ପ୍ରଜ୍ୱଳଙ୍କୁ ଧରିବା ପାଇଁ ସିବିଆଇ ସହାୟତା ଲୋଡିଲେ କର୍ଣ୍ଣାଟକ ସରକାର
ପ୍ରସାଦ ରାଓ
ନୂଆଦିଲ୍ଲୀ/ ମଇ ୦୪
ଶତାଧିକ ମହିଳାଙ୍କୁ ବଳତ୍କାର କରିବାର ଭିଡ଼ିଓ ସାମାଜିକ ଗଣମାଧ୍ୟମରେ ଭାଇରାଲ୍ ହେବା ପରେ ଦେଶ ଛାଡି ପଳାଇ ଥିବା ଜେଡିଏସ୍ ସାଂସଦ ପ୍ରଜ୍ୱଳ ରେଭାନ୍ନାଙ୍କୁ ଖୋଜି ବାହାର କରିବାରେ ସିବିଆଇର ସହାୟତା ଲୋଡିଛନ୍ତି କର୍ଣ୍ଣାଟକ ସରକାର । ପ୍ରଜ୍ୱଳ ହେଉଛନ୍ତି ପୂର୍ବତନ ପ୍ରଧାନମନ୍ତ୍ରୀ ଏଚ.ଡି.ଦେବେଗୌଡାଙ୍କ ନାତି ତଥା କର୍ଣ୍ଣାଟକର ପୂର୍ବତନ ମୁଖ୍ୟମନ୍ତ୍ରୀ ଏଚ.ଡି. କୁମାରସ୍ୱାମୀଙ୍କ ପୁତୁରା । କର୍ଣ୍ଣାଟକ ସରକାର ପ୍ରଜ୍ୱଳ ରେଭାନ୍ନା ବିରୋଧରେ ଯୌନ କେଲେଂକାରୀ ମାମଲାର ତଦନ୍ତ ପାଇଁ ସ୍ୱତନ୍ତ୍ର ଟାସ୍କ ଫୋର୍ସ ବା ଏସଆଇଟି ଗଠନ କରିଛନ୍ତି ଏବଂ ଏସଆଇଟି ପ୍ରଜ୍ୱଳଙ୍କ ବିରୋଧରେ ଲୁକ୍ ଆଉଟ୍ ନୋଟିସ ଜାରି କରି ସାରିଛି । କେବଳ ପ୍ରଜ୍ୱଳ ନୁହନ୍ତି, ତାଙ୍କ ବିଧାୟକ ବାପା ତଥା ଦେବେଗୌଡାଙ୍କ ବଡ ପୁଅ ଏଚ.ଡି.ରେଭାନ୍ନା ମଧ୍ୟ ଅଭିଯୁକ୍ତ ଅଛନ୍ତି । ତାଙ୍କୁ ମଧ୍ୟ ଏସଆଇଟି ପଚରା ଉଚୁରା ପାଇଁ ଡକାଇଛି । ପ୍ରଜ୍ୱଳ ପାଖାପାଖି ଏକାଧିକ ମହିଳାଙ୍କ ସହ ଯୌନାଚାରରେ ସଂପୃକ୍ତ ଥିବାର ପାକାପାଖି ତିନି ହଜାର ଭିଡ଼ିଓ ଓ ଷ୍ଟିଲ୍ ଫଟୋ ସାମାଜିକ ଗଣମାଧ୍ୟମରେ ଭାଇରାଲ ହେବା ପରେ ଗିରଫ ଭୟରେ ସେ ଜର୍ମାନ ପଳାଇ ଥିବା ଆଲୋଚନା ହେଉଛି । ଦେଶ ଛାଡିବା ପାଇଁ ସେ କେନ୍ଦ୍ର ସରକାରଙ୍କ ବିଦେଶ ମନ୍ତ୍ରଣାଳୟ କୌଣସି ଅନୁମତି ନେଇନଥିବା ବିଦେଶ ମନ୍ତ୍ରଣାଳୟ ସଫେଇ ଦେଇଥିବା ବେଳେ ଠିକ୍ ସାଧାରଣ ନିର୍ବାଚନ ସମୟରେ ଏହି ଭିଡ଼ିଓ ଲିକ୍ କର୍ଣ୍ଣାଟକର ପ୍ରଭାବଶାଳୀ ଆଂଚଳିକ ରାଜନୈତିକ ଦଳ ଜନତା ଦଳ (ଏସ୍)କୁ ଅଡୁଆରେ ପକାଇଛି । ଯେହେତୁ ରାଜ୍ୟରେ ବିଜେପି ଜେଡିଏସ୍ ସହ ନିର୍ବାଚନୀ ମେଂଟ କରି ମଇଦାନାରେ ରହିଛି ବିଜେପି ନେତୃତ୍ୱ ମଧ୍ୟ ବିରୋଧୀଙ୍କ ସମାଲୋଚନାର ଶରବ୍ୟ ରହିଛନ୍ତି । ପ୍ରଜ୍ୱଳ ଫେରାର ହେବା ପୂର୍ବରୁ କର୍ଣ୍ଣାଟକରେ ଅନୁଷ୍ଠିତ ଏକ ନିର୍ବାଚନ ସଭାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ତାଙ୍କ ପାଇଁ ନିର୍ବାଚନ ପ୍ରଚାର କରିଥିଲେ ଓ ନିର୍ବାଚନ ସଭା ମଂଚରେ ପ୍ରାର୍ଥୀ ପ୍ରଜ୍ୱଳଙ୍କ ସହ ଦେଗଗୌଡା ପରିବାର ଉପସ୍ଥିତ ଥିଲେ । ଏହି ଫଟୋ ଏବେ ସାମାଜିକ ଗଣମାଧ୍ୟମରେ ବହୁଳ ଭାବେ ପ୍ରସାରିତ ହେଉଛି । ପ୍ରଜ୍ୱଳ ରେଭାନ୍ନା ବିଦେଶ ପଳାଇ ଥିବାରୁ ବିଭିନ୍ନ ରାଷ୍ଟ୍ର ସହ ଯୋଗାଯୋଗ କରି ତାଙ୍କୁ ଖୋଜି ବାହାର କରିବାକୁ କର୍ଣ୍ଣାଟକ ସରକାର ସିବିଆଇକୁ ସହାୟତା ମାଗିଛନ୍ତି । ପ୍ରଜ୍ୱଳଙ୍କ ବିରୋଧରେ ଅନ୍ୟୁନ ଦୁଇ ଜଣ ମହିଳା ଗଣଦୁଷ୍କର୍ମ ନେଇ ଥାନାରେ ମାମଲା ଦାଏର କରିଛନ୍ତି । ରେଭାନ୍ନା ପରିବାର ଦ୍ୱାରା ଯୌନ ନିର୍ଯ୍ୟାତନାରେ ପୀଡ଼ିତ ସମସ୍ତ ମହିଳାଙ୍କୁ ସମ୍ଭାବ୍ୟ ସହାୟତା ଯୋଗାଇ ଦେବାକୁ କଂଗ୍ରେସ ନେତା ରାହୁଲ ଗାନ୍ଧୀ କର୍ଣ୍ଣାଟକ ମୁଖ୍ୟମନ୍ତ୍ରୀ ସିଦ୍ଧରାମାୟାକୁ ଅନୁରୋଧ କରିଛନ୍ତି । କର୍ଣ୍ଣାଟକରେ କଂଗ୍ରେସ ସରକାର ରହିଛି । ପ୍ରଜ୍ୱଳ ରେଭାନ୍ନା କର୍ଣ୍ଣାଟକର ହାସନରୁ ଜେଡିଏସ୍ ସାଂସଦ ଅଛନ୍ତି । ୨୦୨୪ରେ ମଧ୍ୟ ଏହି ଆସନରୁ ସେ ନିର୍ବାଚନ ଲଢୁଛନ୍ତି । ହାସନ ଲୋକସଭା ନିର୍ବାଚନ ମଣ୍ଡଳୀରେ ପ୍ରଜ୍ୱଳଙ୍କ ଯୌନାଚାରର ଭିଡ଼ିଓ ବହୁଳ ଭାବେ ପ୍ରସାରିତ ହେବା ପରେ ଜଣେ ମହିଲା ଥାନାରେ ଏତଲା ଦେଇ ପ୍ରଜ୍ୱଳ ୨୦୧୯ରୁ ୨୦୨୨ ମଧ୍ୟରେ ତାଙ୍କ ସହ ଯୌନାଚାର କରିଥିବା ଏବଂ ତାଙ୍କ ଝିଅକୁ ମଧ୍ୟ ଫୋନ କରି ଅଶ୍ଲୀଳ ଭାଷା ପ୍ରୟୋଗ କରିଥିବା ଅଭିଯୋଗ କରିବାରୁ ଥାନାରେ ମାମଲା ହୋଇଛି । ପରେ, ଅନ୍ୟ ଜଣେ ମହିଳା ମଧ୍ୟ ଥାନାରେ ଏକାଭଳି ଅଭିଯୋଗ କରିଛନ୍ତି । ଆଜି ଏସଆଇଟି ଟିମ୍ କର୍ଣ୍ଣାଟକର ହାସନରେ ଥିବା ପ୍ରଜ୍ୱଳ ରେଭାନ୍ନା ଘରେ ପହଂଚି ତଦନ୍ତ କରିଥିବା ବେଳେ କର୍ଣ୍ଣାଟକର ଗୃହ ମନ୍ତ୍ରୀ ଗଂଗାଧରାୟା ପରମେଶ୍ୱର ପ୍ରଜ୍ୱଳଙ୍କ ବିରୋଧରେ ଦ୍ୱିତୀୟ ଲୁକ୍ ଆଉଟ୍ ନୋଟିସ ଜାରି କରିଛନ୍ତି । ପ୍ରଜ୍ୱଳ ଓ ତାଙ୍କ ବିଧାୟକ ପିତା ଏଚ.ଡି. ରେଭାନ୍ନାଙ୍କ ବିରୋଧରେ ଏହି ଲୁକ୍ ଆଉଟ୍ ନୋଟିସ ଜାରି ହୋଇଛି । ଏଚ.ଡି. ରେଭାନ୍ନା ମଧ୍ୟ ବିଦେଶ ପଳାଇବା ସମ୍ଭାବନା ଥିବାରୁ ତାଙ୍କ ବିରୋଧରେ ଲୁକ୍ ଆଉଟ୍ ନୋଟିସ ଜାରି କରାଯାଇଛି ବୋଲି ରାଜ୍ୟ ଗୃହ ମନ୍ତ୍ରୀ କହିଛନ୍ତି । ଗତକାଲି ଜାରି ହୋଇଥିବା ପ୍ରଥମ ଲୁକ୍ ଆଉଟ୍ ନୋଟିସରେ ଉଭୟଙ୍କୁ ଆଜି ସନ୍ଧ୍ୟା ସୁଦ୍ଧା ଏସଆଇଟି ସମ୍ମୁଖରେ ହାଜର ହେବାକୁ କୁହାଯାଇଥିଲା । ପ୍ରଜ୍ୱଳ ଓ ତାଙ୍କ ବାପା ପ୍ରଥମ ନୋଟିସ ପାଇବା ପରେ ହାଜର ହେବାକୁ ସମୟ ମାଗିବାରୁ ସେମାନଙ୍କୁ ଦ୍ୱିତୀୟ ନୋଟିସ ଜାରି ହୋଇଛି । ପ୍ରଜ୍ୱଳ ରେଭାନ୍ନା ଶତାଧିକ ବିଭିନ୍ନ ବୟସ ବର୍ଗର ମହିଳା, ଯୁବତୀ ନାବାଳିକାଙ୍କୁ ବର୍ଷ ବର୍ଷ ଧରି ଦୁଷ୍କର୍ମ କରିବା ଏବଂ ତାହାର ଭିଡ଼ିଓ ରେକଡିଂ କରି ସେମାନଙ୍କୁ ଦୁଷ୍କର୍ମ ପାଇଁ ବାଧ୍ୟ କରାଇବା ଅତ୍ୟନ୍ତ ଜଘଣ୍ୟ ଘଟଣା । ଏଥିପାଇଁ କଠୋର କାର୍ଯୃାନୁଷ୍ଠାନ ହେବା ଆବଶ୍ୟକ ବୋଲି ରାହୁଲ ଗାନ୍ଧୀ କହିଥିବା ବେଳେ ରାଜ୍ୟ ସରକାର ରେଭାନ୍ନା ପରିବାର ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ଅଯଥା ବିଳମ୍ବ କରିଛନ୍ତି କହି ବିଜେପି ନିଜ ହାତକୁ ସଫା ରଖିବା ଉଦ୍ୟମ କରୁଛି ।
ମୋଅନୁଭବ.କମ୍
Share this:
LETTER FROM THE EDITOR: A SPECIAL THANKS TO OUR READERS
LETTER FROM THE EDITOR: A SPECIAL THANKS TO OUR READERS