ସୁପ୍ରିମ କୋର୍ଟରେ ସ୍ୱାଭାବିକ ଅବସ୍ଥା ଫେରିଲା !
ନୂଆଦିଲ୍ଲୀ, ୧୬ ଜାନୁୟାରୀ: ସୁପ୍ରିମ କୋର୍ଟ ମୁଖ୍ୟ ନ୍ୟାୟାଧିଶଙ୍କ ବିରୋଧରେ ଚାରି ଜଣ ବରିଷ୍ଠ ନ୍ୟାୟାଧିଶଙ୍କ ପକ୍ଷପାତ ଅଭିଯୋଗକୁ ନେଇ ଯେଉଁ ବିବଦମାନ ପରିସ୍ଥିତି ସୃଷ୍ଟି ହୋଇଥିଲା ତାହାର ସମାଧାନ ହେଇଥିବା ସୂଚନା ମିଳିଛି । ସୋମବାର ବିଭିନ୍ନ କୋର୍ଟର କାର୍ଯ୍ୟ ସ୍ୱାଭାବିକ ଭାବେ ଚାଲିଥିଲା ବୋଲି ବାର୍ କାଉନସିଲ୍ ଅଫ୍ ଇଣ୍ଡିଆର ଅଧ୍ୟକ୍ଷ ମନନ କୁମାର ମିଶ୍ର କହିଛନ୍ତି । ସୁପ୍ରିମ କୋର୍ଟ ମୁଖ୍ୟ ବିଚାରପତିଙ୍କ ବିରୋଧରେ ଚାରି ଜଣ ବରିଷ୍ଠ ବିଚାରପତିଙ୍କ ଅଭିଯୋଗକୁ ନେଇ ସୃଷ୍ଟି ହୋଇଥିବା ପରିସ୍ଥିତି ‘ଏକ ଆଭ୍ୟନ୍ତରିଣ ବ୍ୟାପାର’ ବୋଲି ଉଲ୍ଲେଖ କରି ବାର୍ କାଉନସିଲ୍ ଅଫ୍ ଇଣ୍ଡିଆ ଅଧ୍ୟକ୍ଷ ମିଶ୍ର କହିଛନ୍ତି ଯେ,ଏହି ସଂକଟର ସମାଧାନ ପାଇଁ ‘ଇନ୍-ହାଉସ୍ ମେକାନିଜିମ’ ବ୍ୟବସ୍ଥା ହୋଇଛି । ବିସିଆଇର ପ୍ରତିନିଧିମାନେ ୧୫ ଜଣ ବିଚାରପତିଙ୍କୁ ଭେଟି ଆଲୋଚନା କରିଥିଲେ । ଏହି ପ୍ରତିନିଧି ଦଳ ସୁପ୍ରିମ କୋର୍ଟ ମୁଖ୍ୟ ନ୍ୟାୟାଧିଶ ଜଷ୍ଟିସ ଦୀପକ ମିଶ୍ରଙ୍କୁ ମଧ୍ୟ ରବିବାର ସଂଧ୍ୟାରେ ଭେଟି ଥିଲେ । ସୁପ୍ରିମ କୋର୍ଟର ପବିତ୍ରତା ରକ୍ଷା କରାଯିବା ନିତାନ୍ତ ଆବଶ୍ୟକ । କିଛି ରାଜନେତା ଦେଶର ସର୍ବୋଚ୍ଚ ନ୍ୟାୟାଳୟରେ ସୃଷ୍ଟି ହୋଇଥିବା ବିବାଦରୁ ଫାଇଦା ନେବାକୁ ଉଦ୍ୟମ କରିଥିଲେ ମଧ୍ୟ ସଫଳ ହୋଇ ନାହାନ୍ତି ବୋଲି ମିଶ୍ର କହିଛନ୍ତି । ସୁପ୍ରିମ କୋର୍ଟ ବାର୍ ଆସୋସିଏସନ୍ ସଭାପତି ବିକାଶ ସିଂହ ମଧ୍ୟ ରବିବାର ସନ୍ଧ୍ୟାରେ ମିଶ୍ରଙ୍କୁ ଭେଟି ବାର୍ ରିଜୋଲ୍ୟୁସନ୍ ହସ୍ତାନ୍ତର କରିଥିଲେ । ଏହା ଉପରେ ବିଚାର କରିବେ ବୋଲି ମିଶ୍ର ପ୍ରତିଶ୍ରୁତି ଦେଇଥିବା ସିଂହ କହିଛନ୍ତି । ଶୁକ୍ରବାର ଦିନ ସୁପ୍ରିମ କୋର୍ଟ ମୁଖ୍ୟ ବିଚାରପତି ଜଷ୍ଟିସ ମିଶ୍ରଙ୍କ ବିରୋଧରେ ପକ୍ଷପାତ ଅଭିଯୋଗ କରିଥିବା ସର୍ବୋଚ୍ଚ ନ୍ୟାୟାଳୟର ଚାରି ଜଣ ବରିଷ୍ଠ ବିଚାରପତି ହେଉଛନ୍ତି ଜଷ୍ଟିସ ଜେ.ଚେଲେମେଶ୍ୱର, ଜଷ୍ଟିସ ରଂଜନ ଗୋଗୋଇ, ଜଷ୍ଟିସ ମଦନ ବି ଲୋକୁର ଓ ଜଷ୍ଟିସ କୁରିଆନ ଯୋଶେଫ୍ । ଏହି ଚାରି ଜଣ ବରିଷ୍ଠ ବିଚାରପତି ସେଦିନ ଏକ ସାମ୍ବାଦିକ ସମ୍ମିଳନୀ କରି ସୁପ୍ରିମ କୋର୍ଟର ପରିଚାଳନା ବ୍ୟବସ୍ଥା ଠିକ୍ ଭାବେ ଚାଲିନି ବୋଲି ଅଭିଯୋଗ କରିଥିଲେ । ବିଭିନ୍ନ ଗୁରୁତ୍ୱପୂର୍ଣ୍ଣ ମାମଲା ବିଚାର ପାଇଁ ବିଭିନ୍ନ ବେଂଚ୍ କୁ ବଂଟନ କରାଯିବା ବେଳେ ବରିଷ୍ଠ ବିଚାରପତିମାନଙ୍କୁ ଉପେକ୍ଷା କରାଯାଇ କନିଷ୍ଠ ବିଚାରପତିଙ୍କ ବେଂଚ୍ ଗୁଡିକୁ ଦିଆଯାଉଛି ବୋଲି ମଧ୍ୟ ସେମାନେ ଅଭିଯୋଗ କରିଥିଲେ । ସୁପ୍ରିମ କୋର୍ଟ ମୁଖ୍ୟ ବିଚାରପତିଙ୍କ ବିରୋଧରେ ଚାରି ଜଣ ବରିଷ୍ଠ ବିଚାରପତି ସାମ୍ବାଦିକ ସମ୍ମିଳନୀ କରି ଖୋଲାଖୋଲି ଏଭଳି ଅଭିଯୋଗ କରିବା ଦେଶବ୍ୟାପୀ ଆଲୋଡନ ସୃଷ୍ଟି କରିଥିଲା । ବିଚାରପତିମାନଙ୍କ ଏଭଳି କାର୍ଯ୍ୟକୁ କେତେକ ସମାଲୋଚନା କରିଥିବା ବେଳେ ଅନ୍ୟ କେତେକ ସମର୍ଥନ କରିବା ଫଳରେ ଏକ ସାଂଧାନିକ ସଂକଟ ପରିସ୍ଥିତି ସୃଷ୍ଟି ହୋଇଥିଲା । ଶନିବାର ଓ ରବିବାର ବାର୍ କାଉନସିଳ୍ ଅଫ୍ ଇଣ୍ଡିଆ ବିବାଦର ସମାଧାନ ପାଇଁ ଉଦ୍ୟମ କରିବା ଫଳରେ ପରିସ୍ଥିତିରେ ସୁଧାର ଆସିଛି ବୋଲି ଭାରତୀୟ ବାର୍ କାଉନସିଲ୍ ପକ୍ଷରୁ କୁହାଯାଇଛି ।
LETTER FROM THE EDITOR: A SPECIAL THANKS TO OUR READERS
LETTER FROM THE EDITOR: A SPECIAL THANKS TO OUR READERS