ପ୍ରୟୋଗରେ ‘ନବୀନ ମଡେଲ’ !

ପ୍ରସାଦ ରାଓ
ମାର୍ଚ୍ଚ ୦୧
ଓଡ଼ିଶାରେ ସରିଛି ତ୍ରୀ-ସ୍ତରୀୟ ପଂଚାୟତ ନିର୍ବାଚନ । ତିନି ଦିନ ଗଣତି ପରେ ଫଳାଫଳ ମଧ୍ୟ ଆସି ସାରିଛି । ଆଜି ଯେଉଁ ଚୂଡାନ୍ତ ଫଳାଫଳ ସାମ୍ନାକୁ ଆସିଛି ସେଥିରେ ଆଶ୍ଚର୍ଯ୍ୟ ହେବା ଭଳି କିଛି ନାହିଁ । କାରଣ, ତିନି ଦିନ ଧରି ଭୋଟ ଗଣତି ସମୟରେ ଟ୍ରେଣ୍ଡ୍ ସ୍ପଷ୍ଟ ହୋଇ ସାରିଥିଲା । ଚୂଡାନ୍ତ ଫଳାଫଳରେ ମଧ୍ୟ ତାହା ହିଁ ପ୍ରତିଫଳିତ ହୋଇଛି । ୨୨ ବର୍ଷ ଧରି କ୍ଷମତାରେ ଥିବା ବିଜୁ ଜନତା ଦଳ (ବିଜେଡ଼ି) ବିରୋଧୀଙ୍କଠାରୁ ଅପହଂଚ ଦୂରତ୍ୱରେ ରହି ନୂତନ ଇତିହାସ ସୃଷ୍ଟି କରିଛି । ଦ୍ୱିତୀୟ ସ୍ଥାନ ଲଢେଇରେ ବିଜେପି ପୁନର୍ବାର ବିଜୟୀ ହୋଇଛି । ସଂଖ୍ୟା ବ୍ୟବଧାନ କମ୍ ଥିଲେ ମଧ୍ୟ କଂଗ୍ରେସ ତୃତୀୟରେ ରହିଛି । ୮୫୧ ଜିଲ୍ଲା ପରିଷଦ ଜୋନରୁ ସର୍ବାଧିକ ୭୬୫ଟି ବିଜେଡ଼ ଖାତାକୁ ଯାଇଥିବା ବେଳେ ବିଜେପି ଖାତାକୁ ୪୨ ଓ କଂଗ୍ରେସ ଖାତାକୁ ୩୭ଟି ଜିଲ୍ଲା ପରିଷଦ ଯାଇଛି । ସ୍ୱାଧୀନ ଓ ଅନ୍ୟମାନେ ୭ଟି ଜିଲ୍ଲା ପରିଷଦ ଜୋନରେ ବିଜୟୀ ହୋଇଛନ୍ତି ।
ବିଜେଡ଼ିର ଏହି ଅଭୂତପୂର୍ବ ବିଜୟର ରହସ୍ୟ କଣ ? ବିରୋଧୀ ଓ ରାଜ୍ୟର ରାଜନୈତିକ ବିଶ୍ଲେଷକଙ୍କ ମଧ୍ୟରେ ତାହା ହିଁ ଆଲୋଚନାର ବିଷୟ ହୋଇଛି । ନବୀନଙ୍କ ବିଜୟ ରହସ୍ୟକୁ କ୍ରାକ୍ କରିବାରେ କେହି ସକ୍ଷମ ହେଉ ନାହାନ୍ତି । ତେଣୁ, ପଂଚାୟତ ନିର୍ବାଚନରେ ବିରୋଧୀଙ୍କୁ ମୂଳପୋଛ କରିବା ହେଉଛି ନବୀନଙ୍କ ନୂଆ ‘ମଡ଼େଲ’ ବୋଲି ଆଲୋଚନା କରୁଛନ୍ତି । ୨୦୧୪ ସାଧାରଣ ନିର୍ବାଚନରେ ପ୍ରଥମେ ‘ଗୁଜରାଟ ମଡ଼େଲ’ କଥା ଶୁଣିବାକୁ ମିଳି ଥିଲା । ସାଧାରଣ ନିର୍ବାଚନରେ ବିଜେପିର ନେତୃତ୍ୱ ନେଇଥିବା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଦେଶରେ ‘ଗୁଜରାଟ ମଡେଲ’ ଶାସନ ପ୍ରତିଷ୍ଠାର ପ୍ରଲୋଭନ ଦେଖାଇ ଅପୂର୍ବ ସଫଳତା ପାଇଥିଲେ । ଓଡ଼ିଶାରେ ବିଜେଡ଼ି ୨୨ ବର୍ଷ ହେଲା ଶାସନରେ ଥିଲେ ମଧ୍ୟ ‘ମଡ଼େଲ’ କଥା ଚର୍ଚ୍ଚାକୁ ଆସି ନଥିଲା । ଏବେ ତାହା ବିରୋଧୀ ଓ ସରକାରୀ ଦଳର ବିଧାୟକଙ୍କ ମୁହଁରୁ ଶୁଣିବାକୁ ମିଳୁଛି ।
୨୦୧୭ ପଂଚାୟତ ନିର୍ବାଚନରେ ବିଜେପି ବିଜେଡ଼ିକୁ ଏକ ଶକ୍ତ ଝଟକା ଦେଇଥିଲା । ରାଜ୍ୟର ପାଖାପାଖି ତିନି ଶହ ଜିଲ୍ଲା ପରିଷଦ ଜୋନ ଦଖଲ କରିବା ସହ ପଶ୍ଚିମ ଓଡ଼ିଶାକୁ ତାହାର ପ୍ରୟୋଗଶାଳା କରିଥିଲା । ତେବେ, ୨୦୨୨ ପଂଚାୟତ ନିର୍ବାଚନରେ ବିଜେପିର ସେହି ତାସ୍ ଘର ଭୁଶୁଡି ଯାଇଛି । ଦଳ ରାଜ୍ୟରେ ଗୋଟିଏ ହେଲେ ଜିଲ୍ଲାରେ ଜିଲ୍ଲା ପରିଷଦ ଗଠନ କରିବାକୁ ସକ୍ଷମ ନଥିବା ଫଳାଫଳ କହୁଛି । ଶାସକ ବିଜେଡ଼ି ରାଜ୍ୟର ଗ୍ରାମାଂଚଳରେ ଉଭୟ ବିଜେପି ଓ କଂଗ୍ରେସକୁ ସଂପୂର୍ଣ୍ଣ ଧରାଶାୟୀ କରି ସଗର୍ବେ ତାହାର ବିଜୟ ବାନା ଉଡାଇଛି, ଯାହାକି ନବୀନଙ୍କ ନୂଆ ‘ନିର୍ବାଚନ ମଡେଲ’ ବୋଲି ରାଜନୈତିକ ବିଶ୍ଲେଷକମାନେ କହିଲେଣି । ତେବେ, ଏହି ‘ମଡ଼େଲ’ ମାଧ୍ୟମରେ ହୋଇଥିବା ଗୋଟିଚାଳନାକୁ ସେମାନେ ଅଦ୍ୟାବଧି ବୁଝିପାରୁ ନାହାନ୍ତି ।
ତେଣୁ, ଏହାକୁ ନେଇ ଅଧିକ ତର୍ଜମା ଆରମ୍ଭ ହୋଇଛି । ୨୦୧୭ରେ ହୋଇଥିବା ତ୍ରୀ-ସ୍ତରୀୟ ପଂଚାୟତ ନିର୍ବାଚନରେ ବିଜେପି ଆଶାତୀତ ସଫଳତା ପାଇବା ପରେ ଓଡ଼ିଶାରେ ନିଜକୁ ବିଜେଡ଼ିର ବିକଳ୍ପ ଭାବେ ଦାବି କରୁଥିଲା । ସେହି ସମୟରେ ହୋଇଥିବା ୮୪୬ ଜିଲ୍ଲା ପରିଷଦ ଜୋନ ନିର୍ବାଚନରେ ବିଜେଡ଼ିକୁ ୪୭୬ ଜୋନରେ ବିଜୟୀ ହୋଇଥିବା ବେଳେ ବିଜେପିର ସଂଖ୍ୟା ୩୬ (୨୦୧୨)ରୁ ୨୯୭କୁ ବଢି ଯାଇଥିଲା । ଅପରପକ୍ଷରେ, କଂଗ୍ରେସ ୧୨୯ (୨୦୧୨)ରୁ ୬୦ଟି ଖସି ଥିଲା । ବିଜେଡ଼ି ୨୦୧୨ରେ ୬୫୧ ଜିଲ୍ଲା ପରିଷଦ ଜୋନରେ ବିଜୟୀ ହୋଇଥିବା ବେଳେ ୨୦୧୭ରେ ୪୭୬କୁ ଖସିବା ଏବଂ ବିଜେପି ପଶ୍ଚିମ ଓଡ଼ିଶାରେ ଭଲ ପ୍ରଦର୍ଶନ କରିବା ଶାସକ ଦଳ ପାଇଁ ଚିନ୍ତାର କାରଣ ହେବା ସ୍ୱାଭାବିକ ।
ଅବଶ୍ୟ, ବିଜେପିର ପଂଚାୟତ ନିର୍ବାଚନ ସଫଳତା ୨୦୧୯ ବିଧାନସଭା ନିର୍ବାଚନରେ ବିଧାନସଭା ଆସନରେ ରୂପାନ୍ତରିତ ହୋଇନଥିଲା । ରାଜ୍ୟର ୧୪୭ ବିଧାନସଭା ଆସନରୁ ମାତ୍ର ୨୩ଟିରେ ବିଜୟୀ ବିଜୟୀ ହୋଇ କଂଗ୍ରେସ (୯)ଠାରୁ ବିରୋଧୀ ଦଳ ନେତା ପଦ ଛଡାଇ ନେଇଥିଲା । ତେବେ, ୨୦୧୯ ପରଠାରୁ ଦଳ ଅଧିକ ଆକ୍ରମଣାତ୍ମକ ଢଙ୍ଗରେ ଶାସକ ବିଜେଡ଼ି ବିରୋଧରେ ଲଢେଇ କରୁଥିଲା । ବିଭିନ୍ନ ପ୍ରସଙ୍ଗରେ ସରକାରଙ୍କୁ ସମାଲୋଚନା କରିବା ନିତିଦିନିଆ କଥା ହୋଇଥିଲା । କଳାହାଣ୍ଡିର ମମିତା ମେହେର ହତ୍ୟାକାଣ୍ଡକୁ ନେଇ ବିଜେପି ରାଜ୍ୟବ୍ୟାପୀ ଯେଭଳି ପ୍ରଦର୍ଶନ ଚଳାଇଲା ତାହା ଦଳକୁ ନିର୍ବାଚନରେ ସହାୟକ ହେବ ବୋଲି ନେତାମାନେ ଆଶା ରଖି ଥିଲେ ମଧ୍ୟ ୨୦୨୨ ପଂଚାୟତ ନିର୍ବାଚନରେ ତାହା ପ୍ରତିଫଳିତ ହୋଇ ନାହିଁ । ଓଲଟା, କଳାହାଣ୍ଡି ଜିଲ୍ଲାରେ ମଧ୍ୟ ଦଳ ଘୋର ବିପର୍ଯ୍ୟୟର ମୁହଁ ଦେଖିଛି ।
