ଓଡ଼ିଶା ରାଜନୀତି: କଂଗ୍ରେସ କଣ ହାରିବାକୁ ମଇଦାନରେ ଅଛି ?


ପ୍ରସାଦ ରାଓ
ଭୁବନେଶ୍ୱର/ ମଇ ୦୪
୨୦୨୪ ନିର୍ବାଚନରେ କଂଗ୍ରେସ ଓଡ଼ିଶାର ପ୍ରାୟ ଅଧିକାଂଶ ଲୋକସଭା ଓ ବିଧାନସଭା ଆସନରେ ପ୍ରାର୍ଥୀ ଦେଇଥିଲେ ମଧ୍ୟ ଶାସକ ବିଜେଡ଼ି ଓ ବିଜେପିର ଅର୍ଥ ବଳ ନିକଟରେ ନିଷ୍ପ୍ରଭ ମନେ ହେଉଛି । କେତେକ କ୍ଷେତ୍ରରେ ପ୍ରାର୍ଥୀ ଚୟନକୁ ନେଇ ତୀବ୍ର ଅସନ୍ତୋଷ କାରଣରୁ ଭୋଟ ପୂର୍ବରୁ ଦଳ ବିବାଦୀୟ ହୋଇପଡିଛି । ଏହଛଡା ପାଣ୍ଠିର ଅଭାବ ମଧ୍ୟ ଟିକଟ ପାଇଥିବା କଂଗ୍ରେସ ପ୍ରାର୍ଥୀଙ୍କ ପାଇଁ ବଡ଼ ସମସ୍ୟା ହୋଇଛି । ଯେଉଁମାନେ କଂଗ୍ରେସ ଟିକଟ ପାଇବା ଆଶାରେ ଠେଲାପେଲାରେ ଥିଲେ ସେମାନେ ଟିକଟ ନପାଇ ଦଳର ରାଜ୍ୟ ଓ କେନ୍ଦ୍ରୀୟ ନେତୃତ୍ୱ ବିରୋଧରେ ତୀବ୍ର ଅସନ୍ତୋଷ ଜାହିର କରିଥିଲେ । ସେଥିରୁ କିଛି କଂଗ୍ରେସରୁ ଇସ୍ତଫା ମଧ୍ୟ ଦେଇଥିବା ବେଳେ କିଛି ନିଜ ମନକୁ ବୁଝାଇ ଦେଇଛନ୍ତି । ଯେଉଁମାନେ ଲୋକସଭା ବା ବିଧାନସଭା ନିର୍ବାଚନ ଲଢିବାକୁ କଂଗ୍ରେସ ଟିକଟ ପାଇଛନ୍ତି ସେମାନେ ନିଜକୁ ଭାଗ୍ୟବାନ ବୋଲି ଦାବି କରୁଥିଲେ । ଏବେ ସେମାନେ କ୍ଷମତାରେ ଥିବା ବିଜେପି ଓ ବିଜେଡ଼ିର ଆର୍ଥିକ ଶକ୍ତି ସମ୍ମୁଖରେ ଆଣ୍ଠେଇବା ଆରମ୍ଭ କଲେଣି । ପୁରୀ ଲୋକସଭା ଆସନରୁ ର୍ନିର୍ବାଚନ ଲଢିବା ପାଇଁ ଟିକଟ ପାଇଥିବା ସୁଚରିତା ମହାନ୍ତି ହେଉଛନ୍ତି ସେମାନଙ୍କ ମଧ୍ୟରୁ ଜଣେ । ସୁଚରିତା ପୁରୀରୁ କଂଗ୍ରେସ ଟିକଟ ପାଇବା ପରେ ଖୁସି ବ୍ୟକ୍ତ କରିବା ସହ ବିଜୟ ସୁନିଶ୍ଚିତ ବୋଲି ଗଣମାଧ୍ୟମରେ ପ୍ରତିକ୍ରିୟା ରଖିଥିଲେ । କିନ୍ତୁ, ଓଡ଼ିଶାରେ ମତଦାନ ତାରିଖ ପାଖଉ ଥିବା ବେଳେ ସେ ଏବେ ଟିକଟ ଫେରାଇବା କଥା କହିଲେଣି । ସୁଚରିତା ଗଣମାଧ୍ୟମକୁ ଦେଇଥିବା ବୟାନରେ ନିଜ ଅସହାୟତାକୁ ବର୍ଣ୍ଣନା କରିଛନ୍ତି । ଦଳ ନିର୍ବାଚନ ପ୍ରଚାର ପାଇଁ ଆବଶ୍ୟକ ପାଣ୍ଠି ଦେବାକୁ ମନା କରିବାରୁ ପୁରୀ ଲୋକସଭା ନିର୍ବାଚନ ମଣ୍ଡଳୀରେ ତାଙ୍କ ପ୍ରଚାର ଅଭିଯାନ ଆଗକୁ ବଢୁ ନାହିଁ । ସେ ନିର୍ବାଚନ ଖର୍ଚ୍ଚକଥା କହିବାରୁ ଓଡ଼ିଶା ଦାୟିତ୍ୱରେ ଥିବା ଏଆଇସିସି ପ୍ରଭାରୀ ଡକ୍ଟର ଅଜୟ କୁମାର ତାଙ୍କୁ ରୋକଠୋକ୍ ମନା କରିଛନ୍ତି । ଦଳ ପାଣ୍ଠି ଦେଇ ପାରିବ ନାହିଁ, ନିଜ ପାଇଁ ନିଜେ ପାଣ୍ଠି ଯୋଗାଡ କର ବୋଲି ତାଙ୍କୁ ଅଜୟ କୁମାର କହିବା ପରେ ସେ କ୍ରଉଡ୍ ଫଣ୍ଡିଂ ଉଦ୍ୟମ କରିଥିଲେ । ତେବେ, ସେଥିରେ ମଧ୍ୟ ନିରାଶା ମିଳିଛି । ଓଡ଼ିଶାରେ ଶାସନରେ ଥିବା ବିଜେଡ଼ି ନିର୍ବାଚନ ପ୍ରଚାରରେ ଅପର୍ଯ୍ୟାପ୍ତ ଅର୍ଥ ବ୍ୟୟ କରୁଥିବା ବେଳେ ଓ କେନ୍ଦ୍ରରେ କ୍ଷମତାରେ ଥିବା ବିଜେପି ମଧ୍ୟ ପଛରେ ନାହିଁ ଏହି ଅବସ୍ଥାରେ ସେ ଅସହାୟ ବୋଲି ସୁଚରିତା କହିଛନ୍ତି । ଏନେଇ ସେ ଏଆଇସିସି ସଧାରଣ ସଂପାଦକ (ସଂଗଠନ) କେ.ସି.ବେଣୁଗୋପାଳଙ୍କୁ ଚିଠି ଲେଖିଛନ୍ତି । ନିଜର ଅସହାୟତା ଦର୍ଶାଇ କଂଗ୍ରେସ ଟିକଟ ଫେରାଇ ଦେବାକୁ ମନସ୍ତ କରିଥିବା ଜଣାଇଛନ୍ତି । ସୁଚରିତା ବେଣୁଗୋପାଳଙ୍କୁ ଲେଖିଥିବା ଚିଠିରେ କହିଛନ୍ତି, ପୋଶାରେ ସେ ଜଣେ ସାମ୍ବାଦିକ ଥିଲେ ଓ ଦଶ ବର୍ଷ ତଳେ ରାଜନୀତିରେ ପ୍ରବେଶ କରିଥିଲେ । ନିଜୟ ସଂଚୟ ଯାହା ଥିଲା ପୁରୀ ଲୋକସଭା ନିର୍ବାଚନ ମଣ୍ଡଳୀରେ ପ୍ରଚାର କାର୍ଯ୍ୟରେ ଖର୍ଚ୍ଚ କଲେଣି । ଅର୍ଥାଭାବରୁ ତାଙ୍କ ପ୍ରଚାର କାର୍ଯ୍ୟ ଯୋଜନା ମୁତାବକ ଆଗେଇ ପାରୁନଥବା ସେ ଅଜୟ କୁମାରଭ୍କୁ ଜଣାଇ ଦଳ ପାଣ୍ଠି ଯୋଗାଇବାକୁ କହିଥିଲେ । କିନ୍ତୁ, ନିଜ ପ୍ରଚାର ପାଇଁ ନିଜେ ପାଣ୍ଠି ଯୋଗାଡ କର ବୋଲି ଏଆଇସିସି ପ୍ରଭାରୀ କହିବା ପରେ ସେ ବାହାରୁ ପାଣ୍ଡି ସଂଗ୍ରହ ଉଦ୍ୟମ କରି ଏପର୍ଯ୍ୟନ୍ତ କୌଣସି ସଫଳତା ପାଇ ନାହାନ୍ତି । ନିର୍ବାଚନ ପ୍ରଚାର ଖର୍ଚ୍ଚ ସୀମିତ କରିବାକୁ ଉଦ୍ୟମ କରିଥିଲେ । ସାଧାରଣ ଜନତାଙ୍କ ନିକଟରୁ ନିର୍ବାଚନ ଖର୍ଚ୍ଚ ସଂଗ୍ରହ କରିବାକୁ ଉଦ୍ୟମ କରିଥିଲେ । ପାଣ୍ଠି ଅଭାବ ନେଇ କଂଗ୍ରେସ ମୁଖିଆମାନଙ୍କୁ ମଧ୍ୟ ଜଣାଇ ଥିଲେ । ତେବେ, ସବୁଠି ନିରାଶ ହେବା ପରେ ଟିକଟ ଫେରାଇ ଦେବାକୁ ଚାହୁଁଛନ୍ତି । କେବଳ ସୁଚରିତା ନୁହନ୍ତି, କିଛି ଆର୍ଥିକ ସ୍ୱଚ୍ଛଳ କଂଗ୍ରେସ ନେତାଙ୍କୁ ଛାଡି ଦେଲେ ଦଳର ଅଧିକାଂଶ ପ୍ରାର୍ଥୀ ନିର୍ବାଚନ ପାଣ୍ଠି