କେନ୍ଦ୍ର ମନ୍ତ୍ରୀଙ୍କ ଟିପ୍ପଣୀ କଟା ଘା’ରେ ଚୁନ.. !


ପ୍ରସାଦ ରାଓ
ମାର୍ଚ୍ଚ ୦୨
ଭାରତରେ ମେଡ଼ିକାଲ ଶିକ୍ଷା ମହଂଗା । ସରକାରୀ ଓ ଘରୋଇ ମେଡ଼ିକାଲ ଶିକ୍ଷାନୁଷ୍ଠାନରେ ଆବଶ୍ୟକତା ଅନୁଯାୟୀ ସିଟ୍ ନାହିଁ । ବୁଦ୍ଧିମାନ ଛାତ୍ରଛାତ୍ରୀ ଆର୍ଥିକ ସ୍ୱଚ୍ଛଳତା ନଥିବାରୁ ମ୍ୟାନେଜମେଂଟ କୋଟାରେ ସିଟ୍ କିଣିବାକୁ ସକ୍ଷମ ନୁହନ୍ତି । ତେଣୁ, ନିଜ ସ୍ୱପ୍ନକୁ ସାକାର କରିବା ପାଇଁ ଶସ୍ତାରେ ମେଡ଼ିକାଲ ଶିକ୍ଷା ଉପଲବ୍ଧ ହେଉଥିବା ୟୁକ୍ରେନ ଭଳି ରାଷ୍ଟ୍ରକୁ ଯାଉଛନ୍ତି । ତେବେ, ଭାରତରେ ମେଡ଼ିକାଲ ଶିକ୍ଷା ପାଇଁ ହେଉଥିବା ପ୍ରତିଯୋଗିତାମୂଳକ ପରୀକ୍ଷାରେ ଉତ୍ତୀର୍ଣ୍ଣ ହୋଇପାରୁ ନଥିବା ଛାତ୍ରଛାତ୍ରୀ ମେଡ଼ିକାଲ ଶିକ୍ଷା ନିମନ୍ତେ ବିଦେଶ ପଳାଉଛନ୍ତି ବୋଲି କେନ୍ଦ୍ର ସଂସଦୀୟ ବ୍ୟାପାର ମନ୍ତ୍ରୀ ପହ୍ଲାଦ ଯୋଶୀ ଯେଉଁ ବିବଦମାନ ମନ୍ତବ୍ୟ ଦେଇଛନ୍ତି ତାହା ସରକାରଙ୍କ ଅଜ୍ଞାନତା ନା ଅସହାୟତା ବୋଲି ପ୍ରଶ୍ନ ହେଲାଣି ।
ମଂଗଳବାର ଦିନ ୟୁକ୍ରେନର ଖାରକିଭ୍ ସହରରେ ୟୁକ୍ରେନ-ରୁଷ ସଂଘର୍ଷ ବେଳେ ଗୋଳାମାଡ଼ରେ ଭାରତୀୟ ଛାତ୍ରଙ୍କ ମୃତ୍ୟୁ ଘଟିବା ପରେ ହଜାର ହଜାର ସଂଖ୍ୟାରେ ଭାରତୀୟ ଛାତ୍ରଛାତ୍ରୀ ମେଡ଼ିକାଲ ଶିକ୍ଷା ପାଇଁ ବିଦେଶ ଯାଉଛନ୍ତି କାହିଁକି ବୋଲି କର୍ଣ୍ଣାଟକରେ ସାମ୍ବାଦିକମାନେ ପ୍ରଶ୍ନ କରିବାରୁ କେନ୍ଦ୍ର ମନ୍ତ୍ରୀ ଯୋଶୀ ଏଭଳି ମନ୍ତବ୍ୟ ରଖିଥିବା ବେଳେ ମୃତ ଶେଷ ବର୍ଷ ମେଡ଼ିକାଲ ଛାତ୍ର ନବୀନ ଶେଖରାପ୍ପା ଜ୍ଞାନଗୌଦରଙ୍କ ପିତା ଶେଖରାପ୍ପା ଜ୍ଞାନଗୌଦର ଏହାକୁ ନେଇ ତୀବ୍ର ପ୍ରତିକ୍ରିୟା ରଖିଛନ୍ତି । ନବୀନ ଜଣେ ମେଧାବୀ ଛାତ୍ର ଥିଲେ ମଧ୍ୟ ମ୍ୟାନେଜମେଂଟ କୋଟାରେ ସିଟ୍ କିଣିବା ପାଇଁ ପରିବାର ଆର୍ଥିକ ଦୃଷ୍ଟିରୁ ସକ୍ଷମ ନଥିବାରୁ ଏବଂ ୟୁକ୍ରେନରେ ମେଡ଼ିକାଲ ଶିକ୍ଷା ଭାରତ ଅପେକ୍ଷା ଶସ୍ତା ଥିବାରୁ ନବୀନ ୟୁକ୍ରେନ୍ ଯିବାକୁ ବାଧ୍ୟ ହେଲା ବୋଲି କର୍ଣ୍ଣାଟକର ଶେଖରାପ୍ପା ଜ୍ଞାନଗୌଦର ମନ୍ତ୍ରୀଙ୍କ ମନ୍ତବ୍ୟ ଉପରେ ପ୍ରତିକ୍ରିୟା ରଖି କହିଛନ୍ତି ।
ରୁଷ-ୟୁକ୍ରେନ ଯୁଦ୍ଧର ଷଷ୍ଠ ଦିବସରେ ଗତକାଲି ୟୁକ୍ରେନରେ ରୁଷ ସେନାର ସାମରିକ କାର୍ଯ୍ୟାନୁଷ୍ଠାନରେ ନବୀନ ଶେଖରାପ୍ପା ଜ୍ଞାନଗୌଦର (୨୧)ଙ୍କ ମୃତ୍ୟୁ ଘଟିଛି । ଖାରକିଭ୍ ସହରରେ ଥିବା ଗଭର୍ଣ୍ଣର ହାଉସ୍ ନିକଟରେ ଏକ ଆପାର୍ଟମେଂଟରେ ସେ ରହୁଥିଲେ । ୟୁକ୍ରେନରେ ରୁଷର ସାମରିକ କାର୍ଯ୍ୟାନୁଷ୍ଠାନ ଆରମ୍ଭ ହେବା ପରେ ଅନ୍ୟ ଭାରତୀୟ ଛାତ୍ରଛାତ୍ରୀଙ୍କ ଭଳି ସେ ମଧ୍ୟ ବଂକରରେ ଆଶ୍ରୟ ନେଇଥିଲେ । ମଂଗଳବାର ଦିନ ସେ ଖାଦ୍ୟ ସଂଗ୍ରହ ପାଇଁ ଗଭର୍ଣ୍ଣର ହାଉସ୍ ନିକଟରେ ଥିବା ଏକ ଦୋକାନକୁ ଯାଇଥିବା ବେଳେ ରୁଷର ଏହି ଗୋଳାମାଡ ହୋଇଥିଲା । ଗଭର୍ଣ୍ଣର ହାଉସ୍ ନିକଟରେ ଥିବା ଦୋକାନରେ ସେ ଧାଡିରେ ଠିଆ ହୋଇଥିବା ସମୟରେ ଗଭର୍ଣ୍ଣର ହାଉସ୍ ଉପରେ ଅଚାନକ ଗୋଳାମାଡ଼ ହୋଇଥିଲା ଓ ଗଭର୍ଣ୍ଣର ହାଉସ୍ ସଂପୂର୍ଣ୍ଣ ଉଡି ଯାଇଥିଲା ।
ଘଟଣାଟି ସଂବେଦନଶୀଳ । ଏହାକୁ ନେଇ କେନ୍ଦ୍ର ମନ୍ତ୍ରୀ ଯୋଶୀଙ୍କ ଟିପ୍ପଣୀ ‘କଟା ଘା’ରେ ଚୁନ ଲଗାଇଲା ଭଳି । ହଜାର ହଜାର ସଂଖ୍ୟାରେ ଭାରତୀୟ ଛାତ୍ରଛାତ୍ରୀ ମେଡ଼ିକାଲ ଶିକ୍ଷା ପାଇଁ ବିଦେଶକୁ ଯାଉଛନ୍ତି କାହିଁକି (?) ବୋଲି କର୍ଣ୍ଣାଟକର ଛାଲାଗେରିଠାରେ ଗଣମାଧ୍ୟମ ପ୍ରତିନିଧିମାନେ ମନ୍ତ୍ରୀଙ୍କୁ ପ୍ରଶ୍ନ କରିବାରୁ ମନ୍ତ୍ରୀ ଏହି ଉତ୍ତର ରଖି ଥିବା ଜଣାପଡିଛି । ମନ୍ତ୍ରୀ ଯୋଶୀ କହିଥିଲେ, ନବେ ପ୍ରତିଶତ ଭାରତୀୟ ଛାତ୍ରଛାତ୍ରୀ ମେଡ଼ିକାଲ ଶିକ୍ଷାରେ ପ୍ରବେଶ ପାଇଁ ଦେଶରେ ହେଉଥିବା ପ୍ରତିଯୋଗିତାମୂଳକ ପ୍ରବେଶିକା ପରୀକ୍ଷାରେ କୃତକାର୍ଯ୍ୟ ହେଉ ନଥିବାରୁ ମେଡ଼ିକାଲ ପଢିବା ପାଇଁ ୟୁକ୍ରେନ ଭଳି ଦେଶକୁ ଯାଉଛନ୍ତି । ସେମାନେ ବିଦେଶରେ ମେଡ଼ିକାଲ ଶିକ୍ଷା ସମାପନ କରିବା ପରେ ଭାରତରେ ନିଯୁକ୍ତି ପାଇଁ ପୁନର୍ବାର ସେମାନଙ୍କୁ ଫରୋନ ମେଡ଼ିକାଲ ଗ୍ରାଜୁଏଟସ୍ ପରୀକ୍ଷାରେ କୃତକାର୍ଯ୍ୟ ହେବାକୁ ପଡୁଛି ।
ଦେଶରେ ଆବଶ୍ୟକତା ଅନୁଯାୟୀ ମେଡ଼ିକାଲ ସିଟ୍ ନଥିବାରୁ ଆଗ୍ରହୀ ଛାତ୍ରଛାତ୍ରୀ ବହୁ ସଂଖ୍ୟାରେ ବିଦେଶକୁ ପଳାଉ ଥିବା ନେଇ କିଛି ଦିନ ହେଲା ଜୋରଦାର ବିତର୍କ ଚାଲି ଥିବା ବେଳେ କେନ୍ଦ୍ର ମନ୍ତ୍ରୀ ଯୋଶୀଙ୍କ ଟିପ୍ପଣୀ ନୂଆ ବିତର୍କର ସୂତ୍ରପାତ କରିଛି । ଛାଲାଗେରିରେ ରହୁଥିବା ନବୀନଙ୍କ ପିତା ଶେଖରାପ୍ପା ଜ୍ଞାନଗୌଦର ସେଇଦିନ ଏକ ଜାତୀୟ ଗଣମାଧ୍ୟମରେ ନିଜର ପ୍ରତିକ୍ରିୟା ରଖି କହିଛନ୍ତି, ତାଙ୍କ ପୁଅ ଜଣେ ମେଧାବୀ ଛାତ୍ର ଥିଲା । ହାଇସ୍କୁଲ ପରୀକ୍ଷାରେ ୯୭ ପ୍ରତିଶତ ମାର୍କ ରଖି ଥିଲା । ତେବେ, ଡ଼ୋନେସନ ଦେଇ ମ୍ୟାନେଜମେଂଟ କୋଟାରେ ମେଡ଼ିକାଲ ସିଟ୍ କିଣିବା ପାଇଁ ସେମାନଙ୍କ ଆର୍ଥିକ ସ୍ୱଚ୍ଛଳ ନ ଥିବାରୁ ନବୀନକୁ ୟୁକ୍ରେନ ପଠାଇବାକୁ ବାଧ୍ୟ ହୋଇଥିଲେ । କାରଣ, କର୍ଣ୍ଣାଟକରେ ମ୍ୟାନେଜମେଂଟ କୋଟାରେ ମେଡ଼ିକାଲ ସିଟ୍ ଟିଏ ଯୋଗାଡ କରିବାକୁ ଡ଼ୋନେସନ କୋଟିରେ ଦେବାକୁ ପଡୁଥିବା ବେଳେ ୟୁକ୍ରେନରେ ମେଡିକାଲ ଶିକ୍ଷା ତାହାଠାରୁ ଯଥେଷ୍ଟ ଶସ୍ତା ପଡୁଛି ।
