର ଉଦ୍ଧାର କାର୍ଯ୍ୟ ମନ୍ଥର ରହିଛି । ତଥାପି, ସେଠାରେ ଫସି ରହି ଥିବା ଭାରତୀୟଙ୍କୁ ପର୍ଯ୍ୟାୟକ୍ରମେ ଉଦ୍ଧାର କାର୍ଯ୍ୟ ଚାଲିଛି । ଭାରତ ଜାତିସଂଘ ନିରାପତ୍ତା ପରିଷଦରେ ରୁଷ ବିରୋଧୀ ନିନ୍ଦା ପ୍ରସ୍ତାବରେ ଭୋଟଦାନରୁ ବିରତ ରହିବାର କାରଣ ଏସୀୟ ମହାଦେଶରେ ଚୀନ ଯେଉଁ ସଂପ୍ରସାରଣବାଦ ଚଳାଇଛି ତାହାକୁ ରୋକିବା ନିମନ୍ତେ ଦୁଇ ବିଶ୍ୱଶକ୍ତି ରୁଷ ଓ ଆମେରିକା (ପାଶ୍ଚାତ୍ୟ ରାଷ୍ଟ୍ରଙ୍କ) ସହ ସଂତୁଳନ ରକ୍ଷା କରିବା ବାଧ୍ୟବାଧକତା ବୋଲି ବିଦେଶ ନୀତି ପ୍ରବକ୍ତାମାନେ କହୁଛନ୍ତି ।
ଏବେ ଯିିବା ୟୁକ୍ରେନକୁ । ରୁଷ ନିଜ ସୀମାନ୍ତ ସୁରକ୍ଷାର ପ୍ରସଙ୍ଗକୁ ନେଇ ୟୁକ୍ରେନ ବିରୋଧୀ ଲଢେଇ ଲଢୁଛି କହୁଥିଲେ ମଧ୍ୟ ବାସ୍ତବରେ ତାହା ପାଶ୍ଚାତ୍ୟ ରାଷ୍ଟ୍ର ମେଂଟ ପାଇଁ ପରୋକ୍ଷ ଚେତାବନୀ ଭାବେ ବିଚାର କରାଯାଉଛି । ୟୁକ୍ରେନ ଉପରେ ରୁଷ ସାମରିକ କାର୍ଯ୍ୟାନୁଷ୍ଠାନ କଲେ ତାହାର କଡ଼ା ଜବାବ ଦିଆଯିବ ବୋଲି ଚେତାବନୀ ଦେଇ ଆସୁଥିବା ପାଶ୍ଚାତ୍ୟ ରାଷ୍ଟ୍ର ନେତୃବର୍ଗ ୟୁକ୍ରେନରେ ରୁଷର ଆକ୍ରମଣ ପରେ ମଧ୍ୟ କଥାରେ ସୀମିତ ଅଛନ୍ତି । ‘ନାଟୋ’ ଗୋଷ୍ଠୀର ଚେତାବନୀକୁ ବେଖାତିରି କରି ରୁଷ ରାଷ୍ଟ୍ରପତି ପୁଟିନ ଗୁରୁବାର ସକାଳେ ୟୁକ୍ରେନରେ ସାମରିକ କାର୍ଯ୍ୟାନୁଷ୍ଠାନ ଆରମ୍ଭ କରି ଧ୍ୱଂସ ଲୀଳା ଚଳାଇ ଥିଲେ ମଧ୍ୟ ଆମେରିକା ସମେତ ‘ନାଟୋ’ ଆନ୍ତର୍ଭୁକ୍ତ ରାଷ୍ଟ୍ରମାନେ ପ୍ରତ୍ୟକ୍ଷ ଯୁଦ୍ଧରୁ ଦୂରେଇ ରହି କେବଳ ରୁଷ ବିରୋଧୀ ଅର୍ଥନୈତିକ ବାସନ୍ଦ ଲଗାଇବାରେ ବ୍ୟସ୍ତ ଥିବା ଦେଖି ୟୁକ୍ରେନ ରାଷ୍ଟ୍ରପତି ଜେଲେନେସ୍କିଙ୍କୁ ଦୁଃଖି କରିଛି । ତେବେ, ସେ ନିଜ ସୀମିତ ଶକ୍ତିକୁ ନେଇ ରୁଷ ସହ ଲଢେଇ ଜାରି ରଖିବା ନିଷ୍ପତ୍ତିରେ ଅଟଳ ।