ଅଭାବରୁ ଅକାଳେ ମଇଦାନ ଛାଡିବାକୁ ଚିନ୍ତା କରୁଥାଇ ପାରନ୍ତି ବୋଲି କହି ହେବ । ଏଠାରେ ସୂଚନାଯୋଗ୍ୟ, ପୁରୀ ଲୋକସଭା ଆସନରେ ପୂର୍ବତନ ମହାରାଷ୍ଟ୍ର କ୍ୟାଡର ଆଇପିଏସ୍ ଅଧିକାରୀ ତଥା ମୁମ୍ବାଇର ପୂର୍ବତନ ପୁଲିସ କମିଶନର ଅରୂପ ପଟ୍ଟନାୟକ ବିଜେଡ଼ି ପ୍ରାର୍ଥୀ ଥିବା ବେଳେ ବିଜେପିରୁ ଦଳର ଜାତୀୟ ମୁଖପାତ୍ର ସମ୍ବିତ ପାତ୍ର ଦ୍ୱିତୀୟ ଥର ପାଇଁ ନିର୍ବାଚନ ଲଢୁଛନ୍ତି । ୨୦୧୯ ଲୋକସଭା ନିର୍ବାଚନରେ ସମ୍ବିତ ପାତ୍ର ପୁରୀରେ ପ୍ରାର୍ଥୀ ହୋଇ ବିଜେପି ସାଂସଦ ପିନାକୀ ମିଶ୍ରଙ୍କ ନିକଟରୁ ପରାଜିତ ହୋଇଥିଲେ । ସେହିଭଳି, ପୁରୀରୁ ବିଜେଡ଼ିର ସାଂସଦ ପ୍ରାର୍ଥୀ ଅରୂପ ପଟ୍ଟନାୟକ ୨୦୧୯ ନିର୍ବାଚନରେ ଭୁବନେଶ୍ୱର ଲୋକସଭା ଆସନରୁ ବିଜେଡିରୁ ପ୍ରାର୍ଥୀ ହୋଇ ପୂର୍ବତନ ଆଇଏଏସ ତଥା ବିଜେପି ପ୍ରାର୍ଥୀ ଅପରାଜିତା ଷଡଙ୍ଗୀଙ୍କ ନିକଟରୁ ପରାଜିତ ହୋଇଥିଲେ । ପୁରୀ ଶ୍ରୀକ୍ଷେତ୍ରରେ ଗତ ଜାନୁୟାରୀ ମାସରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଦ୍ୱାରା ଉଦ୍ଘାଟିତ ହେଇଥିବା ବହୁ କୋଟି ଟଙ୍କାର ଶ୍ରୀଜଗନ୍ନାଥ ପରିକ୍ରମା ପ୍ରକଳ୍ପ ବିଜେଡ଼ି ପାଇଁ ନିର୍ବାଚନ ବିଜୟର ୟୁଏସପି ହୋଇଥିବା ବେଳେ ସେହି ମାସରେ ଅଯୋଧ୍ୟାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଦ୍ୱାରା ଉଦ୍ଘାଟିତ ଶ୍ରୀରାମଙ୍କ ଭବ୍ୟ ମନ୍ଦିର ବିଜେପିର ୟୁଏସପି ରହିଛି । ଏହି ଦୁଇ ଶକ୍ତିଶାଳୀ ପ୍ରତିଦ୍ୱନ୍ଦ୍ୱୀଙ୍କ ସାମ୍ନା କରିବା, ତାହା ପୁଣି ନିଜ ହାତରୁ ଖର୍ଚ୍ଚ କରି, କେତେ ସମ୍ଭବ – ଏକଥା କଣ କଂଗ୍ରେସ ନେତୃତ୍ୱ ବୁଝିପାରୁ ନାହାନ୍ତି । କେବେଳ ନିର୍ବାଚନରେ ନିଜର ଅସ୍ତିତ୍ୱ ଜାହିର ପାଇଁ କଂଗ୍ରେସ ଯଦି ନିର୍ବାଚନ ମଇଦାନରେ ରହିଛି ତେବେ ହାରିବା ପାଇଁ ନିର୍ବାଚନ ଲଢୁଛି କହିବା ଭୁଲ ହେବ ନାହିଁ ।
ମୋଅନୁଭବ.କମ୍
Share this:

LETTER FROM THE EDITOR: A SPECIAL THANKS TO OUR READERS
LETTER FROM THE EDITOR: A SPECIAL THANKS TO OUR READERS