ସବୁ ରୋଗର ଜଡ଼ ପୂର୍ବ ସରକାର !


ପ୍ରସାଦ ରାଓ
ମାର୍ଚ୍ଚ ୦୪
ଫେବୃୟାରୀ ୧୦ରୁ ଆରମ୍ଭ ହୋଇଥିବା ୟୁପି ବିଧାନସଭା ନିର୍ବାଚନ ଶେଷ ପର୍ଯ୍ୟାୟରେ ପହଂଚିଛି । ମାର୍ଚ୍ଚ ୭ରେ ଭୋଟ ସରିଲେ ନିର୍ବାଚନ ସରିବ । ୧୦ ତାରିଖ ଭୋଟ ଗଣତି ହୋଇ ଫଳାଫଳ ପ୍ରକାଶ ପାଇବା ପରେ ପଂଜାବ, ୟୁପିକୁ ନେଇ ଦେଶବାସୀଙ୍କ ମନରେ ଥିବା ଉକ୍ରଣ୍ଠାର ଅବସାନ ଘଟିବ । ଫେବୃୟାରୀ-ମାର୍ଚ୍ଚରେ ପାଂଚଟି ରାଜ୍ୟରେ ବିଧାନସଭା ନିର୍ବାଚନ ହୋଇଥିବା ବେଳେ ଦେଶବାସୀଙ୍କ ନଜର ପଂଜାବ ଓ ୟୁପି ଫଳାଫଳ ଉପରେ ରହିଛି । କାରଣ, ୟୁପିରେ ୨୦୧୭ରୁ ବିଜେପି ସରକାର ଥିବା ବେଳେ ପଂଜାବରେ କଂଗ୍ରେସ ସରକାର ରହିଛି । ୟୁପି ଓ ପଂଜାବରେ ଶାସକ ଦଳ ବିରୋଧୀଙ୍କ କଡା ମୁକାବିଲାର ସାମ୍ନା କରୁଛନ୍ତି । ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ୟୁପିରେ ଲଗାତର ଦ୍ୱତୀୟ ଥର ପାଇଁ କ୍ଷମତାକୁ ଆସିବା ସକାଶେ ହିନ୍ଦୁତ୍ୱ କାର୍ଡକୁ ଭଲ ଭାବେ ଖେଳିଛନ୍ତି । ସମାଜବାଦୀ ପାର୍ଟି (ଏସପି) ରାଜ୍ୟରେ ବିଜେପିର ମୁଖ୍ୟ ପ୍ରତିଦ୍ୱନ୍ଦ୍ୱୀ ରହିଛି ।
ପୂର୍ବତନ ମୁଖ୍ୟମନ୍ତ୍ରୀ ଅଖିଳେଶ ଯାଦବ ଦଳିତ, ପଛୁଆ ବର୍ଗ, ସଂଖ୍ୟାଲଘୁ ଜାତି ଓ ସଂପ୍ରଦାୟ ଏବଂ ସରକାରଙ୍କ ଚାଷୀ ବିରୋଧୀ ନୀତିକୁ ପ୍ରସଙ୍ଗ କରି ୟୁପି ନିର୍ବାଚନ ଲଢି ଥିବା ବେଳେ କଂଗ୍ରେସର ଜାତୀୟ ସାଧାରଣ ସଂପାଦିକା ପ୍ରିୟଙ୍କା ଗାନ୍ଧୀ ଭଦ୍ରା ଏକାକୀ ଦଳର ମଂଗ ଧରି ନିଜ ଭାଗ୍ୟ ପରୀକ୍ଷା କରୁଥିବା ଦେଖିବାକୁ ମିଳିଛି । ‘ଲଡକୀ ହୁଁ, ଲଢ ସକତି ହୁଁ’ ହେଉଛି ତାଙ୍କ ନିର୍ବାଚନୀ ସ୍ଲୋଗାନ । ଏହା ମାଧ୍ୟମରେ ସେ ଅଧିକରୁ ଅଧିକ ମହିଳାଙ୍କୁ ଦଳ ସହ ଯୋଡିବାକୁ ଉଦ୍ୟମ କରିଛନ୍ତି । ଉଭୟ ବିଜେପି ଓ ଏସପି ପ୍ରିୟଙ୍କାଙ୍କ ଟାର୍ଗେଟରେ ଥିଲେ । ଏହି ଦୁଇ ଦଳକୁ ହରାଇବାକୁ ସେ ମତଦାତାଙ୍କୁ ଆହ୍ୱାନ ଦେଇଛନ୍ତି ।