ୟୁକ୍ରେନରେ ଆଜି ଚତୁର୍ଥ ଦିନ ପାଇଁ ରୁଷର ସାମରିକ କାର୍ଯ୍ୟାନୁଷ୍ଠାନ ଚାଲିଛି । ରୁଷ ସେନା ୟୁକ୍ରେନର ଦ୍ୱିତୀୟ ବୃହତ୍ତମ ସହର ଖାରକିଭରେ ପ୍ରବେଶ ଉଦ୍ୟମରେ ଥିବା ସୂଚନା ମିଳିଛି । ଅନୁପ୍ରବେଶକାରୀ ରୁଷ ସେନାକୁ ୟୁକ୍ରେନ ସେନା ଦୃଢ ପ୍ରତିରୋଧ କରୁଥିବା ସେଠାକାର ଆଂଚଳିକ ପ୍ରଶାସନ ମୁଖ୍ୟ ଓଲେଗ ସିନେବୋଭ କହିଛନ୍ତି । ରୁଷ ରାଷ୍ଟ୍ରପତି ଭ୍ଲାଡିମିର ପୁଟିନ ଗୋଟିଏ ପଟେ ୟୁକ୍ରେନ ସୈନ୍ୟଙ୍କୁ ଦେଶ ବିରୋଧରେ ଲଢେଇ କରିବାକୁ ଉସୁକାଉ ଥିବା ବେଳେ ଅନ୍ୟପଟେ ୟୁକ୍ରେନକୁ ଆଲୋଚନା ପ୍ରସ୍ତାବ ଦେଇଛନ୍ତି । ବେଲାରୁଷର ଗୋମେଲ ସହରରେ ଏହି ଆଲୋଚନା ପାଇଁ ରୁଷ ତାହାର ଅଧିକାରୀଙ୍କୁ ପଠାଇଛି । ତେବେ, ୟୁକ୍ରେନ ରୁଷର ପ୍ରସ୍ତାବକୁ ପ୍ରତ୍ୟାଖାନ କରି ବେଲାରୁଷ ବ୍ୟତୀତ ଅନ୍ୟ କୌଣସି ସହର, ୱାର୍ସା, ବ୍ରାଟିସ୍ଲାଭା, ବୁଦାପେଷ୍ଟ, ଇସ୍ତାନାବୁଲ ବା ବକୁରେ ଆଲୋଚନା ପାଇଁ ତାହାର ଦ୍ୱାର ଉନ୍ମୁକ୍ତ ରଖିଛି ବୋଲି ରାଷ୍ଟ୍ରପତି ଜେଲେନେସ୍କି ଏକ ଅନ୍ ଲାଇନ୍ ପୋଷ୍ଟରେ କହିଛନ୍ତି । ସେ ରାଜଧାନୀ ‘କିଭ୍’ରେ ହିଁ ଅଛନ୍ତି, ‘କିଭ୍’ ସହର ଏପର୍ଯ୍ୟନ୍ତ ୟୁକ୍ରେନ ନିୟନ୍ତ୍ରଣରେ ରହିଛି ବୋଲି ଜେଲେନେସ୍କି ଆଜି ଏକ ବିବୃତିରେ ଦାବି କରିଛନ୍ତି ।
