କଂଗ୍ରେସ ‘ଗଡ଼’ ରାଏବରେଲିରୁ ରାହୁଲ ହେଲେ ପ୍ରାର୍ଥୀ


ପ୍ରସାଦ ରାଓ
ମେ’ ୦୩
କଂଗ୍ରେସ ନେତା ରାହୁଲ ଗାନ୍ଧୀ ୟୁପିର ରାଏବରେଲି ଲୋକସଭା ଆସନରୁ ଆଜି ପ୍ରାର୍ଥୀପତ୍ର ଦାଖଲ କରିବା ପରେ କିଛି ଦିନ ହେଲା ଏହି ଆସନକୁ ନେଇ ଲାଗି ରହିଥିବା କଳ୍ପନା ଜଳ୍ପନାର ଅବସାନ ଘଟିଛି । ପୂର୍ବତନ କଂଗ୍ରେସ ଅଧ୍ୟକ୍ଷା ସୋନିଆ ଗାନ୍ଧୀ ରାଏବରେଲିରୁ ଲୋକସଭା ସାଂସଦ ଥିଲେ । ଗତ ଫେବୃୟାରୀ ୨୬ ତାରିଖରେ ଅନୁଷ୍ଠିତ ରାଜ୍ୟସଭା ନିର୍ବାଚନରେ ସୋନିଆ ଗାନ୍ଧୀ ରାଜସ୍ଥାନରୁ ରାଜ୍ୟସଭାକୁ ନିର୍ବାଚିତ ହେବା ପରେ ରାଏବରେଲି ଲୋକସଭା ସାଂସଦ ପଦରୁ ଇସ୍ତଫା ଦେଇଥିଲେ ଏବଂ ଗାନ୍ଧୀ ପରିବାରର ଗଡ଼ ଭାବେ ପରିଚିତ ଏହି ଆସନରୁ କଂଗ୍ରେସ କାହାକୁ ପ୍ରାର୍ଥୀ କରିବ, ସେନେଇ ରାଜନୈତିକ ମହଲରେ ବେଶ୍ କଳ୍ପନା ଜଳ୍ପନା ଚାଲି ଥିଲା । ଏଆଇସିସି ମହାସଚିବ ଥିବା ଝିଅ ପ୍ରିୟଙ୍କା ଗାନ୍ଧୀ ଭଦ୍ରା କିମ୍ବା ତାଙ୍କ ସ୍ୱାମୀ ରବର୍ଟ ଭଦ୍ରା ରାଏବରେଲିରୁ ପ୍ରାର୍ଥୀ ହୋଇ ପାରନ୍ତି ବୋଲି ଗଣମାଧ୍ୟମରେ ଚର୍ଚ୍ଚା ହେଉଥିଲା । ରବର୍ଟ ଭଦ୍ରା ମଧ୍ୟ ଗଣମାଧ୍ୟମରେ ବିବୃତି ଦେଇ ଲୋକ ତାଙ୍କୁ ଚାହୁଁଛନ୍ତି, ସେ ନିର୍ବାଚନ ଲଢିବାକୁ ପ୍ରସ୍ତୁତ ବୋଲି କହିଥିଲେ । ଗଣମାଧ୍ୟମରେ ରବର୍ଟ ଭଦ୍ରା ଯେତିକି ଚର୍ଚ୍ଚାରେ ଥିଲେ, ତା’ଠାରୁ ଅଧିକ ଚର୍ଚ୍ଚାରେ ଥିଲେ ପ୍ରିୟଙ୍କା ଗାନ୍ଧୀ ଭଦ୍ରା । କାରଣ, ଗାନ୍ଧୀ ପରିବାରର ଏହି ସୁରକ୍ଷିତ ଆସନରୁ କଂଗ୍ରେସ ପ୍ରିୟଙ୍କାଙ୍କୁ ଜାତୀୟ ନିର୍ବାଚନ ରାଜନୀତିରେ ଲଂଚ୍ କରିପାରେ ବୋଲି ରାଜନୈତିକ ପର୍ଯ୍ୟବେକ୍ଷକମାନେ ଆକଳନ କରୁଥିଲେ । ତେବେ, ସେମାନଙ୍କ ଆକଳନକୁ ଭୁଲ ପ୍ରମାଣିତ କରି କଂଗ୍ରେସ କେରଳର ୱାଇନାଡ ସାଂସଦ ଥିବା ରାହୁଲ ଗାନ୍ଧୀଙ୍କୁ ରାଏବରେଲିରୁ ପ୍ରାର୍ଥୀ ହେବାକୁ ମନାଇଛି ଓ ସେ ଆଜି ମା’ ସୋନିଆ ଗାନ୍ଧୀ ଓ ଭଉଣୀ ପ୍ରିୟଙ୍କା ଗାନ୍ଧୀ ଭଦ୍ରାଙ୍କ ଉପସ୍ଥିତିରେ ରାଏବରେଲିରୁ ପ୍ରାର୍ଥାପତ୍ର ଦାଖଲ କରିଛନ୍ତି । ରାହୁଲ ୨୦୧୨୪ ନିର୍ବାଚନରେ ମଧ୍ୟ କେରଳର ୱାଇନାଡ ଲୋକସଭା ଆସନରୁ ପ୍ରାର୍ଥୀ ଅଛନ୍ତି । ଗତ ମାସ ୨୬ ତାରିଖରେ ଲୋକସଭା ନିର୍ବାଚନର ଦ୍ୱିତୀୟ ପର୍ଯ୍ୟାୟ ସରିଛି ଓ କେରଳର ୱାଇନାଡ ଆସନ ପାଇଁ ମତଦାନ ହୋଇ ସରିଛି । ଏବେ ରାହୁଲ ଗାନ୍ଧୀ ୟୁପିର ରାଏବରେଲି ଆସନରୁ ଭାଗ୍ୟ ପରୀକ୍ଷା କରିବେ । ୨୦୧୯ ଲୋକସଭା ନିର୍ବାଚନରେ ମଧ୍ୟ ରାହୁଲ ଗାନ୍ଧୀ ୟୁପିର ଆମେଥି ଆସନ ସହ କେରଳର ୱାଇନାଡ ଆସନରୁ ପ୍ରାର୍ଥୀ ଥିଲେ । ଆମେଥିରୁ ତିନି ଥର ଲୋକସଭାକୁ ନିର୍ବାଚିତ ହୋଇଥିବା ରାହୁଲ ୨୦୧୯ ନିର୍ବାଚନରେ ବିଜେପି ନେତ୍ରୀ ସ୍ମୃତି ଇରାନୀଙ୍କ ନିକଟରୁ ପରାଜିତ ହୋଇଥିବା ବେଳେ ୱାଇନାଡରୁ ବିଜୟୀ ହୋଇ ନିଜ ଲୋକସଭା ସାଂସଦ ପଦ ବଜାୟ ରଖିଥିଲେ । ତେବେ, ୟୁପିରେ ଗାନ୍ଧୀ ପରିବାରର ଅନ୍ୟତମ ଗଡ଼ ଭାବେ ପରିଚିତ ଆମେଥି ଲୋକସଭା ଆସନରୁ ୨୦୧୯ ନିର୍ବାଚନରେ ରାହୁଲଙ୍କ ପରାଜୟ କଂଗ୍ରେସର ମନୋବଳ କ୍ଷୁର୍ଣ୍ଣ କରିବା ସହ ବିଜେପିକୁ ଅପ୍ରତିଦ୍ୱନ୍ଦ୍ୱୀ କରିଛି । ରାହୁଲ ବିରୋଧୀ ‘ଇଣ୍ଡିଆ’ ମେଂଟର ନେତା ଥିବାରୁ ୨୦୨୪ ଲୋକସଭା ନିର୍ବାଚନରେ ଆମେଥିରୁ ତାଙ୍କ ବିରୋଧରେ ଲଢି ନିଜର ଦମ୍ ଦେଖାନ୍ତୁ ବୋଲି ଆମେଥି ସାଂସଦ ତଥା କେନ୍ଦ୍ର ମନ୍ତ୍ରୀ ସ୍ମୃତି ଇରାନୀ ୨୦୨୪ ନିର୍ବାଚନ ପ୍ରକ୍ରିୟା ଆରମ୍ଭରୁ ଗାନ୍ଧୀ ପରିବାରକୁ ଆହ୍ୱାନ ଦେଇ ଆସିଛନ୍ତି । ରାହୁଲ ଗାନ୍ଧୀ ଦ୍ୱିତୀୟ ଥର ପାଇଁ କେରଳର ୱାଇନାଡୁରୁ ଲୋକସଭା ପ୍ରାର୍ଥୀ ହେବାରୁ ବିଜେପି ତାଙ୍କୁ ଆକ୍ଷେପ କରି ନିଜର ରାଜନୈତିକ ସ୍ଥିତିକୁ ସୁରକ୍ଷିତ ରଖିବା ପାଇଁ ସେ ଦକ୍ଷିଣୀ ରାଜ୍ୟକୁ ବାଛିଛନ୍ତି ବୋଲି ଛିଗୁଲାଇଛି । ସୋନିଆ ଗାନ୍ଧୀ ୨୦୨୪ ନିର୍ବାଚନରେ ପରାଜୟ ଭୟରେ ରାଏବରେଲିରୁ ଲୋକସଭା ନିର୍ବାଚନ ନ ଲଢି ରାଜସ୍ଥାନରୁ ରାଜ୍ୟସଭାକୁ ପଳାଇଛନ୍ତି ବୋଲି ମଧ୍ୟ ବିଜେପି ନେତୃବର୍ଗ ସମାଲୋଚନା କରୁଛନ୍ତି । ୫୪୩ ଆସନ ବିଶିଷ୍ଟ ଲୋକସଭାର ସର୍ବାଧିକ ୮୦ ଆସନ ୟୁପିରେ ରହି ଥିବାରୁ କେନ୍ଦ୍ରରେ କେଉଁ ଦଳ ସରକାର କରିବ ସେଥିରେ ରାଜ୍ୟର ନିର୍ଣ୍ଣାୟକ ଭୂମିକା ରହିଛି । ଦିନେ ୟୁପି କଂଗ୍ରେସର ଗଡ଼ ଥିବା ବେଳେ ଏବେ କଂଗ୍ରେସ ରାଜ୍ୟରୁ ଗୋଟିଏ, ଦୁଇଟି ବିଧାନସଭା ଆସନ ପାଇବା ପାଇଁ ସଂଘର୍ଷ କରୁଛି । ଏଭଳି ସ୍ଥିତିରେ ୨୦୦୪ରୁ ୨୦୧୯ ପର୍ଯ୍ୟନ୍ତ ରାଏବରେଲି ସାଂସଦ ଥିବା କଂଗ୍ରେସ ପୂର୍ବତନ ଅଧ୍ୟକ୍ଷା ସୋନିଆ ଗାନ୍ଧୀ ୨୦୨୪ରେ ଲୋକସଭା ନିର୍ବାଚନ ପୂର୍ବରୁ ରାଜ୍ୟସଭାକୁ ନିର୍ବାଚିତ ହୋଇ ରାଏବାରେଲି ଜନତାଙ୍କ ହାତ ଛାଡିବା ଏବଂ ରାହୁଲ ଗାନ୍ଧୀ ମଧ୍ୟ ୨୦୧୯ ଲୋକସଭା ନିର୍ବାଚନରେ ଆମେଥିରୁ ବିଜେପି ନିକଟରୁ ପରାଜିତ ହୋଇ ଆଉ ପଛକୁ ଫେରି ନ ଚାହିଁବା କଂଗ୍ରେସକୁ ସମାଲୋଚନା କରିବା ପାଇଁ ବିଜେପିର ଅମୋଘ ଅସ୍ତ୍ର ହୋଇଛି । ଅନ୍ତତଃ, ସ୍ମୃତି ଇରାନୀଙ୍କ ଆହ୍ୱାନକୁ ଗ୍ରହଣ କରି ରାହୁଲ ୨୦୨୪ରେ ୱାଇନାଡ ସହ ଆମେଥିରୁ ମଧ୍ୟ ନିର୍ବାଚନ ଲଢି ପାରନ୍ତି ବୋଲି ଆଲୋଚନା ହେଉଥିବା ବେଳେ ରାହୁଲ ରାଏବରେଲିକୁ ବାଛିଛନ୍ତି । ରାହଉଳ ଗାନ୍ଧୀଙ୍କ ଜେଜେ ବାପା ଫିରୋଜ ଗାନ୍ଧୀ ପ୍ରଥମେ ୧୯୫୨ରେ ରାଏବରେଲି ଆସନରୁ ଲୋକସଭାକୁ ନିର୍ବାଚିତ ହୋଇଥିଲେ । ୧୯୫୮ରେ ମଧ୍ୟ ତାଙ୍କର ବିଜୟ ହୋଇଥିଲା । ଫରୋଜ ଗାନ୍ଧୀଙ୍କ ମୃତ୍ୟୁ ପରେ ପତ୍ନୀ ଇନ୍ଦିରା ଗାନ୍ଧୀ ୧୯୬୭ରେ ରାଏବରେଲିରୁ ତାଙ୍କ ରାଜନୈତିକ ଇନିଂସ ଆରମ୍ଭ କରିଥିଲେ । ୨୦୦୪ରେ ରାଏବରେଲି ଜନତା ଇନ୍ଦିରାଙ୍କ ବଡ ବୋହୂ ସୋନିଆଙ୍କୁ ନିଜର ନେତା ବାଛି ଥିଲେ । ୨୦୨୪ରେ ସୋନିଆ ପୁତ୍ର ରାହୁଲ ଗାନ୍ଧୀ ରାଏବରେଲିରୁ ସଂସଦକୁ ଯିବାକୁ ନାମାଂକନ ଭରିଛନ୍ତି । ୧୯୯୬ ଓ ୧୯୯୮ ନିର୍ବାଚନରେ କେବଳ କଂଗ୍ରେସ ଏହି ଲୋକସଭା ଆସନରେ ପରାଜିତ ହୋଇଛି । ବିଜେପିର ସ୍ଥାନୀୟ ନେତା ଅଶୋକ ସିଂହ କଂଗ୍ରେସକୁ ପରାଜିତ କରିଥିଲେ । ତେବେ, ଗାନ୍ଧୀ ପରିବାରର ଘନିଷ୍ଟ ଥିବା କଂଗ୍ରେସ ନେତା ସତୀଶ ଶର୍ମା ୧୯୯୯ରେ କଂଗ୍ରେସକୁ ପୁଣିଥରେ ପଟରିକୁ ଫେରାଇ ଆଣି ଥିଲେ । କଂଗ୍ରେସର ଦିଗ୍ଗଜ ନେତ୍ରୀ ସୋନିଆ ଗାନ୍ଧୀ ୨୦୨୪ ଫେବୃୟାରୀରେ ରାଜସ୍ଥାନରୁ ରାଜ୍ୟସଭାକୁ ନିର୍ବାଚିତ ହୋଇ ରାଏବରେଲି ଲୋକସଭା ଆସନରୁ ଇସ୍ତଫା ଦେବା ସମୟରେ ରାଏବରେଲି ନିର୍ବାଚନମଣ୍ଡଳୀର ଜନତାଙ୍କ ଉଦ୍ଦେଶ୍ୟରେ ଏକ ଆବେଗପୂର୍ଣ୍ଣ ଚିଠି ଲେଖି ସ୍ୱାଧୀନତା ପରରୁ ଗାନ୍ଧୀ ପରିବାର ପ୍ରତି ରହିଥିବା ସେମାନଙ୍କ ଆନୁଗତ୍ୟ ଓ ଅନୁକଂପାକୁ ମନେ ପକାଇ ଦେବା ସହ ଆଗକୁ ମଧ୍ୟ ଏହା ବଜାୟ ରହିବ ବୋଲି ଆଶା ବ୍ୟକ୍ତ କରି ଥିଲେ । ରାହୁଲ ବିଜୟୀ ହେଲେ କଂଗ୍ରେସର ଏହି ‘ଗଡ଼’ କଂଗ୍ରେସ ହାତରେ ହିଁ ରହିବ ।
ମୁଖ୍ୟ ସଂପାଦକ
ମୋଅନୁଭବ.କମ୍
Share this:

LETTER FROM THE EDITOR: A SPECIAL THANKS TO OUR READERS
LETTER FROM THE EDITOR: A SPECIAL THANKS TO OUR READERS