ନବୀନଙ୍କ ସଂପର୍କୀୟ ସିଦ୍ଦାପ୍ପା ମଧ୍ୟ ତାହା ଦୋହରାଇଛନ୍ତି । ସେ କହିଛନ୍ତି, ଶେଖରାପ୍ପା ଏକ ଘରୋଇ କଂପାନୀରେ କାର୍ଯ୍ୟ କରୁଥିଲେ । ଚାକିରୀ ଛାଡି ଗାଁକୁ ଆସିବା ପରେ ପରିବାର ଆର୍ଥିକ ଦୃଷ୍ଟିରୁ ଦୁର୍ବଳ ଥିଲେ । ତଥାପି, ନବୀନଙ୍କୁ ବାପା, ମା’ ମେଡ଼ିକାଲ ପଢାଇ ଡ଼ାକ୍ତର କରିବାକୁ ସ୍ୱପ୍ନ ଦେଖୁଥିଲେ । କର୍ଣ୍ଣାଟକରେ ମ୍ୟାନେଜମେଂଟ କୋଟାରେ କୋଟି କୋଟି ଟଙ୍କା ଡୋନେସନ ଦେଇ ମେଡ଼ିକାଲ ସିଟ୍ କିଣିବା ସମ୍ଭବ ନଥିବାରୁ ଏବଂ ୟୁକ୍ରେନରେ ମେଡ଼ିକାଲ ଶିକ୍ଷା ଭାରତ ଅପେକ୍ଷା ଶସ୍ତା ଥିବାରୁ ବନ୍ଧୁବାନ୍ଧବ ମିଶି ଆର୍ଥକ ସହାୟତା ଦେଇ ନବୀନଙ୍କୁ ୟୁକ୍ରେନ ପଠାଇ ଥିଲେ । ତେବେ, ସମସ୍ତଙ୍କ ସ୍ୱପ୍ନ ଅଧୁରା ରହି ଗଲା ।
ଖାରକିଭ୍ ରେ ମଂଗଳବାର ହୋଇଥିବା ରୁଷର ଗୋଳାମାଡ଼ରେ ନବୀନଙ୍କ ମୃତ୍ୟୁ ଘଟିଥିବା ବେଳେ ତାଙ୍କ ଭଳି ହଜାର ହଜାର ସଂଖ୍ୟାରେ ଭାରତୀୟ ଛାତ୍ରଛାତ୍ରୀ ଓ ନାଗରିକ ୟୁକ୍ରେନର ବିଭିନ୍ନ ସହରରେ ଫସି ରହିଛନ୍ତି । ବଂକରଗୁଡିକରେ ଆଶ୍ରୟ ନେଇଥିବା ଛାତ୍ରଛାତ୍ରୀ ଖାଦ୍ୟ, ପାନୀୟ ଜଳ ଓ ବିଦ୍ୟୁତ ସଂକଟର ସାମ୍ନା କରୁଥିବା ବେଳେ ବାହାରେ ଘନ ଘନ ବୋମା ଓ ରକେଟ ମାଡ଼ ପ୍ରତି ମୂହୂର୍ତ୍ତରେ ସେମାନଙ୍କୁ ମୃତ୍ୟୁ ମୁହଁକୁ ନେଉଛି । ଇତିମଧ୍ୟରେ ଭାରତ ସରକାର ୯,୦୦୦ରୁ ଅଧିକ ଛାତ୍ରଛାତ୍ରୀଙ୍କୁ ୟୁକ୍ରେନରୁ ଉଦ୍ଧାର କରି ଦେଶକୁ ଫେରାଇ ଆଣିଥିବା ବେଳେ ରାଜଧାନୀ କିଭ୍, ଖାରକିଭ୍ ଓ ଅନ୍ୟାନ୍ୟ ସହରରେ ଏହାର ବହୁ ଗୁଣ ଛାତ୍ରଛାତ୍ରୀ ଫସି ରହିଥିବା ସୂଚା ମିଳିଛି । ଭାରତ ସରକାର ସେମାନଙ୍କୁ କେବେ ଉଦ୍ଧାର କରିବେ, ସେହି ପ୍ରତୀକ୍ଷାରେ ସେମାନେ ଜୀନକୁ ବାଜି ଲଗାଇ ପଡି ରହିଛନ୍ତି ।
ବିଳମ୍ବରେ ହେଲେ ମଧ୍ୟ କେନ୍ଦ୍ର ସରକାରଙ୍କ ଆଡୁ ରୁଷ, ୟୁକ୍ରେନ, ପୋଲାଣ୍ଡ, ହଂଗେରୀ ଦୂତାବାସ ସହ ଆଲୋଚନା କରାଯାଇଛି । ଭାରତୀୟ ବାୟୁ ସେନାକୁ ଉଦ୍ଧାର କାର୍ଯ୍ୟରେ ନିୟୋଜିତ କରାଯାଇଛି । ତେବେ, ୟୁକ୍ରେନର ବିଭିନ୍ନ ସହରରେ ଫସି ଥିବା