ଗ୍ରାମାଂଚଳ ଭୋଟ: ଦ୍ୱିତୀୟରେ ରହିବ କିଏ ? ବିଜେପି ନା କଂଗ୍ରେସ ??

ପ୍ରସାଦ ରାଓ
ଫେବୃୟାରୀ ୨୮
ନିକଟରେ ସରି ଥିବା ତ୍ରୀ-ସ୍ତରୀୟ ପଂଚାୟତ ନିର୍ବାଚନରେ ବିଜେଡ଼ିର ନିରଙ୍କୁଶ ବିଜୟ ରାଜନୈତିକ ବିଶ୍ଲେଷକଙ୍କୁ ବିସ୍ମିତ କରିଛି । ୨୦୦୦ମସିହାରୁ ରାଜ୍ୟରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନେତୃତ୍ୱରେ ବିଜେଡ଼ି ସରକାର ରହିଛି । ଦୀର୍ଘ ୨୨ ବର୍ଷ ଧରି ରାଜ୍ୟରେ ଗୋଟିଏ ଦଳର ଶାସନ ଚାଲ ଥିବା ଦୃଷ୍ଟିରୁ ସରକାର ବିରୋଧୀ ଅନ୍ତଃସ୍ରୋତ ରହିବା ସ୍ୱଭାବିକ । ତେବେ, ଓଡ଼ିଶାରେ ସେଭଳି କିଛି ଦେଖିବାକୁ ମିଳି ନାହିଁ । ପଂଚାୟତ ନିର୍ବାଚନରେ ରାଜ୍ୟର ୩୦ଟି ଯାକ ଜିଲ୍ଲାରେ ବିଜେଡ଼ିର ବିଜୟ ବାନା ଉଡୁଛି । ଦୁଇ ଜାତୀୟ ଦଳ ବିଜେପି ଓ କଂଗ୍ରେସକୁ ସମୟରେ ଓଡ଼ିଶାବାସୀ ଏକପ୍ରକାର ମୂଳପୋଛ କରିଥିବା ହିଁ ବିସ୍ମୟର କାରଣ ହୋଇଛି । ଏହା ଏକଛତ୍ରବାଦ ଶାସନକୁ ସମର୍ଥନ ବୋଲି ବିରୋଧୀ ଅଭିଯୋଗ କରୁଥିଲେ ମଧ୍ୟ ଶାସକ ଦଳ ଏହାକୁ ତୃଣମୂଳ ସ୍ତରରେ ଦଳର ସାଂଗଠନିକ ଶକ୍ତି, ସରକାରଙ୍କ ଲୋକାଭିମୁଖୀ କାର୍ଯ୍ୟ ଓ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ପ୍ରତି ଜନସାଧାରଣରେ ଥିବା ବିଶ୍ୱାସର ପ୍ରତିଫଳନ ବୋଲି କହିଛି ।
ରାଜ୍ୟର ୩୦ ଜିଲ୍ଲାରେ ଫେବୃୟାରୀ ୧୬ରୁ ୨୪ ପର୍ଯ୍ୟନ୍ତ ଏହି ତ୍ରୀ-ସ୍ତରୀୟ ପଂଚାୟତ ନିର୍ବାଚନ ହୋଇଥିଲା । ୨୬ ତାରିଖରୁ ଭୋଟ ଗଣତି ଚାଲିଛି । ଆଜି ହେଉଛି ଭୋଟ ଗଣତିର ଶେଷ ଦିନ । ସାମ୍ନାକୁ ଆସୁଥିବା ଫଳାଫଳ ଅବିଶ୍ୱସନୀୟ ହେଲେ ମଧ୍ୟ ସତ୍ୟ । ରାଜ୍ୟର ୮୫୨ ଜିଲ୍ଲା ପରିଷଦ ଜୋନରୁ ଆଜି ରାତି ୭ଟା ସୁଦ୍ଧା ବିଜେଡ଼ି ଖତାକୁ ୭୬୨ ଆସନ ଆସୁଥିବା ସୂଚନା ମିଳୁଥିବା ବେଳେ ବିଜେପି ୪୪ ଓ କଂଗ୍ରେସ ୩୮ରେ ରହିଛି । ଅନ୍ୟମାନେ ୭ଟି ଜୋନରେ ଅଗ୍ରଣୀ ଅଛନ୍ତି । ୨୬ ଓ ୨୭ ତାରିଖ ଦିନ ଭୋଟ ଗଣତି ସରି ଯେଉଁ ଫଳାଫଳ ଆସି ସାରିଛି ସେଥିରେ ବିଜେଡ଼ି ୬୧୦ ଜିଲ୍ଲା ପରିଷଦ ଜୋନରୁ ୫୪୨ ଜୋନରେ ବିଜୟୀ ହୋଇଥିବା ବେଳେ ବିଜେପି ୩୧ ଓ କଂଗ୍ରେସ ୩୦ଟି ଜୋନରେ ବିଜୟୀ ହୋଇଛି । ଆଜି ତୃତୀୟ ଓ ଶେଷ ଦିନର ଗଣତି ଚାଲି ଥିବାରୁ ବିଜେପି ଓ କଂଗ୍ରେସ ଭିତରୁ କିଏ ଦ୍ୱତୀୟ ସ୍ଥାନରେ ରହିବେ, ତାହା ସ୍ପଷ୍ଟ ହେବ ।
ତେବେ, ରାତି ୭ଟା ସୁଦ୍ଧା ୮୫୨ ଜିଲ୍ଲା ପରିଷଦ ଜୋନରୁ ୭୬୨ଟି ଜୋନରେ ବିଜେଡ଼ିର ବାନା ଉଡୁ ଥିବାରୁ ୨୦୨୨ରେ ଶାସକ ଦଳ ୭୦୦ରୁ ଅଧିକ ଜିଲ୍ଲା ପରିଷଦ ଆସନ ପାଇବ ବୋଲି ଯାହା ଦାବି କରୁଥିଲା, ତାହା ବାସ୍ତବ ହେବାକୁ ଯାଉଛି । ବିଜେପି ଓ କଂଗ୍ରେସ ୪୪-୩୮ ରହି ଦ୍ୱିତୀୟ ସ୍ଥାନ ପାଇଁ ଲଢେଇରେ ଅଛନ୍ତି । ଚୂଡାନ୍ତ ଫଳାଫଳ ଆସିବା ବେଳେକୁ ସଂଖ୍ୟାରେ କିଛି ଉପର, ତଳ ହେବ । କିନ୍ତୁ, ବିଜେଡ଼ିର ଅବିଶ୍ୱସନୀୟ ବିଜୟ ଇତିହାସ ହେବା ନିଶ୍ଚିତ । ଶାସକ ଦଳ ସପକ୍ଷରେ ଏଭଳି ଅବିଶ୍ୱସନୀୟ ଜନମତର କାରଣ ଯାହା ହେଉନା କାହିଁକି ଓଡ଼ିଶାର ଗ୍ରାମାଂଚଳ ଭୋଟର ଯେ ବିଜେପି ଓ କଂଗ୍ରେସକୁ ପ୍ରତ୍ୟାଖାନ କରିଛନ୍ତି, ତାହା ଫଳାଫଳରୁ ସ୍ପଷ୍ଟ । ଦୁଇ ଜାତୀୟ ଦଳ ଆଜି ସୁଦ୍ଧା ଜନତାର ବିଶ୍ୱାସଭାଜନ ହୋଇ ନାହାନ୍ତି । ରାଜ୍ୟରେ ମାର୍ଚ୍ଚ ୨୪ରେ ହେବାକୁ ଥିବା ପୌର ନିର୍ବାଚନ ପୂର୍ବରୁ ଏହି ଗ୍ରମାଂଚଳ ନିର୍ବାଚନର ଫଳାଫଳ ଶାସକ ବିଜେଡ଼ିର ଆତ୍ମବିଶ୍ୱାସକୁ ବହୁଗୁଣିତ କରିଥିବା ବେଳେ ବିରୋଧୀଙ୍କ ମନୋବଳ ଭାଂଗି ଦେଇଛି । ପୌର ନିର୍ବାଚକୁ ଏହି ଫଳାଫଳ ପ୍ରଭାବିତ କରିବ ବୋଲି ବିରୋଧୀ ଆଶଙ୍କା କରୁଛନ୍ତି । ତେବେ, ମାର୍ଚ୍ଚ ୨୪ରେ ସହରାଂଚଳ ଭୋଟଦାତା ମତଦାନ କରିବାକୁ ଥିବାରୁ ଚିତ୍ର ସାମାନ୍ୟ ଭିନ୍ନ ହୋଇ ପାରେ ବୋଲି ସେମାନଙ୍କ ଆଶା ରହିଛି ।
ଓଡ଼ିଶାରେ ବିଜେଡ଼ି ସରକାର ଥିବା ବେଳେ କେନ୍ଦ୍ରରେ ବିଜେପି ନେତୃତ୍ୱାଧୀନ ସରକାର ରହିଛି । କେନ୍ଦ୍ର ମନ୍ତ୍ରୀ ପରିଷଦରେ ଓଡ଼ିଶାର ତିନି ଜଣ ମନ୍ତ୍ରୀ ଅଛନ୍ତି । ଧର୍ମେନ୍ଦ୍ର ପ୍ରଧାନ କେନ୍ଦ୍ରରେ ଶିକ୍ଷା ମନ୍ତ୍ରୀ ଥିବା ବଳେ ଓଡ଼ିଶାରୁ ରାଜ୍ୟସଭା ସାଂସଦ ଅଶ୍ୱିନୀ ବୈଷ୍ଣବ ରେଳବାଇ, ଆଇଟି ଭଳି ଗୁରୁତ୍ୱପୂର୍ଣ୍ଣ ମନ୍ତ୍ରଣାଳୟର କ୍ୟାବିନେଟ ମନ୍ତ୍ରୀ ଅଛନ୍ତି । ମୟୁରଭଂଜ ସାଂସଦ ବିଶ୍ୱେଶ୍ୱର ଟୁଡୁ ମଧ୍ୟ କେନ୍ଦ୍ରରେ ରାଷ୍ଟ୍ରମନ୍ତ୍ରୀ ରହିଛନ୍ତି । ଏହାଛଡା, ସଂବିତ ପାତ୍ର, ଭୁବନେଶ୍ୱର ସାଂସଦ ଅପରାଜିତା ଷଡଙ୍ଗୀ ଓ ପୂର୍ବତନ କେନ୍ଦ୍ରପଡା ସାଂସଦ ବୈଜୟନ୍ତ ପଣ୍ଡା (ବିଜେପି ରାଷ୍ଟ୍ରୀୟ ଉପସଭାପତି) ଭଳି ବରିଷ୍ଠ ନେତା ଦଳର ରାଷ୍ଟ୍ରୀୟ ମୁଖପାତ୍ର ଅଛନ୍ତି । ତେବେ, ୨୦୨୨ ପଂଚାୟତ ନିର୍ବାଚନରେ ସାଂସଦ ଅପରାଜିତାଙ୍କ ବ୍ୟତୀତ ଅନ୍ୟ କେହି କେନ୍ଦ୍ର ମନ୍ତ୍ରୀ ବା ନେତା ସକ୍ରୀୟ ଭାବେ ନିଜକୁ ସାମିଲ କରିଥିବା ଦେଖିବାକୁ ମିଳି ନାହିଁ ।
କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ୟୁପିରେ ଦଳର ପ୍ରଭାରୀ ଥିବାରୁ ସେଠାରେ ଚାଲି ଥିବା ବିଧାନସଭା ନିର୍ବାଚନକୁ ନେଇ ବ୍ୟସ୍ତ । କେନ୍ଦ୍ର ରେଳ ମନ୍ତ୍ରୀ ବୈଷ୍ଣବ ନିର୍ବାଚନ ସମୟରେ ଓଡ଼ିଶା ଆସି ବିଭିନ୍ନ ଅଂଚଳକୁ ଗସ୍ତ କରିଥିଲେ ମଧ୍ୟ ବୁଦ୍ଧିଜୀବୀଙ୍କ ମଧ୍ୟରେ ନିଜକୁ ସୀମିତ ରଖି ଥିଲେ । କେନ୍ଦ୍ରମନ୍ତ୍ରୀ ଟୁଡୁ ଠିକ୍ ପଂଚାୟତ ନିର୍ବାଚନ ସମୟରେ ନିଜ ନିର୍ବାଚନ ମଣ୍ଡଳୀରେ ଦୁଇ ଜଣ ସରକାରୀ ଅଧିକାରୀଙ୍କୁ ନିଜ କାର୍ଯ୍ୟାଳୟକୁ ଡାକି ମାଡ ମାରି ଥିବା ଅଭିଯୋଗ ହୋଇଛି, ଯାହାକି ସମଗ୍ର ରାଜ୍ୟରେ ଆଲୋଡନ ସୃଷ୍ଟି କରିଥିଲା । ଗିରଫ ଭୟରେ ସେ କିଛି ଦିନ ନିର୍ବାଚନ ମଣ୍ଡଳୀରୁ ଦୂରେଇ ରହିବା ପରେ ହାଇକୋର୍ଟରୁ ଆଗୁଆ ଜାମିନ ପାଇ ନିର୍ବାଚନ ମଇଦାନକୁ ଯାଇଥିଲେ । ରେଳବାଇ ମନ୍ତ୍ରୀ ବୈଷ୍ଣବ ଚଳିତ ବର୍ଷର ବଜେଟରେ ଓଡ଼ିଶାକୁ ସର୍ବାଧିକ ଆର୍ଥ ମଂଜୁର କରି ଇତିହାସ ସୃଷ୍ଟି କରିଥିବା କୁହାଯାଉଥିଲେ ମଧ୍ୟ ତାହା ପଂଚାୟତ ଫଳାଫଳକୁ ପ୍ରଭାବିତ କରି ନାହିଁ ।
ରାଜ୍ୟ ବିଜେପିରେ ଗୋଷ୍ଠୀ ବିବାଦ, ସରକାର ବିରୋଧରେ ଜନମତ ସୃଷ୍ଟି କରିବାରେ ବିରୋଧୀଙ୍କ ବିଫଳତା, ବିଜେପିର ରାଜ୍ୟ ନେତୃବୃନ୍ଦ ଗ୍ରାମାଂଚଳକୁ ନଯାଇ ରାଜଧାନୀରେ ବସି ବିଜେଡ଼ି ବିରୋଧରେ ବର୍ଷିବା ଏବଂ ୨୦୧୭ ପଂଚାୟତ ନିର୍ବାଚନ ବେଳେ ପଡୋଶୀ ରାଜ୍ୟ ମୁଖ୍ୟମନ୍ତ୍ରୀ ଓ ବିଜେପି କେନ୍ଦ୍ରୀୟ ନେତାମାନେ ଯେଭଳି ଓଡ଼ିଶା ଆସି ସଭା, ସମାବେଶମାନ କରିଥିଲେ ୨୦୨୨ରେ ସେଭଳି କିଛି ନହେବା ପଂଚାୟତ ନିର୍ବାଚନରେ ବିଜେପିର ଶୋଚନୀୟ ପରାଜୟର କାରଣ ବୋଲି ଆଲୋଚନା ହେଉଥିବା ବେଳେ ପ୍ରଧାନମନ୍ତ୍ରୀ ମୋଦୀଙ୍କଠାରୁ ଆରମ୍ଭ କରି ବିଜେପିର ରାଷ୍ଟ୍ରୀୟ ନେତୃବୃନ୍ଦ ଗୁରୁତ୍ୱପୂର୍ଣ୍ଣ ୟୁପି, ପଂଜାବ, ଉତ୍ତରାଖଣ୍ଡ, ଗୋଆ ଓ ମଣିପୁର ବିଧାନସଭା ନିର୍ବାଚନରେ ବ୍ୟସ୍ତ ଥିବାରୁ ଓଡ଼ିଶା ପାଇଁ ସମୟ ଦେଇ ନଥିବା ଓଡ଼ିଶା ବିଜେପି କହିଛି ।
