ଏଚ.ଡ଼ି କୁମାରାସ୍ୱାମୀ କର୍ଣ୍ଣାଟକର ନୂତନ ମୁଖ୍ୟମନ୍ତ୍ରୀ, ୨୫ରେ ଶକ୍ତି ପରୀକ୍ଷା
ବାଂଗାଲୁରୁ , ମେ’ ୨୪: ଦୀର୍ଘ ଆଠ ଦିନର ରାଜନୈତିକ ନାଟକ ପରେ କର୍ଣ୍ଣାଟକରେ କଂଗ୍ରେସ-ଜେଡ଼ିଏସ୍ ମିଳିତ ସରକାରର ମୁଖ୍ୟମନ୍ତ୍ରୀ ଭାବେ ଜନତା ଦଳ (ଏସ୍) ବିଧାୟକ ଦଳ ନେତା ଏଚ.ଡ଼ି କୁମାରସ୍ୱାମୀ ବୁଧବାର ଅପରାହ୍ନରେ ଶପଥ ଗ୍ରହଣ କରିଛନ୍ତି । ତାଙ୍କ ସହ ବରିଷ୍ଠ କଂଗ୍ରେସ ବିଧାୟକ ଜି. ପରମେଶ୍ୱରନ୍ ଉପ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଇଛନ୍ତି । କର୍ଣ୍ଣାଟକ ରାଜ୍ୟପାଳ ଭାଜୁଭାଇ ଭାଲା ଅପରାହ୍ନ ସାଢେ ୪ଟା ସମୟରେ ବିଧାନ ସୌଧରେ ସେମାନଙ୍କୁ ଶପଥ ପାଠ କରାଇ ଥିଲେ । କୁମାରସ୍ୱାମୀ ୨୫ ତାରିଖ ଦିନ ବିଧାନସଭାରେ ନିଜର ସଂଖ୍ୟା ଗରିଷ୍ଠତା ପ୍ରମାଣ କରିବେ । ବୁଧବାର ନୂଆ ସରକାରର ମୁଖ୍ୟମନ୍ତ୍ରୀ ଓ ଉପ ମୁଖ୍ୟମନ୍ତ୍ରୀ ଶପଥ ନେଉ ଥିବା ବେଳେ ବିଜେପି ଏହି ଦିନକୁ ରାଜ୍ୟବ୍ୟାପୀ ‘ଆଂଟି ପିପଲ୍ ମ୍ୟାନ୍ଡେଟ୍ ଡ଼େ’ ଭାବେ ପାଳନ କରିଛି । ଶପଥ ଗ୍ରହଣ ଉତ୍ସବ ପୂର୍ବରୁ ପାଗ ହଠାତ ବିଗିଡି ଯାଇ ପ୍ରବଳ ବର୍ଷା ସହ କୁଆପଥର ମାଡ ହୋଇଥିଲା । ସକାଳେ ପାଗ ଭଲ ଥିଲା ବେଳେ ଦିନ ଦୁଇଟା ପରେ ପାଗ ସଂପୂର୍ଣ୍ଣ ବଦଳି ଯିବାରୁ ଶପଥ ଗ୍ରହଣ ଦେଖିବାକୁ ବିଧାନ ସୌଧ ନିକଟରେ ଉପସ୍ଥିତ ଜନତା ଆଶ୍ଚର୍ଯ୍ୟ ହୋଇ ନିଜକୁ ବର୍ଷା ମାଡରୁ ରକ୍ଷା କରିବା ସକାଶେ ବ୍ୟାନର ଓ ଫ୍ଲେକ୍ସ ଗୁଡ଼ିକୁ ଆଶ୍ରା କରିଥିଲେ । ସଂପୂର୍ଣ୍ଣ ବିଧାନ ସୌଧ ଅଂଚଳ ପାଣିରେ ବୁଡ଼ି ରହିଥିଲା । ତଥାପି ଉତ୍ସବ ନିର୍ଧାରିତ କାର୍ଯ୍ୟସୂଚୀ ଅନୁସାରେ ଶେଷ ହୋଇଥିଲା ।
ବୁଧବାର ଶପଥ ଗ୍ରହଣ ଉତ୍ସବରେ ୟୁପିଏ ଅଧ୍ୟକ୍ଷା ସୋନିଆ ଗାନ୍ଧୀ, ଏଆଇସିସି ଅଧ୍ୟକ୍ଷ ରାହୁଲ ଗାନ୍ଧୀ, ପୂର୍ବତନ ପ୍ରଧାନ ମନ୍ତ୍ରୀ ଏଚ.ଡ଼ି. ଦେବେଗୌଡାଙ୍କ ସମେତ ପଶ୍ଚିମ ବଂଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ, ଆନ୍ଧ୍ର ପ୍ରଦେଶ ମୁଖ୍ୟମନ୍ତ୍ରୀ ଏନ. ଚନ୍ଦ୍ରବାବୁ ନାଇଡୁ, ୟୁପିର ପୂର୍ବତନ ମୁଖ୍ୟମନ୍ତ୍ରୀ ଅଖିଳେଶ ଯାଦବ, ବିଏସପି ନେତ୍ରୀ ସୁଶ୍ରୀ ମାୟାବତୀ, ସିପିଏମର ବରିଷ୍ଠ ନେତା ସୀତାରାମ ୟାଚୁରୀ ପ୍ରମୁଖ ଜାତୀୟସ୍ତର ନେତା ଯୋଗ ଦେଇ ବିଜେପି ବିରୋଧୀ ଏକ ଜାତୀୟ ମେଂଟର ଆଭାସ ଦେଇଥିଲେ । ୫୮ ବର୍ଷ ବୟସ୍କ ମୁଖ୍ୟମନ୍ତ୍ରୀ ଏଚଡ଼ି କୁମାରସ୍ୱମୀଙ୍କ ଏହା ଦ୍ୱତୀୟ ପାଳି । ୨୦୦୬-୦୭ରେ ସେ ଏକ ମେଂଟ ସରକାରରେ ୨୦ ମାସ ପାଇଁ ମୁଖ୍ୟମନ୍ତ୍ରୀ ଥିଲେ । ଶପଥ ଗ୍ରହଣ କରିବା ପରେ ମୁଖ୍ୟମନ୍ତ୍ରୀ କୁମାରସ୍ୱାମୀ ଏକ ସାମ୍ବାଦିକ ସମ୍ମିଳନୀ କରି ବିଧାନସଭାରେ ସେ ୨୫ ତାରିଖ କଂଗ୍ରେସ-ଜେଡ଼ିଏସ୍ ମେଂଟ ସରକାରର ସଂଖ୍ୟାଗରିଷ୍ଠତା ପ୍ରମାଣ ଦେବେ ବୋଲି କହିଛନ୍ତି । ମେଂଟର ସ୍ଥାୟୀତ୍ୱକୁ ନେଇ ଯେଉଁମାନେ ପ୍ରଶ୍ନ ଉଠାଉଛନ୍ତି ସେମାନଙ୍କୁ ନିଜର ଆଚରଣ ମାଧ୍ୟମରେ ଉଚିତ ଜବାବ ଦେବେ ବୋଲି କୁମାରସ୍ୱାମୀ କହିଛନ୍ତି ।
ଏଠାରେ ଉଲ୍ଲେଖଯୋଗ୍ୟ ଯେ, ମେ’ ୧୨ ତାରିଖ ହୋଇଥିବା କର୍ଣ୍ଣାଟକ ବିଧାନସଭା ନିର୍ବାଚନରେ ବିଜେପି ଏକକ ସଂଖ୍ୟା ଗରିଷ୍ଠତା ହାସଲ କରିଥିଲେ ମଧ୍ୟ ସରକାର ଗଠନ ପାଇଁ ଆବଶ୍ୟକ ସଂଖ୍ୟା ପାଇ ନ ଥିଲା । ୨୨୪ ଆସନ ବିଶିଷ୍ଟ କର୍ଣ୍ଣାଟକ ବିଧାନସଭାର ୨୨୨ଟି ଆସନ ପାଇଁ ନିର୍ବାଚନ ହୋଇଥିବା ବେଳେ ବିଜେପିକୁ ୧୦୪ରେ ସୀମିତ ହୋଇଯାଇଥିଲା । ଅପରପକ୍ଷରେ କଂଗ୍ରେସକୁ ୭୮ ଓ ଜେଡ଼ିଏସ୍ କୁ ୩୮ଟି ଆସନ ମିଳିଛି । ଦୁଇଟି ଆସନରେ ନିର୍ଦଳୀୟ ବିଦାୟକ ବିଜୟୀ ହୋଇଛନ୍ତି । ୧୫ ତାରିଖ ଭୋଟ ଫଳାଫଳ ପ୍ରକାଶ ପାଇବା ପରେ ସରକାର ଗଠନରୁ ବିଜେପିକୁ ରୋକିବାକୁ କଂଗ୍ରେସ ଓ ଜେଡ଼ିଏସ୍ ମେଂଟ କରି ନୂତନ ରରନୀତୀ ଆରମ୍ଭ କରି ଥିଲେ । ଦୁଇ ନିର୍ଦଳୀୟ ବିଧାୟକ ମଧ୍ୟ ମେଂଟକୁ ସମର୍ଥନ ଦେଇ ଥିଲେ ମେଂଟର ସଂଖ୍ୟା ୧୧୮ରେ ପହଂଚାଇ ଥିଲେ । ସରକାର ଗଠନ ପାଇଁ ସର୍ବନିମ୍ନ ୧୧୨ ବିଧାୟକଙ୍କ ସମର୍ଥନ ଆବଶ୍ୟକ ଥିବା ବେଳେ ୧୦୪ ବିଧାୟକ ଥିବା ବିଜେପି ବିଧାୟକ ଦଳ ନେତା ବିଏସ ୟେଦୁରାପ୍ପାଙ୍କୁ ସରକାର ଗଠନ କରିବାକୁ ରାଜ୍ୟପାଳ ଭାଲା ନିମନ୍ତ୍ରଣ କରିବାରୁ କଂଗ୍ରେସ-ଜେଡ଼ିଏସ ମେଂଟ ସୁପ୍ରିମ କୋର୍ଟଙ୍କ ଆଶ୍ରୟ ନେଇ ଥିଲେ । ସୁପ୍ରିମ କୋର୍ଟ ୟେଦୁରାପ୍ପାଙ୍କ ଶପଥ ଗ୍ରହଣ ଉପରେ ରୋକ୍ ଲଗାଇ ନ ଥିଲେ ମଧ୍ୟ ୧୮ ତାରିଖ ମାମଲାର ଶୁଣାଣୀ କରିବେ ବୋଲି କହି ବିଜେପିକୁ ଅଡ଼ୁଆରେ ପକାଇ ଥିଲେ । ଅଡୁଆ ସଂପର୍କରେ ଅବଗତ ଥିଲେ ମଧ୍ୟ ୟେଦୁରାପ୍ପା ୧୭ ତାରିଖ ସକାଳେ ଶପଥ ଗ୍ରହଣ କରି ରାଜ୍ୟପାଳଙ୍କ ଦ୍ୱାରା ଧାର୍ଯ୍ୟ ସମୟ ଭିତରେ ସରକରଙ୍କ ସଂଖ୍ୟା ଗରିଷ୍ଠତାର ପ୍ରମାଣ ଦେବେ ବୋଲି ହୁଂକାର ମାରି ଥିଲେ । ତେବେ, ସୁପ୍ରମି କୋର୍ଟଙ୍କ ତିନି ଜଣିଆ ଖଣ୍ଡପୀଠ ୧୮ ତାରିଖ ସକାଳେ ମାମଲାର ଶୁଣାଣୀ କରି ୧୯ ତାରିଖ ବିଧାନସଭାରେ ନିଜର ସଂଖ୍ୟା ଗରିଷ୍ଠତାର ପ୍ରମାଣ ଦେବାକୁ ମୁଖ୍ୟମନ୍ତ୍ରୀ ୟେଦୁରାପ୍ପାଙ୍କୁ ନିର୍ଦେଶ ଦେବାରୁ ୟେଦୁରାପ୍ପାଙ୍କ ଅଡୁଆ ବଢିଥିଲା । ୧୯ ତାରିଖ ଅପରାହ୍ନ ୪ଟାରେ ସଂଖ୍ୟା ଗରିଷ୍ଠତା ପ୍ରମାଣ କରିବାକୁ କୋର୍ଟ ଧାର୍ଯ୍ୟ କରି ଥିବା ବେଳେ ମୁଖ୍ୟମନ୍ତ୍ରୀ ୟେଦୁରାପ୍ପା ତାହା ପୂର୍ବରୁ ବିଧାନ ସଭାରେ ଏକ ଲମ୍ବା ଭାଷଣ ଦେଇ ଠିକ୍ ୪ଟା ବେଳେ ନିଜର ସଂଖ୍ୟା ନ ଥିବା ଦର୍ଶାଇ ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେଇ ଥିଲେ । ଫଳରେ, ରାଜ୍ୟରେ କଂଗ୍ରେସ-ଜେଡ଼ିଏସ୍ ମେଂଟ ସରକାର ଗଠନର ବାଟ ଖୋଲି ଥିଲା ।
LETTER FROM THE EDITOR: A SPECIAL THANKS TO OUR READERS
LETTER FROM THE EDITOR: A SPECIAL THANKS TO OUR READERS