ଭାରତୀୟ ଛାତ୍ରଛାତ୍ରୀ ଓ ନାଗରିକ ବଂକରରୁ ବାହାରି ଶହ ଶହ କିମି ଦୂରରେ ଥିବା ସୀମା କେମିତି ଅତିକ୍ରମ କରିବେ ଏବଂ ସେଠାରୁ ଉଦ୍ଧାର ହେବ, ତାହା ବଡ଼ ପ୍ରଶ୍ନ ହୋଇଛି । ୟୁକ୍ରେନରେ ରୁଷ ସାମରିକ କାର୍ଯ୍ୟାନୁଷ୍ଠାନ କରିବ ବୋଲି ଆମେରିକା ବହୁ ଆଗରୁ ଚେତାବନୀ ଦେଇଥିଲେ ସୁଦ୍ଧା ରୁଷର ପ୍ରତିଶ୍ରୁତିକୁ ଭରସା କରି ସରକାର ଉଦ୍ଧାର କାର୍ଯ୍ୟ ବିଳମ୍ବିତ କରିଥିଲେ । ୟୁକ୍ରେନରେ ସାମରିକ କାର୍ଯ୍ୟାନୁଷ୍ଠାନ ଜୋରଦାର ହେବା ପରେ ଭାରତ ଆଡୁ ତତ୍ପରତା ପ୍ରକାଶ ପାଇଛି ।
ଯୁଦ୍ଧ ପରିସ୍ଥିତି ଜଟିଳ ହୋଇ ସାରିଛି । ୟୁକ୍ରେନ ରୁଷ ସେନାର କଡା ମୁକାବିଲା କରିବା ଫଳରେ ପରିସ୍ଥିତି ଭୟଂକର ହେଲାଣି । ୟୁକ୍ରେନର ଆକାଶ ସୀମା ବେସାମରିକ ବିମାନ ଉଡାଣ ପାଇଁ ବନ୍ଦ ଥିବାରୁ ଭାରତୀୟ ବିମାନ ୟୁକ୍ରେନ ଅଭିମୁଖେ ଯାଇ ଅଧା ବାଟରୁ ଫେରି ଥିଲା । ପରେ, ୟୁକ୍ରେନ ସୀମାନ୍ତ ପୋଲାଣ୍ଡ, ହଂଗେରୀ ପ୍ରଭୃତି ରାଷ୍ଟ୍ରଙ୍କ ସୀମାନ୍ତକୁ ଉଦ୍ଧାର କାର୍ଯ୍ୟରେ ବ୍ୟବହାର କରାଯାଉଛି । ଭାରତୀୟ ଛାତ୍ରଛାତ୍ରୀ ବହୁ କଷ୍ଟରେ ୟୁକ୍ରେନ ସୀମା ପାରି ହୋଇ ଉଦ୍ଧାରକାରୀ ଦଳଙ୍କ ନିକଟରେ ପହଂଚିଲେ ସେମାନଙ୍କୁ ଉଦ୍ଧାର କରାଯାଉଛି । ତେବେ, ହଜାର ହଜାର ସଂଖ୍ୟାରେ ଭାରତୀୟ ଛାତ୍ରଛାତ୍ରୀ ବଂକରରୁ ବାହାରି ନ ପାରି ଖାରକିଭ୍ ଓ ଅନ୍ୟ ସହରରେ ପଡି ରହିଛନ୍ତି । ଗତକାଲି, ସେଥିରୁ ଜଣେ ନବୀନ ଶେଖରାପ୍ପାଙ୍କ ଦୁଃଖଦ ମୃତ୍ୟୁ ଘଟିଛି ।
ଏହି ଘଟଣା ପରେ ବିରୋଧୀ ସରକାରଙ୍କୁ କଡା ସମାଲୋଚନା କରୁଥିବା ଦେଖି ସରକାର ବିତର୍କର ମୋଡ ବଦଳାଇବାକୁ ପ୍ରୟାସ କରୁଥିବା କେନ୍ଦ୍ର ସଂସଦୀୟ ବ୍ୟାପାର ମନ୍ତ୍ରୀଙ୍କ ଟିପ୍ପଣୀରୁ ଅନୁମାନ କରି ହେଉଛି । ମେଡ଼ିକାଲ ଶିକ୍ଷା