ବିଜେପି ଓ କଂଗ୍ରେସ ନେତାଙ୍କ ଦାବି ହେଉଛି, ବିଜେଡ଼ି ୨୨ ବର୍ଷ ହେଲା କ୍ଷମତାରେ ରହିଛି । ଦଳ ଆର୍ଥିକ ଦୃଷ୍ଟିରୁ ବେଶ୍ ସ୍ୱଚ୍ଛଳ । ରାଜ୍ୟ ପ୍ରଶାସନ ମଧ୍ୟ ସମର୍ପିତ ଭାବେ ଶାସକ ଦଳ ପାଇଁ କାମ କରିଛି । ନିର୍ବାଚନର ଠିକ୍ ପୂର୍ବରୁ ସରକାର ବିଭିନ୍ନ ସ୍କିମ୍ ଘୋଷଣା କରି ଗ୍ରାମାଂଚଳ ଜନତାଙ୍କୁ ପ୍ରଲୋଭିତ କରିଛନ୍ତି । ସିଧାସଳଖ କ୍ୟାସ୍ ଟ୍ରାନ୍ସଫର୍ ହୋଇଛି । ମୁଖ୍ୟମନ୍ତ୍ରୀ ରାଜ୍ୟର ୩୦ଟି ଯାକ ଜିଲ୍ଲା ଗସ୍ତ କରି ସଭା କରିବା ସହ ସ୍ମାର୍ଟ ହେଲ୍ଥ କାର୍ଡ ବଂଟନ କରିଛନ୍ତି । ପଂଚାୟତ ନିର୍ବାଚନରେ ବିଜେଡ଼ିର ଆଶାତୀତ ବିଜୟର ଏହା କାରଣ । ତେବେ, କଂଗ୍ରେସ ନହେଲେ ବି ବିଜେପି ଆର୍ଥିକ ଦୃଷ୍ଟିରୁ ସ୍ୱଚ୍ଛଳ । ନିର୍ବାଚନ ପାଣ୍ଠି ମିଳିବାରେ ଦେଶରେ ଏକ ନମ୍ବର ସ୍ଥାନରେ ରହିଛି ବିଜେପି । ପଂଚାୟତ ନିର୍ବାଚନରେ ଦଳ ବିପୁଳ ଅର୍ଥ ବ୍ୟୟ କରିଛି । ତଥାପି, ଏତେ ପଛରେ ପଡିଲା କାହିଁକି (?) ବୋଲି ପ୍ରଶ୍ନ ହେଉଛି । ତେବେ, ନିର୍ବାଚନର ପୂର୍ବରୁ ସରକାର ବିଭିନ୍ନ ସ୍କିମ ଘୋଷଣା କରିବା ସହ ଲୋକଙ୍କ ଆକାଉଂଟକୁ ଟଙ୍କା ଟ୍ରାନ୍ସଫର୍ କରିବା ବିଜେଡ଼ି ସଫଳତାର ବଡ଼ କରଣ ବୋଲି ବିଶ୍ଲେଷକମାନେ କହୁଛନ୍ତି ।
ଅନ୍ୟ ପକ୍ଷରେ, କଂଗ୍ରେସ ଓଡ଼ିଶାରେ ବହୁଧା ବିଭାଜିତ । ନେତୃତ୍ୱକୁ ନେଇ ଦଳରେ କନ୍ଦଳ ନିତିଦିନିଆ କଥା । କଂଗ୍ରେସର କେନ୍ଦ୍ରୀୟ ନେତୃତ୍ୱ ରାଜ୍ୟ ସଂଗଠନକୁ ସର୍ବଦା ଅଣଦେଖା କରୁଥିବା ବେଳେ ରାଜ୍ୟରେ ମଂଗ ଧରି ଥିବା ନେତାମାନେ ବ୍ୟକ୍ତିଗତ ଭାବେ ଆର୍ଥିକ ସ୍ୱଚ୍ଛଳ ଥିଲେ ମଧ୍ୟ ଦଳକୁ ଅସ୍ୱଚ୍ଛଳ କରି ରଖିଛନ୍ତି । ଫଳରେ, କିଛି ବର୍ଷ ହେଲା ଓଡ଼ିଶାରେ ଅନୁଷ୍ଠିତ ବିଭିନ୍ନ ନିର୍ବାଚନ, ଉପ ନିର୍ବାଚନରେ କଂଗ୍ରେସ ପ୍ରାର୍ଥୀ ଦେଉଛି, ନିର୍ବାଚନ ପ୍ରଚାର ହେଉଛି ସିନା ପ୍ରାର୍ଥୀଙ୍କ ଅମାନତ ମଧ୍ୟ ରହୁନି । ଫଳାଫଳ ଆସିବା ପରେ କଂଗ୍ରେସ ନେତାମାନେ ଶାସକ ଦଳର ଆର୍ଥିକ ସ୍ୱଚ୍ଛଳତା ଏବଂ ଭୋଟରଙ୍କ ମନ ଜିତିବାର କୌଶଳକୁ ଦଳର ପରାଜୟ ପାଇଁ ଦାୟି କରି ସନ୍ତୁଷ୍ଟ ରହୁଛନ୍ତି । ୨୦୨୨ ପଂଚାୟତ ନିର୍ବାଚନରେ ମଧ୍ୟ ତାହା ହିଁ ଦେଖିବାକୁ ମିଳୁଛି ।
ପ୍ରଥମ ଦିନର ଭୋଟ ଗଣତି ଫଳାଫଳ ଆସିବା ପରେ ବିଜେଡ଼ି ବହୁ ଆଗରେ ଥିବା ଏବଂ କଂଗ୍ରେସ ଓ ବିଜେପି ବହୁ ପଛରେ ଥାଇ ନିଜ ଭିତରେ ଦ୍ୱିତୀୟ ସ୍ଥାନ ପାଇଁ ଲଢେଇରେ ଥିବା ଦେଖିବାକୁ ମିଳିଛି । ପ୍ରଥମେ ଦୁଇ ଦଳର ସଂଖ୍ୟା ସମାନ ସମାନ ଥିଲା । ଦ୍ୱତୀୟ ଦିନରେ ଗଣତି ସରିବା ପରେ ବିଜେପି କଂଗ୍ରେସ ଅପେକ୍ଷା କିଛି ଅଧିକ ଆସନ ପାଇଥିବା ଦେଖିବାକୁ ମିଳିଛି । ଆଜି ତୃତୀୟ ଓ ଶେଷ ଦିନର ଭୋଟ ଗଣତିରେ ବିଜେଡ଼ି ଦୌଡ଼ରେ ଅପହଂଚ ହୋଇ ରହି ଥିବା ବେଳେ ବିଜେପି ଦ୍ୱିତୀୟ ଓ କଂଗ୍ରେସ ତୃତୀୟରେ ରହି ଦୌଡ଼ ଲଗାଇଛନ୍ତି । ଶେଷରେ ଦ୍ୱିତୀୟ ସ୍ଥାନରେ କିଏ ରହିବ, ତାହା ଚୂଡାନ୍ତ ଫଳାଫଳରୁ ସ୍ପଷ୍ଟ ହେବ ।
ମୁଖ୍ୟ ସଂପାଦକ
ମୋଅନୁଭବ.କମ୍
Share this:








LETTER FROM THE EDITOR: A SPECIAL THANKS TO OUR READERS
LETTER FROM THE EDITOR: A SPECIAL THANKS TO OUR READERS