ଇତିମଧ୍ୟରେ, ରୁଷ ସେନା ବିରୋଧରେ ଲଢିବାକୁ ଇଚ୍ଛୁକ ବିଦେଶୀ ସ୍ୱେଚ୍ଛସେବୀ ସୈନିକଙ୍କୁ ନେଇ ଏକ ଆନ୍ତର୍ଜାତିକ ସେନା ଗଢିବାକୁ ୟୁକ୍ରେନ ଉଦ୍ୟମ ଆରମ୍ଭ କରିଛି । ବିଭିନ୍ନ ଦେଶରେ ଥିବା ୟୁକ୍ରେନ ଦୂତାବାସ ମାଧ୍ୟମରେ ବିଦେଶୀ ସ୍ୱେଚ୍ଛସେବୀ ସୈନିକଙ୍କୁ ଆହ୍ୱାନ ଦିଆଯାଇଛି । ୟୁକ୍ରେନରେ ଅନୁପ୍ରବେଶ କରିଥିବା ରୁଷ ସେନା ମଧ୍ୟ ୟୁକ୍ରେନ ସେନା ଆଡୁ ଆଶାତୀତ ଭାବେ ପ୍ରତିରୋଧର ସାମ୍ନା କରୁଥିବାରୁ ଧୀରେ ଧୀରେ ବିତସ୍ପୃହ ହେଉଥିବା ଆମେରିକୀୟ ପ୍ରତିରକ୍ଷା ଅଧିକାରୀଙ୍କୁ ଉଦ୍ଧାର କରି ଏକ ଆନ୍ତର୍ଜାତିକ ସମ୍ବାଦ ସରବରାହ ସଂସ୍ଥା ଖବର ପ୍ରସାରିତ କରିଛି । ୟୁକ୍ରେନ ସୈନ୍ୟ ଅନୁପ୍ରବେଶକାରୀ ସୈନ୍ୟଙ୍କୁ ‘କିଭ୍’ ସହରରେ ପ୍ରବେଶ କରିବାକୁ ଦେଉ ନାହାନ୍ତି, ରୁଷ ପଠାଇ ଥିବା ସୈନ୍ୟଙ୍କ ମଧ୍ୟରୁ ୫୦ ପ୍ରତିଶତ ହିଁ ୟୁକ୍ରେନରେ ପ୍ରବେଶ କରିଛନ୍ତି ବୋଲି ପେଂଟାଗନରୁ ମିଳି ଥିବା ସୂଚନା ଆଧାରରେ ଆମେରିକୀୟ ଅଧିକାରୀ ଜଣକ ସୂଚନା ଦେଇଥିବା ଜଣାପଡିଛି । ୟୁକ୍ରେନ ରାଷ୍ଟ୍ରପତି ଜେଲେନେସ୍କିଙ୍କ ଜଣେ ପରାମର୍ଶଦାତା ଓଲେକ୍ସି ଆରିଷ୍ଟୋଭିଚ କହିଛନ୍ତି, ‘କିଭ୍’କୁ ଘେରି ରହିଥିବା ରୁଷ ସୈନ୍ୟଙ୍କୁ ୟୁକ୍ରେନ ସୈନ୍ୟ ଦୃଢ ଭାବେ ପ୍ରତିରୋଧ କରୁଛନ୍ତି । ଏଯାବତ୍ ୩,୫୦୦ ରୁଷ ସୈନ୍ୟ ମୃତାହତ ହେଲେଣି । ଶତୃ ସେନା ବର୍ତ୍ତମାନ ଆଗକୁ ବଢୁ ନାହିଁ ।
ଅପରପକ୍ଷରେ, ଆମେରିକା ରାଷ୍ଟ୍ରପତି ଜୋ ବିଡେନ ଆଜି ୟୁକ୍ରେନକୁ ଅତିରିକ୍ତ ୩୫୦ ନିୟୁତ ଡ଼ଲାରର ଅସ୍ତ୍ରଶସ୍ତ୍ର ଯୋଗାଇ ଦେବାକୁ ଆମେରିକା ବିଦେଶ ମନ୍ତ୍ରଣାଳୟକୁ ନିର୍ଦେଶ ଦେଇଥିବା ସୂଚନା ମିଳିଛି । ଜର୍ମାନୀ, ଫାନ୍ସ ମଧ୍ୟ ୟୁକେନକୁ ସାମରିକ ଉପକରଣ ପଠାଉଛି । ତେବେ, ୟୁକ୍ରେନରେ ରୁଷର ସାମରିକ କାର୍ଯ୍ୟାନୁଷ୍ଠାନରେ ଭୟଭିତ ୟୁକ୍ରେନବାସୀ ବହୁ ସଂଖ୍ୟାରେ ଦେଶ ଛାଡି ପଳାଉ ଥିବା ଜଣାପଡିଛି । ଏକ ଲକ୍ଷରୁ ଅଧିକ ଶରଣାର୍ଥୀ ପୋଲାଣ୍ଡ ସୀମା ପାରି ହୋଇଥିବା ବେଳେ ୫୦ ହଜାର ୟୁକ୍ରେନବାସୀ ହଙ୍ଗେରୀ ଓ ରୋମାନିଆ ପଳାଇଲେଣି । ହଜାର ହଜାର ୟୁକ୍ରେନବାସୀ ମେଲଡାଭା ପଳାଉ ଥିବା ଜାତିସଂଘ କହିଛି । ରୁଷ ସାମରିକ କାର୍ଯ୍ୟାନୁଷ୍ଠାନରେ ୩ ଜଣ ଶିଶୁଙ୍କ ସମେତ ୧୯୮ ଜଣ ୟୁକ୍ରେନୀୟଙ୍କ ମୃତ୍ୟୁ ଘଟିଲାଣି ଓ ଏକ ହଜାରରୁ ଅଧିକ ଆହତ ହୋଇଛନ୍ତି ବୋଲି ୟୁକ୍ରେନ ସ୍ୱାସ୍ଥ୍ୟ ମନ୍ତ୍ରୀ ଭିକ୍ଟର ଲିଆସ୍କୋ ସୂଚନା ଦେଇଛନ୍ତି ।
ୟୁକ୍ରେନ ପରିସ୍ଥିତିକୁ ଦେଖିଲେ ୨୦୨୧ ଅଗଷ୍ଟ ୧୫ ତାରିଖ ଦିନର ଆଫଗାନିସ୍ତାନ ପରିସ୍ଥିତି ଆଖି ଆଗକୁ ଆସୁଛି । ଆମେରିକା ସେନା ଆଫଗାନିସ୍ତାନକୁ ଆତଙ୍କବାଦୀଙ୍କ ହାତରେ ସମର୍ପି ଦେଇ ନିଜ ଦେଶକୁ ପ୍ରତ୍ୟାବର୍ତ୍ତନ କରିବାକୁ ପ୍ରସ୍ତୁତ ହେଉଥିବା ସମୟରେ ଆତଙ୍କବାଦୀଙ୍କ ବର୍ବରତାରୁ ରକ୍ଷା ପାଇବା ପାଇଁ ଲକ୍ଷାଧିକ ଆଫଗାନବାସୀ ଦେଶ ଛାଡିବାକୁ ଡହଳ ବିକଳ ହେଉଥିଲେ । ଆଜି ୟୁକ୍ରେନରେ ତାହାର ପୁନରାର୍ବତ୍ତି ଘଟିଛି । ତେବେ, ରୁଷର ସାମରିକ କାର୍ଯ୍ୟାନୁଷ୍ଠାନ କାରଣରୁ । ଆଫଗାନିସ୍ତାନ ଓ ୟୁକ୍ରେନ ପରିସ୍ଥିତି ସାମାନ୍ୟ ଭିନ୍ନ ହୋଇଥିଲେ ମଧ୍ୟ ମାନବୀୟ ସମସ୍ୟା ଯେ ଏକାଭଳି, ତାହା ଦେଶ ଛାଡି ପଳାଉଥିବା ୟୁକ୍ରେନ ଶରଣାର୍ଥୀଙ୍କ ବିକଳ ଅବସ୍ଥାକୁ ଦେଖିଲେ ଅନୁଭବ କରି ହେଉଛି ।
ମୁଖ୍ୟ ସଂପାଦକ
ମୋଅନୁଭବ.କମ୍
Share this:

LETTER FROM THE EDITOR: A SPECIAL THANKS TO OUR READERS
LETTER FROM THE EDITOR: A SPECIAL THANKS TO OUR READERS