ପାଇଁ ବିଦେଶ ଯାଉଥିବା ୯୦ ପ୍ରତିଶତ ଛାତ୍ରଛାତ୍ରଙ୍କ ଯୋଗ୍ୟତାକୁ ନେଇ ସେ ପ୍ରଶ୍ନ ଉଠାଇଛନ୍ତି । ଦେଶରେ ମେଡ଼ିକାଲ ଶିକ୍ଷାରେ ପ୍ରବେଶ ପାଇଁ ଅଯୋଗ୍ୟ ଛାତ୍ରଛାତ୍ରୀ ମେଡ଼ିକାଲ ଶିକ୍ଷାରେ ଦାଖଲ ହେବାକୁ ବିଦେଶ ଯାଉଛନ୍ତି କହି ସେ ନବୀନଙ୍କ ମୃତ୍ୟୁକୁ ଗୌଣ କରିବାକୁ ଉଦ୍ୟମ କରିଥିବା ବେଳେ ପୁଅର ମୃତ୍ୟୁରେ ଦୁଃଖି ଶେଖରାପ୍ପା ଜ୍ଞାନଗୌଦର ଗଣମାଧ୍ୟମକୁ ଯାଇ ପ୍ରତିକ୍ରିୟା ରଖିବାକୁ ବାଧ୍ୟ ହୋଇଛନ୍ତି ।
ଏଭଳି ସମୟରେ ଶେଖରାପ୍ପାଙ୍କ ପରିବାର ସରକାରଙ୍କ ଠାରୁ ଶାନ୍ତ୍ୱନା ପାଇବାର ହକଦାର୍ ଥିବା ବେଳେ କେନ୍ଦ୍ର ମନ୍ତ୍ରୀ ଯୋଶୀ କର୍ଣ୍ଣାଟକ ଯାଇ ନବୀନଙ୍କ ଗ୍ରାମରେ ବିଦେଶରେ ମେଡିକାଲ ପାଠ ପଢୁଥିବା ଛାତ୍ରଛାତ୍ରୀଙ୍କ ଯୋଗ୍ୟତାକୁ ନେଇ ପ୍ରଶ୍ନ ଉଠାଇବା ସରକାରଙ୍କ ବିଫଳତାକୁ ଘୋଡାଇବା ପାଇଁ ଉଦ୍ୟମ ନୁହେଁ ତ ? ଦେଶରେ କେତେ ସଂଖ୍ୟାରେ ସରକାରୀ ଓ ଘରୋଇ ମେଡ଼ିକାଲ କଲେଜ ରହିଛି ଏବଂ କେତେ ସଂଖ୍ୟାରେ ସିଟ୍ ରହିଛି, ତାହା ସରକାର ଭଲ ଭାବେ ଜାଣନ୍ତି । ମ୍ୟାନେମେଂଟ କୋଟା ନାମରେ ଯେଭଳି ଲୁଟ୍ ଚାଲିଛି ତାହା ମଧ୍ୟ କାହାରିକୁ ଅଛପା ନାହିଁ । ଏଭଳି ସ୍ଥିତିରେ, କେନ୍ଦ୍ର ମନ୍ତ୍ରୀ ଯୋଶୀ ବିବଦମାନ ମନ୍ତବ୍ୟ ରଖି ବିଦେଶରେ ପାଠ ପଢୁଥିବା ଛାତ୍ରଛାତ୍ରୀଙ୍କ ମଧ୍ୟରୁ ଅଧିକାଂଶ ଭାରତରେ ମେଡ଼ିକାଲ ପଢିବାକୁ ଅଯୋଗ୍ୟ ବୋଲି କହିବା ମୃତ ନବୀନଙ୍କ ପରିବାର ପ୍ରତି ଶାନ୍ତ୍ୱନା ନା ଉପହାସ (?) ବୋଲି ସାଧାରଣରେ ପ୍ରଶ୍ନ ହେଉଛି ।
ମୁଖ୍ୟ ସଂପାଦକ
ମୋଅନୁଭବ.କମ୍
Share this:

LETTER FROM THE EDITOR: A SPECIAL THANKS TO OUR READERS
LETTER FROM THE EDITOR: A SPECIAL THANKS TO OUR READERS