୪୦୩ ଆସନ ବିଶିଷ୍ଟ ୟୁପି ବିଧାନସଭା ଉଭୟ ଶାସକ ଓ ବିରୋଧୀଙ୍କ ପାଇଁ ଏଇଥି ପାଇଁ ଗୁରୁତ୍ୱପୂର୍ଣ୍ଣ ଯେ, ଦେଶର ସର୍ବାଧିକ ସଂଖ୍ୟକ ଲୋକସଭା ଆସନ ଏହି ରାଜ୍ୟରେ ରହିଛି । ୨୦୨୪ ସାଧାରଣ ନିର୍ବାଚନରେ କେନ୍ଦ୍ରରେ କେଉଁ ଦଳର ସରକାର ଗଠନ ହୋଇପାରେ ତାହା ସଂପୂର୍ଣ୍ଣ ଭାବେ ନହେଲେ ମଧ୍ୟ ବହୁମାତ୍ରାରେ ୟୁପି ବିଧାନସଭା ନିର୍ବାଚନ ଫଳାଫଳରୁ ସୁରାକ ମିଳିବ । ୟୁପିରେ ୮୦ଟି ଲୋକସଭା ଆସନ ରହିଛି । ସେଥିରୁ ସିଂହଭାଗ ଏବେ ବିଜେପିର ରହିଛି । ୨୦୨୪ରେ ୨୦୧୯ର ଫଳାଫଳ ଦୋହରାଇବାକୁ ବିଜେପି ୟୁପିରେ ସମସ୍ତ ଶକ୍ତି ଖଟାଇଛି । ସମାଜବାଦୀ ପାର୍ଟି ମଧ୍ୟ ୨୦୧୭ର ବିଫଳତାକୁ ୨୦୨୨ରେ ସଫଳତାର ରୂପ ଦେବାକୁ ସଂପୂର୍ଣ୍ଣ ପ୍ରୟାସ କରିଛି । ଧର୍ମ, ଜାତି, ସଂପ୍ରଦାୟ ରାଜନୀତି ସହ କେନ୍ଦ୍ର ସରକାରଙ୍କ ତିନି ନୂଆ କୃଷି ଆଇନ (ଗତ ନଭେମ୍ବର ୨୯ରେ ସରକାର ପ୍ରତ୍ୟାହାର କରି ନେଇଛନ୍ତି) ବିରୋଧରେ ଥିବା ଚାଷୀ ଅସନ୍ତୋଷରୁ ଅଖିଳେଶ ପୂର୍ଣ୍ଣ ଫାଇଦା ନେବାକୁ ଚେଷ୍ଟା କରିଛନ୍ତି ।
ତିନି କୃଷି ଆଇନକୁ ନେଇ ଦୀର୍ଘ ଏକ ବର୍ଷରୁ ଅଧିକ ସମୟ ଧରି ସରକାର ଓ ଆନ୍ଦୋଳନକାରୀ ଚାଷୀ ସଂଗଠନ ମଧ୍ୟରେ ସଂପର୍କ ତୀକ୍ତ ଥିଲା । ଏହି ତୀକ୍ତତା ପଂଜାବ ଓ ୟୁପି ବିଧାନସଭା ନିର୍ବାଚନକୁ ପ୍ରଭାବିତା କରି ପାରେ ବୋଲି ଆଶଙ୍କା କରି ସରକାର ଗତ ନଭେମ୍ବର ମାସରେ ଅଚାନକ ତିନି ଆଇନ ପ୍ରତ୍ୟାହର କରିବାକୁ ଘୋଷଣା କରିଥିଲେ । ପରେ, ନଭେମ୍ବର ୨୯ରେ ସଂସଦରେ ଏସଂପର୍କିତ ବିଲ୍ ପାରିତ କରାଇ ଆଇନ ପ୍ରତ୍ୟାହାର କରିଥିଲେ । ତେବେ, ସରକାରଙ୍କ କୂଟନୀତିକୁ ବୁଝିପାରି ଏମଏସପିକୁ ଆଇନଗତ ମାନ୍ୟତା ଦିଆଯିବା ଏବଂ ଅନ୍ୟାନ୍ୟ ଦାବିରେ ଚାଷୀ ସଂଗଠନ ଅଡି ରହିଛନ୍ତି । ଏମଏସପି ଉପରେ ବିଚାର କରିବାକୁ ସରକାର ଏକ ବିଶେଷଜ୍ଞ କମିଟି ଗଠନ କରିବେ, ଯେଉଁଥିରେ ଚାଷୀ ସଂଗଠନର ପ୍ରତିନିଧିତ୍ୱ ରହିବ ବୋଲି କେନ୍ଦ୍ର ସରକାର କୃଷି ଆଇନ ପ୍ରତ୍ୟାହାର ସମୟରେ କହି ଥିଲେ ଏବଂ ଚାଷୀଙ୍କ ଅନ୍ୟାନ୍ୟ ଦାବି ମଧ୍ୟ ତୁରନ୍ତ ପୂରଣ କରିବେ ବୋଲି ଲିଖିତ ପ୍ରତିଶ୍ରୁତି ଦେଇଥିଲେ । ତେବେ, ଆଜି ସୁଦ୍ଧା ଏହି ପ୍ରତିଶ୍ରୁତି ରକ୍ଷା ହୋଇ ନାହିଁ ।
ସରକାର ଚାଷୀଙ୍କ ସହ ବିଶ୍ୱାସଘାତ କରିଛନ୍ତି ବୋଲି ଅନୁଭବ କରି ଉଭୟ ପଂଜାବ ଓ ୟୁପି ଚାଷୀ ସରକାରଙ୍କ ଉପରେ କ୍ଷୁବ୍ଧ । ପଂଜାବରେ ୨୨ରୁ ଅଧିକ ଚାଷୀ ସଂଗଠନ ଦୁଇଟି ରାଜନୈତିକ ଦଳ ଗଠନ କରି ମିଳିତ ଭାବେ ସବୁ ୧୧୭ ବିଧାନସଭା ଆସନରୁ ପ୍ରାର୍ଥୀ ଦେଇଥିବା ବେଳେ ତିନି ନୂଆ କୃଷି ଆଇନ ବିରୋଧରେ ଆନ୍ଦୋଳନର ନେତୃତ୍ୱ ନେଇ ଆନ୍ଦୋଳନକୁ ଏକ ନିର୍ଣ୍ଣୟାକ ମୋଡରେ ପହଂଚାଇ ଥିବା ସଂଯୁକ୍ତ କିଶାନ ମୋର୍ଚ୍ଚ (ଏସକେଏମ) ୟୁପିରେ ବିଜେପି ବିରୋଧୀ ପ୍ରଚାର ଅଭିଯାନ ଚଳାଇ ଥିଲା । ବିଜେପି ବ୍ୟତୀତ ଅନ୍ୟ ରାଜନୈତିକ ଦଳଙ୍କୁ ଭୋଟ ଦେବାକୁ ଏସକେଏମ ନେତାମାନେ ମତଦାତାଙ୍କୁ ଖୋଲା ଆହ୍ୱାନ ଦେଇଥିଲେ । ତେବେ, ନିର୍ବାଚନରେ ଚାଷୀଙ୍କ ଅସନ୍ତୋଷର ପ୍ରଭାବ ନାହିଁ ବୋଲି ବିଜେପି ଦାବି କରିଛି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ, କେନ୍ଦ୍ର ଗୃହ ମନ୍ତ୍ରୀ ଅମିତ ଶାହା, ବିଜେପି ରାଷ୍ଟ୍ରୀୟ ସଭାପତି ଜେ.ପି.ନଡ୍ଡା, ୟୁପି ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ, କେନ୍ଦ୍ର ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହଙ୍କ ସମେତ ବିଜେପିର ବହୁ ଦିଗ୍ଗଜ ନେତା ମାରାଥନ ପ୍ରଚାର କରି ବିଜେପି ସପକ୍ଷରେ ଭୋଟ ମାଗିଛନ୍ତି ।
