କେଜରୀୱାଲଙ୍କୁ ଅନ୍ତରୀଣ ଜାମିନ ଦେବେ କି ନାହିଁ ସୁପ୍ରିମ କୋର୍ଟ ମଂଗଳବାର ବିଚାର କରିବେ


ପ୍ରସାଦ ରାଓ
ମେ’ ୦୩
ଆସନ୍ତା ମଂଗଳବାର ଦିନ ସୁପ୍ରିମ କୋର୍ଟରେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରୀୱାଲଙ୍କ ଆବେଦନର ଶୁଣାଣୀ ହେବ । ଦିଲ୍ଲୀ ଅବକାରୀ ନୀତିରେ ଦୁର୍ନୀତିକୁ ନେଇ ହୋଇଥିବା ଏକ ପିଏମଏଲଏ ମାମଲାରେ ଇଡ଼ି ତାଙ୍କୁ ଗିରଫ କରିବା ବେଆଇନ ଥିଲା ବୋଲି କେଜରୀୱାଲ ସୁପ୍ରିମ କୋର୍ଟରେ ଆବେଦନ କରି ମାମଲା ଖରଜ କରିବାକୁ ନିବେଦନ କରିଛନ୍ତି । ଆଜି ଅପରାହ୍ନରେ ସୁପ୍ରିମ କୋର୍ଟ ବିଚାରପତି ଜଷ୍ଟିସ ସଂଜୀବ ଖାନ୍ନା ଓ ଜଷ୍ଟିସ ଦୀପଂକର ଦତ୍ତଙ୍କୁ ନେଇ ଗଠିତ ଦୁଇ ଜଣିଆ ବେଂଚ୍ ମୁଖ୍ୟମନ୍ତ୍ରୀ କେଜରୀୱାଲଙ୍କ ଆବେଦନ ଉପରେ ଶୁଣାଣୀ କରି ଚଳିତ ଲୋକସଭା ନିର୍ବାଚନ ଦୃଷ୍ଟିରୁ କେଜରୀୱାଲଙ୍କୁ ଅନ୍ତରୀଣ ଜାମିନ ଦେବା ସଂପର୍କରେ ବିଚାର କରିବାକୁ ଥିବାରୁ ଏଥି ସକାଶେ ମଂଗଳବାର ଦିନ ନିଜ ପକ୍ଷ ରଖିବାକୁ ପ୍ରସ୍ତୁତ ହୋଇ ଆସିବାକୁ ଇଡି (ପ୍ରବର୍ତ୍ତନ ନିର୍ଦେଶାଳୟ)ର ଓକିଲଙ୍କୁ ନିର୍ଦେଶ ଦେଇଛନ୍ତି । ମଂଗଳବାର ଦିନ କୋର୍ଟ ଏହା ଉପରେ ଶୁଣାଣୀ କରିବେ ବୋଲି କହିଛନ୍ତି । ମାର୍ଚ୍ଚ ୨୧ ତାରିଖ ସନ୍ଧ୍ୟାରେ ଇଡି ମୁଖ୍ୟମନ୍ତ୍ରୀ କେଜରୀୱାଲଙ୍କ ଦିଲ୍ଲୀସ୍ଥିତ ସରକାରୀ ବାସଭବନରେ ଚଢାଉ କରିବା ସହ ରାତିରେ ତାଙ୍କୁ ଗିରଫ କରିଥିଲା । ମାର୍ଚ୍ଚ ୨୨ରୁ ଏପ୍ରିଲ ୩୦ ତାରିଖ ପର୍ଯ୍ୟନ୍ତ ସେ କୋର୍ଟ ନିର୍ଦେଶକ୍ରମେ ଇଡି ହାଜତରେ ରହିବା ପରେ ଏପ୍ରିଲ ୦୧ ତାରିଖରୁ ତିହାର ଜେଲରେ ବିଚାରାଧୀନ ବନ୍ଦୀ ରହିଛନ୍ତି । କେଜରୀୱାଲ କୋର୍ଟରୁ ଜାମିନ ଆବେଦନ ନକରି ତାଙ୍କ ଗିରଫଦାରୀକୁ ଚ୍ୟାଲେଂଜ କରି ଆସୁଛନ୍ତି । ଦିଲ୍ଲୀ ହାଇକୋର୍ଟ ତାଙ୍କ ଗିରଫଦାରୀ ଯାଥାର୍ଥ ଏବଂ ଇଡି ଯେଉଁ ମାମଲା କରିଛି ସେନେଇ ତଦନ୍ତକାରୀ ସଂସ୍ଥା ନିକଟରେ ଯଥେଷ୍ଟ ତଥ୍ୟ, ପ୍ରମାଣ ରହିଛି ଦର୍ଶାଇ ଦିଲ୍ଲୀ ହାଇକୋର୍ଟ ତାଙ୍କ ଆବେଦନକୁ ପ୍ରତ୍ୟାଖାନ କରିଦେବା ପରେ କେଜରୀୱାଲ ତାହାକୁ ଚ୍ୟାଲେଂଜ କରି ସୁପ୍ରିମ କୋର୍ଟଙ୍କ ଦ୍ୱାରାସ୍ଥ ହୋଇଛନ୍ତି । ସୁପ୍ରିମ କୋର୍ଟ ମୁଖ୍ୟମନ୍ତ୍ରୀ କେଜରୀୱାଲଙ୍କୁ ତୁରନ୍ତ ଆଶ୍ୱସ୍ତି ଦେଇ ନଥିଲେ ମଧ୍ୟ ଏପ୍ରିଲ ୩୦ ତାରିଖ ଶୁଣାଣୀ ବେଳେ ଠିକ୍ ନିର୍ବାଚନ ସମୟରେ ଇଡି ତାଙ୍କୁ ଗିରଫ କରିବା କଥାକୁ ନେଇ ପ୍ରଶ୍ନ ଉଠାଇ ଥିଲେ । ୨୦୨୪ ସାଧାରଣ ନିର୍ବାଚନ ପାଇଁ ନିର୍ବାଚନ କମିଶନ ତାରିଖ ଘୋଷଣା କରିବା ପରେ ଓ ଦେଶରେ ନିର୍ବାଚନ କମିଶନଙ୍କ ଆଦର୍ଶ ଆଚରଣ ବିଧି ଲାଗୁ ଥିବା ସମୟରେ ଇଡି ମୁଖ୍ୟମନ୍ତ୍ରୀ କେଜରୀୱାଲଙ୍କୁ ଗିରଫ କରିଥିବାରୁ ଗିରଫର ସମୟକୁ ନେଇ ଆପ୍ ପ୍ରଶ୍ନ ଉଠାଇ ଆସିଛି । ସୁପ୍ରିମ କୋର୍ଟ ମଧ୍ୟ ଏହି ପ୍ରଶ୍ନ ଉଠାଇ ଇଡିକୁ ଜବାବ ମାଗିଛନ୍ତି । ବିଚାରପତି ଜଷ୍ଟିସ ଖାନ୍ନା ଇଡିର ଓକିଲ ଥିବା ଅତିରିକ୍ତ ସଲିସିଟର ଜେନେରାଲ (ଏଏସଜି) ଏସ.ଭି.ରାଜୁଙ୍କୁ କହିଛନ୍ତି, ସ୍ୱାଧୀନ ଭାବେ ବିଚରଣ କରିବା ପାଇଁ ଜଣକର ଯେଉଁ ସାମ୍ବିଧାନିକ ଅଧିକାର ରହିଛି ତାହାକୁ ଆପଣମାନେ ମନା କରି ପାରିବେ ନାହିଁ । ଦ୍ୱିତୀୟରେ, ଯେଉଁ ସମୟରେ କେଜରୀୱାଲଙ୍କୁ ଗିରଫ କରାଯାଇଛି ତାହାକୁ ନେଇ ମଧ୍ୟ ପ୍ରଶ୍ନ ଉଠୁଛି । ସୁପ୍ରିମ କୋର୍ଟ ବିଚାରପତି ମାମଲାକୁ ନେଇ ନିଜର ମତ ରଖିବା ପୂର୍ବରୁ କେଜରୀୱାଲଙ୍କ ଓକିଲ ଅଭିଷେକ ମନୁ ସିଂଘଭି କୋର୍ଟରେ ଅଭିଯୋଗ କରିଥିଲେ ଯେ, ଦିଲ୍ଲୀ ଅବକାରୀ ଦୁର୍ନୀତି ମାମଲାରେ ସାଂସଦ ମାଗୁନ୍ତା ଶ୍ରୀନୀବାସୁଲୁ ରେଡ୍ଡୀ ଇଡିର ଚାପରେ ମୁଖ୍ୟମନ୍ତ୍ରୀ କେଜରୀୱାଲଙ୍କ ବିରୋଧରେ ବୟାନ ଦେଇଛନ୍ତି । ସେ ନିଜ ପୁଅ ରାଘବଙ୍କୁ ଜାମିନରେ ମୁକୁଳାଇବା ପାଇଁ ଇଡି ଚାପରେ ମୁଖ୍ୟମନ୍ତ୍ରୀଙ୍କ ବିରୋଧରେ ବୟାନ ଦେଇଥିବା ସିଂଘଭି ଅଭିଯୋଗ କରିଥିଲେ । ସୁପ୍ରିମ କୋର୍ଟ ବେଂଚ୍ କହିଛନ୍ତି, ‘ଆମେ କେଜରୀୱାଲଙ୍କୁ ଅନ୍ତରୀଣ ଜାମିନ ଦେବା କଥା କହୁନୁ, ଆମେ ଆନ୍ତରୀଣ ଜାମିନ ଦେଇପାରୁ ବା ନ ଦେଇପାରୁ । ତେବେ, ମଂଗଳବାର ଦିନ ତାଙ୍କ ଆବେଦନର ଶୁଣାଣୀ କରିବାକୁ ଚାହୁଁଛୁ ।’ ସୁପ୍ରିମ କୋର୍ଟରେ କେଜରୀୱାଲଙ୍କ ପକ୍ଷରୁ ବରିଷ୍ଠ ଆଇନଜୀବୀ ସିଂଘଭି ମାମଲା ପରିଚାଳନା କରୁଥିବା ବେଳେ ଇଡି ପକ୍ଷରୁ ଏଏସଜି ଏସଭି ରାଜୁ ମାମଲା ପରିଚାଳନା କରୁଛନ୍ତି ।
ମୋଅନୁଭବ.କମ୍
Share this:

LETTER FROM THE EDITOR: A SPECIAL THANKS TO OUR READERS
LETTER FROM THE EDITOR: A SPECIAL THANKS TO OUR READERS