ବିଜେପିର ଏଭଳି ଶୋଚନୀୟ ଅବସ୍ଥା ପାଇଁ ଦଳରେ ଥିବା ତୀବ୍ର ଗୋଷ୍ଠୀ ବିବାଦ ଓ ଅହଂକାରୀକୁ ଦାୟି କରିଛନ୍ତି ବରିଷ୍ଠ ବିଜେପି ନେତା ବିଜୟ ମହାପାତ୍ର । ସୋମବାର (୨୮ ତାରିଖ) ସନ୍ଧ୍ୟାରେ ଏକ ଟେଲିଭିଜନ ବିତର୍କରେ ଭାଗ ନେଇ ସେ ଅଭିଯୋଗ କରିଛନ୍ତି, ୨୦୧୭ର ଅହଂକାର ଓ ମିଛ ଫାଉଣ୍ଡେସନ ଉପରେ ଠିଆ ହୋଇ ଦଳ ୨୦୨୨ ପଂଚାୟତ ନିର୍ବାଚନ ଲଢିବାରୁ ଏଭଳି ବିପର୍ଯ୍ୟୟର ସାମ୍ନା କରିଛି । ୨୦୨୨ ପଂଚାୟତ ନିର୍ବାଚନ ପାଇଁ ଦଳର କିଛି ତୁଙ୍ଗ ନେତା ରଣନୀତି ପ୍ରସ୍ତୁତ କରିଥିଲେ ଏବଂ ବିଧିବଦ୍ଧ ଭାବେ ଦଳ ପକ୍ଷରୁ କୌଣସି ରଣକୌଶଳ ପ୍ରସ୍ତୁତି କିମ୍ବା ବୈଠକ ହୋଇ ନଥିଲା । ୨୦୧୭ର ବିଜୟ ପଛରେ ବିଜେଡ଼ିର ଯେଉଁ ଶକ୍ତିଶାଳୀ ଅସନ୍ତୁଷ୍ଠ ଗୋଷ୍ଠୀର ସହଯୋଗ, ସମର୍ଥନ ଓ ଭୋଟ ରହି ଥିଲା ପରବର୍ତ୍ତୀ ସମୟରେ ରାଜ୍ୟ ବିଜେପି ନେତୃବର୍ଗ ସେମାନଙ୍କୁ ସାଂଗରେ ରଖି ପାରିଲେ ନାହିଁ । ତେଣୁ, ଅହଂକାର ଓ ପ୍ରସ୍ତୁତି ନଥାଇ ଭୋଟକୁ ଯିବା ଦଳ ପାଇଁ ବିପର୍ଯ୍ୟୟ ଆଣିଲା ।
ବିଜୟଙ୍କ ଆଉ ଏକ ବଡ଼ ଅଭିଯୋଗ ହେଲା, ବିଜେପି ରାଜ୍ୟ ନେତାମାନେ ଗ୍ରାମାଂଚଳକୁ ନଯାଇ ରାଜଧାନୀରେ ବସି ସାମ୍ବାଦିକ ସମ୍ମିଳନୀରେ ବ୍ୟସ୍ତ ଥିବା ସମୟରେ ଗ୍ରାମାଂଚଳରେ ବିଜେଡ଼ି ନେତାମାନେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଭାବମୂର୍ତ୍ତୀକୁ ପାଥେୟ କରି ପ୍ରଚାର ଅଭିଯାନ ଚଳାଇ ଥିଲେ । ସେମାନଙ୍କ ନିର୍ବାଚନ ପରିଚାଳନା ଭଲ ଥିଲା । ତେଣୁ, ବିଜେଡ଼ି ଅବିଶ୍ୱସନୀୟ ସଂଖ୍ୟା ହାସଲ କରିଛି । ଏହାଛଡ଼ା, ଓଡ଼ିଶାରେ ଅଧିକାଂଶ ବିଜେପି ନେତାଙ୍କ ଲୋକଙ୍କ ପାଖରେ ଗ୍ରହଣୀୟତା ନାହିଁ । ପଂଚାୟତ ନିର୍ବାଚନ ସମୟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଓଡ଼ିଶା ମୁଖ୍ୟମନ୍ତ୍ରୀଙ୍କୁ ପ୍ରଶଂସାରେ ପୋତି ପକାଇବା ମଧ୍ୟ ମତଦାତାଙ୍କୁ ଭ୍ରମିତ କରିଥିବା ଅନୁମାନ କରାଯାଉଛି । ବିଜେପି ନେତାମାନେ ଏବେ ଯେଉଁ କୋର୍ କମିଟି ଗଠନ କଲେ ନିର୍ବାଚନ ପୂର୍ବରୁ ତାହା କଲେ ନାହିଁ କାହିଁକି (?) ବୋଲି ମଧ୍ୟ ମହାପାତ୍ର ପ୍ରଶ୍ନ କରିଛନ୍ତି ।
ବିଜେଡ଼ିର ୩୦ ଭାଗ ନେତା ଓ ୭୦ ଭାଗ ପ୍ରଶାସନିକ ଅଧିକାରୀ ଶାସକ ଦଳର ନିର୍ବାଚନ ପରିଚାଳନାରେ ସାମିଲ ରହିବାରୁ ବିଜେଡ଼ି ଓ ମୁଖ୍ୟମନ୍ତ୍ରୀ ଏତେ ବଡ଼ ସଫଳତା ପାଇଛନ୍ତି ବୋଲି ବିଜୟ କହିଥିବା ବେଳେ ମୁଖ୍ୟମନ୍ତ୍ରୀଙ୍କ ପ୍ରତି ଜନସାଧାରଣରେ ଥିବା ପ୍ରଗାଢ ବିଶ୍ୱାସକୁ ମଧ୍ୟ ସ୍ୱୀକାର କରିଛନ୍ତି । ଅପରପକ୍ଷରେ, ମୁଖ୍ୟମନ୍ତ୍ରୀ ପଟ୍ଟନାୟକ ଆଜି ଚୂଡାନ୍ତ ଫଳାଫଳ ଆସିବା ପରେ ଟ୍ୱିଟ୍ କରି ଐତିହାସିକ ବିଜୟ ପାଇଁ ଦଳର ସମସ୍ତ ବିଜୟୀ ପ୍ରାର୍ଥୀ ଓ କର୍ମୀଙ୍କୁ ଶୁଭେଚ୍ଛା ଜଣାଇବା ସହ ଗ୍ରାମାଂଚଳରୁ ମିଳି ଥିବା ଜନମତ ସେବା ପାଇଁ ତାଙ୍କ ସଂକଳ୍ପକୁ ଆହୁରି ଦୃଢ କରିଛି ବୋଲି କହିଛନ୍ତି ।
କଂଗ୍ରେସ ମୂଳରୁ ପରାଜୟକୁ ଗ୍ରହଣ କରି ନେଇଛି । କୋରାପୁଟ ଓ ରାୟଗଡ଼ା ଜିଲ୍ଲାରେ ଦଳର ବିଧାୟକ, ନେତା ଓ କର୍ମୀମାନେ ଗ୍ରାମାଂଚଳକୁ ଯାଇ ଦିନ ରାତି ଲୋକଙ୍କ ସହ ସଂପର୍କରେ ରହିବାରୁ ଭଲ ଫଳାଫଳ ମିଳିଛି । ରାଜ୍ୟର ଅନ୍ୟତ୍ର ତାହା ହୋଇ ନଥିବାରୁ ଦଳର ବିପର୍ଯ୍ୟୟ ଘଟିଛି ବୋଲି କଂଗ୍ରେସ ଦଳର ବିରିଷ୍ଠ ନେତା ତଥା ବିଧାୟକ ତାରା ପ୍ରସାଦ ବାହିନୀପତି କହିଛନ୍ତି । ତେବେ, ଆଉ କିଛି କଂଗ୍ରେସ ନେତା ବିଜେଡ଼ି ଓ ବିଜେପିର ଅର୍ଥ ବଳକୁ କଂଗ୍ରେସର ପରାଜୟ ପାଇଁ ଦାୟି କରିଛନ୍ତି । ମୋଟାମୋଟି ଭାବେ କହିବାକୁ ଗଲେ, ତୃଣମୂଳସ୍ତରରେ ବିଜେଡ଼ିର ସଂଗଠନ ଶକ୍ତି, ରାଜ୍ୟ ଓ ଜିଲ୍ଲାସ୍ତର ନେତାମାନେ ନିର୍ବାଚନର ବହୁ ଆଗରୁ ଗ୍ରାମାଂଚଳକୁ ଯାଇ ଲୋକଙ୍କ ସହ ସଂପର୍କରେ ରହିବା ଏବଂ ମୁଖ୍ୟମନ୍ତ୍ରୀଙ୍କ ସ୍ୱଚ୍ଛ ଭାବମୂର୍ତ୍ତୀ ବିଜେଡ଼ିକୁ ଏହି ଅପୂର୍ବ ସଫଳତା ଦେଇଥିବା ପ୍ରାୟତଃ ସବୁ ଦଳ ସ୍ୱୀକାର କଲେଣି ।
ତେବେ, ଶାସକ ଦଳ ବିରୋଧରେ ଅର୍ଥବଳ ଓ ସରକାରୀ କଳର ଅପବ୍ୟବହାରକୁ ନେଇ ବିଜେପି ଓ କଂଗ୍ରେସ ପକ୍ଷରୁ ଯେଉଁ ଅଭିଯୋଗ ଆସିଛି ସେଥିରେ ସତ୍ୟତା ଥିଲେ ମଧ୍ୟ ତାହା ‘ନବୀନ ମଡ଼େଲ’ ଆନ୍ତର୍ଭୁକ୍ତ କୁହାଯାଉଛି । ବରିଷ୍ଠ ବିଜେପି ନେତା ମହାପାତ୍ରଙ୍କ ଅଭିଯୋଗ ଅନୁଯାୟୀ, ୭୦ ପ୍ରତିଶତ ସରକାରୀ ଅଧିକାରୀ ବିଜେଡ଼ି ପାଇଁ କାମ କରୁଥିଲେ । ବିତର୍କରେ ବିଜୟଙ୍କ ଅଭିଯୋଗକୁ ଶାସକ ଦଳର ମୁଖପାତ୍ରମାନେ ସ୍ୱୀକାର କରି ନାହାନ୍ତି ବା ଦୃଢ ଭାବେ ଖଣ୍ଡନ କରି ନାହାନ୍ତି । ପଂଚାୟତ ନିର୍ବାଚନ ଫଳ ପ୍ରକାଶ ପାଉ ପାଉ ରାଜ୍ୟରେ ମାର୍ଚ୍ଚ ୨୪ରେ ୧୦୬ ପୌର ପରିଷଦ/ଏନଏସି ଏବଂ ତିନି ମହାନଗର ନିଗମ ନିର୍ବାଚନ ପାଇଁ ବିଜ୍ଞପ୍ତି ଜାରି ହେଲଣି । ତେଣୁ, ପଂଚାୟତ ଫଳାଫଳକୁ ନେଇ ଅଧିକ ତର୍ଜମା କରିବା ସ୍ଥିତିରେ କେହି ନାହାନ୍ତି । ସହରାଂଚଳ ଭୋଟରେ ମଧ୍ୟ ‘ନବୀନ ମଡ଼େଲ’ର ପରୀକ୍ଷଣ ହେବାକୁ ଥିବାରୁ ମତଦାତାଙ୍କ ମତିଗତି କଣ ରହିବ, ତାହା ଆଗାମୀ ଦିନରେ ସ୍ପଷ୍ଟ ହେବ ।
ମୁଖ୍ୟ ସଂପାଦକ
ମୋଅନୁଭବ.କମ୍
Share this:








LETTER FROM THE EDITOR: A SPECIAL THANKS TO OUR READERS
LETTER FROM THE EDITOR: A SPECIAL THANKS TO OUR READERS