ଅଯୋଧ୍ୟାରେ ରାମ ମନ୍ଦିର ନିର୍ମାଣ, କାଶୀ ବିଶ୍ୱନାଥ ମନ୍ଦିରର ନବୀକରଣ, ମଥୁରାରେ ରାଧା-କୃଷ୍ଣ ମନ୍ଦିରର ନବୀକରଣ ପ୍ରସ୍ତାବ ଭଳି ଧାର୍ମିକ ପ୍ରସଙ୍ଗ ସହ ୟୁପିରେ ଯୋଗୀ ସରକାରଙ୍କ ଦୁର୍ନୀତି ଓ ବାହୁବଳୀ-ବିରୋଧୀ କାର୍ଯ୍ୟାନୁଷ୍ଠାନ, ଏକ୍ସପ୍ରେସ୍ ହାଇୱେ ନିର୍ମାଣ ଭଳି ଲମ୍ବା ତାଲିକା ସହ ବିଜେପି ପ୍ରଚାର କରିଥିବା ବେଳେ ବିରୋଧୀ ସମାଜବାଦୀ ପାର୍ଟି ଚାଷୀଙ୍କ ପ୍ରତି ହୋିଥିବା ଧୋକା, ଦଳିତ ଓ ପଛୁଆଙ୍କ ପ୍ରତି ଯୋଗୀ ସରକାରଙ୍କ ଅଶୂୟା ମନୋଭାବ, ପ୍ରତି କଥାରେ ବୁଲଡୋଜର ଚଳାଇ ଦେବାକୁ ମୁଖ୍ୟମନ୍ତ୍ରୀଙ୍କ ଧମକ ଭଳି ପ୍ରସଙ୍ଗ ନେଇ ନିର୍ବାଚନ ପ୍ରଚାର କରିଛି । ମାୟାବତୀଙ୍କ ବହୁଜନ ସମାଜ ପାର୍ଟି (ବିଏସପି) ଏବଂ କଂଗ୍ରେସ ଏଥର ନିର୍ବାଚନ ମଇଦାନରେ ବିଜେୟର ଦାବିଦାର ଥିଲେ ମଧ୍ୟ ୟୁପିରେ ମୁଖ୍ୟତଃ ବିଜେପି ଓ ସମାଜବାଦୀ ପାର୍ଟି ମଧ୍ୟରେ ପ୍ରତିଦ୍ୱନ୍ଦ୍ୱିତା ହୋଇଥିବା ବିଶ୍ଲେଷକମାନେ କହୁଛନ୍ତି ।
ସେମାନଙ୍କ ମତରେ, ବିଜେପି ୟୁପିରେ ୨୦୧୭ ତୁଳନାରେ କମ୍ ଆସନ ପାଇଲେ ମଧ୍ୟ ସରକାର ଗଠନ କରିବାକୁ ସକ୍ଷମ ହେବ । ସମାଜବାଦୀ ପାର୍ଟି ଭଲ ପ୍ରଦର୍ଶନ କରି ଦ୍ୱିତୀୟ ସ୍ଥାନରେ ରହିବ । ତେବେ, ରାଜ୍ୟରେ ଏକ ଝୁଲା ସରକାର ହୋଇପାରେ ବୋଲି ମଧ୍ୟ ଅନେକ ଆକଳନ କରୁଥିବା ଦେଖିବାକୁ ମିଳିଛି । ରାଜ୍ୟର ବିଭିନ୍ନ ବର୍ଗଙ୍କ ମଧ୍ୟରେ ଯୋଗୀ ସରକାର ବିରୋଧରେ ଥିବା ଅସନ୍ତୋଷ ଏଥର ସମାଜବାଦୀ ପାର୍ଟି ସପକ୍ଷରେ ଯିବ ବୋଲି ଏହାର ନେତା ତଥା ପୂର୍ବତନ ୟୁପି ମୁଖ୍ୟମନ୍ତ୍ରୀ ଅଖିଳେଶ ଯାଦବ ଦାବି କରୁଛନ୍ତି । ବିଏସପି ନେତ୍ରୀ ମାୟାବତୀ ମଧ୍ୟ ୨୦୨୨ରେ ସରକାର ଗଢିବା ନେଇ ଦାବି କରୁଥିବା ବେଳେ କଂଗ୍ରେସ ସେଭଳି କିଛି ଦାବି ନକରି ରାଜ୍ୟରେ ଯଦି ଅଣ-ବିଜେପି ସରକାର ପ୍ରତିଷ୍ଠା ହେବ, ସେଥିରେ କଂଗ୍ରେସର ଭୂମିକା ରହିବ ବୋଲି ଆଶା ବାନ୍ଧିଛି ।
୨୦୨୨ ଫେବୃୟାରୀ-ମାର୍ଚ୍ଚ ନିର୍ବାଚନରେ ଆଉ ଗୋଟିଏ ଆଲୋଚ୍ୟ ଦିଗ ହେଉଛି, କେନ୍ଦ୍ର ସରକାର ଦେଶରେ ବେକାରୀ, ଅତ୍ୟାବଶ୍ୟକ ସାମଗ୍ରୀର ଆକାଶଛୁଆ ଦରବୃଦ୍ଧି, ମୁଦ୍ରାସ୍ଫୀତି ଭଳି ପ୍ରମୁଖ ପ୍ରସଙ୍ଗକୁ ଏଡାଇବା ସକାଶେ ପ୍ରତି କଥାରେ ପୂର୍ବ ସରକାର; ବିଶେଷକରି, ଦେଶର ପ୍ରଥମ ପ୍ରଧାନମନ୍ତ୍ରୀ ପଣ୍ଡିତ ଜବାହାରଲାଲ ନେହେରୁଙ୍କ ଉପରେ ଦୋଷ ଲଦିବାର ନାଟକ କରିଛନ୍ତି । ପ୍ରଧାନମନ୍ତ୍ରୀ ମୋଦୀ ସଂସଦ ଭିତରେ ଓ ବାହାରେ ପୂର୍ବ କଂଗ୍ରେସ ସରକାର ଏବଂ ପୂର୍ବ ପ୍ରଧାନମନ୍ତ୍ରୀ ନେହେରୁଙ୍କୁ କଥା କଥାରେ ସମାଲୋଚନା କରିବାକୁ ପଛାଇ ନାହାନ୍ତି । ବିଗତ ୭୦ ବର୍ଷର ସବୁ ସମସ୍ୟା ପାଇଁ ସେ ପଣ୍ଡିତ ନେହେରୁଙ୍କୁ ଦାୟି କରିବା ସହ କଂଗ୍ରେସ ନଥିଲେ ଦେଶର ଏଭଳି ଦୁର୍ଦ୍ଦିନ ହୋଇ ନଥା’ନ୍ତା ବୋଲି ମନ୍ତବ୍ୟ ଦେବାକୁ ପଛାଇ ନାହାନ୍ତି ।
ପଂଜାବ, ୟୁପି, ଗୋଆ, ଉତ୍ତରାଖଣ୍ଡ ଓ ମଣିପୁରରେ ଆୟୋଜିତ ବିଜେପିର ନିର୍ବାଚନୀ ସମାବେଶଗୁଡିକରେ ପୂର୍ବତନ ପ୍ରଧାନମନ୍ତ୍ରୀ ପଣ୍ଡିତ ନେହେରୁଙ୍କ ସମାଲୋଚନା ଜରିଆରେ ଭୋଟ ଯୋଗାଡ ଉଦ୍ୟମ ହୋଇଛି । ସବୁଠି ପ୍ରଧାନମନ୍ତ୍ରୀ ମୋଦୀଙ୍କ ସମାଲୋଚନାର କେନ୍ଦ୍ରବିନ୍ଦୁ ରହିଛନ୍ତି ପଣ୍ଡିତ ନେହେରୁ ଓ କଂଗ୍ରେସ । ନେହେରୁଙ୍କ ତୃଟୀପୂର୍ଣ୍ଣ ନୀତି ଯୋଗୁଁ ଦେଶର ବୈଦେଶିକ ନୀତିରୁ ଆରମ୍ଭ କରି ଆଭ୍ୟନ୍ତରୀଣ ନୀତି ପର୍ଯ୍ୟନ୍ତ ସବୁ ବାଟବଣା ହୋଇଛି । ତାଙ୍କ ସରକାର ସେସବୁ ସଜାଡିବାକୁ ପ୍ରୟାସ କରୁଛନ୍ତି ବୋଲି ପ୍ରଧାନମନ୍ତ୍ରୀ ମୋଦୀ ଖୋଲାଖୋଲି ଅଭିଯୋଗ କରୁଛନ୍ତି । ଏପରିକି, ୟୁକ୍ରେନ ସଂକଟକୁ ମଧ୍ୟ ପ୍ରଧାନମନ୍ତ୍ରୀ ମୋଦୀ ୟୁପି ନିର୍ବାଚନରେ ପୂର୍ଣ୍ଣତଃ ବ୍ୟହାର କରିବାର ସୁଯୋଗ ହାତଛଡା କରୁ ନାହାନ୍ତି । ୟୁକ୍ରେନରେ ରୁଷର ସାମରିକ କାର୍ଯ୍ୟାନୁଷ୍ଠାନ ଯୋଗୁଁ ହଜାର ହଜାର ସଂଖ୍ୟାରେ ଭାରତୀୟ ମେଡ଼ିକାଲ ଛାତ୍ରଛାତ୍ରୀ ଏବଂ ନାଗରିକ ସେଠାରେ ଫସି ରହିଛନ୍ତି । ସେମାନଙ୍କୁ ଉଦ୍ଧାର କରିବା ସକାଶେ ସରକାର ଯେଉର୍ ‘ଅପରେସନ୍ ଗଂଗା’ କାର୍ଯ୍ୟକ୍ରମ ଚଳାଇଛନ୍ତି ତାହା ଏବେ ୟୁପି ନିର୍ବାଚନରେ ବଢେଇ ଚଢେଇ ପ୍ରଚାର କରାଯାଉଛି ।
ୟୁକ୍ରେନରେ ଫସି ରହି ଥିବା ଛାତ୍ରଛାତ୍ରୀ ଖାଦ୍ୟ, ପାନୀୟ ଜଳ ଏବଂ ପରିବହନ ସୁବିଧାର ଘୋର ଅଭାବ ମଧ୍ୟରେ ବହୁ କଷ୍ଟ ସ୍ୱୀକାର କରି ସୀମାନ୍ତ ଦେଶ ପୋଲାଣ୍ଡ, ହଂଗେରୀରେ ପହଂଚିବା ପରେ ସେମାନଙ୍କୁ ଦେଶକୁ ପେରାଇ ଅଣା ଯାୁଥିବା ବେଳେ କେନ୍ଦ୍ର ସରକାର କଷ୍ଟ ସ୍ୱୀକାର କରି ଉଦ୍ଧାର କାର୍ଯ୍ୟ ଚଳାିଛନ୍ତି ବୋଲି ଦାବି ହେଉଛି ଏବଂ ଏହାର ଶ୍ରେୟ ସରକାର ନେବାକୁ ଚାହୁଁଛନ୍ତି । ମୋଦୀ ସରକାର ପୂର୍ବ ସରକାରଙ୍କ ମୁଣ୍ଡରେ କିଭଳି ଅଠା ବୋଳୁଛନ୍ତି ତାହାର ନମୂନା ହେଉଛି, ଗତକାଲି ବାରାଣସୀରେ ପ୍ରଧାନମନ୍ତ୍ରୀ ଦେଇଥିବା ମନ୍ତବ୍ୟ । ୟୁକ୍ରେନରୁ ଫେରି ଥିବା ଛାତ୍ରଛାତ୍ରୀଙ୍କ ସହ ଆଲୋଚନା କରିବା ବାହାନାରେ ପ୍ରଧାନମନ୍ତ୍ରୀ ମୋଦୀ କହିଛନ୍ତି, ପୂର୍ବ ସରକାରଙ୍କ ଭୁଲ ନୀତି ଯୋଗୁଁ ଦେଶର ହଜାର ହଜାର ସଂଖ୍ୟାରେ ମେଡ଼ିକାଲ ପଢିବାକୁ ୟୁକ୍ରେନ ଯିବାକୁ ବାଧ୍ୟ ହୋଇଛନ୍ତି ।
ପୂର୍ବରୁ ଦେଶରେ ୩୦୦ରୁ ୪୦୦ ମେଡ଼ିକାଲ ଶିକ୍ଷାନୁଷ୍ଠାନ ଥିଲା । ତାଙ୍କ ସରକାର ମେଡ଼ିକାଲ ଶିକ୍ଷାକୁ ଗୁରୁତ୍ୱ ଦେଉଛନ୍ତି । ବର୍ତ୍ତମାନ ଦେଶରେ ମେଡ଼ିକାଲ ଶିକ୍ଷାନୁଷ୍ଠାନ ସଂଖ୍ୟା ୭୦୦ ପାଖାପାଖି ପହଂଚିଲାଣି । ପୂର୍ବରୁ ଦେଶର ୮୦ରୁ ୯୦ ହଜାର ଛାତ୍ରଛାତ୍ରୀ ମେଡ଼ିକାଲ ପଢିବାକୁ ସୁଯୋଗ ପାଉଥିଲେ । ଏବେ ସଂଖ୍ୟା ଦେଢ ଲକ୍ଷରେ ପହଂଚିଲାଣି । ଦେଶର ପ୍ରତି ଜିଲ୍ଲାରେ ଗୋଟିଏ ଲେଖାଏଁ ମେଡ଼ିକାଲ ଶିକ୍ଷାନୁଷ୍ଠାନ ପ୍ରତିଷ୍ଠା ଦିଗରେ ସରକାର ପ୍ରୟାସ କରୁଛନ୍ତି । ଗଲା ୭୦ ବର୍ଷରେ ଦେଶର ବିଭିନ୍ନ ମେଡିକାଲ ଶିକ୍ଷାନୁଷ୍ଠାନରୁ ଯେତିକି ସଂଖ୍ୟାରେ ଡ଼ାକ୍ତର ବାହାରିଛନ୍ତି ଆଗାମୀ ୧୦ ବର୍ଷରେ ସେତିକି ସଂଖ୍ୟାରେ ଡ଼ାକ୍ତର ବାହାରିବେ । ଆଉ କାହାକୁ ମେଡ଼ିକାଲ ଶିକ୍ଷା ପାଇଁ ବିଦେଶ ଯିବାକୁ ପଡିବ ନାହିଁ ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି ।
ୟୁକ୍ରେନ ଫେରନ୍ତା ମେଡ଼ିକାଲ ଛାତ୍ରଛାତ୍ରୀଙ୍କ ସହ ପ୍ରଧାନମନ୍ତ୍ରୀଙ୍କ ଆଲୋଚନା ସମୟରେ କେତେକ ଛାତ୍ରଛାତ୍ରୀ ୟୁକ୍ରେନରେ ସେମାନେ କିଭଳି ପ୍ରତିକୂଳ ପରିସ୍ଥିତିରେ ଉଦ୍ଧାର ଅପେକ୍ଷାରେ ଥିଲେ ଏବଂ ଉଦ୍ଧାର କାର୍ଯ୍ୟରେ କିଭଳି ଅବହେଳା ହୋଇଥିଲା ସେ ନେଇ ପ୍ରଧାନମନ୍ତ୍ରୀଙ୍କ ନିକଟରେ ଅଭିଯୋଗ କରିଥିଲେ । ପ୍ରଧାନମନ୍ତ୍ରୀ ମୋଦୀ ଏହି ଛାତ୍ରଛାତ୍ରୀଙ୍କ କ୍ରୋଧକୁ ଯଥାର୍ଥ ବୋଲି ଦର୍ଶାଇ ସେଥିପାଇଁ ମଧ୍ୟ ପୂର୍ବ ସରକାରଙ୍କୁ ଦାୟି କରିବା ଚର୍ଚ୍ଚାର ବିଷୟ ହୋଇଛି । ୭ ତାରିଖ ଶେଷ ପର୍ଯ୍ୟାୟ ଭୋଟ ପୂର୍ବରୁ ପ୍ରଧାନମନ୍ତ୍ରୀ ୟୁକ୍ରେନ୍ ଅସ୍ତ୍ର ଛାଡିଛନ୍ତି । ତେବେ, ପଇଁତରା ବିଜେପିକୁ ଭୋଟ ଗୋଟାଇବାରେ କେତେ ସହାୟକ ହେଲା ତାହା ୧୦ ତାରିଖ ଫଳାଫଳ ପ୍ରକାଶ ପାଇଲେ ଜଣାପଡିବ । ମତଦାତା ସବୁ ଦେଖୁଛନ୍ତି ଓ ଜାଣୁଛନ୍ତି । ତେଣୁ, ସେମାନେ ଠିକ୍ ଲୋକଙ୍କୁ ହିଁ ବାଛିବେ ବୋଲି ଆଶା କରିବା ଉଚିତ ହେବ ।
ମୁଖ୍ୟ ସଂପାଦକ
ମୋଅନୁଭବ.କମ୍
Share this:

LETTER FROM THE EDITOR: A SPECIAL THANKS TO OUR READERS
LETTER FROM THE EDITOR: A SPECIAL THANKS TO OUR READERS